ଭାଷା ଆନ୍ଦୋଳନ ସ୍ମରଣିକା, ପବିତ୍ର ମହାରଥା ଓ ସଞ୍ଜୟ ଯେନା

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ମୁଁ ସ୍ଵପ୍ନରେ ସୁଧା ଚିନ୍ତା କରିପାରିନଥିଲି ଯେ, ସମୟ ଆସିବ , ଯାହା ମୁଁ ଏବେ ଲେଖିବାକୁ ଯାଉଛି ତାହା ମୋତେ ଲେଖିବାକୁ ହେବ ।

ମୁଁ ଯାହା ଲେଖିବାକୁ ଯାଉଛି ତାହା କେବଳ ତିନିଜଣଙ୍କୁ ଜଣା ।  ମୋତେ ଜଣା , ପବିତ୍ର ମହାରଥାଙ୍କୁ ଜଣା ଓ ହିନ୍ଦୁସ୍ତାନ ସମାଚାରର ସାମ୍ବାଦିକ ସଞ୍ଜୟ ଜେନାଙ୍କୁ ଜଣା । ଏହି ଲେଖା ସପକ୍ଷରେ ମୋ ପାଖରେ କୌଣସି ଲିଖିତ ପ୍ରମାଣ ନାହିଁ । କିନ୍ତୁ ଆମ୍ଭମାନଙ୍କ ବିବେକ ହିଁ ପ୍ରମାଣ । ଏହି ଲେଖାରେ ମୁଁ ଅଭିଯୋଗକାରୀ, ପବିତ୍ର ଅଭିଯୁକ୍ତ । ସୁତରାଂ ସାମ୍ବାଦିକ ସଞ୍ଜୟ ଜେନାଙ୍କ ବିବେକ ଉପରେ ମୋ ଅଭିଯୋଗର ମାନ୍ୟତା ନିର୍ଭର କରେ ।

ମୁଁ ଯାହା ଲେଖିବାକୁ ଯାଉଛି ତାହା ନ ଲେଖିଲେ ବି ଚଳନ୍ତା । ମାତ୍ର ଭାଷା ଆନ୍ଦୋଳନ ଜୀବନରେ ଘଟିଥିବା ଏହି ପ୍ରଥମ ଭୀଷଣ, ଭୟାନକ ଦୁର୍ଘଟଣା ସମ୍ପର୍କରେ ସମସ୍ତେ ସବୁକଥା ଜାଣିବା ଉଚିତ ।

ସ୍ମରଣିକା ପରିକଳ୍ପନା 

ଭାଷା ଆନ୍ଦୋଳନ ପ୍ରତି ସମଗ୍ର ଓଡ଼ିଶାରେ ସମର୍ଥନ ପ୍ରକାଶ ପାଉଥିଲେ ମଧ୍ୟ ସବୁ ଜିଲ୍ଲାରେ କଳାପତାକା ଅଭିଯାନ ପ୍ରବର୍ତ୍ତନ କରିବା ପାଇଁ ଗସ୍ତଖର୍ଚ୍ଚ ସକାଶେ ଅର୍ଥର ଆବଶ୍ୟକତା ଥିଲା । ତେଣୁ ଭାଷା ଆଂଦୋଳନର ଏକ ସ୍ମରଣିକା ପ୍ରକାଶ କରି, ତା ପାଇଁ ବିଜ୍ଞାପନ ସଂଗ୍ରହ କରି ତହିଁର ଉପାର୍ଜନରୁ ମୁଦ୍ରଣଖର୍ଚ୍ଚ ବାଦଯାଇ ଯାହା ବଳିବ ତାହା ହିଁ ଆମ ଆଂଦୋଳନର ସମ୍ପ୍ରସାରଣରେ ସହାୟକ ହେବ ବୋଲି ଚିନ୍ତାକରି ଆମେ ସ୍ମରଣିକାର ପରିକଳ୍ପନା କଲୁ ।

ସଞ୍ଜୟ ଜେନାଙ୍କ ସାହାଯ୍ୟ 

ପବିତ୍ର ମୋତେ ପ୍ରବର୍ତ୍ତାଇଥିଲେ ସଞ୍ଜୟ ଜେନାଙ୍କୁ ଭେଟିବା ପାଇଁ ଏଇଆ କହି ଯେ, ସେ ଚାହିଁଲେ କେନ୍ଦ୍ରୀୟ ଉଦ୍ୟୋଗମାନଙ୍କରୁ ବହୁ ଲକ୍ଷ ଟଙ୍କାର ବିଜ୍ଞାପନ ଆମକୁ ଅକ୍ଳେଶରେ ମିଳିଯିବ ।  ସେ କିଏ ବୋଲି ମୁଁ ତାଙ୍କୁ ପଚାରିଥିଲି ; ସେ ତାଙ୍କ ପରିଚୟ ଦେଇଥିଲେ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଭାବ ବଳୟରେ ଥିବା କେନ୍ଦ୍ରୀୟ ଉଦ୍ୟୋଗଗୁଡ଼ିକର ଯେଉଁ ସବୁ ବିଜ୍ଞାପନ ଓଡ଼ିଶାର ବିଭିନ୍ନ ଗଣମାଧ୍ୟମ ପାଉଛନ୍ତି ସେ ସବୁ ସଞ୍ଜୟ ବାବୁ ହିଁ ନିୟନ୍ତ୍ରଣ କରୁଛନ୍ତି ବୋଲି କହିଥିଲେ ।

ମୁଁ ତ ତାଙ୍କୁ ଜାଣିନାହିଁ ; ସେ କାହିଁକି ମୋତେ ଗୁରୁତ୍ଵ ଦେବେ ବୋଲି ମୁଁ ପଚାରିଲି । ପବିତ୍ର କହିଲେ, ମୁଁ ତାଙ୍କୁ ନ ଜାଣିଥିଲେ ବି ସେ ମୋତେ ଭଲଭାବେ ଜାଣନ୍ତି ଓ ମୁଁ ଅନୁରୋଧ କଲେ ସେ ତାହା ଭାଙ୍ଗିବେ ନାହିଁ । ଭାଷା ଆଂଦୋଳନର ବୃହତ୍ତର ସ୍ଵାର୍ଥ ଦୃଷ୍ଟିରୁ ମୁଁ ପବିତ୍ରଙ୍କ ସହ ତାଙ୍କ ଘରକୁ ଯାଇଥିଲି । ଦେଖାଗଲା ସେ ମୋତେ ଜାଣିଥିଲେ । ସମାଦର ସହ ସେ ମୋତେ ପାଛୋଟି ନେଇଥିଲେ । ମୁଁ ବି ଦେଖି ଜାଣିଗଲି ଯେ, ଟେଲିଭିଜନ ଚ୍ୟାନେଲମାନଙ୍କ ବିତର୍କରେ ଯେଉଁ ବ୍ୟକ୍ତିଙ୍କ ବୁଦ୍ଧିଦୀପ୍ତତା ମୋ ପାଇଁ ଅତ୍ୟନ୍ତ ହୃଦ୍ୟ ହୋଇଥାଏ ଏ ହେଉଛନ୍ତି ସେହି ସଞ୍ଜୟ ଜେନା । ସେ ମୋତେ ପଚାରିଲେ, “ସାର୍ , ମୋ ପାଖରେ ହଠାତ୍ କି କାମ ପଡ଼ିଲା ? ମୁଁ ତାଙ୍କୁ କଥାଟି କହିଲି । ସେ କହିଲେ, ଆମେ ଏତେ ସଂସ୍ଥାକୁ ସାହାଯ୍ୟ କରୁଛୁ ; ଓଡ଼ିଶାର ନିରୋଳା ସ୍ଵାର୍ଥ ପାଇଁ ଆପଣ ଚଳାଇଥିବା ଏ ଆନ୍ଦୋଳନକୁ ଆମେ ନିଶ୍ଚୟ ସାହାଯ୍ୟ କରିବୁ । ମୁଁ ଯଥେଷ୍ଟ ବିଜ୍ଞାପନ ଦିଆ କରାଇବି । ମୁଁ ତାଙ୍କ ମନ ବିଡ଼ିବା ପାଇଁ କହିଥିଲି ଭାଷା ଆନ୍ଦୋଳନକୁ ସାରା ଓଡ଼ିଶାରେ ମଜବୁତ ହେବାରେ ସେ ଦେଉଥିବା ବିଜ୍ଞାପନ ଯଦି ସହାୟକ ହୁଏ, ତାର ରାଜନୈତିକ ଫାଇଦା ଧର୍ମେନ୍ଦ୍ର ବାବୁଙ୍କୁ ଯିବ । ସେ ସ୍ପଷ୍ଟ କରିଦେଇଥିଲେ ଯେ, ଭାଷା ଆନ୍ଦୋଳନ ଓଡ଼ିଆ ଜାତି ପାଇଁ ଏପରି ଏକ ଯଜ୍ଞ , ଯାହାକୁ ରାଜନୈତିକ ଉଦ୍ଦେଶ୍ୟରେ ଧର୍ମେନ୍ଦ୍ର କେବେ ବ୍ୟବହାର କରିବେ ନାହିଁ । ମୁଁ ଆଶ୍ଵସ୍ତ ହୋଇଥିଲି ; କାରଣ ପବିତ୍ର ଏହି ବିଜ୍ଞାପନ ଆଳରେ  ଆମ ଆନ୍ଦୋଳନକୁ ବିଜେପି ଶିବିରକୁ ନେଇଯିବା ଯୋଜନାରେ  ଅଛି କି ବୋଲି ଅବଚେତନରେ ଯେଉଁ ଆଶଙ୍କା ସେଠି ଉଦ୍ରେକ ହୋଇଥିଲା , ତାହା ତତ୍କାଳ ଦୂରୀଭୂତ ହୋଇଥିଲା ଓ ସଞ୍ଜୟ ବାବୁଙ୍କ ପ୍ରତି ମୋର ସମ୍ମାନ ଅଧିକ ବଢିଯାଇଥିଲା । ଯେହେତୁ ଭାଷା ଆନ୍ଦୋଳନ ପରି ଏକ ଆନ୍ଦୋଳନକୁ କେନ୍ଦ୍ର ସରକାରଙ୍କ ଉଦ୍ୟୋଗ ବିଜ୍ଞାପନ ଆଳରେ ଆର୍ଥିକ ସହାୟତା ଦେବା ଦୁରୂହ ଥିଲା, ସେହେତୁ ପବିତ୍ର କର୍ତ୍ତୁତ୍ଵାଧୀନ ‘ଶବ୍ଦସ୍ପର୍ଶ’କୁ ଏହି ପ୍ରସ୍ତାବିତ ସ୍ମରଣିକାର ପ୍ରକାଶକ ଦର୍ଶାଇ ତାହାକୁ ଏହି ବିଜ୍ଞାପନ ଦେବାକୁ ପବିତ୍ରଙ୍କ ପରମର୍ଶକ୍ରମେ ମୁଁ ସଞ୍ଜୟବାବୁଙ୍କୁ କହିଥିଲି । ସେତେବେଳେ ମୁଁ କଲ୍ପନା କରିପାରିନଥିଲି ଯେ, ବିଜ୍ଞାପନ ପାଇଗଲା ପରେ ପବିତ୍ର ଲୋଭଗ୍ରସ୍ତ ହୋଇ ଏକ ସ୍ଵତନ୍ତ୍ର ବ୍ୟାଙ୍କ ଖାତା ଖୋଲି ଭାଷା ଆଂଦୋଳନର ବିଜ୍ଞାପନପ୍ରସୂତ ସେହି ଉପାର୍ଜନକୁ ତୋଷରପାତ କରିବ ଓ ଧରାପଡ଼ିଗଲା ପରେ ଭାଷା ଆଂଦୋଳନର କୌଣସି ସ୍ମରଣିକା ପ୍ରକାଶ ପାଇନାହିଁ ଓ ସେପରି କୌଣସି ସ୍ମରଣିକା ପାଇଁ କୌଣସି ବିଜ୍ଞାପନ ଆସିନାହିଁ ବୋଲି କହି ଭାଷା ଆନ୍ଦୋଳନ ଜୀବନରେ ଏପରି ଜଘନ୍ୟ ବିଶ୍ଘାସଘାତକତା ଖୋଦେଇ କରିବ ।

ସତ୍ୟ ପାଇଁ ସଞ୍ଜୟବାବୁଙ୍କୁ ଅନୁରୋଧ

ସତ୍ୟ ଜାଣିବାରେ ଓଡ଼ିଶାର ଜନସାଧାରଣଙ୍କୁ ସାହାଯ୍ୟ କରିବା ପାଇଁ ମୁଁ ସଞ୍ଜୟବାବୁଙ୍କୁ ଅନୁରୋଧ କରୁଛି । ସେ ଯେଉଁ ବିଜ୍ଞାପନଗୁଡ଼ିକ ଭାଷା ଆଂଦୋଳନର ସ୍ମରଣିକା ପାଇଁ ନିର୍ଗତ କରାଇଥିଲେ  ସେଗୁଡ଼ିକ ଭାଷା ଆଂଦୋଳନର ପାଣ୍ଠି ସୃଷ୍ଟି ପାଇଁ ମୋ ଅନୁରୋଧ ଉପରେ ଆଧାରିତ ଥିଲା କି ପବିତ୍ର ମହାରଥାଙ୍କ ନିଜ ଉପାର୍ଜନ ପାଇଁ  ଅଭିପ୍ରେତ ଥିଲା, ତାହା ଏହି ଅନନ୍ୟ ଆଂଦୋଳନର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଓଡ଼ିଆ ଜାତି ଅବଗତ ହେବା ଆବଶ୍ୟକ । ମୋର ବିଶ୍ଵାସ, ସଞ୍ଜୟବାବୁ ଏହି ଅନୁରୋଧ ରକ୍ଷା କରିବେ ।

ଭାଷା ଆନ୍ଦୋଳନ ଛାତିରେ ଛୁରା // ଅପରାଧ ଘୋଡ଼େଇବା ବି ଏକ ଅପରାଧ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ପ୍ରଥମେ ଏହି ଭିଡ଼ିଓ ଦେଖାଯାଉ :

ସୁଭାଷ ଚନ୍ଦ୍ର ପଟ୍ଟନାୟକ , ଅଧକ୍ଷ ଭାଷା ଆନ୍ଦୋଳନ ,ଓଡିଶା

ଭାଷା ଆଇନ ନାଁରେ ଓଡିଆ ଲୋକଙ୍କୁ ଭୂଆଁ ବୁଲାଇଛନ୍ତି ରାଜ୍ୟ ସରକାର : ସୁଭାଷ ଚନ୍ଦ୍ର ପଟ୍ଟନାୟକ , ଅଧକ୍ଷ ଭାଷା ଆନ୍ଦୋଳନ ,ଓଡିଶା

Posted by NNS ODIA on Tuesday, September 4, 2018

NNS ODIA ଦ୍ଵାରା ୪.୯.୨୦୧୮ ତାରିଖରେ ଏହା ସିଧା ପ୍ରସାରିତ ହୋଇଥିଲା ।

ମୁଁ ଏଥିରେ ଆଗତ କରିଥିବା ଅଭିଯୋଗର ଜବାବ ମୁଖ୍ୟମନ୍ତ୍ରୀ ବା ତାଙ୍କ ତରଫରୁ କୌଣସି ଅଧିକୃତ ମନ୍ତ୍ରୀ ନ ଦେଇ ପ୍ରଦ୍ୟୁମ୍ନ ଶତପଥୀ ଏହି ଏକା ଚ୍ୟାନେଲରେ ତହିଁ ପରଦିନ ମୋତେ ମୋର ଏହି ଅଭିଯୋଗର ଜବାବ ଦେଇ ଯେଉଁ ଅଶ୍ଳୀଳ ବାଚନିକ ଆକ୍ରମଣ କରିଥିଲେ ତାହା ଦଣ୍ଡବିଧି ସଂହିତା ଆକର୍ଷଣ କରୁଥିବା ବେଳେ ଏହି ଚ୍ୟାନେଲ ତାହାକୁ ଅନ୍ତର୍ହିତ କରାଇ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରିଛି ।

ଆଲୋଚନାକ୍ରମେ ମୁଁ ଏକଥା ଏଠାରେ ଉପସ୍ଥାପିତ କରି ଏହି ସାମାଜିକ ଗଣମାଧ୍ୟମରେ ସ୍ଥାନିତ କରିଥିଲି ।

ଚ୍ୟାନେଲଟିର ଦାୟିତ୍ଵାସୀନ ଶ୍ରୀରାମ ଦାସ ମୋତେ ଗତକାଲି ଫୋନ କରି କହିଲେ ଯେ, ତାହା ଅରୁଚିକର ହୋଇଥିବା ହେତୁ ମୋ ବୟାନ ସମେତ ପ୍ରଦ୍ୟୁମ୍ନଙ୍କ ଜବାବୀ ବୟାନକୁ ତାଙ୍କ ଚ୍ୟାନେଲ ଡିଲିଟ୍ କରିଦେଇଛି । ସେ ଭୁଲ କହିଛନ୍ତି । କାରଣ ମୋ ବୟାନ ବହନ କରିଥିବା ଏହି ଭିଡ଼ିଓ ଏଯାଏଁ ବି ଯଥାପୂର୍ବ ଅଛି । ଶ୍ରୀରାମ ବାବୁ ତାଙ୍କ ଅଭିସନ୍ଧି ସ୍ପଷ୍ଟ କରିବା ଉଚିତ । କାରଣ, ଅପରାଧକୁ ଘଣ୍ଟ ଘୋଡ଼େଇବା ମଧ୍ୟ ଏକ ଅପରାଧ ।

ମୁଁ ଅନୁରୋଧ କରୁଛି, ଶ୍ରୀରାମବାବୁ ପ୍ରଦ୍ୟୁମ୍ନ ଶତପଥିଙ୍କ ବୟାନକୁ ତୁରନ୍ତ ଘୋଡ଼ଣୀ ତଳୁ ପଦାକୁ ଆଣି ପ୍ରକାଶ କରନ୍ତୁ । ତଦ୍ଦ୍ଵାରା ସମସ୍ତେ ଜାଣିପାରିବେ ଯେ, ଏ ଭଦ୍ରଲୋକ ମୋ ଅଭିଯୋଗର କି ଜବାବ ଦେଇଥିଲେ ଓ କାହିଁକି ଏପରି ଡରିଗଲେ ଯେ, ଲୁଚାଇ ପକାଇଲେ ।

ଭାଷା ଆନ୍ଦୋଳନ ମୁଁ ସୃଷ୍ଟି କରିଥିଲି ଭାଷା ଆଇନର ଆବଶ୍ୟକୀୟ ସଂଶୋଧନ ପାଇଁ ସରକାରଙ୍କୁ ପ୍ରଦତ୍ତ ମୋ ପ୍ରସ୍ତାବର କାର୍ଯ୍ୟକାରୀତା ସକାଶେ । ଏ ଭଦ୍ରଲୋକ ମୋତେ ସାହାଯ୍ୟକରିବା ପ୍ରତିଶ୍ରୁତି ଦେଇ ମୋ ସହ ଜଡ଼ିତ ହୋଇଥିଲେ । ସବୁ ତ ଭଲରେ ଚାଲିଥିଲା । ମୁଁ ସରକାରଙ୍କ ସହ ବୌଦ୍ଧିକ ସଂଘର୍ଷ କରୁଥିଲି, ଆନ୍ଦୋଳନ ସପକ୍ଷରେ ସାହିତ୍ୟ ସୃଷ୍ଟି କରୁଥିଲି , ରଣକୌଶଳ ନିର୍ମାଣ କରୁଥିଲି ; ପ୍ରଦ୍ୟୁମ୍ନ ଲୋକବଳ ଦାୟିତ୍ଵରେ ଓ ପବିତ୍ର ଆମ କାର୍ଯ୍ୟକ୍ରମକୁ ଗଣମାଧ୍ୟମକୁ ପଠାଇବା ଦାୟିତ୍ବରେ ରହି ଏକାନ୍ତ ନିଷ୍ଠାର ସହ କର୍ତ୍ତବ୍ୟ ସମ୍ପାଦନ କରୁଥିଲେ । ମୁଁ କଣ କେବେ କଲ୍ପନା କରିପାରିଥିଲି ଯେ, ସମୟ ଆସିବ, ଏମାନେ ଅର୍ଥଲୋଭର ବଶବର୍ତ୍ତୀ ହୋଇ ଭାଷା ଆନ୍ଦୋଳନକୁ ଛୁରିମାରିବେ? ତା ସାଙ୍ଗକୁ ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ମୋ ଉପରେ ଗାଳିବର୍ଷଣ ବି କରିବେ ?

ଏମାନଙ୍କ ଅସଲ ଚେହେରା ପଦାକୁ ନ ଆସିଲେ ଭାଷା ଆନ୍ଦୋଳନ ପରି ଏକ ସାମାଜିକ ଆନ୍ଦୋଳନ କେଉଁ କିସମର ଲୋକଙ୍କ ହାବୁଡ଼ରେ ପଡ଼ି କି ଦଶା ଭୋଗିପାରେ ତାହା ଜାଣିନପାରି ଭବିଷ୍ୟତର ଜନମଙ୍ଗଳକାମୀ ଆନ୍ଦୋଳନକାରୀମାନେ ଏହିପରି ସଙ୍କଟଗ୍ରସ୍ତ ହୋଇପାରନ୍ତି ।

 

ଭାଷା ଆନ୍ଦୋଳନ ଛାତିରେ ଛୁରା// ଅପରାଧ ଲୁଚାଇବା ଚେଷ୍ଟାରେ ଅପରାଧୀ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ମୋର ଦୁଇ ଘନିଷ୍ଠ ଅଥଚ ଅର୍ଥଲୋଲୁପ ସହକର୍ମୀ ପ୍ରଦ୍ୟୁମ୍ନ  ଶତପଥୀ ଓ ପବିତ୍ର ମହାରଥାଙ୍କୁ ବ୍ୟବହାର କରି ଭାଷା ଆନ୍ଦୋଳନକୁ ଭାଙ୍ଗିବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ୟମ ଅବ୍ୟାହତ ରଖିଥିଲେ । ସେ କଥା ତ ଏହି ନଭମଞ୍ଚରେ ମୁଁ ସପ୍ରମାଣ ଆଲୋଚନା କରିଛି ଓ ଜନସାଧାରଣ ସବୁ କଥା ଜାଣିବା ପର୍ଯ୍ୟନ୍ତ ଅଧିକରୁ ଅଧିକ ତଥ୍ୟ ସହ ମୁଁ ଆଗକୁ ବି ଆଲୋଚନା କରିବି । ଏହି କ୍ରମରେ ସଂଯୁକ୍ତ ଶାବ୍ଦିକ ଭିଡ଼ିଓଟି ପ୍ରଣିଧାନଯୋଗ୍ୟ ।

ମୁଖ୍ୟମନ୍ତ୍ରୀଙ୍କ ପ୍ରିତ୍ୟର୍ଥେ ବୈଷ୍ଣବ ଚରଣ ପରିଡ଼ାଙ୍କ ଉପରେ ଏହି ଦୁଷ୍ଟ ଗୋଷ୍ଠୀ ଯେଉଁଭଳି ଗାଳିବର୍ଷଣ କରିଥିଲେ ତାହା ଏଥିପୂର୍ବରୁ ମୁଁ ଦର୍ଶାଇଛି । ଠିକ୍ ସେହିପରି ସାଙ୍ଗରେ ପବିତ୍ର ଓ ଗୋଟେ ଅଜ୍ଞାତକୁଳଶୀଳ ଗ୍ୟାଙ୍ଗକୁ ଧରି ଏହି ଏକା ପ୍ରଦ୍ୟୁମ୍ନ ଶତପଥୀ ଗତ ୫.୯.୨୦୧୮ ସନ୍ଧ୍ୟାରେ ମୋ ବିରୁଦ୍ଧରେ ଏକ ଭିଡ଼ିଓ ଜାରିକରିଥିଲେ ଭୂବନେଶ୍ଵରର କୌଣସି ଏକ ରାସ୍ତା କଡ଼ରେ । NNS-Odia ନାମକ ଏକ ଚ୍ୟାନେଲ ତାହାକୁ ସିଧା ପ୍ରସାରଣ କରିଥିଲା, ଯାହା ଥିଲା ତହିଁ ପୂର୍ବଦିନ ମୋ ବୟାନର ପ୍ରସାରଣକର୍ତ୍ତା । ଭାଷା ଆଇନ ସଂଶୋଧନ କ୍ଷେତ୍ରରେ ଓଡ଼ିଆ ଜାତିକୁ ପ୍ରତାରିତ କରିଥିବା ହେତୁ ଓ ବିଧାନସଭାକୁ ଦ୍ଵିତୀୟ ଥର ମିଛ କହି ୧.୫.୨୦୧୮ ତାରିଖରେ ଏକ ହାନିକାରକ ଧାରା ଖଞ୍ଜି ଭାଷା ଆଇନର ଉଦ୍ଦେଶ୍ୟ ପଣ୍ଡ ପାଇଁ ଷଡ଼ଯନ୍ତ୍ର କରିଥିବା ହେତୁ ବିଧାନସଭା ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ସ୍ଵାଧିକାର ଭଙ୍ଗ ପାଇଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ମୁଁ ସେହି ସାମ୍ବାଦିକ ସମ୍ମିଳନୀରେ କହିଥିଲି । ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବିଦ୍ୟୁତ୍ ବେଗରେ ଚାପ ପକାଇ ମୋ ବୟାନକୁ ସେଦିନ ଚାପି ଦେଇଥିଲେ ମଧ୍ୟ ୟୁଟ୍ୟୁବ୍ ସହ ଜଡ଼ିତ ଏହି ଚ୍ୟାନେଲଟି ଯେହେତୁ ସିଧା ପ୍ରସାରଣ କରିଥିଲା ତାହା ଉପରେ କଳାଢାଙ୍କୁଣୀ (blackout) କାଇଦା କାମ କରିନଥିଲା । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଚାହିଁଲା କି, ମୁଖ୍ୟମନ୍ତ୍ରୀଙ୍କ ସୁପାରିଖିଆ ପ୍ରଦ୍ୟୁମ୍ନ ଶତପଥୀ ଯେପରି ବୈଷ୍ଣବ ପରିଡ଼ାଙ୍କୁ  ଗାଳି ଦେଇଥିଲେ ସେହିପରି ସେହି ଏକା ଚାନେଲରେ ମୋତେ ବି ଗାଳିଦିଅନ୍ତୁ ଯାହା ସିଧା ପ୍ରସାରଣ ହେବ ଏବଂ ପ୍ରଚାରିତ ହେବ ମୁଁ ଉଠାଇଥିବା ଅଭିଯୋଗର ଜବାବ ଭାବେ ।

କିଛିଦିନ ପରେ କଥାଟି ମୋ କାନରେ ବାଜିଲା । ମୁଁ ଭିଡ଼ିଓଟିକୁ ଦେଖିଲି । ଅତ୍ୟନ୍ତ ଅରୁଚିକର ଅଶ୍ଳୀଳ ଶବ୍ଦର ଗର୍ଜନ । ଉତ୍ତମ ପିତାମାତାଙ୍କଠାରୁ ଜନ୍ମ ହୋଇଥିବା ବ୍ୟକ୍ତି ପକ୍ଷେ ଏପରି ଅଶ୍ଳୀଳ ଗର୍ଜନ କେବେ ବି ସମ୍ଭବ ନୁହେଁ । ଦୁଃଖ ଲାଗିଲା ଯେ, ଏହିପରି ଲୋକକୁ ମୁଁ ମୋର ସହକର୍ମୀଭାବେ ନେଇ ମୁଁ ପ୍ରତିଷ୍ଠା କରିଥିବା ଆଂଦୋଳନର ସଞ୍ଚାଳକ ଓ ପରେ ସଭାପତି କରାଇଥିଲି । ମୁଁ ନିଷ୍ପତ୍ତି କଲି ଯେ, ଏହାକୁ ଆଇନ ହାତରେ  ଟେକିଦେବା ଉଚିତ ହେବ । ମାତ୍ର ଏ ଲୋକ ଏତେ ଧୂର୍ତ୍ତ ଯେ, ସମଗ୍ର ଭିଡ଼ିଓରେ କେଉଁଠି ବି ମୋ ନାମ ନିଆ ହୋଇନଥିଲା । ଚ୍ୟାନେଲଟି ଯଦି ଏହାର ଶୀର୍ଷକରେ ଲେଖିନଥାନ୍ତେ, “ଭାଷା ଆଂଦୋଳନର ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଣିଥିବା ଅଭିଯୋଗର ଜବାବ ରଖିଛନ୍ତି ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ”, ତେବେ ଏହି ଅଶ୍ଳୀଳ ଶବ୍ଦବାଣ ଯେ ସେ ମୋ ଉପରେ ପ୍ରହାର କରିଛନ୍ତି, ତାହା ମୁଁ ବିଶ୍ଵାସ କରିନଥାନ୍ତି । ଏପରି ଅଶ୍ଳୀଳତା ପାଇଁ ଦଣ୍ଡବିଧାନ ଆବଶ୍ୟକ । ମାତ୍ର ଯେହେତୁ ସେ ମୋ ନାମ ନେଇନଥିଲେ, ଚ୍ୟାନେଲଟି ମୋ ନାମ ଉଲ୍ଲେଖ କରିଥିଲେ ମଧ୍ୟ ତାହା ଶୁଣାକଥା (hearsay) ଭାବେ ମନେହେବ । ତେଣୁ, ପ୍ରକୃତ କଥା ଜାଣିବା ପାଇଁ ମୁଁ ପ୍ରଦ୍ୟୁମ୍ନ ବାବୁଙ୍କୁ ଇ-ମେଲ କଲି । ସମ୍ପୃକ୍ତ ଚ୍ୟାନେଲକୁ ବି ପଚାରିଲି, ଭିଡ଼ିଓଟିରେ ମୋ ନାମ ନଥିବା ବେଳେ ତହିଁର ପ୍ରସାରକ ମୋ ନାମ କାହିଁକି ଲେଖିଛନ୍ତି ? ସେ କହିଲେ, ଯେହେତୁ ମୋ ବୟାନ ୪.୯.୨୦୧୮ରେ ଚ୍ୟାନେଲଟି ସିଧା ପ୍ରସାରଣ କରିଥିଲେ, ସେହେତୁ ସେ ତାର ହବାବ ଦେବା ପାଇଁ ଚ୍ୟାନେଲଟିକୁ ସେହିପରି ବ୍ୟବହାର କରିବାକୁ ଚାହାନ୍ତି ବୋଲି କହିଥିବାରୁ ଶୀର୍ଷକତି ତଦ୍ଦୃପ ହୋଇଥିଲା । ବିପଦ ଆସନ୍ନ ଜାଣି ସେହି ଅପମାନଜନକ ଭିଡ଼ିଓକୁ ଲୁଚାଇଦିଆଗଲା  ପରେ, ପ୍ରଦ୍ୟୁମ୍ନ ଶତପଥୀ ମୋ ଇ-ମେଲର ଉତ୍ତର ଦେଇ ଲେଖିଥିଲେ, “କାହିଁ କେଉଁ ଭିଡ଼ିଓ?”

ଚ୍ୟାନେଲଟିର ସଞ୍ଚାଳକ ଶ୍ରୀରାମ ଦାସଙ୍କୁ ମୁଁ ଫୋନ୍ କରିଥିଲି ପ୍ରଦ୍ୟୁମ୍ନ ଶତପଥୀଙ୍କ  ଅପରାଧର ପିଣ୍ଡ (corpus dilicti)କୁ  ନଲୁଚାଇ ପୁନଃ ପ୍ରକାଶ କରିବାକୁ । ସେ ସେଥିପାଇଁ ରାଜି ହୋଇଥିଲେ ଓ ତହିଁର ଏକ ନକଲ ମୋ ପାଖକୁ ପଠାଇବାକୁ ବି ପ୍ରତିଶ୍ରୁତି ଦେଇଥିଲେ । ଆଜି ଯାଏଁ ସେ ତାହା ପଠାଇ ନାହାନ୍ତି । ତାଙ୍କ ସହ ମୋ ଫୋନ୍ ଆଳପକୁ ମୁଁ ଏଥିସହ ପ୍ରକାଶ କରୁଛି । ଆଂଦୋଳନର ସ୍ମରଣିକା ଅର୍ଜିତ ପାଣ୍ଠି ତୋଷରପାତ କରିଥିବା ପବିତ୍ର ମହାରଥା ସହ ଶ୍ରୀରାମ ବାବୁଙ୍କ ଆଲୋଚନାର ସାରାଂଶ ମଧ୍ୟ ତାଙ୍କ କଣ୍ଠରେ ଏହି ଶବ୍ଦ-ଭିଡ଼ିଓରେ ଅଛି । ଭାଷା ଆଂଦୋଳନର ନିର୍ଭୁଲ ଆକଳନ ପାଇଁ ଏହାର ଗୁରୁତ୍ଵ ଅନସ୍ଵୀକାର୍ଯ୍ୟ ।

ସମ୍ବାଦ କରୋନା ଉପରେ// ପୋଲିସ ରକ୍ଷାକର୍ତ୍ତା , ନବୀନ ତ୍ରାଣକର୍ତ୍ତା : ଲୋକେ କିନ୍ତୁ ଯେଉଁ ତିମିରେ ସେହି ତିମିରେ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡିଶା ସରକାର ଏପର୍ଯ୍ୟନ୍ତ ଗୋଟିଏ କଥା ବଡ଼ ଜୋରରେ କହି ଆସୁଥିଲେ । ତାହା ହେଲା କରୋନା ସଙ୍କଟ ରାଜ୍ୟ ସରକାରଙ୍କ କାବୁରେ । ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଆକ୍ରାନ୍ତଙ୍କ ସଂଖ୍ୟା ଓଡ଼ିଶାରେ ବହୁତ କମ୍ । ଓଡ଼ିଶାରେ କମ୍ ହେବାର କାରଣ ହେଲା, ମୁଖ୍ୟମନ୍ତ୍ରୀଙ୍କ ଦକ୍ଷ ନେତୃତ୍ଵ । କିନ୍ତୁ ହଠାତ୍ , ସରକାରଙ୍କ ମୁଖ୍ୟ ମୁଖପାତ୍ର ବାଗ୍ଚି ମହାଶୟ ସ୍ଵର ବଦଳାଇ କହିଲେଣି , “ସ୍ଥିତି ଠିକ୍ ବାତ୍ୟା ପୂର୍ବର ବତାସ ପରି ।“ ଅବସ୍ଥା ଅଣାୟତ ହେବ, କାରଣ ପଶିମ ବଙ୍ଗରୁ କରୋନାର ବାତ୍ୟା ମାଡ଼ି ଆସୁଛି ଓଡ଼ିଶାକୁ । ସେଥିପାଇଁ ଓଡ଼ିଶାରେ କରୋନା ସଙ୍କ୍ରାନ୍ତୀୟ ସବୁ ଆଇନକୁ ସମସ୍ତେ ନିଷ୍ଠାର ସହ ପାଳନ କରିବା ଆବଶ୍ୟକ । ମୁଖ୍ୟମନ୍ତ୍ରୀ ବି ଗତକାଲି ଆହୁରି ଜୋର୍ ଦେଇ କହିଲେ , ସରକାରୀ ନିୟମ ମାନନ୍ତୁ, କରୋନାଯୁଦ୍ଧରେ ଜିତନ୍ତୁ ।

ଆମ୍ଭର ବାରମ୍ବାର ଦାବି ସତ୍ତ୍ୱେ କରୋନା ସମ୍ପର୍କୀୟ କୌଣସି ଜ୍ଞାତବ୍ୟ ତଥ୍ୟ ଓଡ଼ିଶାବାସୀଙ୍କୁ ଓଡ଼ିଆରେ ଦିଆଯାଉନି । କେଉଁ ନିୟମଟି ସେମାନେ ଜାଣିଛନ୍ତି ଯେ, ମାନିବେ? ଲୋକଙ୍କୁ ମୋବାଇଲ ଫୋନ ମାଧ୍ୟମରେ ଉପଲବ୍ଧ ହେବା ପରି ଓଡ଼ିଆରେ ସମସ୍ତ ତଥ୍ୟ ଦିଆଯିବା ପାଇଁ ଆମ୍ଭେ ରଖିଥିବା ଦାବି ସଫଳ ହେଲା ପରି ଲାଗିଥିଲା, ଯେତେବେଳେ ମୋବାଇଲ ଫୋନ ଦ୍ଵାରା ଉପଲଭ୍ୟ Odisha Govt COVID Desk ନାମକ ଏକ ହ୍ଵାଟ୍ସଆପ୍ ପୃଷ୍ଠା ସରକାର ଖୋଲିଲେ ଆମ୍ଭେ ଦାବି ରଖିବାର ୧୪ ଦିନଠି, ଏପ୍ରିଲ ୨୨ ତାରିଖରେ । କିନ୍ତୁ ତାହା କିପରି ଏକ ପ୍ରଚଣ୍ଡ ପ୍ରତାରଣା, ତାହା ଆମ୍ଭେ ଦର୍ଶାଇଛୁ ।

କେବଳ ପୃଷ୍ଠା ପରିଚୟ ଭିନ୍ନ ତହିଁରେ ସମସ୍ତ ତଥ୍ୟ ଇଂରାଜୀରେ । ଆମ ଲୋକଙ୍କୁ ଅନ୍ଧକାରରେ ରଖି ପୋଲିସ ନିର୍ଯ୍ୟାତନା ଭୋଗିବାକୁ ବାଧ୍ୟ କରାଯାଉଛି । ପୋଲିସ ଅତ୍ୟାଚାରର ମର୍ମନ୍ତୁଦ ପ୍ରମାଣ ପ୍ରଦାନ କରି ଆମ୍ଭେ ସର୍ବ ସମ୍ମୁଖରେ ଆଲୋଚନା ରଖିବା ପରେ ଖୋର୍ଦ୍ଧା ପୋଲିସ ଲୋକଙ୍କୁ ସାହାଯ୍ୟ କରୁଥିବାର ବରାଦି ଚିତ୍ର ଟିଭି ପରଦାରେ ଦିଆଇଛି । କିନ୍ତୁ ମନେହୁଏ ପୋଲିସ ଦ୍ଵାରା ଆତଙ୍କ ସୃଷ୍ଟି କରି ସବୁ ଏକଛତ୍ରବାଦ ଯେପରି ଲକ୍ଷ୍ୟପଥରେ ଆଗେଇଯାଏ , ଓଡ଼ିଶାରେ ତାହା ହିଁ ହେଉଛି ।

କରୋନା ସାମିଆନା ତଳେ ଲୋକଙ୍କୁ ଦୁଇଟି କଥା ମାନିବାକୁ ବାଧ୍ୟ କରାଯାଉଛି : (୧) ପୋଲିସ ରକ୍ଷାକର୍ତ୍ତା ଓ (୨) ନବୀନ ତ୍ରାଣକର୍ତ୍ତା ।

ପୋଲିସ ରକ୍ଷାକର୍ତ୍ତା

ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ରୋଗ ହେଲେ ସିନା ଚିକିତ୍ସା କରିବେ, କିନ୍ତୁ ଆମ ଲୋକଙ୍କୁ ଏହା ହିଁ ଗ୍ରହଣ କରିବାକୁ ବାଧ୍ୟ କରାଯାଉଛି ଯେ, ପୋଲିସ କଥା ମାନିଲେ ରୋଗ ହେବ ନାହିଁ । ଯଦି ଭଲରେ ଭଲରେ ପୋଲିସ କଥା ନ ମାନିବ, ତେବେ ଲାଠିମାଡ଼ ଖାଇବ, ଜୋରିମାନା ଦେବ । କାରଣ, ତମକୁ ରକ୍ଷା କରିବା ପାଇଁ ପୋଲିସ ଏପରି କଠିନ ପଦକ୍ଷେପ ନେବା ପାଇଁ ଅଧିକୃତ ।

ମଣିଷକୁ ରୋଗ ହୁଏ । ପ୍ରତ୍ୟେକ ମଣିଷ ଚିକିତ୍ସା ବିଜ୍ଞାନ ସହାୟତାରେ ରୋଗ ସହ ଲଢେଇ କରି ଜିତେ ଅବା ମରେ । ପୋଲିସର ଲାଠି, ଜେଲ ଓ ଜୋରିମାନା କେବେ ତାକୁ ରୋଗ କବଳରୁ ରକ୍ଷା କରିବ? ଆମ ସରକାର ଆମ ଭାଷାରେ ଯଦି କରୋନାର ମହାମାରୀତ୍ଵ ସମ୍ପର୍କରେ ଆମକୁ ସବୁକଥା କହନ୍ତେ, ଆମେ ନିଜ ଆଡ଼ୁ ନିଜକୁ ରକ୍ଷା କରିବା ପାଇଁ ସବୁ ସତର୍କତା ଅବଲମ୍ବନ କରନ୍ତୁ ; କାରଣ ଅସହ୍ୟ କଷ୍ଟ କବଳରେ ପଡ଼ି ଆତ୍ମହତ୍ୟା କରିବାକୁ ଶ୍ରେୟ ମଣିଥିବା ମଣିଷ ଭିନ୍ନ କୌଣସି ଲୋକ ମରିବାକୁ ଚାହେଁନି , ବଞ୍ଚିବାକୁ ସତତ ଚେଷ୍ଟା କରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତହିଁରେ ବାଧକ ସାଜିଛନ୍ତି । ଆମ ଭାଷାରେ କରୋନା ସମ୍ପର୍କୀୟ କୌଣସି କଥା ଆମକୁ ଜାଣିବାକୁ ନ ଦେଇ, ପୋଲିସ ଆମର ରକ୍ଷାକର୍ତ୍ତା ବୋଲି ଗ୍ରହଣ କରିବାରେ ଆମକୁ ଅଭ୍ୟସ୍ତ କରାହେଉଛି । ଓଡ଼ିଶାର ଗଣମାଧ୍ୟମ ନବୀନଙ୍କ ସହ ଏପରି ହାତ ମିଳାଇଛି ଯେ, ପୋଲିସ ନୁହଁ , ମଣିଷ ହିଁ ନିଜର ପ୍ରକୃତ ରକ୍ଷାକର୍ତ୍ତା ବୋଲି ପଦେ କେବେ କହୁନି ।

ସମ୍ରାଟଙ୍କ ସହ ନ ରହି ଭାଟ୍ଟେ କଣ ସାଧାରଣ ମଣିଷ ସହ ରହନ୍ତେ ?

ନବୀନ ତ୍ରାଣକର୍ତ୍ତା

ନଗଣ୍ୟସଂଖ୍ୟକ କ୍ଷୁଦ୍ରାତିକ୍ଷୃଦ୍ର ଖବରକାଗଜ/ପତ୍ରିକାଙ୍କୁ ଛାଡ଼ି ଓଡ଼ିଶାର ସବୁ ଗଣମାଧ୍ୟମ ନବୀନଙ୍କ ସେବାରେ ବ୍ୟସ୍ତ । ଯିଏ ଯେତେ ବାଗରେ ଚାହିଁଲା ତାଙ୍କ ପ୍ରଚାର କଲା । ଏକଦା କ୍ଷମତାଧିପତିଙ୍କ ବିରୁଦ୍ଧରେ ସାଧାରଣ ମଣିଷର ସ୍ଵର ସାଜିଥିବା ସମ୍ବାଦ କାଗତ ତ ନବୀନଙ୍କ ଚାଟୁକାର ସାଜିଛି, ଅନ୍ୟ କାହା କଥା ପଚାରେ କିଏ !

ଏପ୍ରିଲ ୨୮ ତାରିଖରେ ଏହି କାଗଜର ଏକ ଶୀର୍ଷକ ଥିଲା “ଜାଣନ୍ତୁ, କାହିଁକି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ୍‌ କରି ବିଳମ୍ବିତ ରାତ୍ରିରେ ନାସିକ୍‌ ବିମାନବନ୍ଦରକୁ ଖୋଲାଇଲେ ମୁଖ୍ୟମନ୍ତ୍ରୀ ନବୀନ…” । ଏକ ଦାୟିତ୍ଵସମ୍ପନ୍ନ ଖବର କାଗଜ ଯେଉଁ ଖବର ପରିବେଷଣ କରେ, ତହିଁର ପ୍ରମାଣ ଦିଏ ଓ ସମସ୍ତ ଦାୟିତ୍ଵବୋଧର ସହ ତହିଁର ଶୀର୍ଷକ ପ୍ରସ୍ତୁତ କରେ । ଆମେ ପାଠକମାନେ ତାକୁ ତ ସ୍ଵାଭାବିକ ଭାବେ ଜାଣିବୁ, କାରଣ ଖବର ଜାଣିବାକୁ ତ ଆମେ ଖବର କାଗଜ କିଣୁଛୁ । କିନ୍ତୁ ଏହି ଖବରରେ “ଜାଣନ୍ତୁ” ବୋଲି ଆମକୁ ଆହ୍ଵାନ ଦେବାର କାରଣ କ’ଣ? କେଉଁ କଥା ଆମକୁ ଜଣାଇବାକୁ ଚାହିଁଛି ସମ୍ବାଦ?

ଅବିକଳ ନକଲ

“ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ବିରୋଧରେ ଓଡ଼ିଶା ଲଢ଼ୁଥିବା ବେଳେ ହଠାତ୍‌ ଦେଖାଦେଲା ଏକ ସମସ୍ୟା। କୋଭିଡ୍‌-୧୯ ବା କରୋନା ନମୁନା ପରୀକ୍ଷା ପାଇଁ ରାଜ୍ୟକୁ ବିଦେଶରୁ ଆମଦାନି କରାଯାଇଥିବା କିଛି ସାମଗ୍ରୀ ଆସି ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ସଡ଼କ ପଥରେ ଆସି ରାଜ୍ୟରେ ପହଞ୍ଚିବାର ଥିଲା। କିନ୍ତୁ ରପ୍ତାନି କରିଥିବା କମ୍ପାନି ସେଗୁଡ଼ିକୁ ପଠାଇ ଦେଲା ପୁଣେ ଓ ନାସିକ୍‌। ଲକ୍‌ଡାଉନ ପାଇଁ ପୁଣେ ଓ ନାସିକ୍‌ ବିମାନ ବନ୍ଦର ବନ୍ଦ। ଏଣେ ରାତି ଭିତରେ ଯଦି ସାମଗ୍ରୀ ଆସି ନ ପହଞ୍ଚୁଛି ତେବେ ସକାଳୁ ବାଧାପ୍ରାପ୍ତ ହୋଇଯିବ କରୋନା ନମୁନା ପରୀକ୍ଷା। ଏ ପରିସ୍ଥିତିରେ କରାଯିବା କ’ଣ? ସମସ୍ତେ ପଡ଼ିଗଲେ ଚିନ୍ତାରେ।

କୋଭିଡ୍‌ ବିରୋଧୀ ଲଢ଼େଇରେ ମଙ୍ଗ ସମ୍ଭାଳିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେତେବେଳେ ଏ ଘଟଣା ଜାଣିଲେ, କାଳ ବିଳମ୍ବ ନକରି ଫୋନ୍‌ ଲଗାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ। ସୃଷ୍ଟି ହୋଇଥିବା ସମସ୍ୟା ସଂପର୍କରେ ତାଙ୍କୁ ଅବଗତ କରାଇବା ସହ ଆବଶ୍ୟକ ପଡ଼ୁଥିବା ସହଯୋଗ ସଂପର୍କରେ ଦେଲେ ସୂଚନା। ବାସ୍‌; ମାତ୍ର କିଛି ଘଣ୍ଟା ମଧ୍ୟରେ ଯୋଗାଡ଼ ହୋଇଗଲା ବାୟୁସେନାର ଏକ ବିମାନ। ବିଳମ୍ବିତ ରାତିରେ ଖୋଲିଲା ବନ୍ଦ ଥିବା ପୁଣେ ଓ ନାସିକ୍‌ ବିମାନ ବନ୍ଦର। ସେଠାରୁ ପରୀକ୍ଷଣ ସାମଗ୍ରୀ ପରିବହନ କରି ବାୟୁସେନାର ବିମାନ ମଧ୍ୟରାତ୍ରରେ ଆସି ଅବତରଣ କଲା ଭୁବନେଶ୍ୱର ବିମାନ ବନ୍ଦରରେ। ସକାଳୁ ଚାଲୁ ରହିଲା କୋଭିଡ୍‌ ପରୀକ୍ଷଣ ।”

ସାଂଘାତିକ ସମ୍ବାଦିକତା 

ଏହି ଖବରଟି ସାମ୍ବାଦିକୀୟ ଦୃଷ୍ଟିରୁ କିପରି ସାଂଘାତିକ , ତାହା ଦେଖାଯାଇପାରେ ।

ଏହା କହିଛି, “ହଠାତ୍‌ ଦେଖାଦେଲା ଏକ ସମସ୍ୟା ।“

ଗୋଟେ ଭୁତାଣୁର ପରିବ୍ୟାପ୍ତିରେ ଲଗାମ୍ କଷିବାକୁ ଡାକ୍ତରମାନଙ୍କ ସୁଚିନ୍ତିତ ଯୋଜନା ଅନୁସାରେ ଗୋଟେ କ୍ରମାଗତ ଉଦ୍ୟମ ଚାଲିଛି । କୌଣସି ବୈଜ୍ଞାନିକ ପରୀକ୍ଷଣ ନାହିଁ , ଔଷଧ ପ୍ରୟୋଗ ନାହିଁ, କେବଳ କ୍ରମାଗତ ହେପାଜତ । ସେଥିରେ ପୁଣି “ହଠାତ୍‌” କଣ ?

ସମ୍ବାଦ କହିଛି, “ହଠାତ୍‌ ଦେଖାଗଲା” କି, “କୋଭିଡ୍‌-୧୯ ବା କରୋନା ନମୁନା ପରୀକ୍ଷା ପାଇଁ“ ଅତ୍ୟାବଶ୍ୟକୀୟ “କିଛି ସାମଗ୍ରୀ” ନାହିଁ । ବିଦେଶରୁ ତାହା ରପ୍ତାନୀ କରିଥିବା କମ୍ପାନୀ ଦିଲ୍ଲୀ ବିମାନବନ୍ଦରରୁ ତାକୁ ସଡ଼କପଥରେ ଓଡ଼ିଶା ନ ପଠାଇ “ସେଗୁଡ଼ିକୁ ପଠାଇ ଦେଲା ପୁଣେ ଓ ନାସିକ୍‌” । ଏକଥା ଜାଣିପାରି କୁଆଡ଼େ ସରକାରୀ ମହଲରେ ଆତଙ୍କ ଖେଳିଗଲା ; କାରଣ “ରାତି ଭିତରେ ଯଦି ସାମଗ୍ରୀ ଆସି ନ ପହଞ୍ଚୁଛି ତେବେ ସକାଳୁ ବାଧାପ୍ରାପ୍ତ ହୋଇଯିବ କରୋନା ନମୁନା ପରୀକ୍ଷା ।“ ଏହା ଦୁଇଟି ପ୍ରଶ୍ନମାଳା ତୋଳୁଛି :

(କ) ରାତି ଭିତରେ ସାମଗ୍ରୀ ନ ପହଞ୍ଚିଲେ ସକାଳୁ କାରୋନା ପରୀକ୍ଷା ହୋଇ ପାରିବ ନାହିଁ ବୋଲି କର୍ତ୍ତୃପକ୍ଷ କେବେ ଜାଣିଲେ? ସେତେବେଳଯାଏଁ କରୁଥିଲେ କ’ଣ ? ଏହି ସମସ୍ୟା “ହଠାତ୍‌ ଦେଖାଗଲା” ବୋଲି କୁହା ହୋଇଥିବା ହେତୁ, ଏହା ହିଁ ବୁଝାପଡ଼େ ଯେ, ସେହି ରାତି ପର୍ଯ୍ୟନ୍ତ ଜଣା ନଥିଲା ସେହି ଅତ୍ୟାବଶ୍ୟକ ସାମଗ୍ରୀ ସରିଗଲାଣି ବୋଲି । କିଏ ସେହି ସାମଗ୍ରୀ ଦାୟିତ୍ଵରେ ଥିଲେ ଓ ପୂର୍ବରୁ ତାହା କାହିଁକି ଅବଗତ କରାଇ ନଥିଲେ? ଏହି ଚରମ ଦାୟିତ୍ଵହୀନତା ପାଇଁ ତାଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ହୋଇଛି?

(ଖ) କିଏ ସେହି ରପ୍ତାନୀକର୍ତ୍ତା ଯାହାଙ୍କ ପ୍ରେରିତ ସାମଗ୍ରୀ ଭୁବନେଶର ଠିକଣାରେ ଆସି ପୁଣେ ଓ ନାସିକ୍ ପଳାଇଲା ? କେଉଁଠୁ ତାହା ଦିଲ୍ଲୀ ବିମାନବନ୍ଦରକୁ ଆସିଥିଲା ? ଦିଲ୍ଲୀରୁ ଯେତେବେଳେ ତାହା ସଡ଼କପଥରେ ଭୁବନେଶ୍ବର ଆସିବା କଥା ଥିଲା, କେହି ତ ସେହି ଅତ୍ୟାବଶ୍ୟକ ସମଗ୍ରୀକୁ ସେଠାରେ ହାତେଇଥାନ୍ତା ଓ ତାକୁ ବିମାନବନ୍ଦର ବାହାରକୁ ଆଣି ସଡ଼କପଥରେ ପଠାଇଥାନ୍ତା । କିଏ ସେହି ବ୍ୟକ୍ତି? କେଉଁ ବିମାନରେ ତାହା ଆସିଥିଲା ଓ କେତେବେଳେ ଦିଲ୍ଲୀରେ ପହଞ୍ଚିଥିଲା? ଦିଲ୍ଲୀରୁ ସଡ଼କପଥରେ ଭୁବନେଶ୍ଵରକୁ ଦି ଦିନ । କେଉଁ ଦିନ ତାହା ଭୁବନେଶ୍ଵରରେ ପହଞ୍ଚିବାର ଥିଲା ? ସଡ଼କ ପାସ୍ ବିନା ତାହା ତ ଆସିପାରିନାଥନ୍ତା । କେଉଁ ବ୍ୟକ୍ତି ସଡ଼କ ପାସ୍ ପାଇଁ ଦରଖାସ୍ତ କରିଥିଲେ ଏବଂ କେଉଁ ଦିନ ? ସଡ଼କ ପାସ୍ ମିଳିଥିଲା କି ନାହିଁ ? ଓଡ଼ିଶା ସରକାରଙ୍କ କେଉଁ କର୍ମଚାରୀ ତାହା ହାସଲ କରିଥିଲେ? କେତେ ନମ୍ବର ଗାଡ଼ି ପାଇଁ ସଡ଼କ ପାସ୍ ମିଳିଥିଲା ? ସେ ଗାଡ଼ି କୁଆଡ଼େ ଗଲା?

ଏ ସବୁ ନ କହି ସମ୍ବାଦ କାଗଜ କହିଛି , “କୋଭିଡ୍‌ ବିରୋଧୀ ଲଢ଼େଇରେ ମଙ୍ଗ ସମ୍ଭାଳିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେତେବେଳେ ଏ ଘଟଣା ଜାଣିଲେ, କାଳ ବିଳମ୍ବ ନକରି ଫୋନ୍‌ ଲଗାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ।“ ତା ପରେ “ପରୀକ୍ଷଣ ସାମଗ୍ରୀ ପରିବହନ କରି ବାୟୁସେନାର ବିମାନ ମଧ୍ୟରାତ୍ରରେ ଆସି ଅବତରଣ କଲା ଭୁବନେଶ୍ୱର ବିମାନ ବନ୍ଦରରେ। ସକାଳୁ ଚାଲୁ ରହିଲା କୋଭିଡ୍‌ ପରୀକ୍ଷଣ ।“ ଏହାର ଅର୍ଥ, ଯଦି ପୁଣେ ଓ ନାସିକରୁ ପରୀକ୍ଷଣ ସାମଗ୍ରୀ ଧରି ବାୟୁସେନା ବିମାନ ମଧ୍ୟରାତ୍ରିରେ ପହଞ୍ଚି ନଥାନ୍ତା , ସକାଳେ କୋଭିଡ୍‌ (କାରୋନା) ପରୀକ୍ଷଣ ବନ୍ଦ ହୋଇଯାଇଥାନ୍ତା । ଅତଏବ , କାରୋନା ସହ ଚାଲିଥିବା “ଯୁଦ୍ଧ” ଏକ ଅନ୍ତର୍ଘାତୀ ଆକ୍ରମଣର ସମ୍ମୁଖୀନ ହୋଇଥିଲା, ଯାହା ଅବଗତ ହେଲା ପରେ “କୋଭିଡ୍‌ ବିରୋଧୀ ଲଢ଼େଇରେ ମଙ୍ଗ ସମ୍ଭାଳିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ” ଅବସ୍ଥା ସୁଧାରିଦେଲେ । ଏହା ଯଦି ସତ୍ୟ , ତେବେ ତ ଏହି ଅନ୍ତର୍ଘାତୀ ଷଡ଼ଯନ୍ତ୍ର କିଏ ଚଳାଇଥିଲା, ତାହା ମୁଖ୍ୟମନ୍ତ୍ରୀ ନିଶ୍ଚୟ ଜାଣିଥିବେ । ତା ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ କରିଛନ୍ତି ମୁଖ୍ୟମନ୍ତ୍ରୀ ? ଏ ସମସ୍ତ କଥା ଜାଣିବାର ଅଧିକାର ଓଡ଼ିଶାର ଜନସାଧାରଣଙ୍କର ଅଛି ; କାରଣ ଏଥିସହ ଜଡ଼ିତ ଜୀବନ ମରଣର କଥା । ସମ୍ବାଦ କାଗଜ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାର ତ୍ରାଣକର୍ତ୍ତା ସଜାଇବାକୁ ଏତେ କସରତ କରିଛି, କିନ୍ତୁ ଏହି ଯେଉଁ ସବୁ ପ୍ରଶ୍ନର ଉତ୍ତର ଆବଶ୍ୟକ ତା ପାଇଁ ନୀରବ ଅଛି ।

ସଚିବଙ୍କ ବୟାନ ମିଛ 

ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କ ବୟାନ ଉଦ୍ଧାର କରି ସମ୍ବାଦ ଲେଖିଛି : “ସେହିପରି ଆଉ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା, ରାଜ୍ୟରେ କୋଭାଡ୍‌ ମେସିନ୍‌ ପ୍ରତିଷ୍ଠା କାଳରେ । କୋଭିଡ୍‌-୧୯ ନମୁନା ପରୀକ୍ଷଣର ସଂଖ୍ୟା ବଢ଼ାଇବା ସହ ଏହାକୁ ତ୍ୱରାନ୍ଵିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟକ୍ତିଗତ ଉଦ୍ୟମରେ ରାଜ୍ୟକୁ ମଗାଇ ଆଣିଲେ କୋଭାସ୍‌ ମେସିନ୍‌ । ଯେଉଁଥିରେ ଥରକରେ ହୋଇ ପାରିବ ୮୦୦ ନମୁନାର ପରୀକ୍ଷା । ମେସିନ୍‌ ତ ଆସି ପହଞ୍ଚିଗଲା । ହେଲେ, ସମସ୍ୟା ଉପୁଜିଲା ଏହାକୁ ପ୍ରତିଷ୍ଠା କରିବା ସମୟରେ । କାରଣ, ଏହାକୁ ଯେଉଁ ଇଞ୍ଜିନିୟରମାନେ ପ୍ରତିଷ୍ଠା କରିବେ ସେମାନଙ୍କ ମଧ୍ୟରୁ କିଏ ଦିଲ୍ଲୀରେ ତ ପୁଣି କିଏ ମୁମ୍ବାଇରେ, ଆଉ ପୁଣି (କିଏ) ଯାଇ ଗୁରୁଗ୍ରାମରେ। ଏ ଘଟଣା ଯେତେବେଳେ ଜାଣିଲେ ମୁଖ୍ୟମନ୍ତ୍ରୀ ନବୀନ, ଡକାଇଲେ ଅଧିକାରୀମାନଙ୍କୁ। ନିର୍ଦ୍ଦେଶ ଦେଇ କହିଲେ ଯାଅ ବିମାନ ଧରି ସବୁ ଇଞ୍ଜିନିୟରମାନଙ୍କୁ ସଙ୍ଗରେ ଧରିକି ଆସ। ଫଳରେ ରାଜ୍ୟ ସରକାରଙ୍କ ବିମାନରେ ଦେଶର ବିଭିନ୍ନ ସ୍ଥାନରୁ ଆସିଲେ ୨୨ ଜଣ ଇଞ୍ଜିନିୟର। ଦୀର୍ଘ ତିନିଦିନ ପରିଶ୍ରମ କରି ସ୍ଥାପନା କଲେ କୋଭାସ୍‌ ମେସିନ୍‌। ଯାହା ଫଳରେ ଆଜି ରାଜ୍ୟରେ ୨୫୦୦ରୁ ଅଧିକ ନମୁନାର ପରୀକ୍ଷା କରାଯାଇ ପାରୁଛି ।“

ନବୀନବାବୁଙ୍କୁ ଓଡ଼ିଆ ଲୋକଙ୍କ ତ୍ରାଣକର୍ତ୍ତା ସଜାଇବା ଚକ୍କରରେ ଏ ଅଣଓଡ଼ିଆ ଆଇ ଏ ଏସ୍ ଅଫିସର ଓ ସମ୍ବାଦ ମିଶି ଏ ଭେଳିକି ତିଆରି କରିଛନ୍ତି । ପୁରାଣବର୍ଣ୍ଣିତ ମହାରାଜା କଂସ କୃଷ୍ଣଙ୍କୁ ଧାରିଆଣିବାକୁ ଡଗର ପଠାଇଲା ପରି ମୁଖ୍ୟମନ୍ତ୍ରୀ କୁଆଡ଼େ “ଡକାଇଲେ ଅଧିକାରୀମାନଙ୍କୁ । ନିର୍ଦ୍ଦେଶ ଦେଇ କହିଲେ ଯାଅ ବିମାନ ଧରି ସବୁ ଇଞ୍ଜିନିୟରମାନଙ୍କୁ ସଙ୍ଗରେ ଧରିକି ଆସ।“ ଏବଂ ସେମାନେ ୨୨ ଜଣ ଇଞ୍ଜିନିୟରଙ୍କୁ ଧରିଆଣିଲେ ! ରାଜ୍ୟରେ ଶାସନ ଚାଲିଛି କି ସୁଆଙ୍ଗ?

ଭେଳିକି 

ଯାହା ଜଣା ପଡୁଛି, ସଂବାଦ କାଗଜ ଆମ ପାଠକୀୟ ବିଜ୍ଞତା ଆଡ଼େ ବି ଏହି ସୁଆଙ୍ଗ ମଡ଼ାଇଆଣିଛି ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ବଢ଼ାଇବା ବ୍ୟଗ୍ରତାରେ । ତା ନହେଲେ ଏହା ଆମକୁ ସବିଶେଷ ବିବରଣୀ ଦେଇଥାନ୍ତା, ଯହିଁରୁ ଜଣାପଡ଼ିଥାନ୍ତା : ଏହି ମେସିନ୍ ଆଣିବା ପାଇଁ ସରକାରୀ ଉଦ୍ୟମ ନହୋଇ ବ୍ୟକ୍ତିଗତ ଉଦ୍ୟମ କାହିଁକି ହେଲା? ମେସିନ୍ ସହ ତାର ସ୍ଥାପନା ପାଇଁ ଇଞ୍ଜିନିୟରମାନେ କାହିଁକି ଆସିନଥିଲେ? କେଉଁ ଅଧିକାରୀ ଯାଇଥିଲେ ୨୨ ଜଣ ଇଞ୍ଜିନିୟରଙ୍କୁ ଦିଲ୍ଲୀ, ମୁମ୍ବାଇ, ଗୁରୁଗ୍ରାମରୁ ବିମାନରେ ଆଣିବା ପାଇଁ ଓ ସେମାନଙ୍କୁ ଖୋଜି ଏକାଠିକରି ଆଣିବାକୁ କେତେଦିନ ଲାଗିଥିଲା ଇତ୍ୟାଦି । ଅଥଚ, ସ୍ୱାସ୍ଥ୍ୟ ବିଭାଗର ଜଣେ ନିର୍ଭରଯୋଗ୍ୟ ତୁଙ୍ଗ ପଦାଧିକାରୀ ମୋତେ କିଛି ସମୟ ତଳେ କହିଛନ୍ତି ଯେ , ମେସିନ ପାଇଁ ଓଡ଼ିଶା କ୍ୟୁ (ଧାଡ଼ି)ରେ ଅଛି, ତାହା ଆସିନାହିଁ । ତେବେ, ଶିଳ୍ପ ସଚିବ ଯାହା କହିଲେ ଓ ସମ୍ବାଦ ଯାହା ପ୍ରସାରଣ କଲା, ତାହା ଭେଳିକି ଛଡ଼ା ଆଉ କ’ଣ ହୋଇପାରେ?

ଏ ଭେଳିକି ଭିଆଣ କାହିଁକି?

ଓଡ଼ିଶାରେ କାରୋନା ପଜିଟିଭ ସଂଖ୍ୟା ଅପେକ୍ଷାକୃତ କମ୍ । ପ୍ରଚାର ଚାଲିଛି, କାରୋନାକୁ ମୁଖ୍ୟମନ୍ତ୍ରୀ କାବୁରେ ରଖିଛନ୍ତି । ପାର୍ଶ୍ଵରେ ଥିବା ତଥ୍ୟଫର୍ଦ୍ଦ ଦେଖିଲେ ଜଣା ପଡ଼େ, କରୋନା ଭୂତାଣୁ ଠାବ ପାଇଁ ଏପ୍ରିଲ ୨୩ ସୁଦ୍ଧା ଦିଲ୍ଲୀରେ ପ୍ରତି ୧୦ ଲକ୍ଷ ଲୋକରେ ୧,୫୧୩ ଜଣଙ୍କୁ ପରୀକ୍ଷା କରାଯାଇଥିବା ବେଳେ ଓଡ଼ିଶାରେ ପରୀକ୍ଷଣର ସଂଖ୍ୟା ହେଲା ମାତ୍ର ୩୬୪ । ଯେତେ କମ୍ ଲୋକଙ୍କ ଉପରେ ପରୀକ୍ଷା ହେବ ସେତେ କମ ସଂଖ୍ୟକ ଆକ୍ରାନ୍ତ ଠାବ ହେବେ । ଏହି କାଇଦା ପ୍ରୟୋଗ କରି ଓଡ଼ିଶାରେ କାରୋନା କାବୁରେ ଅଛି ଓ ମୁଖ୍ୟମନ୍ତ୍ରୀ ନିଜେ “କୋଭିଡ୍‌ ବିରୋଧୀ ଲଢ଼େଇରେ ମଙ୍ଗ ସମ୍ଭାଳିଥିବା” ହେତୁ ଏହା ସମ୍ଭବ ହୋଇଛି ବୋଲି ପ୍ରଚାର ଚାଲିଛି ।

ମାତ୍ର ଇଣ୍ଡିଆ ଟୁଡେ ଗୋଷ୍ଠୀ ପ୍ରସ୍ତୁତ କରିଥିବା ଏହି ତଥ୍ୟଫର୍ଦ୍ଦ ଏହି ଚାଲାକିକୁ ପଦାରେ ପକାଇ ଦେଲା । ସ୍ପଷ୍ଟ ହୋଇଗଲା ଯେ ଓଡ଼ିଶାରେ ଆବଶ୍ୟକୀୟ ପରୀକ୍ଷା ନକରି କାରୋନା କବୁରେ ଅଛି ବୋଲି ମିଛ ପ୍ରଚାର ଚାଲିଛି । ଏହି ଗୁମର ଧରା ପଡ଼ିଗଲା ପରେ, ସମ୍ବାଦ କାଗଜକୁ ବ୍ୟବହାର କରି ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ସଜାଡ଼ିବାକୁ ଏହି ଶାବ୍ଦିକ ଭେଳିକି ସୃଷ୍ଟିକରା ହୋଇଛି ।

ଏପରି ଭେଳିକି ସୃଷ୍ଟି କରି ସମ୍ବାଦ କାଗଜ ତ ନବୀନବାବୁଙ୍କୁ ଓଡ଼ିଶାର ତ୍ରାଣକର୍ତ୍ତା ଭାବେ ଚିତ୍ରିତ କରିଛି, କିନ୍ତୁ ଏବେ ଏହା ସମ୍ବାଦିକୀୟ ଦାୟିତ୍ଵବୋଧ ସହ ଆମକୁ କହିବା ଦରକାର, ପ୍ରତି ୧୦ ଲକ୍ଷ ଲୋକରେ ଯଦି ଦିଲ୍ଲୀରେ ୧,୫୧୩ ଲୋକଙ୍କୁ ପରୀକ୍ଷା କରାଯାଇପାରିଲା, କେଉଁ କାରଣରୁ ଓଡ଼ିଶାରେ ତଦ୍ଦୃପ ସଂଖ୍ୟକ ଲୋକଙ୍କୁ ପରୀକ୍ଷା କରା ଗଲା ନାହିଁ ।

ଦୁଃଖର କଥା , ଏପର୍ଯ୍ୟନ୍ତ ପରୀକ୍ଷଣର କୌଣସି ନିୟମ ମଧ୍ୟ ପ୍ରବର୍ତ୍ତିତ ହୋଇନାହିଁ ଓଡ଼ିଶାରେ । ତେଣୁ ପରୀକ୍ଷଣ କିପରି ଚାଲିଛି ତାହା ମଧ୍ୟ କାହାକୁ ଜଣା ନାହିଁ ।

କୁହାଯାଉଛି କିଛି ଆକ୍ରାନ୍ତ ଆରୋଗ୍ୟ ଲାଭ କରି ଘରକୁ ଗଲେଣି । ଯେଉଁ ରୋଗର ଔଷଧ ନାହିଁ କି ଚିକିତ୍ସା ନାହିଁ, ସେଥିରୁ ଆରୋଗ୍ୟଲାଭ ପୁଣି କ’ଣ ?

ଅତିବେଶୀରେ କୁହାଯାଇପାରେ – ନେଗେଟିଭ । କେଉଁ କେଉଁ ପରୀକ୍ଷା ବଳରେ କାହାକୁ ନେଗେଟିଭ କୁହାଯିବ ତାହା ଘୋଷିତ ଓ ପ୍ରବର୍ତ୍ତିତ ହୋଇନାହିଁ । ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ମାନଦଣ୍ଡ ଅନୁସାରେ ପ୍ରଦତ୍ତ ଏହି ପାର୍ଶ୍ଵବର୍ତ୍ତୀ ନେଗେଟିଭ ରିପୋର୍ଟର ନମୁନା ଅନୁଧ୍ୟେୟ । ଓଡ଼ିଶା ସରକାର ଯେଉଁ ଆରୋଗ୍ୟ ଲାଭ ସାର୍ଟିଫିକେଟ ଓ/ବା ନେଗେଟିଭ ସାର୍ଟିଫିକେଟ ଦେଇଛନ୍ତି ତାହା ପ୍ରକାଶ କରନ୍ତୁ; ଆମେ ଏହି ମାନକ ରିପୋର୍ଟ ସହ ମିଳାଇ ଦେଖିବୁ ସରକାରଙ୍କ କଥା ସତ କି ଉପରଠାଉରିଆ । କାରଣ ଏହା କରୋନା ବେଳ, ଲୋକେ ସବୁକଥା ଠିକ୍ ଭାବେ ଜାଣିବା ଦରକାର ।

ଭେଳିକି ବନ୍ଦ ହେଉ

ଲୋକେ ଯେତେବେଳେ ଭୟଙ୍କର ବିପଦରେ, ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ବଢାଇବା ପାଇଁ କେତେକ ଅମଲା ତଥା ଉତ୍ତରଦାୟିତ୍ଵ ନଥିବା ବାକ୍ଚାତୁରୀପ୍ରବଣ ଗଣମାଧ୍ୟମ ଓ ବାଗ୍ଚିମାନେ ଚାଲିଥିବା ସୁଆଙ୍ଗସବୁକୁ ବନ୍ଦ କରନ୍ତୁ ଓ ଆମ୍ଭେ ଉପରେ ଉତ୍ଥାପିତ କରିଥିବା ପ୍ରଶ୍ନଗୁଡ଼ିକକର ସ୍ପଷ୍ଟ ନିର୍ଭୁଲ ଉତ୍ତର ସହ କାରୋନା ସମ୍ପର୍କୀୟ ସମସ୍ତ ତଥ୍ୟ ଓଡ଼ିଆ ଭାଷାରେ “ଓଡ଼ିଆରେ ଶାସନ” ପାଇଁ ଗଠିତ ୱେବସାଇଟ (odia॰odisha॰gov॰in)ରେ ତୁରନ୍ତ ପ୍ରକାଶ କରି ଏହି ମହାମାରୀକୁ ସାମ୍ନା କରିବା ପାଇଁ ଆମ ସାଧାରଣ ଲୋକଙ୍କୁ ଆବଶ୍ୟକୀୟ ଦକ୍ଷତା ଅର୍ଜନରେ ସହାୟକ ହୁଅନ୍ତୁ ।

ଏହି ଭୟଙ୍କର ବିପତ୍ତିରେ ପୋଲିସ ଆମର ରକ୍ଷାକର୍ତ୍ତା ନୁହେଁ, କି ନବୀନ ଆମର ତ୍ରାଣକର୍ତ୍ତା ନୁହନ୍ତି ।

ଲୋକେ ଜାଣିବା ଦରକାର ଯେ, ସେମାନେ ନିଜେ ହିଁ ନିଜର ରକ୍ଷାକର୍ତ୍ତା ଓ ନିଜର ସଚେତନତା ହିଁ ସେମାନଙ୍କ ତ୍ରାଣକର୍ତ୍ତା ।

ସମ୍ବାଦ ପରି ଖବରକାଗଜମାନେ ଲୋକଙ୍କୁ ଯେଉଁ ତିମିରେ ସେହି ତିମିରେ ନରଖନ୍ତୁ ।

ଫୁଲବାଣୀରେ ଆଲୋଚନାଚକ୍ର: ମନୀଷୀ ନବକୃଷ୍ଣ ଚୌଧୁରୀ ଓ ଓଡ଼ିଆ ଭାଷା

ବିଶେଷ ସଂବାଦଦାତା

ଫୁଲବାଣୀ, ୨୩.୧୧.୨୦୧୯
ମିଳିତ ନାଗରିକ କମିଟି ପକ୍ଷରୁ ମନୀଷୀ ନବକୃଷ୍ଣ ଚୌଧୁରୀଙ୍କ ୧୧୯ତମ ଶୁଭ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ତାଙ୍କ ପ୍ରଦତ୍ତ ଓଡ଼ିଶା ସରକାରୀ ଭାଷା ଆଇନକୁ ଓଡ଼ିଶାର ପରିଚାଳନାରେ ଅଲଙ୍ଘ୍ୟ କରିବା ପାଇଁ ତୁରନ୍ତ ଆବଶ୍ୟକୀୟ ପ୍ରଶାସନିକ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାରଙ୍କୁ ଆହ୍ଵାନ ଦିଆଯାଇଛି ।

ଫୁଲବାଣୀ ପ୍ରେସ୍ କ୍ଲବ୍ ପ୍ରେକ୍ଷାଳୟରେ ଡଃ ଅରୂପ କୁମାର ଜେନାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ଜନ୍ମୋତ୍ସବ ସମ୍ମିଳନୀରେ ଆବାହକ ଅଶୋକ ପରିଡ଼ା ବିଷୟ ଉପସ୍ଥାପନ କରିଥିବା ବେଳେ, ବକ୍ତା ଭାବରେ ଯୋଗ ଦେଇଥିଲେ ବୌଦ୍ଧ ଆଦର୍ଶ ମହାବିଦ୍ୟାଳୟର ଅଧ୍ୟକ୍ଷ ବୈକୁଣ୍ଠ ନାଥ ସ୍ୱାଇଁ, ଫିରିଙ୍ଗିଆ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଚିତ୍ତରଞ୍ଜନ ମିଶ୍ର,ଅବସରପ୍ରାପ୍ତ କମାଣ୍ଡାଣ୍ଟ ନବୀନ କିଶୋର ପଣ୍ଡା, ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟନାୟକ, ଅବସରପ୍ରାପ୍ତ ଶିକ୍ଷକ ନବ କିଶୋର ରଥ,କର୍ମଚାରୀ ସଂଗ୍ରାମ ସମିତିର ସଭାପତି ବ୍ରଜକିଶୋର ପଟ୍ଟନାୟକ, ସେଛାସେବୀ ଅନୁଷ୍ଠାନ ‘ସ୍ୱାତୀ’ର ହରିଶଙ୍କର ରାଉତ । ଏମାନଙ୍କ ସମେତ ବରିଷ୍ଠ ନାଗରିକ ନାରାୟଣ ସାହୁ, ପ୍ରଶନକୁମାର ସାହାଣୀ, ବିଜୟ ମହାନ୍ତି, ରାଜ କିଶୋର ବେହେରା, ବୈଦ୍ୟନାଥ ଖଟୁଆ, ମନୋଜ ଚୌଧୁରୀ, ଉମେଶ ପାତ୍ର,ଏଲ ତ୍ରିନାଥ ପାତ୍ର,ଦୁର୍ବାସା ସେଠି,ପ୍ରମୋଦ ସାହୁ ପ୍ରମୁଖ ମନୀଷି ନବକୃଷ୍ଣ ଚୌଧୁରୀଙ୍କ ଗୌରବମୟ ଜୀବନଗାଥା ଉପସ୍ଥାପନ କରିଥିଲେ ।

ଓଡ଼ିଆ ଭାଷାକୁ ସରକାରୀ ଭାଷା ଭାବେ ଅଲଙ୍ଘ୍ୟ କରିବାକୁ ଚାଲିଥିବା ନିଶବ୍ଦ କଳାପତାକା ଅଭିଯାନ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ବିଦ୍ଵେଷୀତା ବିରୁଦ୍ଧରେ ଜନ ଆନ୍ଦୋଳନରେ ପରିଣତ ହେବ ବୋଲି ଭବିଷ୍ୟ ବାଣୀ ଦେଇ ଆବାହକ ଶ୍ରୀ ପରିଡ଼ା ଓଡ଼ିଆ ଭାଷା ଅସ୍ମିତା ପ୍ରତି ଏବଂ ଭାଷା ଭିତ୍ତିକ ରାଜ୍ୟ ଗଠନ ପ୍ରତି କନ୍ଧମାଳର ଉଜ୍ଜ୍ଵଳ ଅବଦାନର ଉଲ୍ଲେଖ କରିଥିଲେ ।

ଭାଷା ଅସ୍ମିତାକୁ କନ୍ଧମାଳର ଅବଦାନ 

କନ୍ଧମାଳ ଦାରିଙ୍ଗବାଡିର କାଟିଙ୍ଗିଆ ରାଜା ଭେଙ୍କେଟଶ୍ୱର ଦେଓଙ୍କ ତପ୍ପରତା ହେତୁ ୧୮୭୦ ସେପ୍ଟେମ୍ବର ୧୧ରେ ଘୁମୁସର ରସୁଲକୋଣ୍ଡାଠାରେ ଗଞ୍ଜାମ ଅଞ୍ଚଳର ପ୍ରଜାମାନଙ୍କର ଭାଷା ସପକ୍ଷବାଦୀ ପ୍ରସ୍ତାବ ପରେ ପରେ କିପରି ଜିଲ୍ଲା ଅନ୍ତର୍ଗତ ରାଜାମାନଙ୍କୁ ନେଇ ଏକ ବୈଠକରେ ତଦ୍ଦୃପ ନିଷ୍ପତ୍ତି ନିଆ ହୋଇ ଓଡ଼ିଆ ଭାଷାକୁ ପ୍ରଶାସନର ଭାଷା କରିବା ପାଇଁ ଦାବି ଦୃଢୀଭୂତ ହୋଇଥିଲା ତାହା ଆଲୋଚିତ ହୋଇଥିଲା । କାଟିଙ୍ଗିଆ ରାଜା ସେହି ପ୍ରସ୍ତାବକୁ ଏକ ସ୍ମାରକ ପତ୍ର ଭାବେ ଇଂଲଣ୍ଡକୁ ପଠାଇ ବିଲାତି ସରକାରଙ୍କ ମନରେ ଓଡ଼ିଆ ଭାଷାର ପ୍ରଶାସନିକ ଗୁରୁତ୍ଵ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ ଓ ସେହି ଐତିହାସିକ ପଦକ୍ଷେପ ପରବର୍ତ୍ତୀ କାଳରେ ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନକୁ ମଜବୁତ ହେବାରେ ସାହାଯ୍ୟ କରିଥିଲା । ତେଣୁ, ଭାଷା ଜାତୀୟତାର ଆଦ୍ୟ ଆଧାରଶୀଳା ଏହି କନ୍ଧମାଳ ଜିଲ୍ଲାରେ ଆମ ଭାଷାରେ ଆମ ଶାସନ ପାଇଁ ମନୀଷୀ ନବକୃଷ୍ଣ ଚୌଧୁରୀ ପ୍ରଦାନ କରିଥିବା ଭାଷା ଆଇନର ସଶକ୍ତିକରଣ ପାଇଁ ଯେଉଁ ଆନ୍ଦୋଳନ ଚାଲିଛି ତାହାର ସମ୍ପୂର୍ଣ ସଫଳତା ପାଇଁ କନ୍ଧମାଳ ସର୍ବବିଧ ସହଯୋଗ କରିବ ବୋଲି ମତ ପ୍ରକାଶ ପାଇଥିଲା ।

ତ୍ୟାଗ ଓ ଆଦର୍ଶର ଅବତାର 

ରାଜ୍ୟର ମୂଖ୍ୟମନ୍ତ୍ରୀ ହୋଇଥିବା ସତ୍ତ୍ୱେ ଆଜନ୍ମ ଜମିଦାର ମନୀଷୀ ନବକୃଷ୍ଣ ସମସ୍ତ ବିଳାସ ବ୍ୟସନ ଛାଡି କିପରି ଏକ ତ୍ୟାଗପୂତ ସାଧାରଣ ଜୀବନ ବିତାଉଥିଲେ ଓ ଗାନ୍ଧୀଜୀଙ୍କ ସ୍ୱପ୍ନକୁ ଓଡ଼ିଶାରେ ସାକାର କରାଇଥିଲେ, ବକ୍ତାମାନେ ତାହାର ଭାବୋତ୍ସାସ ଭରା ଅବତାରଣା କରି ତାଙ୍କୁ ତ୍ୟାଗ ଓ ଆଦର୍ଶର ଅବତାର ବୋଲି ଆଖ୍ୟାୟିତ କରିଥିଲେ ।

ହା ଏବେ କଳ୍ପନା କରିବା କଷ୍ଟ ଯେ, ତାଙ୍କ ପରି ତ୍ୟାଗପୂତ ନିରାଡ଼ମ୍ବର ନେତା ବି ଆମର ଥିଲେ ମୁଖ୍ୟମନ୍ତ୍ରୀ , ଯେ କି ମୂଖ୍ୟମନ୍ତ୍ରୀ ପଦ ତ୍ୟାଗ କରି ସଙ୍ଗେ ସଙ୍ଗେ ସରକାରୀ ଘର ଛାଡ଼ି , ନିଜର ଏକ ପୁରୁଣା ଟ୍ରଙ୍କ ନିଜେ ଧରି ଅନଗୁଳ ଯିବାପାଇଁ ଷ୍ଟେସନ ଅଭିମୂଖେ ଚାଲି ଚାଲି ଯାଇପାରିଥିଲେ, କାରଣ ପଦ ତ୍ୟାଗ କଲା ପରେ ସରକାରୀ ଘରେ ରହିବା ଓ ସରକାରୀ ଗାଡ଼ି ବ୍ୟବହାର କରି ରେଳ ଷ୍ଟେସନ ଯାଏଁ ଆସିବା ମଧ୍ୟ ତାଙ୍କ ବିଚାରରେ ଥିଲା ଅନୈତିକ ।

ଓଡ଼ିଆ ଭାଷାର ପ୍ରଚଳନ ଓ ନିଶା ନିବାରଣକୁ ପ୍ରାଧାନ୍ୟ ଦେଇଥିବା ନବବାବୁ ମୂଖ୍ୟମନ୍ତ୍ରୀ ପଦବୀରୁ ଗଲା ପରେ ନାଗଭୁଷଣ ପଟ୍ଟନାୟକଙ୍କୁ ଜେଲରୁ ଖଲାସ କରିବା ପାଇଁ କ୍ଷମା ଦେବାକୁ ତତ୍କାଳୀନ ରାଷ୍ଟ୍ରପତିଙ୍କୁ ଅନୁରୋଧ କରି ତାଙ୍କୁ ଜେଲକୁ ପଠାଇବା ଜଣେ ପ୍ରଶାସକ ଭାବେ ତାଙ୍କ ଦାୟିତ୍ଵ ଥିଲା, କିନ୍ତୁ ଜଣେ ସାଧାରଣ ଭାରତୀୟ ଭାବେ ନାଗଭୂଷଣଙ୍କ ମୁକ୍ତି କାମନା କରିବା ତାଙ୍କ କର୍ତ୍ତବ୍ୟ ବୋଲି ସେ ସ୍ପଷ୍ଟ କରିଥିଲେ ।

ଏପରି ଜଣେ ମହାତ୍ମା ଓଡ଼ିଆ ଜାତିର ଭାଷା ଅଧିକାରକୁ ଆଇନସିଦ୍ଧ କରିଥିବା ବେଳେ ବର୍ତ୍ତମାନର ସରକାର ତାହାକୁ ବ୍ୟର୍ଥ କରିବା ପାଇଁ ତହିଁରେ ଭୁଲ ସଂଶୋଧନ ଘଟାଇଥିବା ଅତ୍ୟନ୍ତ ଦୁଃଖଦାୟକ ବୋଲି ବକ୍ତାମାନେ ମତପ୍ରଦାନ କରିଥିଲେ ଓ ନବବାବୁ ଦେଇଯାଇଥିବା ଆଇନର କାର୍ଯ୍ୟକାରୀତା ପାଇଁ ତାହାର ସଶକ୍ତିକରଣ ଉପରେ ଗୁରୁତ୍ଵ ଦେଇଥିଲେ ।