ଭାଷା ଆନ୍ଦୋଳନ ପ୍ରତି ‘ସମ୍ପର୍କ ମିଡ଼ିଆ’ର ସୁଦୃଢ଼ ସମର୍ଥନ : ଅଧ୍ୟକ୍ଷଙ୍କୁ “କୁଳ ତିଳକ” ଉପାଧି

 

 

 

‘ସମ୍ପର୍କ ମିଡ଼ିଆ’ ପକ୍ଷରୁ ଜୟ ଦେବ ଭବନ (ସୂଚନା ଭବନ) ସମ୍ମିଳନୀ କକ୍ଷରେ ଗତ ରବିବାର ଭାଷା ଆନ୍ଦୋଳନ, ଓଡ଼ିଶାର ଅଧ୍ୟକ୍ଷ ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କୁ “କୁଳ ତିଳକ” ଉପାଧିରେ ଭୂଷିତ କରାଯାଇଛି ∣

ଏହି ଉପାଧିର ମାନପତ୍ରରେ ଲେଖା ଅଛି :

ମହାଶୟ, ଆପଣ ସାମ୍ବାଦିକତାକୁ ଜୀବନର ବ୍ରତ କରି, କଲମ ମୁନରେ ବିଂଦୁଏ ସତ୍ୟର ଠିକଣା ଅଙ୍କିବାରେ ବାରମ୍ବାର ଯେଉଁ ଦୁଃସାହାସୀକତାର ପରିଚୟ ଦେଇଛନ୍ତି, ତା’ର ପଟାନ୍ତର ନାହିଁ ∣ ସତ୍ୟ, ନ୍ୟାୟ , ସାହସ , ପରୋପକାର, ସମାଜ ସେବା ଓ ଓଡ଼ିଆ ଭାଷାର ସୁରକ୍ଷା ଦିଗରେ ଆପଣ ନିଷ୍ଠାପରତାର ସହ ଉଦ୍ୟମ କରି ଆମ ମାତୃଭାଷାକୁ ସୁରକ୍ଷା କରିବାରେ ଆମ ପାଇଁ ଯେଉଁ ସଫଳତା ଆଣି ଦେଇଛନ୍ତି , ତାହା ନିଶ୍ଚିତ ଏ ଜାତିର କପାଳରେ ଭାଗ୍ୟରେଖାଟିଏ ହୋଇରହିବ ∣ ସର୍ବ ଗୁଣର ସମାହାର , ସର୍ବ ଜ୍ଞାନର ସଂଯୋଗ , ସବୁ ପ୍ରତିଭା ସମଷ୍ଟିର ଅନନ୍ୟ ଉଦାହରଣ ଆପଣ ∣ ଆପଣ ତ୍ୟାଗପୂତ ଜୀବନ ଯାପନ ପୂର୍ବକ ମାନବ ଜାତିର ମଙ୍ଗଳ କାମନା କରିବାରେ ସାମାନ୍ୟତମ ଅବହେଳା ମଧ୍ୟ କରିନାହାନ୍ତି ∣ ଜଣେ ସୁସଂଗଠକ, ପରୋପକାରୀ, ସଂସ୍କୃତିପ୍ରେମୀ, ସମାଜସେବୀ ଓ ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନର ବିନ୍ଧାଣୀ ଭାବେ ଦୀର୍ଘଦିନ ଧରି ଅନେକ ଘାତ-ପ୍ରତିଘାତକୁ ସାମ୍ନା କରି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ସୁରକ୍ଷା କବଚଟିଏ ହୋଇ ରହିଛନ୍ତି ସୌର୍ଯ୍ୟ ,ତିତିକ୍ଷା ଓ ଆର୍ଯ୍ୟବକୁ ବ୍ରତ କରି ∣
ସାମ୍ପ୍ରତିକ ସମାଜରେ କାଳଜୟୀ ବୈପ୍ଲବିକ ପରିବର୍ତ୍ତନ ଆଣିବାର ଯେଉଁ ନିଷ୍ଠା ଏବଂ ପ୍ରତିବଦ୍ଧତା ସହିତ ଆପଣଙ୍କର ସେହି ପ୍ରଭାବମୟ ପ୍ରତିଭାର ପ୍ରତିଶ୍ରୁତି ଓ ସ୍ମରଣୀୟ ସେବା ଓ ସାଧନାକୁ ସମ୍ମାନ ଜଣାଇ ‘କୁଳ ତିଳକ’ ଉପାଧିରେ ଭୂଷିତ କରି ‘ସମ୍ପର୍କ ମିଡ଼ିଆ’ ପରିବାର ନିଜକୁ ଗୌରବାନ୍ବିତ ମନେକରୁଛି ∣”

ପ୍ରତିକ୍ରିୟାରେ ଶ୍ରୀ ପଟ୍ଟନାୟକ କହିଛନ୍ତି , “ମୋ ନିଜସ୍ଵ ନୀତି ଦୃଷ୍ଟିରୁ କୌଣସି ସମ୍ବାଦ ସଂସ୍ଥା ପ୍ରଦାନ କରୁଥିବା ସମ୍ମାନ ଓ / ବା କୌଣସି ସାମ୍ବାଦିକଙ୍କ ନାମରେ ନାମିତ ସମ୍ମାନ ଭିନ୍ନ ମୁଁ କୌଣସି ସମ୍ମାନ ଗ୍ରହଣ କରେ ନାହିଁ ∣ ତେଣୁ ଓଡ଼ିଆମାନଙ୍କ ଭିତରେ ପ୍ରଥମ କର୍ମଜୀଵୀ ସମ୍ପାଦକ ନୀଳମଣି ବିଦ୍ୟାରତ୍ନଙ୍କ ନାମରେ ନାମିତ ସମ୍ମାନକୁ ମୁଁ ସମ୍ମାନର ସହ ଗ୍ରହଣକରିଥିଲି ଓ ସାଇତି ରଖିଛି ∣ ସେହିପରି ‘ଗଡ଼ଜାତ ପରିକ୍ରମା’ ଦ୍ଵାରା ପ୍ରବର୍ତ୍ତିତ ‘ଗଡଜାତ ସମ୍ମାନ’ ମୁଁ ଗ୍ରହଣ କରିଛି ଓ ସାଇତି ରଖିଛି ∣ ଏକମାତ୍ର ବ୍ୟତିକ୍ରମ ମୋ ଜନ୍ମମାଟିର ‘ଚମ୍ପକ ଦ୍ଵାଦଶୀ ସମ୍ମାନ’କୁ ଛାଡିଦେଲେ , ଅନ୍ୟ ଯେଉଁ ସମ୍ମାନଗୁଡିକୁ ମୁଁ ଶ୍ରଦ୍ଧା ଓ ସମ୍ମାନ ସହ ଗ୍ରହଣକରି ସାଇତି ରଖିଛି , ସେ ସମସ୍ତ କେବଳ ଗଣମାଧ୍ୟମ ସମ୍ପର୍କିତ, ଯାହା ଭିତରେ ଉଲ୍ଲେଖନୀୟ ହେଲେ : ‘ଜାନକୀବଲ୍ଲଭ ସାମ୍ବାଦିକ ସମ୍ମାନ’ , ‘ସୁବାର୍ତ୍ତା ସମ୍ମାନ’ ଓ ‘ଜନତନ୍ତ୍ର ସମ୍ମାନ’ ଏବଂ ଏହି କ୍ରମରେ ‘ସମ୍ପର୍କ ମିଡିଆ’ ପ୍ରଦତ୍ତ “କୁଳ ତିଳକ” ଉପାଧି ∣”

ସେ ପୁନଶ୍ଚ କହିଛନ୍ତି , “ଏଥିର ଅଳଂକାରଗୁଡ଼ିକ ପାଇଁ ମୁଁ ପ୍ରକୃତରେ ଯୋଗ୍ୟ କି ନୁହେଁ ଜାଣେନି ∣ ମାତ୍ର ସାମ୍ବାଦିକତା ଯେ ମୋ ପାଇଁ ଏକ “ବ୍ରତ” ଏହି ମିଡ଼ିଆ ସ୍ବୀକୃତି ଏଥିରେ ପ୍ରତିଫଳିତ ହୋଇଥିବାରୁ ଓ ଆମେ ଚଳାଇଥିବା ଭାଷା ଆନ୍ଦୋଳନ ପ୍ରତି ଦୃଢ଼ ସମର୍ଥନ ଓ ସ୍ବୀକୃତି ବିଘୋଷିତ ହୋଇଥିବାରୁ ମୁଁ ‘ସମ୍ପର୍କ ମିଡ଼ିଆ’ ପରିବାରକୁ କୃତଜ୍ଞତା ଜଣାଉଛି ∣”

ଏହି ଅବସରରେ ଭାଷା ଆନ୍ଦୋଳନର ସଭାପତି , ବରିଷ୍ଠ ସାମ୍ବାଦିକ ଓ ବାଗ୍ମୀ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ଅଧ୍ୟକ୍ଷତା କରିବାକୁ ଓ ଆନ୍ଦୋଳନର ଅନ୍ୟତମ ଶ୍ରେଷ୍ଠ କଳାପତାକା ଅଭିଯାତ୍ରୀ ତଥା ପୂର୍ବତନ ମନ୍ତ୍ରୀ , ସ୍ଵାଧୀନତା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନଙ୍କୁ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ  ନିବେଦନ କରି ସଂସ୍ଥାର ଅଧ୍ୟକ୍ଷ କବି ସନ୍ତୋଷ କୁମାର ସାହୁ ଭାଷା ଆନ୍ଦୋଳନ ପ୍ରତି ସୁଦୃଢ ସମର୍ଥନ ଜ୍ଞାପନ କରିଥିଲେ ∣

ଭାଷା ଆନ୍ଦୋଳନର ଆବାହକ ପବିତ୍ର ମୋହନ ମହାରଥାଙ୍କ ସମେତ ଡ଼. ଅସିତ ଦାସ, ଡମ୍ବରୁଧର ହରଣସିଂହ, ନବକିଶୋର ପ୍ରଧାନ, ନାରାୟଣ ଖୁଣ୍ଟିଆ, ଉମାଚରଣ ମହାନ୍ତି , ମଦନମୋହନ ହରିଚନ୍ଦନ ମହାପାତ୍ର, ଦାଶରଥି ଗୁମାନସିଂହ, ଉପେନ୍ଦ୍ରନାଥ ସାମନ୍ତ ସିଂହାର, ଲକ୍ଷ୍ମଣ ଦାଶ, ଇଂ.ସୁବୋଧ ଧଳ ଚିତ୍ତରଞ୍ଜନ ମିଶ୍ର , ଇଂ.ଚକ୍ରଧର ମହାନ୍ତ, ସାରଦା ପ୍ରସାଦ ମହାପାତ୍ର, ଜାନକୀଶ ବଡ଼ପଣ୍ଡା , ପ୍ରଣବ କିଶୋର ନନ୍ଦୀ ପ୍ରମୁଖ ଏକନିଷ୍ଠ ଭାଷା-ମୁକ୍ତି-ଯୋଦ୍ଧାମାନଙ୍କୁ ନିମନ୍ତ୍ରଣ କରି ଉପସ୍ଥିତ ସର୍ଜନଶୀଳ ଓ ଶାଣୀତ କାବ୍ୟରସ ପ୍ରଦାତା ସାହିତ୍ୟସାଧକମାନଙ୍କ ସମ୍ମୁଖରେ ଭାଷା ଆନ୍ଦୋଳନର ଗାରିମା ଓ ଗୁରୁତ୍ବ ପ୍ରତି ଅର୍ପିତ ହୋଇଥିଲା ସଚେତନ ସମ୍ମାନ ∣

ଉପାଧି ଗ୍ରହଣ କରି ଶ୍ରୀ ପଟ୍ଟନାୟକ ଭାଷା ଆନ୍ଦୋଳନ ପ୍ରତି ଏହି ସାଂସ୍କୃତିକ, ସାହିତ୍ୟିକ ଓ ସାମ୍ବାଦିକୀୟ ସମର୍ଥନପାଇଁ ସମ୍ପର୍କ ମିଡ଼ିଆର ସାମାଜିକ ପ୍ରତିବଦ୍ଧତାର ଭୁୟସୀ ପ୍ରସଂଶା କରିଥିଲେ ∣

 

ବ୍ୟଙ୍ଗ ଏକ ସାହିତ୍ୟ କି ନୁହେଁ ? ସୁନିଶ୍ଚିତ ବୋଲି ସମସ୍ତଙ୍କ ମତ


‘ସମ୍ପର୍କ ମିଡ଼ିଆ’ର ‘କୁଳ ତିଳକ’ ଉପାଧି ପ୍ରଦାନ ଅବସରରେ ଜାନୁଆରୀ 7 ଦିନ ତମାମ ଶ୍ରୀ ଜୟ ଦେବଙ୍କ ନାମରେ ପୁନର୍ନାମୀତ ହୋଇଥିବା ରାଜ୍ୟ ସୂଚନା ଭବନ ସଭାକକ୍ଷରେ ‘ବ୍ୟଙ୍ଗ ଏକ ସାହିତ୍ୟ କି ନୁହେଁ?’ ପ୍ରଶ୍ନ ଉପରେ ଏକ ଗୁରୁ ଗମ୍ଭୀର ଆଲୋଚନା ହୋଇଥିଲା ∣ ସଭାପତିତ୍ଵ କରିଥିଲେ ସୁବାର୍ତ୍ତାର ସମ୍ପାଦକ ତଥା ଭାଷା ଆନ୍ଦୋଳନ ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ଶତପଥୀ ∣

ଆଲୋଚନା ଆରମ୍ଭ କରି ସମ୍ପର୍କ ମିଡ଼ିଆର ମୁଖ୍ୟ ଶ୍ରୀ ସନ୍ତୋଷ କୁମାର ସାହୁ ବ୍ୟଙ୍ଗ ସାହିତ୍ୟର ବୈଶିଷ୍ଟ୍ୟ ଉପରେ ଚର୍ଚ୍ଚା କରି ଓଡିଶା ସାହିତ୍ୟ ଏକାଡେମୀ ବ୍ୟଙ୍ଗ ସାହିତ୍ୟକୁ ସ୍ବତନ୍ତ୍ର ମାନ୍ୟତା ଦେବାପାଇଁ ପରାମର୍ଶ ଦେବା ସହ ଏ ଦିଗରେ ତାଙ୍କ ସଂସ୍ଥା ଯେଉଁ ଅଭିଯାନ ଆରମ୍ଭ କରିଛି ତହିଁର ସମ୍ୟକ ସୂଚନା ଦେଇଥିଲେ ∣

ବ୍ୟଙ୍ଗ ବିଳାସ ପାଇଁ ନୁହେଁ, ବିକାଶ ପାଇଁ ଉଦ୍ଦିଷ୍ଟ ବୋଲି କହିଥିଲେ ବ୍ୟଙ୍ଗ କବି ଜ୍ଞାନ ହୋତା ∣ କବି ସତ୍ୟାନାଶ ଓଡ଼ିଶାରେ ବ୍ୟଙ୍ଗ ସାହିତ୍ୟର ବୈପ୍ଲବିକ ଧାରାର ଏକ ନିଖୁଣ ଚିତ୍ର ଦେଇ, ବ୍ୟଙ୍ଗ ରଚନାକୁ ସାହିତ୍ୟର ଏକ ଉଚ୍ଚାଙ୍ଗ ବିଭବ ବୋଲି ବର୍ଣନା କରିଥିଲେ ∣

ଅନ୍ୟମାନଙ୍କ ମଧ୍ୟରେ ବ୍ରଜବିହାରୀ ସୁବୁଦ୍ଧି , ଅନନ୍ତ ଜେନା, ଉମାକାନ୍ତ ମହାପାତ୍ର, ସୁଶାନ୍ତ କୁମାର ସାହୁ, ପ୍ରିୟବ୍ରତ ପଣ୍ଡା, ପ୍ରସନ୍ନ ଦାଶ ପ୍ରମୁଖ ବ୍ୟଙ୍ଗ ରଚନାକୁ ଏକ ବୈଶିଷ୍ଟ୍ୟସମ୍ପନ୍ନ ସାହିତ୍ୟ ଭାବେ ସ୍ବୀକୃତି ଦେବାକୁ ଓଡିଶା ସାହିତ୍ୟ ଏକାଡେମୀକୁ ଆହ୍ବାନ ଦେଇଥିଲେ ∣

ଏହି ଦାବି ସହ ଏକମତ ହୋଇ ଅଧ୍ୟକ୍ଷତା କରୁଥିବା ଭାଷା ଆନ୍ଦୋଳନ ସଭାପତି ଶ୍ରୀ ଶତପଥୀ କହିଥିଲେ , ଅନ୍ତର୍ଭେଦୀ ଦୃଷ୍ଟି ଓ ସାର୍ବଜନିକ ଚେତନାର ନିର୍ଭିକ ଉପଯୋଗ କରି ଲୌକିକ ଭାଷାରେ ଯେଉଁ ସଂସ୍କାରଧର୍ମୀ ସାହିତ୍ୟ ସୃଷ୍ଟିକରାଯାଏ ତାହା ହିଁ ରୂପନିଏ ରମଣୀୟ ବ୍ୟଙ୍ଗର , ଯାହା ତାର ସର୍ଜନଶୀଳତାର ଶାଣୀତ ଶବ୍ଦ ବାଣରେ ଶ୍ରୋତା ଓ ପାଠକର ଚେତନା ଜାଗ୍ରତ କରାଇଥାଏ ଏବଂ ଦେଇଥାଏ ସଦା ଅନିର୍ବଚନୀୟ ବିରଳ ଆନନ୍ଦ ∣ ଏପରି ସାହିତ୍ୟକୁ ତାର ଉପଯୁକ୍ତ ମର୍ଯ୍ୟାଦା ଦେବାପାଇଁ ସମ୍ପର୍କ ମିଡ଼ିଆ ଆରମ୍ଭ କରିଥିବା ଅଭିଯାନକୁ ସେ ଭାଷା ଆନ୍ଦୋଳନ ପକ୍ଷରୁ ପୁର୍ଣ ସମର୍ଥନ ଜ୍ଞାପନ କରିଥିଲେ ∣

ଭାଷା ଆନ୍ଦୋଳନ ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ସମେତ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ମାନବିକ ସମ୍ପର୍କର ସ୍ଵାକ୍ଷର ରଖିଥିବା ବିଶିଷ୍ଟ ଓଡ଼ିଆଙ୍କ ଭିତରୁ ଉପାଧି ଗ୍ରହଣ କରିଥିଲେ ଡାକ୍ତର କମଳାକାନ୍ତ କର, ଡା. ନାରାୟଣ ରାଉତ, ମନୋରଞ୍ଜନ ମହାପାତ୍ର, ରଞ୍ଜନ କୁମାର ମହାପାତ୍ର, ବିପିନ ବିହାରୀ ଜୟସିଂହ , ଭୀମସେନ ପାଇକରାୟ , ଡା. ଚିତ୍ରଲେଖା ଜେନା ଓ ଶ୍ରୀମତୀ ଗୀତା ଦାଶ ∣

Rabi Kanungo’s Enlightening Editorial

ଆମପାଇଁ ଆନନ୍ଦର କଥା ଯେ, ଓଡ଼ିଶାର ପ୍ରଥିତଯଶା ସାହିତ୍ୟିକ ଓ ସମ୍ବାଦପତ୍ର ସମ୍ପାଦକ ରବି କାନୁନଗୋ, ଯେ କି ସମ୍ପାଦକୀୟ ପ୍ରଦାନରେ ଏକ ନୂତନ ଶୈଳୀର ପ୍ରବର୍ତ୍ତନ କରିଛନ୍ତି, ବିଶ୍ଵାସ କରନ୍ତି ଯେ , ଓଡିଶା ସରକାରୀ ଭାଷା ଆଇନର ଉଲ୍ଲଙ୍ଘନକାରୀକୁ ଦଣ୍ଡବିଧାନ ପାଇଁ ଓଡିଶା ମନ୍ତ୍ରୀମଣ୍ଡଳ ସ୍ଵତନ୍ତ୍ରଭାବେ ଆହୂତ ପୁରୀ ବୈଠକରେ ଯେଉଁ ନିଷ୍ପତ୍ତି ଗ୍ରହଣକରିଛନ୍ତି ତାହା ଆମ ଭାଷା ଆନ୍ଦୋଳନ ହେତୁ ସମ୍ଭବ ହୋଇଛି  ଆମେ ତ ଏହି ମନ୍ତ୍ରୀମଣ୍ଡଳର ପ୍ରସ୍ତାବ ଉପରେ ଆମ ପ୍ରତିକ୍ରିୟା ରଖିଛୁ ; ମାତ୍ର ସୂର୍ଯ୍ୟପ୍ରଭାରେ ରବି ବାବୁଙ୍କ ସମ୍ପାଦକୀୟ ଓଡ଼ିଆ ଭାଷା ଜନନୀଙ୍କ ଚଳନ୍ତି ଇତିହାସ ପ୍ରତି ଏକ ଅମୁଲ୍ୟ ଅବଦାନ ∣ ଡ଼ିସେମ୍ବର 27 ଓ 28 – ଦୁଇଦିନ ଧରି ଦୁଇଟି ଭିନ୍ନ ଭିନ୍ନ ଶିରୋନାମାରେ ଏ ସମ୍ପାଦକୀୟ : ପ୍ରଥମଟି “ଶତାବ୍ଦୀର ଶ୍ରେଷ୍ଠ ଓଡ଼ିଆ !” ଓ ଦ୍ବିତୀୟଟି “ପଶ୍ୟତି ଦିଶି ଦିଶି” ଶୀର୍ଷକରେ ସମୃଦ୍ଧ ∣ ପ୍ରଥମ ଆଲୋକବର୍ଷୀ ସମ୍ପାଦକୀୟଟିକୁ ଏଠାରେ ଆନୁଷ୍ଠାନିକ ସମ୍ମାନର ସହ ସ୍ଥାନିତ କରାଗଲା ∣ 

ସୁଭାଷ  ଚନ୍ଦ୍ର ପଟ୍ଟନାୟକ ,

ଅଧ୍ୟକ୍ଷ , ଭାଷା ଆନ୍ଦୋଳନ, ଓଡିଶା