ଭାଷା ନିୟମାବଳୀକୁ ଭାଷା ଆନ୍ଦୋଳନ ପ୍ରତ୍ୟାଖ୍ୟାନ କଲା, ଆନ୍ଦୋଳନ ଚାଲିଲା

ନିଉଜ ସିଣ୍ଡିକେଟ

ଦୁଇଜଣ ଦଲାଲଙ୍କୁ ଲଗାଇ ଓଡ଼ିଆ ଜାତିକୁ ପ୍ରତାରିତ କରିବା ପାଇଁ ସରକାର ଯେଉଁ ଉଦ୍ୟମ କରିଥିଲେ ତାହା ଫସରଫାଟି ଯାଇଛି । ଯେଉଁ ନିୟାମବଳୀକୁ ଅଶୁଦ୍ଧ ବୋଲି କହି ଭାଷା ଆନ୍ଦୋଳନ ତାହାକୁ ମଞ୍ଜୁରୀ ନ ଦେବାକୁ ରାଜ୍ୟପାଳଙ୍କୁ କହିଥିଲା, ସେହି ଅଶୁଦ୍ଧ ନିୟମାବଳୀକୁ ରାଜ୍ୟପାଳ ମଞ୍ଜୁରୀ ଦେଇଛନ୍ତି ଓ ତାହା ତତ୍କାଳ ଅଧିସୂଚନା ଦ୍ଵାରା ପ୍ରବର୍ତ୍ତିତ ହୋଇଛି ।

ଯଦି ଜୁଲାଇ ୧୭ରେ ଭାଷା ଆଂଦୋଳନର ସଭାପତିମଣ୍ଡଳୀ ଆହ୍ଵାନରେ ଅନୁଷ୍ଠିତ ମାତୃଭାଷାପ୍ରେମୀ ସମ୍ମିଳନୀରେ ଆମ ଭାଷାକୁ ମାରିଦେବାପାଇଁ ଚାଲିଥିବା ସରକାରୀ ଚକ୍ରାନ୍ତକୁ ଭର୍ତ୍ସନା କରାଯାଇନଥାନ୍ତା ଏବଂ “ଆମ ଭାଷା ଆମ ଅଧିକାର” ଗୋଷ୍ଠୀ ଭାଷା ଆଂଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ଏକ ସମୀକ୍ଷାତ୍ମକ ଭିଡ଼ିଓ ପ୍ରକାଶ କରିନଥାନ୍ତେ ତେବେ ହୁଏତ ଏ ନିୟମାବଳୀ ଏଯାଏଁ ରାଜ୍ୟପାଳଙ୍କ ମେଜ ଉପରକୁ ଆସିନଥାନ୍ତା । ଜୁଲାଇ ୧୭ ତାରିଖର ସମ୍ମିଳନୀ ତଥା ସୁଭାଷ ବାବୁଙ୍କ ସାକ୍ଷାତ୍କାର ସରକାରଙ୍କୁ ଏତେ ଅତର୍ଚ୍ଛାଇ ଦେଇଛି ଯେ, ନିସ୍ତାର ପାଇବା ପାଇଁ ପୋଷାମନା ଦଲାଲମାନଙ୍କୁ ଡାକି ସେହିମାନଙ୍କ ଦ୍ଵାରା ଭାଷା ନିୟମାବଳୀ ସଂଶୋଧନ ହୋଇଥିବା କଥା ସରକାର ପ୍ରଚାର କରାଇଛନ୍ତି । ଜନଚେତନରୁ ଜୁଲାଇ ୧୭ ମାତୃଭାଷାପ୍ରେମୀ ସମ୍ମିଳନୀ ଓ “ଆମ ଭାଷା ଆମ ଅଧିକାର” ପ୍ରସାର କରିଥିବା ଭିଡ଼ିଓର ପ୍ରଭାବ ହ୍ରାସ କରିବା ପାଇଁ ଏହା ଯୋଜନା ଅନୁସାରେ କରାଯାଇଥିବା ଏବେ ସମସ୍ତଙ୍କର ହୃଦ୍ବୋଧ ହେଲାଣି । ଏହି ପ୍ରେକ୍ଷାପଟରେ ନିୟମାବଳୀ ସଂଶୋଧନର ସରକାରୀ ନାଟକକୁ ଭାଷା ଆନ୍ଦୋଳନ ପ୍ରତ୍ୟାକ୍ୟାନ କରିଛି ଓ ଯଥାପୂର୍ବ କଳା ପତାକା ଅଭିଯାନ ଚାଲୁରହିଛି ।

ଆଜି ଥିଲା ତ୍ରିରଙ୍ଗା ପତାକାର ଦିବସ । ତେଣୁ, ଭାଷା ଆନ୍ଦୋଳନର କଳାପତାକା ରାଜଧାନୀରେ ବନ୍ଦ ଥିଲା ସବୁଥର ପରି । ଓଡ଼ିଆ ଭାଷାଜନନୀର ଶ୍ରେଷ୍ଠ ସନ୍ତାନମାନଙ୍କ ହାତରେ ଥିଲା ଦୁଇଟି ଫଳକ । ଗୋଟିକରେ ଲେଖା ଥିଲା –

“ସରକାରୀ ଷଡ଼ଯନ୍ତ୍ର ବନ୍ଦ ହେଉ
ଭାଷା ଆଇନ ନିର୍ଭୁଲ ହେଉ ”

ଓ ଅନ୍ୟଟିରେ ଲେଖା ହୋଇଥିଲା –

“ଓଡ଼ିଶା ଗଠିତ ଓଡ଼ିଆ ପାଇଁ
ଇଂରେଜୀ ରାଜୁତି ଚଳିବ ନାଇଁ ”

ଏକୁ ସଗର୍ବେ ଧାରଣ କରିଥିଲେ ଭାଇ ସୁଭାଷ ଚନ୍ଦ୍ର ପ୍ରଧାନ ଓ ଭାଇ ଶିଶିର କୁମାର ସାହୁ

ଭାଇ କମଳଲୋଚନ ନାୟକ ଆଜି ନେତୃତ୍ବ ଦେଇଥିଲେ । ସାଙ୍ଗରେ ଥିଲେ ବିଶିଷ୍ଟ ବୈଜ୍ଞାନିକ ଡଃ ଅଶୋକ ମିଶ୍ର ଓ କୃଷ୍ଣାନନ୍ଦ ସାହୁ ।

ଓଡ଼ିଆ ଜାତିକୁ ପ୍ରତାରିତ କରିବାକୁ ସରକାର ଯେତେ କଳକୌଶଳ ପ୍ରୟୋଗ କଲେ ସବୁ ବ୍ୟର୍ଥ ହୋଇଛି । ଆର୍ଥିକ ଫାଇଦା ପାଇଁ ସରକାରଙ୍କ ସହ ହାତ ମିଳାଇଥିବା ଦଲାଲ୍ ମାନେ ଭାଷା ଆନ୍ଦୋଳନର ନାମ ବ୍ୟବହାର କରି ଯେତେ ବୟାନ ଦେଲେ ମଧ୍ୟ ଓଡ଼ିଆ ଜାତି ତହିଁରେ ବିଭ୍ରାନ୍ତ ହେବାର ନାହିଁ ।

ସବୁ ଦିନପାଇଁ ଆମ ଭାଷାଜନନୀଙ୍କୁ ବିପଦମୁକ୍ତ କରିବାକୁ ଏ ଆନ୍ଦୋଳନ ଆଜି ଟପିଲା ୧୨୧୮ ଦିନ । ଏବଂ ଏ ଆନ୍ଦୋଳନ ଚାଲିବ ଯେଉଁଯାଏଁ ଆମ ଭାଷା ଆଇନରେ ଖଞା ହୋଇଥିବା ମାରକ ଧାରା ୪କ ବିଲୁପ୍ତ ନ ହୋଇଛି ଏବଂ ଓଡ଼ିଆବିରୋଧୀ ନିୟମାବଳୀ ପ୍ରତ୍ୟାହୃତ ହୋଇ ଆମ ଭାଷା ପାଇଁ ଅନୁକୂଳ ନିୟମାବଳୀ ପ୍ରଣୟନ ଓ ପ୍ରବର୍ତ୍ତନ ନ ହୋଇଛି ।

ଫୁଲବାଣୀରେ ମଧ୍ୟ ଆଜି କଳାପତାକା ଅଭିଯାନ ଯଥାପୂର୍ବ ଅନୁଷ୍ଠିତ ହୋଇଛି । ଭାଷା ଆନ୍ଦୋଳନକୁ ସମର୍ଥନ କରି ସରକାରୀ ତଞ୍ଚକତା ବିରୁଦ୍ଧରେ ପ୍ରତିବାଦ କରିଛନ୍ତି ଓଡ଼ିଆ ମାଟିର ତିନି ଶ୍ରେଷ୍ଠ ସନ୍ତାନ ସର୍ବଶ୍ରୀ ଅଶୋକ ପରିଡ଼ା, କାହ୍ନୁ ଚରଣ ଶତପଥୀ ଓ ସୁରେନ୍ଦ୍ର ମହାନ୍ତି ।

ସରକାର ସୁଧୁରି ଯାଆନ୍ତୁ ।

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.