Posts from the Uncategorized Category

ବିଶେଷ ସମ୍ବାଦଦାତା

ଓଡ଼ିଆ ଭାଷାକୁ ଅକାମି କରି ରଖିବା ପାଇଁ ସରକାର ଚଳାଇଥିବା ସବୁ ଷଡଯନ୍ତ୍ର ପଣ୍ଡ ହେବାରେ ଲାଗିଛି ।

ବୁଦ୍ଧିର ଲଢ଼େଇରେ ନ ପାରିବା ଫଳରେ ଭାଷା ଆନ୍ଦୋଳନର କିଛି ଅସାଧୁ ବ୍ୟକ୍ତିଙ୍କୁ ସୁପାରୀ କିଲର ପରି ବ୍ୟବହାର କରି ଜୁଲାଇ ୧୬ରୁ ପୁନଃ ଆରମ୍ଭ ହେବାକୁ ଥିବା କଳାପତାକା ଅଭିଯାନକୁ ନିସ୍ପନ୍ଦ କରାଇ ଦେବାକୁ ଚକ୍ରାନ୍ତ କରିଥିଲେ ସରକାର । କଳାପତାକା ଅଭିଯାନ ପଦ୍ଧତ୍ତିର ସ୍ରଷ୍ଟା ସୁଭାଷ ଚନ୍ଦ୍ର ପଟ୍ଟନାୟକ ତହିଁର ପ୍ରୟୋଗ ପାଇଁ ସାଙ୍ଗଠନିକ ମଂଚ ଭାବେ ଭାଷା ଆନ୍ଦୋଳନ ପ୍ରତିଷ୍ଠା କଲାବେଳେ, ପ୍ରତିଦିନ କଳାପତାକା ଧରିବା ପାଇଁ ସାଥୀ ଯୋଗାଇବା ଦାୟିତ୍ବ ନେଇଥିଲେ ପ୍ରଦ୍ୟୁମ୍ନ ଶତପଥୀ ଓ ପ୍ରତିଦିନର ବିବରଣୀ ଗଣମାଧ୍ୟମକୁ ପଠାଇବା ଥିଲା ପବିତ୍ର ମହାରଥାଙ୍କ କାମ , ଯାହାକୁ କି ସେମାନେ ତୁଲାଉଥିଲେ । ସୁତରାଂ ଶ୍ରୀ ପଟ୍ଟନାୟକ ଆନ୍ଦୋଳନ ସପକ୍ଷରେ ସାହିତ୍ୟ ସୃଷ୍ଟିକରିବା ଓ ସରକାରୀ କଳକୁ ସାମ୍ନା କରିବା କାର୍ଯ୍ୟ ସଫଳତାର ସହ କରିପାରୁଥିଲେ ।

ରାଜ୍ୟ ମନ୍ତ୍ରୀମଣ୍ଡଳ ବାଧ୍ୟ ହୋଇ ଆଇନ ସଂଶୋଧନ କରିବାକୁ ନିଷ୍ପତ୍ତି ନେଲାପରେ, ଭ୍ରମାତ୍ମକ ଭାବେ ସଂଶୋଧନ ଚିଠା ତିଆରିକରି ରାଜ୍ୟର ଇଂରାଜୀମନସ୍କ ଅମଲାତନ୍ତ୍ର ମୁଖ୍ୟମନ୍ତ୍ରୀ/ମନ୍ତ୍ରୀଙ୍କୁ ଉପଯୋଗ କରି ବିଧାନସଭାର ଗତ ଅଧିବେଶନରେ ଏପରି ସଂଶୋଧନ ଘଟାଇଲେ ଯେ, ତଦ୍ଦ୍ଵାରା ମୂଳ ଆଇନଟି ଲକ୍ଷ୍ୟଭ୍ରଷ୍ଟ ହୋଇ ଓଡ଼ିଆ ଭାଷା ଅଧିକ ବିପଦାପନ୍ନ ହେବା ସୁନିଶ୍ଚିତ ବୋଲି ଆଶଙ୍କା ଉପୁଜିଲା । ତେଣୁ ସେହି ସଂଶୋଧନକୁ ପ୍ରତ୍ୟାଖ୍ୟାନ କରି ବିଧାନସଭାକୁ ଫେରାଇ ଦେବାପାଇଁ ଶ୍ରୀ ପଟ୍ଟନାୟକ ରାଜ୍ୟପାଳଙ୍କୁ ଅନୁରୋଧ କଲେ ଓ ତାହା ଫଳବତୀ ନ ହେବାରୁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ସଂଵୋଧନଟି କାହିଁକି ଓଡ଼ିଆ ଭାଷା ପାଇଁ ଅଧିକ କ୍ଷତିକାରକ ତାହା ଜଣାଇଲେ ଏବଂ ତାହାର ବିଲୋପନ ପାଇଁ ପଦକ୍ଷେପ ନେବା ସଂଗେ ସଂଗେ ସାନି ସଂଶୋଧନ ଦ୍ଵାରା ଆଇନଟିକୁ ସମ୍ପୂର୍ଣ ତ୍ରୁଟିଶୂନ୍ୟ କରିବାକୁ ଅନୁରୋଧ କଲେ । ବସ୍ତୁତଃ, ସେହି ଆପତ୍ତିଜନକ ସଂଶୋଧନ ସମ୍ପୂର୍ଣ୍ଣତଃ ବିଲୋପନ କରା ନଗଲେ, ମୂଳ ଭାଷା ଆଇନଟି କେବେ ବି ତହିଁର ଉଦ୍ଦେଶ୍ୟ ଅନୁରୂପ କାର୍ଯ୍ୟକାରୀ ହେବ ନାହିଁ – ଏହା ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଲେ । ସରକାର ଅଡୁଆରେ ପଡିଗଲେ । ସୁତରାଂ ଭାଷା ଆନ୍ଦୋଳନକୁ ଅକାମି କରାଇଦେବାପାଇଁ ଆତତାୟୀ ଖୋଜା ଚାଲିଲା ଓ ସରକାର ଉପରୋକ୍ତ ଦୁଇ ବ୍ୟକ୍ତିଙ୍କୁ କରାୟତ କରିନେଲେ । ସରକାର ଭାବିଥିଲେ ଯେ, ଉପରୋକ୍ତ ଦୁଇ ବ୍ୟକ୍ତି ଯେହେତୁ ପ୍ରତ୍ୟହ ଲୋକ ଯୋଗାଣ ଓ ସମ୍ବାଦ ସମ୍ପ୍ରସାରଣ କରୁଥିବା ହେତୁ କଳାପତାକା ଅଭିଯାନ ଚାଲିଥିଲା,ସେମାନଙ୍କୁ ଆୟତ୍ତକୁ ନେଇଗଲେ କଳାପତାକା ଅଭିଯାନ ଅପା ଆପେ ବନ୍ଦ ହୋଇଯିବ । ତାହା ହେଲା ନାହିଁ ।

ଏହି ବିଶ୍ଵାସଘାତକତା ପରେ କିଛି ସମୟର ଦୁଃଖ-ଝଡ଼ରେ ଝାଉଁଳି ପଡିଥିବା ଓଡ଼ିଆ ଜାତି ଜୁଲାଇ ୧୭ ତାରିଖ ସକାଳେ ନବବିକ୍ରମରେ ଜାଗିଉଠିଲା । ଜୁଲାଇ ୧୭ରେ କଳାପତାକା ଅଭିଯାନର ପୂର୍ବ ନିର୍ଦ୍ଧାରିତ ସମୟ ନିର୍ଘଣ୍ଟ
ଅନୁସାରେ ପହଁଚିଲେ ବୈଜ୍ଞାନିକ ଡକ୍ଟର ଅଶୋକ ମିଶ୍ର ଏବଂ ସେ ହିଁ ସୁଭାଷ ବାବୁଙ୍କ ସହ ଚାଲି ସେହି ଘୋର ସଂକଟଜନକ ସ୍ଥିତିରେ ବଞ୍ଚାଇ ରଖିଲେ ଅଭିଯାନକୁ । ତହିଁ ପରେ ପରେ ଆସିଲେ କୁମାରୀ ସଂଘମିତ୍ରା ଜେନା, ଆସିଲେ ଛତ୍ରପୁରରୁ ଭାଷାଜନନୀର ପରମ ଅନୁଗତ ସୌମ୍ୟରଞ୍ଜନ ନାୟକ ଓ ସାଗର କୁମାର ବେହେରା, ଆସିଲେ ବେସାଲିସ କ୍ରାନ୍ତିକାରୀ ବିନୟ ପାଣିଗ୍ରାହୀ, ଆନନ୍ଦ ମହାପାତ୍ର ଏବଂ ଆସିଲେ “ଭାଷା ମା ପାଇଁ ଘଣ୍ଟାଟିଏ” ମନ୍ତ୍ର ଦେଇ ଅତୀତରେ ଭାଷା ଆନ୍ଦୋଳନ ସହ ଶିକ୍ଷିତ ଯୁବ ସମ୍ପ୍ରଦାୟକୁ ଜଡ଼ିତ କରିଥିବା ସଞ୍ଜୀବ ପତ୍ରୀ, ଭାଷା ଅସ୍ମିତା ପାଇଁ ପୋଲିସ ନିର୍ଯ୍ୟାତନା ଭୋଗିଥିବା ପ୍ରମୋଦ ଦେବ ପ୍ରମୁଖ । ଭାଷା ମାଆର ଘୋର ବିପତ୍ତି ବେଳାରେ ତାର ଉପରୋକ୍ତ ସନ୍ତାନମାନେ ଯେଉଁ ସଂହତି ପ୍ରଦର୍ଶନ କଲେ, ବିଶେଷତଃ ସଂଘମିତ୍ରା, ସୌମ୍ୟ ଓ ସାଗର ଯେପରି ନିଜର ସମସ୍ତ ଜଞ୍ଜାଳ ଭୁଲି, ଏପରିକି ଘରଦ୍ଵାର ଭୁଲି ଭୟଙ୍କର ବର୍ଷାରେ ଭିଜି ଅଭିଯାନଟିକୁ ଆତତାୟୀମାନଙ୍କ କବଳରୁ ରକ୍ଷା କଲେ, ତାହା ସାବ୍ୟସ୍ତ କରିଦେଲା ଯେ, ଓଡ଼ିଆ ଜାତି ତା ଭାଷାଜନନୀକୁ ରକ୍ଷା କରିବାକୁ ଯେ କୌଣସି ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମ କରିଯିବ ।

ଉଷା ଉଦୟ ହେଲେ ଦିନ ଯେମିତି ଦୁରେଇ ରହି ପାରେନି, ସେମିତି ଉପରୋକ୍ତ ଦୁଇ ଆତତାୟୀଙ୍କ ହେତୁ ପ୍ରାୟ ସପ୍ତାହେ କାଳ ଝାଇଁମରା ହୋଇଯାଇଥିବା ଅଭିଯାନ ପୂର୍ଣ୍ଣ ଶକ୍ତିଶାଳୀ ହୋଇଉଠିଲା ସଂଜୀବ ପତ୍ରୀ , ପ୍ରମୋଦ ଦେବ ପ୍ରମୁଖ ଏହି ଅଭିଯାନକୁ ଫେରିଆସିବା ପରେ ।

ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓଡ଼ିଆଭାଷାପ୍ରାଣମାନେ ଧାଇଁଆସିଲେ କଳାପତାକା ଧରିବା ପାଇଁ । ଭାଷା ତପସ୍ବୀ ଗଜାନନ ମିଶ୍ର, ଭବାନୀଶଙ୍କର ପରିଜା, କମଳ ଲୋଚନ ନାୟକ , ମାନସ ପଟ୍ଟନାୟକ, ସୁଭାଷ ଚନ୍ଦ୍ର ପ୍ରଧାନ, ଅମିତ ଅଭିଜିତ ସାମଲ, ପ୍ରଫେସର ଡକ୍ଟର କୁଳମଣି ନାୟକ, ମନୋଜ କୁମାର ପଣ୍ଡା, ବୀର କିଶୋରେ ବେହେରା , ଶିଶିର କୁମାର ସାହୁ, ଅବକାଶ ସାହୁ , ରାଜନାରାୟଣ ଡ଼ାଳୁଆ, ତ୍ରିଲୋଚନ ବାରିକ, ସୁଭାଷ ଚନ୍ଦ୍ର ସାହୁ,ସୁଜିତ କୁମାର ନାୟକ , କୃପାସିନ୍ଧୁ ଦାଶ,ରାକେଶ କୁମାର ଚାନ୍ଦ , ପ୍ରମୋଦ ପଢ଼ିଆରୀ, ଜିତେନ୍ଦ୍ର ସାସମଲ , ସତ୍ୟନାରାୟଣ ମଲ୍ଲିକ, ଜ୍ୟୋତ୍ସ୍ନାରାଣୀ ପ୍ରଧାନ , ରା଼ଞ୍ଜୁଲତା ମହାପାତ୍ର, ନିରାକାର ସାହୁ , ଅଶୋକ ମହାନ୍ତି, ଗୋପୀନାଥ କିଷାନ , ଜ୍ୟୋତିପ୍ରକାଶ ମହାନ୍ତି, ତପନ କୁମାର ସେଠି , ପ୍ରଭାତ କୁମାର ବେହେରା, ଗଣେଶ ଚନ୍ଦ୍ର ପରିଡା , ସ୍ପନ୍ଦନ ଜ୍ଞାନଜିତ, ନରେଶ କୁମାର ମହାନ୍ତି , ଦିଲ୍ଲୀପ କୁମାର ସାମନ୍ତରାୟ, ଅଭିଷେକ ଦାଶ , ଦିବ୍ୟଜ୍ୟୋତି ଜେନା, ଆଶିଷ କୁମାର ଦାଶ , ତପନ ପାଢ଼ୀ, ପ୍ରଦୀପ ପ୍ରଧାନ , ପ୍ରସନ କୁମାର ପ୍ରଧାନ,ପ୍ରମୋଦ ରାଉତ, ଦେବାଶିଷ ଶତପଥୀ, ବୀରେନ୍ଦ୍ର ଚୌହାନ, ନିକୁଞ୍ଜ ବିହାରୀ ପଣ୍ଡା , ସଞ୍ଜୟ ସାହୁ, ଦୀପକ କୁମାର ସାହୁ, ଅଜୟ କୁମାର ଜେନା, ହରେକୃଷ୍ଣ ପଟ୍ଟନାୟକ, ସୁଜିତ କୁମାର ନାୟକ, ମାନସ ବିଶୋଇ, ସଂଗ୍ରାମ କେଶରୀ ବେହେରା,କେଦାରନାଥ ସାହୁ, ସରୋଜ ମହାପତ୍ର, ତପନ ମହାନ୍ତି, ନରେନ୍ଦ୍ର କୁମାର ବେହେରା, ନରେନ୍ଦ୍ର କୁମାର ସେଠି, ସୁବାସ ଚନ୍ଦ୍ର ହୋତା, ରିଂକନ ନାରାୟଣ,ଧ୍ରୁବ ଚରଣ ମହାନ୍ତି, ପ୍ରଦ୍ୟୋତ କୁମାର ବିଶୋଇ , ବିଜୟ ମଲ୍ଲିକ, ମାନସୀ ବିଶ୍ବାଳ, ରାଜଲକ୍ଷ୍ମୀ ନାୟକ, ନନ୍ଦିନୀ ଶତପଥୀ,କବିତା ସାମନ୍ତରାୟ , ଲଲାଟ ଚନ୍ଦ୍ର ପତ୍ର, ପ୍ରିତୀଶ କୁମାର ବଳିୟାରସିଂହ , ପ୍ରଶ୍ନଜିତ ରାୟ, ଅମୁଲ୍ୟ ଦାଶ , ସନ୍ଦୀପ ମହାନ୍ତି, ଶ୍ରୀନୁ ନାୟକ ପ୍ରମୁଖ । ରାଜେନ୍ଦ୍ର ବିଶ୍ବାଳଙ୍କ ନେତୃତ୍ବରେ ବ୍ୟାସନଗରରେ ଯେମିତି କଳାପତାକା ଚାଲିଲା, ଅଶୋକ ପରିଡାଙ୍କ ନେତୃତ୍ବରେ ସେମିତି ଫୁଲବାଣୀରେ । ସରକାର ଚମକିଲେ ।

ଅଗଷ୍ଟ ୧୭ରେ କୁଳଗୌରବ ମଧୁସୂଦନଙ୍କ ଏନ୍ତୁଡ଼ିଶାଳ ଘରୁ ସତ୍ୟଭାମାପୁରର ଛାତ୍ରଛାତ୍ରୀମାନେ “ଆମ ଭାଷା ମାଆକୁ ଆତତାୟୀମାନଙ୍କ କବଳରୁ ରକ୍ଷାକର” ବୋଲି କହି, କଳାପତାକା ଧରାଇଦେଲେ କେନ୍ଦ୍ରାପଡ଼ା ଜିଲ୍ଲାର ରଞ୍ଜନ କୁମାର ଦାସ, ଓ କଟକ ଜିଲ୍ଲାର ଜିତେନ୍ଦ୍ର କୁମାର ସାହୁଙ୍କ ନେତୃତ୍ବରେ ଆସୁଥିବା ଓଡ଼ିଆ ଭାଷା ଜନନୀଙ୍କ ବିଜୟ ବାହିନୀକୁ ଯେଉଁମାନଙ୍କ ଭିତରେ ଥିଲେ ଉପରୋକ୍ତ ଦୁଇ ସୁଯୋଗ୍ୟ ଓଡ଼ିଆଙ୍କ ସମେତ ଆଲୟ ସାମନ୍ତରାୟ,ନରେଶ ବେଉରା, ଆଶିଷ କୁମାର ଖଟୁଆ, ସୂର୍ଯ୍ୟ ପ୍ରକାଶ ପାଣି, ଓ ପ୍ରତାପ ମହାନ୍ତି । ଦୀର୍ଘ ୮୭ କିଲୋମିଟର ବାଟ ପାଦରେ ଚାଲି ଚାଲି ସମଗ୍ର ଅଂଚଳରେ ଭାଷା ଜନନୀଙ୍କ ବିପତ୍ତି ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରାଇ ଏହି ବିଜୟବାହିନୀ ଯେତେବେଳେ ରାଜଧାନୀ ଭୁବନେଶ୍ୱରରେ ପହଁଚିଲା ସାରା ସହର ଚେଇଁ ଉଠିଲା ନିଦରୁ ତାର ମା ପାଇଁ । ନାହିଁନଥିବା ଉନ୍ମାଦନା ଖେଳିଗଲା ଭାଷା ମା ପାଇଁ ପ୍ରତିବଦ୍ଧତାର ତାଳେ ତାଳେ । କଳାପତାକା ଅଭିଯାନରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ସୌମ୍ୟ ରଞ୍ଜନ ନାୟକ ସାମାଜିକ ଗଣମାଧ୍ୟମ Facebookରେ ତହିଁର ସିଧାପ୍ରସାରଣ କରି ଛନକା ଭରିଦେଲେ ସରକାରଙ୍କ ଛାତିରେ । ସାଧାରଣ ମଣିଷର ବୌଦ୍ଧିକସ୍ଵର ଭାବେ ସୁବିଦିତ ସତୀଶ ମିଶ୍ର ପ୍ରତିଜ୍ଞା ଟିଭିର ଛାଇ ଶୀର୍ଷକରେ ତାକୁ ଜନର୍ପିତ କଲେ ।

ସରକାର ଏତେ ଅତର୍ଛି ଗଲେ ଯେ, ଲୋକଙ୍କୁ ତୁରନ୍ତ ଆଶ୍ଵାସନା ଦେବାପାଇଁ ଏହି ଝଟକାର ସପ୍ତାହେ ନ ପୂରୁଣୁ ଅଗଷ୍ଟ ୨୧ ତାରିଖରେ ଏକ ଉଚ୍ଚସ୍ତରୀୟ କମିଟି ବସାଇ ୧୫ ଦିନ ଭିତରେ ସମସ୍ତ ବ୍ୟବସାୟୀ ପ୍ରତିଷ୍ଠାନ ଓଡ଼ିଆରେ ନାମଫଳକ ଲେଖିବାକୁ , ତା ନ ହେଲେ ଦଣ୍ଡବିଧାନର ସମ୍ମୁଖୀନ ହେବାକୁ ନିର୍ଦ୍ଦେଶ ଦେଲେ । କଳାପତାକାର ତେଜ କବଳରୁ ନିସ୍ତାର ପାଇବା ପାଇଁ ଏହା ତତ୍କାଳ କେବଳ ଏକ ପ୍ରହସନ ଥିଲା ।

ତେଣୁ ଏଥିରେ ବିଭ୍ରାନ୍ତ ନ ହୋଇ , ନିଜ ମାତୃଭାଷା ପାଇଁ ପ୍ରତିବଦ୍ଧ ଓଡ଼ିଆ ଭାଇଭଉଣୀମାନେ ଏ ଅଭିଯାନକୁ ତେଜୀୟାନ କରିଚାଲିଲେ ।

ସେପ୍ଟେମ୍ବର ୫ ଥିଲା ଗୁରୁଦିବସ । ସେଦିନ ଖୋର୍ଦ୍ଧାରୁ କଳାପତାକା ଧରି ମାତୃଭାଷାର ବିଜୟବାହିନୀର ବିଶିଷ୍ଟ ସଦସ୍ୟ ଜୟପ୍ରକାଶ ମହାପାତ୍ର,ସରୋଜ କୁମାର ପାଲଟା ସିଂହ , ଡକ୍ଟର ଅରବିନ୍ଦ ନାୟକ, ପ୍ରଭାତ କୁମାର ବେହେରା,ମାଧବାନନ୍ଦ ଭୋଇ, ନରେନ୍ଦ୍ର କୁମାର ସାହୁ , ନିରାକାର ସାହୁ ,ପ୍ରଶ୍ନଜିତ ରାୟ ପ୍ରମୁଖ ଭାଷା ଆନ୍ଦୋଳନର ରାଜ୍ୟ ଉପସଭାପତି କମଳ ଲୋଚନ ନାୟକ ଓ ଜିଲ୍ଲା ସଭାପତି ବିଭୁଦେନ୍ଦ୍ର ବିଦ୍ୟାଧରଙ୍କ ନେତୃତ୍ବରେ କଳାପତାକା ଓ ଦାବିଫଳକ ସହ ଭୀଷଣ ବର୍ଷାକୁ ବେଖାତିର କରି ଚାଲିଚାଲି ଭୁବନେଶ୍ୱର ଆସି ନିଜ ଭାଷା ଜନନୀ ପାଇଁ ଓଡ଼ିଆ ଜାତି କିପରି ଜାଗିଉଠିଲାଣି ତାହାର ଏକ ଝଲକ ଦେଲେ ଯେଉଁଥିରେ ଝଳି ଉଠିଥିଲା ବିଭାସ ଆନ୍ଦୋଳନର ଦାବି : “ସରକାରୀ ଷଡଯନ୍ତ୍ର ବନ୍ଦ ହେଉ , ଭାଷା ଆଇନର ନିର୍ଭୁଲ ସଂଶୋଧନ ହେଉ ।”

ଏହା ସରକାରଙ୍କ ଛାତିରେ ଛନକା ଭରିଦେଇଛି । ଖୋର୍ଦ୍ଧା ବାହିନୀ ରାଜଧାନୀରେ ଭାଷା ଅସ୍ମିତାର ଵୀରତ୍ବବ୍ୟଞ୍ଜକ ସ୍ଵାକ୍ଷର ଖୋଦିତ କରିବାର ଦିନକ ପରେ ଭଉଣୀ ସଙ୍ଗୀତା କିଷାନ, ମାହେ ନିଖାତ୍, ରୀନା ବେହେରା ଓ ଉଷା ଶୁକ୍ଲା ଗତକାଲି କଳାପତାକା ଅଭିଯାନରେ ଯୋଗ ଦେବା ଓ ଭାଷା ଆନ୍ଦୋଳନର ସହସମ୍ପାଦିକା ସଂଘମିର ଜେନା ବି ସେମାନଙ୍କ ସହ ସାମିଲ ହେବ ସରକାରଙ୍କୁ ଛାନିଆ କରିଦେଇଛି ।

ଏହି ପ୍ରବଳ ଚାପର ସମ୍ମୁଖୀନ ହୋଇ, ସରକାର ଅତର୍ଚ୍ଛରେ ଭାଷା ଆଇନ ପୁନଃ ସଂଶୋଧନ ପାଇଁ ସେପ୍ଟେମ୍ବର ୭ ତାରିଖର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନେଇଛନ୍ତି ।

ଯେତିକି ବାହାରକୁ ଜଣାପଡୁଛି, କଳାପତାକା ଅଭିଯାନ ଚାପରେ ସରକାର ଆଇନ ସଂଶୋଧନ ପାଇଁ ଆପାତତଃ ପ୍ରସ୍ତୁତ । ଏଥିପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳ ଆଉ ଏକ ସୁଯୋଗ ଦେଇଛି । ଏହି ସୁଯୋଗର ସଦୁପଯୋଗ କରି ମୁଖ୍ୟମନ୍ତ୍ରୀ ଓ ତାଙ୍କ ଶାସନକଳ ମୁଖ୍ୟମନ୍ତ୍ରୀଙ୍କୁ ଭାଷା ଆନ୍ଦୋଳନର ଅଧ୍ୟକ୍ଷ ପ୍ରଦାନ କରିଥିବା ପାତ୍ରାନୁସାରେ ନିର୍ଭୁଲ ଭାବେ ଭାଷା ଆଇନଟିକୁ ଏହି ବିଧାନସଭାରେ ସଂଶୋଧନ ଓ ଆଇନଟିର ଉଦ୍ଦେଶ୍ୟ ପଣ୍ଡକରୁଥିବା ୧୯୬୩ ଓ ୨୦୧୮ର ସଂଶୋଧନଗୁଡ଼ିକର ବିଲୋପନ କରି ଓଡ଼ିଆ ଭାଷାକୁ ବିପଦମୁକ୍ତ କରିବେ ବୋଲି ଭାଷା ଆନ୍ଦୋଳନ ଆଶା କରୁଛି ।

ଭୁବନେଶ୍ଵର, ୫.୯.୨୦୧୮

ଆମ ଭାଷା ଆମ ମା । ଆମ ମା ପାଇଁ ଆମ ଲଢ଼େଇ । ଏ ଲଢ଼େଇରେ ଆଜି ଭାଷା ଜନନୀଙ୍କ କଳାପତାକା ହାତରେ ଧରି ଖୋର୍ଦ୍ଧା ପରିକ୍ରମା କରିଥିଲେ ଜୟପ୍ରକାଶ ମହାପାତ୍ର,ସରୋଜ କୁମାର ପାଲଟା ସିଂହ ,ଡ. ଅରବିନ୍ଦ ନାୟକ, ପ୍ରଭାତ କୁମାର ବେହେରା ।

ସେଠାରୁ ଚାଲି ଚାଲି ଭୁବନେଶ୍ୱର ଆସିଥିଲେ ବିଭୁଦେନ୍ଦ୍ର ବିଦ୍ୟାଧର, ମାଧବାନନ୍ଦ ଭୋଇ, ନରେନ୍ଦ୍ର କୁମାର ସାହୁ , ନିରାକାର ସାହୁ ,ପ୍ରସେନଜିତ ରାୟ । ନେତୃତ୍ବ ଦେଇଥିଲେ ଭାଷା ଆନ୍ଦୋଳନ, ଓଡ଼ିଶାର ଉପସଭାପତି କମଳ ଲୋଚନ ନାୟକ ।

ଭୁବନେଶ୍ଵରରେ ସେମାନଙ୍କୁ ସ୍ଵାଗତ ଜଣାଇଥିଲେ ଭାଷା ଆନ୍ଦୋଳନର ସମ୍ପାଦକ ପ୍ରମୋଦ କୁମାର ଦେବ, “ଭାଷା ମା ପାଇଁ ଘଣ୍ଟାଟିଏ ” ମନ୍ତ୍ର ସ୍ରଷ୍ଟା ସଂଜୀବ ପତ୍ରୀ , ସହସଂପାଦିକା ସଂଘମିତ୍ରା ଯେନା , କୋଷାଧ୍ୟକ୍ଷ ବୀର କିଶୋର ବେହେରା । ଅଧକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକ ଭାଷା ଆଇନ ପ୍ରଦାତା ପୁଣ୍ୟଶ୍ଳୋକ ନବକୃଷ୍ଣ ଚୌଧୁରୀଙ୍କ ବିଧାନସଭା ସମ୍ମୁଖସ୍ଥ ପ୍ରତିମୂର୍ତ୍ତିରେ ସମସ୍ତଙ୍କ ଗହଣରେ ପୁଷ୍ପାର୍ଘ୍ୟ ଦେବା ପରେ ସେଠାରୁ ସମସ୍ତେ ରାଜଭବନ ସମ୍ମୁଖସ୍ଥ କୁଳଗୌରବ ମଧୁସୂଦନ ଦାସଙ୍କ ବିଜେସ୍ଥଳୀ ପର୍ଯ୍ୟନ୍ତ କଳାପତାକା ପଟୁଆରରେ ଆସିଥିଲେ।

ଭାଷା ଆନ୍ଦୋଳନ ଓଡ଼ିଶାର ସହସଂପାଦକ ତଥା ସାମ୍ବାଦିକ ସୌମ୍ୟରଂଜନ ନାୟକ ସମଗ୍ର କାର୍ଯ୍ୟକ୍ରମର ସିଧା ପ୍ରସାରଣ କରିଥିବା ବେଳେ, ଅନ୍ୟତମ ସହସଂପାଦକ ଓ ସୁପ୍ରତିଷ୍ଠିତ ଯୁବସଙ୍ଗଠକ ମାନସ ପଟ୍ଟନାୟକ ଏଥିରେ ସହଯୋଗ କରିଥିଲେ ।

ଓଡିଶା ସରକାରୀ ଭାଷା ଆଇନରେ ଗତ ବିଧାନସଭାରେ ଯେଉଁ ସଂଶୋଧନ କରାଯାଇଛି ତହିଁରେ ଚଂଚକତା ଆଚରଣ କରି ବିଧାନସଭାକୁ ପ୍ରତାରିତ ଓ ବିଭ୍ରାନ୍ତ କରିଥିବା ହେତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ସଂସଦୀୟ ବ୍ୟାପାର ବିଭାଗ ମନ୍ତ୍ରୀ ବିକ୍ରମ ଆରୁଖ ବିଧାନସଭାର ସ୍ବାଧୀକାର ଭଙ୍ଗ କରିଛନ୍ତି । ଏହି ଗର୍ହିତ ଆଚରଣ ହେତୁ ବିଧାନସଭା ନିଜ ମର୍ଯ୍ୟାଦା ରକ୍ଷା କରିବା ପାଇଁ ଏ ଉଭୟଙ୍କ ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ କରୁ ବୋଲି ଭାଷା ଆନ୍ଦୋଳନର ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦାବି ରଖିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକଙ୍କସ ସହ ଉପସ୍ଥିତ ଥିଲେ, ନବ ନିର୍ବାଚିତ ସଭାପତି ପ୍ରଫେସର କୁଳମଣି ନାୟକ, ଉପସଭାପତି କମଳଲୋଚନ ନାୟକ, ସମ୍ପାଦକ ପ୍ରମୋଦ କୁମାର ଦେବ, ଉପଦେଷ୍ଟା ମଣ୍ଡଳୀର ସଭ୍ୟ ଭବାନୀଶଙ୍କର ପରିଜା ଓ ‘ଭାଷା ମା ପାଇଁ ଘଣ୍ଟାଟିଏ’ ମନ୍ତ୍ର ସ୍ରଷ୍ଟା ସଂଜୀବ ପତ୍ରୀ ଏବଂ ସହସଂପାଦକ ମାନସ ପଟ୍ଟନାୟକ ତଥା କୋଷାଧ୍ୟକ୍ଷ ବୀର କିଶୋରେ ବେହେରା ।

ନିମ୍ନରେ ପ୍ରେସ ବିବୃତ୍ତିର ନକଲ ଉପସ୍ଥିତ ହେଲା :

ଭୁବନେଶ୍ୱର , ୪. ୯. ୨୦୧୮

ଚଳିତ ବିଧାନସଭା ଅଧିବେଶନ ପାଇଁ ସରକାର ଯେଉଁ ସମସ୍ତ ଆଇନ ପ୍ରଣୟନ / ସଂଶୋଧନର ପ୍ରସ୍ତାବ ରଖିଛନ୍ତି ତହିଁରେ ଓଡିଶା ସରକାରୀ ଭାଷା ଆଇନ ସଂଶୋଧନପାଇଁ କୌଣସି ପ୍ରସ୍ତାବ ନାହିଁ । ଏହା ସାବ୍ୟସ୍ତ କରୁଛି କି, ସରକାରୀ ଭାଷା ଆଇନର ଉଦ୍ଦେଶ୍ୟ ପଣ୍ଡ କରିବା ପାଇଁ ତହିଁରେ ସଂଶୋଧନ ଘଟାଇବା ଓ ତାହା ବିରୁଦ୍ଧରେ ଭାଷା ଆନ୍ଦୋଳନର କଣ୍ଠରୋଧ କରିବାକୁ ତହିଁର ଦୁଇଜଣ କର୍ମକର୍ତ୍ତାଙ୍କୁ ପୋଷା ମନାଇ କଳାପତାକା ଅଭିଯାନ ସ୍ଥଗିତ ହୋଇଗଲା ବୋଲି ସେମାନଙ୍କ ମୁହଁରେ ମିଥ୍ୟା ପ୍ରଚାର କରି ଓଡ଼ିଶାର ଜନସାଧାରଣଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଛନ୍ତି । ଏହା ସରକାରଙ୍କ ଘୋର ଓଡ଼ିଆ ବିରୋଧୀ ମାନସିକତାର ପରିଚାୟକ ।

ଏହି ପ୍ରେକ୍ଷାପଟରେ ଚଳିତ ବିଧାନସଭା ଅଧିବେଶନ ନିଜ ଆଡୁ ଓଡିଶା ସରକାରୀ ଭାଷା (ସଂଶୋଧନ) ବିଧେୟକ, ୨୦୧୮ ପ୍ରତି ଦୃଷ୍ଟି ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତଥା ତାଙ୍କ ତରଫରୁ ସେହି ବିଧେୟକକୁ ବିଧାନସଭାରେ ଉପସ୍ଥାପିତ ଓ ପାରିତ କରାଇଥିବା ମନ୍ତ୍ରୀ ବିକ୍ରମ ଆରୁଖଙ୍କ ବିରୁଦ୍ଧରେ ସ୍ବାଧୀକାର ଭଙ୍ଗ ସକାଶେ ବିହିତ କାର୍ଯ୍ୟାନୁଷ୍ଠାନ କରିବା ଆବଶ୍ୟକ । କାରଣ ତଦ୍ଦ୍ଵାରା ହିଁ ଓଡିଶା ବିଧାନସଭା ନିଜ ସମ୍ମାନ ନିଜେ ରକ୍ଷା କରିପାରିବ ।

ଏହି ବିବାଦୀୟ ବିଧେୟକର ଉଦ୍ଦେଶ୍ୟ ଓ କାରଣ କଥନରେ ସରକାର ଏହା ୨୬. ୧୨.୨୦୧୭ର କ୍ୟାବିନେଟ ପ୍ରସ୍ତାବ ଉପରେ ଆଧାରିତ ବୋଲି କହିଛନ୍ତି । ଏତଦ୍ଦ୍ଵାରା ସରକାର ଜାଣିଶୁଣି ବିଧାନସଭାକୁ ୧୪. ୩ . ୨୦୧୮ରେ ଗୃହୀତ ହୋଇଥିବା କ୍ୟାବିନେଟ ପ୍ରସ୍ତାବ ସମ୍ପର୍କରେ ଅନ୍ଧକାରରେ ରଖିଛନ୍ତି । ୨୬. ୧ ୨. ୨୦୧୭ର କ୍ୟାବିନେଟ ପ୍ରସ୍ତାବରେ ଓଡ଼ିଶା ସରକାରୀ ଭାଷା ଆଇନର ପରିସର ସଂକୁଚିତ କରି ଆଇନଟିର ମୂଳ ଉଦ୍ଦେଶ୍ୟକୁ ପଣ୍ଡ କରିବା କୌଶଳ ଖଞ୍ଜା ହୋଇଥିଲା । ବ୍ୟାପକଭାବେ ଓଡ଼ିଆରେ କାମ ନକଲେ କର୍ମଚାରୀ ତଥା ବିଭାଗକୁ ଦଣ୍ଡିତ କରାଯିବ ବୋଲି କୁହା ହୋଇଥିଲା । କର୍ମଚାରୀଙ୍କ ଭୁଲ ହେତୁ ବିଭାଗକୁ ଦଣ୍ଡିତ କରାଗଲେ ତାହା ଟିକସଦାତା ଜନସାଧାରଣଙ୍କୁ ଦଣ୍ଡିତ କରିବା ସହ ସମାନ ବୋଲି ଆମ ପକ୍ଷରୁ ପ୍ରତିବାଦ କରାଗଲା ପରେ ୧୪. ୩ . ୨୦୧୮ରେ ପୁନର୍ବାର କ୍ୟାବିନେଟ ବସି ପ୍ରସ୍ତାବ କରିଥିଲେ କି, ଭାଷା ଆଇନର ଉଲ୍ଲଙ୍ଘନ ପାଇଁ କୌଣସି ବିଭାଗକୁ ଦଣ୍ଡିତ କରାଯିବ ନାହିଁ ; କେବଳ କର୍ମଚାରୀ ଓ ପଦାଧିକାରୀଙ୍କ ଦଣ୍ଡିତ କରାଯିବ ଏବଂ ଏଥିପାଇଁ ତୁରନ୍ତ ଭାଷା ଆଇନ ସଂଶୋଧିତ ହେବ ।

ଉଲ୍ଲେଖନୀୟ ଯେ, ଏହି ପ୍ରସ୍ତାବିତ ସଂଶୋଧନର ଉଦ୍ଦେଶ୍ୟ ଓ କାରଣ ମଧ୍ୟ ଏହି ୧୪. ୩ . ୨୦୧୮ କ୍ୟାବିନେଟ ବୈଠକରେ ଧାର୍ଯ୍ୟ କରାହୋଇ ଯେହେତୁ ଆଇନଟିର ଉଲ୍ଲଙ୍ଘନ ପାଇଁ ଦଣ୍ଡବିଧାନର ବ୍ୟବସ୍ଥା ନାହିଁ, ସେହେତୁ ଏହାକୁ କେହି ମାନୁନାହାନ୍ତି ବୋଲି କୁହା ହୋଇଥିଲା । ଅଥଚ ଗତ ବିଧାନସଭାର ଶେଷ ଦିନରେ ଆଗତ ଓ ପାରିତ ହୋଇଥିବା ଭାଷା ଆଇନ ସଂଶୋଧନରେ ଏହି ଗୁରୁତ୍ବପୂର୍ଣ କ୍ୟାବିନେଟ ନିଷ୍ପତ୍ତିକୁ ସମ୍ପୂର୍ଣ ଅନଧିକୃତ ଭାବେ କବର ଦିଆଯାଇ ୨୬.୧୨. ୨୦୧୭ର କ୍ୟାବିନେଟ ପ୍ରସ୍ତାବକୁ ସଂଶୋଧନର ‘ଉଦ୍ଦେଶ୍ୟ ଓ କାରଣ କଥନ’ର ଭିତ୍ତି କରାଯାଇଛି ଓ ତାହାକୁ ମଧ୍ୟ ବିକୃତ କରାଯାଇଛି । ଉଦାହରଣତଃ , ଏହି କ୍ୟାବିନେଟ୍ ପ୍ରସ୍ତାବରେ ଓଡ଼ିଆରେ କାମ ନକରିବା କର୍ମଚାରୀ ଓ ବିଭାଗକୁ ଦଣ୍ଡିତ କରାଯିବ ବୋଲି କୁହା ହୋଇଥିଲା ବେଳେ, ଉପସ୍ଥାପିତ ଓ ପାରିତ ହୋଇଥିବା ବିଧେୟକରେ କର୍ମଚାରୀ କିମ୍ବା ବିଭାଗକୁ ଦଣ୍ଡିତ କରାଯିବ ବୋଲି ଉଲ୍ଲେଖ ଅଛି । କ୍ୟାବିନେଟ ପ୍ରସ୍ତାବର ଏପରି ବିକୃତିକରଣକରିବା ଓ ସବୁଠୁ ଗୁରୁତ୍ବପୂର୍ଣ ତଥ୍ୟ ଗୋପନ ରଖି ବିଧାନସଭାକୁ ବିଧାନ ପ୍ରଣୟନ କ୍ଷେତ୍ରରେ ବିଭ୍ରାନ୍ତ କରିବା ଯଦି ଓଡିଶା ବିଧାନସଭାର ସ୍ବାଧୀକାର ଭଙ୍ଗ ଭାବେ ବିବେଚିତ ନ ହୁଏ, ବୁଝିବାକୁ ହେବ ଯେ, ପ୍ରଶାସନିକ କଳ ପାଖରେ ଆମ ରାଜନୈତିକ ଵିଜ୍ଞତା ବାମନ ହୋଇଗଲାଣି।

ଆମେ ଦାବି କରୁଛୁ କି,
(କ) ରାଜ୍ୟ କ୍ୟାବିନେଟ୍ ଗ୍ରହଣ କରିଥିବା ପ୍ରସ୍ତାବକୁ ଆଇନ ସଂଶୋଧନର ଚିଠା ପ୍ରସ୍ତୁତିରେ ଏପରି ସ୍ଵେଚ୍ଛାଚାରର ଶରବ୍ୟ କରିଥିବା ସମ୍ପୃକ୍ତ ପଦାଧିକାରୀଙ୍କୁ କଠିନ ଦଣ୍ଡ ଦିଆଯାଉ;
(ଖ) ନିଜେ କ୍ୟାବିନେଟ ବୈଠକରେ ଉପସ୍ଥିତ ଥାଇ ଗୃହୀତ କ୍ୟାବିନେଟ ପ୍ରସ୍ତାବକୁ କବର ଦିଆଯାଇଥିବା ଓ ବିକୃତ କରାଯାଇଥିବା ଜାଣି ମଧ୍ୟ ତାହାକୁ ସରକାରୀ ଭାଷା ଆଇନର ସଂଶୋଧନର ଭିତ୍ତି କରାଇ ବିଧାନସଭାକୁ ପ୍ରତାରିତ ଓ ବିଭ୍ରାନ୍ତ କରିଥିବା ମୁଖ୍ୟମନ୍ତ୍ରୀ ଓ ସାଂସଦୀୟ ବିଭାଗ ମନ୍ତ୍ରୀଙ୍କୁ ସ୍ବାଧୀକାର ଭଙ୍ଗ ଅଭିଯୋଗର ସମ୍ମୁଖୀନ କରାଯାଉ ଓ
(ଗ) ଓଡିଶା ସରକାରୀ ଭାଷା (ସଂଶୋଧନ)ଆଇନ, ୨୦୧୮କୁ ବିଲୋପ କରି, ଭାଷା ଆନ୍ଦୋଳନର ଅଧ୍ୟକ୍ଷ ଦେଇଥିବା ପ୍ରସ୍ତାବ ଅନୁସାରେ ସାନି ସଂଶୋଧନ କରାଯାଉ ।

(ସୁଭାଷ ଚନ୍ଦ୍ର ପଟ୍ଟନାୟକ)
ଅଧ୍ୟକ୍ଷ

ଭାଷା ଆନ୍ଦୋଳନ ଏଯାଏଁ ଏକ ଅନୌପଚାରିକ ନେତୃତ୍ବରେ ପରିଚାଳିତ ହେଉଥିଲା । ସୁତରାଂ ଏକ ଔପଚାରିକ ନେତୃତ୍ବ ଗଠନ କରାଯାଇଛି । ଯଥା :

ଉପଦେଷ୍ଠା ମଣ୍ଡଳୀ
ଭାଷାତପସ୍ବୀ ଗଜାନନ ମିଶ୍ର (ଟିଟିଲାଗଡ଼), ପ୍ରଫେସର ଗିରିଜା ଶଙ୍କର ଶର୍ମା (ସମ୍ବଲପୁର), କୃଷ୍ନା ମହାନ୍ତି (ଅନୁଗୁଳ), ମଧୁମିତା ସାମଲ, ଭବାନୀଶଙ୍କର ପରିଜା, ବିଚିତ୍ରାନନ୍ଦ ସାହୁ (ରାଉରକେଲା), କୁଳମଣି ଶୁକ୍ଳ (ଯାଜପୁର), କାହ୍ନୁ ବେହୁରା ଓ ବୈଜ୍ଞାନିକ ଡକ୍ଟର ଅଶୋକ ମିଶ୍ର ।

ଅଧ୍ୟକ୍ଷ : ସୁଭାଷ ଚନ୍ଦ୍ର ପଟ୍ଟନାୟକ ।
ସଭାପତି : ପ୍ରଫେସର ଡକ୍ଟର କୁଳମଣି ନାୟକ ।
ଉପସଭାପତି : କଳାରତ୍ନ ବଂଶୀଧର କର (ସମ୍ବଲପୁର), ଅଶୋକ ପରିଡା (ଫୁଲବାଣୀ) ଓ କମଳଲୋଚନ ନାୟକ ।
ସମ୍ପାଦକ: ପ୍ରମୋଦ କୁମାର ଦେବ ।
ସହ ସମ୍ପାଦକ : ସୌମ୍ୟରଂଜନ ନାୟକ (ଛତ୍ରପୁର), ସଂଘମିତ୍ରା ଜେନା ଓ ମାନସ ପଟ୍ଟନାୟକ ।
କୋଷାଧ୍ୟକ୍ଷ : ବୀରକିଶୋର ବେହେରା ।
କାର୍ଯ୍ୟକାରୀ କମିଟି ସଦସ୍ୟ : ରଞ୍ଜନ କୁମାର ଦାସ (କେନ୍ଦ୍ରାପଡ଼ା), ରାଜେନ୍ଦ୍ର ବିଶ୍ୱାଳ (ଯାଜପୁର ରୋଡ଼), ସୁଭାଷ ଚନ୍ଦ୍ର ପ୍ରଧାନ, ନରେଶ ମହାନ୍ତି, ପ୍ରମୋଦ ପଢ଼ିଆରୀ, ଶ୍ରୀମତୀ ନନ୍ଦିନୀ ଶତପଥୀ, ଶ୍ରୀମତୀ ସଂଗୀତା କିଷାନ (ସମ୍ବଲପୁର), ଶ୍ରୀମତୀ ରଞ୍ଜୁଲତା ମହାପାତ୍ର, ନରେନ୍ଦ୍ର ବେହେରା (ଅନୁଗୁଳ), ଆନନ୍ଦ ମହାପାତ୍ର (ସମ୍ବଲପୁର), ବିନୟ ପାଣିଗ୍ରାହୀ, ଶିଶିର କୁମାର ସାହୁ, ଜିତେନ୍ଦ୍ର ସାହୁ (କଟକ),କମଳାକାନ୍ତ ପତି (ସାଲେପୁର), ମନୋଜ କୁମାର ପଣ୍ଡା (ରେଙ୍ଗାଲି, ଅନୁଗୁଳ) ଓ ସୁରନାରାୟଣ ପାତ୍ର (ରାଉରକେଲା)।

ସର୍ବସାଧାରଣଙ୍କ ଅବଗତି ପାଇଁ ଏହା ଜାରିକରାଗଲା ।

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ସମ୍ବଲପୁର ଅଂଚଳ – ଯାହାକୁ ସାଧାରଣତଃ ପଶ୍ଚିମ ଓଡ଼ିଶା କୁହାହେଉଛି – ଇଂରାଜୀ କବଳରେ ପଡ଼ି ମଧ୍ୟପ୍ରଦେଶ ଅନ୍ତର୍ଗତ ହୋଇଗଲା ଏବଂ ଓଡ଼ିଆ ପରିବର୍ତ୍ତେ ସେଠାରେ ୧୮୯୬ ଜାନୁଆରୀ ପହିଲାରୁ ହିନ୍ଦୀ ହିଁ ରାଜଭାଷା ହେବ ବୋଲି ଆଦେଶ ହେଲା ।

ଏହା ବିରୁଦ୍ଧରେ ଯେଉଁ ଅତୁଳନୀୟ ଜନ ଆନ୍ଦୋଳନ ହେଲା ତାହା ମୁଁ ଅନ୍ୟତ୍ର ଲେଖିଛି । ଏହି ପ୍ରତିବେଦନରେ ମୁଁ କେବଳ ଏହି ଆନ୍ଦୋଳନ ପ୍ରତି ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ଅବଦାନ ଉଲ୍ଲେଖ କରିବି; କାରଣ ଆଜି ତାଙ୍କର ଶୁଭ ଜନ୍ମଦିନ ।

ବିଲାତି ସରକାରଙ୍କ ପ୍ରିୟପାତ୍ର ହୋଇ ରହିବାକୁ ବ୍ୟାକୁଳ ଥିବା ସେ ଅଂଚଳର ବାମଣ୍ଡା,ବଲାଙ୍ଗୀର,କଳାହାଣ୍ଡି,ସୁବର୍ଣ୍ଣପୁର,ବରପଲ୍ଲୀ ଆଦି ରାଜ୍ୟର ରାଜା ଜମିଦାରମାନେ ଓଡ଼ିଆ ଜାତିର ଏହି ଚରମ ଦୁର୍ଦ୍ଦିନରେ ପ୍ରତିବାଦ କରିବା ପରିବର୍ତ୍ତେ ମଉଜ ମଜଲିସରେ ମାତିଥିଲେ ଓ ସବୁ ଦେଖି କିଛି ନଦେଖିଲା ପରି ରହିଥିଲେ ।
ଉତ୍କଳଭାରତୀଙ୍କ ନିବେଦନ ଶୀର୍ଷକ ଏକ କବିତା ମାଧ୍ୟମରେ ଗଙ୍ଗାଧର ଜଣାଇଥିଲେ ତହିଁର ତୀବ୍ର ପ୍ରତିବାଦ ।

ବଲାଙ୍ଗୀର ରାଜାଙ୍କୁ ଭର୍ତ୍ସନା କରି ସେ ଲେଖିଥିଲେ :

“ରାମଚନ୍ଦ୍ର ଦେବ ପାଟଣା ମହୀମଣ୍ଡଳେ ଶୂର
ବାଘ ମାରିବାକୁ ବୁଲଉଛ ବଣେ ନିଶି ବାସର ।
ଗୁହାଳରେ ପଶି ଶୃଗାଳ ଖାଇ ଯାଉଛି ଗାଈ
ଏ ଆଡ଼କୁ କିମ୍ପା ତୁମର କିଛି ନଜର ନାଇଁ ?
ଏ ଗାଈଟି ମଲେ ମିଳିବ ନାହିଁ ମଧୁର କ୍ଷୀର
ଶୃଗାଳ ନ ପଶୁ ଗୁହାଳେ ଆହେ ଚୌହାନ ବୀର ।”

ସେହିପରି କଳାହାଣ୍ଡି ରାଜାଙ୍କୁ ଭର୍ତ୍ସନା କରି ସେ ଲେଖିଥିଲେ,

“ଦେଖା କି ନା ରଘୁକିଶୋର କଳାହାଣ୍ଡି ଭୂପତି
ଘର ଭାତ ହାଣ୍ଡି ନୁହେଁ କି ମୁଁ ଉତ୍କଳ ଭାରତୀ ?
ସେହି ଭାତ ହାଣ୍ଡି ଆଗରେ ତୁମ୍ଭେ ଯାଉଛ ଫୁଟି
ଖାଇବାକୁ ଏବେ ପଡ଼ିବ ଶୁଖା କର୍କଶ ରୁଟି ।”

ମେହେରଙ୍କ ଭର୍ତ୍ସନାରୁ ରକ୍ଷା ପାଇପାରିନଥିଲେ ସୁବର୍ଣପୁରର ରାଜା । ସେ ତାଙ୍କୁ ତାଙ୍କ ସଂସ୍କୃତପ୍ରୀତି କଥା ଚେତେଇ ଦେଇ ମାତୃଭାଷା ପ୍ରତି ଅବହେଳା ପାଇଁ ଆକ୍ଷେପ କରି କହିଥିଲେ,

“ସୁବର୍ଣ୍ଣପୁରପତି ବସିଛ ସ୍ଵର୍ଣ୍ଣମୟ ଆସନେ
ସଂସ୍କୃତେ ମାତିଛ ମୋ କଥା କାହିଁ ପଡିବ ମନେ?”

ଏପରିକି ତାଙ୍କ ନିଜ ରାଜ୍ୟ ବରପାଲିର ଜମିଦାରଙ୍କୁ ଓଡ଼ିଆ ଭାଷା ପ୍ରତି ଅବହେଳା ସକାଶେ କଠୋର ସମାଲୋଚନା କରିବାକୁ କୁଣ୍ଠିତ ହୋଇନଥିଲେ ସ୍ଵଭାଵ କବି । ଓଡ଼ିଆ ଭାଷା ସପକ୍ଷରେ କଥା କହିଲେ କାଳେ ବିଲାତି ସରକାର ଉପାଧି ଛଡାଇନେବେ ସେହି ଭୟରେ ସେ ନୀରବ ଥିବାର ଆକ୍ଷେପ ଉତ୍କଳ ଭାରତୀଙ୍କ ରୋଦନ ଆଳରେ ପ୍ରକଟିଉଠିଥିଲା କବି କଲମରୁ :

“ବରପଲ୍ଲୀପତି ଜଣାଇ ମୁହିଁ ତୁମ୍ଭର ମନ ।
ମୋହ ଲାଗି କହି ପାରିବ ପଡେ ଅଧେ ବଚନ ?
ହରିହର ସିଂହ ତୁମ୍ଭେ ତ କିଛି କହିବା ନାହିଁ
କହିଲେ ଅବା ଉପାଧିଟି ରାଜେ ନେବେ ଛଡ଼ାଇ !”

ମାତୃଭାଷା ଓଡ଼ିଆର ବିକାଶ, ବିସ୍ତାର ଓ ସୁରକ୍ଷା ପାଇଁ ନିଜ ନିଜକୁ ଉତ୍ସର୍ଗ କରିଥିବା ପ୍ରଜାବର୍ଗଙ୍କୁ ଏହି କବିତାରେ ହାର୍ଦ୍ଦିକ ପ୍ରଶଂସା କରି ଉପରୋକ୍ତ ରାଜାମାନଙ୍କୁ ସେମାନଙ୍କ ବିଦେଶୀ ଭାଷା ପ୍ରୀତି ପାଇଁ ସ୍ଵଭାଵ କବି ଯେଉଁ କାଟୁ ଭର୍ସନା କରିଥିଲେ ତାହା କେବଳ ଅନନ୍ୟ ଥିଲା ତା ନୁହେଁ, ସମ୍ବଲପୁର ଅଂଚଳରେ ଭାରତର ପ୍ରଥମ ଭାଷା-ଜାତୀୟତାର ଯେଉଁ ଉନ୍ମେଷ ଓ ବିକାଶ ଘଟିଥିଲା , ଯାହା ସହଜ କରିଦେଇଥିଲା ଓଡିଶା ପ୍ରଦେଶ ଗଠନ ପ୍ରକ୍ରିୟାକୁ, ତାହା ମୂଳରେ ବି ଥିଲା ଗଙ୍ଗାଧରଙ୍କ ଏହି ଅକୁତୋଭୟ ସାରସ୍ବତ ବିପ୍ଳବ ।