କେନ୍ଦ୍ରାପଡ଼ାରେ କଳାପତାକା ଅଭିଯାନ ଓ ଭାଷା ପାଇଁ ସ୍ମାରକପତ୍ର ପ୍ରଦାନ

ବିଶେଷ ପ୍ରତିନିଧି

ଭାଷା ଆନ୍ଦୋଳନର କେନ୍ଦ୍ରାପଡ଼ା ଜିଲ୍ଲା ସଂଯୋଜକ ରଞ୍ଜନ କୁମାର ଦାସଙ୍କ ଆହ୍ବାନ କ୍ରମେ କେନ୍ଦ୍ରାପଡ଼ା ସହରର ତିନିମୁହାଣୀ ଛକସ୍ଥ ଯଦୁମଣି ମଙ୍ଗରାଜଙ୍କ ପ୍ରତିମୂର୍ତ୍ତି ସମ୍ମୁଖରୁ ଗୁରୁବାର ପୂର୍ବାହ୍ନରେ ଆନ୍ଦୋଳନର କଳାପତାକା ଅଭିଯାନ ଆରମ୍ଭ ହୋଇ ସମଗ୍ର ସହର ପରିକ୍ରମା କରି ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି ।

ଓଡ଼ିଶା ସରକାରୀ ଭାଷା ଆଇନ,୧୯୫୪ରେ ଖଞ୍ଜା ହୋଇଥିବା ଧାରା ୪-କ ଓଡ଼ିଆ ଜାତିର ଭାଷା ଅଧିକାରକୁ ଅକାମି କରିଛି । ସୁତରାଂ ତାକୁ ବିଲୁପ୍ତ କରାଯାଇ ସାନି ସଂଶୋଧନ ଦ୍ଵାରା ତାର ଉଲ୍ଲଙ୍ଘନକାରୀକୁ କଠିନ ଦଣ୍ଡବିଧାନର ବ୍ୟବସ୍ଥା କରାଯାଉ ବୋଲି ଭାଷା ଆନ୍ଦୋଳନର ସଭାପତିମଣ୍ଡଳୀ ଗତ ୯.୧୧.୨୦୧୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ଚରମପତ୍ର ଦେଇଥିଲେ, ତାହା ସପକ୍ଷରେ ଜିଲ୍ଲା ଶାଖା ପକ୍ଷରୁ ଏହି ସ୍ମାରକପତ୍ର ପ୍ରଦାନ କରିଛନ୍ତି ଜିଲ୍ଲାର ବିଶିଷ୍ଟ ଜନନେତା, ପ୍ରକୃତିପ୍ରେମୀ ଓ ଭାଷାପ୍ରେମୀମାନେ ।

କେନ୍ଦ୍ରୀୟ ସଭାପତି ମଣ୍ଡଳୀର ସଦସ୍ୟ ସର୍ବଶ୍ରୀ କମଳଲୋଚନ ନାୟକ, ସୁଭାଷ ଚନ୍ଦ୍ର ପ୍ରଧାନ ଓ ଗିରିଜାକାନ୍ତ ମିଶ୍ର ତଥା ଭାଷାପ୍ରାଣ ବ୍ରହ୍ମାନନ୍ଦ ବେହେରା ଏବଂ ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ ପକ୍ଷରୁ ଉପଜିଲ୍ଲାପାଳ ସ୍ମାରକପତ୍ର ଗ୍ରହଣ କରିଛନ୍ତି ।

କଳାପତାକା ଅଭିଯାନରେ ଯୋଗଦେଇ ଭାଷା ବନ୍ଦନାରେ ଅଂଶଗ୍ରହଣ କରିବା ସଙ୍ଗେ ସଙ୍ଗେ ସ୍ମାରକପତ୍ର ପ୍ରଦାନରେ ଅଗ୍ରଣୀ ଭୂମିକା ନିର୍ବାହ କରିଛନ୍ତି ପ୍ରାକ୍ତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଜନନେତା ରବୀନ୍ଦ୍ର କୁମାର ବେହେରା, ବିଶିଷ୍ଟ ପରିବେଶବିତ୍ ଉଦୟନାଥ ଚୌଧୁରୀ, କାଜଲ୍ ଚୌଧୁରୀ, ମୃତ୍ୟୁଞ୍ଜୟ ତ୍ରିପାଠୀ, ବସନ୍ତ କୁମାର ମଲ୍ଲିକ, ନିରଞ୍ଜନ ପରିଡ଼ା,ସଞ୍ଜୟ କୁମାର ମହାପାତ୍ର, ପ୍ରଭାତ ଦାସ,ସଞ୍ଜୟ କୁମାର ସାହୁ, ସଞ୍ଜୟ ରାଉତ ଓ ମୀର୍ ମୁର୍ସିଦ ପ୍ରମୁଖ । ଚିତ୍ରୋତ୍ତଳନ ଦାୟିତ୍ବ ନିର୍ବାହ କରିଛନ୍ତି ଆଶିଷ କୁମାର ବେହେରା ।

କେନ୍ଦ୍ରାପଡ଼ା ଜିଲ୍ଲାରେ ଅନୁଷ୍ଠିତ ଏହି ଅଭୂତପୂର୍ବ ପ୍ରଦର୍ଶନର କେତେକ ଫଟୋଚିତ୍ର ପ୍ରଦାନ କରିଛନ୍ତି ଆଶିଷ କୁମାର ବେହେରା ।

ସ୍ମାରକପତ୍ର ଦିଆସରିବା ପରେ ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ସମବେତ ଭାଷାପ୍ରେମୀମାନଙ୍କୁ ଆନ୍ଦୋଳନର ଗୁରୁତ୍ବ ଓ ଭବିଷ୍ୟତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ।

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.