ଅର୍ଥମନ୍ତ୍ରୀ ଅପରାଧୀଙ୍କ ପରି ନିରବ !

ଓଡିଶା ସରକାରୀ ଭାଷା ଆଇନର କାର୍ଯ୍ୟକାରିତା ଉପରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିର ସଦସ୍ୟ ଭାବେ ଆଇନଟିର ଅଚଲତା ଅନୁଧ୍ୟାନ କରି ଗତ ୩. ୯. ୨୦୧୫ ତାରିଖରେ ସରକାରଙ୍କୁ ଦୁଇଟି ପରାମର୍ଶ ଦେଇଥିଲି – (୧) ଆଇନଟି ଉଲ୍ଲଙ୍ଗନ କଲେ କୌଣସି ଦଣ୍ଡବିଧାନ ବ୍ୟବସ୍ଥା ନ ଥିବା ହେତୁ କେହି ତାହାକୁ ମାନୁନାହାନ୍ତି ବୋଲି କହି ସେଥିପାଇଁ ଏକ ଚିଠା ସହ ଆଇନ ସଂଶୋଧନ କରିବାକୁ ପରାମର୍ଶ ଦେଇଥିଲି ଓ (୨) ଦଣ୍ଡବିଧାନ ପାଇଁ ତଥା ଅନ୍ୟାନ୍ୟ ପ୍ରାସଙ୍ଗିକ ସମସ୍ୟାର ସମାଧାନ ପାଇଁ ନିୟମାବଳୀ ପ୍ରଣୟନର ଆବଶ୍ୟକତା ଥିବା ବେଳେ ତାହାର ପ୍ରଣୟନ ପାଇଁ ଆଇନଟି ସରକାରଙ୍କୁ ଅଧିକାର ନ ଦେଇଥିବା ହେତୁ ସେହି ଅଧିକାର ଆହରଣ ପାଇଁ ମୋ ପ୍ରସ୍ତାବିତ ନିୟମାବଳୀ ଓ ଆଇନ ସଂଶୋଧନାର ଚିଠା ସହ ତୁରନ୍ତ ଏହି ସଂଶୋଧନ ପଥରେ ଆଗେଇବାକୁ ପରାମର୍ଶ ଦେଇଥିଲି । ଓଡ଼ିଆରେ ଶାସନ ନାମକ ଏକ ୱେବ ସାଇଟ ଖୋଲି ସରକାର ମୋର ଚିଠାକୁ ତହିଁରେ ସ୍ଥାନିତ କରିଥିଲେ ।

କିନ୍ତୁ ଭାଷା ଦାୟିତ୍ବରେ ଥିବା ଅଣ ଓଡ଼ିଆ ସ୍ବତନ୍ତ୍ର ଶାସନ ସଚିବ ଏହାକୁ ବିରୋଧ କରିବା ସଂଗେ ସଂଗେ କମିଟିରେ ଥିବା ଏକ ଭାଷା ବେପାରୀ ଗୋଷ୍ଠୀ ନିଜ ଫାଇଦା ପାଇଁ ଅଣଓଡ଼ିଆ ଅଫିସରଙ୍କ ସହ ହାତ ମିଳାଇବା ଦେଖି ମୁଁ ଦେଇ ଥିବା ପରାମର୍ଶ ସପକ୍ଷରେ ଭାଷା ଆନ୍ଦୋଳନ ପ୍ରତିଷ୍ଠା ହେଲା । ମୋ ପରାମର୍ଶ ମାନି ନିୟମ ପ୍ରଣୟନର କ୍ଷମତା ଆହରଣ ପାଇଁ ସରକାର ଆଇନ ସଂଶୋଧନ କଲେ ସିନା, ଦଣ୍ଡବିଧାନ ପାଇଁ ବ୍ୟବସ୍ଥା କରିବାକୁ ଏଡ଼େଇ ଚାଲିଲେ । ଏଥିରେ ଅତିଷ୍ଠ ହୋଇ ବିଜେଡି ଦଳର ନେତାମାନେ ବି ଆଇନ ସଂଶୋଧନ ସକାଶେ ଚାପ ପକାଇଲେ । ସେମାନଙ୍କୁ ଧାରଣା ଦେବାକୁ ଯେ ମୁଖ୍ୟମନ୍ତ୍ରୀ ଓଡ଼ିଆ ବିରୋଧୀ ନୁହନ୍ତି, ୨୬.୧୨.୨୦୧୭ ତାରିଖରେ ବିଜେଡିର ପୁରୀ ଅଧିବେଶନ କାଳରେ ମନ୍ତ୍ରିମଣ୍ଡଳର ଏକ ବିଶେଷ ଅଧିବେଶନ କରି ଭାଷା ଆଇନ ନ ମାନିଲେ “ବିହିତ ଦଣ୍ଡବିଧାନ” ପାଇଁ ପ୍ରସ୍ତାବ ହେଲା ଓ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଆ ଭାଷାର ସବୁଠୁ ବଡ଼ ସମର୍ଥକ ଭାବେ ପ୍ରଚାର କରାଗଲା । ଏ ଚାଲ ଉପରେ ଗଭୀର ଆଲୋକପାତ କରି ମୁଁ ଏହା ବିରୁଦ୍ଧରେ ଗଣମାଧ୍ୟମରେ ଲେଖିଲି । ଫଳରେ ୧୪.୩.୨୦୧୮ ତାରିଖରେ ରାଜ୍ୟ ମନ୍ତ୍ରୀମଣ୍ଡଳ ଆଉ ଥରେ ବସି ଏକ ନୂଆ ପ୍ରସ୍ତାବ କଲେ, ଯହିଁରେ ୨୬.୧୨.୨୦୧୭ ତାରିଖ ପ୍ରସ୍ତାବଟିକୁ ଲୋପ କରି ନୂଆ ପ୍ରସ୍ତାବର ଵିଜ୍ଞପ୍ତି ପ୍ରକାଶ ପାଇଲା । ଅଥଚ ଅତି ଅବୈଧ ଭାବେ , ମନ୍ତ୍ରୀମଣ୍ଡଳ ଅଜଣାରେ ୧୪.୩.୨୦୧୮ ତାରିଖ ପ୍ରସ୍ତାବଟିକୁ ମୁଖ୍ୟମନ୍ତ୍ରୀ କବର ଦେଇଦେଲେ ଏବଂ ୨୬.୧୨.୨୦୧୭ ତାରିଖର ଓଡ଼ିଆ ଦ୍ରୋହୀ ପ୍ରସ୍ତାବ ଉପରେ ଆଇନଟିକୁ ସଂଶୋଧିତ କରି ୪-କ ନାମକ ଏପରି ଏକ ଧାରା ଖଞ୍ଜିଲେ, ଯାହା ମୂଳ ଭାଷା ଆଇନଟିକୁ ନଷ୍ଟ କରି ଓଡ଼ିଆ ଜାତିର ଭାଷା ଅଧିକାରକୁ ଉଜାଡ଼ି ଦେଇଛି ।

ମୁଁ ଯେତେବେଳେ ଏହାକୁ ଘୋର ବିରୋଧ କଲି ଓ ଏହାର ବିଲୋପନ ଦାବି କଲି ଓ ବିଧାନସଭାକୁ ଭୁଲ ତଥ୍ୟ ଦେଇ ଓଡିଶା ସରକାରୀ ଭାଷା ଆଇନକୁ ଅକାମି କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ବାଚସ୍ପତି ନିଜ ଆଡୁ ସ୍ବାଧୀକାର ଭଙ୍ଗ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କଲି, ସେତେବେଳେ ଭାଷା ଆନ୍ଦୋଳନକୁ ଭାଙ୍ଗିଦେବା ପାଇଁ ସରକାର ଷଡ଼ଯନ୍ତ୍ର ଚଳାଇଲେ । ମୋତେ ସହଯୋଗ କରିଆସିଥିବା ଦୁଇଜଣ ମୁଖ୍ୟ ସାଥୀ ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥାଙ୍କୁ କୌଣସି ଅଜଣା ଥୋପ ଗିଳାଇ ଭାଷା ଆନ୍ଦୋଳନକୁ ମାରିଦେବା ପାଇଁ ପୋଷା ମନାଇ ନେଲେ ଅର୍ଥମନ୍ତ୍ରୀ ଓ ସେମାନେ ତାଙ୍କ ନାମ ବ୍ୟବହାର କରି କଳାପତାକା ଅଭିଯାନ ସ୍ଥଗିତ ରହିଲା ବୋଲି ଘୋଷଣା କଲେ ଓ ମୋର ନୈତିକବଳ ଭାଙ୍ଗି ଦେବା ପାଇଁ ସାମାଜିକ ଗଣମାଧ୍ୟମରେ ମୋ ଉପରେ ସେହି ମୁହୂର୍ତ୍ତରୁ ଯାବତୀୟ ଅଶ୍ଳୀଳ ଶବ୍ଦ ବାଣ ବର୍ଷିଲେ ।

ଯେହେତୁ ସେମାନେ ଅର୍ଥମନ୍ତ୍ରୀଙ୍କ ନାମ ବ୍ୟବହାର କରି ଗଣମାଧ୍ୟମରେ ବିବୃତ୍ତି ଦେଇଥିଲେ , ଅଥଚ ଅର୍ଥମନ୍ତ୍ରୀଙ୍କ ଦପ୍ତରରୁ କୌଣସି ବିବୃତ୍ତି ଆସିନଥିଲା, ସେହେତୁ ସତ୍ୟ ଜାଣିବା ପାଇଁ ଅଗଷ୍ଟ ୨୬,୨୦୧୮ ତାରିଖ ସକାଳ ୮ଟା ୭ ମିନିଟରେ ଅର୍ଥମନ୍ତ୍ରୀଙ୍କୁ ତାଙ୍କ ସରକାରୀ ଇ-ମେଲ ଠିକଣାରେ ଏହି ଉଭୟଙ୍କ ପ୍ରେସ ଵିଜ୍ଞପ୍ତିର ନକଲ ସହ ନିମ୍ନ ଲିଖିତ ପତ୍ର ପଠାଇ ତାଙ୍କଠାରୁ ସ୍ପଷ୍ଟୀକରଣ ଚାହିଁଥିଲି, ଯେହେତୁ ତାଙ୍କପରି ଜଣେ ମନ୍ତ୍ରୀ ଦଲାଲ ଲଗାଇ ଭାଷା ଆନ୍ଦୋଳନକୁ ଭାଙ୍ଗିବା ପରି ଅପରାଧରେ ଜଡ଼ିତ ହେବା ମୁଁ ବିଶ୍ଵାସ କରିପାରୁନଥିଲି । ଏହି ପତ୍ରରେ ମୁଁ ତାଙ୍କୁ କହିଥିଲି, ସେ ଯାହା ଉତ୍ତର ଦେବେ ତାହା ମୁଁ ଓଡ଼ିଶାବାସୀଙ୍କ ସମ୍ମୁଖରେ ରଖିବି ଓ ଯଦି କୌଣସି ଉତ୍ତର ନ ଦିଅନ୍ତି ତାହା ବି ମୁଁ ଓଡ଼ିଶାବାସୀଙ୍କ ସମ୍ମୁଖରେ ରଖିବି । ସେ କୌଣସି ଉତ୍ତର ଦେଇନାହାନ୍ତି । ତେଣୁ ମୁଁ ଆଜି ଏହି ପ୍ରତିବେଦନ ରଖୁଛି ଯହିଁରେ ସଂଯୁକ୍ତ ରହିଛି ମୁଁ ତାଙ୍କୁ ଦେଇଥିବା ପତ୍ରଟି । ଓଡ଼ିଶାବାସୀଏହା ଜାଣିବା ଓ ଅନୁଧ୍ୟାନ କରିବା ଆବଶ୍ୟକ ।

ମାନ୍ୟବର ଅବକାରୀ ଓ ଅର୍ଥ ମନ୍ତ୍ରୀ ଶ୍ରୀ ଶଶୀ ଭୂଷଣ ବେହେରା ,
ଓଡ଼ିଆ ଭାଷାରେ ଓଡ଼ିଶାର ଶାସନ ପାଇଁ ମୁଁ ପ୍ରତିଷ୍ଠା କରିଥିବା ଭାଷା ଆନ୍ଦୋଳନ ଓ କଳାପତାକା ଅଭିଯାନ ସମ୍ପର୍କରେ ଆପଣ ବ୍ୟକ୍ତିଗତ ଭାବେ ଅବଗତ ଓ ଟେଲିଭିଜନ ଚାନେଲମାନଙ୍କରେ ଏକାଧିକବାର ଆଲୋଚନା କରି ଏହାକୁ ଆପଣଙ୍କ ନୈତିକ ସମର୍ଥନ ବି ଦେଇଛନ୍ତି । ଏହି ଅଭିଯାନକୁ ପ୍ରତିଦିନ ଚାରିଜଣ ସାଥୀଙ୍କୁ କଳାପତାକା ଧରିବା ପାଇଁ ଡାକିବା ଦାୟିତ୍ବରେ ଥିବା ଦୁଇଜଣ ବ୍ୟକ୍ତି – ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥା – ଯେଉଁମାନେ ଭାଷା ଆନ୍ଦୋଳନର ଯଥାକ୍ରମେ ସଭାପତି ଓ ଆବାହକ ଭାବେ ପରିଚିତ , ଗତ ୧୬. ୭. ୨୦୧୮ ତାରିଖ ସନ୍ଧ୍ୟାରେ ଏକ ପ୍ରେସ ବିବୃତ୍ତି ଜାରି କରି ଭାଷା ଆଂଦୋଳନର ନିଷ୍ପତ୍ତି କ୍ରମେ କଳାପତାକା ଅଭିଯାନ ସେହିଦିନଠାରୁ ସ୍ଥଗିତ ରହିଲା ବୋଲି ଘୋଷଣା କଲେ । ସେମାନଙ୍କ ସେହି ଆଚରଣ ଅନଧିକୃତ ଥିବା ହେତୁ ଓଡ଼ିଆ ଜାତି ତାହାକୁ ପ୍ରତ୍ୟାଖ୍ୟାନ କଲା ଓ କଳାପତାକା ଅଭିଯାନ ଘୋଷିତ କାର୍ଯ୍ୟସୂଚୀ ଅନୁସାରେ ଯଥାରୀତି ଚାଲିଛି । ଯେଉଁ ପର୍ଯ୍ୟନ୍ତ ସରକାରୀ ଭାଷା ଆଇନକୁ ଆଇନତଃ ନ ହେଲେ ବି କାର୍ଯ୍ୟତଃ ନିର୍ଜୀଵ କରିଦେବାକୁ ହୋଇଥିବା ସରକାରୀ ଷଡଯନ୍ତ୍ର ପ୍ରତ୍ୟାହୃତ ନ ହୋଇଛି ଓ ଏକ ନିର୍ଭୁଲ ସଂଶୋଧନ ଦ୍ଵାରା ତାକୁ ସଶକ୍ତିକୃତ କରା ନ ଯାଇଛି ସେ ପର୍ଯ୍ୟନ୍ତ ଏହା ଚାଲିବ । ମାତ୍ର ଉପରୋକ୍ତ ଦୁଇଜଣ ବ୍ୟକ୍ତି ଏହାକୁ ସ୍ଥଗିତ ରଖିବା ପାଇଁ ଯେହେତୁ ଆପଣଙ୍କ ନାମ ବ୍ୟବହାର କରିଥିଲେ , ଅଥଚ ଗତ କ୍ୟାବିନେଟ ବୈଠକରେ ଆପଣ ସେମାନଙ୍କୁ ଦେଇଥିବା ପ୍ରତିଶ୍ରୁତିର କୌଣସି ଝଲକ ବି ତହିଁରେ ଦେଖିହେଲାନାହିଁ, ସେ ହେତୁ ଆପଣଙ୍କ ନାମ ସେମାନେ ଅଧିକୃତ ଭାବେ ବ୍ୟବହାର କରିଥିଲେ କି ଅନଧିକୃତ ଭାବେ ତାହା ଜାଣିବା ପାଇଁ ସେମାନେ ଜାରିକରିଥିବା ପ୍ରେସ ବିବୃତ୍ତିର ନକଲ ମୁଁ ଏଥି ସହ ସଂଯୁକ୍ତ କଲି । ମୁଁ ଆଶା କରୁଛି ଆପଣ ଏହା ଅନୁଧ୍ୟାନ କରିବେ ଓ ନିଜ ଭୂମିକା ସ୍ପଷ୍ଟ କରି ମୋତେ ଆପଣଙ୍କ ଉତ୍ତର ଦେବେ । ଆପଣ ଯେଉଁ ଉତ୍ତର ଦେବେ ତାହା ମୁଁ ଓଡ଼ିଶାର ଜନସାଧାରଣଙ୍କ ସମ୍ମୁଖରେ ରଖିବି ଓ ଯଦି କୌଣସି ଉତ୍ତର ନ ଦିଅନ୍ତି ତାହା ବି ମୁଁ ଜନସାଧାରଣଙ୍କୁ ଜଣାଇବି । କାରଣ ପରୋକ୍ଷରେ ପବିତ୍ର ମହାରଥା ଏପରି ଏକ ଧାରଣା ସୃଷ୍ଟି କରିଛନ୍ତି ଯହିଁରୁ ଜଣା ପଡୁଛି ସତେ ଯେମିତି କଳାପତାକା ଅଭିଯାନ ବନ୍ଦ କରିବା ପାଇଁ ମୋଟା ଧରଣର ଆର୍ଥିକ ପ୍ରଲୋଭନ ଦ୍ଵାରା ତାଙ୍କୁ ପ୍ରଲୋଭିତ କରାଯାଇଥିଲା । ଏହା ଏକ ଅତ୍ୟନ୍ତ ଦୁଃଖଦାୟକ ବିଭାବନା । ଆମ ରାଜ୍ୟର କୌଣସି ମାନ୍ୟବର ମନ୍ତ୍ରୀ ଏପରି ଏକ ବିଭାବନାର ନାଭିକେନ୍ଦ୍ରରେ ସଂସ୍ଥିତ ହେବା – ତାଙ୍କ ଜ୍ଞାତସାରରେ ହେଉ ବା ଅଜ୍ଞାତରେ – ଆଦୌ କାମ୍ୟ ନୁହେଁ । ତେଣୁ, ମୋର ଅନୁରୋଧ, ଏଥି ସହ ସଂଯୁକ୍ତ ପ୍ରେସ ବିବୃତ୍ତିଟି ଅନୁଧ୍ୟାନ କରିବେ ଓ ଦୟାକରି ସ୍ପଷ୍ଟ କରିବେ କି,
(୧ ) ଏଥିରେ କୁହାହୋଇଥିବା ପରି ପ୍ରତିଶ୍ରୁତି ଆପଣ ଦେଇଥିଲେ କି ?
(୨) ଏପରି ପ୍ରତିଶ୍ରୁତି ଦେବାକୁ ଆପଣଙ୍କୁ ସମ୍ପୃକ୍ତ ଆଇନର ଦାୟିତ୍ବରେ ଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ କି ?
(୩) ଯଦି ଦେଇଥିଲେ, ଗତ କ୍ୟାବିନେଟ୍ ବୈଠକରେ ତାହା ପ୍ରସ୍ତାବିତ ନ ହେବାର କାରଣ କଣ ?
ଇତି ,
ଆପଣଙ୍କର
ସୁଭାଷ ଚନ୍ଦ୍ର ପଟ୍ଟନାୟକ ,
ଅଧ୍ୟକ୍ଷ , ଭାଷା ଆନ୍ଦୋଳନ , ଓଡ଼ିଶା

ଅତ୍ୟନ୍ତ ଦୁଃଖର କଥା, ମାନ୍ୟବର ଅର୍ଥମନ୍ତ୍ରୀ ଏବେ ବି ଅପରାଧୀ ପରି ନିରବ !

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.