ଭାଷା ଆନ୍ଦୋଳନ ପାଇଁ ପରିସୃଷ୍ଟ ବିପତ୍ତିର ନେପଥ୍ୟ ଦୃଶ୍ୟ -୧

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡ଼ିଶାର ସର୍ବତ୍ର ଭାଷା ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ଅର୍ଥର ଆବଶ୍ୟକତା ଥିଲା । ଏହି ପାଣ୍ଠି ସୃଷ୍ଟି ପାଇଁ ଆମେ ଏକ ସ୍ମରଣିକା ପ୍ରକାଶ କରିବାକୁ ଚିନ୍ତା କରିଥିଲୁ, କାରଣ ତା ପାଇଁ ବିଜ୍ଞାପନ ସଂଗ୍ରହ କରି ତହିଁରୁ ବଳକା ଅର୍ଥ ଆନ୍ଦୋଳନର ସମ୍ପ୍ରସାରଣରେ ବ୍ୟବହୃତ ହୋଇପାରିବ ବୋଲି ଆମେ ଚିନ୍ତା କରିଥିଲୁ । ଯେହେତୁ କୌଣସି ଆନ୍ଦୋଳନ ନାମରେ ବିଜ୍ଞାପନ ସଂଗ୍ରହ ସମ୍ଭବ ନ ଥିଲା, ଆମ ଆବାହକ ପବିତ୍ର ମହାରଥାଙ୍କ ପୁସ୍ତକ ପ୍ରକାଶନ ସଂସ୍ଥା ‘ଶବ୍ଦ ସ୍ପର୍ଶ’ ନାମରେ ଏହା କରାଗଲା । ସ୍ମରଣିକାଟିର ମୁଦ୍ରଣ ଖର୍ଚ୍ଚ କାଟିରଖି ଅବଶିଷ୍ଟ ସମସ୍ତ ଟଙ୍କା ସେ ଆନ୍ଦୋଳନକୁ ଦେବା ପରେ ଏକ ବ୍ୟାଙ୍କ ଜମାଖାତା ଖୋଲି ତହିଁରେ ତାହା ରଖାଯିବ ଓ ଆନ୍ଦୋଳନ କାମରେ ଭୁବନେଶ୍ଵର ବାହାରକୁ ଯାଉଥିବା ବେଳେ ତହିଁରୁ ଖର୍ଚ୍ଚ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ବହୁ ବିଜ୍ଞାପନ ଆସିଥିଲା ଓ ତଥ୍ୟାଭିଜ୍ଞ ବ୍ୟକ୍ତିମାନଙ୍କ ଆକଳନ ଅନୁସାରେ ତହିଁର ମୁଦ୍ରାମୂଲ୍ୟ ପ୍ରାୟ ଅଧକୋଟି ଟଙ୍କା । ଯେହେତୁ ‘ଶବ୍ଦ ସ୍ପର୍ଶ’ ନାମରେ ବିଜ୍ଞାପନଗୁଡ଼ିକ ଆସିଥିଲା, ପବିତ୍ର ମହାରଥା ଭାଷା ଆନ୍ଦୋଳନ ପ୍ରତି ବିଶ୍ବାସଘାତକତା କରି ଏହି ସମଗ୍ର ପାଣ୍ଠି ତୋଷରପାତ କଲେ । ଏହା ଜଣା ପଡ଼ିଲା ପରେ ମୁଁ ତାଙ୍କୁ ଯେତେବେଳେ ହିସାବ ମାଗିଲି ସେ ଫାଙ୍କିମାରିବାକୁ ନାନା କୌଶଳ ପ୍ରୟୋଗ କଲେ ।

ନୈତିକତା ଦୃଷ୍ଟିରୁ, ସବୁ ଶ୍ଲାଘ୍ୟ ଉଦ୍ୟମ ନିଷ୍ଫଳ ହେବା ପରେ, ମୁଁ ରାଜଧାନୀ ଥାନାରେ ଏହି ଦୁରାଚର ବିରୁଦ୍ଧରେ ଏକ ଏତଲା ଦେଲି । ପୋଲିସ କବଳରୁ ରକ୍ଷା ପାଇବା ପାଇଁ ସେ ସରକାରୀ ଓକିଲ ବିଭୁ ପ୍ରସାଦ ତ୍ରିପାଠୀଙ୍କ ଶରଣାପନ୍ନ ହେଲେ । ବିଭୁବାବୁ ମୋତେ ଫୋନ କରି ପବିତ୍ର ବିଜ୍ଞାପନ ବାବଦରେ ମାତ୍ର ୩ ଲକ୍ଷ ଟଙ୍କା ପାଇଛନ୍ତି ଓ ସେ ସବୁ ଟଙ୍କା ସ୍ମରଣିକା ପ୍ରକାଶନରେ ଖର୍ଚ୍ଚ ହୋଇଯାଇଥିବା ହେତୁ ମୁଁ ତାଙ୍କୁ କ୍ଷମା କରିଦେବା ଉଚିତ ବୋଲି କହିଲେ । ସେମାନେ ଉଭୟେ ପରସ୍ପରର ବନ୍ଧୁ ଓ ପବିତ୍ରଙ୍କ ମାଧ୍ୟମରେ ମୁଁ ବିଭୁବାବୁଙ୍କୁ ଜାଣିଥିଲି । ମୁଁ ତାଙ୍କୁ କହିଲି ଯେ, ସମସ୍ତ ଟଙ୍କାର ସେ ହିସାବ ଦିଅନ୍ତୁ ଓ ଯଦି ମୋର ହୃଦବୋଧ ହୁଏ ଯେ, ସେ କୌଣସି ଅପରାଧ କରିନାହାନ୍ତି , ମୁଁ ଏତଲା ପ୍ରତ୍ୟାହାର କରିନେବି । ତା ତ ହେଲା ନାହିଁ , ପୋଲିସ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ କଲାନାହିଁ । ନାମ ଗୋପନ ରଖିବା ସର୍ତ୍ତରେ ଜଣେ ପୋଲିସ ବଡ଼ପଣ୍ଡା ମୋତେ କହିଲେ ଯେ, ଉପର ମହଲାର ନିର୍ଦ୍ଦେଶ ଆସିଥିଲା ପବିତ୍ରଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ କରିବାକୁ ।

ମୁଁ କାଳେ ଅଦାଲତରେ ମକଦ୍ଦମା ଦାଏର କରିବି ଏହି ଭୟରେ ପବିତ୍ରଙ୍କ ବନ୍ଧୁ ଓ ପ୍ରଦ୍ୟୁମ୍ନ ଶତପଥୀଙ୍କ ସମ୍ପର୍କୀୟ ଉପରୋକ୍ତ ଓକିଲ ବିଭୁ ପ୍ରସାଦ ତ୍ରିପାଠୀ ତାଙ୍କୁ ବତାଇଲେ କି, ଭାଷା ଆଂଦୋଳନର ଅଧ୍ୟକ୍ଷ ଭାବେ ଅନ୍ୟ ଜଣଙ୍କ ନାମ ସେମାନେ ଘୋଷଣା କରିଦିଅନ୍ତୁ; କାରଣ ତଦ୍ଦ୍ଵାରା ଏକ ବିଧିକ ବିଭ୍ରାନ୍ତି ତିଆରି ହୋଇଯାଇ ପାରିବ ଏବଂ ମୁଁ ଯେହେତୁ ଅଧ୍ୟକ୍ଷ ଭାବେ ପବିତ୍ରଙ୍କ ବିରୁଦ୍ଧରେ ଏତଲା ଦେଇଛି, ମକଦ୍ଦମା କଲେ ଅଦାଲତକୁ ପ୍ରଥମେ ଠିକାଇବାକୁ ପଡ଼ିବ କିଏ ଅଧ୍ୟକ୍ଷ ଓ ସେଥିରେ ଏତେ ସମୟ ଲାଗିଯିବ ଯେ, ପାଣ୍ଠି ତୋଷରପାତ ବିଚାର ଆରମ୍ଭ ହୁଏତ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ପରି ବୟସ୍କ ବ୍ୟକ୍ତିଙ୍କ ଜୀବଦ୍ଦଶାରେ ସମ୍ଭବ ହେବ ନାହିଁ । ତ୍ରିପାଠୀଙ୍କ ଚ୍ୟାମ୍ବରରେ ସେତେବେଳେ ଉପସ୍ଥିତ ଥିବା ଜଣେ ନିର୍ଭରଯୋଗ୍ୟ ବ୍ୟକ୍ତି ନାମ ଗୋପନ ରଖିବା ସର୍ତ୍ତରେ ମୋତେ ଏହା କହିଛନ୍ତି ।

ଚକ୍ରଧର ମାହୁନ୍ତ ନାମକ ଜଣେ ଭିଜିଲାନ୍ସ ଆସାମୀ ଭାଷା ଆଂଦୋଳନର ଅଧ୍ୟକ୍ଷ ସାଜିଥିବା କଥା ପ୍ରଦ୍ଯୁମ୍ନ ଶତପଥୀଙ୍କ ଆତ୍ମରକ୍ଷା ପାଇଁ ବ୍ୟାକୁଳତା ଜର୍ଜରିତ ଏକ ପତ୍ରରୁ ମୁଁ ଅବଗତ ହେଲି ।

ଏ କଥା ମୁଁ ଯେତେବେଳେ ଓଡ଼ିଶାବାସୀଙ୍କ ସମ୍ମୁଖରେ ରଖିଲି ସେତେବେଳକୁ ଓକିଲ ବିଭୁ ପ୍ରସାଦ ତ୍ରିପାଠୀଙ୍କ ଏହି ପରମର୍ଶର ଖବର ମୋ ପାଖରେ ପହଞ୍ଚି ନଥିଲା । ଭାଷା ପାଇଁ ଓଡ଼ିଆ ଜାତିର ଏ ଅନନ୍ୟ ଆଂଦୋଳନର ଇତିହାସ ନିର୍ଭୁଲ ରଖିବା ପାଇଁ ବିଭୁ ବାବୁ ମୁଁ ଉପରେ ଦେଇଥିବା ଦୃଶ୍ୟପଟ ଉପରେ ନିଜ ମତ ରଖିବା ଆବଶ୍ୟକ , କାରଣ ଆମେ କେହି ସମାଜ ଓ ସମୟର ଉର୍ଦ୍ଧ୍ଵରେ ନୁହେଁ । (କ୍ରମଶଃ)
୨୭.୬.୨୦୧୯

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.