ଓଡିଶା ବିଧାନସଭାର ଚିହ୍ନିତ ସ୍ଵାଧିକାର ନାହିଁ ; ତମ୍ବିତୋଫାନ କ’ଣ ପାଇଁ ?

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଜଣେ ଅନାମଧେୟ ଅଣଓଡ଼ିଆ ତାଙ୍କର କିଛି ଆପତ୍ତିଜନକ ବୟାନ ପାଇଁ ଓଡିଶା ବିଧାନସଭାର ସ୍ବାଧୀକାର ଭଙ୍ଗ କରିଥିବା ଅଭିଯୋଗରେ ସମ୍ପ୍ରତି ବିଧାନସଭା ଗୃହ କମିଟିର ବିଚାରାଧୀନ ।

ଓଡ଼ିଶାର ଜଣେ ଅଗ୍ରଗଣ୍ୟ ନେତା, ଉତ୍କଳଭାରତ ଦଳର ପ୍ରତିଷ୍ଠାତା ତଥା ପୂର୍ବତନ ସାଂସଦ ଶ୍ରୀ ମହାମେଘବାହନ ଐର ଖାରବେଳ ସ୍ୱାଇଁ ସେହି ବ୍ୟକ୍ତି ଭୁଲ ସ୍ବୀକାର କରି କ୍ଷମା ମାଗିସାରିଥିବା ହେତୁ ତାହାକୁ ସ୍ବାଧୀକାର ଅଭିଯୋଜନ ପରିବର୍ତ୍ତେ ସାର୍ବଭୌମର ଉଦାରତା ଭିତ୍ତିରେ କ୍ଷମା ପ୍ରଦାନ କରାଯିବା କର୍ତ୍ତବ୍ୟ ବୋଲି କହି ବିବଦମାନ ହୋଇପଡିଛନ୍ତି । ଓଡ଼ିଶାରେ କ୍ଷମତାସୀନ ବିଜୁ ଜନତା ଦଳର ସଭ୍ୟ ବା ସମର୍ଥକମାନେ ଏ ଭିତରେ ଶ୍ରୀ ସ୍ୱାଇଁଙ୍କ ଉପରେ ଏଥିପାଇଁ ଆକ୍ରମଣ କରିଛନ୍ତି ଓ ସାମାଜିକ ଗଣମାଧ୍ୟମରେ ନାନା ତମ୍ବିତୋଫାନ କରି , ଯିଏ ବି ସ୍ୱାଇଁଙ୍କ ଉପରେ ହୋଇଥିବା ଆକ୍ରମଣକୁ ନାପସନ୍ଦ କରିଛନ୍ତି ବା କରୁଛନ୍ତି ତାଙ୍କୁ ଓଡ଼ିଆ ଅସ୍ମିତାର ବିରୋଧୀ ବୋଲି କହିବାରେ ଲାଗିଛନ୍ତି ।

ସମ୍ପୃକ୍ତ ବ୍ୟକ୍ତି ବିରୁଦ୍ଧରେ ଚାଲିଥିବା ଅଭିଯୋଜନ ଉପରେ କୌଣସି ପ୍ରତିକୂଳ ଅଭିମତ ନ ଥାଇ, ମୁଁ କେବଳ ବିଧାନସଭାର ସ୍ବାଧୀକାର ସମ୍ପର୍କରେ ଆଲୋଚନା କରିବାକୁ ଆଗ୍ରହୀ ଏଇଥିପାଇଁ ଯେ, ଭାଷା ଆନ୍ଦୋଳନର କଳାପତାକା ଅଭିଯାନରେ ଏକାଧିକବାର ଅଂଶ ଗ୍ରହଣ କରିଥିବା ଶ୍ରୀ ସ୍ୱାଇଁ ଘଟଣାଟିରେ ବିଧାନସଭାର ସ୍ବାଧୀକାର ବିଚାର ପ୍ରତି ଏକ ଟିଭି ଚ୍ୟାନେଲର ଆକସ୍ମିକ ପ୍ରଶ୍ନରେ ପସନ୍ଦ ପ୍ରକଟ କରିନଥିବା ହେତୁ ତାହା ତାଙ୍କ ଓଡ଼ିଆ ବିରୋଧୀତ୍ବ ବୋଲି ସାମାଜିକ ଗଣମାଧ୍ୟମରେ ପ୍ରବଳ ତମ୍ବିତୋଫାନ ଚାଲିଛି ଏବଂ ଏ ତମ୍ବିତୋଫାନ କରୁଛନ୍ତି ସେହିମାନେ ଯେଉଁମାନେ ଓଡିଶା ସରକାରୀ ଭାଷା ଆଇନର ସଂଶୋଧନ ବ୍ୟାପାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାକୁ କଞ୍ଚା ମିଛ କହି ପ୍ରତାରିତ କରିଥିବା ସତ୍ତ୍ବେ ତାଙ୍କ ବିରୁଦ୍ଧରେ ସ୍ବାଧୀକାର ବିଚାର ପାଇଁ କେବେ ବି ପାଟିଖୋଲି ନାହାନ୍ତି ।

ଯଦି ଅଭିଯୁକ୍ତ ଅଣଓଡ଼ିଆ ବ୍ୟକ୍ତି ବିଧାନସଭା ସ୍ବାଧୀକାର କମିଟି ଦ୍ଵାରା ଦଣ୍ଡିତ ହୁଅନ୍ତି, ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାଧୀକାର ଭଙ୍ଗ ଅଭିଯୋଗରେ ଅଭିଯୋଜନର ସମ୍ମୁଖୀନ ନ ହୋଇଛନ୍ତି କାହିଁକି ଓ ନିଜ ଭୁଲ ପାଇଁ କ୍ଷମା ମାଗିସାରିଥିବା ସେହି ଅଣଓଡ଼ିଆଙ୍କ ବିରୁଦ୍ଧରେ ସ୍ବାଧୀକାର ଅଭିଯୋଜନାକୁ ନାପସନ୍ଦ କରିଥିବା ହେତୁ ଐର ଖାରବେଳଙ୍କ ବିରୁଦ୍ଧରେ ତମ୍ବିତୋଫାନ କରୁଥିବା ବ୍ୟକ୍ତିମାନେ ମୁଖ୍ୟମନ୍ତ୍ରୀଙ୍କ ସ୍ବାଧୀକାର ଭଙ୍ଗ ସମ୍ପର୍କରେ ସମ୍ପୂର୍ଣ୍ଣ ନୀରବ କିଆଁ ?

ମନେ ହୁଏ, କ୍ଷମତାସୀନ ଦଳର ପାଲରେ ଥିବା ବ୍ୟକ୍ତିମାନେ ଓଡ଼ିଆ ଭାଷା ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ କରିଥିବା ଅପରାଧ ଉପରୁ ସର୍ବ ସାଧାରଣଙ୍କ ଦୃଷ୍ଟି ଅପସାରଣ କରିବା ପାଇଁ ଐରଖାରବେଳଙ୍କ ଉପରେ ଅଯଥା ତମ୍ବିତୋଫାନ ଚଳାଇଛନ୍ତି ।

ଚାଲିଥିବା ସ୍ବାଧୀକାର ବିଚାରରେ ବିଧାନସଭା ଗୃହ କମିଟି କଣ କରିବେ ନ କରିବେ ତାହା ଆମର ଆଲୋଚ୍ୟ ନୁହେଁ । ଆମ ଜନସାଧାରଣଙ୍କ ଅବଗତି ପାଇଁ ଏବେ କେବଳ ଏତିକି କୁହାଯାଇପାରେ ଯେ, ଆମ ଓଡିଶା ବିଧାନସଭା ଏ ଯାଏଁ ତାର କୌଣସି ସ୍ବାଧୀକାର ଚିହ୍ନିତ କରିନାହିଁ । ମାନକ୍ରମ ନାମରେ ସ୍ବାଧୀକାର ଭଙ୍ଗ ଅଭିଯୋଗଗୁଡ଼ିକୁ ବିଧାନସଭାର ବାଚସ୍ପତି ଇଚ୍ଛାକଲେ ଗୃହ କମିଟି ମାଧ୍ୟମରେ ଫଇସଲା କରୁଛନ୍ତି ।

ଯେହେତୁ ବିଧାନସଭା ନିଜ ସ୍ବାଧୀକାର ଚିହ୍ନିତ କରିନାହିଁ ସେହେତୁ ସାଧାରଣ ଲୋକ ଜାଣିବାର ସୁଯୋଗ ନାହିଁ ଯେ, କେଉଁ କେଉଁ କାମ ବା ବଚନ ବିଧାନସଭାର ସ୍ବାଧୀକାର ଭଙ୍ଗ ଭାବେ ବିବେଚିତ ହେବ । ଭିନ୍ନଭାବେ କହିଲେ, ରାଜନୈତିକ ରାଗ ସୁଝାଇବାପାଇଁ ମଧ୍ୟ ଯେ କୌଣସି ବିଧାୟକ ହୁଅନ୍ତୁ ବା ବାଚସ୍ପତି ହୁଅନ୍ତୁ, ଯେ କୌଣସି ବ୍ୟକ୍ତିଙ୍କୁ ସେ ନ ଜାଣିଥିବା ସ୍ବାଧୀକାର ଭଙ୍ଗ ଅଭିଯୋଗରେ ଅଭିଯୋଜନର ସମ୍ମୁଖୀନ କରାଇପାରନ୍ତି ଓ ଦଣ୍ଡିତ କରାଇ ପାରନ୍ତି । ଏହାଠୁ ବଳି ବିଡମ୍ବନା କଣ ଥାଇପାରେ ?

ଭାରତୀୟ ସମ୍ବିଧାନର ଧାରା ୧୦୫ ଓ ୧୯୪ରେ ଯଥାକ୍ରମେ ପାର୍ଲିଆମେଣ୍ଟ ଓ ଆସେମ୍ବ୍ଲି ଗୁଡ଼ିକର ସ୍ବାଧୀକାର ବ୍ୟବସ୍ଥା ରହିଛି । କେବଳ ପ୍ରଯୁଯ୍ୟତା ପ୍ରସଙ୍ଗକୁ ଛାଡି ଉଭୟ ଧାରା ସମାନ ।
ଆମେ ଯେହେତୁ ବିଧାନସଭାର ସ୍ବାଧୀକାର ସମ୍ପର୍କରେ ଆଲୋଚନା କରୁଛେଁ , ୧୯୪ ଧାରାର ଉପଧାରା-୩ର ଭାଷା ଏଠି ଉଦ୍ଧୃତ ହେଲା, କାରଣ ଏହି ଉପଧାରାଟି ଆମ ଏହି ଆଲୋଚନା ପାଇଁ ପ୍ରାସଙ୍ଗିକ । ତାହା ହେଲା :

194. (3) …… the powers, privileges and immunities of a House of the Legislature of a State, and of the members and the committees of a House of such Legislature, shall be such as may from time to time be defined by the Legislature by law, and, until so defined, shall be those of that House and of its members and committees immediately before the coming into force of Section 26 of the Constitution forty fourth Amendment Act, 1978

ଅର୍ଥାତ୍ , ବିଧାନସଭା ତାର ସ୍ଵାଧିକାରର ସଜ୍ଞା ବିଧିକୃତ ନ କଲା ଯାଏଁ ୪୪ତମ ସମ୍ବିଧାନ ସଂଵୋଧନର ପ୍ରୟୋଗ ପରର୍ଯ୍ୟନ୍ତ ଏହା ଉପଭୋଗ କରିଆସିଥିବା ସ୍ବାଧୀକାର ଉପଭୋଗ କରୁଥିବ । କଣ ସେହି ସ୍ବାଧୀକାର ? ତାହା ଏକ ବିଦେଶୀ ସଂସଦର ସ୍ବାଧୀକାର ଯାହା କବଳରୁ ମୁକ୍ତି ପାଇଁ ଆମେ କରିଥିଲେ ବିଶ୍ଵର ଯୁଗପରିବର୍ତ୍ତନକାରୀ ସ୍ଵାଦିନତ ସଂଗ୍ରାମ, କରିଥିଲେ ଅସୁମାରୀ ଜୀବନଦାନ ବ୍ରିଟିଶର ବିଭତ୍ସ କାରାଗାରରେ,ଫାଶିଖୁଣ୍ଟରେ,ବାୟୋନେଟରେ,ବନ୍ଧୁକରେ ।

ସମ୍ବିଧାନ ପ୍ରଣୟନ ସଭାରେ ଶ୍ରୀ ଏଚ. ଭି. କାମଥ ଏହାର ପରିବର୍ତ୍ତନ ଚାହିଁ କହିଥିଲେ,
“As a matter of fact, I think most of us do not know what are the privileges of the member of the House of Commons. We know very well what our privileges at present are. Therefore, Sir, it is far better to build on our own solid ground, rather than rely on the practices obtaining in other countries.”

ମାତ୍ର କାମଥ ଓ ତାଙ୍କ ପରି ଆଉ କେତେକଙ୍କ ଉଦ୍ୟମ ବୃଥା ଯାଇଥିଲା ଓ ଏକ ଅନିଶ୍ଚିତ ଭବିଷ୍ୟତ ହାତରେ ଛାଡିଦିଆଯାଇଥିଲା ବିଲାତି ସ୍ଵାଧିକାରରୁ ଆମ ମୁକ୍ତିର ଆବେଗକୁ, ଯାହା ଏ ଯାଏଁ ସେହିପରି ଅଛି ୧୯୭୮ର ସମ୍ବିଧାନ ସଂଶୋଧନ ସତ୍ତ୍ବେ । କାମଥ ତ ଜାଣି ନଥିଲେ କଣ ସେ ସ୍ବାଧୀକାର;ଆମେ ବା କେତେକର ?

ଆମ ବିଧାନସଭା ନିଜର ସ୍ବାଧୀକାର ଏଯାଏଁ ସଜ୍ଞାୟୀତ କରିନାହିଁ ବା ଚିହ୍ନଟ କରିନାହିଁ । ଯେଉଁମାନେ ଐରଖାରବେଳ ସ୍ୱାଇଁ ଏକ ଟେଲିଭିଜନ ସଂସ୍ଥାର ଆକସ୍ମିକ ପ୍ରଶ୍ନର ଉତ୍ତରରେ କ୍ଷମା ମାଗି ସାରିଥିବା ଲୋକ ଉପରେ ସ୍ବାଧୀକାର ବିଚାର କାହିଁକି ବୋଲି ପଚାରିଥିବା ହେତୁ ସାମାଜିକ ଗଣମାଧ୍ୟମରେ ତମ୍ବିତୋଫାନ କରୁଛନ୍ତି ସେମାନେ ବି ଜଣାନ୍ତାନି ସେହି ବିଦେଶୀ ସ୍ବାଧୀକାର କଣ !

ଓଡିଶା ବିଧାନସଭା କେବେହେଲେ ବିଲାତି ସଂସଦର ସ୍ବାଧୀକାରର ସ୍ବରୂପ କଣ ତାହା ନିଜ ସଭ୍ୟମାନଙ୍କୁ ବି ଜଣାଇନାହିଁ,ସାଧାରଣ ଲୋକଙ୍କ କଥା କିଏ ବା ପଛରେ ! କେତେ ଦିନ ଆଉ ଏ ଅରାଜକତା ଚାଲିବ ? ଓଡ଼ିଶାରେ ଶତକଡା ୯୩ ଭାଗ ଲୋକ ଇଂରାଜୀରେ ଅଜ୍ଞ । ସେମାନେ କେମିତି ଜାଣିବେ ବିଲାତି ସଂସଦର ସ୍ଵାବିମାନର ସ୍ବରୂପ ? ଯଦି ନିଜ ସ୍ବାଧୀକାର ନିଜେ ସଜ୍ଞାୟୀତ କରିବାର ଯୋଗ୍ୟତା ଆମ ବିଧାନସବଧର ନାହିଁ ତେବେ ସେହି ବିଲାତି ସ୍ଵାଧିକାରର ସୀମା ଓ ସ୍ବରୂପ କଣ ତାହା ଓଡ଼ିଆରେ ଅନୁବାଦ କରି ଓଡ଼ିଶାରେ ବହୁଳଭାବେ ବାଣ୍ଟିବା କଣ ବିଧାନସଭାର କର୍ତ୍ତବ୍ୟ ନୁହେଁ ? ଆମକୁ ନିଜ ସ୍ବାଧୀକାର ସମ୍ପର୍କରେ ଅନ୍ଧକାରରେ ରଖି ଆମେ ସ୍ବାଧୀକାର ଭଙ୍ଗ କଲୁ ବୋଲି କେଉଁ ଗଣତାନ୍ତ୍ରିକ ନୈତିକତା ଆଧାରରେ ସ୍ବାଧୀକାର ଭଙ୍ଗ ଅଭିଯୋଗ ଆଗତ ହେଉଛି ଓ ବିଚାର ହେଉଛି ଓ ଦଣ୍ଡ ବି ଦିଆଯାଉଛି ତାହା ଓଡ଼ିଶାର ଜଣ ସାଧାରଣ ବିଧାନସଭାକୁ ପଚାରିବାର ସମୟ ଆସିଛି । ବନ୍ଧ୍ୟା ତମ୍ବିତୋଫାନ ଶିରୋନାସ୍ତି ଶିରୋପୀଡ଼ା ସହ ସମାନ ।

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

1 thought on “ଓଡିଶା ବିଧାନସଭାର ଚିହ୍ନିତ ସ୍ଵାଧିକାର ନାହିଁ ; ତମ୍ବିତୋଫାନ କ’ଣ ପାଇଁ ?”

  1. ଠିକ୍ ସମୟରେ ଠିକ୍ କଥା କହିଥିବାରୁ ସଲାମ୍ ସଲାମ୍। ଆମେ ସାଧାରଣ ଲୋକ, ସାର୍ବଭୌମ କ୍ଷମତା ଆମଠି, ଆମେ ମୁକ୍ତ। କିଆଁ ଯିବୁ ଅନ୍ୟଦେଶର ନୀତି ନିୟମ ପ୍ରଥା ପାଖକୁ? ଆମ ଲୋକ ପ୍ରତିନିଧିଗଣ ବୁଝିବା ଉଚିତ୍। ମହତ ଲୋକ ହିଁ କ୍ଷମା ଦେଇପାରେ, ଶାସ୍ତ୍ର କହେ।
    ଐର ଖାରବେଳ, ମୋ ଦୃଷ୍ଟିରେ, ଓଡିଶାର ଭବିଷ୍ଯତ । ଆକ୍ରମଣକୁ ମୁଁ ନିନ୍ଦା କରୁଛି ବହୁତ। ଗଣତନ୍ତ୍ରରେ ଦାଦାଗିରିର ଶାସନ କେତେଦିନ? ସବୁଲୋକଙ୍କୁ କିଣି ରଖି ପାରେ ନି କୌଣସି ପ୍ରଶାସନ ସବୁଦିନ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.