ଭାଷା ଆନ୍ଦୋଳନ ପାଇଁ ପରିସୃଷ୍ଟ ବିପତ୍ତିର ନେପଥ୍ୟ ଦୃଶ୍ୟ – ୨

ଆର୍ଥିକ ଅପରାଧୀଙ୍କ ଗୋଠ ଗଠନ : ବିପଦରେ ଭାଷା ଆନ୍ଦୋଳନ
(୨୦.୯.୨୦୧୮ରେ orissamatters॰comରେ ପ୍ରକାଶିତ
Corrupt fellows combine:Bhasha Andolan at the crossroadsର ଓଡ଼ିଆ ରୂପାନ୍ତର)

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ମୁଁ ଯେତେବେଳେ ମୋ ପରିସୃଷ୍ଟ ନୀରବ କଳା ପତାକା ପଦ୍ଧତ୍ତି ଭିତ୍ତିରେ ଭାଷା ଆନ୍ଦୋଳନ ପ୍ରତିଷ୍ଠା କଲି ସେତେବେଳେ ମୋର ବିଶ୍ଵସ୍ତ ଅନୁଚର ବନିଥିବା ପବିତ୍ର ମହାରଥା ଯେ ଜାଲିଆତି, ଅର୍ଥ ତୋଷରପାତ ଓ ଆପରାଧିକ ବିଶ୍ଵାସଘାତକତା ପରି ଆର୍ଥିକ ଅପରାଧ କରି ଭାଷା ଆଂଦୋଳନର ସାଙ୍ଗଠନିକ ବିସ୍ତାର ପାଇଁ ସୃଷ୍ଟି କରାହୋଇଥିବା ବହୁ ଲକ୍ଷ ଟଙ୍କା ହଡଫ କରିବେ ଓ ଆମ ତିନିଜଣ କର୍ମକର୍ତ୍ତାଙ୍କ ମଧ୍ୟରୁ ଅନ୍ୟତମ ସଦସ୍ୟ ପ୍ରଦ୍ୟୁମ୍ନ ଶତପଥୀ ଏହି ଅପରାଧକୁ ଢାଙ୍କୁଣୀ ଦେବା କାମ କରିବସିବେ ତାହା ମୋର କଲ୍ପନା ବାହାରେ ଥିଲା ।

ଏହି ଜଘନ୍ୟ ଅପରାଧ ଅବଗତ ହେବା ପରେ ଭାଷା ଆଂଦୋଳନର ପ୍ରତିଷ୍ଠାତା ଭାବେ ମୁଁ ପବିତ୍ରଙ୍କୁ ସେହି ଟଙ୍କାର ଏବଂ ସେ କରିଥିବା ଖର୍ଚ୍ଚାଦିର ସବିଶେଷ ହିସାବ ମାଗିଲି, ଯାହା ସେ ଦେଲେନାହିଁ । ପ୍ରଦ୍ୟୁମ୍ନ ଶତପଥୀ ତାଙ୍କ ସହ ହାତ ମିଳାଇଲେ । ଭାଷା ଆଂଦୋଳନର ଅଧ୍ୟକ୍ଷ ଭାବେ ମୁଁ ଏହି ଅପରାଧ ଉପରେ ପୋଲିସକୁ ଅବଗତ କରାଇଲି । ଭାଷା ଆନ୍ଦୋଳନ ସହ ଜଡ଼ିତ ସୌମ୍ୟରଞ୍ଜନ ନାୟକ ନାମକ ଜଣେ ସମ୍ବାଦିକତା ଛାତ୍ର, ପବିତ୍ରଙ୍କ ଜାଲିଆତି ଓ ଅର୍ଥ ତୋଷରପାତର ଜୀବନ୍ତ ସଞ୍ଚାରଣ କଲେ ସାମାଜିକ ଗଣମାଧ୍ୟମ ଫେସବୁକରେ ଯାହାକୁ କି ଅନ୍ୟ କେତେକ ଗଣମାଧ୍ୟମ ଉପଯୋଗ କରିଥିଲେ ।

ଏହି ଦୁଇ ଅସାଧୁ ବ୍ୟକ୍ତି ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ନିକଟତମ ଥିବା ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ସହ ଗୋପନ ସଂଯୋଗ ସ୍ଥାପନ କରି ଭାଷା ଆନ୍ଦୋଳନକୁ ଭାଙ୍ଗିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ଶୁଣିବା କଥା, ଏମାନେ ଅନ୍ୟ ସହକର୍ମୀମାନଙ୍କୁ କାବୁ କରିବା ପାଇଁ ପ୍ରଚୁର ସୁପାରି ଓ ବ୍ୟକ୍ତିଗତ ଆର୍ଥିକ ମୁନଫା ବି ହାସଲ କରିଥିଲେ । ଯାହା ଦେଖାଗଲା, ସାଙ୍ଗରେ ଆଉ କେଇଜଣ କାବୁକରା ସହଯୋଗୀଙ୍କୁ ଧରି ଏମାନେ ସମ୍ପୂର୍ଣ ଅବୈଧ ଓ ଅନଧିକୃତ ଭାବେ ୧୬.୭.୨୦୧୮ ସନ୍ଦ୍ୟାରେ ଭାଷା ଆନ୍ଦୋଳନ ନିଷ୍ପତ୍ତିକ୍ରମେ ପରବର୍ତ୍ତୀ ବିଧାନସଭା ଅଧିବେଶନ ପର୍ଯ୍ୟନ୍ତ କଳାପତାକା ଅଭିଯାନ ବନ୍ଦ ରହିଲା ବୋଲି ଘୋଷଣା କଲେ । ସେହିଦିନ ପବିତ୍ର ମହାରଥା ଆନ୍ଦୋଳନ ଆୟବ୍ୟୟର ହିସାବ ଦେବା କଥା ଥିଲା । ସେ ବାତାବରଣ ଆଉ ରହିଲା ନାହିଁ । ଏହି ଜଘନ୍ୟ ଅର୍ଥନୈତିକ ଅପରାଧ ବିରୁଦ୍ଧରେ ମୁଁ ରାଜଧାନୀ ଥାନାରେ ଏତଲା ଦେଲି । ସରକାରଙ୍କ ସହ ବୁଝାବଣା ହେତୁ ରାଜନୈତିକ ଚାପ ପଡ଼ି ସେ ଏତଲା ଉପରେ ଶୋଇ ରହିଲା ପୋଲିସ ।

ଓଡ଼ିଶାର ଜଣେ ତୀକ୍ଷ୍ନ ସାମାଜସଚେତନ ସାମ୍ବାଦିକ ସତୀଶ ମିଶ୍ର ପ୍ରତିଜ୍ଞା ଟିଭିରେ ନିଜସ୍ଵ ଲୋକପ୍ରିୟ ‘ଛାଇ’ ଧାରାବାହିକରେ ଏମାନଙ୍କ ଦୁରାଚାରର ବିବରଣୀ ଦେଲେ କେବଳ ନୁହେଁ, କଳାପତାକା ପଦ୍ଧତ୍ତି ହେତୁ ସାରା ଓଡ଼ିଶାରେ ଉଲ୍ଲେଖନୀୟ ହୋଇ ଉଠିଥିବା ଭାଷା ଆନ୍ଦୋଳନକୁ ହଡଫ କରିବା ପାଇଁ ବିଜେପି ଜାଲ ବିସ୍ତାର କରିଥିବା ଦିଗ ଉପରେ ଆଲୋଚନାତ୍ମକ ଆଲୋକପାତ ବି କଲେ ।

କିନ୍ତୁ ଭାଷା ଆନ୍ଦୋଳନ ବନ୍ଦ କରିବା ପାଇଁ ଏହି ଦୁଇ ଅପରାଧୀ ସକ୍ଷମ ହେଲେ ନାହିଁ । ଅର୍ଥମନ୍ତ୍ରୀଙ୍କ ଅଭୟ ଦାନ ଫିକା ପଡ଼ିଯାଉଥିବା ଆଶଙ୍କା କରି ରକ୍ଷା ପାଇବାର ଅନ୍ୟାନ୍ୟ ଉପାୟ ସନ୍ଧାନରେ ରହିଲେ । ଏହି କ୍ରମରେ ମୋ ପରିବର୍ତ୍ତେ ଭାଷା ଆଂଦୋଳନର ଅଧ୍ୟକ୍ଷ ଭାବେ ଚକ୍ରଧର ମହାନ୍ତ ନାମକ ବ୍ୟକ୍ତି ସ୍ଥାନିତ ହୋଇଛନ୍ତି ବୋଲି ଏମାନେ ପ୍ରଚାର ଚଳାଇଲେ । କାରଣ , ଏମାନଙ୍କ ବିଶ୍ଵାସ ଯେ, ଏତଦ୍ଦ୍ବାରା ଭାଷା ଆଂଦୋଳନର ଅଧ୍ୟକ୍ଷ ଭାବେ ମୁଁ ଦେଇଥିବା ଏତଲା ପଥଭ୍ରଷ୍ଟ ହୋଇଯିବ ।

ଏହି ଚକ୍ରଧର ମହାନ୍ତ କିଏ ଓ କାହିଁକି ସେ ଏମାନଙ୍କ ସହ ହାତ ମିଳାଇଛନ୍ତି?

ମୁଁ ଏହି କୌତୁହଲୋଦ୍ଦୀପକ ସ୍ଥିତି ପ୍ରତି ଦୃଷ୍ଟିପାତ କରି ଦେଖୁଛି, ଏ ବ୍ୟକ୍ତି ଜଣେ ଅର୍ଥନୈତିକ ଅପରାଧୀ ଯେ କି ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଥିବା ବେଳେ ଦୁର୍ନୀତି ନିବାରଣ ଆଇନ ବଳରେ ଦୋଷୀ ସାବ୍ୟସ୍ତ ହୋଇ ସ୍ବତନ୍ତ ଭିଜିଲାନ୍ସ ଅଦାଲତରେ ସମ୍ପତ୍ତି ବାଜ୍ୟାପ୍ତିକରଣର ସମ୍ମୁଖୀନ ହୋଇଛନ୍ତି (Vigilance P.S. Case No. 43, Dt. 22-11-2006) ଓ ସରକାରଙ୍କ ସହ ହାତ ମିଳାଇ ଭାଷା ଆନ୍ଦୋଳନରେ ସଙ୍କଟ ସୃଷ୍ଟିକଲେ ସରକାର ଏହି ମକଦ୍ଦମା ଉଠାଇ ନେବେ ବୋଲି ତାଙ୍କୁ ମୌଖିକ ପ୍ରତିଶ୍ରୁତି ମିଳିଛି ।

ଏହି ଜଘନ୍ୟ ଦୁର୍ନୀତିଗ୍ରସ୍ତ ଲୋକମାନଙ୍କ ଗୋଠ ଗଠନ ଭାଷା ଆନ୍ଦୋଳନକୁ ସଙ୍କଟଗ୍ରସ୍ତ କରାଇବାକୁ ଉଦ୍ଦିଷ୍ଟ । (କ୍ରମଶଃ)
୨୯.୬.୨୦୧୯

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.