ଭାଷା ଆନ୍ଦୋଳନରୁ ଗଜାନନ ମିଶ୍ର ବହିଷ୍କୃତ

ଭାଷା ଆଂଦୋଳନର ସଭାପତି ମଣ୍ଡଳୀ ସଦସ୍ୟ ଶ୍ରୀ ଗଜାନନ ମିଶ୍ରଙ୍କୁ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ବହିଷ୍କୃତ କରାଯାଇଛି । ଗତ ୪ ତାରିଖରେ ସଭାପତିମଣ୍ଡଳୀ ବସି ଶ୍ରୀ ମିଶ୍ରଙ୍କୁ ସୁଧୁରିଯିବା ପାଇଁ ଶେଷ ସୁଯୋଗ ଦେଇଥିଲେ । ସଭାପତି ମଣ୍ଡଳୀର ନିଷ୍ପତ୍ତି କ୍ରମେ ସଦସ୍ୟ ଡଃ ଅଶୋକ ମିଶ୍ର ତାଙ୍କୁ ନିମ୍ନ ଉଦ୍ଧୃତ୍ତ ପତ୍ରଟି ପଠାଇଥିଲେ ।

“ପ୍ରେରକ:
ଡ. ଅଶୋକ ମିଶ୍ର
ସଦସ୍ୟ, ସଭାପତି ମଣ୍ଡଳୀ
ଭାଷା ଆନ୍ଦୋଳନ, ଓଡ଼ିଶା

ପ୍ରାପକ:
ଶ୍ରୀ ଗଜାନନ ମିଶ୍ର
ସଦସ୍ୟ, ସଭାପତି ମଣ୍ଡଳୀ
ଭାଷା ଆନ୍ଦୋଳନ, ଓଡ଼ିଶା

ମହାଶୟ,
ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ପଦ ମର୍ଯ୍ୟାଦା ଉପରେ ଆପଣ ସାମାଜିକ ଗଣମାଧ୍ୟମ ଫେସବୁକରେ ୦୯.୦୫.୨୦୧୯ ତାରିଖରେ ଯେଉଁ ଅବାଞ୍ଛିତ ଖୋଲା ଟିପ୍ପଣୀ (ଅନୁରୋଧ) ପ୍ରକାଶ କରିଛନ୍ତି ତାହା ସମ୍ପୂର୍ଣ ଅନଧିକୃତ ଓ ସଭାପତି ମଣ୍ଡଳୀ ପ୍ରତି ମଧ୍ୟ ଅମର୍ଯ୍ୟାଦା ସୂଚକ ।

ଏ ସମ୍ପର୍କରେ ସଭାପତି ମଣ୍ଡଳୀର ବୈଠକ ୧୫.୦୫.୨୦୧୯ ତାରିଖରେ ଅନୁଷ୍ଠିତ ହୋଇ ବିଧିବଦ୍ଧ ନିଷ୍ପତି ଲିପିବଦ୍ଧ ହୋଇଛି ଏବଂ ଆପଣଙ୍କୁ ତାହା ଟେଲିଫୋନେ ଯୋଗେ କୁହା ହୋଇଛି ଏବଂ ସଭାପତି ମଣ୍ଡଳୀର ବିନା ଅନୁମୋଦନରେ ଆପଣ ସାମାଜିକ ଗଣମାଧ୍ୟମରେ ବା ଇଣ୍ଟରନେଟରେ ଶ୍ରୀ ପଟ୍ଟନାୟକଙ୍କ ସମ୍ପର୍କରେ ବା ଭାଷା ଆନ୍ଦୋଳନ ସମ୍ପର୍କରେ କୌଣସି ଅଭିମତ ବା କଟାକ୍ଷ ନ ରଖିବାକୁ ମଧ୍ୟ ଫୋନ ଯୋଗେ ବାରମ୍ବାର କୁହାହୋଇଛି । ମାତ୍ର, ଆପଣ ଏପରି ଏକ ଆଚରଣରୁ ନିବୃତ୍ତ ହୋଇନାହାନ୍ତି, ଫଳରେ ଭାଷା ଆନ୍ଦୋଳନର ଗରିମା ଓ ଭାବମୂର୍ତ୍ତି କ୍ଷତିଗ୍ରସ୍ତ ହୋଇଛି । ଗତକାଲି ୦୪.୦୬.୨୦୧୯ ତାରିଖ ସନ୍ଧ୍ୟାରେ ସଭାପତି ମଣ୍ଡଳୀର ସ୍ଵତନ୍ତ୍ର ଅଧିବେଶନ ହୋଇ ଯେଉଁ ପ୍ରସ୍ତାବ ଗୃହୀତ ହୋଇଛି, ତାହା ଆପଣଙ୍କୁ ଜଣାଇବା ପାଇଁ ମୁଁ ଅଧିକୃତ ହୋଇଥିବା ହେତୁ ନିମ୍ନରେ ସେହି ପ୍ରସ୍ତାବର ନକଲ ଦେଲି ।

ଏହା ଆପଣଙ୍କ ଅବଗତି ଓ କାର୍ଯ୍ୟାନୁଷ୍ଠାନ ପାଇଁ ପଠାଗଲା:

୦୪.୦୬.୨୦୧୯
ସ୍ଵତନ୍ତ୍ର ଜରୁରୀ ଅଧିବେଶନ

ଗତ ମେ ୯ ରେ ଫେସବୁକ ପୃଷ୍ଠାରେ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କୁ ଖୋଲା ଅନୁରୋଧ ଶୀର୍ଷକରେ ସଭାପତି ମଣ୍ଡଳୀର ସଦସ୍ୟ ଶ୍ରୀ ଗଜାନନ ମିଶ୍ର ଯେଉଁ ଭର୍ତ୍ସନାତ୍ମକ ଆକ୍ରମଣ କରିଛନ୍ତି ତାହା ସମ୍ପୂର୍ଣ ଅନଧିକୃତ ଓ ଶୃଙ୍ଖଳା ବହିର୍ଭୂତ ବୋଲି ଏହି ସଭାପତି ମଣ୍ଡଳୀ ପୁନରାୟ ଘୋଷଣା କରୁଛି ।
ସଭାପତି ମଣ୍ଡଳୀର ସମସ୍ତ ସଦସ୍ୟ ନିଜ ନିଜର ଉତ୍କଣ୍ଠା ପ୍ରକାଶ କରିଛନ୍ତି ଓ ଶ୍ରୀ ମିଶ୍ରଙ୍କର ଏତାଦୃଶ ଆଚରଣକୁ ନାପସନ୍ଦ କରିଛନ୍ତି । ସଭାପତି ମଣ୍ଡଳୀର ବରିଷ୍ଠ ସଦସ୍ୟ ଶ୍ରୀ ଅର୍ଜୁନ ଚରଣ ସାମନ୍ତରାୟ ଗଜାନନ ବାବୁଙ୍କୁ ଏପରି କୌଣସି ଲେଖା ସାମାଜିକ ଗଣମାଧ୍ୟମରେ ନଲେଖିବାକୁ ଅନୁରୋଧ କରିଥିଲେ ମଧ୍ୟ ସେ ତହିଁରୁ ନିବୃତ୍ତ ନହେଉଥିବା ସମସ୍ତଙ୍କୁ ଦୁଃଖ ପ୍ରଦାନ କରିଛି ।
ଏତଦ୍ୱାରା ସଭାପତି ମଣ୍ଡଳୀ ଶ୍ରୀ ମିଶ୍ରଙ୍କୁ ସୁଧୁରି ଯିବା ପାଇଁ ଶେଷ ସୁଯୋଗ ଦେବା ସକାଶେ ସ୍ଥିର କଲେ । ତାଙ୍କୁ ଜଣେଇ ଦିଆଯିବ ଯେ ତିନିଦିନ ଅର୍ଥାତ ୭ ତାରିଖ ଦିନ ୧ ଟା ସୁଦ୍ଧା ଏପରି ବିଶୃଙ୍ଖଳ ଆଚରଣ ପାଇଁ ସେ ଦୁଃଖ ପ୍ରକାଶ କରିବେ ଏବଂ ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କର ମର୍ଯ୍ୟାଦା ହାନି କଲା ପରି ଲେଖା ପ୍ରକାଶରୁ ନିବୃତ୍ତ ହେବେ । ଯଦି, ଏହା ନହୁଏ ତାହା ହେଲେ ୭ ତାରିଖ ଦିନ ୧ ଟା ୩୦ ମିନିଟ ରେ ଭାଷା ଆନ୍ଦୋଳନର ସଭାପତି ମଣ୍ଡଳୀରୁ ତାଙ୍କୁ ଉତ୍ଖାତ କରାଗଲା ବୋଲି ଧରି ନିଆଯିବ ଏବଂ ତାଙ୍କ ସ୍ଥାନରେ ଅନ୍ୟ ଜଣେ ଭାଷାପ୍ରେମୀଙ୍କୁ ସ୍ଥାନିତ କରାଯିବ । ଏହି ନୂତନ ସଦସ୍ୟ ସଭାପତି ମଣ୍ଡଳୀର ପରବର୍ତ୍ତୀ ବୈଠକରେ ମନୋନୀତ ହେବେ ।
ଗତ ବୈଠକର ବିବରଣୀ ଅନୁମୋଦିତ ହେଲା । ଭାଷା ଆନ୍ଦୋଳନର ଇ-ମେଲ ଠିକଣାରୁ ଏହି ନିଷ୍ପତି ସଭାପତି ମଣ୍ଡଳୀର ସଦସ୍ୟ ଡ. ଅଶୋକ ମିଶ୍ର ଜଣାଇବେ ବୋଲି ନିଷ୍ପତି ହେଲା ।”

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.