କଳାପତାକା ଅଭିଯାନ, ଭାଷା ଆନ୍ଦୋଳନ, ଓଡିଶା

ଆମ ଭୂଖଣ୍ଡକୁ ଭାଙ୍ଗିଭୁଙ୍ଗି ପଡୋଶୀ ରାଜ୍ୟମାନଙ୍କରେ ମିଶାଇ ଆମ ବୀରତ୍ଵକୁ ଭୟ କରୁଥିବା ବ୍ରିଟିଶ ସେହି ସେହି ରାଜ୍ୟମାନଙ୍କରେ ଆମକୁ ସଂଖ୍ୟାନ୍ୟୂନ କରାଇ ଦେଇଥିଲା ଓ ସେହି ପଡୋଶୀ ରାଜ୍ୟମାନଙ୍କ ଭାଷା ଆମ ଉପରେ ସରକାରୀ ଭାଷା ଭାବେ ନଦିଦେଇ ଆମକୁ ବିପର୍ଯ୍ୟସ୍ତ କରିଦେଇଥିଲା । ଏହାର ପ୍ରତିକାର ପାଇଁ, ଓଡ଼ିଆ ଭାଷାଭାଷୀ ସମସ୍ତ ଅଂଚଳକୁ ଏକତ୍ର କରି ଗୋଟିଏ ଶାସନରେ ରଖିବାକୁ ଦୀର୍ଘ ୬୬ ବର୍ଷ ଧରି ବହୁ ସଂଘର୍ଷ ପରେ ଏହି ଉଦ୍ଦେଶ୍ୟରେ ସୃଷ୍ଟି ହୋଇଥିଲା ଓଡିଶା । ତେଣୁ ଓଡ଼ିଆ ଭାଷା ହିଁ ଓଡ଼ିଶାକୁ ଜନ୍ମ ଦେଇଛି ଓ ଆମ ରାଜ୍ୟରେ ଆମ ଭାଷାରେ ସରକାରୀ ସେବା ଲାଭ ପାଇଁ ଆମର ପୂର୍ଣ୍ଣ ଅଧିକାର ଅଛି ।

ଓଡ଼ିଶା ସରକାରୀ ଭାଷା ଆଇନ,୧୯୫୪ ଆମକୁ ଏହି ଅଧିକାର ଆଇନତଃ ପ୍ରଦାନ କରିଥିଲା । ଆମ ପ୍ରଥମ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ସୃଷ୍ଟି କରିଥିବା ଏହି ଆଇନଟି ସ୍ପଷ୍ଟ କରିଥିଲା କି, ସମଗ୍ର ଓଡ଼ିଶାରେ ସମସ୍ତ ଓ ପ୍ରତ୍ୟେକ ସରକାରୀ କାର୍ଯ୍ୟ କେବଳ ଓଡ଼ିଆ ଭାଷାରେ ହିଁ ହେବ । ହରେକୃଷ୍ଣ ମହତାବଙ୍କ ଷଡ଼ଯନ୍ତ୍ର କ୍ରମେ ତାଙ୍କୁ କ୍ଷମତାରୁ ତଡ଼ି ମହତାବଙ୍କ ଦୋଦୁଲ୍ୟମାନ ସରକାରର ଅକାଳ ମୃତ୍ୟୁ ଘଟାଇ ନିଜେ ମୁଖ୍ୟମନ୍ତ୍ରୀ ହୋଇଥିବା ବିଜୁ ପଟ୍ଟନାୟକ ଦୁର୍ନୀତି ଅଭିଯୋଗରେ ତଡ଼ା ଖାଇ ଦାୟିତ୍ଵ ହସ୍ତାନ୍ତର କରିବା ପୂର୍ବରୁ ୧୯୬୩ରେ ଅତ୍ୟନ୍ତ ବେଆଇନ ଭାବେ ଭାଷା ଆଇନଟିକୁ ସଂଶୋଧନ କରି ଇଂରାଜୀ ଭାଷା କବଳରେ ଓଡିଶାକୁ ପକାଇଲେ । ତହିଁରୁ ନିସ୍ତାର ପାଇବାପାଇଁ ନବବାବୁଙ୍କ ପ୍ରଣୀତ ଆଇନଟିକୁ ଅକ୍ଷୁର୍ଣ୍ଣ ରଖି ତାର ଖିଲାପକାରୀକୁ ଦଣ୍ଡବିଧାନ ସକାଶେ ସାମ୍ବାଦିକ ସୁଭାଷ ଚନ୍ଦ୍ର ପଟ୍ଟନାୟକ ମନ୍ତ୍ରୀସ୍ତରୀୟ କମିଟିର ସଭ୍ୟ ଭାବେ ଦେଇଥିବା ପ୍ରସ୍ତାବ ଅନୁସାରେ ଆଇନ ପ୍ରଣୟନ ଦାବି କରି ଗତ ୧୩. ୪. ୨୦୧୬ ତାରିଖରୁ ଆମେ ନିରବ କଳାପତାକା ଅଭିଯାନ ଚଳାଇଛୁଁ । ଦୁଃଖର କଥା, ୨୦୧୮ରେ ଏହି ଆଇନରେ ଦୁଇ ଦୁଇ ଥର ସଂଶୋଧନ ଘଟାଇ ବର୍ତ୍ତମାନର ସରକାର ମୂଳ ଆଇନଟିକୁ ଅକାମି କରିଦେଇଛନ୍ତି । ଏହି ସରକାର ଖଞ୍ଜିଥିବା ନୂଆ ଧାରା ୪-କ ହେତୁ, ସମଗ୍ର ଓଡ଼ିଶାରେ ସରକାରୀ ଭାଷା ଆଇନ କାର୍ଯ୍ୟକାରୀ ହେବ ନାହିଁ ଏବଂ ସମସ୍ତ ଓ ପ୍ରତ୍ୟେକ ସରକାରୀ କାର୍ଯ୍ୟ ଓଡ଼ିଆରେ ବି ହେବନାହିଁ ; ପରନ୍ତୁ ଏହାର କାର୍ଯ୍ୟକାରିତା ସମ୍ପୂର୍ଣ୍ଣତଃ ସରକାରୀ କର୍ମଚାରୀଙ୍କ ମର୍ଜୀ ଉପରେ ନିର୍ଭର କରିବ । ଅଥଚ, ଆଇନ ଉଲ୍ଲଙ୍ଘନ ହେଲେ ଉଲ୍ଲଙ୍ଘନକାରୀ କର୍ମଚାରୀକୁ ଦଣ୍ଡିତ କରିବା ପରିବର୍ତ୍ତେ ସମ୍ପୃକ୍ତ ବିଭାଗକୁ, ଅର୍ଥାତ୍ ଓଡ଼ିଶାର ଜନସାଧାରଣଙ୍କୁ ଦଣ୍ଡିତ କରାଯାଇପାରିବ । ଏହି ଚଂଚକତା ବିରୁଦ୍ଧରେ କଳାପତାକା ଅଭିଯାନ ଚାଲିଥିବାବେଳେ ଜଣେ ଭାଷାପ୍ରେମୀ ବିଧାୟକ ଶ୍ରୀ ଲକ୍ଷ୍ମଣ ମୁଣ୍ଡା ଏକ ସଂଶୋଧନ ବିଲ୍ ବିଧାନସଭାରେ ଦାଖଲ କରିବାରୁ ୨୪.୧୧.୨୦୧୮ ଦିନ ଧାର୍ଯ୍ୟ ସମୟର ୨୦ ଦିନ ପୂର୍ବରୁ ବିଧାନସଭାକୁ ବନ୍ଦ କରିଦିଆଯାଇଛି ।

ଓଡ଼ିଆ ଭାଷାଜନନୀ ଉପରେ ଏହି ଯେଉଁ ବିପଦ ଦେଖାଦେଇଛି, ଭାଷା ଆଇନର ପୁନଃ ସଂଶୋଧନ ଦ୍ଵାରା ହିଁ ତାକୁ ଦୂର କରାଯାଇପାରେ । ଏଥିପାଇଁ ଆବଶ୍ୟକୀୟ ବାତାବରଣ ତିଆରି କରିବା ହିଁ କଳାପତାକା ଅଭିଯାନର ଏକମାତ୍ର ଉଦ୍ଦେଶ୍ୟ ।

Comments

No comments yet.

Leave a Reply

Basic HTML is allowed. Your email address will not be published.

Subscribe to this comment feed via RSS