ଭାଷା ଜଗତରେ ମାଫିଆ ମତାଣ: ସନ୍ଦର୍ଭ ଚୋରଙ୍କ ପୃଷ୍ଠପୋଷକ କିଏ – ରାମଚନ୍ଦ୍ର କି ଧର୍ମେନ୍ଦ୍ର?

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଆ ଭାଷା ଜଗତରେ ମଫିଆ ମତାଣ ସପ୍ରମାଣ ଚିତ୍ର ମୁଁ ଦେଇଛି ‘ମିଛ କେବେ ସତ ହୁଏନା’ ଶୀର୍ଷକ ମୋର ପୁସ୍ତକରେ । ମୁଁ ଦର୍ଶାଇଛି ଯେ,  ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ସପକ୍ଷରେ ଓଡ଼ିଶା ସରକାର ଯେଉଁ ଯୁକ୍ତି-ସନ୍ଦର୍ଭ ପ୍ରସ୍ତୁତ କରିଥିଲେ, ତାକୁ ଚୋରେଇନେଇ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ତାଙ୍କ ସହଯୋଗୀ ସୁବ୍ରତ କୁମାର ପୃଷ୍ଟି  ନିଜ ନିଜକୁ ତାହାର ସ୍ରଷ୍ଟା ବୋଲି ଦେଖେଇ ନାନାବିଧ ଅବୈଧ ଆୟରେ ତାହାର  ଉପଯୋଗ କରୁଛନ୍ତି । 

ଶାସ୍ତ୍ରୀୟ ଓଡ଼ିଆ ପାଇଁ ଉଭୟେ ରାଷ୍ଟ୍ରପତି ସମ୍ମାନ ସକାଶେ ଆଶାୟୀ ଥିବା ବେଳେ, ସୁବ୍ରତ ହିଁ  ରାଷ୍ଟ୍ରପତିଙ୍କ ମହର୍ଷି ବଦରାୟଣ ବ୍ୟାସ ସମ୍ମାନ ଅକ୍ତିଆର କରିଛନ୍ତି ।  ଏହି ସମ୍ମାନ ପାଇଁ ତାଙ୍କର ଆବଶ୍ୟକୀୟ ଯୋଗ୍ୟତା ନଥିବା ବେଳେ କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ବିକାଶ ବିଭାଗ ଓ ରାଷ୍ଟ୍ରପତିଙ୍କ ଦପ୍ତର ଭ୍ରଷ୍ଟତା ଦ୍ଵାରା ପ୍ରଭାବିତ ହୋଇ ତାଙ୍କୁ ଏହି ସମ୍ମାନ ଦିଆଇଥିବା ସୁସ୍ପଷ୍ଟ  ।

ଓଡ଼ିଶାର ଦୁଇଜଣ ରାଜନେତା ଏହି କାମରେ ସୁବ୍ରତଙ୍କୁ ପୃଷ୍ଠପୋଷକତା ଦେଇଥିବା ସନ୍ଦେହ  । ଜଣେ ହେଲେ  ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ଯେ କି ସୁବ୍ରତ କରିଥିବା ସରକାରୀ ସନ୍ଦର୍ଭ ଚୋରିର ଉପଭୋକ୍ତା ଓ ଅନ୍ୟ ଜଣକ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଯାହାଙ୍କ ପ୍ରଭାବ ଉପରୋକ୍ତ ଦୁଇ ଦପ୍ତରକୁ ବାଟବଣା କରିଥିବା ଦିଲ୍ଲୀର ଏକ ବିଶ୍ଵସ୍ତ ସୂତ୍ରରୁ ଜଣା ପଡିଛି । 

ଏହି ସମ୍ମାନ ପାଇଁ ଯୋଗ୍ୟତାର ଯେଉଁ ମାନଦଣ୍ଡ ଧାର୍ଯ୍ୟ ହୋଇଛି ସେ ଦୃଷ୍ଟିରୁ ଏହି ସମ୍ମାନ ପାଇବାକୁ ସୁବ୍ରତ ସଂପୂର୍ଣ୍ଣ ଅଯୋଗ୍ୟ । ତାଙ୍କ ବିରୁଦ୍ଧରେ ଅଶ୍ଳୀଳତା ଅଭିଯୋଗରେ ଭୁବନେଶ୍ବରର ଏକ ଫୌଜଦାରୀ ମକଦ୍ଦମା ବିଚାରାଧୀନ ଅଛି । ଆଇନତଃ , ଏପରି କୌଣସି ମକଦ୍ଦମାରେ ବିଚାରାଧୀନ ଥିବା କୌଣସି ବ୍ୟକ୍ତି ରାଷ୍ଟ୍ରପତିଙ୍କ ଦ୍ଵାରା ପ୍ରଦତ୍ତ ଏହି ସମ୍ମାନ ପାଇପାରିବେ ନାହିଁ । ଅତଏବ ଏହା ହିଁ ସ୍ପଷ୍ଟ ଯେ, ରାଷ୍ଟ୍ରପତିଙ୍କୁ ମିଥ୍ୟା ତଥ୍ୟ ଦେଇ ବିଭ୍ରାନ୍ତ  କରା ହୋଇଛି । 

ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ପାଇଁ ସୁବ୍ରତଙ୍କର କୌଣସି ଅବଦାନ ନଥିବା ଓଡ଼ିଶା ସରକାରଙ୍କ ବିଶେଷଜ୍ଞ କମିଟି ପୂର୍ବରୁ ଘୋଷଣା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଏହି କମିଟିରେ ଜଣେ ବିଶେଷଜ୍ଞ ଥିଲେ ଅଧ୍ୟାପକ ପ୍ରସନ୍ନ କୁମାର ମହାନ୍ତି ଯାହାଙ୍କ ଅଧୀନରେ ଶାସ୍ତ୍ରୀୟ ମାନ୍ୟତା ପାଇଁ ଯୁକ୍ତି ସନ୍ଦର୍ଭ ପ୍ରସ୍ତୁତ ହୋଇଥିଲା ।  ସେ ଏହି କମିଟିରେ ନିଜ ଅଭିଜ୍ଞତା ଦୃଷ୍ଟିରୁ ଯେଉଁ ବୟାନ ଦେଲେ, ତାହା ସ୍ପଷ୍ଟ କରିଦେଲା ଯେ, ଓଡ଼ିଆ ଭାଷାର ଶାସ୍ତ୍ରୀୟତା ସମ୍ପର୍କରେ ସୁବ୍ରତଙ୍କର କୌଣସି ଉଲ୍ଲେଖନୀୟ ଗବେଷଣାତ୍ମକ ଅବଦାନ ନାହିଁ । ତେଣୁ,  ଶାସ୍ତ୍ରୀୟ ପୁରସ୍କାର ପାଇବା ପାଇଁ ତାଙ୍କ ନାମ ରାଷ୍ଟ୍ରପତିଙ୍କୁ ସୁପାରିଶ କରାଯାଇ ପାରିବନାହିଁ ବୋଲି ନିଷ୍ପତ୍ତି କରି ତାଙ୍କ ଦରଖାସ୍ତ ସରକାର ବରଖାସ୍ତ କରିଦେଇଥିଲେ । ଏହା ସୁବ୍ରତ ଜାଣନ୍ତି । କିନ୍ତୁ ଏକଥା ନିଶ୍ଚୟ ରାଷ୍ଟ୍ରପତିଙ୍କୁ ଲୁଚେଇ ରଖାଯାଇଛି । ଅତଏବ, ତାଙ୍କ ସପକ୍ଷରେ ରାଷ୍ଟ୍ରପତିଙ୍କୁ ଦିଆଯାଇଥିବା ସୁପାରିଶ ପତ୍ର ସୁନିଶ୍ଚିତ ଜାଲିଆତିପ୍ରସୂତ  । 

ଶାସ୍ତ୍ରୀୟ ମାନ୍ୟତା ସପକ୍ଷରେ ଓଡ଼ିଶା ସରକାର ତିଆରି କରିଥିବା ଯୁକ୍ତି ସନ୍ଦର୍ଭ ଚୋରି କରି ଓଡ଼ିଶାରେ ହଟଚମଟ ସୃଷ୍ଟିକରିଥିବା ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ସୁବ୍ରତ କୁମାର ପୃଷ୍ଟିଙ୍କ ଭିତରେ ଏବେ ବାଡ଼ିଆପିଟା ଚାଲିଛି ।  ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ୨୧.୮.୨୦୧୯ ତାରିଖର  ୨୩୫୭୧ ସଂଖ୍ୟକ ପତ୍ରରୁ ପ୍ରକାଶ ଯେ, ଏମାନଙ୍କ ବିରୁଦ୍ଧରେ ସର୍ବସତ୍ତ୍ଵ ସଂରକ୍ଷିତ ସରକାରୀ ସନ୍ଦର୍ଭ ଚୋରି ଅଭିଯୋଗ ଉପରେ ଓଡ଼ିଆ ଭାଷା ସାହିତ୍ୟ ଓ  ସଂସ୍କୃତି ବିଭାଗ ତଦନ୍ତ କରୁଛି । ଏ ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଭାବ ଟାଳି ପ୍ରଶାସନିକ କଳ ତାଙ୍କ ପାଖରେ ଏ ତଥ୍ୟ ପହଞ୍ଚାଇ ପାରି ନାହିଁ  ।     

ଓଡ଼ିଆ ଭାଷାର ଉତ୍କର୍ଷତା ଏହି ମାଫିଆ ମତାଣ ଦ୍ଵାରା ଯେପରି ନିଷ୍ପ୍ରଭ ହୋଇନଯାଏ ତାହା ଦେଖିବା ପ୍ରତି ଓଡ଼ିଆର ପ୍ରାଥମିକ କର୍ତ୍ତବ୍ୟ  ।  

 

ତପୋବନର ତପସ୍ଵୀ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଭାଷା ଆନ୍ଦୋଳନ ସହ ଜଡ଼ିତ ସମସ୍ତେ କବି ଓ ଅଧିବକ୍ତା ଗଜାନନ ମିଶ୍ରଙ୍କୁ ଜାଣନ୍ତି । ଓଡ଼ିଆ ଭାଷାରେ ଓଡ଼ିଶାର ନ୍ୟାୟ ନିଶାପ ପରିଚାଳନା ପାଇଁ ସେ ଆମରଣ ଅନଶନ କରିଥିଲେ ୨୦୧୫ ଜୁଲାଇ ପହିଲାରେ, ଯାହା ଆମ ଭାଷା ଇତିହାସର ଏକ ସ୍ଵତନ୍ତ୍ର ଅଧ୍ୟାୟର ଅଧିକାରୀ । ସରକାର ଏବେ ଯେଉଁ ଓଡ଼ିଆ ବିଶ୍ୱବିଦ୍ୟାଳୟ କରିଛନ୍ତି ତାହାର ପ୍ରଥମ ସ୍ଵପ୍ନ ଦେଖିଥିଲେ ଗଜାନନ ମିଶ୍ର । ପରବର୍ତ୍ତୀ ସମୟରେ ଆମେ ତାହା ଉପରେ ଆଲୋଚନା କରିବା । ଏବେ ଦେଖିବା, ସେ ଏଇ ମୁହୂର୍ତ୍ତରେ କଣ କରୁଛନ୍ତି ।

ଶିକ୍ଷା ଦ୍ଵାରା ସାଧାରଣ ମଣିଷକୁ ଶକ୍ତିଶାଳୀ କରିବାକୁ ସ୍ଵପ୍ନ ଦେଖିଥିବା ଗଜାନନ ତାଙ୍କ ଟିଟିଲାଗଡ଼ ଜମି ଉପରେ ପ୍ରତିଷ୍ଠା କରିଛନ୍ତି ତପୋବନ ଏକାଡ଼େମୀ ଯାହାକୁ କାଳକ୍ରମେ ଉପାଧି କଲେଜରେ ପହଞ୍ଚାଇବା ତାଙ୍କ ଲକ୍ଷ୍ୟ ରହିଛି ।  ଏହା ସମ୍ପର୍କରେ ବି ପରବର୍ତ୍ତୀକାଳରେ ଆମେ ଆଲୋଚନା କରିବା । 

କିନ୍ତୁ ଯାହା ଏହି କ୍ଷଣି ଆଲୋଚ୍ୟ ତାହା ହେଲା ତିତିଲାଗଡ଼ର ଶୁଖାମାଟିର ଚାଷୀମାନଙ୍କୁ କୃଷିକର୍ମଣ ପାଇଁ ଉତ୍ସାହିତ କରିବା ସକାଶେ ତାଙ୍କ ତପୋବନ ପରିସରରେ ଗଢି ତୋଳିଥିବା କ୍ଷେତ । ଲୋକଙ୍କୁ ଆତ୍ମନିର୍ଭରଶୀଳତା ଶିଖାଇବା ସକାଶେ ସେ ନିଜେ ଜମି କମଣ କରି ଫସଲ ଉତ୍ପାଦନ କରୁଛନ୍ତି । ଚାଷ ଜମିରେ ବସି କବିତା ବି ଲେଖୁଛନ୍ତି । ଗରିବ ଲୋକଙ୍କୁ ଆଇନ ସହାୟତା ଦେଉଛନ୍ତି ।  ତାଙ୍କ ପାଇଁ ସ୍ଵପ୍ନର ଶେଷ ନାହିଁ, ଶ୍ରମର ଶେଷ ନାହିଁ , କବିତାର ଶେଷ ନାହିଁ , ସଙ୍ଘର୍ଷର ଶେଷ ନାହିଁ । 

ତାଙ୍କ ଏହି ତପସ୍ୟାସ୍ଥଳର କେତୋଟି ଚିତ୍ର ସବୁ ଓଡ଼ିଆଙ୍କ ପାଇଁ: 

ତପୋବନ ନିକଟସ୍ଥ ଏହି ପାହାଡ଼ ପରି ଅଟଳ ଆଦର୍ଶସମ୍ପନ୍ନ  କବି ଗଜାନନ ସମଗ୍ର ଓଡ଼ିଆ ଜାତି ପାଇଁ ଅନୁକରଣୀୟ ।    

ଫକୀରମୋହନଙ୍କ ଉପରେ ମାଫିଆ ଆଖି? ଡ. ଡି ପି ପଟ୍ଟନାୟକଙ୍କ ବିରୁଦ୍ଧରେ ଅଦାଲତରେ ମାମଲା

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଫକୀରମୋହନଙ୍କ ଅପ୍ରକାଶିତ ହାତଲେଖା ଆତ୍ମଜୀବନୀର ଅସୀମ ଆୟକାରୀ ମୂଲ୍ୟ ଅଛି । କାରଣ ଯେଉଁ ଜୀବନୀ ପ୍ରକାଶିତ, ତାହା ସମ୍ପାଦିତ ।

ସୃଜନିକାରେ ଏହାର ଫଟୋମୁଦ୍ରଣ ଆଂଶିକତଃ ପ୍ରକାଶ ପାଇବା ପରେ ଘଟଣାଟି ଅଦାଲତକୁ ଯାଇଛି । ଜଣେ ବିଶିଷ୍ଟ ସାହିତ୍ୟିକଙ୍କ ଫେସବୁକ ପୃଷ୍ଠାରେ ଏହି ବିବାଦ ପାଇଁ ପ୍ରକଟିତ ଉଦ୍ବେଗ ଉପରେ ମତ ରଖି ମୁଁ ସୃଜନିକାକୁ ସମର୍ଥନ ଜ୍ଞାପନ କଲା  ପରେ ଅବଗତ ହେଲି କି , ଫେସବୁକରେ ଯାହା ଲେଖା ହୋଇଥିଲା କଥାଟି କେବଳ ତାହା ହିଁ ନୁହେଁ ।

ଏପରି ପ୍ରକାଶନ ବିରୁଦ୍ଧରେ ସ୍ଵର ତୋଳିଛନ୍ତି ଫକୀରମୋହନଙ୍କ ନାତୁଣୀ ମୀନାକ୍ଷୀ ଦତ୍ତ । ତାଙ୍କ ପାଖରେ ସାଇତା ହୋଇ ରହିଥିବା ଫକୀରମୋହନଙ୍କ ହାତଲେଖା ପାଣ୍ଡୁଲିପିର ଫଟୋମୁଦ୍ରଣ ପାଇଁ ଡ.  ଦେବୀ ପ୍ରସନ୍ନ ପଟ୍ଟନାୟକ ତାଙ୍କ ଠାରୁ ଏକ ଲକ୍ଷ ଟଙ୍କା ନେଇଥିଲେ । ତାହାର କିୟଦଂଶ ସୃଜନିକାରେ ପ୍ରକାଶ ପାଇ ତହିଁର ସମ୍ପାଦକ ଡ. ପଟ୍ଟନାୟକଙ୍କର ହେଉ ବା ସୃଜନିକାର ହେଉ, ସତ୍ତ୍ଵାଧିକାର ସୃଷ୍ଟି ହେଲା ତାହାକୁ ଏ ପର୍ଯ୍ୟନ୍ତ ସାଇତି ରଖିଥିବା ମୀନାକ୍ଷୀଙ୍କ ଅଜ୍ଞାତରେ ।

ଦେବୀବାବୁ ଗଣମାଧ୍ୟମକୁ କହିଛନ୍ତି କି ପୁସ୍ତକ ସମ୍ପର୍କୀୟ ସତ୍ତ୍ଵାଧିକାର ଆଇନ ଅନୁସାରେ ଏହା ମିନାକ୍ଷୀଙ୍କର ସତ୍ତ୍ଵାଧିକାର ଅନ୍ତର୍ଗତ ନୁହେଁ । ଏଥିରୁ ଏହା ହିଁ ସ୍ପଷ୍ଟ ଯେ, ମିନାକ୍ଷୀଙ୍କ ଠାରୁ ପାଣ୍ଡୁଲିପି ନେବା ପୂର୍ବରୁ ସେ ଜାଣିଥିଲେ ଯେ, ସେହି ପାଣ୍ଡୁଲିପି ଉପରେ ସେ ଯଦି ନିଜର ବା ସୃଜନିକାର ସତ୍ତ୍ଵାଧିକାର ଜାରି କରାଇବେ, ତେବେ ତାହା ଦାବିଦାରହୀନ ସମ୍ପତ୍ତି ଦଖଲକଲା ପରି ହେବ । କେହି ତାକୁ ବିରୋଧ କରିପାରିବେନି । ତାଙ୍କ ସହ ଯୋଡ଼ି ହୋଇଛନ୍ତି ରାଷ୍ଟ୍ରୀୟ ଅଭିଲେଖାଗାରର ସହନିର୍ଦ୍ଦେଶକ ଲଲାଟେନ୍ଦୁ ଦାସ ମହାପାତ୍ର । ଓଡ଼ିଶାର ଭାଷା କ୍ଷେତ୍ରରେ ମାଫିଆ ମତାଣର ଏହା ଆଉ ଏକ ଦୃଷ୍ଟାନ୍ତ । ଶାସ୍ତ୍ରୀୟ ମାନ୍ୟତା ସନ୍ଦର୍ଭ କ୍ଷେତ୍ରରେ ଦେବୀବାବୁଙ୍କ ନେତୃତ୍ବରେ ଯେଉଁ ମାଫିଆ ମତାଣ ହୋଇଥିଲା ତାହା ମୋ ବହି ‘ମିଛ କେବେ ସତ ହୁଏନା’ରେ ଲିପିବଦ୍ଧ ହୋଇଛି ।

ପ୍ରସଙ୍ଗକୁ ଆସିବା । ପ୍ରକାଶିତ ପୁସ୍ତକ ଉପରେ ଲେଖକୀୟ ସତ୍ତ୍ଵାଧିକାର ବା ଲେଖକଙ୍କ ଉତ୍ତରାଧିକାରୀଙ୍କ ସତ୍ତ୍ଵାଧିକାର ଅବଶ୍ୟ  ଆଇନଗତ ଅବଧି ଦ୍ଵାରା ପ୍ରଭାବିତ । ଯେଉଁ ପାଣ୍ଡୁଲିପି ପ୍ରକାଶିତ ହୋଇନାହିଁ , ଲେଖକଙ୍କ ପାଖରେ ବା ତାଙ୍କ ମୃତ୍ୟୁ ପରେ ତାଙ୍କ ଉତ୍ତରାଧିକାରୀ ପାଖରେ ଅପ୍ରକାଶିତ ଅବସ୍ଥାରେ ଅଛି ତାହା କେବଳ ତାଙ୍କରି ସତ୍ତ୍ଵାଧିକାର ଅନ୍ତର୍ଭୁକ୍ତ । ତାହାକୁ ତାଙ୍କଠୁ ଫଟୋମୁଦ୍ରଣ ପାଇଁ ଆଣି ଦେବୀବାବୁ ତହିଁ ଉପରେ ନିଜର ବା ସୃଜନିକାର ସତ୍ତ୍ଵାଧିକାର ଠିଆ କରାଇବେ  କିପରି? ଫକୀରମୋହନଙ୍କ ଅପ୍ରକାଶିତ ପାଣ୍ଡୁଲିପି, ଯାହା ତାଙ୍କ ନାତୁଣୀଙ୍କ ପାଖରେ ଥିଲା, ତାହା କୌଣସି ବେୱାରିଶ ସମ୍ପତ୍ତି ନଥିଲା । ତେଣୁ ତାହା କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ ବୋଲି କହିବା ମାଫିଆମୀ ଭିନ୍ନ କିଛି ବି ନୁହେଁ ।

ଅଧିକନ୍ତୁ, ତାହାର ଫଟୋମୁଦ୍ରଣ ପାଇଁ ଦେବୀବାବୁ ରାଜି ହେବାରୁ ମୀନାକ୍ଷୀ ତାଙ୍କୁ ଏକ ଲକ୍ଷ ଟଙ୍କା ସେହି କାମ ପାଇଁ ପ୍ରଦାନ କରିଛନ୍ତି (ସମ୍ବାଦ, ଅଗଷ୍ଟ ୧,୨୦୦୧୨୧) । ତେଣୁ ଦେବୀବାବୁ ଓ ତାଙ୍କ ସହ ଏହି କାମରେ ଯୋଡ଼ି ହୋଇଥିବା ଦାସମହାପାତ୍ରଙ୍କର କର୍ତ୍ତବ୍ୟ ଥିଲା, ଫଟୋମୁଦ୍ରଣରେ କେତେ ଟଙ୍କା ଖର୍ଚ୍ଚ ହେଲା, ତାର ଟିକିନିଖି ହିସାବ ସହ ପାଣ୍ଡୁଲିପି ଓ ତାର ଫଟୋମୁଦ୍ରିତ ଅବତାରକୁ ଫକୀରମୋହନଙ୍କ ନାତୁଣୀଙ୍କୁ ଅର୍ପଣ କରିବା । ତାହା ନକରି  ଫୌଜଦାରୀ ଓ ଦେୱାନୀ – ଉଭୟବିଧ ଅପରାଧ କରିଛନ୍ତି ଏହି ଦୁଇବ୍ୟକ୍ତି ।

ଓଡ଼ିଶାର ଭାଷାପ୍ରିୟ ବ୍ୟକ୍ତିମାନେ ଏହି ମାଫିଆମତାଣକୁ ବିରୋଧ କରିବା ଉଚିତ । ମୁଁ କରୁଛି ଓ ଫକୀରମୋହନଙ୍କ ନାତୁଣୀଙ୍କୁ ପୂର୍ଣ୍ଣ ସମର୍ଥନ ଦେଉଛି । 

“ଅଣ୍ଟାଭିଡ଼ା” ଛାଡ଼, ଭାଷା ଆଇନ ସଜାଡ଼

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଆମ ଭାଷା ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳାଇଥିବା ଷଡ଼ଯନ୍ତ୍ର ଯେତେବେଳେ ଫୁଙ୍ଗୁଳା ହୋଇଯାଏ, ଭାଷାପ୍ରେମ ଦେଖାଇ ତହିଁରୁ ଜନସାଧାରଣଙ୍କ ଦୃଷ୍ଟି ଅପସାରଣ କରିବାକୁ ସେ ପ୍ରତାରଣାର ଏକ ନୂଆ ଚାଲ୍ ଚଳାନ୍ତି । ଜୁଲାଇ ୨୭ ତାରିଖରେ ତଥାକଥିତ ଐତିହ୍ୟ କ୍ୟାବିନେଟର ୩ ବର୍ଷ ତଳର ନିଷ୍ପତ୍ତି ଉପରେ ମୁଖ୍ୟ ଶାସନ ସଚିବଙ୍କ ପ୍ରକାଶିତ “ଅଣ୍ଟାଭିଡ଼ା” (ସମ୍ବାଦ ୨୮.୭.୨୦୨୧ , ପୃଷ୍ଠା ୩) ଏହି ପରି ଏକ ଚାଲ୍ । 

ଏ ଭିତରେ ଦୁଇଟି ପୁସ୍ତକ ମୁଁ ପ୍ରକାଶ କରିଛି ଯହିଁରେ ଓଡ଼ିଆ ଭାଷା ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କର ବିଶ୍ଵସ୍ତ ମୁଷ୍ଟିମେୟ ଅଫିସର ଯେଉଁ ଦୁରାଚରଣ କରିଛନ୍ତି ତାହା ନିରାଭରିତ ହୋଇଛି । ଭାଷା ଆନ୍ଦୋଳନକୁ ଭାଙ୍ଗିବା ପାଇଁ ମୁଖ୍ୟମନ୍ତ୍ରୀ ମୋର ତତ୍କାଳୀନ ଦୁଇ ଘନିଷ୍ଠ ସହଯୋଗୀଙ୍କ ଅର୍ଥଲୋଭର ଦୁରୁପଯୋଗ କରିଥିଲେ । ତାହା କରିବାପାଇଁ ଓଡ଼ିଶା ରାଜକୋଷରୁ ପ୍ରାୟ ଦେଢ କୋଟି ଟଙ୍କାର ଲୁଟ୍ ବ୍ୟବସ୍ଥା ବି କରିଥିଲେ । ଯଦିଓ ଏହି ଦେଢ କୋଟି ଟଙ୍କାର ସୁପାରି ଦିଆ ହେଉ ହେଉ ରାଜ୍ୟପାଳଙ୍କ ହସ୍ତକ୍ଷେପ ହେତୁ ଅଟକି ଗଲା, ପ୍ରଦ୍ୟୁମ୍ନ ଶତପଥିଙ୍କୁ ତାଙ୍କ  ସ୍ତ୍ରୀଙ୍କ ମାଧ୍ୟମରେ ସଂପୂର୍ଣ୍ଣ ବେଆଇନ ଭାବେ ପ୍ରତିମାସରେ ଲକ୍ଷ୍ୟାଧିକ ଟଙ୍କା ଦିଆଚାଲିଛି ।  ସେ ନିଜକୁ ଭାଷା ଆନ୍ଦୋଳନର ସଭାପତି ବୋଲି କହି , ଯେଉଁ ପରିଚୟ ମୁଁ ତାଙ୍କୁ ଦେଇଥିଲି ସେହି ପରିଚୟ ବ୍ୟବହାର କରି , ଓଡ଼ିଶା ଲୋକଙ୍କୁ ଯେମିତି କହିବେ ଯେ ଭାଷା ଆଇନ ସଜାଡ଼ି ହୋଇଯାଇଛି ସେହିକାମରେ ତାଙ୍କୁ ନିୟୋଜିତ କରିଛନ୍ତି ମୁଖ୍ୟମନ୍ତ୍ରୀ – ଏହା ମୁଁ  ‘ଦାନାର ତୋବଡ଼ା’ ଶୀର୍ଷକ ପୁସ୍ତକରେ ସପ୍ରମାଣ ପ୍ରକାଶ କରିଛି । ମୁଖ୍ୟମନ୍ତ୍ରୀ ଓ ତାଙ୍କ ଅମଲାମାନଙ୍କ ଭିତରୁ ଯେଉଁମାନଙ୍କୁ ମୁଁ ଏହି ବହିରେ ନାମିତ କରିଛି , ସେମାନେ କେହି ବି  କୌଣସି ପ୍ରକାଶିତ ପ୍ରମାଣକୁ ଖଣ୍ଡନ କରିବାକୁ ସମର୍ଥ ହୋଇନାହାନ୍ତି ।  

ସେହିପରି , ଜୁଲାଇ ୨୩ରେ ମୁଁ ପ୍ରକାଶ କରିଛି ‘ମିଛ କେବେ ସତ ହୁଏନା’ । ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ଅର୍ଜନରେ ବ୍ୟବହୃତ ଐତିହାସିକ ଦସ୍ତାବିଜ ଓ ସେ ସକଳର ବିଶ୍ଳେଷଣ ସମ୍ବଳିତ ସନ୍ଦର୍ଭ , ଯାହା ରାଜ୍ୟବାସୀଙ୍କ ରାଜକୋଷରୁ ବ୍ୟୟ କରି ଓଡ଼ିଆ ଭାଷା ପ୍ରତିଷ୍ଠାନ ପ୍ରସ୍ତୁତ କରିଥିଲା, କିପରି ରାଜ୍ୟବାସୀଙ୍କୁ ଅନୁପଲଭ୍ୟ କରାଯାଇଛି ତାହା ସପ୍ରମାଣ ଏହି ପୁସ୍ତକରେ ଅଛି । ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନର ଅପସଂଶୋଧନ କରାଯାଇ ଓଡ଼ିଆ ଜାତିର ଭାଷା ଅଧିକାରକୁ ଜଖମ କରାଯାଇଥିବା ବେଳେ ତା ଭାଷାର ପ୍ରାଚୀନ ବୈଭବ ଓ ଭାଷାତାତ୍ତ୍ଵିକ ବଶିଷ୍ଟ୍ୟ ସମ୍ପର୍କରେ ତାକୁ ଅନ୍ଧକାରରେ ରଖିବାକୁ ହୋଇଥିବା ଚକ୍ରାନ୍ତକୁ କିପରି ମୁଖ୍ୟମନ୍ତ୍ରୀ ଘଣ୍ଟଘୋଡ଼ାଇ ରଖିଛନ୍ତି ତହିଁର ସବିଶେଷ ସପ୍ରମାଣ ଆଲୋଚନା ହୋଇଛି ଏହି ବହିରେ ।  

ଏହି ଦୁଇ ବହି ଓଡ଼ିଆ ଭାଷା ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ ଷଡ଼ଯନ୍ତ୍ରକୁ ପଦାରେ ପକାଇଛି । ବିଧାନସଭାର ଆଗାମୀ ଅଧିବେଶନ ଆସନ୍ନ । ଭାଷା ଆଇନର ଅପସଂଶୋଧନ ସମ୍ପର୍କରେ ଆଲୋଚନା ହୋଇପାରେ । ଗତ ଅଧିବେଶନରେ ବିଧାନସଭାକୁ ଅଧିସୂଚିତ  ହୋଇଥିବା ଭାଷା ଆଇନ ସଂଶୋଧନ ପାଇଁ ଘରୋଇ ବିଧେୟକ ଏହି ଅଧିବେଶନରେ ଅଲୋଚନାକୁ ଆସିବାର ସମ୍ଭାବନା ଅଛି । 

ଅପରପକ୍ଷେ କାର୍ଯ୍ୟନିର୍ବାହୀ ସରକାରର ମୁଖ୍ୟଙ୍କୁ ଜୁଲାଇ ୭ ତାରିଖରେ ଏକ  ଚିଠି ଦେଇ  ଭାଷା ନିୟମାବଳୀ ଅନୁସାରେ ତାଙ୍କ ଅଧ୍ୟକ୍ଷତାରେ କାମ କରୁଥିବା “କମିଟି” ଗଠିତ ହେବା ଦିନଠାରୁ ଏ ପର୍ଯ୍ୟନ୍ତ କେତେ ଥର କେବେ କେବେ ବସିଛି ଓ କେତେ ଥର କେଉଁ କେଉଁତାରିଖରେ ସମୀକ୍ଷା ରିପୋର୍ଟ ଦେଇଛି ବୋଲି ମୁଁ ପଚାରିଥିଲି ।  ଚିଠିଟି  ହେଲା :

ମୁଖ୍ୟ ଶାସନ ସଚିବ, ଓଡ଼ିଶା
ମହାଶୟ
ଅତ୍ୟନ୍ତ ଜରୁରୀ ଥିବା ହେତୁ ମୁଁ ଆପଣଙ୍କୁ ଏହି ଇ-ମେଲ କରୁଛି ।
ଓଡ଼ିଶା କାର୍ଯ୍ୟାଳୟ ଭାଷା ନିୟମାବଳୀ, ୨୦୧୬ ଅନୁସାରେ ଆପଣଙ୍କ ଅଧ୍ୟକ୍ଷତାରେ କାମ କରୁଥିବା “କମିଟି” ଗଠିତ ହେବା ଦିନଠାରୁ ଏ ପର୍ଯ୍ୟନ୍ତ କେତେ ଥର କେବେ ବସିଛି ଓ କେତେ ଥର ସମୀକ୍ଷା ରିପୋର୍ଟ ଦେଇଛି, କେଉଁ କେଉଁ ତାରିଖରେ ? ଭାଷା ପ୍ରଭାଗ ଏହି କମିଟିର କାର୍ଯ୍ୟଧାରା ଉପରେ କେବେ ଓ କେତେଥର ସମୀକ୍ଷା ଓ ପର୍ଯ୍ୟାଲୋଚନା କରିଛି ଓ ତାର ଫଳ କ’ଣ ? ଏହା ଯେହେତୁ ମୋର ଆଗାମୀ ପୁସ୍ତକରେ ସ୍ଥାନିତ ହେବ, ମୋତେ ତିନିଦିନ ଭିତରେ ଏ ତଥ୍ୟ ଦେବାକୁ ଅନୁରୋଧ । ତାହା ନହେଲେ, ଏପରି କୌଣସି ବୈଠକ / ସମୀକ୍ଷା ଓ ପର୍ଯ୍ୟାଲୋଚନା ହୋଇନାହିଁ ବୋଲି ଉଲ୍ଲେଖ କରାଯିବ ।
ଧନ୍ୟବାଦ ଘେନାକରନ୍ତୁ ।
ସୁଭାଷ ଚନ୍ଦ୍ର ପଟ୍ଟନାୟକ
୭.୭.୨୦୨୧

କାର୍ଯ୍ୟନିର୍ବାହୀ ସରକାରର ମୁଖ୍ୟଙ୍କ ପାଖରେ ମୁଁ ପଚାରିଥିବା ପ୍ରଶ୍ନର କୌଣସି ଉତ୍ତର ନାହିଁ  । 

ଏପରି ଅବସ୍ଥାରେ ମୁଖ୍ୟମନ୍ତ୍ରୀଙ୍କ ମୁଖରକ୍ଷା କିପରି ହେବ?   ସରକାର ଯେଉଁ ଭୁଲ କରିଛନ୍ତି ତାକୁ ଘୋଡ଼ାଇବା ପାଇଁ  ଯେତେ ଆଣ୍ଟ କରି ଅଣ୍ଟା ଭିଡ଼ିଲେ ବି  ପରିବେନି । 

ମୋର ଆଗାମୀ ବହିରେ ଆମ ଭାଷାକୁ ମାରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେଇଜଣ ଦରମାଖିଆ ନୌକର ଯାହା ଯାହା କରିଛନ୍ତି ସେ ସବୁର ପ୍ରାମାଣିକ ତଥ୍ୟ ମୁଁ ପ୍ରକାଶ କରିବି । ମୁଖ୍ୟମନ୍ତ୍ରୀଙ୍କୁ କେଉଁ ଅମଲା କି ସାଞ୍ଜୁ ଯୋଗାଇବ, ଦେଖିବା । 

ସମ୍ବାଦର ସମ୍ପାଦକ ବାବୁ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏକଦା ଭାଷା ଆନ୍ଦୋଳନର ଦୃଢ ସମର୍ଥକ ଥିଲେ । ମୁଖ୍ୟମନ୍ତ୍ରୀ ମୋର ଦୁଇଜଣ ଘନିଷ୍ଠ ସହକର୍ମୀଙ୍କ ଅର୍ଥ ଲୋଭ ଚରିତାର୍ଥ କରି ଓଡ଼ିଆ ଜାତିକୁ କୁହା କରିଲେ କି, ଭାଷା ଆଇନର ନିର୍ଭୁଲ ସଂଶୋଧନ ହୋଇଛି । ସୌମ୍ୟବାବୁଙ୍କ ରାଜନୈତିକ ଲୋଭ ଚରିତାର୍ଥ କରି ଭାଷା ଆନ୍ଦୋଳନକୁ ସେ ଦେଉଥିବା ସାମ୍ବାଦିକୀୟ ସହଯୋଗ ଲୋପ କରାଇଦେଲେ । ସେହି ସୌମ୍ୟବାବୁଙ୍କ ସେହି ସମ୍ବାଦ କାଗଜ ଭାଷା ଆଇନ କାର୍ଯ୍ୟକାରୀ କରାଇବାରେ ସରକାରଙ୍କ ଆନ୍ତରିକତାର ଅଭାବ ପ୍ରତି କଟାକ୍ଷପାତ କରି ମୁଖ୍ୟ ଶାସନ ସଚିବଙ୍କ ନିଦ୍ରାଭଙ୍ଗର ଶୀର୍ଷକ କରିଛି “୩ ବର୍ଷ ପରେ ମନେ ପଡ଼ିଲା ଐତିହ୍ୟ କ୍ୟାବିନେଟ୍ କଥା” ।  ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ଵାସ କରି ଭାଷା ଆନ୍ଦୋଳନରୁ ସମର୍ଥନ ପ୍ରତ୍ୟାହାର କରିଥିବା ବାବୁ ସୌମ୍ୟ ରଞ୍ଜନ ଏଇ ତିନି ବର୍ଷ ଭିତରେ ଭାଷା ଆଇନର କାର୍ଯ୍ୟକରିତା ପାଇଁ କି କି ପରାମର୍ଶ ସରକାରଙ୍କୁ ଦେଇଛନ୍ତି ତାହା କହିଥିଲେ ତାଙ୍କ କାଗଜର ଉପରୋଦ୍ଧୃତ୍ତ ଶୀର୍ଷକ ଅଧିକ ପରିପୁଷ୍ଟ ହୋଇଥାନ୍ତା ।

କହିବାକୁ କିଛି ଥିଲେ ତ?

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କୁ ଓ ତାଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଆମ୍ଭେ ଯେଉଁ ପରାମର୍ଶ ଦେବାକୁ ଚାହୁଁ ତାହା ହେଲା – ଓଡ଼ିଆ ଜାତିକୁ ପୁନଶ୍ଚ ପ୍ରତାରିତ କରିବା ପାଇଁ  “ଅଣ୍ଟାଭିଡ଼ା” ଛାଡ଼, ଭାଷା ଆଇନ ସଜାଡ଼ ।   

ଏୟାର୍ ଲିଫ୍ଟିଙ୍ଗ୍ ରେ ଚୈତନ


[ଉମାକାନ୍ତ ରାଉତ (ଅରୂପ) କେବଳ ସାମ୍ପ୍ରତିକ ଓଡ଼ିଶାର ଜଣେ ଯଶସ୍ଵୀ କବି ଓ ଗାଳ୍ପିକ ନୁହନ୍ତି, ସେ ମଧ୍ୟ ସୁବିଦିତ ଓଡ଼ିଆ ଜାତିର ଜଣେ ବିବେଳ ରକ୍ଷକ ଭାବେ  । କରୋନା କବଳିତ ଓଡ଼ିଶାର ଇଂରାଜୀ ଅପଢୁଆ ଓଡ଼ିଆଙ୍କୁ ଇଂରାଜୀରେ ଲିଖିତ କାରୋନା ନିୟମ ଉଲ୍ଲଂଘନ ଆଳରେ ଜେଲ ଜୋରିମନାର ଚକ୍ରବ୍ୟୁହରେ ପକାଉଥିବା ସରକାର ପୋଷାମନା ମେଡିଆ ସାହାଯ୍ୟରେ କିପରି ନିଜର ତ୍ରାଣକର୍ତ୍ତା ରୂପ ଜାରି କରିଚାଲିଛନ୍ତି ତାର ଏକ ଛାତିଛୁଆଁ  ଦୃଶ୍ୟପଟ ଆଙ୍କିଛନ୍ତି ଏହି ସାରସ୍ଵତ ବିପ୍ଳବୀ ]

ଦୁଇଦିନ ଗୁମସୁମ୍ ହୋଇ ବସିଲାପରେ ଏବେ ଟିକେ ରିଲାକ୍ସ ହେବାକୁ ତା’ ସେକେଣ୍ଡ୍ ହ୍ୟାଣ୍ଡ୍ ଟି.ଭି. ରିମୋର୍ଟ ଅନ୍ କଲା ଚୈତନ ।

ହେଲେ ରିଲାକ୍ସ୍ ହବ କ’ଣ ଟିଭିର ଲାଇଭ୍ ଟେଲିକାଷ୍ଟ ଓଲଟି ତା’ ଭିତରେ ଗଭୀର ପ୍ରତିକ୍ରିୟା ସୃଷ୍ଟି କଲା ।
ତାକୁ ଲାଗିଲା , ଯେମିତି ତା’ର ହୋସ୍ ଉଡିଯିବ !

ଚୈତନ କଥାଟା ଏଠି ପ୍ରସଙ୍ଗ ହୋଇଥିବାରୁ ଆପଣଙ୍କ ମନରେ ସ୍ୱତଃ ପ୍ରଶ୍ନ ଉଠୁଥିବ — ୟେ ଚୈତନ କିଏ ? ସିଏ କରେ କ’ଣ ?ତା’କଥା କୁହାହେଉଛି କାହିଁକି ? ତା ବିଷୟରେ ଜାଣି ଆମର ଲାଭ କ’ଣ ?……ଏମିତି କେତେ କ’ଣ ।ଉଠିବା ବି ସ୍ବାଭାବିକ । ତେଣୁ ଚୈତନ ସମ୍ପର୍କରେ ସଂକ୍ଷେପରେ ଆପଣମାନଙ୍କୁ ଜଣେଇ ନଦେଲେ ଏ ପ୍ରସଙ୍ଗକୁ ଆଗକୁ ବଢ଼େଇବା ଅପ୍ରାସଙ୍ଗିକ ହେବ ।

ଚୈତନ ଗୋଟେ ଥିଲାବାଲା ଘରର ପୁଅ ନୁହେଁ । କେଇ ଏକର ଚାଷଜମିକୁ ଛାଡ଼ିଦେଲେ କେଇଗୁଣ୍ଠ ଘରବାଡ଼ି ସମେତ କଚ୍ଚା ଘରଟି ହିଁ ତା’ର ସମ୍ବଳ ।ଅଭାବ ଅନାଟନ ଯୋଗୁଁ ଯେନତେନ ପ୍ରକାରେ ପ୍ଲସ୍ ଟୁ ପରେ ଗ୍ରାଜୁଏସନ୍ ପାଇଁ ଗାଆଁ ପାଖ କଲେଜରେ ନାଆଁ ଲେଖେଇଥିଲା ।ହେଲେ ପରୀକ୍ଷା ଫି ଦାଖଲ କରି ନପାରିବାରୁ ସେବର୍ଷ ପରୀକ୍ଷାରୁ ବଞ୍ଚିତ ହେଲା । ସେଇଠୁ ତା’ ପାଠପଢ଼ାରେ ଥୁକୁଲ୍ ପଡ଼ିଲା । ଏବେ ପରିବାର କହିଲେ ତା’ର ମାଆ ,ସିଏ , ତା’ର ସାତବର୍ଷର ପୁତୁରା ଆଉ ବିଧବା ଭାଉଜ ।

ଗଲା ଚାରିମାସ ଭିତରେ କରୋନାରେ ଆଗପଛ ହୋଇ ସେମାନଙ୍କଠୁଁ ବିଦାୟ ନେଇଛନ୍ତି ତା’ର ବାପା ଓ ଦେବତାସମ ବଡ଼ଭାଇ ।ସେ ଦାରୁଣ ଧକ୍କାର ଦାଉ ଏବେ ତିଳ ତିଳ କରି ଦହି ଚାଲିଛି ବଞ୍ଚିଯାଇଥିବା ଏଇ ଚାରି ସଦସ୍ୟଙ୍କୁ ।

ଟିଭିରୁ ଶୁଭୁଥିଲା –
ଏଇ ଏବେ ମାତ୍ର ଦୁଇ ମିନିଟ୍ ମଧ୍ୟରେ ‘ଆଶ୍ୱସ୍ତି ‘ ହସ୍ପିଟାଲରୁ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ଗ୍ରୀନ୍ କୋରିଡୋର୍ କରାଯାଇ ଇଞ୍ଜିନିୟର ମୃତ୍ୟୁଞ୍ଜୟଙ୍କୁ ନିଆଯିବ ଏରୋଡ୍ରମ୍ କୁ ।ସେଠାରୁ ଏୟାର୍ ଲିଫ୍ଟ୍ କରାଯିବ ହାଇଦ୍ରାବାଦ୍ । ସମସ୍ତ ପ୍ରସ୍ତୁତି ସରିଛି । ସେଠାରୁ ବିଶେଷଜ୍ଞ ଦଳ ଆସି ସବୁକିଛି ଅନୁଧ୍ୟାନ ଓ ନିୟନ୍ତ୍ରଣ କରୁଛନ୍ତି ।

କେଇଦିନ ତଳେ କରୋନା ସଂକ୍ରମିତ ହୋଇ ଏହି ଇଞ୍ଜିନିୟର୍ ବାବୁ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କରୋନା ନେଗେଟିଭ ହେଲାପରେ ବି ସଂକ୍ରମଣଜନିତ ପ୍ରଭାବରୁ ତାଙ୍କ ଫୁସ୍ ଫୁସ୍ କ୍ରମେ ଅଚଳ ହେବାକୁ ଲାଗିଲା ।ରକ୍ତକଣିକା ମଧ୍ୟକୁ ଅମ୍ଳଜାନ ଛାଣି ହୋଇ ଯାଇପାରିଲା ନାହିଁ । ତେଣୁ ପରିବାର ଲୋକେ ତାଙ୍କୁ ‘ଆଶ୍ୱସ୍ତି ” ହସ୍ପିଟାଲରେ ଭର୍ତ୍ତି କରିଥିଲେ ।
ସେଠାରେ ଅବସ୍ଥାରେ କୌଣସି ସୁଧାର ନଆସି କ୍ରମେ ଜଟିଳ ଆଡ଼କୁ ଗତି କଲାରୁ ତାଙ୍କୁ ଏକମୋ ଚିକିତ୍ସା ପାଇଁ ହାଇଦ୍ରାବାଦ ନେବାର ଆବଶ୍ୟକତା ଉପୁଜିଲା । ଗଣମାଧ୍ୟମ , ବନ୍ଧୁବାନ୍ଧବ ,ପରିବାର ଏବଂ ବିଶେଷକରି ଗଣମାଧ୍ୟମରେ ଧର୍ମପତ୍ନୀଙ୍କର ଆକୁଳ ଆବେଦନ ଯୋଗୁଁ ଏବେ ସୁଦ୍ଧା ପ୍ରାୟ ଏକ କୋଟି ଟଙ୍କା ଯୋଗାଡ଼ ହୋଇପାରିଛି । ଏଠାରେ ସୁବିଧା ନଥିବାରୁ ଏଇ ଚିକିତ୍ସା ପାଇଁ ବାହାର ରାଜ୍ୟର ବେସରକାରୀ ଚିକିତ୍ସାଳୟରେ ପ୍ରାୟ ଦୁଇ କୋଟି ଟଙ୍କା ଖର୍ଚ୍ଚ ଲାଗିପାରେ ।

ଏତିକିବେଳେ ଟିଭି ପରଦାରେ ଫୁଟିଉଠିଲା ଜଣେ ସ୍ତ୍ରୀ ଲୋକର କରୁଣ କ୍ରନ୍ଦନ ଓ କେଇଜଣଙ୍କର ଆକୁଳ ନିବେଦନ ।
ଜଣେ ଉପସ୍ଥାପିକା ବାହାରି ଆସି ଖୁବ୍ ନାଟକୀୟ ଢଙ୍ଗରେ ଉପସ୍ଥାପନ କଲେ – ଆପଣମାନେ ଜାଣିଥିବେ କେମିତି ସତ୍ୟବାନଙ୍କୁ ଯମ କବଳରୁ ଛଡେଇ ଆଣିଥିଲେ ସାବିତ୍ରୀ । କେମିତି ସାତରାତିକୁ ସପତ ରାତି କରିଦେଇଥିଲେ ସତୀ ଅନୁସୂୟା । ଆଜି ଦେଖନ୍ତୁ ଆଉଜଣେ ସାବିତ୍ରୀଙ୍କୁ ….ଆଉ ଜଣେ ଅନୁସୂୟାଙ୍କୁ । ଶୁଣନ୍ତୁ ତାଙ୍କର ଆକୁଳ କ୍ରନ୍ଦନ , କରୁଣ ନିବେଦନ ।ତାଙ୍କ ସ୍ବାମୀଙ୍କୁ ଫେରେଇ ଆଣିବାକୁ ଆପଣମାନେ ସାମର୍ଥ୍ୟମତେ ଦାନ କରିବାପାଇଁ ତାଙ୍କର କୋହଭରା ନିବେଦନ । ଏହାକୁ ଏକ୍ସକ୍ଲୁସିଭ୍ ରିପୋର୍ଟ ଭାବେ ପ୍ରଦର୍ଶନ କରିବାକୁ କେବଳ ଆମ ଚ୍ୟାନେଲ୍ ର ନିରନ୍ତର ପ୍ରୟାସ ଜାରି ରହିଛି । ଆପଣମାନଙ୍କ ପାଇଁ ଆପଣମାନଙ୍କର ପ୍ରିୟ ଏହି ଚ୍ୟାନେଲ୍ ସବୁବେଳେ ଆପଣମାନଙ୍କ ସହ ଆପଣମାନଙ୍କ ସେବାରେ ଲାଗି ରହିଛି ।

ଏମିତି କେତେ କଥା କେତେ ବ୍ୟଥା ।
ଖବର ପରିବେଷଣ ଅପେକ୍ଷା ଏସବୁ ବେଶି ବେଶି ଯାତ୍ରା ସଂଳାପର ପ୍ରତିଯୋଗିତା ଭଳି ଲାଗୁଥିଲା । ଏମିତି ନାଟକୀୟ ଉପସ୍ଥାପନାର ମଝିରେ ହଠାତ୍ ଶୁଣାଗଲା ଆମ୍ବୁଲାନ୍ସର ବିକଟାଳ ଶବ୍ଦ….କୁ..ଉଁ..ଉଁ…ଉଁ…ଉଁ…ଉଁ…..( ଏବଂ ସେଥି ସହ ଆମ୍ବୁଲେନ୍ସ୍ ର ଦୃଶ୍ୟ )

ଏଇ ଦେଖନ୍ତୁ ଏକ୍ସକ୍ଲୁସିଭ୍ ରିପୋର୍ଟ । ଆଗରେ ଏସକର୍ଟ ଗାଡ଼ି , ପଛରେ ଆଉ ଦୁଇଟି ପୋଲିସ୍ ଗାଡ଼ି ।ଆଉ ଗୋଟେ ଗାଡ଼ିରେ ଡାକ୍ତରୀ ଦଳ ଏବଂ ପଛ ଗାଡିରେ ଫୋର୍ସ ।ଏବେ ଆପଣ ଆମ ଚ୍ୟାନେଲ୍ ମାଧ୍ୟମରେ ସ୍ପଷ୍ଟ ଦେଖିପାରୁଥିବେ ଆମ୍ବୁଲେନ୍ସ୍ ଭିତରେ ଥିବା ମୃତ୍ୟଞ୍ଜୟଙ୍କ ଫୁସ୍ଫୁସ୍ ସଂକ୍ରମିତ ଶରୀର ।ଏୟାର୍ ଆମ୍ବୁଲାନ୍ସରେ ଏୟାର୍ ଲିଫ୍ଟ୍ ପାଇଁ ବିମାନ ବନ୍ଦରକୁ ସଫଳ ଯାତ୍ରାର ଲାଇଭ୍ ଟେଲିକାଷ୍ଟ ।


ମାତ୍ର ୩୫ ମିନିଟ୍ ମଧ୍ୟରେ ଅତିକ୍ରମ କରାହେବ ୬୫ କିଲୋମିଟର ରାସ୍ତା ।ଏଇ ଦେଖନ୍ତୁ ଛକମାନଙ୍କରେ କେମିତି କଡା ପୋଲିସ୍ ପହରାର ଅଭିନବ ବ୍ୟବସ୍ଥା କରାଯାଇଛି । କେମିତି ଶୂନଶାନ୍ କରିଦିଆଯାଇଛି ଅତିକ୍ରମ କରିବାକୁ ଥିବା ସମଗ୍ର ରାସ୍ତା ।
ଏଇ ଦେଖନ୍ତୁ , ଇଚ୍ଛାପୁର ଛକ ପାଶ୍ କଲା ପରେ ପରେ ସବୁ ଗାଡ଼ି ଗୁଡ଼ିକ ଏବେ ପୁରୁଣାହାଟ ଛକ ପାଶ୍ କରୁଛନ୍ତି । ପ୍ରତିଟି ଛକ , ମୋଡ ଓ ପତିଟି ମୁହୂର୍ତ୍ତର ନିଖୁଣ ଦୃଶ୍ୟ ଆପଣମାନଙ୍କୁ ପରଷିଦେବ ଆପଣଙ୍କର ଏହି ପ୍ରିୟ ଚ୍ୟାନେଲ୍ । ୟା ପରେ ଆପଣମାନେ ଦେଖିପାରିବେ ଏୟାର୍ ଲିଫ୍ଟିଂର ଜୀବନ୍ତ ଦୃଶ୍ୟ ।

ସତେ ଯେମିତି ଜଗନ୍ନାଥଙ୍କର ପହଣ୍ଡିବିଜେ ଯାତ୍ରା !

ସତେ ଯେମିତି ସେଇ ଦୃଶ୍ୟର ସଫଳ ପ୍ରଦର୍ଶନ କରିବାଦ୍ୱାରା ଫୁସଫୁସ୍ ଅଚଳ ସଂକଟର ଏକ ଚିରସ୍ଥାୟୀ ସମାଧାନ ନିଶ୍ଚିତଭାବେ ସମ୍ଭବ !

ଚୈତନର ମୁହଁରୁ ଅଜାଣତରେ ବାହାରିପଡ଼ିଲା – ହ୍ୟାଟ୍ !

ଟିଭି ରିମୋର୍ଟକୁ ଅଫ୍ ମୋଡ୍ କୁ ଆଣି ଦୁଇହାତର ପାପୁଲିରେ ଥୋଡିକୁ ଥୋଇ ସାମ୍ନା ଟେବୁଲ୍ ଉପରେ ଦୁଇ କହୁଣୀକୁ ଭରା ଦେଇ କିଛି ସମୟ ଅନ୍ୟମନସ୍କ ହେଇଗଲା ଚୈତନ ।

ପୁଣି ଥରେ ଟିପିଦେଲା ରିମୋର୍ଟ୍ ର ଅନ୍ ବୋତାମକୁ ।
କୁ…ଉଁ…ଉଁ… ଉଁ… ଉଁ…. ଉଁ…………..

ପୁଣି ସେଇ ସାଇରନ୍ ର ବିକଟାଳ ଶବ୍ଦ ! ଏଥର ଥିଲା ଏୟାରଲିଫ୍ଟ୍ ହେବାକୁ ଯାଉଥିବା ଜଣେ ଉଚ୍ଚପଦସ୍ଥ ସରକାରୀ ବ୍ୟକ୍ତିଙ୍କର ଦୃଶ୍ୟ । ସମଗ୍ର ସରକାରୀ କଳ କେମିତି ନିଷ୍ଠା ଓ ଶୃଙ୍ଖଳାର ସହିତ ଏପରି କର୍ତ୍ତବ୍ୟର ସୂଚାର ସମ୍ପାଦନା କରୁଛନ୍ତି ଏବଂ ଏହି ଆମ୍ବୁଲାନ୍ସ ଯାତ୍ରାଟି କିଭଳିଭାବେ ପ୍ରଶାସନିକ ସଫଳତାର ସୂଚକଭାବେ ଉଭାହୋଇଛି , ତାହାର ଏକ ଜୀବନ୍ତ ବର୍ଣ୍ଣନା କରିବାକୁ ଯେମିତି ପ୍ରତିଯୋଗିତା କରିଚାଲିଥିଲେ ଉପସ୍ଥାପକ ଓ ଉପସ୍ଥାପିକା !

ଏଥର କାହାର ସାହାଯ୍ୟ ସହାନୁଭୂତି ନୁହେଁ , ସମ୍ପୂର୍ଣ୍ଣ ସରକାରୀ ଖର୍ଚ୍ଚ ଓ ତତ୍ତ୍ୱାବଧାନରେ ହୋଇଥିଲା ସରକାରୀ ବାବୁଙ୍କର ଚିକିତ୍ସାର ବ୍ୟବସ୍ଥା । ପୁଣି ମଝିରେ ମଝିରେ ସରକାରଙ୍କର ଏ ଲିଫ୍ଟିଙ୍ଗ୍ ସଫଳତାକୁ ପ୍ରଶଂସା କରି , କରୋନାକ୍ରାନ୍ତ ପଦାଧୀକାରୀଙ୍କୁ ସମବେଦନା ଜଣାଇ ଏବଂ ତାଙ୍କର ଆଶୁ ଆରୋଗ୍ୟ କାମନା କରି ପରଦାରେ ଭାସିଉଠୁଥିଲା ନେତା , ବଡ଼ ବଡ଼ ଅଫିସର , ସମାଜସେବୀ ଓ କେତେକ ସାମ୍ବାଦିକଙ୍କର ସମ୍ବେଦନାଭରା ବାଇଟ୍ ।

ଏସବୁ ଲାଇଭ୍ କମେଣ୍ଟ୍ରିକୁ ଦେଖି ଚୈତନକୁ ଲାଗିଲା , ଯେମିତି ଜଟିଳ ସ୍ବାସ୍ଥ୍ୟାବସ୍ଥା କାରଣରୁ ବିପଦସଂକୁଳ ହୋଇପଡିଥିବା ରୋଗୀଟିଏ ନୁହେଁ ; କ୍ରିକେଟ୍ ଫାଇନାଲ୍ ମ୍ୟାଚ୍ ଖେଳିବାକୁ ଇଣ୍ଡିଆନ ଟିମ୍ ଯାଉଛନ୍ତି ନ୍ୟୁଜିଲାଣ୍ଡ କି ଅଷ୍ଟ୍ରେଲିଆ ଅବା ମ୍ୟାଚ୍ ଜିତିସାରି ଫେରୁଛନ୍ତି ଇଣ୍ଡିଆ !

ସେ ପରିବେଷଣର ଢଙ୍ଗରେ ରୋଗୀର ଜଟିଳ ଅବସ୍ଥା ଓ ତା’ର ଚିକିତ୍ସା ଅପେକ୍ଷା ବେଶି ବେଶି ଫୁଟି ଦିଶୁଥିଲା ତାକୁ ପରିବହନ କରାଯିବାର ରୋମାଞ୍ଚ । ଚିକିତ୍ସାର ପରିଣାମ ଯାହା ହେଉ ପଛେ ଏସବୁ ହିଁ ପ୍ରତୀୟମାନ ହେଉଥିଲା ଅସଲ ସଫଳତା ! ଯେଯିତି ଏହାହିଁ ସରକାରଙ୍କ ସ୍ବାସ୍ଥ୍ୟ ପରିପ୍ରେକ୍ଷୀରେ ସରକାରୀ ସଫଳତାର ଜ୍ୱଳନ୍ତ ସ୍ବାକ୍ଷର…..ଚରମ ପ୍ରଦର୍ଶନ !

ଏପରି ସଫଳତାର ଶ୍ରେୟକୁ ଆହୁରି ମହିମାନ୍ୱତ କରୁଥିଲା ସ୍ମିତହାସ୍ୟ ବଦନରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ତୃପ୍ତିସୂଚକ ବିବୃତି ।

ଆଉଥରେ ସାଇରନ୍ ଶବ୍ଦ ଶୁଣିବା ଆଗରୁ ଟିଭି ବନ୍ଦ କରିସାରିଥିଲା ଚୈତନ ।

ତାକୁ କେହିଜଣେ କହୁଥିଲା — ତୁ ସିଆଡେ ଦେଖେନା….ଦେଖେନା ରେ ବାବୁ । ସେସବୁ ତୋ’ପାଇଁ ନୁହେଁ ରେ । ସେଇ ଭାଗ୍ୟ ନେଇ ଆସିଥିଲେ ତୁ ସେଇଠି ଜନ୍ମ ନ ହୋଇ ମୁଣ୍ଡ ଝାଳ ତୁଣ୍ଡରେ ମାରୁଥିବା ୟେ ମାଧବ ନାଏକର କଚ୍ଚା ଘରେ କାହିଁକି ଜନ୍ମିଥାନ୍ତୁ ରେ ?

ତୋ’ ବାପ ମଲା ସେଇ ଫୁସ୍ ଫୁସ୍ ସଂକ୍ରମଣରେ । ଦେବତାସମ ତୋର ରୋଜଗାରିଆ ଜୁଙ୍ଘା ଭାଇଟା ମଲା ସେଇ ଫୁସ୍ ଫୁସ୍ ଅକାମି ହେବା କାରଣରୁ । ତୋ ମାଉସୀପୁଅ ଭାଇ ମଲା ସେଇଥିରେ ।ତୋ ଦାଦାପୁଅ ରମୁର ବି ସେଇ ଦଶା ହେଲା । ଆହାରପଦାର ନରି ପୁଅ କାହ୍ନା , ହାତକଟାର ମନୁମଉସା ପୁଅ ମକୁ , ଅନ୍ନପାଳର କୁନିଦେଇ ଝିଅ ଲବଙ୍ଗ କିଏ କେତେ ସଫା ହେଇଗଲେଣି ୟା ଭିତରେ ।

ବାପ ପାଇଁ ତୋ ଦ୍ଵାରା ଅକ୍ସିଜେନ୍ ଟିକିଏ ଯୋଗାଡ଼ କରିବା ସମ୍ଭବ ହେଇପାରିଲା ନାହିଁ । ମାଆର କାନଫୁଲଟା ବିକି ଭାଇ ପାଇଁ ଅକ୍ସିଜେନ୍ ର ବ୍ୟବସ୍ଥା କରିଦେଲୁ ସତ : ସମ୍ବଳ ଅଭାବରୁ ତାକୁ କ’ଣ ବଡ଼ ହସ୍ପିଟାଲ୍ କୁ ନେଇପାରିଲୁ ? ଏତିକି ତ ପାରିଲୁ ନାହିଁ , ଏତେ ସବୁ କଥା କରିପାରିଥାନ୍ତୁ କେମିତି ?

ସେଦିନ ବାଉଳି ଚାଉଳି ହୋଇ ତୋର ମଥାପିଟି କାନ୍ଦିବାର ଦୃଶ୍ୟ ମୁଁ ଦେଖିଛି ରେ । କେଇଜଣ ସରକାରୀ ବଡ଼ବାବୁ ଓ ସାମ୍ବାଦିକଙ୍କୁ ନେହୁରା ହେବାର ଦୃଶ୍ୟ ବି ଦେଖିଛି । ଏଇ ଟିଭିରୁ ତୁମ୍ଭମାନଙ୍କର ଆର୍ତ୍ତନାଦ ଓ ଛାଟିପିଟି ହେବାର କରୁଣ ଦୃଶ୍ୟକୁ ଦେଖି ସେଇ ସମାନ ଫୁସ୍ ଫୁସ୍ ଅକାମି କାରଣରୁ ତୋ’ ଭଳି ହଜାର ହଜାର ପରିବାରର ସର୍ବନାଶର ଦୃଶ୍ୟକୁ ମନ ଭିତରେ ଆଙ୍କିଛି ରେ । ସମ୍ବାଦ ପରିବେଷଣର ସଫଳତାରେ ବିଭୋର ହେବା ଛଡା ଏ ସମ୍ବାଦ ସରବରାହ ସଂସ୍ଥାମାନେ କଲେ ବା କ’ଣ ? ତୁ କେଉଁ ବଡ଼ ମଣିଷଟେ ଯେ ? ତୋର କ’ଣ ବା ବ୍ୟାକିଂ ଟ୍ୟାକିଂ ଅବା ସେମିତି କିଛି ପାରଙ୍ଗମତା ଅଛି ଯେ ସେମାନେ ତୋ କଥାକୁ ବିଶେଷ ଢଙ୍ଗରେ ଦେଖାଇଥାଆନ୍ତେ ? ତୋ’ ଭାଇ ଓ ବାପ ଭଳି ସାଧାରଣ ମାମୁଲି ମଣିଷମାନଙ୍କର ଫୁସ୍ ଫୁସ୍ ଅଚଳ କଥା ପ୍ରସାରଣ କରି ସେମାନେ ତାଙ୍କ ଟି.ଆର.ପି. ରେ ବାଧା ସୃଷ୍ଟି କରିଥାନ୍ତେ କାହିଁକି ?

ଜୀବନକୁ କିଛି ସମୟ ଅଟକେଇ ରଖିବାପାଇଁ ଏୟାର୍ ଟିକେ ଯୋଗାଡ଼ କରିପାରୁନଥିବା ତୋ ଭଳି ଲୋକଟା ପାଇଁ ଏୟାର୍ ଲିଫ୍ଟ୍ ତ ଆକାଶ କଇଁଆ ଚିଲିକା ମାଛ ପରି କଥା ; ସେ ଦୃଶ୍ୟ ଦେଖିବାର ଅଧିକାର ବା କେଉଁଠୁ ଆଇଲା ? ତୁ ଏସବୁ ଦେଖେନା ରେ ବାବୁ , ଏସବୁ ଦେଖେନା……..

ଗରିବର ମାଇପଠାରୁ ସାବିତ୍ରୀ ହେବାର ଯୋଗ୍ୟତା କେବେ ଆଶା କରାଯାଇପାରେନା । ପୁତ୍ରହରା ଗରିବର ମାଆ କେବେ ଅନୁସୂୟା ହୋଇପାରେନା ।

ଓହୋଃ ….ତୁ ତୋର ଗଣତାନ୍ତ୍ରିକ ମୌଳିକ ଅଧିକାରର କଥା ଭାବୁଛୁ ? ଭୋଟଦେଇ ଗଢିଥବା ବାପମାଆ ବୋଲି ଧାରଣା ଥିବା ସରକାରଙ୍କ ଦାୟିତ୍ଵ କଥା ଭାବୁଚୁ ??

ସେସବୁ ମନରୁ ସମୂଳେ ପୋଛି ଦେଏ ରେ । ତୋର କାମ ହେଲା ଖାଲି ଭୋଟ୍ ଦେବା । ଭୋଟ୍ ଦେଇ ସରକାର ଗଢ଼ିବା ।
ବାର ବାର ଭୋଟ୍ ଦେଇ ପାଳିରୁ ପାଳି କେତେ ପାଳି କାର୍ଯ୍ୟକାଳ ଦେବାର ସୁଫଳ , ଆଦୌ ଭୋଟ୍ ଦେଇ ନଥିବା ସରକାରୀ ବାବୁ , ନେତା ଆଦିଙ୍କର ଏୟାର୍ ଲିଫ୍ଟିଙ୍ଗ୍ ରେ ତୁ କ’ଣ ଖୁସି ନୁହଁ ?

ଦେଶବିଦେଶର ଗଣମାଧ୍ୟମମାନଙ୍କରେ ଆମ ଗ୍ରୀନ୍ କୋରିଡର୍ , ଏୟାର୍ ଲିଫ୍ଟ୍ , ଏୟାର ଆମ୍ବୁଲାନ୍ସର ଆଦିର ଶୃଙ୍ଖଳିତ ଦୃଶ୍ୟ ଓ ସେସବୁ ଆୟୋଜନର ସଫଳତାରେ ଫୁଟିଉଠୁଥିବା ଆମର ଗୌରବ ଓ ଆଭିଜାତ୍ୟ କଥାରେ ତୋତେ କ’ଣ ଗର୍ବ ଅନୁଭବ ହେଉନାହିଁ ? ଏୟାର ଲିଫ୍ଟ୍ କ’ଣ କମ୍ ଗୌରବର କଥା ?

ତୁ ବାଛିଥିବା ମୁଖିଆ ଯଦି ଏଠାରେ ଏକମୋ ଚିକିତ୍ସାର ସୁବିଧା କରିଥାନ୍ତେ , ଆମେ ସଫଳଭାବେ ଗ୍ରୀନ୍ କୋରିଡର୍ ଦେଇ ଏୟାର୍ ଲିଫ୍ଟ୍ ସଫଳତାରେ ଗୌରବମଣ୍ଡିତ ହୋଇପାରିଥାନ୍ତେ କି ? ଚ୍ୟାନେଲ୍ ମାନେ ଚିକିତ୍ସାର ବ୍ୟବସ୍ଥାକୁ ବିଶେଷ ଗୁରୁତ୍ବ ନଦେଇ ଏୟାରଲିଫଟିଂର ଲାଇଭ୍ ଦୃଶ୍ୟକୁ ଚିତ୍ତାକର୍ଷକ ଢଙ୍ଗରେ ଏକ ସଫଳ ଯୁଦ୍ଧ ଦୃଶ୍ୟପରି ପ୍ରତୀୟମାନ କରାଇପାରିଥାନ୍ତେ କି ?

ଅବିକଳ ସେଇ ସମାନ କାରଣ ପାଇଁ ମରଣକୁ ବରଣ କରିନେଇଥିବା ହଜାର ହଜାର ଗରିବଗୁରୁବା , ସାଧାରଣ ମଣିଷଙ୍କର ସୁଲଭ ଚିକିତ୍ସା ହେଲେ ବଡ଼ ବଡୁଆଙ୍କ ଚିକିତ୍ସାର ଗୁରୁତ୍ୱ ଓ ମହତ୍ତ୍ଵ କିଛି ବୁଝା ପଡନ୍ତା କି ? କୁଡିଆ ଯୋଜନାଠାରୁ କୋଢିଆ କରି ଛାଡିଲାଯାଏଁ ଛତରଖିଆ ଯୋଜନାଗୁଡିକୁ ପ୍ରଦର୍ଶନ କରି ସଫଳତା ଶ୍ରେୟର ଡେଙ୍ଗୁରାପିଟାର ଆୟୋଜନ କରିହେଇପାରିଥାନ୍ତା କି ?

ସୁତରାଂ , ରେ ଚୈତନ !
ପରବର୍ତ୍ତୀ ପାଳି ପାଇଁ ଭୋଟ ଦେଇ ତୁ ତୋ ସରକାରଙ୍କୁ କହ — ” ମାଲିକେ , ଏଥର ବି ଦେଉଛି । ହେଲେ ଗୋଟିଏ ସର୍ତ୍ତରେ । ଜୋତା ଠାରୁ ଛତା ଯାଏଁ ଯେତେ ଯାହା ମାଗଣା କରୁଛ କର ; ହେଲେ କସ୍ମିନ୍ କାଳେ ଏଠି ଏକମୋ ଚିକିତ୍ସା ବ୍ୟବସ୍ଥା କରିବ ନାହିଁ ।
ହେ ମୋର ବାପମାଆ !
ସେମିତି ହେଲେ ଗ୍ରୀନ୍ କୋରିଡୋର୍ , ଏୟାର୍ ଲିଫ୍ଟ୍ ଆଦି ସଫଳତାର ଶ୍ରେୟ ପାଣି ଫୋଟକା ହୋଇଯିବ ।

ଖୁବ୍ ଜୋରରେ ଠୋ’ କିନା ଆବାଜ୍ ଶୁଣି ଏକସଙ୍ଗେ ଘରୁ ଦୌଡ଼ି ଆସିଲେ ମାଆ , ଭାଉଜ ଓ ପୁତୁରା ।
ଦେଖିଲେ , ଭୋ ଭୋ ହୋଇ କାନ୍ଦୁ କାନ୍ଦୁ ସାମ୍ନା କାନ୍ଥରେ ଟଙ୍ଗା ହୋଇଥିବା ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ହାତଯୋଡି ଚୈତନ ଆକୁଳ ପ୍ରାର୍ଥନା କରି କହୁଛି –
‘ହେ ପ୍ରଭୂ ! ତୁ ପରମ ଦୟାଳୁ ।ତୁ କୃପା ସାଗର ।ଏୟାର ଲିଫ୍ଟ୍ କରାଯାଇଥିବା ସବୁ ବାବୁମାନଙ୍କୁ ସହି ସଲାମତ୍ ଭଲ କରି ଫେରେଇ ଆଣ । କାହାକୁ ପୁତ୍ରହରା କରେନା , କାହାକୁ ବୈଧବର ଯନ୍ତ୍ରଣା ଦେଏନା । ସେ ଯନ୍ତ୍ରଣାର ଜ୍ୱ।ଳା କେଡ଼େ ନିର୍ମମ ଓ ଅସହ୍ୟ ତାହା ଆମେ ବୁଝୁଛୁ ।’

ଆରେ ଚୈତନ , ସେ ଟିଭିଟାକୁ ଭାଙ୍ଗିଦେଲୁ କାହିଁକି ?

ତା ବୋଉ କାନ୍ଧରେ ମଥା ରଖି ତାକୁ ଜାବ ପକେଇଦେଇ ଦବିଯାଇଥିବା ଅସହାୟ ଗଳାରେ ଚୈତନ ଉତ୍ତାରି ପକେଇଲା ତାର ସବୁତକ କୋହ —
‘ ବୋଉ , ବୋଉ ଲୋ …ଏ ଟିଭିଟା ମୋତେ ମାରିଦବ !
ମୁଁ ମରିଗଲେ , ତୁ , ଆମ ପୁଅ ଆଉ ଭାଉଜ ବଞ୍ଚିବେ କେମିତି ??

                                                                                                               ଭ୍ରାମ୍ୟଭାଷ : ୯୪୩୭୨୬୭୧୨୫
                                                                                                               ଗ୍ରାମ : ବିଜେଗଙ୍ଗାଧର, ହାତିସାହି 
                                                                                                               ପୋଷ୍ଟ : ମଉଦା
                                                                                                               ଜିଲ୍ଲା : ଭଦ୍ରକ