ବିଧାନସଭା ସ୍ବାଧୀକାର ସଚେତନ କି? ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡିଶା ବିଧାନସଭା ଯଦି ସ୍ବାଧୀକାର ସଚେତନ, ତେବେ କାଳବିଳମ୍ବ ନ କରି ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ସ୍ବାଧୀକାର ଭଙ୍ଗ ପାଇଁ କାର୍ଯ୍ୟାନୁଷ୍ଠାନ କରୁ । ଓଡିଶା ସରକାରୀ ଭାଷା ଆଇନ ସଂଶୋଧନ ବ୍ୟାପାରରେ ଜାଣିଶୁଣି ମିଛ କହି ଏ ମହାଶୟ ବିଧାନସଭାକୁ ପ୍ରତାରିତ କରିଛନ୍ତି ଓ ନିଜ ଅଶୁଦ୍ଧ ଅଭିସନ୍ଧିର କ୍ରୀଡ଼ନକ ବନାଇଛନ୍ତି । ଉଦାହରଣ ସ୍ବରୂପ ୧.୫.୨୦୧୮ ତାରିଖରେ ଭାଷା ଆଇନରେ ଯେଉଁ ସଂଶୋଧନ ହେଲା ତାହାର ଉଦ୍ଦେଶ୍ୟ ଓ କାରଣ କଥନରେ ମିଛ କଥା କହି ବିଧାନସଭାକୁ ପ୍ରତାରିତ କରାହୋଇଛି । ତହିଁର ଫଟୋଚିତ୍ର ମୁଁ ଏଠାରେ ରଖିଲି:

ଏହା ମିଛ ଉପରେ ଆଧାରିତ । ମୁଖ୍ୟମନ୍ତ୍ରୀ ଜାଣନ୍ତି ଯେ ଏହା ମିଛ ଉପରେ ଆଧାରିତ । କାରଣ, ୧୪.୩.୨୦୧୮ ତାରିଖରେ ତାଙ୍କରି ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ବସି ୨୬.୧୨.୨୦୧୭ ତାରିଖର କ୍ୟାବିନେଟ ପ୍ରସ୍ତାବର ବିକଳ୍ପ ପ୍ରସ୍ତାବ ଗୃହୀତ ହୋଇଥିଲା । ତାହା ନିମ୍ନରେ ଦେଲି :

ଅଥଚ ୧୪.୩.୨୦୧୮ ତାରିଖର ଏହି ପ୍ରସ୍ତାବକୁ ସମ୍ପୂର୍ଣ୍ଣତଃ ଲୁଚେଇରଖି ୧.୫.୨୦୧୮ ତାରିଖରେ ଯେଉଁ ସଂଶୋଧନ ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ବିଧାନସଭା ସମ୍ମୁଖରେ ରଖିଲେ ୨୬.୧୨.୨୦୧୭ ତାରିଖର କ୍ୟାବିନେଟ ପ୍ରସ୍ତାବ ହିଁ ତାର ଉଦ୍ଦେଶ୍ୟ ଓ କାରଣ ବୋଲି କୁହାହେଲା । କୌତୁହଳର କଥା, ସେହିଦିନ ଆଗତ ଓ ଗୃହୀତ ଅନ୍ୟ କୌଣସି ବିଧେୟକରେ କୌଣସି କ୍ୟାବିନେଟ ପ୍ରସ୍ତାବକୁ ତହିଁର ଆଧାର ଭାବେ ପ୍ରଦର୍ଶିତ କରା ହୋଇନଥିବା ବେଳେ, ଏହି ନିର୍ଦ୍ଦିଷ୍ଟ ବିଧେୟକରେ ଏହି ବ୍ୟତିକ୍ରମ ହୋଇଥିଲା । ଅଥଚ କୌଣସି ଜଣେ ବି ଆଲୋଚନାକାରୀ ବିଧାୟକ ଏ ପ୍ରସଙ୍ଗ ଉଠାଇନଥିଲେ କି ସେହି ପ୍ରସ୍ତାବଟି କଣ ଥିଲା , ତାହା ଜାଣିବାକୁ ଚାହିଁ ନଥିଲେ ! ମୁଁ ଯେତେବେଳେ ଏହାର ବୈଧତାକୁ ପ୍ରଶ୍ନ କଲି ଓ ବିଧାନସଭାରେ ଗୃହୀତ ବିଧେୟକଙ୍କୁ ମଞ୍ଜୁରୀ ନ ଦେବାକୁ ରାଜ୍ୟପାଳଙ୍କୁ କହିଲି ଓ ତହିଁ ପରେ ତାହାକୁ ସାନି ସଂଶୋଧନ ଦ୍ଵାରା ବିଲୋପ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ କହିଲି, ଭାଷା ଆନ୍ଦୋଳନକୁ ଦୁର୍ବଳ କରିଦେବା ପାଇଁ ସରକାରୀ ଷଡ଼ଯନ୍ତ୍ର ଜୋରଦାର ହେଲା ଓ ପ୍ରଦ୍ୟୁମ୍ନ ଶତପଥୀ ତଥା ପବିତ୍ର ମହାରଥା ନାମକ ମୋର ଦୁଇ ସହକର୍ମୀଙ୍କ ଭାଷା ଆନ୍ଦୋଳନ ବିରୁଦ୍ଧରେ ସୁପାରୀ ହତ୍ୟାକାରୀ ଭାବେ ପ୍ରୟୋଗ କରାଗଲା । ଓଡିଶା ଲୋକଙ୍କୁ ପ୍ରତାରିତ କରିବା ପାଇଁ ଗତ ଅଧିବେଶନର ଶେଷ ଦିବସରେ ସରକାରୀ ଭାଷା ଆଇନର ଦ୍ବିତୀୟ ସଂଶୋଧନ କରାଯାଇ ପ୍ରଥମ ସଂଶୋଧନର ଅବୈଧତାକୁ କାଏମ ବି ରଖାଗଲା । ଅତଏବ, ୧.୫.୨୦୧୮ ତାରିଖରେ ବିଧାନସଭା ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ଯେଉଁ ପ୍ରବଞ୍ଚନା ପ୍ରୟୋଗ କରିଥିଲେ ୧୯.୯.୨୦୧୮ ତାରିଖରେ ବି ସେହି ପ୍ରବଞ୍ଚନା ପୁନଃ ଜାହିର କଲେ । ଏହା ଏକ ନିରନ୍ତର ପ୍ରବଞ୍ଚନା ଯାହାର ଶିକାର ଓଡିଶା ବିଧାନସଭା ।

ଏହା ପଛରେ ମୁଖ୍ୟମନ୍ତ୍ରୀଙ୍କ ଅପରାଧିକ ଅଭିସନ୍ଧି କ’ଣ ତାହା ସ୍ପଷ୍ଟ ହେଵା ଉଚିତ । ଏକ ଭିନ୍ନ ନିବନ୍ଧରେ ତାହା ମୁଁ ଚର୍ଚ୍ଚା କରିବି ; କାରଣ ତାହା ଏହି ନିବନ୍ଧର ପରିସର ବହିର୍ଭୁତ ।

ଏହି ନିବନ୍ଧ ଏକ ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତର ଖୋଜୁଛି । ତାହା ହେଲା, ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ସୃଷ୍ଟିକରିଥିବା ଓଡିଶା ସରକାରୀ ଭାଷା ଆଇନ, ୧୯୫୪ର ସଂଶୋଧନ ପାଇଁ ୧୪.୩.୨୦୧୮ ତାରିଖର କ୍ୟାବିନେଟ ବୈଠକରେ ଯେଉଁ ନିଷ୍ପତ୍ତି ହୋଇଥିଲା ସେ ସମ୍ପର୍କରେ ବିଧାନସଭାକୁ ସମ୍ପୂର୍ଣ୍ଣ ଅନ୍ଧକାରରେ ରଖି, ସେହି କ୍ୟାବିନେଟ ଅଗ୍ରାହ୍ୟ କରିଥିବା ୨୬.୧୨.୨୦୧୭ ତାରିଖର କ୍ୟାବିନେଟ ପ୍ରସ୍ତାବ ଉପରେ ସଂଶୋଧନ ଘଟାଇବାକୁ ମୁଖ୍ୟମନ୍ତ୍ରୀ ଯେପରି ବିଧାନସଭାକୁ ଗଉଡ଼ ଗାଈ ଅଡ଼େଇଲା ପରି ଯଦ୍ଦୃଚ୍ଛା ଅଡ଼େଇ ନେଲେ ତାହା ବିଧାନସଭାର ଗାରିମା ହାନୀ କରିଛି କି ନାହିଁ? ଏହି ଦୃଶ୍ୟମାନ କ୍ୟାବିନେଟ୍ ସ୍କାମ୍ ପ୍ରେକ୍ଷାପଟରେ ତହିଁର ଶିକାର ହୋଇଥିବା ବିଧାନସଭା ନିଜର ସ୍ଵାଧିକାର ଖୋଜବା ଆବଶ୍ୟକ କି ଅନାବଶ୍ୟକ?

ବିଧାନସଭା ଏହା ଉପରେ ଧ୍ୟାନ ଦେଉ ଓ ନିଜ ମହତ ନିଜେ ରକ୍ଷାକରୁ ।

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.