ମଧୁଜୟନ୍ତୀରେ ଭାଷା ଆନ୍ଦୋଳନର ବୃତ୍ତଚିତ୍ର ବିଶ୍ଵାର୍ପିତ: ସାହିତ୍ୟିକମାନେ ନିଦରୁ ଉଠିବାକୁ ଆହ୍ଵାନ

ଭୁବନେଶ୍ଵର କାର୍ଯ୍ୟାଳୟ

ଆଜି ଓଡ଼ିଆ ଜାତିର କୁଳ ଗୌରବ ମଧୁସୂଦନ ଦାସଙ୍କ ୧୭୧ତମ ଜନ୍ମବାର୍ଷିକୀରେ ତାଙ୍କରି ଅଧୁରା ସ୍ୱପ୍ନକୁ ସମ୍ପୂର୍ଣ୍ଣ କରିବା ପାଇଁ ଚାଲିଥିବା ଭାଷା ଆନ୍ଦୋଳନ ପକ୍ଷରୁ ଏ ଏକ ତପସ୍ୟା ଶୀର୍ଷକ ବୃତ୍ତଚିତ୍ର ବିଶ୍ବାର୍ପିତ ହୋଇଛି । bhashaandolan.com ପକ୍ଷରୁ ପ୍ରସ୍ତୁତ ଏହି ବୃତ୍ତଚିତ୍ରରେ କେଉଁ ପରିସ୍ଥିତିରେ ଓଡ଼ିଶା ପ୍ରଦେଶ ସୃଷ୍ଟି ପାଇଁ ମଧୁବାବୁଙ୍କ ନେତୃତ୍ବରେ ଆନ୍ଦୋଳନ ହୋଇଥିଲା ତାହାର ପ୍ରାମାଣିକ ତଥ୍ୟ ଦିଆଯାଇ ଦର୍ଶଯାଇଛି ଯେ ସେହି ଏକା ପରସ୍ଥିତି ଆଜି ମଧ୍ୟ ବଳବତ୍ତର ଅଛି ଓ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ଗଠିତ ହୋଇଥିଲେ ମଧ୍ୟ ଓଡ଼ିଆ ଭାଷାରେ ତାହା ପରିଚାଳିତ ହେଉନାହିଁ ଏବଂ ଖାସ୍ ଏହି କାରଣରୁ କିପରି ଭାଷା ଆନ୍ଦୋଳନ ଚାଲିଛି ତାହା ଏହି ବୃତ୍ତଚିତ୍ରରେ ସ୍ଥାନିତ ହୋଇଛି ।

ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜ ଧର୍ମୀ ସାମ୍ବାଦିକତାକୁ ନୂଆ ପରିଚୟ ଦେଇଥିବା ବିଶିଷ୍ଟ ଟିଭି ସାମ୍ବାଦିକ ତଥା ସର୍ବଶ୍ରେଷ୍ଠ ସଂଳାପ ଲେଖକ ଭାବେ ରାଜ୍ୟ ସରକାରଙ୍କ ଦ୍ୱାରା ଚଳିତ ବର୍ଷ ପୁରସ୍କୃତ ସତୀଶ ମିଶ୍ର ବୃତ୍ତଚିତ୍ରଟିକୁ ବିଶ୍ଵାର୍ପିତ କରିଥିଲେ ଓ ବଜାରଧର୍ମୀ ପ୍ରଶାସନଶୈଳୀ କିପରି ଆମ ଦେଶର ସ୍ୱାଧୀନତାର ସ୍ୱପ୍ନକୁ ଧୂଳିସାତ୍ କରିବାରେ ଲାଗିଛି ତାହାର ସୁବିସ୍ତିର୍ଣ୍ଣ ତଥ୍ୟ ରଖି ମଣିଷର ମୌଳିକ ବିଭବଗୁଡିକର ସୁରକ୍ଷା ପାଇଁ ସଚେତନ ଓ ପ୍ରତିବଦ୍ଧ ଉଦ୍ୟମ ହିଁ ହାନିକାରକ ବଜାର ଉପଦ୍ରବରୁ ଜନସମାଜକୁ ରକ୍ଷା କରିପାରିବ ବୋଲି କହିଥିଲେ । ମଣିଷର ମାତୃଭାଷା ତାର ମୌଳିକ ବିଭବରୁ ଶ୍ରେଷ୍ଠତମ ହୋଇଥିବା ହେତୁ ସାହିତ୍ୟିକମାନେ ସାଧାରଣମଣିଷ ବ୍ୟବହାର କରୁଥିବା ଭାଷା ପ୍ରତି ଉଦାସିନ ହୋଇ ନରହି ତହିଁର ସୁରକ୍ଷା ଓ ସମୃଦ୍ଧି ପାଇଁ ସରସ୍ଵତ ଜାଗୃତି ସୃଷ୍ଟି କରିବା ଓଡ଼ିଶା ପ୍ରେକ୍ଷାପଟରେ ଅତ୍ୟନ୍ତ ଆବଶ୍ୟକ ବୋଲି ସେ ମତ ଦେଇଥିଲେ ।

ଉଲ୍ଲେଖନୀୟ ଯେ “ସଙ୍କଟରେ ଭାଷା ସ୍ଵାର୍ଥଲିପ୍ସାରେ ସାହିତ୍ୟିକ” ଶୀର୍ଷକ ଏକ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନାରେ ମୁଖ୍ୟବକ୍ତା ଭାବେ ପ୍ରଫେସର କମଳା ପ୍ରସାଦ ମହାପାତ୍ର ଓଡ଼ିଶା ରାଜ୍ୟଗଠନରୁ ଆରମ୍ଭ କରି ବିଦେଶୀଙ୍କ କବଳରୁ ମୁକ୍ତି ପରି ଦୁରୁହ ପରିସ୍ଥିତିରେ ସାହିତ୍ୟ କିପରି ଜନସାଧାରଣଙ୍କ ପାଇଁ ପଥଦର୍ଶୀ ଭୂମିକା ନିର୍ବାହ କରିଥିଲା ତାହା ସୁଚାଇ ଦେଇଥିଲେ । ସେ କହିଥିଲେ ସାହିତ୍ୟର ମୂଳାଧାର ହେଉଛି ମାତୃଭାଷା । ମାତୃଭାଷା ହେଉଛି ମଣିଷର ପ୍ରାଣ ଏବଂ ତାର ଆତ୍ମା ତୁଲ୍ୟ । ତାହା ସଙ୍କଟରେ ପଡିଥିବା ବେଳେ ତହିଁ ପ୍ରତି ଉଦାସୀନ ରହିବା ସାହିତ୍ୟିକୀୟ ସ୍ଵଭାବ ଅନୁରୂପ ନୁହେଁ ।

ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ କହିଥିଲେ, ଓଡ଼ିଶା ପ୍ରଦେଶ ସୃଷ୍ଟି ହୋଇ ମଧୁବାବୁଙ୍କର ସ୍ଵପ୍ନର ଶୀର୍ଷ ଅଂଶ ସଫଳ ହୋଇଥିଲା ବେଳେ ତହିଁର ମୂଳ ଅଂଶ ଅସଫଳ ହୋଇ ରହିଛି । ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ହେଉଛି ଏହି ମୂଳ ଅଂଶ । ଏହି ମୂଳ ସ୍ଵପ୍ନକୁ ସାର୍ଥକ କରିବା ପାଇଁ ଭାଷା ଆନ୍ଦୋଳନର କଳାପତାକା ଅଭିଯାନ ଚତୁର୍ଥ ବର୍ଷର ଚତୁର୍ଦଶ ଦିବସ ଅତିକ୍ରମ କରିସାରିଲାଣି ଓ ଓଡ଼ିଆ ଭାଷା ବିରୁଦ୍ଧରେ ଇଂରାଜୀ ମନସ୍କ ସରକାରୀ କଳ ଯେତେ ଷଡଯନ୍ତ୍ର କରୁଛି ତାହାକୁ ବାଧା ଦେବାରେ ଲାଗିଛି । ଭାଷା ଆଇନର ସମ୍ପୂର୍ଣ ନିର୍ଭୁଲ ସଂଶୋଧନ ପାଇଁ ଭାଷା ଆନ୍ଦୋଳନ ସରକାରଙ୍କୁ ବାଧ୍ୟ କରିବ ବୋଲି ସେ କହିଥିଲେ ।

ଅଧ୍ୟକ୍ଷତା କରୁଥିବା ସୁଶ୍ରୀ ତନୁଜା ରଥ ଓଡ଼ିଶାରେ ଓଡ଼ିଆ ଭାଷାର ପ୍ରାଥମିକତା ପ୍ରତିଷ୍ଠା ପାଇଁ ସାହିତ୍ୟିକମାନେ ଜଗି ଉଠିବାକୁ ଆହ୍ଵାନ ଦେଇ କଳାପତାକା ଅଭିଯାନକୁ ଶୁଭେଚ୍ଛା ଜ୍ଞାପନ କରିଥିଲେ ।

ବିଶିଷ୍ଟ ସ୍ତମ୍ଭକାର ତୁଷାରକାନ୍ତ ଶତପଥୀ ଧନ୍ୟବାଦ ଅର୍ପଣ ଛଳରେ ଓଡ଼ିଶାରେ ଦେଖାଦେଇଥିବା ଭାଷା ସଙ୍କଟ ଉପରେ ଆଲୋକପାତ କରିଥିଲେ ।

ଓଡ଼ିଶା ପ୍ରଦେଶ ସୃଷ୍ଟିର ଲକ୍ଷ୍ୟ ପୂରଣ ପର୍ଯ୍ୟନ୍ତ କଳା ପତାକା ଅଭିଯାନ ଚାଲିରହିବ ବୋଲି ସିଦ୍ଧ।ନ୍ତ ହୋଇଥିଲା ଓ ଅଭିଯାନର ପ୍ରତୀକ ଚିହ୍ନ ସମସ୍ତଙ୍କ ଅନୁମୋଦନ ପାଇଥିଲା ।

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.