ଜଗତସିଂହପୁରରେ କଳାପତାକାର ଲହର ଓ ଭାଷା ଆନ୍ଦୋଳନ ଜିଲ୍ଲା ଶାଖାର ସ୍ମାରକପତ୍ର ପ୍ରଦାନ

ବିଶେଷ ପ୍ରତିନିଧି

ନଭେମ୍ବର ମାସ ସରିବାର ପୂର୍ବ ଦିନଟି ଜଗତସିଂହପୁର ପାଇଁ ଅବିସ୍ମରଣୀୟ ହୋଇ ରହିବ ।

ଭାଷା ଆନ୍ଦୋଳନର ଜଗତସିଂହପୁର ଶାଖା ସେଦିନ ଜିଲ୍ଲାପାଳଙ୍କ ମାର୍ଫତରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମରଣ କରାଇ ଦେଇଛି କି, ଓଡ଼ିଶା ସରକାରୀ ଭାଷା ଆଇନ,୧୯୫୪ରେ ଖଞ୍ଜା ହୋଇଥିବା ଧାରା ୪-କ ଓଡ଼ିଆ ଜାତିର ଭାଷା ଅଧିକାରକୁ ଖର୍ବ କରିଥିବାରୁ ତାକୁ ବିଲୁପ୍ତ କରାଯାଇ ଏବଂ ମୂଳ ଆଇନଟିକୁ ଅକ୍ଷୁର୍ଣ୍ଣ ରଖି, ସାନି ସଂଶୋଧନ ଦ୍ଵାରା ତାର ଉଲ୍ଲଙ୍ଘନକାରୀକୁ କଠିନ ଦଣ୍ଡବିଧାନର ବ୍ୟବସ୍ଥା କରାଯିବା ପାଇଁ ଭାଷା ଆନ୍ଦୋଳନର ସଭାପତିମଣ୍ଡଳୀ ପକ୍ଷରୁ ଗତ ୯.୧୧.୨୦୧୮ ତାରିଖରେ ତାଙ୍କୁ ଯେଉଁ ଚରମପତ୍ର ଦିଆଯାଇଛି ତଦନୁଯାୟୀ ଅବିଳମ୍ବେ କାର୍ଯ୍ୟାନୁଷ୍ଠାନ ହେଉ ।

ଓଡ଼ିଆ ଭାଷାର ପ୍ରଥମ ମହାକବି ସାରଳା ଦାସ ଓ ଓଡ଼ିଆ ଜାତିକୁ ନିଜ ଭାଷାରେ ସରକାରୀ ସେବା ପାଇବା ଅଧିକାର ଦେଇ ଯେଉଁ ଆଇନ ୧୯୫୪ରେ ପ୍ରଣୀତ ଓ ପ୍ରବର୍ତ୍ତିତ ହୋଇଥିଲା ତାର ପ୍ରଦାତା , ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ମନୀଷୀ ନବକୃଷ୍ଣ ଚୌଧୁରୀ – ଉଭୟଙ୍କ ଏନ୍ତୁଡ଼ିଶାଳ ନିଜ ବକ୍ଷରେ ବହନ କରୁଥିବା ଜିଲ୍ଲା ହେଉଛି ଜଗତସିଂହପୁର । ସୁତରାଂ ଭାଷା-ଗାରିମାର ଏହି ସମୁଜ୍ଜ୍ଵଳ ଜିଲ୍ଲାରେ ଭାଷା ଜନନୀଙ୍କ ବିଜୟଵନା ଭାବେ ସମାଦୃତ କଳାପତାକାର ଲହର ଲାଭ କରିଥିଲା ଅଭୂତପୂର୍ବ ଜନାଦୃତି ।

ଭାଷା ଆନ୍ଦୋଳନର ଜିଲ୍ଲା ସଂଯୋଜକ କୃଷ୍ଣାନନ୍ଦ ସାହୁଙ୍କ ଆହ୍ବାନକ୍ରମେ ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ଦେବୀ ପ୍ରସାଦ ଚୌଧୁରୀ ,ପ୍ରାଣକୃଷ୍ଣ ସେଠି ,ମାଧବେନ୍ଦ୍ର ଗୋଛାୟତ,ରମାକାନ୍ତ ଦାଶ, ପ୍ରଶାନ୍ତ କୁମାର ମଲ୍ଲିକ, ସୁନୀଲ କୁମାର ମାଟିଆ, କୃଷ୍ଣଚନ୍ଦ୍ର ପ୍ରଧାନ, ସରୋଜ କୁମାର ସାହୁ, ସଚିନ କୁମାର ବେଉରା,ସରୋଜ କୁମାର ଲେଙ୍କା, ବଂଶୀଧର ବେହେରା,ଅରୁଣ ମହାନ୍ତି, ସୁଦର୍ଶନ ବେହେରା,ପ୍ରଶାନ୍ତ କୁମାର ମହାପାତ୍ର, ବାନାମ୍ବର ମାଟିଆ, ସୌମ୍ୟ ସଂଜୀବ ଦାସ ପ୍ରମୁଖଙ୍କ ନେତୃତ୍ବରେ ନଭେମ୍ବର ୨୯, ଦିବା ୧୧ଟାରେ ଭାଷା ଆନ୍ଦୋଳନର କଳାପତାକା ସହ ଅଭିଯାତ୍ରୀମାନେ ନିମାଇଁ ଭବନଠାରୁ ଏକ ନିରବ ଶାନ୍ତିପୂର୍ଣ ପଟୁଆରରେ ଆସି ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଇଥିଲେ ।

ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ, କେନ୍ଦ୍ରୀୟ ସଭାପତିମଣ୍ଡଳୀ ସଭ୍ୟ କମଳଲୋଚନ ନାୟକ, କେନ୍ଦ୍ରୀୟ ଅଭିଯାତ୍ରୀ ଶିଶିର କୁମାର ସାହୁ ଓ ଜିତେନ୍ କୁମାର ରାଉତ ଉପସ୍ଥିତ ଥିଲେ । ଆଶିଷ କୁମାର ବେହେରା ଉତ୍ତୋଳନ କରିଥିବା ଏହି ଐତିହାସିକ ଘଟଣାର କେତେକ ଫଟୋ ଚିତ୍ର ଏଥିର ସନ୍ନିହିତ ହେଲା ।

ଏଇଠି ସରୁ ନାହିଁ । ସରକାର ଯଦି ନିଜ ଭୁଲ ସଂଶୋଧନ ନ କରନ୍ତି ତେବେ ଗାଁ ଗାଁ ବ୍ୟାପି ଏ ଆନ୍ଦୋଳନ ଚାଲିବ ବୋଲି ସ୍ମାରକପତ୍ର ଦେଇ ସାରିବା ପରେ ଘୋଷଣା କରିଥିଲେ ଜନପ୍ରିୟ ଜନନେତା ବିପ୍ଳବ ଚୌଧୁରୀ ।

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.