ଆମ ଭାଷା ପାଇଁ ଆମ ଲଢ଼େଇ : ଭାଷା ଆନ୍ଦୋଳନର ୨ୟ ଇ-ପୁସ୍ତକ ଵିଶ୍ଵାର୍ପିତ

ଭୁବନେଶ୍ୱର, ଏପ୍ରିଲ ୧୩, ୨୦୧୯

ଗତ ସେପ୍ଟେମ୍ବର ୩, ୨୦୧୫ ତାରିଖରେ ମନ୍ତ୍ରୀସ୍ତରୀୟ କମିଟିର ସଦସ୍ୟ ଭାବେ ମୁଁ ରାଜ୍ୟ ସରକାରଙ୍କୁ ସରକାରୀ ଭାଷା ଆଇନର କାର୍ଯ୍ୟକାରୀତା ପାଇଁ ଯେଉଁ ପ୍ରସ୍ତାବ ଦେଇଥିଲି ତାହା ରାଜ୍ୟ ସରକାର ଏହି ସ୍ଵତନ୍ତ୍ର ୱେବ ସାଇଟରେ ସ୍ଥାନିତ କରିଥିଲେ । ମାତ୍ର ଏଥିରେ ଆଇନ ଉଲ୍ଲଙ୍ଗନକାରୀକୁ ଦଣ୍ଡବିଧାନ ବ୍ୟବସ୍ଥାପାଇଁ ଆଇନ ସଂଶୋଧନର ପ୍ରସ୍ତାବ ଥିବାରୁ ମନ୍ତ୍ରୀସ୍ତରୀୟ କମିଟିର ସଂଯୋଜକ ଥିବା ଜଣେ ଅଣଓଡ଼ିଆ ଅଫିସର ଜି ଭି ଭି ଶର୍ମା ଏହାକୁ ଆଗେଇବାକୁ ଦେଲେ ନାହିଁ ।

ପାର୍ଶ୍ଵରେ ଥିବା ଫଟୋଚିତ୍ରଟି ଅନୁଧ୍ୟାନ କଲେ ଦେଖିବେ ଯେ ମୋ ପ୍ରଦତ୍ତ ନିୟମାବଳୀ ଆଇନ ସଚିବଙ୍କ ପାଖକୁ ପ୍ରେରିତ ହେବା ବେଳେ ବେସରକାରୀ ପ୍ରତିଷ୍ଠାନରେ ଓଡ଼ିଆ ପ୍ରଚଳନ ସମ୍ପର୍କିତ ନିୟମ ୪ ଏବଂ ଭାଷା ଆଇନର ଉଲ୍ଲଂଘନକାରୀକୁ ଦଣ୍ଡବିଧାନ ସମ୍ପର୍କିତ ନିୟମ ୧୦ “ଅସାଧ୍ୟ” ବୋଲି ଶର୍ମା ଟିପ୍ପଣୀ ଦେଇଛନ୍ତି ଓ ତହିଁ ଉପରେ ମୁଖ୍ୟ ଶାସନ ସଚିବ ଟିପ୍ପଣୀ ଦେଇ ନିୟମ ୪ ଉପରେ ଶର୍ମାଙ୍କ ଆପତ୍ତିକୁ ଅଗ୍ରାହ୍ୟ କରିଥିବା ବେଳେ ଦଣ୍ଡବିଧାନ ସମ୍ପର୍କୀୟ ନିୟମ ଉପରେ ଆଇନ ବିଭାଗ ମତ ଦିଅନ୍ତୁ ବୋଲି କହିଛନ୍ତି ନଭେମ୍ବର ୧୯, ୨୦୧୫ରେ । ନଥିଟି ଆଇନ ବିଭାଗକୁ ଗଲା,ଆଇନ ବିଭାଗରୁ ଫେରିଲା , କିନ୍ତୁ କୁଆଡେ ଗଲା ତାର ପତ୍ତା ମିଳିଲାନି । ଅଥଚ ମେ ପହିଲା ୨୦୧୮ ତାରିଖରେ ଆମ ସରକାରୀ ଭାଷା ଆଇନକୁ ଅକାମି କରିଦେବା ପାଇଁ ବିଧାନସଭାକୁ ବିଭ୍ରାନ୍ତ କରି ସଂଶୋଧନ ମାଧ୍ୟମରେ ୪-କ ଧାରା ଖଞ୍ଜାଗଲା । ସୁତରାଂ ମୁଁ ଦେଇଥିବା ପ୍ରସ୍ତାବ ଉପରେ ସରକାର କି କି ପଦକ୍ଷେପ ନେଇଥିଲେ ତାହା ଜାଣିବା ମୋ ପାଇଁ ଜରୁରୀ ହୋଇପଡ଼ିଥିଲା । ଯେତେ ଚେଷ୍ଟା କଲି ତାହା ମିଳିଲାନି । ନଥିଟିକୁ ଶର୍ମା ନିରୁଦ୍ଦିଷ୍ଟ କରିଦେଇଥିବାର ସନ୍ଦେହ ଘନୀଭୂତ ହେଲା , କାରଣ ମୋ ପ୍ରସ୍ତାବଟି ଉପରେ ପ୍ରଦତ୍ତ ଯେଉଁ ୱେବ ସାଇଟରେ ଥିଲା ତାହା ଆଉ ଉପଲଭ୍ୟ ବି ହେଲା ନାହିଁ । ଜୁନ 5,୨୦୧୮ ତାରିଖରେ ‘ୟୁ ଟ୍ୟୁବ’ରେ ନିମ୍ନ ଭିଡିଓଟି ଜାରି କରି ଓଡ଼ିଆ ଜାତି ବିରୁଦ୍ଧରେ ଏହି ଅପରାଧ କରିଥିବା ହେତୁ ସେତେବେଳେ ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବ ଥିବା ଏହି ଶର୍ମାଙ୍କୁ ଓଡ଼ିଶାରୁ ବିଦା କରିବାକୁ ମୁଁ ଦାବି କଲି ।

ଏହି ଭିଡିଓ ଶର୍ମାଙ୍କ ପାଇଁ ଅଡୁଆ ସୃଷ୍ଟି କରିବାର ଆଶଙ୍କା ଥିଲା । ସେ ମୋ ଚାପରୁ ଖଲାସ ହେବା ପାଇଁ ଭାଷା ଆଂଦୋଳନର ଅନ୍ୟ କୌଣସି କର୍ମକର୍ତ୍ତା ତାଙ୍କୁ ସାହାଯ୍ୟ କରିପାରିବେ କି ନାହିଁ ତାହା ଆବିଷ୍କାର କରିବାକୁ ଉଦ୍ୟମ କରିଥିବା ଅସ୍ଵାଭାବିକ ନଥିଲା । ସେତେବେଳକୁ ତାଙ୍କ ପାଖରେ ପ୍ରଦ୍ୟୁମ୍ନ ଶତପଥିଙ୍କ ପତ୍ନୀଙ୍କ ଚାକିରି ସମ୍ପର୍କୀୟ ଦରଖାସ୍ତ ପଡ଼ିଥାଏ । ଶ୍ରୀମତୀ ଶତପଥି ପ୍ରାୟ ୧୫ ବର୍ଷ କାଳ ଚାକିରିରେ ଅନୁପସ୍ଥିତ ଥିବା ହେତୁ ବୃତ୍ତି ସଙ୍କଟରେ ପଡିଥାନ୍ତି ଓ ସମ୍ପୃକ୍ତ କଲେଜ ଅଧ୍ୟକ୍ଷ ତାଙ୍କୁ ଚାକିରିରେ ଯୋଗ ଦେବାକୁ ଦେଉନଥାନ୍ତି । ଶର୍ମା ଏହି ସଙ୍କଟରୁ ତାଙ୍କୁ ଉଦ୍ଦାର କରିବେ ବୋଲି କହି ତାଙ୍କୁ ହୁଏତ ଭାଷା ଆନ୍ଦୋଳନକୁ ଭାଙ୍ଗିଦେବା କାମରେ ଲଗାଇଥାଇପାରନ୍ତି । ବର୍ତ୍ତମାନ ତାଙ୍କ ପତ୍ନୀଙ୍କ ଚାକିରିର ସ୍ଥିତି କଣ ତାହା ଜଣାପଡ଼ିଲେ ଏହି ଦିଗଟି ସ୍ପଷ୍ଟ ହେବ । ସେହି ସମୟରେ ଭାଷା ଆଂଦୋଳନର ସ୍ମରଣିକାଜନିତ ସମଗ୍ର ଆୟ ପବିତ୍ର ମହାରଥା ଆତ୍ମସାତ କରିଥିବା ଧରା ପଡ଼ିଥାଏ ଓ ମୁଁ ତାଙ୍କୁ କୈଫିଯତ ମାଗିଥାଏ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସରେ ଏତଲା କରିଥାଏ । ପ୍ରଦ୍ୟୁମ୍ନ ଶତପଥି ଜୁଲାଇ ୧୬, ୨୦୧୮ ଯାଏଁ ପବିତ୍ର ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ କରିବାକୁ ମୋତେ ମୁଣ୍ଡିଆ ମାରି ଅନୁରୋଧ କରିଥାନ୍ତି । ଏ ଖବର ଅବଗତ ହୋଇ ସରକାର ଏ ଦୁହିଙ୍କୁ ନିଜ ପାଲକୁ ଟାଣି ଭାଷା ଆନ୍ଦୋଳନକୁ ଭାଙ୍ଗି ଦେବାକୁ ପ୍ରବର୍ତ୍ତାଇବାରେ ସଫଳ ହେଲେ । ଏହି ଦୁଇଜଣଙ୍କ ଏହି ବ୍ୟକ୍ତିଗତ ସ୍ଵାର୍ଥଲିପ୍ସା ଏବଂ ସରକାରୀ ସୁପାରି ପ୍ରଭାବରେ ଏମାନେ ଜୁଲାଇ ୧୬, ୨୦୧୮ ସନ୍ଧ୍ୟାରେ ଭାଷା ଆନ୍ଦୋଳନ ଛାତିରେ ଛୁରା ମାରି କଳାପତାକା ଅଭିଯାନ ବନ୍ଦ ରହିଲା ବୋଲି ଏକ ଅନଧିକୃତ ପ୍ରେସ ବିବୃତ୍ତି ଜାରିକଲେ । ଏବଂ ଆଉ ପାଦେ ଆଗେଇଯାଇ ଶତପଥୀ ତାଙ୍କ କାଗଜରେ ଲେଖିଲେ “୮୭୮ ଦିନରେ ଐତିହାସିକ ଭାଷା ଆନ୍ଦୋଳନ ହେଲା ପ୍ରତ୍ୟାହୃତ” ।

ଏମାନଙ୍କ ପାଇଁ ସେହି ଦିନ ଭାଷା ପାଇଁ ଲଢ଼େଇ ସରିଗଲା । କିନ୍ତୁ ଆମ ପାଇଁ ସରିଲା ନାହିଁ । ଚାଲିଲା ଓ ଚାଲିଛି । ଯେଉଁ ପର୍ଯ୍ୟନ୍ତ ଆମ ଭାଷା ବିପଦମୁକ୍ତ ନ ହୋଇଛି ସେ ପର୍ଯ୍ୟନ୍ତ ଏହା ଚାଲିବ । ତେଣୁ ଏମାନେ ବିଶ୍ବାସଘାତକତା କରି ପଳାଇଥିବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଆମ ଲଢ଼େଇ କିପରି ଚାଲିଛି ତହିଁର ସମସ୍ତ ପ୍ରାମାଣିକ ତଥ୍ୟ ସହ ଆଜି ଆମେ ପ୍ରକାଶ କରିଛୁ ଏହି ଇ-ପୁସ୍ତକ ‘ଆମ ଭାଷା ପାଇଁ ଆମ ଲଢ଼େଇ’ ଯାହା ଆପଣମାନେ ସମସ୍ତେ ଏଠି ଦେଖିପାରିବେ । ପ୍ରତିବିନର ସଚିତ୍ର ବିବରଣୀ ସହ ଏଥିରେ ଅଛି ବିଶିଷ୍ଟ ସାମ୍ବାଦିକ ଓ ଗବେଷକ ଡକ୍ଟର ଅସିତ ମହାନ୍ତି, ଭାଷା ତପସ୍ଵୀ ଗଜାନନ ମିଶ୍ର,ପ୍ରଫେସର କମଳାପ୍ରସାଦ ମହାପାତ୍ର, ଭାଷା ବିପ୍ଳବୀ ଅର୍ଜୁନ ଚରଣ ସାମନ୍ତରାୟ, ବିଶିଷ୍ଟ ସମାଜସେବୀ ରାମଶଙ୍କର ପ୍ରମୁଖଙ୍କ ଆଲୋକବର୍ଷୀ ନିବନ୍ଧ ଓ ଆମ ଭାଷାର ଶ୍ରେଷ୍ଠ ଚାରଣକବି ଉମାକାନ୍ତ ରାଉତଙ୍କ କଣ୍ଠନିସୃତ ପ୍ରତିବେଦନ ।

Ama Bhasha Pain Ama Ladhei … by on Scribd

ଏହାକୁ ନିଶ୍ଚୟ ପଢନ୍ତୁ ଓ ଖଳନାୟକମାନଙ୍କ କବଳରୁ ନିଜ ଭାଷା ଜନନୀଙ୍କୁ ଉଦ୍ଧାର କରିବା ପାଇଁ ନିଜ ନିଜକୁ ପ୍ରସ୍ତୁତ କରନ୍ତୁ ।

ପରବର୍ତ୍ତୀ ଖବରରେ ଏହି ଇ-ପୁସ୍ତକ ବିଶ୍ବାର୍ପଣର ବିବରଣୀ ପ୍ରକାଶ ପାଇବ ।

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.