ତପନ ପାଢ଼ୀଙ୍କୁ ସସମ୍ମାନ ମୁକ୍ତ କର, ଅପରାଧୀ ପୋଲିସ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କର

ରଞ୍ଜନ କୁମାର ଦାସ ଓ ଭୁବନ ଚାନ୍ଦ ହାତୀଙ୍କ ଠାରୁ

ଭାଷା ଆନ୍ଦୋଳନର ଦୃଢ଼ ସମର୍ଥକ, ସମାଜବାଦୀ ଚେତନାର ବାହକ, ମାନବାଧିକାରର ଅନ୍ୟତମ ଅତନ୍ଦ୍ର ପ୍ରହରୀ ତପନ ପାଢ଼ୀଙ୍କୁ ଅଭିସନ୍ଧିମୂଳକ ଭାବେ ତାଙ୍କ ଚୌଦ୍ୱାର ବାସଭବନରୁ ଉଠାଇନେଇ, ପାଣିକୋଇଲି ଥାନାର ଭାରପ୍ରାପ୍ତ ଅଧିକାରୀ ଥାନା ହାଜତରେ ତାଙ୍କ ଉପରେ କରିଥିବା ଅମାନୁଷିକ ପ୍ରହାର ସାରା ଓଡ଼ିଶାରେ ଭର୍ତ୍ସିତ ହୋଇଚାଲିଥିବା ବେଳେ ୨୬ ତାରିଖରେ ମାନବାଧିକାର କମିଶନଙ୍କ ତଦନ୍ତ ବିଭାଗର ଏଡିଜିଙ୍କ ସଦଳବଳ ଯାଇ ଜେଲରେ ଶ୍ରୀପାଢ଼ୀଙ୍କୁ ଭେଟିବା ସହିତ ପୁଲିସ୍ ଏସପି ଓ ପାଣିକୋଇଲି ଥାନାରେ ପ୍ରତ୍ୟକ୍ଷ ବିବରଣୀ ସଂଗ୍ରହ କରିଛନ୍ତି ।

ଏତେ ସବୁ ସତ୍ତ୍ବେ ଥାନା ଅଧିକାରୀଙ୍କ ବିରୋଧରେ ଏପର୍ଯ୍ୟନ୍ତ କାର୍ଯାନୁଷ୍ଠାନ ନ ହେବା ଦୁର୍ଭାଗ୍ୟଜନକ ବୋଲି ସିଭିଲି ସୋସାଇଟି ପକ୍ଷରୁ ପ୍ରଦୀପ ପ୍ରଧାନ ପ୍ରକାଶ କରିଛନ୍ତି। ସାରା ରାଜ୍ୟରେ ସୂଚନା ଅଧିକାର କର୍ମୀ ଓ ମାନବ ଅଧିକାର କର୍ମୀଙ୍କ ଉପରେ ନିର୍ଯାତନା ଓ ପୁଲିସର ମିଥ୍ୟା ମାମଲା ବଢି ଚାଲିଛି।

ଏ ନେଇ ପୁଲିସ୍ ପ୍ରଶାସନ ଓ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ସାମାଜିକ କର୍ମୀମାନେ ଅଭିଯୋଗ କରିଛନ୍ତି । ତୁରନ୍ତ ତପନ ପାଢୀଙ୍କୁ ଜେଲରୁ ଖଲାସ କରିବା ସହିତ ପାଣିକୋଇଲି ଆଇଆଇସିଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରିବାକୁ ଦାବି ହୋଇଛି।

ରାଜ୍ୟର ବିଭିନ୍ନ ଅଂଚଳରୁ ସାମାଜିକ କର୍ମୀମାନେ ଆଜି (ମାର୍ଚ୍ଚ ୨୮) ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଏକାଠି ହୋଇ ପୁଲିସ ବର୍ବରତାଙ୍କୁ ନିନ୍ଦା କରିବା ସହିତ ଦୋଷୀ ପୁଲିସ୍ ଅଧିକାରୀଙ୍କ ବିରୋଧରେ କାର୍ଯାନୁଷ୍ଠାନ ପାଇଁ ସ୍ୱର ମିଳାଇଛନ୍ତି।

ଏହି ପ୍ରତିବାଦରେ ଲୋକଶକ୍ତି ଅଭିଯାନର ମୁଖ୍ୟ ପ୍ରଫୁଲ ସାମନ୍ତରାୟ, ବରିଷ୍ଠ ସାମ୍ୱାଦିକ ତଥା ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ, ଓଡିଶା ସାମ୍ୱାଦିକ ୟୁନିଅନର ସଭାପତି ପ୍ରସନ୍ନ ମହାନ୍ତି, ସୂଚନାଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ, ସଚ୍ଚିକାନ୍ତ ପ୍ରଧାନ, ମାନବାଧିକାର କର୍ମୀ ଶ୍ରୀଅଖଣ୍ଡ, ପ୍ରଦୀପ୍ତ ନାୟକ, ଭଜମନ ବିଶ୍ୱାଳ, ସଂଯୁକ୍ତା ପାଣିଗ୍ରାହୀ, ସାହିତ୍ୟକ ଓ କଂଗ୍ରେସ ନେତା ଅମୀୟ ପାଣ୍ଡବ, ବସ୍ତିଊ ବାସିନ୍ଦା ମହାସଂଘ ସମ୍ପାଦିକା ରଂଜୁଲତା ମହାପାତ୍ର, ପ୍ରତାପ ସାହୁ, ରୋମା ଦାଶ ମହାପାତ୍ର, ଅଶୋକ ନନ୍ଦ, ଅରୁଣ କୁମାର ଦିହୁଡି, ବିଶ୍ୱନାଥ ପାତ୍ର, ରଂଜନ କୁମାର ଦାସ,ଶ୍ରୀକାନ୍ତ ପାକଳ, ଅଶୋକ ଦତ୍ତ, ଜିତେନ୍ଦ୍ର ସାହୁ, ପ୍ରକାଶ ସାମନ୍ତସିଂହାର, ପ୍ରତାପ ମହାନ୍ତି, ସୁଜିତ୍ ସାହୁ, ମାଧବାନନ୍ଦ ଭୋଇ, ଶାନ୍ତନୁ କୁମାର ସାହୁ, ଚୌଦ୍ବାର ସାମ୍ବାଦିକ ଦୀପକ ମଙ୍ଗରାଜ, ଏସ. କେ. ଜାବେଦ, ଅଜିତ୍ ସ୍ବାଇଁ, ଅକ୍ଷୟ ଫଗୁଣ, ପ୍ରଦୀପ ନାୟକ,ସ୍ବାଧିନ ଦାସ, ସମ୍ବିଧାନ ବଂଚାଓ ଆନ୍ଦୋଳନ କର୍ମୀ ମାନସ ପଟ୍ଟନାୟକ, ଅଧିବକ୍ତା ଦିଲ୍ଲୀପ ସାମନ୍ତରାୟ, ଭୁବନ ଚନ୍ଦ୍ର ହାତୀ, ସମାଜସେବୀ ଅନୁପ ପରିଡା,ଭୀମସେନ ବିଶ୍ବାଳ ସହ ରାଜ୍ୟର ବିଭିନ୍ନ ଅଂଚଳରୁ ସାମାଜିକ କର୍ମୀମାନେ ଯୋଗଦାନ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ l

ବିଶିଷ୍ଟ ସମାଜସେବୀ ଅଶୋକ ନନ୍ଦଙ୍କ ନେତୃତ୍ବରେ ଏକ ୬ଜଣିଆ ପ୍ରତିନିଧି ଦଳ ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ଭେଟି ତାପନବାବୁଙ୍କୁ ସସମ୍ମାନେ ମୁକ୍ତ କରିବା ଓ ପାଣିକୋଇଲି ଆଇଆଇସି ଅଜୟ ଜେନାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ ଗିରଫ କରିବା ପାଇଁ ଦାବି କରିଥିଲେ l ଏହି ବିଷୟକୁ ଗୁରୁତ୍ବ ସହ ନେଇ ତଦନ୍ତ ମୁତାବକ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ ପ୍ରତିଶ୍ରୁତି ଦେଇଥିଲେ l

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.