ବିଜୁଙ୍କ ଛୁରା – (ତ୍ରୟୋଦଶ ଭାଗ)

ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଅଧ୍ୟକ୍ଷ, ଭାଷା ଆନ୍ଦୋଳନ, ଓଡିଶା

ଶାସକ ଗୋଷ୍ଠୀଙ୍କ ଠାରୁ ଓଡ଼ିଶାରେ ଓଡ଼ିଆ ଭାଷାରେ ଶାସନ ଆଶା କରାଯାଏନି ବୋଲି ବୃନ୍ଦାବନ ତ୍ରିପାଠୀ କହିଲା ବେଳକୁ ଗଦାଧର ଦତ୍ତ ଅଧ୍ୟକ୍ଷ ଭାବେ ଆସନାସୀନ ହୋଇଥିଲେ | ତ୍ରିପାଠୀ କହିଲେ, “ସ୍କୁଲ କଲେଜମାନଙ୍କରେ ଆମର ଯେଉଁମାନେ ପାଠ ପଢୁଛନ୍ତି ସେମାନେ ପ୍ରାଇମେରୀ କ୍ଳାସଠୁ ଆରମ୍ଭ କରି ମାଟ୍ରିକ ପର୍ଯ୍ୟନ୍ତ ଆଠ ବର୍ଷ କାଳ କେବଳ ଗୋଟାଏ ଭାଷାକୁ ଆୟତ୍ତ କରିବା ପାଇଁ ଦୀର୍ଘ ମୂଲ୍ୟବାନ ସମୟ ନଷ୍ଟ କରୁଛନ୍ତି | ସେଥିରେ ୟେ ଇଂରାଜୀ ଭାଷା ଯେ ଆୟତ୍ତ ହୋଇପାରୁଛି ତା’ ନୁହେଁ | ଏ ଭାଷା ଶିକ୍ଷା କରିବା ପାଇଁ ପୁଣି ଆମେ ଆମ ଭବିଷ୍ୟତ ବଂଶଧରମାନଙ୍କର ସମୟ ନଷ୍ଟ କରିବାକୁ ଯାଉଥାଇଁ |”

“M. E. ପାଶ୍ କରିବା ପର୍ଯ୍ୟନ୍ତ ଆମେ ଯେଉଁ ସାହିତ୍ୟ ପଢୁ , ମେଟ୍ରିକ ପାଶ୍ ପର୍ଯ୍ୟନ୍ତ ସେହି ସାହିତ୍ୟ ପଢୁ | କେବଳ ଇଂରାଜୀ ଭାଷା ଉପରେ ଯାହା କିଛି ଅଧିକ ଜୋର ଦିଆଯାଇଥାଏ | ତା ପରେ I.A., B.A., M.A. ପାଶ୍ କରିବା ପରେ ମଧ୍ୟ ଯେଉଁମାନେ ଶିକ୍ଷକତା କରିବା ପାଇଁ ଯାଉଛନ୍ତି, ଆପଣ ଦେଖିବେ, ସେମାନଙ୍କୁ ପାଠ ପଢାଇବାପାଇଁ ଇଂରାଜୀ ଭାଷା ଘୋଷିକରି କ୍ଲାସକୁ ଯିବାକୁ ପଡୁଛି | ତେଣୁ ଏଇ ଭାଷା ଶିକ୍ଷାପାଇଁ ଆମ ଜାତିର ମୂଲ୍ୟବାନ ସମୟ ନଷ୍ଟ ହେଉଛି ” ବୋଲି କହିଥିଲେ ତ୍ରିପାଠୀ |

ଅଧ୍ୟକ୍ଷଙ୍କ ଆସନରୁ ଶ୍ରୀ ଦତ୍ତ ପଚାରିଲେ, “ସେହି ମୂଲ୍ୟବାନ ସମୟ ମଧ୍ୟରେ ଆପଣ ଆଉ କଣ କରିବାକୁ ଚିନ୍ତା କରୁଛନ୍ତି ?” ତ୍ରିପାଠୀ କହିଥିଲେ , “ଏହା ଯଦି ଜ୍ଞାନ ଚର୍ଚାରେ ବ୍ୟୟ କରିବା ପାଇଁ କ୍ଷେତ୍ର ଦିଆଯାନ୍ତା , ତା’ ହେଲେ ମେଟ୍ରିକ ପାଶ୍ ବେଳକୁ ଆମ ପିଲାମାନେ ଆମ ମାତୃଭାଷାରେ ଯଥେଷ୍ଟ ଜ୍ଞାନ ଉପାର୍ଜନ କରିପାରନ୍ତେ ; କିନ୍ତୁ ଆମର ଏ ଯେଉଁ ନେତୃତ୍ବ ଦେଉଛନ୍ତି ………..”

ଉପରେ ଯାହା ଶୁନ୍ୟ ରହିଗଲା ତାହା ପୁର୍ଣ କରି ହେବନି ; କାରଣ ଶ୍ରୀ ଦତ୍ତ ତାହାକୁ ବିଧାନସଭା ବିବରଣୀରୁ ଉତ୍ଖାତ (expunge) କରି ଦେଲେ , ଯଦିଓ ତାଙ୍କ ମତ ବି ଥିଲା ଯେ, ତ୍ରିପାଠୀ ପ୍ରୟୋଗ କରିଥିବା “ଶବ୍ଦ ନୀତିଗତ ଭାବରେ unparliamentary କି ନୁହେଁ କହିହେବନାହିଁ |”

ଜାଗ୍ରତ ବିବେକ ଯେମିତି କିଏ କଣ କହିଲା ତାକୁ ଖାତିର କରିନଥାଏ , ଠିକ୍ ସେମିତି ତ୍ରିପାଠୀ ସେଦିନ ଯାହା କହିବାକୁ ଚାହୁଁଥିଲେ ତାହା କହିବାରୁ ବିରତ ହୋଇନଥିଲେ | ସେ କହିଥିଲେ, “ସ୍କୁଲ କଲେଜମାନଙ୍କରେ ଯେଉଁମାନେ ପଢୁଛନ୍ତି ସେମାନେ ଭଲ ଇଂରାଜୀ ନଜାଣିଥାନ୍ତୁ ପଛକେ ବା ସବୁ ଭୁଲ କହନ୍ତୁ ପଛକେ , ଇଂରାଜୀ ଭାଷାରେ କଥାବାର୍ତ୍ତା କରିବାକୁ ଚେଷ୍ଟା କରନ୍ତି |” ଏବଂ ଏହି ବାସ୍ତବତା ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରି ସେ ପଚାରିଥିଲେ , “ଆମ ଭାଷାକୁ ଛାଡି ଆମେ ଅନ୍ୟ ଭାଷାରେ କଥାବାର୍ତ୍ତା କରିବାକୁ ଏତେ ଲାଳାୟିତ କାହିଁକି ?”

ତ୍ରିପାଠୀଙ୍କ ପ୍ରଶ୍ନ ତୀର ପରି ବିଜୁବାବୁଙ୍କ ଆଡେ ବିନ୍ଧାହୋଇଥିଲେ ମଧ୍ୟ ସେ ମୌନ ରହିଥିଲେ |

“ମାଗି ମାଡ଼ ଖାଇବା” କଥା

ଜୟପୁରର ପ୍ରତିନିଧି ଶ୍ରୀ ରଘୁନାଥ ପଟ୍ଟନାୟକ ଦଳୀୟ ଛାଟ ହେତୁ ବିଲ୍ଟିକୁ ବିରୋଧ କରିବା ସମ୍ଭବ ନଥିଲା | ତଥାପି ସେ ସେହି ବିଲ୍ ପାଇଁ ବିଜୁବାବୁଙ୍କ ବ୍ୟାକୁଳତାକୁ ପ୍ରଶ୍ନ କରିଥିଲେ
| ସେ କହିଥିଲେ, “ବୁଝିପାରୁନାହିଁ ଯେ, ଏତେ ଚଂଚଳ ଏ ବିଲ୍ ଆଣିବାର ଆବଶ୍ୟକତା କଣ ଥିଲା? ଆମେ ବର୍ତ୍ତମାନ ୟାକୁ ଏଠାରେ ପାଶ୍ କଲେ ମଧ୍ୟ ଏହା 1965 ଜାନୁଆରୀ ପୂର୍ବରୁ କାର୍ଯ୍ୟକାରୀ ହେଉନାହିଁ | ତେଣୁ ମୋ ମତରେ 15 ମାସ ପୂର୍ବରୁ ବିଲ୍ଟି ଆଣିବା ଉଚିତ ନଥିଲା | ଏହା ଗୋଟିଏ “ମାଗି ମାଡ଼ ଖାଇବା” କଥା |”

ଓଡ଼ିଶା ସରକାରୀ ଭାଷା ଆଇନ ଓଡ଼ିଶାରେ ଓଡ଼ିଆ ଭାଷାର ଏକାଙ୍ଗଚକ୍ରବର୍ତ୍ତିତା ସୃଷ୍ଟି କରିବାକୁ ଉଦ୍ଦିଷ୍ଟ ଥିଲେ ବି ତାକୁ ଖର୍ବ କରିବାପାଇଁ ବିଜୁ ବାବୁ ଯେଉଁ ସଂଶୋଧନ ବିଧେୟକ ଆଣିଥିଲେ ତାହାକୁ ଅକାଳସମ୍ଭୁତ ବୋଲି ଦର୍ଶାଇଥିଲେ ରଘୁବାବୁ | ତଥାପି ବି ସେ ତାହାକୁ ବିରୋଧ କରିନଥିଲେ | କାରଣ; ତାଙ୍କର ଧାରଣା ଥିଲା ଯେ, ଦୀର୍ଘକାଳ ଶାସନର ଭାଷା ହୋଇ ରହିଥିବା ଇଂରାଜୀ ଭାଷା ଅନ୍ତର୍ଗତ ଶବ୍ଦଗୁଡିକର ଉପଯୁକ୍ତ ଓଡ଼ିଆ ପ୍ରତିଶବ୍ଦ ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ଇଂରାଜୀ ପ୍ରଚଳନ କାଏମ ରହିବା ଭଲ | ଓଡ଼ିଶାର ବିଭିନ୍ନ ଭାଗରେ ଗୋଟିଏ ଅର୍ଥରେ ଭିନ୍ନ ଭିନ୍ନ ଶବ୍ଦ ପ୍ରଚଳିତ ଥିବା ହେତୁ ଇଂରାଜୀ ଶବ୍ଦ ସ୍ଥାନରେ କେଉଁ ଓଡ଼ିଆ ଶବ୍ଦ ପ୍ରଯୁକ୍ତ ହେବ , ତାହା ନିର୍ଣ୍ଣିତ ହେବା ପରେ ଇଂରାଜୀର ଅପସାରଣ ଉଚିତ ହେବ ବୋଲି ସେ ଯୁକ୍ତି କରିଥିଲେ | କିନ୍ତୁ ଇଂରାଜୀ ଭାଷାକୁ ସରକାରୀ ଭାଷା ଭାବେ ଚଳାଇ ରଖିବାକୁ ଭାଷା ଆଇନ ସଂଶୋଧନ ପାଇଁ “ଚଂଚଳ” ହୋଇଉଠିଥିବା ବିଜୁବାବୁଙ୍କୁ ତାଙ୍କର ପ୍ରଶ୍ନ ଥିଲା , “ଆମ ଓଡ଼ିଶା ଦେଶରେ ଏ ଯେଉଁ କଥିତ ଭାଷାର ବୈଷମ୍ୟ ଅଛି , ଏହାକୁ ଗୋଟିଏ ପ୍ରକାର କରିବାରେ ଆମେ କଣ କରିଛୁ? ଏ ପ୍ରଶ୍ନର କୌଣସି ଉତ୍ତର ନଥିଲା | ତେଣୁ ରଘୁବାବୁ ଯେତେବେଳେ କହିଲେ, “ମୁଁ ତ କହିବି, ବର୍ତ୍ତମାନ ସୁଦ୍ଧା ଆମେ କିଛି କରିପାରିନାହୁଁ “, ତାହା ନବକୃଷ୍ଣ ଚୌଧୁରୀଙ୍କ ପରବର୍ତ୍ତୀ ଦୁଇ ମୁଖ୍ୟମନ୍ତ୍ରୀ – ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କ ଓଡ଼ିଆ ଭାଷା-ବିମୁଖତା ଉପରୁ ଉଠାଇ ଦେଇଥିଲା ଢାଙ୍କୁଣୀ |

ସଂଶୋଧନ ବିଧେୟକଟି ଥିଲା ବିଧାନସଭାରେ ଓଡ଼ିଆ ସାଙ୍ଗକୁ ଇଂରାଜୀରେ କାରବାର ପାଇଁ ; ଶାସନରେ ଇଂରାଜୀର ପୁନଃ ପ୍ରବର୍ତ୍ତନପାଇଁ ନୁହେଁ | ମାତ୍ର ରଘୁନାଥ ବାବୁଙ୍କ ପରି ସୁଯୋଗ୍ୟ ବିଧାୟକ ମଧ୍ୟ ତାହା ଓଡ଼ିଶାର ସମଗ୍ର ଶାସନ ପାଇଁ ଉଦ୍ଦିଷ୍ଟ ବୋଲି ବୁଝିଥିବା ତାଙ୍କ ଭାଷଣରୁ ସ୍ପଷ୍ଟ ଜାଣିହୁଏ | ତେଣୁ ଯେତେବେଳେ ବିଜୁବାବୁଙ୍କ ଏହି ଛଦ୍ମ ଛୁରା ଶାସନ କ୍ଷେତ୍ରରେ ଓଡ଼ିଆ ଭାଷାକୁ ଅକାମି କରିଦେଲା, ତହିଁରେ ବିସ୍ମିତ ହେବାର କିଛି ନଥିଲା | (କ୍ରମଶଃ)

 

ସମ୍ବଲପୁରର ସ୍ବରରେ ଭରା ସାରା ଓଡ଼ିଶାର ସ୍ବର

ଓଡ଼ିଆ ଭାଷାଭାଷୀ ସମଗ୍ର ଭୂମଣ୍ଡଳରେ ମାତୃଭାଷାରେ କାର୍ଯ୍ୟ ପରିଚାଳନା ପାଇଁ ପ୍ରଥମ ସ୍ବର ଉଠିଥିଲା ଗଞ୍ଜାମର ଘୁମୁସରରୁ | ସେହିପରି ସାରା ଭାରତରେ ଭାଷାଭିତ୍ତିକ ଜାତୀୟତାର ପ୍ରଥମ ଉଦ୍ରେକ ଘଟିଥିଲା ସମ୍ବଲପୁରରେ ଅଣଓଡିଆଙ୍କ କବଳରୁ ଓଡ଼ିଆ ଜନ୍ମମାଟିକୁ ରକ୍ଷା କରିବା ପାଇଁ ( ଓଡ଼ିଆ ଭାଷା ଓ ସମ୍ବଲପୁର, ସୂର୍ଯ୍ୟପ୍ରଭା, 12.3.2017; ସମ୍ବଲପୁର, ଓଡ଼ିଆ ଭାଷା: ଅତୀତରୁ ବର୍ତ୍ତମାନ , ପ୍ରମେୟ , 18.3.2017) |

ଓଡ଼ିଆ ଭାଷାରେ ଓଡ଼ିଶାର ସମସ୍ତ କାର୍ଯ୍ୟ ପରିଚାଳନା ପାଇଁ ଓଡିଶା ସରକାର ଆଇନ କରନ୍ତୁ ବୋଲି ଓଡିଶା ବିଧାନସଭାରେ ସ୍ବାଧୀନତା ପରବର୍ତ୍ତୀ ପ୍ରଥମ ଉତ୍କଳ ଦିବସରେ ଯେଉଁ ପୁଣ୍ୟଶ୍ଳୋକ ପଂଡିତ ଲକ୍ଷ୍ମୀ ନାରାୟଣ ମିଶ୍ର ପ୍ରଥମ ପ୍ରସ୍ତାବ ଦେଇଥିଲେ , ସେ ଥିଲେ ଯେଉଁ ମାଟିର , ସେ ମାଟି ହେଲା ସମ୍ବଲପୁର |

ଆଜି ଯେତେବେଳେ ସେହି ସମ୍ବଲପୁର ଚଳାଇଛି ତାର ନିରବ ଅଥଚ ନିଖିଳ ରାଜ୍ୟରେ ଚେତନାର ତରଙ୍ଗ ସୃଷ୍ଟିକରିଚାଲିଥିବା ସଂଘର୍ଷ ମାତୃଭୂମି ଓଡ଼ିଶାରେ ମାତୃଭାଷା ଓଡ଼ିଆରେ କାର୍ଯ୍ୟ ପରିଚାଳନା ପାଇଁ ଓ ତହିଁରେ ବାଧାଦାନକୁ ଆଇନର ସଂଶୋଧନ କରି ଦଣ୍ଡନୀୟ କରିବା ପାଇଁ , ସେତେବେଳେ ମନୋରାଜ୍ୟରେ ଉଦିତ ହୋଇଉଠୁଛନ୍ତି ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଠାରୁ ଆରମ୍ଭକରି ବୀର ବିକ୍ରମ ସିଂ , ଚନ୍ଦ୍ର ଶେଖର ବେହେରା, ଧରଣୀଧର ମିଶ୍ର , ସତ୍ୟବାଦୀ ପାଢ଼ୀ, ବ୍ରଜମୋହନ ପଟ୍ଟନାୟକ, ଶ୍ରୀପତି ମିଶ୍ର, ପଣ୍ଡିତ ଲକ୍ଷ୍ମୀ ନାରାୟଣ ମିଶ୍ର ପ୍ରମୁଖ ସମ୍ବଲପୁର ମାଟିରେ ଜନ୍ମିତ ଓଡ଼ିଶାରେ ଓଡିଆଭାଷାକୈନ୍ଦ୍ରିକ ଜାତୀୟତାର ପ୍ରାଣପ୍ରତିଷ୍ଠାତାମାନେ | ସେ ସମସ୍ତଙ୍କ ଆଶୀର୍ବାଦରେ ପରିପୁଷ୍ଟ ଭାଷା ଆନ୍ଦୋଳନର ଏହି କଳାପତାକା ଅଭିଯାନ |

ଗତ ସୋମବାର ଏହି ଅଭିଯାନରେ ଭାଷା ଆନ୍ଦୋଳନ, ଓଡିଶାର ସମ୍ବଲପୁର ଅଧ୍ୟକ୍ଷ ଗିରିଜା ଶଙ୍କର ଶର୍ମା, ସଭାପତି କଳାରତ୍ନ ବଂଶୀଧର କର ଓ ଆବାହକ ଦେବେନ୍ଦ୍ର କୁମାର ଦାଶ ନେତୃତ୍ବ ପ୍ରଦାନ କରିଥିବା ବେଳେ ସକ୍ରିୟ ଭୂମିକା ନିର୍ବାହ କରିଥିଲେ ସର୍ବସାଥୀ ତ୍ରିନାଥ ପ୍ରସାଦ ପଣ୍ଡା , ଆଶୁତୋଷ ହୋତା, ରାମେଶ୍ବର ପାଢ଼ୀ , ସରୋଜ କୁମାର ସାମନ୍ତରାୟ, ଗିରିଶ ଚନ୍ଦ୍ର ତ୍ରିପାଠୀ , ତପନ କୁମାର ଖୁଣ୍ଟିଆ, ଜୟକୃଷ୍ଣ ପ୍ରଧାନ, ରବିନାରାୟଣ ପଣ୍ଡା, ନିରଞ୍ଜନ ସ୍ବାଇଁ , ସୁଶୀଲ କୁମାର ବେହେରା, ସୁରେନ୍ଦ୍ର କୁମାର ସାହୁ , ପ୍ରଦ୍ୟୋତ କୁମାର ମିଶ୍ର, ସୁଶାନ୍ତ କୁମାର ମହାପାତ୍ର, ଗୋପାଳ ରାଉତ, ବିକ୍ରମ ପ୍ରଧାନ, ପ୍ରକୃତି ବନ୍ଧୁ ଦେବାଶିଷ ସାହୁ, ବସନ୍ତ କୁମାର ସାହୁ, ସୁବାଷ ଚନ୍ଦ୍ର ଦାଶ , ହୃଦୟ ରଞ୍ଜନ ଦାଶ , ହାରାଧନ ବାରିକ, ପ୍ରଫୁଲ୍ଲ କୁମାର ଗୁରୁ, ଗୋପିନାଥ ପୃଷ୍ଟି, କାର୍ତ୍ତିକେଶ୍ୱର ଷଣ୍ଢ , ଜଗଦାନନ୍ଦ ତ୍ରିପାଠୀ , ଭକ୍ତ ପ୍ରସାଦ ପଣ୍ଡା , ସଚିଦାନନ୍ଦ ପ୍ରଧାନ, ଅର୍ଜୁନ ବେଉରା, ସୂର୍ଯ୍ୟମଣି ପଣ୍ଡା, ରବିନାରାୟଣ ମିଶ୍ର, ରାମଚନ୍ଦ୍ର ମିଶ୍ର, ଅସିତ କୁମାର ସାମନ୍ତରାୟ, ଅମରେନ୍ଦ୍ର ଦାସ , ସନ୍ତୋଷ କୁମାର ବାରିକ, ରଶ୍ମିତା ପଣ୍ଡା, ସୁଭାଷ ଶର୍ମା, ଶ୍ରୀମନ୍ତ ଭୌମିକ, ନବୀନ ପତି , ଜୟକୃଷ୍ଣ ବେହେରା, କୁଞ୍ଜବିହାରୀ ପଣ୍ଡା, ମୋହନ ମହାନନ୍ଦ, ମୁନମୁନ ରଥ , ଶ୍ରୀକାନ୍ତ ମେହେର, ଅର୍ଜୁନ ମଲ୍ଲିକ, ଅଶୋକ କୁମାର ଜାଲ, ହେମନ୍ତ କୁମାର ପ୍ରଧାନ, ମନୋରଂଜନ ସାହୁ, ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ପ୍ରମୁଖ |

ଅପରାହ୍ନ ଠିକ 4 ତା ବେଳେ କଚେରୀ ଛକ ସହୀଦ ସ୍ତମ୍ବ ନିକଟରୁ ବାହାରି ବୀର ସୁରେନ୍ଦ୍ର ସାଏ ଙ୍କ ପ୍ରତିମୁର୍ତି ପର୍ଯ୍ୟନ୍ତ ପ୍ରାୟ 50 ରୁ ଉର୍ଧ ଭାଷା ପ୍ରେମୀ ଶୃଙ୍ଖଳିତ ଭାବେ ପ୍ରତିବାଦ କରିଛନ୍ତି , ଓ ଘୋଷଣା କରିଛନ୍ତି ଯେ, ଯେପର୍ଯ୍ୟନ୍ତ ଭାଷା ଆଇନରେ ତହିଁର ଉଲ୍ଲଂଘନ ବିରୁଦ୍ଧରେ ଦଣ୍ଡ ବିଧି ବ୍ୟବସ୍ଥା ନ ହୋଇଛି ଏହି ଅଭିଯାନ ଚାଲିରହିବ |

ଭାଷା ଆନ୍ଦୋଳନ, ଓଡିଶା ଏହି ସମସ୍ତ ପ୍ରତ୍ୟକ୍ଷ ଅଂଶଗ୍ରହଣକାରୀ ଓ ଅନ୍ୟ ସମସ୍ତ ପରୋକ୍ଷ ଅଂଶଗ୍ରହଣକାରୀଙ୍କୁ ଅଭିନନ୍ଦନ ଜଣାଉଛି | ସେଦିନର କେତେକ ଚିତ୍ର :

 

 

 

ବିଜୁଙ୍କ ଛୁରା (ଦ୍ବାଦଶ ଭାଗ)

ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଅଧ୍ୟକ୍ଷ, ଭାଷା ଆନ୍ଦୋଳନ, ଓଡିଶା

 

“ମୁଁ ସୁରକ୍ଷା ଚାହୁଁଛି ” (“Sir, I seek protection.”) ବୋଲି ଚିତ୍କାର କରିଥିଲେ ବିଜୁ ବାବୁ ; କାରଣ ସେଦିନ କାମାକ୍ଷାନଗରର ପ୍ରତିନିଧି ବୃନ୍ଦାବନ ତ୍ରିପାଠୀ ତାଙ୍କ ନାମ ଧରି ତାଙ୍କ ଇଂରାଜୀ-ପ୍ରୀତିକୁ ପ୍ରଶ୍ନ କରିଥିଲେ ଅନ୍ଧକାରକୁ ଆଲୋକ ଆକ୍ରମଣ କରିବା ଶୈଳୀରେ |

ବିଧାନସଭାର କାରବାରରେ ଇଂରାଜୀ ଭାଷାକୁ ସରକାରୀ ଭାଷା ବନେଇବାକୁ ବିଜୁବାବୁଙ୍କ ଅପୋଦ୍ୟମକୁ ପ୍ରଚଣ୍ଡ ବିରୋଧ କରି ବୃନ୍ଦାବନ ବାବୁ କହିଥିଲେ, “ଉପାଧ୍ୟକ୍ଷ ମହାଶୟ, ଆମର ଓଡ଼ିଆ ଭାଷାରେ କାର୍ଯ୍ୟ ଚାଲୁ | ମୁଁ ବୁଝିପାରୁନାହିଁ ଓଡ଼ିଶାରେ ଓଡ଼ିଆ ଭାଷାରେ କାର୍ଯ୍ୟ ନଚାଲି ଇଂରାଜୀ ଭାଷାରେ କାର୍ଯ୍ୟ ଚାଲିଲେ ଦେଶର କଣ ଉନ୍ନତି ହେବ ? ଆପଣଙ୍କ ଘର ପାଖରେ ଚାଇନା , ରୁଷିଆ ଇତ୍ୟାଦି ଦେଶ କଥା ଦେଖନ୍ତୁ | ଯେତେ ଜାତି ସେ ଦେଶରେ ଅଛନ୍ତି ସେମାନେ ସମସ୍ତେ ନିଜର ମାତୃଭାଷାରେ କାର୍ଯ୍ୟ ଚଳାଇ ପୃଥିବୀରେ ସର୍ବଶ୍ରେଷ୍ଠ ଶାସକ ରୂପେ ପରିଗଣିତ ହୋଇଛନ୍ତି ; କିନ୍ତୁ ଆମର ବିଜୁବାବୁ କହିଛନ୍ତି ଇଂରାଜୀ ଭାଷା ନରହିଲେ ଜାତିର ଅଗ୍ରଗତି ହୋଇପାରିବ ନାହିଁ |”

ବିଧାନସଭା ବିତର୍କରେ କୌଣସି ସଦସ୍ୟଙ୍କ ନାମ ନେବା ସେହି ନାମିତ ସଦସ୍ୟଙ୍କ ପ୍ରତି ଅତ୍ୟନ୍ତ କଠୋର ଓ ବିରଳ ଭର୍ସଚ୍ଛନା ଭାବେ ବିବେଚିତ ହୋଇଥାଏ | ତେଣୁ ବିଜୁବାବୁ ସେପରି ନାମିତ ହେବାକୁ ସ୍ବଭାବିକ ଭାବେ ପ୍ରତିବାଦ କରିଥିଲେ | ସେ କହିଥିଲେ, “Sir, I strongly object to the hon’ble Member accusing me personally.” କିନ୍ତୁ  ଉପାଧ୍ୟକ୍ଷ ତହିଁପ୍ରତି କର୍ଣପାତ କରିନଥିଲେ | ତ୍ରିପାଠୀ ଓଡ଼ିଆରେ ଭାଷଣ  ଦେଉଥିଲାବେଳେ ବିଜୁବାବୁ ଇଂରାଜୀଭାଷାରେ ହସ୍ତକ୍ଷେପ କରୁଥିବା ସତେ ଯେମିତି ତାଙ୍କୁ ଲାଗୁଥିଲା ଅସଙ୍ଗତ | ଅପରପକ୍ଷେ , ଶାସକ ଦଳର ସଭ୍ୟମାନେ ଦଳୀୟ ଛାଟ ହେତୁ ଅଗତ୍ୟା ବିଲ୍ଟିକୁ ସମର୍ଥନ କରିବା ସୁନିଶ୍ଚିତ ଥିଲେ ମଧ୍ୟ ଇଂରାଜୀଭାଷାଧିପତ୍ୟକୁ ପସନ୍ଦ କରୁନଥିଲେ | ସୋନାରାମ ସୋରେନ୍ଙ୍କ ଭାଷଣରେ ତାହା ସ୍ପଷ୍ଟ ବାରି ହୋଇପଡ଼ିଥିଲା ଓ ବିରେନ୍ ମିତ୍ରଙ୍କୁ ବିଲ୍ଟିକୁ ଉପସ୍ଥାପିତ ଓ ସଞ୍ଚାଳିତ କରିବାପାଇଁ ଡକା ହୋଇଥିଲେ ମଧ୍ୟ ବିଜୁବାବୁ ଯେପରି ସେହି ଆଦେଶ ପ୍ରତି ଖାତିର ନକରି ତାହାକୁ ସଞ୍ଚାଳିତ କଲେ , ତାହା ଏହି ଧାରଣା ଉପୁଜାଇବା ସ୍ବଭାବିକ ଥିଲା କି , ଶାସକ ଦଳ ନୁହେଁ, ବିଜୁବାବୁ ହିଁ ତହିଁର ସ୍ତୃଷ୍ଟିକର୍ତ୍ତା ଓ ଏକକ ସଂଚାଳକ | ସେ ଦୃଷ୍ଟିରୁ , ଅଭିଜ୍ଞ ନେତା ବୃନ୍ଦାବନ ତ୍ରିପାଠୀ ବୁଜୁଙ୍କ ନାମକୁ ଜାଣିଶୁଣି ଟାଣିଥିଲେ ତହିଁର ଆଲୋଚନାକୁ |

ବିଜୁବାବୁଙ୍କୁ “କଳିଙ୍ଗ ଷଣ୍ଢ” ବୋଲି ତାଙ୍କ ସ୍ତାବକମାନେ ସେତେବେଳେ ପ୍ରଚାର କରି ଗର୍ବ ଅନୁଭବ କରୁଥିଲେ | ସେହିପରି ଭାବେ ତାଙ୍କୁ ଆଖ୍ୟାୟିତ କରି ଢେଙ୍କାନାଳରେ ସେତେବେଳେ କଳିଙ୍ଗ କାଗଜର ସାମ୍ବାଦିକ ଥିବା ସଚ୍ଚିଦାନନ୍ଦ ମହାପାତ୍ର ଓ ହିନ୍ଦୁସ୍ତାନ ଷ୍ଟାଣ୍ଡାର୍ଡ଼ କାଗଜର ପ୍ରତିନିଧି ନେତ୍ରାନନ୍ଦ ମିଶ୍ର ଏପରି ଆବହାଵା ଭିଆଇଲେ ଯେ, ସେହି ନିର୍ବାଚନରେ ମାଟି ଚାଟିଥିଲେ ବିଜୁ ପଟ୍ଟନାୟକ; ଜିତିଥିଲେ ଢେଙ୍କାନାଳର ପୂର୍ବତନ ରାଣୀ ରତ୍ନପ୍ରଭା ଦେବୀ |

ସେହି କଥାକୁ ମନରେ ରଖି କାମାକ୍ଷାନଗରର ପ୍ରତିନିଧି ସେଦିନ କହିଥିଲେ, “ଆମକୁ ପୁରୁଷ ପୁଂଗବ କହନ୍ତୁ ବା ମଣିଷ ଷଣ୍ଢ କହନ୍ତୁ , ଆମ୍ଭେମାନେ ଯଦି ନିଜ ମାତୃଭାଷା ବ୍ୟବହାର ନ କରୁ , ଏହାଠାରୁ ବଳି ଲଜ୍ଜାର କଥା କଣ ଅଛି?” ତ୍ରିପାଠୀଙ୍କ ଏହି ଆକ୍ଷେପ ତୀର ପରି ପଶି ଯାଇଥିଲା ବିଜୁ ବାବୁଙ୍କ ଛାତିରେ | ସେ ଚିତ୍କାର କରିଥିଲେ, “Sir, I seek protection” (ବିଧାନସଭା ବିବରଣୀ , 30.9.1963) | ନ ଛାଡିବା ଲୋକ ଥିଲେ ତ୍ରିପାଠୀ |  ବିଜୁବାବୁ “ପ୍ରତି ଚାଷୀର କ୍ଷେତକୁ ପାଣି , ପ୍ରତି ଚାଳରେ ଟାଇଲ ଛାଉଣୀ” ପ୍ରତିଶ୍ରୁତି ଦେଇ ଓ ନିଜକୁ “ଓଡ଼ିଆ ଅସ୍ମିତା”ର ଜୀବନ୍ତ ପ୍ରତିନିଧି ବୋଲି ଚାଟୁକାରମାନଙ୍କ ମାଧ୍ୟମରେ ଡିଣ୍ଡିମ ବଜାଇ କ୍ଷମତା ଦଖଲ କରିଥିଲେ |  ପ୍ରବଞ୍ଚନାର ସେହି କଳା କୌଶଳ ଉପରେ ପଦାଘାତ କରି ସେଦିନ ତ୍ରିପାଠୀ କହିଥିଲେ , “ଆମେ ଯଦି ନିଜର ମାତୃଭାଷା ବ୍ୟବହାର ନ କରୁ , ଚାଷୀ ଲୋକମାନେ କଣ କରିବେ? ଯେଉଁ ଜାତି ତାର ଭାଷା ବ୍ୟବହାର ନ କରେ ସେ ଜାତି ଜୀବିତ ଅଛି ବୋଲି କୁହାଯାଇ ପାରିବ ନାହିଁ | ଯେଉଁ ଓଡ଼ିଆ ପୁଅ ଓଡ଼ିଆ ଜାତିକୁ ବା ଓଡିଶାକୁ ଟେକିଦେବୁ ବୋଲି କହୁଛନ୍ତି , ସେ ଓଡ଼ିଆ ବ୍ୟବହାର କରିବା ପାଇଁ ଏତେ ପଛଘୁଞ୍ଚା ଦେଉଛନ୍ତି କାହିଁକି? ବିଜୁବାବୁ 360 ଦିନରେ 720 ଥର କିମ୍ବା ତା ଠାରୁ ଅଧିକ ଅହୁରିବେଶି ଓଡ଼ିଆ ଜାତିର ଉନ୍ନତିକରି ଟେକି ଦେବୁ ବୋଲି କହିଛନ୍ତି ; କିନ୍ତୁ ସରକାରୀ କ୍ଷେତ୍ରରେ ଓଡ଼ିଆ ଭାଷା ବ୍ୟବହାର ନକରିବାର କାରଣ ମୁଁ ବୁଝିପାରୁନାହିଁ |” ବିଜୁ ବାବୁ ଚିତ୍କାର କରିଥିଲେ,  “Sir, again personal accusation” (ସାର୍ ! ମୋ ଉପରେ ପୁନଶ୍ଚ ବ୍ୟକ୍ତିଗତ ଦୋଷାରୋପ) | ଉପାଧ୍ୟକ୍ଷ ବିଜୁବାବୁଙ୍କୁ ସୁରକ୍ଷା ଦେଇନଥିଲେ | ତ୍ରିପାଠୀ ତାଙ୍କ ନିଜ ଆଡୁ ଦୟା ଦେଖାଇଲା ପରି କହିଲେ , “ଆଉ personal accusation କରିବିନାହିଁ |

କିନ୍ତୁ ସମାଲୋଚନାର ତୀର ଲକ୍ଷ୍ୟଭ୍ରଷ୍ଟ ହୋଇନଥିଲା | ଅଧ୍ୟକ୍ଷତା କରୁଥିବା ଉପାଧ୍ୟକ୍ଷଙ୍କୁ ସେ କହିଚାଲିଲେ, “ଆମେ ଏଠି ତାଙ୍କୁ ବରାବର ଓଡ଼ିଆ ଭାଷାରେ କହିବା ପାଇଁ ଅନୁରୋଧ କରୁ ; କିନ୍ତୁ ସେ ଗ୍ରହଣ କରନ୍ତିନାହିଁ | ସେ ନାନା ରକମ ତାତ୍ସଲ୍ୟ କରି କହନ୍ତି |”

ତ୍ରିପାଠୀଙ୍କ ଏହି ଭାଷଣ ଆକ୍ଷେପ ନଥିଲା ; ଥିଲା ସ୍ପଷ୍ଟ ଦୋଷାରୋପ | ସେ ସ୍ପଷ୍ଟ କରିଦେଇଥିଲେ ଯେ , ଓଡ଼ିଆରେ ଭାଷଣ ଦେବାକୁ ବିଜୁବାବୁଙ୍କୁ କହିଲେ ସେ ଓଡ଼ିଆକୁ “ନାନା ରକମ ତାତ୍ସଲ୍ୟ” କରୁଥିଲେ | ଓଡ଼ିଆ ଭାଷା ପ୍ରତି ବିଜୁବାବୁଙ୍କ ଘୃଣା ଏହି “ତାତ୍ସଲ୍ୟ”ରେ ପ୍ରତିଫଳିତ ହେଉଥିଲା | ତାଙ୍କ ପୁଅ ନବୀନ ସେହି ଏକା ଓଡି଼ଆଦ୍ରୋହୀ ମାନସିକତାର ଏକ ରୁପକଳ୍ପ |  ତହିଁର ପ୍ରତିକାର ପାଇଁ ଆମେ ତ କଳାପତାକା ଅଭିଯାନ ଚଳାଇଛୁ | ଏକା ଅନୁଭୂତି , ଏକା ବିଭୀଷିକା | (କ୍ରମଶଃ)

(Try Google Input Tools online ସହାୟତାରେ ଲିଖିତ)