ଆବଶ୍ୟକୀୟ ଆଇନଗତ ଯୋଗ୍ୟତା ନ ଥାଇ ରାଜ୍ୟ ସରକାରଙ୍କ ନିର୍ଦ୍ଦିଷ୍ଟ ପଦାଧିକାରୀଙ୍କୁ ବିମୋହିତ କରି ଡ଼. ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ତାଙ୍କ ସହକର୍ମୀ ସୁବ୍ରତ ପୃଷ୍ଟି ତଥା ତାଙ୍କ ନ୍ୟାସ ଓଡିଶା ରାଜକୋଷରୁ ବହୁ ଲକ୍ଷ ଟଙ୍କା ନେଇଯାଇଥିବା ହେତୁ ତାହା ତାଙ୍କଠରୁ ଆଦାୟ କରିବା ପାଇଁ ଭାଷା ଆନ୍ଦୋଳନ , ଓଡିଶା ଦାବି କରିଛି । ଶାସ୍ତ୍ରୀୟ ମାନ୍ୟତା ସମ୍ପର୍କିତ ସରକାରୀ ସନ୍ଦର୍ଭ ଚୋରି କରି ରାଜ୍ୟବାସୀଙ୍କ ପ୍ରତି ବିଶ୍ଵାସଘାତକତା କରିଥିବା କାରଣରୁ ଡ଼. ପଟ୍ଟନାୟକଙ୍କୁ କଳାତାଲିକା ଭୁକ୍ତ କରିବାକୁ ଆନ୍ଦୋଳନର ଦାବି ଉପରେ ସରକାର ଶୋଇରହିଥିବା ବେଳେ ତାଙ୍କର ଏକ ଅନଧିକୃତ ପ୍ରକାଶନ ପାଇଁ ରାଜକୋଷରୁ ଦେଢ଼ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ପ୍ରତିପୁରଣ ସକାଶେ ଗୋଟି ଚାଳନ ଚାଲିଛି । ଏହା ବନ୍ଦ କରିବାକୁ ଓ ତାଙ୍କ ବିରୁଦ୍ଧରେ ଅପରାଧିକ ଅଭିଯୋଜନ ଆରମ୍ଭ କରିବାକୁ ଭାଷା ଆନ୍ଦୋଳନର ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏକ ପତ୍ର ଦେଇ ତହିଁର ନକଲ ସଂସ୍କୃତି ସଚିବ ଓ ଭାଷା ପ୍ରତିଷ୍ଠାନକୁ ପ୍ରଦାନ କରିଛନ୍ତି । ତାହା ନିମ୍ନରେ ସ୍ଥାନିତ ହେଲା ।

ମହାଶୟ ,
ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ପାଇଁ ରାଜ୍ୟ ସରକାର ଓଡ଼ିଆ ଭାଷା ପ୍ରତିଷ୍ଠାନ ମାଧ୍ୟ୍ୟମରେ ରାଜକୋଷରୁ ଅର୍ଥ ବ୍ୟୟ କରି ଯେଉଁ ପ୍ରାମାଣିକ ଯୁକ୍ତି ସନ୍ଦର୍ଭ ପ୍ରସ୍ତୁତ କରିଥିଲେ ତାହାକୁ ଡ଼. ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ସୁବ୍ରତ ପୃଷ୍ଟି ଓ ସେମାନଙ୍କ ନ୍ୟାସ ‘ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା’ ଚୋରି କରିନେଇ, ସରକାରୀ ନିଷେଧାଦେଶ ଉଲ୍ଲଙ୍ଘନ କରି, କିପରି ସରକାରୀ ସତ୍ଵାଧିକାରର ଏକ ସମାନ୍ତରାଳ ସତ୍ଵାଧିକାର ତିଆରି କରିଛନ୍ତି ଓ ତହିଁର ଘରୋଇ ବ୍ୟବସାୟିକ ଉପଯୋଗ କରୁଛନ୍ତି ତାହାର ସପ୍ରମାଣ ପ୍ରତିବେଦନ ରଖି ମୁଁ ଭାଷା ଆନ୍ଦୋଳନ ଓଡ଼ିଶାର ଅଧ୍ୟକ୍ଷ ଭାବେ ମାନ୍ୟବର ମୁଖ୍ୟ ଶାସନ ସଚିବଙ୍କୁ ଅନୁରୋଧ କରିଥିଲି କି , ଆମ ମାତୃଭାଷା କ୍ଷେତ୍ରକୁ ଭାଷା ମାଫିଆଙ୍କ ଚାରଣ ଭୂମି ହେବାରୁ ରକ୍ଷା କରିବା ପାଇଁ ଏହି ବ୍ୟକ୍ତି ଓ ସଂସ୍ଥାମାନଙ୍କ ବିରୁଦ୍ଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ହେଉ ଓ ରାଜ୍ୟ ପ୍ରତି ବିଶ୍ଵାସଘାତକତା କାରଣରୁ ତାଙ୍କୁ କଳାତାଲିକାଭୂକ୍ତ କରାଯାଉ । ମୋ ପାଖରେ ଥିବା ତଥ୍ୟ ଅନୁଯାୟୀ ମୁଖ୍ୟ ଶାସନ ସଚିବ ତହିଁ ଉପରେ ଅନୁସନ୍ଧାନ ଓ କାର୍ଯ୍ୟାନୁଷ୍ଠାନ ପାଇଁ ସଂସ୍କୃତି ସଚିବଙ୍କୁ ଆଦେଶ ଦେଇଥିଲେ । ଗତ ଡିସେମ୍ବର ମାସରୁ ତାହା ସେହିପରି ପଡିଛି ।

ଏପରି ସରକାରୀ ଉଦାସୀନତାର ସୁଯୋଗ ନେଇ ଜାତୀୟ ଭାଷା ସମ୍ମିଳନୀ ନାମରେ ପ୍ରୋକ୍ତ ବ୍ୟକ୍ତି ଓ ସଂସ୍ଥାମାନେ ସଂସ୍କୃତି ବିଭାଗରୁ ବହୁ ଲକ୍ଷ ଟଙ୍କାର ସହାୟତା ନେଇଛନ୍ତି ଯାହାର କିୟଦଂଶ ମୁଁ ଗଣମାଧ୍ୟମରେ ପ୍ରକାଶ କରିଛି । ଏଥି ସହ ସଂଯୁକ୍ତ ହୋଇଥିବା ନିବନ୍ଧ ଏଥିପାଇଁ ତଥ୍ୟ ଦେବାକୁ ସକ୍ଷମ । ସଂସ୍କୃତି ସଚିବାଳୟରୁ ଏକ ସଂଗୃହିତ ସୂଚନା ଅନୁସାରେ 2ୟ ଭାଷା ସମ୍ମିଳନୀ ଅବସରରେ ଉପରୋକ୍ତ ବ୍ୟକ୍ତି ଓ ସଂସ୍ଥା ପ୍ରକାଶ କରିଥିବା ଏକ ସଂକଳନ ପାଇଁ 1.60 ଲକ୍ଷ ଟଙ୍କା ପ୍ରତିପୁରଣ ପ୍ରଣାଳୀରେ ନେବାକୁ ସଂସ୍କୃତି ବିଭାଗ ଉପରେ ପ୍ରଭାବ ପକାଇଛନ୍ତି ଓ ତାହା ପ୍ରଦାନ କରିବାକୁ ସଜବାଜ ଚାଲିଛି । ସଂସ୍କୃତି ବିଭାଗର ଆର୍ଥିକ ସହାୟତା ନିୟମାବଳୀ 1986 ଏପରି ପାଣ୍ଠି ପ୍ରଦାନକୁ ବିରୋଧ କରେ; କାରଣ , ଏପରି ସହାୟତା ପାଇଁ କୌଣସି ନିୟମ ନାହିଁ ଓ ଉପରୋକ୍ତ ବ୍ୟକ୍ତି ଓ ସଂସ୍ଥାର ଯୋଗ୍ୟତା ବି ନାହିଁ ।

ଉଲ୍ଲେଖ ନିଷ୍ପ୍ରୟୋଜନ ଯେ, ଓଡିଶା ସରକାରଙ୍କ ଭାଷା ପ୍ରତିଷ୍ଠାନ ଗଭୀର ଗବେଷଣାଲବ୍ଧ ତଥ୍ୟ ଉପରେ ଶାସ୍ତ୍ରୀୟ ମାନ୍ୟତା ପାଇଁ ଯେଉଁ ଯୁକ୍ତି ସନ୍ଦର୍ଭ ପ୍ରସ୍ତୁତ କରିଥିଲେ , ଅର୍ଥ ଅଭାବରୁ ତାହା ଜନସାଧାରଣଙ୍କ ପାଇଁ ମୁଦ୍ରିତ ହୋଇପାରିଲା ନାହିଁ । ତହିଁର ମୁଦ୍ରଣ ଏକାନ୍ତ ଆବଶ୍ୟକ । ସେଥିରେ ଅର୍ଥ ଲଗାଣ ନ କରି , ଉପରୋକ୍ତ ବ୍ୟକ୍ତି ଓ ସଂସ୍ଥାମାନଙ୍କର ଅନଧିକୃତ ପୁସ୍ତକ ପ୍ରକାଶନର ଖର୍ଚ୍ଚ ପ୍ରତିପୁରଣ କରିବା କେବଳ ଅଯୌକ୍ତିକ ନୁହଁ , ବେଆଇନ ମଧ୍ୟ ।

ଏହି ପ୍ରେକ୍ଷାପଟରେ ପ୍ରସ୍ତାବିତ ପ୍ରତିପୁରଣ ନିଷିଦ୍ଧ କରିବାକୁ ଓ ଉପର ନାମିତ ଲୋକେ ଓ ସଂସ୍ଥା 1986 ନିୟମାବଳୀ ଅନୁସାରେ ସରକାରୀ ସହାୟକ ପାଣ୍ଠି ପାଇଁ ଆଦୌ ଯୋଗ୍ୟ ନ ହୋଇଥିଲେ ମଧ୍ୟ ସଂଯୁକ୍ତ ଥିବା ଦଲିଲ ଅନୁଯାୟୀ ଅବୈଧ ଭାବେ ବହୁ ଲକ୍ଷ ଟଙ୍କା ରାଜକୋଷରୁ ନେଇସାରିଥିବା ହେତୁ ସେ ସମସ୍ତ ଟଙ୍କା ସେମାନଙ୍କ ଠାରୁ ଓ ସେହି ସଂସ୍ଥା ଠାରୁ ଆଦାୟ କରାଯାଉ ଏବଂ ଓଡିଶା ସରକାରଙ୍କ ପ୍ରତି ଶାସ୍ତ୍ରୀୟ ମାନ୍ୟତା କ୍ଷେତ୍ରରେ ବିଶ୍ଵାସ ଭଙ୍ଗ କରିଥିବା ହେତୁ ସେମାନଙ୍କୁ ଓ ତାଙ୍କ ଉପର ନାମିତ ସଂସ୍ଥାକୁ ଅପରାଧିକ ଦଣ୍ଡବିଧାନର ସମ୍ମୁଖୀନ କରାଯିବା ସଂଗେ ସଂଗେ ସେମାନଙ୍କୁ କଳାତାଲିକା ଭୁକ୍ତ କରାଯାଉ । ଇତି ।
ଆପଣଙ୍କର

ସୁଭାଷ ଚନ୍ଦ୍ର ପଟ୍ଟନାୟକ ,
ଅଧ୍ୟକ୍ଷ , ଭାଷା ଆନ୍ଦୋଳନ, ଓଡିଶା

Comments

2 Comments

Post a comment
  1. Gajanan mishra #
    April 6, 2018

    କଥାରେ ଅଛି- ତୁ ଗୁହାରି କରିବୁ ଯାହାକୁ, ମୁଁ ଘଇତା କରିଛି ତାହାକୁ। ଏମାନେ ମିଳିମିଶି କଥା ହେଉଛନ୍ତି, ତୁ ତ ମୁତୁରୀ ମୁଁ ତ ମୁତୁରୀ ହେଁସ ଧୋଇବା କାହିଁକି? ତେଣୁ ସାର୍, ଅଦାଲତର ଆଶ୍ରୟ ନେବା ଉଚିତ ହେବ। ସରକାରଙ୍କୁ ବି ପକ୍ଷଭୁକ୍ତ କରିହେବ କାରଣ ସରକାର ନୀରବ ସମର୍ଥନ ଜଣାଇ ଆସୁଛି

    • admin #
      April 29, 2018

      ପ୍ରିୟ ଗଜାନନ ବାବୁ,
      ଏ ସଂଗ୍ରାମରେ ଆମେ ନିଶ୍ଚୟ ଜିତିବା ; କାରଣ, ସାରା ଓଡିଶା କଳାପତାକାର ଲହରେ ଲହରେ ନିଦ୍ରା ତେଜି ଉଠିଲାଣି ।
      ଏ ସଂଗ୍ରାମକୁ ବ୍ୟର୍ଥ ଯିବାକୁ ଆମେ କେବେ ବି ଦେବନାହିଁ ।
      ସୁଭାଷ ଚନ୍ଦ୍ର ପଟ୍ଟନାୟକ

Leave a Reply

Basic HTML is allowed. Your email address will not be published.

Subscribe to this comment feed via RSS