Posts from the Opinions Category

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ସେଦିନର ସଙ୍କଟ ଆଜି ବି ସେମିତି ଅଛି । ଓଡିଶା ପ୍ରଦେଶ ସୃଷ୍ଟିର ଉଦ୍ଦେଶ୍ୟ ପଣ୍ଡକାରୀମାନେ ଆଜି ବି ଦଣ୍ଡବିଧାନର ଉର୍ଦ୍ଧ୍ବରେ । ସେଦିନଠାରୁ ଆଜି ଯାଏଁ ଓଡ଼ିଆବିରୋଧୀ ନାଟକରେ ସେମିତି ନାୟକ ହୋଇରହିଛନ୍ତି ମୁଖ୍ୟମନ୍ତ୍ରୀ । ଭାଷା ଜନନୀ ପଛେ ମରିଯାଉ , ତାଙ୍କ ଗୋଡ଼ାଣିଆମାନେ ଏବେ ବି ଭାବୁଛନ୍ତି, “ତୋଷାମଦ କରି ବଢ଼ାଇବେ ଜାତି ମାନ” !

“ଉଠରେ ଉଠରେ ଉତ୍କଳ ସନ୍ତାନ ଉଠିବୁ ତୁ କେତେଦିନେ?”
ହେ କୁଳଗୌରବ , ଏ ଜାତିକି ଶକ୍ତିଦିଅ ।

ସୁଭାଷ ଚନ୍ଦ୍ର ପଟ୍ଟନାୟକ
ଅଧ୍ୟକ୍ଷ , ଭାଷା ଆନ୍ଦୋଳନ , ଓଡିଶା

ସମସ୍ତେ କହନ୍ତି ଏପ୍ରିଲ ପହିଲାରେ ଓଡ଼ିଶାର ଜନ୍ମ ଦିବସ । କାହିଁକି ଏହା ଜନ୍ମ ନେଲା ତାହା ହିଁ ମୁଁ କହିବି ।

ଉତ୍କଳ ପ୍ରଦେଶ ଭାବେ ଓଡିଶା ରାଜ୍ୟ ଜନ୍ମ ନେଇଥିଲା ୧୯୩୬ ଏପ୍ରିଲ ପହିଲାରେ । ଏହାର ୧୬ ବର୍ଷ ପୂର୍ବରୁ ୧୯୨୦ରେ ମହାତ୍ମା ଗାନ୍ଧୀ କହିଥିଲେ, ପଡ଼ୋଶୀ ପ୍ରଦେଶଗୁଡ଼ିକରୁ ଖସାଇ ଆଣି ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡିକୁ ଏକତ୍ର କରି ଗୋଟିଏ ଶାସନରେ ନ ରଖିଲେ ଏହି ସୁନ୍ଦର ଓଡ଼ିଆ ଜାତିର ପ୍ରକୃତ ବିକାଶ ସମ୍ଭବ ହେବ ନାହିଁ (Young India, February 18, 1920) । ମହାତ୍ମାଙ୍କ ଏକନିଷ୍ଠ ସମର୍ଥନ ହେତୁ ୧୯୨୧ରେ ଗଠିତ ହେଲା ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ; ଅର୍ଥାତ୍ , ୧୯୩୬ରେ ଭୌଗୋଳିକ ଉତ୍କଳ ପ୍ରଦେଶ ସୃଷ୍ଟି ହେବାର ୧୫ ବର୍ଷ ପୂର୍ବରୁ ଭାରତୀୟ ଜାତୀୟ କଂଗ୍ରେସ ଉତ୍କଳ ପ୍ରଦେଶର ଭାବଗତ ଅସ୍ତିତ୍ବକୁ ସ୍ବୀକାର କରିଥିଲା । କିନ୍ତୁ ଗାନ୍ଧିଜୀଙ୍କ ଏ ସମର୍ଥନ ଓ କଂଗ୍ରେସର ଏ ସ୍ବୀକୃତି ମନକୁମନ ଆସିନଥିଲା । ଓଡ଼ିଆ ଜାତିର ନିରବଛିନ୍ନ ଓ ନୀତିନିଷ୍ଠ ସଂଗ୍ରାମ ଏଥିପାଇଁ ସେମାନଙ୍କୁ ବାଧ୍ୟ କରିଥିଲା , ଯେପରି ବାଧ୍ୟ କରିଥିଲା ବ୍ରିଟିଶକୁ ୧୯୩୬ରେ ଉତ୍କଳ ପ୍ରଦେଶ ଗଢ଼ିବା ପାଇଁ ଓ ରାଜାମାନଙ୍କୁ ସ୍ଵାଧୀନତା ପରେ ଏହି ପ୍ରଦେଶ ସହ ନିଜ ନିଜ ରାଜ୍ୟମାନଙ୍କୁ ମିଶାଇଦେବା ପାଇଁ ।

ଅତଏବ ୧୯୩୬ ପୂର୍ବରୁ ଉତ୍କଳ ପ୍ରଦେଶ ବା ଓଡ଼ିଶା ବୋଲି କୌଣସି ରାଜ୍ୟ ନଥିଲା । ଆମେ ଯେତେବେଳେ ଆଜି ଏ ରାଜ୍ୟର ଜନ୍ମଦିନ ପାଳନ କରୁଛେଁ , ଆବଶ୍ୟକ ହେଉଛି ଜାଣିବା କାହିଁକି ଏ ରାଜ୍ୟ ଜନ୍ମ ହେଲା ।

 

 

ଏଠାରେ ଥିବା ‘କ’ ଚିହ୍ନିତ ଛବିଟିକୁ ଭଲଭାବେ ଦେଖନ୍ତୁ । ତେଲୁଗୁ ଅକ୍ଷରରେ ମୁଦ୍ରିତ ହୋଇଥିବା ଏହି ଫର୍ମରେ ହାତରେ ଲେଖା ହୋଇଛି ଗଂଜାମ ଜିଲ୍ଲା ନିବାସୀ ଜଣେ ଓଡ଼ିଆଙ୍କ ନାମ ଓ ଠିକଣା । ଏହା କି ଫର୍ମ , କଣ ଏଥିରେ ଲେଖା ହୋଇଛି କିଏ ଜାଣେ ? ଏଇଟିକି ମୁଁ ବ୍ରହ୍ମପୁର ସହରର ଗାନ୍ଧିନଗର ୯ମ ସାହି ବାସିନ୍ଦା ଭଗବାନ ସାହୁଙ୍କଠାରୁ ସଂଗ୍ରହ କରିଛି । ଏହା ୧୯୦୫ ମସିହାର ଏକ ଦସ୍ତାବିଜ । ଏଇଟି ତେଲୁଗୁ ଭାଷାରେ ମୁଦ୍ରିତ ହୋଇଥିବା ବେଳେ , ‘ଖ’ ଚିହ୍ନିତ ଦସ୍ତାବିଜଟି ୧୮୯୭ର ଓ ସମ୍ପୂର୍ଣ ଓଡ଼ିଆରେ ମୁଦ୍ରିତ । ‘ଗ’ ଚିହ୍ନିତ ଦସ୍ତାବିଜଟିକୁ ନିଠେଇ ଦେଖନ୍ତୁ । ଏଇଟି ୧୮୯୮ର । ଏଠାରେ ଓଡ଼ିଆ ଲେଖା ତଳେ ତେଲୁଗୁ ଭାଷାରେ ଲେଖା ଅଛି । ଏହାର ଅର୍ଥ ହେଲା , ୧୮୯୭ରେ ଦପ୍ତରମାନଙ୍କର ଭାଷା ସମ୍ପୂର୍ଣ୍ଣତଃ ନିରୋଳା ଓଡ଼ିଆ ହୋଇଥିବା ବେଳେ ୧୮୯୮କୁ ଓଡ଼ିଆ ସାଙ୍ଗକୁ ତେଲୁଗୁ ଚଳାଇ ୧୯୦୫ ବେଳକୁ ସମ୍ପୂର୍ଣ୍ଣ ତେଲୁଗୁରେ ଶାସନ ଚାଲିଥିଲା ଗଂଜାମ ଇଲାକାରେ । ଏହା ଫଳରେ ଓଡ଼ିଆ ଲୋକମାନେ ଏପରି ତଳିତଳାନ୍ତ ହୋଇଗଲେ ଯେ ଗଞ୍ଜାମର କରଣମାନେ ନିଜ ଭାଷାଭାଷୀ ଭାଇଭଉଣୀମାନଙ୍କୁ ଆଇନ ଅଦାଲତରେ ହେଉ ବା ଜମିଜମା ବନ୍ଦୋବସ୍ତରେ ହେଉ ସାହାଯ୍ୟ କରିବା ପାଇଁ ତେଲୁଗୁ ଭାଷା ଆୟତ୍ତ କରିବାକୁ ବାଧ୍ୟ ହେଲେ । ବିଲାତି ଶାସନ ସଂକଳିତ ‘କୋରାପୁଟ ଗେଜେଟିଅର’ର ପୃଷ୍ଠା ୮୫ରେ ଉଲ୍ଲେଖ ଅଛି “Sisti Karanas, originally Oria, adopted Telugu language when Southern areas were lost to Oriyas.”

ଦକ୍ଷିଣ ଓଡ଼ିଶାର ଦପ୍ତରମାନଙ୍କରେ ତେଲେଙ୍ଗା ଭାଷାକୁ ରାଜଭାଷା ଭାବେ ଜାରି କରିବା କାମ ବିଲାତି ବେପାରୀଏ ଓଡ଼ିଆ ଭାଷାଭାଷୀ ଅଂଚଳ ଦଖଲ କରିବା ପରେ ପରେ ଆରମ୍ଭ ହୋଇଥିଲା । “କଚେରୀରେ ତେଲେଙ୍ଗା ବିଦ୍ୟା ପ୍ରଚାର ହେବାରୁ କ୍ରମେ କ୍ରମେ ଏ ଦେଶ ଲୋକଙ୍କର ଶ୍ରୀ ଚ୍ୟୁତ ହୋଇ ଯଶଃ ଶ୍ରୀ ବିଦ୍ୟା ବୁଦ୍ଧି ଲୋପ ହେବା ପ୍ରତ୍ୟକ୍ଷେ ସରକାରରୁ ନ୍ୟାୟ ଲଭିବାର ଦୁଷ୍କର ହୋଇଅଛି” ବୋଲି ଦର୍ଶାଇଥିଲା ଘୁମୁସରର ରସଲକୋଣ୍ଡା ଠାରେ ଦୀନବନ୍ଧୁ ପଟ୍ଟନାୟକଙ୍କ ଦ୍ଵାରା ଆୟୋଜିତ ଓଡ଼ିଆମାନଙ୍କର ପ୍ରଥମ ସମ୍ମିଳନୀ ୧୮୭୦ ସେପ୍ଟେମ୍ବର ୧୧ ତାରିଖରେ । ଓଡ଼ିଆ ଭାଷାକୁ ପୁନର୍ବାର ଦାପ୍ତରିକ ଭାଷା କରାଯାଉ, ନଚେତ ସବୁ ଓଡ଼ିଆ ଭାଷାଭାଷୀ ଅଂଚଳକୁ ଏକତ୍ର କରି ଗୋଟିଏ ଶାସନରେ ରଖାଯାଇ ସେଠାରେ ଓଡ଼ିଆକୁ ରାଜଭାଷା କରାଯାଉ ବୋଲି ଏହି ସମ୍ମିଳନୀରେ ଦାବି କରାଯାଇ ଏଥିରେ ସହଯୋଗ କରିବାକୁ କଟକଜିଲ୍ଲା ଉତ୍କଳଦେଶୀୟ ମହାଶୟ ମାନଙ୍କୁ ନିବେଦନ କରାହୋଇଥିଲା । ସେମାନଙ୍କୁ ଆହ୍ବାନ ଦେଇ କୁହାହୋଇଥିଲା , “ଶାସ୍ତ୍ରାନୁସାରେ (ଅର୍ଥାତ୍ ସେମାନଙ୍କ ଭାଷା ସାହିତ୍ୟର ଭିତ୍ତି ଉପରେ) ଉତ୍କଳଦେଶ ସମଗ୍ର ଏକତ୍ର ହୋଇ ଓଡ଼ିଶା ଜିଲ୍ଲାରେ ରହିବା ଓ ସର୍ବତ୍ର ଉତ୍କଳ ଦେଶ ଅଦାଲତରେ ଉତ୍କଳ ବିଦ୍ୟା ପ୍ରଚଳ ହେବା ନିମିତ୍ତ ଭାରତବର୍ଷର ଶ୍ରୀଯୁକ୍ତ ରାଇଟ୍ ଅନରେବ୍ଲ ଗଭର୍ଣ୍ଣର ଜେନେରାଲ୍ ବାହାଦୁରଙ୍କ ହଜୁରରୁ ହୁକୁମ ହେବା କାରଣ କଟକ ଜିଲ୍ଲା ଉତ୍କଳ ଦେଶୀୟ ମହାଶୟମାନେ ଯଥୋଚିତ ତଦ୍ବିର କରି ଚିରସ୍ଥାୟୀ କୀର୍ତ୍ତି ରଖିବାର ଯଶଃ ପ୍ରକାଶ କରନ୍ତୁ ।”

ଅତଏବ ଓଡ଼ିଆ ଭାଷାରେ ଦପ୍ତର ଓ ଅଦାଲତଗୁଡିକ ନ ଚାଲି ଦକ୍ଷିଣ ଓଡ଼ିଶାରେ ତେଲୁଗୁ ଭାଷା ରାଜଭାଷା ହୋଇଯିବାରୁ ତଦ୍ଦ୍ଵାରା ଓଡ଼ିଆମାନଙ୍କର “ଯଶଃ ଶ୍ରୀ ବିଦ୍ୟା ବୁଦ୍ଧି ଲୋପ ହେବା” ଫଳରେ ନିଜ ମାତୃଭାଷା ଓଡ଼ିଆ ଯେପରି ପୁନଶ୍ଚ ଅଫିସ ଓ ଅଦାଲତମାନଙ୍କରେ ପୁନଃ ପ୍ରବର୍ତ୍ତିତ ହୁଏ ତା ପାଇଁ ଏକ ସ୍ବତନ୍ତ ଓଡିଶା ପ୍ରଦେଶ ଗଠନ ପାଇଁ ଘୁମୁସର ସମ୍ମିଳନୀ ଆହ୍ବାନ ଦେଇଥିଲା । ଏହା ଯଥୋଚିତ ବୋଲି ମତ ଦେଇ ଉତ୍କଳ ଦୀପିକା ସମ୍ପାଦକ ଲେଖିଥିଲେ , “ବଙ୍ଗଳା ଓ ମଧ୍ୟପ୍ରଦେଶ ଅଧୀନରେ ଥିବା ଓଡ଼ିଆ ଭାଷାଭାଷୀ ଅଂଚଳରେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷା ପ୍ରଚାର ଅଛି ……ଯେବେ ବଙ୍ଗଳା ଓ ମଧ୍ୟପ୍ରଦେଶରେ ଏପରି ହେଲା ତେବେ ମାନ୍ଦ୍ରାଜ ଗଭର୍ଣ୍ଣମେଣ୍ଟ ଅନ୍ତର୍ଗତ ଓଡ଼ିଶାରେ କାହିଁକି ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟାଳୟମାନଙ୍କରେ କାର୍ଯ୍ୟ ନ ଚଳିବ ?” (ଉତ୍କଳଦୀପିକା, ୨୨ । ୧୦ । ୧୮୭୦) ।

ଘୁମୁସରର ଏହି ସମ୍ମିଳନୀ ଥିଲା ଭାଷା ଭିତ୍ତିରେ ପ୍ରଦେଶ ଗଠନର ପ୍ରଥମ ପରିକଳ୍ପନାର ପ୍ରଥମ ପରିପ୍ରକାଶ (ସୁଭାଷ ଚନ୍ଦ୍ର ପଟ୍ଟନାୟକ,ଓଡ଼ିଶା ପ୍ରଦେଶ ସୃଷ୍ଟିରେ ଗଣମାଧ୍ୟମ,https://www.scribd.com/doc/19216578/Role-of-Mass-Media-in-Creation-of-Orissa, ୨୦୦୯) । ଘୁମୁସରରୁ ଆରମ୍ଭ ହୋଇ ଭାଷା ଜାତୀୟତାର ସ୍ରୋତ ସାରା ଗଞ୍ଜାମରେ ବ୍ୟାପିଗଲା ଓ ଏହା ଏପରି ରୂପ ଧାରଣ କଲା ଯେ, ମାନ୍ଦ୍ରାଜ ସରକାର ୧ ଅଗଷ୍ଟ ୧୮୯୦ ତାରିଖରେ ବାଧ୍ୟ ହୋଇ ଘୋଷଣା କଲେ କି , ଘୁମୁସରରେ ଥିବା ସମସ୍ତ ସରକାରୀ ଅଫିସ ତଥା ଅଦାଲତମାନଙ୍କରେ କେବଳ ଓଡ଼ିଆ ଭାଷାରେ ହିଁ କାମ ହେବ । କିନ୍ତୁ ଅଣଓଡିଆଙ୍କ ଚକ୍ରାନ୍ତ ହେତୁ ଏହି ଏକା ଆଦେଶରେ ପୁନଶ୍ଚ କୁହାହେଲା , ଘୁମୁସର ଭିନ୍ନ ଗଂଜାମ ଜିଲ୍ଲାର ଅନ୍ୟତ୍ର ଓଡ଼ିଆ ସାଙ୍ଗକୁ ତେଲୁଗୁ ବି ଚାଲିବ । ଫଳରେ ଯାହା ହେଲା ତାର ପ୍ରତିଛବି ଆମେ ‘ଖ’ ଓ ‘ଗ’ ଚିହ୍ନିତ ଦସ୍ତାବିଜରେ ଦେଖୁଁ । ନିଜ ଭାଷା ପାଇଁ ଗଂଜାମ ଜିଲ୍ଲା ସଂଘର୍ଷ ରତ ଥିବା ବେଳେ ୩୦ ଜାନୁଆରୀ ୧୮୯୫ ତାରିଖର ମଧ୍ୟପ୍ରଦେଶ ଗେଜେଟରେ ସେଠିକା ସରକାର ସମ୍ବଲପୁର ମୂଲକରେ ୧୮୯୬ ଜାନୁଆରୀ ପହିଲାରୁ ଓଡ଼ିଆ ପରିବର୍ତ୍ତେ ହିନ୍ଦୀରେ ସରକାରୀ କାମ ହେବ ବୋଲି କହିଲେ । ତା ପ୍ରଭାବରେ ମାନ୍ଦ୍ରାଜ ସରକାର ଗଞ୍ଜାମରେ ପ୍ରବର୍ତ୍ତନ କଲେ ସମ୍ପୁର୍ଣ୍ଣ ତେଲୁଗୁ ଯାହାର ପ୍ରତିଛବି ଆମେ ‘କ’ ଚିହ୍ନିତ ଦସ୍ତାବିଜରେ ଦେଖୁଁ । ସମ୍ବଲପୁର ମାତିଉଠିଲା ନିଜ ମାତୃଭାଷା ଓଡ଼ିଆକୁ ରାଜଭାଷା ଭାବେ ପୁନଃ ପ୍ରତିଷ୍ଠା କରିବା ପାଇଁ ।

ପୁଣ୍ୟଶ୍ଳୋକ ଦାମୋଦର ପଟ୍ଟନାୟକ ଥିଲେ ତାଳଚେର ରାଜ୍ୟର ପରିଚାଳକ (Manager) ସେଠିକା ରାଜା ନାବାଳକ ଥିବା ହେତୁ । ସମ୍ବଲପୁରରେ ହିନ୍ଦୀ ପ୍ରଚଳନକୁ ବିରୋଧ କରି ଯେଉଁ ଆନ୍ଦୋଳନ ଚାଲିଥିଲା ସେ ତାକୁ ଆର୍ଥିକ ସାହାଯ୍ୟ କରୁଥିଲେ କେବଳ ନୁହେଁ , ସବୁ ଲୋକ ଗାଇ ପାରିଲା ପରି ଗୀତ ଲେଖି ମାତୃଭାଷା ଓଡ଼ିଆ ପାଇଁ ଜୀବନପଣକରି ଲାଗିବାକୁ ଲୋକଙ୍କୁ ପ୍ରଚୋଦିତ କରୁଥିଲେ । ‘ଉତ୍କଳଦୀପିକା’ରୁ ଉଦ୍ଧାର କରି ‘ସମ୍ବଲପୁର ହିତୈଷୀଣି’ ତାଙ୍କର ଏପରି ଏକ ଗୀତ ୮ ଏପ୍ରିଲ ୧୮୯୬ରେ ପ୍ରକାଶ କରିଥିଲା ଯାହା ସମଗ୍ର ପଶ୍ଚିମ ଓଡ଼ିଶାରେ ଓଡ଼ିଆ ଭାଷା ପୁନଃ ପ୍ରଚଳନ ପାଇଁ ଚାଲିଥିବା ଆନ୍ଦୋଳନକୁ ଲେଲିହାନ କରିଥିଲା । ‘ଭୈରବୀ ରାଗ , ଆଦି ତାଳ’ରେ ଗେୟ ଏହି ମହାନ ବୈପ୍ଲବିକ ଗୀତରୁ ମୁଁ ଶେଷ ପଦ ଦୁଇଟିକୁ ଏଠାରେ ଉଦ୍ଧାର କରୁଛି :

“ଯାଉ ଏ ଜୀବନ ଧନ ହୁଅ ଏକ ପ୍ରାଣ ମନ
ହେଉ ଶରୀର ପତନ ରଖ ଏବେ ପଣ
ସର୍ବେ ରଖ ଏବେ ପଣ ।।
ଜନନୀ ରାସନ ହିନ୍ଦୀ କାଟି ଜାତିକି ନିନ୍ଦି
ଉଠରେ ଉତ୍କଳ ଭାଇ ଘେନ ନିବେଦନ
ଭାଇ ସହେ କି ଜୀବନ ?”

ସମ୍ବଲପୁର ଜିଲ୍ଲାରୁ ଉତ୍କଳ ଭାଷା ଉଠିଯାଇ ହିନ୍ଦୀଭାଷା ପ୍ରଚଳିତ ହେବା ସମ୍ବାଦରେ ଉତ୍କଳ ଭାରତୀଙ୍କ କ୍ଷୋଭ ଏକ କବିତା ପ୍ରକାଶ ପାଇଥିଲା ସମ୍ବଲପୁର ହିତୈଷୀଣୀର ଭାଗ ୬, ସଂଖ୍ୟା ୩୬ରେ । ତହିଁରୁ ପଦେ –

“ସମ୍ବଲପୁରର ଅଧିବାସୀମାନେ
ଉତ୍କଳ ଚିର ସନ୍ତାନ
ହିନ୍ଦୀ ଆଧିପତ୍ୟ ହୋଇବ ସେଠାରେ
ଶୁଣି ସର୍ବେ ହତ ଜ୍ଞାନ ।”

ଓଡ଼ିଆ ଭାଷା ଜାତୀୟତାର ଶ୍ରେଷ୍ଠ ସାରସ୍ବତ ସେନାପତି ସ୍ଵଭାଵକବି ଗଙ୍ଗାଧର ମେହେର ‘ଉତ୍କଳ ଭାରତୀଙ୍କ ନିବେଦନ’ ଶିର୍ଷକ କବିତାରେ କାଳେ ବିଲାତ ସରକାର ରାଗିବେ ଏହି ଭୟରେ ଓଡ଼ିଆ ଭାଷା ଆନ୍ଦୋଳନଠୁ ଦୁରେଇ ରହିଥିବା ସମ୍ବଲପୁର ଅଂଚଳର ରାଜାମହାରାଜାମାନଙ୍କୁ ଘୋର ଆକ୍ରମଣ କରିଥିଲେ । ଏପରିକି ନିଜ ଇଲାକାର ରାଜାଙ୍କୁ ସେ ଆକ୍ଷେପ କରି କହିଥିଲେ ,

“ବରପଲ୍ଲୀପତି ଜାଣଇଁ ମୁହିଁ ତୁମ୍ଭର ମନ ।
ମୋହ ଲାଗି କହି ପାରିବ ପଦେ ଅଧେ ବଚନ ?
ହରିହର ସିଂହ ତୁମ୍ଭେ ତ କିଛି କହିବ ନାହିଁ
କହିଲେ ଅବା ଉପାଧିଟି ରାଜେ ନେବେ ଛଡ଼ାଇ !”

ନାହିଁନଥିବା ଓଡ଼ିଆ ଭାଷା ଜାତୀୟତାର ପ୍ଲାବନ ଖେଳିଗଲା ସମ୍ବଲପୁର ଅଂଚଳରେ ଯେହେତୁ ମାତୃଭାଷା ଓଡ଼ିଆ ବଦଳରେ ହିନ୍ଦୀ ରାଜଭାଷା ହେବାରୁ ଲୋକେ ପ୍ରଶାସନିକ ନର୍କରେ ପଡ଼ିଥିଲେ; ସେମାନଙ୍କ ଦୁର୍ଗତି ଥିଲା “ଅତ୍ୟନ୍ତ ହୃଦୟବିଦାରକ” ବୋଲି କହିଛନ୍ତ ବଡ଼ଲାଟ କର୍ଜନଙ୍କ ଦ୍ଵାରା ଆଦ୍ଦିଷ୍ଟ ହୋଇ ସମ୍ବଲପୁର ତମାମ ବୁଲି ନିଜର ପ୍ରତ୍ୟକ୍ଷଦର୍ଶୀ ବିବରଣୀ ଦେଇଥିବା କମିଶନର ଆଣ୍ଡ୍ରୁ ଫ୍ରେଜର । ତାଙ୍କ ପ୍ରଦତ୍ତ ବିବରଣୀରୁ କିୟଦାଂଶ :

“ଜିଲ୍ଲାଟିର ଭାଷା ଓଡ଼ିଆ । ଏହାର ପ୍ରଶାସନିକ ସମସ୍ୟା ଅସୀମ ।

“ମୁଁ ଯାହା ଦେଖିଲି ତାହା ଥିଲା ଅତ୍ୟନ୍ତ ହୃଦୟ ବିଦାରକ ।

“ମୁଁ ଦେଖିଲି , ୪୦ / ୫୦ ମାଇଲ ଦୂରରେ ରହୁଥିବା ଲୋକଙ୍କ ପାଖକୁ ହିନ୍ଦୀରେ ଲେଖା ହୋଇ ଅଦାଲତରୁ ସମନ୍ ଯାଉଥିଲା । ଯେଉଁ ଲୋକ ପାଖକୁ ଏପରି ସମନ୍ ଯାଉଥିଲା, ସେ ନିଜେ ତାହା ପଢ଼ିପାରୁନଥିଲା ବା ଗାଁରେ ମଧ୍ୟ କେହି ତାକୁ ପଢ଼ିପାରୁନଥିଲେ । ଯେଉଁ ଚଉକିଆ ଦ୍ଵାରା ସମନ୍ ଯାଉଥିଲା ସେ ମଧ୍ୟ ଥିଲା ନିରକ୍ଷର । ସୁତରାଂ ସେ ବି କହିପାରୁନଥିଲା ଯେ କେଉଁ କାରଣରୁ ଅଦାଲତରୁ ସମନ୍ ଜାରି ହୋଇଛି । ସମନ୍ ପାଇ ଅଦାଲତରେ ହାଜର ନହେଲେ ଦଣ୍ଡ ମିଳିବା ଭୟରେ ଲୋକଟି ଚାଲି ଚାଲି ବା ଶଗଡ଼ ଗାଡ଼ିରେ ଅଝାଡ଼ ଜଙ୍ଗଲ ଭିତରେ ୪୦ / ୫୦ ମାଇଲ ଆସି ଅଦାଲତରେ ହାଜର ହେଉଥିଲା ଏବଂ ଚେଷ୍ଟା କରୁଥିଲା ଯେ କାହିଁକି ତାକୁ ସମନ୍ ଜାରି ହୋଇଛି । ହୁଏତ ତାକୁ ସେତିକି ବୁଝିସାରି ମହଲତ ପାଇଁ ଦରଖାସ୍ତ କରିବାକୁ ବା ଯେଉଁ କାଗଜପତ୍ର ଦେଖାଇବାକୁ ତାକୁ ସମନ୍ ଯାଇଥିଲା ସେ କାଗଜପତ୍ର ଆଣିବାପାଇଁ ପୁଣି ଜଙ୍ଗଲେ ଜଙ୍ଗଲେ ସେହି ୪୦ / ୫୦ ମାଇଲ ବାଟ ଫେରିବାକୁ ପଡୁଥିଲା ।”

ଏପରି ନାନା “ଅତ୍ୟନ୍ତ ହୃଦୟବିଦାରକ” ପ୍ରତ୍ୟକ୍ଷଦର୍ଶୀ ଦୃଶ୍ୟରେ ଭରପୁର ଫ୍ରେଜରଙ୍କ ସମଗ୍ର ବିବରଣୀଟିକୁ ଓଡ଼ିଆରେ ଅନୁବାଦ କରି ମୁଁ ମୋ ଲିଖିତ ‘ଓଡ଼ିଶା ପ୍ରଦେଶ ସୃଷ୍ଟିରେ ଗଣମାଧ୍ୟମ’ ପୁସ୍ତକରେ ସନ୍ନିହିତ କରିଛି । ଫ୍ରେଜର ଯେଉଁ “ଅତ୍ୟନ୍ତ ହୃଦୟବିଦାରକ” ଦୃଶ୍ୟ ବର୍ଣ୍ଣନା କରିଛନ୍ତି ତାହା କେବଳ ନିଜ ମାତୃଭାଷା ଓଡ଼ିଆରେ ପ୍ରଶାସନିକ ସେବା ମିଳୁନଥିବା ହେତୁ ଲୋକେ ଭୋଗିଥିବା ବିପର୍ଯ୍ୟୟର ଦୃଶ୍ୟ , ଯେଉଁ ଦୃଶ୍ୟ ବର୍ତ୍ତମାନର ଓଡ଼ିଶାରେ ମର୍ମନ୍ତୁଦ ଭାବେ ଦୃଶ୍ୟମାନ ।

ଇଂରେଜମାନେ ଯେଉଁମାନଙ୍କୁ ସ୍ଥାନୀୟ ନୌକର (native servant) ବୋଲି କହୁଥିଲେ ସେହି ବଙ୍ଗାଳୀମାନଙ୍କ ଦ୍ଵାରା ବଙ୍ଗ ସଂଲଗ୍ନ ଓଡ଼ିଆ ଭାଷାଭାଷୀ ମୁଲକର ଅଫିସଗୁଡ଼ିକ ପରିଚାଳିତ ହେବାରୁ ଓଡ଼ିଆମାନେ ଯେଉଁ ଅଭୂତପୂର୍ବ ଲୁଣ୍ଠନ ଓ ବିପର୍ଯ୍ୟୟର ପଙ୍କରେ ପଡ଼ିଥିଲେ ତାର ବର୍ଣ୍ଣନା ଓଡିଶା ରାଜ୍ୟ ଅଭିଲେଖାଗାରରେ ସଂରକ୍ଷିତ ଥିବା ତତ୍କାଳୀନ କଟକ ଜିଲ୍ଲାପାଳ Trowerଙ୍କ ପ୍ରତ୍ୟକ୍ଷଦର୍ଶୀ ବିବରଣୀରେ ଦେଖିହୁଏ । ବଙ୍ଗାଳୀମାନଙ୍କୁ native servant ବୋଲି କହିଥିବା ଏହି ତୀକ୍ଷ୍ନଦୃଷ୍ଟିସମ୍ପନ୍ନ ଇଂରାଜୀ ଅଫିସର ସ୍ପଷ୍ଟ ଲେଖିଛନ୍ତି “A regular system of oppression and peculation appears to exist throughout and ………these people ( Bengalis) are considered the terror and scourge of the district.” (Revenue Administration in Orissa, Ms. Vol. 387)

ଅତଏବ, ମାତୃଭାଷା ଓଡ଼ିଆରେ ଅଫିସଗୁଡ଼ିକରେ କାମ ନ ହେଉଥିବା ହେତୁ ସମଗ୍ର ଓଡ଼ିଆ ଜାତି ଘୋର ବିପର୍ଯ୍ୟୟ କବଳରେ ପଡ଼ିଥିଲା । ଏଥିରୁ ନିସ୍ତାର ପାଇବାପାଇଁ ଓଡ଼ିଆ ଭାଷାରେ ଅଫିସ ଓ ଅଦାଲତ କାମ ଚାଲୁଚୋଲି ଆମ ପୁର୍ବପୁରୁଷେ ଦାବି କରିଥିଲେ । ମାତ୍ର ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକୁ ଖୂଂଦିଦିଆଯାଇଥିବା ପ୍ରଦେଶମାନଙ୍କରେ ଅଧିକ ସଂଖ୍ୟକ ଲୋକ ବ୍ୟବହାର କରୁଥିବା ଭାଷାରେ ହିଁ ସରକାରୀ କାମ ଚାଲିବ ବୋଲି ଇଂରେଜ ସରକାର ଯୁକ୍ତି କରିବାରୁ ସବୁ ଓଡ଼ିଆଭାଷୀ ଅଂଚଳକୁ ଏକାଠି କରି ଗୋଟିଏ ଶାସନରେ ରଖାଯାଉ ଓ ସେଠାରେ ଓଡ଼ିଆ ଭାଷା ସରକାରୀ ଭାଷା ହେଉ ବୋଲି ବିନବନ୍ଧୁ ପଟ୍ଟନାୟକଙ୍କ ମୂଳଯୁକ୍ତିକୁ କୁଳଗୌରବ ମଧୁସୂଦନ ଦାସ ପରିପୁଷ୍ଟ କରିବା ପରେ ତାଙ୍କ ନେତୃତ୍ବରେ ପରାଧୀନ ଭାରତର ସର୍ବଶ୍ରେଷ୍ଠ ଭାଷା ଆନ୍ଦୋଳନ କରି ଓଡ଼ିଆ ଜାତି ଭାରତର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ପ୍ରଦେଶ ସୃଷ୍ଟି କରିବା ପାଇଁ ବିଲାତି ସରକାରକୁ ବାଧ୍ୟକଲା ।

ଅତଏବ , ଓଡ଼ିଶା ସୃଷ୍ଟି ହୋଇଥିଲା କେବଳ ଗୋଟିଏ ଉଦ୍ଦେଶ୍ୟରେ । ତାହା ହେଲା ଓଡ଼ିଆ ଭାଷାରେ ତାର ପ୍ରଶାସନିକ ପରିଚାଳନା । ଏହି ଉଦ୍ଦେଶ୍ୟ ପଣ୍ଡ ହୋଇଚାଲିଥିବା ହେତୁ ପଣ୍ଡକାରୀମାନଙ୍କ ବିରୁଦ୍ଧରେ ଦଣ୍ଡବିଧାନ ସକାଶେ ବିଧିକ ବ୍ୟବସ୍ଥା କରିବା ପାଇଁ ଭାଷା ଆନ୍ଦୋଳନ ଚଳାଇଛି ତାର କଳାପତାକା ଅଭିଯାନ । ଏହା ସଫଳହେବାକୁ ବାଧ୍ୟ ; କାରଣ ମା ପାଇଁ ସଂଗ୍ରାମରେ ଜାତି କେବେ ହାରେ ନାହିଁ ।

ଜୟ ଓଡ଼ିଆ ଭାଷା ଜନନୀ ।

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଶା କିପରି ସୃଷ୍ଟିହେଲା ? କାହିଁକି  ସୃଷ୍ଟି ହେଲା ? କେଉଁମାନେ ଥିଲେ ତାର ପ୍ରକୃତ ନିର୍ମାତା ? କି ତପସ୍ୟା ଥିଲା ତାର ମୂଳାଧାର ? ଏହା ଯତ୍ପରୋନାସ୍ତି ସଂକ୍ଷେପରେ ଓ ସଠିକ ଭାବେ ଜାଣିବା ପାଇଁ ଏହି କ୍ଷୁଦ୍ର ବହିଟିକୁ ପଢ଼ନ୍ତୁ ।

ଓଡ଼ିଶାର ଭାଷା ଭିତ୍ତିକ ଜାତୀୟତାକୁ ପୁନର୍ଜୀବିତ କରିବାପାଇଁ ଏହି ଅମ୍ଲାନ ପ୍ରୟାଶରୁ ଭାଷା ଆନ୍ଦୋଳନର ସୃଷ୍ଟି । ୨୦୦୯ରେ ବିଶ୍ଵବାସୀ ଓଡ଼ିଆଙ୍କ ସମ୍ମୁଖରେ ଏହାର ପ୍ରଥମ ଉପସ୍ଥାପନା ହୋଇଥିଲା scribd.com ମାଧ୍ୟମରେ । ଏହି ସଂଯୋଗ ସରଣୀରୁ ଆପଣ ସମଗ୍ର ବହିଟି ପାଇବେ > https://www.scribd.com/doc/19216578/Role-of-Mass-Media-in-Creation-of-Orissa

ଭୁବନେଶ୍ଵରର ଶବ୍ଦସ୍ପର୍ଶ ଏହାକୁ ପୁସ୍ତକ ରୂପେ ମୁଦ୍ରିତ କରିଛି ଓ ଏ.କେ.ମିଶ୍ର ଏଜେନ୍ସି ଏହାକୁ ବିକ୍ରୟ କରୁଛି । ଆପଣ ଚାହିଁଲେ ନିଜ ପାଠାଗାର ପାଇଁ ଏହାକୁ ସେଠାରୁ କିଣିପାରିବେ ।

ଏଥିରେ ଆପଣ ପାଇବେ କେବଳ ଆମ ଭାଷା ପାଇଁ ହିଁ କିପରି ଆମ ରାଜ୍ୟ ନେଇଛି ଜନ୍ମ । ଓଡ଼ିଆ ଭାଷା ହିଁ କିପରି ଓଡିଶା ସୃଷ୍ଟି କରିଛି ତାର ସମସ୍ତ ପ୍ରାମାଣିକ ତଥ୍ୟ ଗଭୀର ବିଶ୍ଳେଷଣ ସହ ଏଥିରେ ସନ୍ନିହିତ । ଏହାକୁ ମନଦେଇ ପଢ଼ନ୍ତୁ ।

ଏହା ପଢ଼ିବାକୁ ଦି ଘଣ୍ଟା ଲାଗିପାରେ, ଦି ଦିନ ବି ଲାଗିପାରେ । କିନ୍ତୁ ମୋର ବିଶ୍ଵାସ , ଆପଣ ଚାହିଁଲେ ଉତ୍କଳ ଦିବସ ପୂର୍ବରୁ ଏହାକୁ ପଢ଼ିସାରିଥିବେ ।

ଅନ୍ଧ ପରି ଉତ୍କଳ ଦିବସ ପାଳିବା ପରିବର୍ତ୍ତେ ପ୍ରଥମେ ଜାଣନ୍ତୁ କେତେ କାହାର ତପସ୍ୟା ଫଳରେ ଆମ ପ୍ରଦେଶ ସୃଷ୍ଟି ହେଲା ଓ କାହିଁକି ସୃଷ୍ଟିହେଲା ।

ଆମ ପ୍ରଦେଶର ସୃଷ୍ଟି ତତ୍ତ୍ଵ ଜାଣି , ଏହାର ଉଦ୍ଦେଶ୍ୟ ସଫଳ କରିବାକୁ ଆମକୁ ଭାଷା ଆନ୍ଦୋଳନକୁ ସର୍ବବ୍ୟାପୀ କରିବାକୁ ହିଁ ହେବ ।

ବନ୍ଦେ ଓଡ଼ିଆ ଭାଷା ଜନନୀ ।

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ନୂଆ ଡାହାଣୀ ପୁଅ ଖେଳାଇଲା ପରି ବିଜେଡିରେ ନୂଆ ପଶିଥିବା ସମ୍ବାଦ ସମ୍ପାଦକ ବାବୁ ସୌମ୍ୟରଞ୍ଜନ ପଟ୍ଟନାୟକ ନବୀନବାବୁଙ୍କୁ ଖୁସି କରିବାକୁ ନିଜ ଟିଭି ଚ୍ୟାନେଲ୍ ସମ୍ପାଦକଙ୍କ ମୁହଁରେ ଶିକ୍ଷକମାନଙ୍କୁ ‘ବ୍ଲାକମେଲର’ ବୋଲି କୁହାଇଛନ୍ତି • ଏହାକୁ ସମାଲୋଚନା କରି ସାମାଜିକ ଗଣମାଧ୍ୟମରେ ମୁଁ ଲେଖିଥିଲି କି, ସେ ଏଥିପାଇଁ ଦୁଃଖ ପ୍ରକାଶ କରିବା ଉଚ୍ଚିତ • ଯଦି ନିଜଆଡୁ ସେ ଏପରି ପ୍ରଚାର କରାଇନଥାନ୍ତି ତେବେ ଚ୍ୟାନେଲ୍ ସମ୍ପାଦକଙ୍କୁ ଶିକ୍ଷକକୁଳ ଓ ରାଜ୍ୟବାସୀଙ୍କ ନିକଟରେ ନିସର୍ତ୍ତ କ୍ଷମା ମାଗିବାକୁ କହନ୍ତୁ ବୋଲି ମଧ୍ୟ ମୁଁ କହିଥିଲି • ସେ ବା ତାଙ୍କ ଚ୍ୟାନେଲ୍ ଏଥିପାଇଁ କର୍ଣ୍ଣପାତ କରିନାହାନ୍ତି •

ସେ ତ ଆନ୍ଦୋଳନକାରୀ ଶିକ୍ଷକମାନେ ବ୍ଲାକମେଲ୍ କରୁଛନ୍ତି ବୋଲି କହିଲେ / କୁହାଇଲେ • ଆମେ କାହିଁକି ତାହାକୁ ନିନ୍ଦା କରୁଛୁ ? ଏ ପ୍ରଶ୍ନର ଉତ୍ତର ସ୍ପଷ୍ଟ ହେବା ଉଚ୍ଚିତ •

ଆମ ବିଚାରରେ , ଯେଉଁ ଶିକ୍ଷକମାନେ କୋଡ଼ିଏ ପଚିଶ ବର୍ଷ ଧରି ବିଦ୍ୟାଳୟମାନଙ୍କରେ ପଢ଼ାଇ ଆସିଥିଲେ ମଧ୍ୟ ଚାକିରୀରେ ସ୍ଥାୟୀ ହୋଇ ନ ପାରି , ଅର୍ଥନୀତିକ ଦୁରାବସ୍ଥାରେ ସଢୁଛନ୍ତି, ସେମାନେ ସମସ୍ତେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ହିଁ ପାଠ ପଢ଼ାଉଛନ୍ତି ଓ ସେହିମାନଙ୍କ ହେତୁ ଓଡ଼ିଆ ଭାଷା ସମସ୍ତ ସରକାରୀ ଷଡ଼ଯନ୍ତ୍ର ସତ୍ତ୍ବେ ଏଯାଏଁ ବଞ୍ଚି ରହିଛି •

ନିଜର ସର୍ବନିମ୍ନ ଆବଶ୍ୟକତା ପୁରଣପାଇଁ ସେମାନଙ୍କ ସବୁ ପ୍ରାର୍ଥନା ବ୍ୟର୍ଥ ହେଲାପରେ ସେମାନେ ନିରୁପାୟ ଅବସ୍ଥାରେ ଆନ୍ଦୋଳନ କରୁଛନ୍ତି • ସେମାନଙ୍କ ଆନ୍ଦୋଳନକୁ ସମର୍ଥନ କରିବା ପରିବର୍ତ୍ତେ ସେମାନେ ବ୍ଲାକମେଲ୍ କରୁଛନ୍ତି ବୋଲି ସୌମ୍ୟ ବାବୁ ତାଙ୍କ ଟିଭି ଚ୍ୟାନେଲରେ କୁହାଇବା କେବଳ ଯେ ଆମ ଜାତି ପାଇଁ ଲଜ୍ଜାଜନକ, ସେତିକି ନୁହେଁ, ଓଡ଼ିଆ ଭାଷାପାଇଁ ବି ଘୋର କ୍ଷତିକାରକ • ଏତଦ୍ଦ୍ଵାରା ସେମାନଙ୍କ ମଥାରେ ବ୍ଲାକମେଲିଂ କରୁଥିବାର ଯେଉଁ କଳଙ୍କ ବୋଳି ଛାତ୍ର ଛାତ୍ରୀ ଓ ସାଧାରଣ ଲୋକଙ୍କ ଆଖିରେ ସେମାନଙ୍କ ପବିତ୍ର ଭାବମୂର୍ତ୍ତିକୁ ନଷ୍ଟ କରିବାକୁ ଅପୋଦ୍ୟମ ହୋଇଛି ତାହା ସର୍ବଥା ନିନ୍ଦନୀୟ • ଏଣୁ ଆମେ ତାଙ୍କୁ ନିନ୍ଦା କରୁଛୁ •

ଓଡ଼ିଆ ଭାଷା ବିରୁଦ୍ଧରେ ଏହା ସୌମ୍ୟ ବାବୁଙ୍କର ଏକ ନୂଆ ଚାଲ୍ • ତାଙ୍କ ପୁରୁଣା ଚାଲ୍ ସମ୍ପର୍କରେ ବାରାନ୍ତରେ ଆଲୋଚନା କରିବା •

ଏହି ପ୍ରତିବେଦନ ଏଇଠି ସାରିବା ପୂର୍ବରୁ ମୁଁ ସ୍ପଷ୍ଟ କରିଦେବାକୁ ଚାହେଁ ଯେ , ଓଡ଼ିଆମାଧ୍ୟମ ଶିକ୍ଷାୟତନମାନଙ୍କରେ ନିଯୁକ୍ତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଭାଷା ଆନ୍ଦୋଳନ ପୂର୍ଣ୍ଣପ୍ରାଣରେ ସମର୍ଥନ କରେ ଓ ସେମାନଙ୍କୁ ଚାକିରୀଗତ ଅସ୍ଥିରତା କବଳରୁ ଉଦ୍ଧାର କରି ଉପଯୁକ୍ତ ବେତନ ପ୍ରଦାନ କରାଯିବା ଉପରେ ଗୁରୁତ୍ବ ଦିଏ ; କାରଣ, ଏତଦ୍ଦ୍ଵାରା ହିଁ ଓଡ଼ିଆ ଜାତିର ଭବିଷ୍ୟ ପିଢ଼ି ହୃଦୟରେ ଓ ତାର କଣ୍ଠରେ ଓ କଲମରେ ଆମ ମାତୃଭାଷା ବଞ୍ଚିରହିବ ଓ ବିକଶିତ ହୋଇଚାଲିବ ; ଜବାହାରଲାଲ ନେହରୁ ବିଶ୍ଵବିଦ୍ୟାଳୟ ପରି ବାହାର ବିଶ୍ଵବିଦ୍ୟାଳୟମାନଙ୍କରେ ଓଡ଼ିଆ ଚଉକି ସଜାଇ କୋଟି କୋଟି ଟଙ୍କା ବ୍ୟୟରେ ତହିଁ ଉପରେ ଭାଷା ମାଫିଆଙ୍କ ଅଭିଷେକ ଦ୍ଵାରା ନୁହେଁ •

ଜୟ ଓଡ଼ିଆ ଭାଷା ଜନନୀ •

ଆଇନ ଅମାନ୍ୟ ଏକ ଦଣ୍ଡନୀୟ ଅପରାଧ – ଏତିକି ବୁଝିବାକୁ ମୁଖ୍ୟମନ୍ତ୍ରୀଙ୍କର ଯଦି ଦକ୍ଷତା ଥାନ୍ତା ତେବେ ଓଡିଶା ସରକାରୀ ଭାଷା ଆଇନର ଉଲ୍ଲଙ୍ଘନ ବିରୁଦ୍ଧରେ ଦଣ୍ଡବିଧାନ ପାଇଁ ଭାଷା ଆନ୍ଦୋଳନର କଳାପତାକା ଅଭିଯାନ ସାତଶହ ଦିନ ଅତିକ୍ରମ କଲା ପରେ ରାଜ୍ୟ କ୍ୟାବିନେଟ ବୁଧବାର ପୁନଶ୍ଚ ଓଡ଼ିଆ ଜାତିକୁ ଭେଳିକି ଦେଖାଇବାକୁ ସାହସ କରିନଥାନ୍ତା ବୋଲି ଭାଷା ଆନ୍ଦୋଳନ , ଓଡ଼ିଶାର ନେତୃତ୍ବ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ଆନ୍ଦୋଳନର ପ୍ରେସ ଵିଜ୍ଞପ୍ତି ପୂର୍ଣ୍ଣତଃ ସ୍ଥାନିତ ହେଲା ।