ବିଶେଷ ସମ୍ବାଦଦାତା

ଓଡ଼ିଆ ଭାଷାକୁ ଅକାମି କରି ରଖିବା ପାଇଁ ସରକାର ଚଳାଇଥିବା ସବୁ ଷଡଯନ୍ତ୍ର ପଣ୍ଡ ହେବାରେ ଲାଗିଛି ।

ବୁଦ୍ଧିର ଲଢ଼େଇରେ ନ ପାରିବା ଫଳରେ ଭାଷା ଆନ୍ଦୋଳନର କିଛି ଅସାଧୁ ବ୍ୟକ୍ତିଙ୍କୁ ସୁପାରୀ କିଲର ପରି ବ୍ୟବହାର କରି ଜୁଲାଇ ୧୬ରୁ ପୁନଃ ଆରମ୍ଭ ହେବାକୁ ଥିବା କଳାପତାକା ଅଭିଯାନକୁ ନିସ୍ପନ୍ଦ କରାଇ ଦେବାକୁ ଚକ୍ରାନ୍ତ କରିଥିଲେ ସରକାର । କଳାପତାକା ଅଭିଯାନ ପଦ୍ଧତ୍ତିର ସ୍ରଷ୍ଟା ସୁଭାଷ ଚନ୍ଦ୍ର ପଟ୍ଟନାୟକ ତହିଁର ପ୍ରୟୋଗ ପାଇଁ ସାଙ୍ଗଠନିକ ମଂଚ ଭାବେ ଭାଷା ଆନ୍ଦୋଳନ ପ୍ରତିଷ୍ଠା କଲାବେଳେ, ପ୍ରତିଦିନ କଳାପତାକା ଧରିବା ପାଇଁ ସାଥୀ ଯୋଗାଇବା ଦାୟିତ୍ବ ନେଇଥିଲେ ପ୍ରଦ୍ୟୁମ୍ନ ଶତପଥୀ ଓ ପ୍ରତିଦିନର ବିବରଣୀ ଗଣମାଧ୍ୟମକୁ ପଠାଇବା ଥିଲା ପବିତ୍ର ମହାରଥାଙ୍କ କାମ , ଯାହାକୁ କି ସେମାନେ ତୁଲାଉଥିଲେ । ସୁତରାଂ ଶ୍ରୀ ପଟ୍ଟନାୟକ ଆନ୍ଦୋଳନ ସପକ୍ଷରେ ସାହିତ୍ୟ ସୃଷ୍ଟିକରିବା ଓ ସରକାରୀ କଳକୁ ସାମ୍ନା କରିବା କାର୍ଯ୍ୟ ସଫଳତାର ସହ କରିପାରୁଥିଲେ ।

ରାଜ୍ୟ ମନ୍ତ୍ରୀମଣ୍ଡଳ ବାଧ୍ୟ ହୋଇ ଆଇନ ସଂଶୋଧନ କରିବାକୁ ନିଷ୍ପତ୍ତି ନେଲାପରେ, ଭ୍ରମାତ୍ମକ ଭାବେ ସଂଶୋଧନ ଚିଠା ତିଆରିକରି ରାଜ୍ୟର ଇଂରାଜୀମନସ୍କ ଅମଲାତନ୍ତ୍ର ମୁଖ୍ୟମନ୍ତ୍ରୀ/ମନ୍ତ୍ରୀଙ୍କୁ ଉପଯୋଗ କରି ବିଧାନସଭାର ଗତ ଅଧିବେଶନରେ ଏପରି ସଂଶୋଧନ ଘଟାଇଲେ ଯେ, ତଦ୍ଦ୍ଵାରା ମୂଳ ଆଇନଟି ଲକ୍ଷ୍ୟଭ୍ରଷ୍ଟ ହୋଇ ଓଡ଼ିଆ ଭାଷା ଅଧିକ ବିପଦାପନ୍ନ ହେବା ସୁନିଶ୍ଚିତ ବୋଲି ଆଶଙ୍କା ଉପୁଜିଲା । ତେଣୁ ସେହି ସଂଶୋଧନକୁ ପ୍ରତ୍ୟାଖ୍ୟାନ କରି ବିଧାନସଭାକୁ ଫେରାଇ ଦେବାପାଇଁ ଶ୍ରୀ ପଟ୍ଟନାୟକ ରାଜ୍ୟପାଳଙ୍କୁ ଅନୁରୋଧ କଲେ ଓ ତାହା ଫଳବତୀ ନ ହେବାରୁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ସଂଵୋଧନଟି କାହିଁକି ଓଡ଼ିଆ ଭାଷା ପାଇଁ ଅଧିକ କ୍ଷତିକାରକ ତାହା ଜଣାଇଲେ ଏବଂ ତାହାର ବିଲୋପନ ପାଇଁ ପଦକ୍ଷେପ ନେବା ସଂଗେ ସଂଗେ ସାନି ସଂଶୋଧନ ଦ୍ଵାରା ଆଇନଟିକୁ ସମ୍ପୂର୍ଣ ତ୍ରୁଟିଶୂନ୍ୟ କରିବାକୁ ଅନୁରୋଧ କଲେ । ବସ୍ତୁତଃ, ସେହି ଆପତ୍ତିଜନକ ସଂଶୋଧନ ସମ୍ପୂର୍ଣ୍ଣତଃ ବିଲୋପନ କରା ନଗଲେ, ମୂଳ ଭାଷା ଆଇନଟି କେବେ ବି ତହିଁର ଉଦ୍ଦେଶ୍ୟ ଅନୁରୂପ କାର୍ଯ୍ୟକାରୀ ହେବ ନାହିଁ – ଏହା ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଲେ । ସରକାର ଅଡୁଆରେ ପଡିଗଲେ । ସୁତରାଂ ଭାଷା ଆନ୍ଦୋଳନକୁ ଅକାମି କରାଇଦେବାପାଇଁ ଆତତାୟୀ ଖୋଜା ଚାଲିଲା ଓ ସରକାର ଉପରୋକ୍ତ ଦୁଇ ବ୍ୟକ୍ତିଙ୍କୁ କରାୟତ କରିନେଲେ । ସରକାର ଭାବିଥିଲେ ଯେ, ଉପରୋକ୍ତ ଦୁଇ ବ୍ୟକ୍ତି ଯେହେତୁ ପ୍ରତ୍ୟହ ଲୋକ ଯୋଗାଣ ଓ ସମ୍ବାଦ ସମ୍ପ୍ରସାରଣ କରୁଥିବା ହେତୁ କଳାପତାକା ଅଭିଯାନ ଚାଲିଥିଲା,ସେମାନଙ୍କୁ ଆୟତ୍ତକୁ ନେଇଗଲେ କଳାପତାକା ଅଭିଯାନ ଅପା ଆପେ ବନ୍ଦ ହୋଇଯିବ । ତାହା ହେଲା ନାହିଁ ।

ଏହି ବିଶ୍ଵାସଘାତକତା ପରେ କିଛି ସମୟର ଦୁଃଖ-ଝଡ଼ରେ ଝାଉଁଳି ପଡିଥିବା ଓଡ଼ିଆ ଜାତି ଜୁଲାଇ ୧୭ ତାରିଖ ସକାଳେ ନବବିକ୍ରମରେ ଜାଗିଉଠିଲା । ଜୁଲାଇ ୧୭ରେ କଳାପତାକା ଅଭିଯାନର ପୂର୍ବ ନିର୍ଦ୍ଧାରିତ ସମୟ ନିର୍ଘଣ୍ଟ
ଅନୁସାରେ ପହଁଚିଲେ ବୈଜ୍ଞାନିକ ଡକ୍ଟର ଅଶୋକ ମିଶ୍ର ଏବଂ ସେ ହିଁ ସୁଭାଷ ବାବୁଙ୍କ ସହ ଚାଲି ସେହି ଘୋର ସଂକଟଜନକ ସ୍ଥିତିରେ ବଞ୍ଚାଇ ରଖିଲେ ଅଭିଯାନକୁ । ତହିଁ ପରେ ପରେ ଆସିଲେ କୁମାରୀ ସଂଘମିତ୍ରା ଜେନା, ଆସିଲେ ଛତ୍ରପୁରରୁ ଭାଷାଜନନୀର ପରମ ଅନୁଗତ ସୌମ୍ୟରଞ୍ଜନ ନାୟକ ଓ ସାଗର କୁମାର ବେହେରା, ଆସିଲେ ବେସାଲିସ କ୍ରାନ୍ତିକାରୀ ବିନୟ ପାଣିଗ୍ରାହୀ, ଆନନ୍ଦ ମହାପାତ୍ର ଏବଂ ଆସିଲେ “ଭାଷା ମା ପାଇଁ ଘଣ୍ଟାଟିଏ” ମନ୍ତ୍ର ଦେଇ ଅତୀତରେ ଭାଷା ଆନ୍ଦୋଳନ ସହ ଶିକ୍ଷିତ ଯୁବ ସମ୍ପ୍ରଦାୟକୁ ଜଡ଼ିତ କରିଥିବା ସଞ୍ଜୀବ ପତ୍ରୀ, ଭାଷା ଅସ୍ମିତା ପାଇଁ ପୋଲିସ ନିର୍ଯ୍ୟାତନା ଭୋଗିଥିବା ପ୍ରମୋଦ ଦେବ ପ୍ରମୁଖ । ଭାଷା ମାଆର ଘୋର ବିପତ୍ତି ବେଳାରେ ତାର ଉପରୋକ୍ତ ସନ୍ତାନମାନେ ଯେଉଁ ସଂହତି ପ୍ରଦର୍ଶନ କଲେ, ବିଶେଷତଃ ସଂଘମିତ୍ରା, ସୌମ୍ୟ ଓ ସାଗର ଯେପରି ନିଜର ସମସ୍ତ ଜଞ୍ଜାଳ ଭୁଲି, ଏପରିକି ଘରଦ୍ଵାର ଭୁଲି ଭୟଙ୍କର ବର୍ଷାରେ ଭିଜି ଅଭିଯାନଟିକୁ ଆତତାୟୀମାନଙ୍କ କବଳରୁ ରକ୍ଷା କଲେ, ତାହା ସାବ୍ୟସ୍ତ କରିଦେଲା ଯେ, ଓଡ଼ିଆ ଜାତି ତା ଭାଷାଜନନୀକୁ ରକ୍ଷା କରିବାକୁ ଯେ କୌଣସି ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମ କରିଯିବ ।

ଉଷା ଉଦୟ ହେଲେ ଦିନ ଯେମିତି ଦୁରେଇ ରହି ପାରେନି, ସେମିତି ଉପରୋକ୍ତ ଦୁଇ ଆତତାୟୀଙ୍କ ହେତୁ ପ୍ରାୟ ସପ୍ତାହେ କାଳ ଝାଇଁମରା ହୋଇଯାଇଥିବା ଅଭିଯାନ ପୂର୍ଣ୍ଣ ଶକ୍ତିଶାଳୀ ହୋଇଉଠିଲା ସଂଜୀବ ପତ୍ରୀ , ପ୍ରମୋଦ ଦେବ ପ୍ରମୁଖ ଏହି ଅଭିଯାନକୁ ଫେରିଆସିବା ପରେ ।

ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓଡ଼ିଆଭାଷାପ୍ରାଣମାନେ ଧାଇଁଆସିଲେ କଳାପତାକା ଧରିବା ପାଇଁ । ଭାଷା ତପସ୍ବୀ ଗଜାନନ ମିଶ୍ର, ଭବାନୀଶଙ୍କର ପରିଜା, କମଳ ଲୋଚନ ନାୟକ , ମାନସ ପଟ୍ଟନାୟକ, ସୁଭାଷ ଚନ୍ଦ୍ର ପ୍ରଧାନ, ଅମିତ ଅଭିଜିତ ସାମଲ, ପ୍ରଫେସର ଡକ୍ଟର କୁଳମଣି ନାୟକ, ମନୋଜ କୁମାର ପଣ୍ଡା, ବୀର କିଶୋରେ ବେହେରା , ଶିଶିର କୁମାର ସାହୁ, ଅବକାଶ ସାହୁ , ରାଜନାରାୟଣ ଡ଼ାଳୁଆ, ତ୍ରିଲୋଚନ ବାରିକ, ସୁଭାଷ ଚନ୍ଦ୍ର ସାହୁ,ସୁଜିତ କୁମାର ନାୟକ , କୃପାସିନ୍ଧୁ ଦାଶ,ରାକେଶ କୁମାର ଚାନ୍ଦ , ପ୍ରମୋଦ ପଢ଼ିଆରୀ, ଜିତେନ୍ଦ୍ର ସାସମଲ , ସତ୍ୟନାରାୟଣ ମଲ୍ଲିକ, ଜ୍ୟୋତ୍ସ୍ନାରାଣୀ ପ୍ରଧାନ , ରା଼ଞ୍ଜୁଲତା ମହାପାତ୍ର, ନିରାକାର ସାହୁ , ଅଶୋକ ମହାନ୍ତି, ଗୋପୀନାଥ କିଷାନ , ଜ୍ୟୋତିପ୍ରକାଶ ମହାନ୍ତି, ତପନ କୁମାର ସେଠି , ପ୍ରଭାତ କୁମାର ବେହେରା, ଗଣେଶ ଚନ୍ଦ୍ର ପରିଡା , ସ୍ପନ୍ଦନ ଜ୍ଞାନଜିତ, ନରେଶ କୁମାର ମହାନ୍ତି , ଦିଲ୍ଲୀପ କୁମାର ସାମନ୍ତରାୟ, ଅଭିଷେକ ଦାଶ , ଦିବ୍ୟଜ୍ୟୋତି ଜେନା, ଆଶିଷ କୁମାର ଦାଶ , ତପନ ପାଢ଼ୀ, ପ୍ରଦୀପ ପ୍ରଧାନ , ପ୍ରସନ କୁମାର ପ୍ରଧାନ,ପ୍ରମୋଦ ରାଉତ, ଦେବାଶିଷ ଶତପଥୀ, ବୀରେନ୍ଦ୍ର ଚୌହାନ, ନିକୁଞ୍ଜ ବିହାରୀ ପଣ୍ଡା , ସଞ୍ଜୟ ସାହୁ, ଦୀପକ କୁମାର ସାହୁ, ଅଜୟ କୁମାର ଜେନା, ହରେକୃଷ୍ଣ ପଟ୍ଟନାୟକ, ସୁଜିତ କୁମାର ନାୟକ, ମାନସ ବିଶୋଇ, ସଂଗ୍ରାମ କେଶରୀ ବେହେରା,କେଦାରନାଥ ସାହୁ, ସରୋଜ ମହାପତ୍ର, ତପନ ମହାନ୍ତି, ନରେନ୍ଦ୍ର କୁମାର ବେହେରା, ନରେନ୍ଦ୍ର କୁମାର ସେଠି, ସୁବାସ ଚନ୍ଦ୍ର ହୋତା, ରିଂକନ ନାରାୟଣ,ଧ୍ରୁବ ଚରଣ ମହାନ୍ତି, ପ୍ରଦ୍ୟୋତ କୁମାର ବିଶୋଇ , ବିଜୟ ମଲ୍ଲିକ, ମାନସୀ ବିଶ୍ବାଳ, ରାଜଲକ୍ଷ୍ମୀ ନାୟକ, ନନ୍ଦିନୀ ଶତପଥୀ,କବିତା ସାମନ୍ତରାୟ , ଲଲାଟ ଚନ୍ଦ୍ର ପତ୍ର, ପ୍ରିତୀଶ କୁମାର ବଳିୟାରସିଂହ , ପ୍ରଶ୍ନଜିତ ରାୟ, ଅମୁଲ୍ୟ ଦାଶ , ସନ୍ଦୀପ ମହାନ୍ତି, ଶ୍ରୀନୁ ନାୟକ ପ୍ରମୁଖ । ରାଜେନ୍ଦ୍ର ବିଶ୍ବାଳଙ୍କ ନେତୃତ୍ବରେ ବ୍ୟାସନଗରରେ ଯେମିତି କଳାପତାକା ଚାଲିଲା, ଅଶୋକ ପରିଡାଙ୍କ ନେତୃତ୍ବରେ ସେମିତି ଫୁଲବାଣୀରେ । ସରକାର ଚମକିଲେ ।

ଅଗଷ୍ଟ ୧୭ରେ କୁଳଗୌରବ ମଧୁସୂଦନଙ୍କ ଏନ୍ତୁଡ଼ିଶାଳ ଘରୁ ସତ୍ୟଭାମାପୁରର ଛାତ୍ରଛାତ୍ରୀମାନେ “ଆମ ଭାଷା ମାଆକୁ ଆତତାୟୀମାନଙ୍କ କବଳରୁ ରକ୍ଷାକର” ବୋଲି କହି, କଳାପତାକା ଧରାଇଦେଲେ କେନ୍ଦ୍ରାପଡ଼ା ଜିଲ୍ଲାର ରଞ୍ଜନ କୁମାର ଦାସ, ଓ କଟକ ଜିଲ୍ଲାର ଜିତେନ୍ଦ୍ର କୁମାର ସାହୁଙ୍କ ନେତୃତ୍ବରେ ଆସୁଥିବା ଓଡ଼ିଆ ଭାଷା ଜନନୀଙ୍କ ବିଜୟ ବାହିନୀକୁ ଯେଉଁମାନଙ୍କ ଭିତରେ ଥିଲେ ଉପରୋକ୍ତ ଦୁଇ ସୁଯୋଗ୍ୟ ଓଡ଼ିଆଙ୍କ ସମେତ ଆଲୟ ସାମନ୍ତରାୟ,ନରେଶ ବେଉରା, ଆଶିଷ କୁମାର ଖଟୁଆ, ସୂର୍ଯ୍ୟ ପ୍ରକାଶ ପାଣି, ଓ ପ୍ରତାପ ମହାନ୍ତି । ଦୀର୍ଘ ୮୭ କିଲୋମିଟର ବାଟ ପାଦରେ ଚାଲି ଚାଲି ସମଗ୍ର ଅଂଚଳରେ ଭାଷା ଜନନୀଙ୍କ ବିପତ୍ତି ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରାଇ ଏହି ବିଜୟବାହିନୀ ଯେତେବେଳେ ରାଜଧାନୀ ଭୁବନେଶ୍ୱରରେ ପହଁଚିଲା ସାରା ସହର ଚେଇଁ ଉଠିଲା ନିଦରୁ ତାର ମା ପାଇଁ । ନାହିଁନଥିବା ଉନ୍ମାଦନା ଖେଳିଗଲା ଭାଷା ମା ପାଇଁ ପ୍ରତିବଦ୍ଧତାର ତାଳେ ତାଳେ । କଳାପତାକା ଅଭିଯାନରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ସୌମ୍ୟ ରଞ୍ଜନ ନାୟକ ସାମାଜିକ ଗଣମାଧ୍ୟମ Facebookରେ ତହିଁର ସିଧାପ୍ରସାରଣ କରି ଛନକା ଭରିଦେଲେ ସରକାରଙ୍କ ଛାତିରେ । ସାଧାରଣ ମଣିଷର ବୌଦ୍ଧିକସ୍ଵର ଭାବେ ସୁବିଦିତ ସତୀଶ ମିଶ୍ର ପ୍ରତିଜ୍ଞା ଟିଭିର ଛାଇ ଶୀର୍ଷକରେ ତାକୁ ଜନର୍ପିତ କଲେ ।

ସରକାର ଏତେ ଅତର୍ଛି ଗଲେ ଯେ, ଲୋକଙ୍କୁ ତୁରନ୍ତ ଆଶ୍ଵାସନା ଦେବାପାଇଁ ଏହି ଝଟକାର ସପ୍ତାହେ ନ ପୂରୁଣୁ ଅଗଷ୍ଟ ୨୧ ତାରିଖରେ ଏକ ଉଚ୍ଚସ୍ତରୀୟ କମିଟି ବସାଇ ୧୫ ଦିନ ଭିତରେ ସମସ୍ତ ବ୍ୟବସାୟୀ ପ୍ରତିଷ୍ଠାନ ଓଡ଼ିଆରେ ନାମଫଳକ ଲେଖିବାକୁ , ତା ନ ହେଲେ ଦଣ୍ଡବିଧାନର ସମ୍ମୁଖୀନ ହେବାକୁ ନିର୍ଦ୍ଦେଶ ଦେଲେ । କଳାପତାକାର ତେଜ କବଳରୁ ନିସ୍ତାର ପାଇବା ପାଇଁ ଏହା ତତ୍କାଳ କେବଳ ଏକ ପ୍ରହସନ ଥିଲା ।

ତେଣୁ ଏଥିରେ ବିଭ୍ରାନ୍ତ ନ ହୋଇ , ନିଜ ମାତୃଭାଷା ପାଇଁ ପ୍ରତିବଦ୍ଧ ଓଡ଼ିଆ ଭାଇଭଉଣୀମାନେ ଏ ଅଭିଯାନକୁ ତେଜୀୟାନ କରିଚାଲିଲେ ।

ସେପ୍ଟେମ୍ବର ୫ ଥିଲା ଗୁରୁଦିବସ । ସେଦିନ ଖୋର୍ଦ୍ଧାରୁ କଳାପତାକା ଧରି ମାତୃଭାଷାର ବିଜୟବାହିନୀର ବିଶିଷ୍ଟ ସଦସ୍ୟ ଜୟପ୍ରକାଶ ମହାପାତ୍ର,ସରୋଜ କୁମାର ପାଲଟା ସିଂହ , ଡକ୍ଟର ଅରବିନ୍ଦ ନାୟକ, ପ୍ରଭାତ କୁମାର ବେହେରା,ମାଧବାନନ୍ଦ ଭୋଇ, ନରେନ୍ଦ୍ର କୁମାର ସାହୁ , ନିରାକାର ସାହୁ ,ପ୍ରଶ୍ନଜିତ ରାୟ ପ୍ରମୁଖ ଭାଷା ଆନ୍ଦୋଳନର ରାଜ୍ୟ ଉପସଭାପତି କମଳ ଲୋଚନ ନାୟକ ଓ ଜିଲ୍ଲା ସଭାପତି ବିଭୁଦେନ୍ଦ୍ର ବିଦ୍ୟାଧରଙ୍କ ନେତୃତ୍ବରେ କଳାପତାକା ଓ ଦାବିଫଳକ ସହ ଭୀଷଣ ବର୍ଷାକୁ ବେଖାତିର କରି ଚାଲିଚାଲି ଭୁବନେଶ୍ୱର ଆସି ନିଜ ଭାଷା ଜନନୀ ପାଇଁ ଓଡ଼ିଆ ଜାତି କିପରି ଜାଗିଉଠିଲାଣି ତାହାର ଏକ ଝଲକ ଦେଲେ ଯେଉଁଥିରେ ଝଳି ଉଠିଥିଲା ବିଭାସ ଆନ୍ଦୋଳନର ଦାବି : “ସରକାରୀ ଷଡଯନ୍ତ୍ର ବନ୍ଦ ହେଉ , ଭାଷା ଆଇନର ନିର୍ଭୁଲ ସଂଶୋଧନ ହେଉ ।”

ଏହା ସରକାରଙ୍କ ଛାତିରେ ଛନକା ଭରିଦେଇଛି । ଖୋର୍ଦ୍ଧା ବାହିନୀ ରାଜଧାନୀରେ ଭାଷା ଅସ୍ମିତାର ଵୀରତ୍ବବ୍ୟଞ୍ଜକ ସ୍ଵାକ୍ଷର ଖୋଦିତ କରିବାର ଦିନକ ପରେ ଭଉଣୀ ସଙ୍ଗୀତା କିଷାନ, ମାହେ ନିଖାତ୍, ରୀନା ବେହେରା ଓ ଉଷା ଶୁକ୍ଲା ଗତକାଲି କଳାପତାକା ଅଭିଯାନରେ ଯୋଗ ଦେବା ଓ ଭାଷା ଆନ୍ଦୋଳନର ସହସମ୍ପାଦିକା ସଂଘମିର ଜେନା ବି ସେମାନଙ୍କ ସହ ସାମିଲ ହେବ ସରକାରଙ୍କୁ ଛାନିଆ କରିଦେଇଛି ।

ଏହି ପ୍ରବଳ ଚାପର ସମ୍ମୁଖୀନ ହୋଇ, ସରକାର ଅତର୍ଚ୍ଛରେ ଭାଷା ଆଇନ ପୁନଃ ସଂଶୋଧନ ପାଇଁ ସେପ୍ଟେମ୍ବର ୭ ତାରିଖର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନେଇଛନ୍ତି ।

ଯେତିକି ବାହାରକୁ ଜଣାପଡୁଛି, କଳାପତାକା ଅଭିଯାନ ଚାପରେ ସରକାର ଆଇନ ସଂଶୋଧନ ପାଇଁ ଆପାତତଃ ପ୍ରସ୍ତୁତ । ଏଥିପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳ ଆଉ ଏକ ସୁଯୋଗ ଦେଇଛି । ଏହି ସୁଯୋଗର ସଦୁପଯୋଗ କରି ମୁଖ୍ୟମନ୍ତ୍ରୀ ଓ ତାଙ୍କ ଶାସନକଳ ମୁଖ୍ୟମନ୍ତ୍ରୀଙ୍କୁ ଭାଷା ଆନ୍ଦୋଳନର ଅଧ୍ୟକ୍ଷ ପ୍ରଦାନ କରିଥିବା ପାତ୍ରାନୁସାରେ ନିର୍ଭୁଲ ଭାବେ ଭାଷା ଆଇନଟିକୁ ଏହି ବିଧାନସଭାରେ ସଂଶୋଧନ ଓ ଆଇନଟିର ଉଦ୍ଦେଶ୍ୟ ପଣ୍ଡକରୁଥିବା ୧୯୬୩ ଓ ୨୦୧୮ର ସଂଶୋଧନଗୁଡ଼ିକର ବିଲୋପନ କରି ଓଡ଼ିଆ ଭାଷାକୁ ବିପଦମୁକ୍ତ କରିବେ ବୋଲି ଭାଷା ଆନ୍ଦୋଳନ ଆଶା କରୁଛି ।

Comments

No comments yet.

Leave a Reply

Basic HTML is allowed. Your email address will not be published.

Subscribe to this comment feed via RSS