ଓଡ଼ିଆଭାଷାକୁ ନବୀନଙ୍କ ମରଣଆଘାତ -୪

ପୂର୍ବପ୍ରକାଶିତ ଉତ୍ତାରୁ

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ଘୁମୁସରରୁ ଆରମ୍ଭ ହୋଇ ଭାଷା ଜାତୀୟତାର ସ୍ରୋତ ସମଗ୍ର ଗଞ୍ଜାମରେ ବ୍ୟାପିଗଲା ଓ ଏହା ଏପରି ରୂପ ଧାରଣ କଲା ଯେ, ମାନ୍ଦ୍ରାଜ ସରକାର ୧ ଅଗଷ୍ଟ ୧୮୯୦ ତାରିଖରେ ବାଧ୍ୟ ହୋଇ ଘୋଷଣା କଲେ କି , ଘୁମୁସରରେ ଥିବା ସମସ୍ତ ସରକାରୀ ଅଫିସ ତଥା ଅଦାଲତମାନଙ୍କରେ କେବଳ ଓଡ଼ିଆ ଭାଷାରେ ହିଁ କାମ ହେବ । କିନ୍ତୁ ଅଣଓଡିଆଙ୍କ ଚକ୍ରାନ୍ତ ହେତୁ ଏହି ଏକା ଆଦେଶରେ ପୁନଶ୍ଚ କୁହାହେଲା , ଘୁମୁସର ଭିନ୍ନ ଗଂଜାମ ଜିଲ୍ଲାର ଅନ୍ୟତ୍ର ଓଡ଼ିଆ ସାଙ୍ଗକୁ ତେଲୁଗୁ ବି ଚାଲିବ । ଫଳରେ ଯାହା ହେଲା ତାର ପ୍ରତିଛବି ଆମେ  ‘ଗ’ ଚିହ୍ନିତ ଦସ୍ତାବିଜରେ ଦେଖୁଁ । ନିଜ ଭାଷା ପାଇଁ ଗଂଜାମ ଜିଲ୍ଲା ସଂଘର୍ଷ ରତ ଥିବା ବେଳେ ୩୦ ଜାନୁଆରୀ ୧୮୯୫ ତାରିଖର ମଧ୍ୟପ୍ରଦେଶ ଗେଜେଟରେ ସେଠିକା ସରକାର ସମ୍ବଲପୁର ମୂଲକରେ ୧୮୯୬ ଜାନୁଆରୀ ପହିଲାରୁ ଓଡ଼ିଆ ପରିବର୍ତ୍ତେ ହିନ୍ଦୀରେ ସରକାରୀ କାମ ହେବ ବୋଲି କହିଲେ । ତା ପ୍ରଭାବରେ ମାନ୍ଦ୍ରାଜ ସରକାର ଗଞ୍ଜାମରେ ପ୍ରବର୍ତ୍ତନ କଲେ ସମ୍ପୁର୍ଣ୍ଣ ତେଲୁଗୁ ଯାହାର ପ୍ରତିଛବି ଆମେ ‘କ’ ଚିହ୍ନିତ ଦସ୍ତାବିଜରେ ଦେଖୁଁ । ସମ୍ବଲପୁର ମାତିଉଠିଲା ନିଜ ମାତୃଭାଷା ଓଡ଼ିଆକୁ ରାଜଭାଷା ଭାବେ ପୁନଃ ପ୍ରତିଷ୍ଠା କରିବା ପାଇଁ ।

ପୁଣ୍ୟଶ୍ଳୋକ ଦାମୋଦର ପଟ୍ଟନାୟକ ଥିଲେ ତାଳଚେର ରାଜ୍ୟର ପରିଚାଳକ (Manager) ସେଠିକା ରାଜା ନାବାଳକ ଥିବା ହେତୁ । ସମ୍ବଲପୁରରେ ହିନ୍ଦୀ ପ୍ରଚଳନକୁ ବିରୋଧ କରି ଯେଉଁ ଆନ୍ଦୋଳନ ଚାଲିଥିଲା ସେ ତାକୁ ଆର୍ଥିକ ସାହାଯ୍ୟ କରୁଥିଲେ କେବଳ ନୁହେଁ , ସବୁ ଲୋକ ଗାଇ ପାରିଲା ପରି ଗୀତ ଲେଖି ମାତୃଭାଷା ଓଡ଼ିଆ ପାଇଁ ଜୀବନପଣକରି ଲାଗିବାକୁ ଲୋକଙ୍କୁ ପ୍ରଚୋଦିତ କରୁଥିଲେ । ‘ଉତ୍କଳଦୀପିକା’ରୁ ଉଦ୍ଧାର କରି ‘ସମ୍ବଲପୁର ହିତୈଷୀଣି’ ତାଙ୍କର ଏପରି ଏକ ଗୀତ ୮ ଏପ୍ରିଲ ୧୮୯୬ରେ ପ୍ରକାଶ କରିଥିଲା ଯାହା ସମଗ୍ର ପଶ୍ଚିମ ଓଡ଼ିଶାରେ ଓଡ଼ିଆ ଭାଷା ପୁନଃ ପ୍ରଚଳନ ପାଇଁ ଚାଲିଥିବା ଆନ୍ଦୋଳନକୁ ଲେଲିହାନ କରିଥିଲା । ‘ଭୈରବୀ ରାଗ , ଆଦି ତାଳ’ରେ ଗେୟ ଏହି ମହାନ ବୈପ୍ଲବିକ ଗୀତରୁ ମୁଁ ଶେଷ ପଦ ଦୁଇଟିକୁ ଏଠାରେ ଉଦ୍ଧାର କରୁଛି :

“ଯାଉ ଏ ଜୀବନ ଧନ ହୁଅ ଏକ ପ୍ରାଣ ମନ
ହେଉ ଶରୀର ପତନ ରଖ ଏବେ ପଣ
ସର୍ବେ ରଖ ଏବେ ପଣ ।।
ଜନନୀ ରସନା ହିନ୍ଦୀ କାଟଇ ଜାତିକି ନିନ୍ଦି
ଉଠରେ ଉତ୍କଳ ଭାଇ ଘେନ ନିବେଦନ
ଭାଇ ସହେ କି ଜୀବନ?”

ସମ୍ବଲପୁର ଜିଲ୍ଲାରୁ ଉତ୍କଳ ଭାଷା ଉଠିଯାଇ ହିନ୍ଦୀଭାଷା ପ୍ରଚଳିତ ହେବା ସମ୍ବାଦରେ ଉତ୍କଳ ଭାରତୀଙ୍କ କ୍ଷୋଭ ଶୀର୍ଷକ ଏକ କବିତା ପ୍ରକାଶ ପାଇଥିଲା ସମ୍ବଲପୁର ହିତୈଷୀଣୀର ଭାଗ ୬, ସଂଖ୍ୟା ୩୬ରେ । ତହିଁରୁ ପଦେ –

“ସମ୍ବଲପୁରର ଅଧିବାସୀମାନେ
ଉତ୍କଳ ଚିର ସନ୍ତାନ
ହିନ୍ଦୀ ଆଧିପତ୍ୟ ହୋଇବ ସେଠାରେ
ଶୁଣି ସର୍ବେ ହତ ଜ୍ଞାନ ।”

ଓଡ଼ିଆ ଭାଷା ଜାତୀୟତାର ଶ୍ରେଷ୍ଠ ସାରସ୍ୱତ ସେନାପତି ସ୍ଵଭାଵକବି ଗଙ୍ଗାଧର ମେହେର ‘ଉତ୍କଳ ଭାରତୀଙ୍କ ନିବେଦନ’ ଶିର୍ଷକ କବିତାରେ କାଳେ ବିଲାତ ସରକାର ରାଗିବେ ଏହି ଭୟରେ ଓଡ଼ିଆ ଭାଷା ଆନ୍ଦୋଳନଠୁ ଦୁରେଇ ରହିଥିବା ସମ୍ବଲପୁର ଅଂଚଳର ରାଜାମହାରାଜାମାନଙ୍କୁ ତୀବ୍ର ଆକ୍ରମଣ କରିଥିଲେ । ଏପରିକି ନିଜ ଇଲାକାର ରାଜାଙ୍କୁ ସେ ଆକ୍ଷେପ କରି କହିଥିଲେ :

“ବରପଲ୍ଲୀପତି ଜାଣଇଁ ମୁହିଁ ତୁମ୍ଭର ମନ ।
ମୋହ ଲାଗି କହି ପାରିବ ପଦେ ଅଧେ ବଚନ?
ହରିହର ସିଂହ ତୁମ୍ଭେ ତ କିଛି କହିବ ନାହିଁ
କହିଲେ ଅବା ଉପାଧିଟି ରାଜେ ନେବେ ଛଡ଼ାଇ!” (କ୍ରମଶଃ)

ଓଡ଼ିଆଭାଷାକୁ ନବୀନଙ୍କ ମରଣଆଘାତ – ୩

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ବିଲାତି ଶାସନ ସଂକଳିତ ‘କୋରାପୁଟ ଗେଜେଟିଅର’ର ପୃଷ୍ଠା ୮୫ ରେ ଉଲ୍ଲେଖ ଅଛି:
“Sisti Karanas, originally Oriya, adopted Telugu language when Southern areas were lost to Oriyas.”

“କଚେରୀରେ ତେଲେଙ୍ଗା ବିଦ୍ୟା ପ୍ରଚାର ହେବାରୁ କ୍ରମେ କ୍ରମେ ଏ ଦେଶ ଲୋକଙ୍କର ଶ୍ରୀ ଚ୍ୟୁତ ହୋଇ ଯଶଃ ଶ୍ରୀ ବିଦ୍ୟା ବୁଦ୍ଧି ଲୋପ ହେବା ପ୍ରତ୍ୟକ୍ଷେ ସରକାରରୁ ନ୍ୟାୟ ଲଭିବାର ଦୁଷ୍କର ହୋଇଅଛି” ବୋଲି ଦର୍ଶାଇଥିଲା ଘୁମୁସରର ରସଲକୋଣ୍ଡା ଠାରେ ଦୀନବନ୍ଧୁ ପଟ୍ଟନାୟକଙ୍କ ଦ୍ଵାରା ଆୟୋଜିତ ଓଡ଼ିଆମାନଙ୍କର ପ୍ରଥମ ସମ୍ମିଳନୀ ୧୮୭୦ ସେପ୍ଟେମ୍ବର ୧୧ ତାରିଖରେ । ଓଡ଼ିଆ ଭାଷାକୁ ପୁନର୍ବାର ଦାପ୍ତରିକ ଭାଷା କରାଯାଉ, ନଚେତ ସବୁ ଓଡ଼ିଆ ଭାଷାଭାଷୀ ଅଂଚଳକୁ ଏକତ୍ର କରି ଗୋଟିଏ ଶାସନରେ ରଖାଯାଇ ସେଠାରେ ଓଡ଼ିଆକୁ ରାଜଭାଷା କରାଯାଉ ବୋଲି ଏହି ସମ୍ମିଳନୀରେ ଦାବି କରାଯାଇ ଏଥିରେ ସହଯୋଗ କରିବାକୁ “କଟକଜିଲ୍ଲା ଉତ୍କଳଦେଶୀୟ ମହାଶୟମାନଙ୍କୁ” ନିବେଦନ କରାହୋଇଥିଲା । ସେମାନଙ୍କୁ ଆହ୍ୱାନ ଦେଇ କୁହାହୋଇଥିଲା , “ଶାସ୍ତ୍ରାନୁସାରେ (ଅର୍ଥାତ୍ ସେମାନଙ୍କ ଭାଷା ସାହିତ୍ୟର ଭିତ୍ତି ଉପରେ) ଉତ୍କଳଦେଶ ସମଗ୍ର ଏକତ୍ର ହୋଇ ଓଡ଼ିଶା ଜିଲ୍ଲାରେ ରହିବା ଓ ସର୍ବତ୍ର ଉତ୍କଳ ଦେଶ ଅଦାଲତରେ ଉତ୍କଳ ବିଦ୍ୟା ପ୍ରଚଳ ହେବା ନିମିତ୍ତ ଭାରତବର୍ଷର ଶ୍ରୀଯୁକ୍ତ ରାଇଟ୍ ଅନରେବ୍ଲ ଗଭର୍ଣ୍ଣର ଜେନେରାଲ୍ ବାହାଦୁରଙ୍କ ହଜୁରରୁ ହୁକୁମ ହେବା କାରଣ କଟକ ଜିଲ୍ଲା ଉତ୍କଳ ଦେଶୀୟ ମହାଶୟମାନେ ଯଥୋଚିତ ତଦ୍ବିର କରି ଚିରସ୍ଥାୟୀ କୀର୍ତ୍ତି ରଖିବାର ଯଶଃ ପ୍ରକାଶ କରନ୍ତୁ ।”

ଅତଏବ ଓଡ଼ିଆ ଭାଷାରେ ଦପ୍ତର ଓ ଅଦାଲତଗୁଡ଼ିକ ନ ଚାଲି ଦକ୍ଷିଣ ଓଡ଼ିଶାରେ ତେଲୁଗୁ ଭାଷା ରାଜଭାଷା ହୋଇଯିବାରୁ ତଦ୍ଦ୍ଵାରା ଓଡ଼ିଆମାନଙ୍କର “ଯଶଃ ଶ୍ରୀ ବିଦ୍ୟା ବୁଦ୍ଧି ଲୋପ ହେବା” ଫଳରେ ନିଜ ମାତୃଭାଷା ଓଡ଼ିଆ ଯେପରି ଅଫିସ ଓ ଅଦାଲତମାନଙ୍କରେ ପୁନଃ ପ୍ରବର୍ତ୍ତିତ ହୁଏ ତା ପାଇଁ ଏକ ସ୍ୱତନ୍ତ ଓଡିଶା ପ୍ରଦେଶ ଗଠନ ପାଇଁ ଘୁମୁସର ସମ୍ମିଳନୀ ଆହ୍ୱାନ ଦେଇଥିଲା । ଏହା ଯଥୋଚିତ ବୋଲି ମତ ଦେଇ ଉତ୍କଳ ଦୀପିକା ସମ୍ପାଦକ ଲେଖିଥିଲେ:
“ବଙ୍ଗଳା ଓ ମଧ୍ୟପ୍ରଦେଶ ଅଧୀନରେ ଥିବା ଓଡ଼ିଆ ଭାଷାଭାଷୀ ଅଂଚଳରେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷା ପ୍ରଚାର ଅଛି ……ଯେବେ ବଙ୍ଗଳା ଓ ମଧ୍ୟପ୍ରଦେଶରେ ଏପରି ହେଲା ତେବେ ମାନ୍ଦ୍ରାଜ ଗଭର୍ଣ୍ଣମେଣ୍ଟ ଅନ୍ତର୍ଗତ ଓଡ଼ିଶାରେ କାହିଁକି ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟାଳୟମାନଙ୍କରେ କାର୍ଯ୍ୟ ନ ଚଳିବ?” (ଉତ୍କଳଦୀପିକା, ୨୨ । ୧୦ । ୧୮୭୦) । (କ୍ରମଶଃ)

ଓଡ଼ିଆଭାଷାକୁ ନବୀନଙ୍କ ମରଣଆଘାତ -୨

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଏହି ପୁସ୍ତକର ପାଠ୍ୟ ଓଡ଼ିଆ ଜାତିର ଅବଗତି ପାଇଁ କ୍ରମାଗତ ଭାବେ ପରିବେଷଣ କରାଯିବ । ଆମ ରାଜ୍ୟଭାଷା ଭୟଙ୍କର ବିପଦରେ ।

କ୍ରମାନୁବୃତ୍ତି

ଓଡ଼ିଆ ଲୋକେ ନଜାଣିଥିବା ଭାଷାରେ ସେମାନଙ୍କ ଜମିଜମାର ରେକର୍ଡ ବି ତିଆରିହେଲା । ଦୃଷ୍ଟାନ୍ତ ସ୍ୱରୂପ ନିମ୍ନ ୩ ଗୋଟି ଦଲିଲ ଦ୍ରଷ୍ଟବ୍ୟ ।

ତେଲୁଗୁ ଅକ୍ଷରରେ ମୁଦ୍ରିତ ହୋଇଥିବା ‘କ’ ଚିହ୍ନିତ ଫର୍ମରେ ହାତରେ ଲେଖା ହୋଇଛି ଗଂଜାମ ଜିଲ୍ଲା ନିବାସୀ ଜଣେ ଓଡ଼ିଆଙ୍କ ନାମ ଓ ଠିକଣା । ଏହା କି ଫର୍ମ , କଣ ଏଥିରେ ଲେଖା ହୋଇଛି କିଏ ଜାଣେ ? ଏଇଟିକି ମୁଁ ବ୍ରହ୍ମପୁର ସହରର ଗାନ୍ଧିନଗର ୯ମ ସାହି ବାସିନ୍ଦା ଓଡ଼ିଆଭାଷାପ୍ରାଣ ଶ୍ରୀଯୁକ୍ତ ଭଗବାନ ସାହୁଙ୍କଠାରୁ ସଂଗ୍ରହ କରିଛି । ଏହା ୧୯୦୫ ମସିହାର ଏକ ଦସ୍ତାବିଜ । ଏଇଟି ତେଲୁଗୁ ଭାଷାରେ ମୁଦ୍ରିତ ହୋଇଥିବା ବେଳେ ‘ଖ’ ଚିହ୍ନିତ ଦଲିଲଟି ୧୮୯୭ର ଓ ସମ୍ପୂର୍ଣ ଓଡ଼ିଆରେ ମୁଦ୍ରିତ । ‘ଗ’ ଚିହ୍ନିତ ଦଲିଲଟି ୧୮୯୮ର । ଏଠାରେ ଓଡ଼ିଆ ଲେଖା ତଳେ ତେଲୁଗୁ ଭାଷାରେ ଲେଖା ଅଛି । ଏହାର ଅର୍ଥ ହେଲା , ୧୮୯୭ରେ ଗଞ୍ଜାମ ଜିଲ୍ଲାର ଦପ୍ତରମାନଙ୍କର ଭାଷା ସମ୍ପୂର୍ଣ୍ଣତଃ ନିରୋଳା ଓଡ଼ିଆ ହୋଇଥିବା ବେଳେ ୧୮୯୮କୁ ଓଡ଼ିଆ ସାଙ୍ଗକୁ ତେଲୁଗୁ ଚଳାଇ ୧୯୦୫ ବେଳକୁ ସମ୍ପୂର୍ଣ୍ଣ ତେଲୁଗୁରେ ଶାସନ ଚାଲିଥିଲା ବ୍ରିଟିଶ ଶାସନରେ । ଏହା ଫଳରେ ଓଡ଼ିଆ ଲୋକମାନେ ଏପରି ତଳିତଳାନ୍ତ ହୋଇଗଲେ ଯେ ଗଞ୍ଜାମର ‘ଶିଷ୍ଟକରଣ’ମାନେ ଓଡ଼ିଆ ଭାଷାଭାଷୀ ଭାଇଭଉଣୀମାନଙ୍କୁ ଆଇନ ଅଦାଲତରେ ହେଉ ବା ଜମିଜମା ବନ୍ଦୋବସ୍ତରେ ହେଉ ସାହାଯ୍ୟ କରିବା ପାଇଁ ତେଲୁଗୁ ଭାଷା ଆୟତ୍ତ କରିବାକୁ ବାଧ୍ୟ ହେଲେ । (କ୍ରମଶଃ)

ଓଡ଼ିଆଭାଷାକୁ ନବୀନଙ୍କ ମରଣଆଘାତ : ଆସନ୍ତାକାଲିଠାରୁ କ୍ରମିକ ଉପସ୍ଥାପନା

ସୁଭାଷ ଚନ୍ଦ୍ର ପଟ୍ଟନାୟକ 

ଆସନ୍ତାକାଲିଠାରୁ କ୍ରମାଗତ ଭାବେ ଉପସ୍ଥାପିତ ହେବ ଏହି ପୁସ୍ତକର ପାଠ୍ୟ ମୋର ସମ୍ବାଦିକୀୟ କର୍ତ୍ତବ୍ୟ ଭାବେ ଏହିଠାରେ। ଓଡ଼ିଆ ଭାଷାକୁ ମାରିଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଜାଲିଆତି ପ୍ରୟୋଗ କରି ଭାଷା ଆଇନର ଅପସଂଶୋଧନ କରିଛନ୍ତି ।

ଏପରି ଜାଲିଆତି ଗଣତାନ୍ତ୍ରିକ ଇତିହାସରେ କେଉଁଠି କେବେ ଘଟିନାହିଁ । ତେଣୁ ଏହା ଜାଣିବାର ଅଧିକାର ସମସ୍ତ ଓଡ଼ିଆଙ୍କର ଅଛି ।

ମୁଖ୍ୟମନ୍ତ୍ରୀ ଚାହିଁଲେ ଏହାକୁ ସପ୍ରମାଣ ଖଣ୍ଡନ କରିପାରିବେ ଓ ସେ ଯାହା କହିବେ, ମୁଁ ତାହା ପ୍ରକାଶ ବି କରିବି ।

ଆମ ଭାଷାମାଆ ଏଥର କିନ୍ତୁ ହାରିବ ନାହିଁ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

(ଫେସବୁକରେ ଥିବା ୧୩।୧୧।୨୦୧୯ ତାରିଖର ଉପସ୍ଥାପନା)

ଆମ ଭାଷାମାଆ ଏଥର କିନ୍ତୁ ହାରିବ ନାହିଁ ।

ଅଣଓଡ଼ିଆ ଆଇ.ଏ.ଏସ୍. ଅଫିସରମାନେ ଓଡ଼ିଶା ପ୍ରଶାସନରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ରହି ଓଡ଼ିଶାର ମୁଖ୍ଯମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ନିଜ କାବୁରେ ରଖି ଆମ ପ୍ରଦେଶ ସୃଷ୍ଟିର ଉଦ୍ଦେଶ୍ୟକୁ ପଣ୍ଡ କରିବା ପାଇଁ ଆମ ଭାଷାକୁ କିପରି ଆମ ରାଜ୍ୟ ପରିଚାଳନାର ଭାଷା କରାଇଦେଉନାହାନ୍ତି ତାହାର ଦୃଷ୍ଟାନ୍ତ ଭାବେ ମୁଁ ଏଥିପୂର୍ବରୁ ଜି.ଭି ଭି.ଶର୍ମାଙ୍କ କଥା ଉଲ୍ଲେଖ କରିଛି । ସ୍ବାଧୀନତା ପରେ ପରେ ଏହି ଅଣଓଡ଼ିଆଙ୍କ ଷଡ଼ଯନ୍ତ୍ରର ଶିକାର ହୋଇଥିଲା ଆମ ଭାଷା ତାହାର ଏକ ଉଦାହରଣ ଦେବା ପାଇଁ ମୁଁ ଆଜି ୧୪।୯।୧୯୪୭ ତାରିଖରେ ବ୍ରହ୍ମପୁରଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ବିଶେଷ ଅଧିବେଶନର ପ୍ରଥମ ପ୍ରସ୍ତାବଟିକୁ ଏଠାରେ ଉଦ୍ଧାର କରୁଛି:

“୧ମ ପ୍ରସ୍ତାବ – ଓଡ଼ିଶା ପ୍ରାଦେଶିକ ସରକାର ଗଞ୍ଜାମ ଓ କୋରାପୁଟରେ କେତେ ଅଞ୍ଚଳରେ ତେଲୁଗୁ ଭାଷାକୁ ସରକାରୀ ଭାଷା ରୂପେ ଚଳାଇବା ପାଇଁ ଯେଉଁ ଆଦେଶ କରିଛନ୍ତି ଏ ସମ୍ମିଳନୀ ତାର ତୀବ୍ର ପ୍ରତିବାଦ କରୁଅଛି । ଏହି ସମ୍ମିଳନୀ ଦୃଢ଼ ବିଶ୍ବାସ କରନ୍ତି ଯେ, ପ୍ରତ୍ୟେକ ପ୍ରଦେଶରେ କେବଳ ପ୍ରାଦେଶିକ ଭାଷା ହିଁ ସେହି ପ୍ରଦେଶର ଭାଷା ହୋଇ ରହିବା ଉଚିତ । ଓଡ଼ିଶା ପ୍ରଦେଶରେ ଓଡ଼ିଆ ଭାଷା ବ୍ୟତୀତ ଅନ୍ୟ କୌଣସି ଭାଷାର ସ୍ଥାନ ନାହିଁ । ଯେଉଁ ମୁଷ୍ଟିମେୟ ଆନ୍ଧ୍ର ବିକ୍ଷିପ୍ତ ଭାବରେ ଏ ପ୍ରଦେଶରେ ଅଛନ୍ତି ସେମାନେ ଏ ପ୍ରଦେଶର ପ୍ରାଦେଶିକ ଭାଷା ଜାଣନ୍ତି । ଏହିପରି ସମସ୍ତ କାରଣରୁ ଆମ୍ଭେମାନେ ସରକାରଙ୍କ ନିକଟରେ ଦାବି କରୁଅଛୁ ଯେ, ସରକାର ତୁରନ୍ତ ତାଙ୍କର ଆଦେଶ ପ୍ରତ୍ୟାହାର କରି ଓଡ଼ିଆ ଭାଷା ସମଗ୍ର ପ୍ରଦେଶର ଏକମାତ୍ର କଚେରୀ ଭାଷା ବୋଲି ଇସ୍ତାହାର କରନ୍ତୁ” (ନବୀନ, ୧୬।୯।୧୯୪୭) ।

ସରକାର କର୍ଣ୍ଣପାତ କରି ନଥିଲେ; କାରଣ ତହିଁର ମୁଖ୍ୟ ଥିଲେ ହରେକୃଷ୍ଣ ମହତାବ । ଏ ହେଉଛନ୍ତି ସେହି ମହତାବ ଯାହାଙ୍କ ଇଙ୍ଗିତରେ ୧୯୪୮ ଏପ୍ରିଲ ପହିଲାରେ ଓଡ଼ିଆ ଭାଷାକୁ ସରକାରୀ ଭାଷା କରିବା ପାଇଁ ଆଇନ ପ୍ରଣୟନ ସକାଶେ ପ୍ରସ୍ତାବ ଦେଇ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ରଙ୍କୁ ଭୟଙ୍କର ପ୍ରତିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଅତଏବ, ଦୁର୍ନୀତିଲିପ୍ତ ରାଜନେତାମାନଙ୍କୁ କବ୍ଜାରେ ରଖି ଅଣଓଡ଼ିଆ ଅଫିସରମାନେ ସ୍ୱାଧୀନତା ପରଠାରୁ ଏ ଯାଏଁ ଆମ ମାତୃଭାଷାକୁ ଆମ ରାଜ୍ୟରେ ଅକାମୀ କରିରଖିଛନ୍ତି ।

ତେଣୁ ଆମ ଭାଷାରେ ଆମ ରାଜ୍ୟ ପରିଚାଳନା ପାଇଁ ଚାଲିଥିବା ଆମ ଆନ୍ଦୋଳନ ଅଣଓଡ଼ିଆ ଅଧ୍ୟୁଷିତ ରାଜ୍ୟ ସରକାରଙ୍କ ପାଇଁ ଅସହ୍ୟ ହେଉଛି ଓ ଆମ ଭିତରୁ ଅର୍ଥଲୋଭୀମାନଙ୍କୁ ଠାବ କରି ସରକାର ପୋଷାମନେଇ ଆମ ବିରୁଦ୍ଧରେ ପ୍ରୟୋଗ କରୁଛନ୍ତି ।

ଆମ ଭାଷା ମାଆ ଏଥର କିନ୍ତୁ ହାରିବ ନାହିଁ । କାରଣ ଆମେ ତାକୁ ଅଧାବାଟରେ ଛାଡ଼ି ପଳାଇବୁ ନାହିଁ । କଳାପତାକାର ନିଶବ୍ଦ ଲହର ଓଡ଼ିଆ ଜାତିର ଆତ୍ମାରେ ପ୍ରତିଧ୍ୱନିତ ହେବା ଆରମ୍ଭ କଲାଣି । ସୁପ୍ତ ସିଂହ ଧୀରେ ଧୀରେ ଜାଗୁଛି ।