An attempt to mislead the history; a reply to correct the records

                          ଶବ୍ଦ ଇନ୍ଦ୍ରଜାଲ ବନାମ ସତ୍ୟ

                                                                    ସୁଭାଷ ଚନ୍ଦ୍ର ପଟ୍ଟନାୟକ

                                                                     ଅଧ୍ୟକ୍ଷ , ଭାଷା ଆନ୍ଦୋଳନ, ଓଡିଶା

ଭାଷା ଆନ୍ଦୋଳନକୁ ଭଣ୍ଡୁର କରିବାକୁ ସରକାର ବହୁ ବ୍ୟକ୍ତିଙ୍କୁ କାମରେ ଲଗାଇଛନ୍ତି ∣ କେହି କେହି ଅପାତତଃ ନିରପେକ୍ଷ ଓ ସମ୍ମାନାସ୍ପଦ ବ୍ୟକ୍ତି ବି ବେଳେ ବେଳେ ଏମିତି ଉପରଠାଉରିଆ ବୟାନ ରଖୁଛନ୍ତି ସାମାଜିକ ଗଣମାଧ୍ୟମରେ ଯେ, ତାହା ସାଧାରଣ ଲୋକଙ୍କ ଭିତରେ ଅଯଥା ବିଭ୍ରାନ୍ତି ଉପୁଜାଉଛି ∣ ଏହିପରି ଏକ ବୟାନ ଉପରେ ଏ ଭିତରେ ମୋତେ ଏକ ସ୍ପଷ୍ଟୀକରଣ ରଖିବାକୁ ପଡିଥିଲା ∣ ତହିଁରେ ଇତିହାସର କିଛି ନିଦା ତଥ୍ୟ ମୋତେ ଦେବାକୁ ପଡିଥିଲା ∣ ମାତ୍ର ଇତିହାସର ସାମ୍ନା କରିବା ସମସ୍ତଙ୍କୁ ସୁହାଏ ନାହିଁ ∣ ସେହେତୁ , ମୋର ଅନ୍ୟତମ ପ୍ରିୟ ବନ୍ଧୁ କବି ଶଙ୍କର ପରିଡା ମୋ ଉପରେ ଖୁବ ଉତ୍କ୍ଷିପ୍ତ ହୋଇପଡିଲେ ∣ ମୁଁ ଲେଖିଥିଲି ଯେ, ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇ ତହିଁରେ ଭାଷା ସଂଗ୍ରାମ ସମିତିର ଅସ୍ତିତ୍ବ ଲୋପ କରା ହୋଇଥିଲେ ମଧ୍ୟ ସମିତି ନେତୃତ୍ବ ନିରବ ରହି କମିଟି ଗଠନର ଉଦ୍ଦେଶ୍ୟ ପଣ୍ଡ କରିଦେଲେ, ଯାହା ଫଳରେ ମୁଁ ଓ ଗଜାନନ ମିଶ୍ର ସେହି କମିଟି ବର୍ଜନ କରି ଚାଲିଆସିବାକୁ ଉଚିତ ମଣିଲୁ ∣ ମୁଁ ମିଛ କହିଛି ବୋଲି ଦର୍ଶାଇବାକୁ ଶଙ୍କର ବାବୁ କେତେକ ଫଟୋ ରଖି ମନ୍ତ୍ରୀସ୍ତରୀୟ କମିଟିରେ ମୋ ସମେତ ଅନ୍ୟମାନେ ଭାଷା ସଂଗ୍ରାମ ସମିତିର ପ୍ରତିନିଧି ଭାବେ ହିଁ ଥିଲେ ବୋଲି ଦର୍ଶାଇଛନ୍ତି ∣ ଏହି ଦସ୍ତାବିଜଗୁଡିକର ଭିତ୍ତି ଉପରେ ହିଁ ମୁଁ କହିଥିଲି କି ଆମେ ଯେଉଁମାନେ ଭାଷା ସଂଗ୍ରାମ ସମିତିର ସଭ୍ୟ ଭାବେ ମନ୍ତ୍ରୀପରିଷଦର ଚିହ୍ନିତ ସଭ୍ୟମାନଙ୍କୁ ଭେଟି ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଥିଲୁ ଓ ତାର ଦାୟିତ୍ବ (term of reference) କଣ ହେବ ତାହା ନିର୍ଦ୍ଧାରଣ କରିଥିଲୁ , ପଛ ଦ୍ଵାର ବାଟେ ସେଥିରେ ପ୍ରବେଶ କରିଥିବା ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ବୈଷ୍ଣବ ପରିଡାଙ୍କ ଷଡଯନ୍ତ୍ର ହେତୁ ମନ୍ତ୍ରୀସ୍ତରୀୟ କମିଟିରେ ଭାଷା ସଂଗ୍ରାମ ସମିତିର ପ୍ରତିନିଧି ହୋଇ ରହିନଥିଲୁ ; ହୋଇଯାଇଥିଲୁ ମୁଖ୍ୟମନ୍ତ୍ରୀଙ୍କ ମନୋନୀତ ସଦସ୍ୟ ∣

 

 

ଶଙ୍କର ବାବୁ ଫେସବୁକ ପୃଷ୍ଠାରେ ଏହି ଚିତ୍ରଟି ରଖି ଏଥିରେ ଆମେମାନେ ଭାଷା ସଂଗ୍ରାମ ସମିତିର ସଭ୍ୟ ଭାବେ ଚିହ୍ନିତ ହୋଇଥିବା ହେତୁ ମନ୍ତ୍ରୀ ସ୍ତରୀୟ କମିଟିରେ ଭାଷା ସଂଗ୍ରାମ ସମିତିର ଅସ୍ତିତ୍ବ ଲୋପ ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି ∣ ଚିତ୍ରଟିକୁ ଭଲଭାବେ ଦେଖନ୍ତୁ ∣ ଏହା “ପ୍ରସ୍ତାବିତ କମିଟି“ର ନାମଫର୍ଦ୍ଦ ∣ ଗଠିତ କମିଟିର ନୁହେଁ ∣ ମରୀଚିକାକୁ ନଦୀ ଭାବେ ଘେନା କରିବା କାହିଁକି ?

 

 

 

ଶଙ୍କର ବାବୁ ଲୁଚାଇ ରଖିଥିବା ଦସ୍ତାବିଜଟି ହେଉଛି ଗଠିତ କମିଟିର ନାମଫର୍ଦ୍ଦ ∣ ତାହା ଶଙ୍କର ବାବୁଙ୍କ ଉଦ୍ଦେଶ୍ୟରେ ମୁଁ ରଖୁଥିବା ବକ୍ତବ୍ୟ ସହ ରହିବ ∣ ସେଥିରେ ଆମେ କେହି ଭାଷା ସଂଗ୍ରାମ ସମିତିର ପ୍ରତିନିଧି ଭାବେ ନାହୁଁ ; ଅଛୁ ନିଜ ନିଜ ପରିଚିତି ବଳରେ ∣ ଆମ ଯୌଥ ପରିଚିତି ଲୋପ କରାହୋଇଛି ∣

ସେ ଏହି ସର୍ବାଧିକ ପ୍ରାସଙ୍ଗିକ ଦସ୍ତାବିଜଟିକୁ ଗୁପ୍ତ ରଖିଛନ୍ତି ∣ ମୁଁ ତାକୁ ନିମ୍ନରେ ସଂଲଗ୍ନ କରୁଛି ∣ ଭାଷା ଆନ୍ଦୋଳନର ନିରୋଳା ଇତିହାସ ଉପରେ ଧ୍ୟାନ ରଖିଥିବା ବନ୍ଧୁମାନଙ୍କ ପାଇଁ ଏହା ଗୁରୁତ୍ବପୂର୍ଣ ∣

ପ୍ରିୟ ଭାଇ ଶଙ୍କର ପରିଡା,
ଆପଣଙ୍କ କୌତୁହଳୋଦ୍ଦୀପକ ଶବ୍ଦବିନ୍ୟାସ ମୋତେ ଅମୋଦିତ କରିଛି ∣
ଧନ୍ୟବାଦ ଯେ, ମୋର “ସଂଗ୍ରାମୀ ମନୋବଳ ଓ ପ୍ରଚଣ୍ଡ ସ୍ମୃତିଶକ୍ତି ଉପରେ” ଆପଣଙ୍କର “ଅଗାଧ ବିଶ୍ଵାସ ଅଛି” । ମାତ୍ର, ତା ସତ୍ତ୍ବେ ଆପଣ ମୋ ପ୍ରତି ଏପରି କେତେକ ଶବ୍ଦ ପ୍ରୟୋଗ କରିଛନ୍ତି ଯାହା ସତ୍ୟର ବିପରୀତ ∣

ମୋ ବାପା ଆମ ସଂସ୍କୃତିର ଏକ ବୈଶିଷ୍ଟ୍ୟ ସହ ମୋତେ ସହବନ୍ଧିତ କରିଯାଇଛନ୍ତି ∣ ତାହା ହେଲା : “ନିନ୍ଦା ମିଳୁ ବା ପ୍ରସଂଶା, ଧନ ଆସୁ ବା ଦାରିଦ୍ର୍ୟ , ମୃତ୍ୟୁ ଆସୁ ବା ଅଟକୁ , ଭଲ ମଣିଷ ନିଜର ପରିଗୃହୀତ ବ୍ରତ କେବେ ବି ପରିତ୍ୟାଗ କରେନାହିଁ ∣” ଏହି ଆଦର୍ଶ ଉପରେ ଠିଆ ହୋଇ , ପ୍ରିୟ ଶଙ୍କର ବାବୁ, ମୁଁ ଭାଷା ଆନ୍ଦୋଳନରେ ଅଛି, ଆପଣ ନାହାନ୍ତି ∣ ଓଡ଼ିଆ ଭାଷା ଜନନୀର ଅନୁଗତ ସନ୍ତାନମାନଙ୍କ ସହ ଭାଷା ପାଇଁ ଜୀବନକୁ ବାଜିଲଗାଇଥିବା ଗଜାନନ ମିଶ୍ର ବି ମୋ ସହ ଅଛନ୍ତି ; ତାଙ୍କ ଅନଶନକୁ ସାହାଯ୍ୟ କରିବାକୁ ଗଢ଼ାହୋଇଥିବା ଭାଷା ସଂଗ୍ରାମ ସମିତି ଭାଷା ମାଫିଆଙ୍କ ପାଲରେ ପଡି ବସ୍ତୁତଃ ଲୋପ ପାଇସାରିଛି ∣ ସେତେବେଳେ ଯେଉଁମାନେ ଭାଷା ସଂଗ୍ରାମ ସମିତିରେ ଥିଲେ, ସେମାନେ ସେହି ପରିଚିତିକୁ ପୁଞ୍ଜି କରି ମନ୍ତ୍ରୀ ଓ ବିଭିନ୍ନ ଅଫିସରଙ୍କୁ ଧରି ନିଜ ପାଇଁ ସରକାରୀ ଘର ନେବା, ସେଠାରେ ସରକାରଙ୍କ ଅଜଣାରେ କୌଣସି ମହିଳା ରହିବା, ନାଚ ଗୀତ ସମ୍ମିଳନୀ ଆଳରେ ରାଜକୋଷ ଲୁଟ କରିବା , ସାମାଜିକ ଗଣମାଧ୍ୟମରେ ଅଶ୍ଳୀଳ ଶବ୍ଦ ପ୍ରୟୋଗ କରିବା ଆଦି ଯାବତୀୟ ଅପକର୍ମ କରୁଛନ୍ତି; ଅଥଚ ମନ୍ତ୍ରୀସ୍ତରୀୟ କମିଟିର କ’ଣ ହେଲା, କାହିଁକି ତାହା ସତ୍ତା ହରାଇଲା, ଯେଉଁ ଉଦ୍ଦେଶ୍ୟରେ ତାହା ଗଠିତ ହୋଇଥିଲା ସେ ଉଦ୍ଦେଶ୍ୟ ପୁରାଣ ହେଲା କି ନା, ତାହା ଭାଷା ସଂଗ୍ରାମ ସମିତି ଏଯାଏଁ କହୁନାହିଁ , ଯଦି ତାହା ନ ମରି ବଞ୍ଚିଥାଏ ∣

ଆପଣ ଲେଖିଛନ୍ତି , “ଆପଣଙ୍କ ମନ ଓ କାନ୍ଥରେ କୃତଜ୍ଞତାର ଭାଷା ଅଛି କି ନାହିଁ ମୁଁ ଜାଣିନି, କିନ୍ତୁ ସରକାରି ନଭମଞ୍ଚ ଆବାହକ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନପ୍ରାପ୍ତ ଓଡିଆଭାଷା ସଂଗ୍ରାମ ସମିତିର ସଦସ୍ୟତାକୁ ନେଇ ଆପଣ ଉଦ୍ଦେଶ୍ୟମୂଳକ ଭାବରେ ଗଣ ଓ ଗଣମାଧ୍ୟମକୁ ବିଭ୍ରାନ୍ତ କରୁଥିବାରୁ ମୁଁ ଗଭୀର ଭାବରେ ମର୍ମାହତ ।” ଆପଣ ଜଣେ କବି ∣ କୌଣସି ମାନସିକ ଚାପରେ ନଥିଲେ ଏପରି ଅଶୁଦ୍ଧ ବାକ୍ୟଟିଏ ଆପଣ ଲେଖିପାରିନଥାନ୍ତେ ବୋଲି ମୁଁ ଭାବୁଛି, ଯଦିଓ ମୁଁ ଖୁସି ଯେ ମୋ ପରିସୃଷ୍ଟ “ନଭମଞ୍ଚ” ଶବ୍ଦଟି ଆପଣ ବ୍ୟବହାର କରିଛନ୍ତି ∣ “ଗଣ ଓ ଗଣମାଧ୍ୟମ” ବିଭ୍ରାନ୍ତ ନହେଉ – ଏଥିପାଇଁ ଅହର୍ନିଶ କାମ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ହେଲି ମୁଁ ∣ ତେଣୁ ମୁଁ ସେପରି କରୁଛି, ତାହା ପୁଣି “ଉଦ୍ଦେଶ୍ୟମୂଳକ” ଭାବେ, ଏହା ସପ୍ରମାଣ କହିଥିଲେ ମୁଁ ନିଜକୁ ସୁଧରିନେଇପାରିଥାନ୍ତି; କାରଣ କେବଳ ସୈତାନ ହିଁ କୌଣସି ଭୁଲ ସ୍ବୀକାର କରିନଥାଏ ∣ ତେଣୁ ମୁଁ କିପରି ଓ କେଉଁଠି “ଉଦ୍ଦେଶ୍ୟମୂଳକ ଭାବରେ ଗଣ ଓ ଗଣମାଧ୍ୟମକୁ ବିଭ୍ରାନ୍ତ” କରୁଛି ତାହା ସପ୍ରମାଣ ଆପଣ ଉପସ୍ଥାପିତ କରିବା ଉଚିତ ∣ ଯାହାର କିଛି ସ୍ଵାର୍ଥ ଥିବ, ସେ ଗାଲୁ ମାରିବ; ମୋର କୌଣସି ସ୍ଵାର୍ଥ ନାହିଁ , ତେଣୁ ସପ୍ରମାଣ ଅଭିଯୋଗ ଆସିଲେ, ତାହା ଯଦି ମୁଁ ଯଥାର୍ଥତଃ ଖଣ୍ଡନ କରି ନପାରେ, ଭୁଲ ସ୍ବୀକାର କରିବି ∣

ଦ୍ବିତୀୟତଃ ଆପଣ ଲେଖିଛନ୍ତି, “ଆପଣଙ୍କର ବିସ୍ମିତ ବିସ୍ମରଣ ଅହଂକାର ଓ ଦମ୍ଭୋକ୍ତିର ପ୍ରତିବାଦ ଓ ପ୍ରତିବେଦନପାଇଁ ଓଡିଆ ଭାଷା ସଂଗ୍ରାମ ସମିତି ଓ ଓଡିଶା ସରକାରଙ୍କ ସମ୍ପାଦିତ ଚୁକ୍ତି ଅନୁଯାୟୀ ଗଠିତ ମନ୍ତ୍ରୀସ୍ତରୀୟ କମିଟି ଓ ଭାଷା ସଂଗ୍ରାମ ସମିତିର ସଦସ୍ୟ ଭାବରେ ଆପଣଙ୍କ ସଦସ୍ୟତାର ଦସ୍ତାବିଜ ଆପଣଙ୍କ ସମେତ ଗଣ ଓ ଗଣମାଧ୍ୟମର ଅବଗତି ନିମନ୍ତେ ଉପସ୍ଥାପନା କରୁଛି।” ଏହି ଅବୋଧ୍ୟ ଶବ୍ଦରାଜିର କି ଜବାବ ଦେବି ? “ବିସ୍ମିତ ବିସ୍ମରଣ” ଅର୍ଥ କ’ଣ ? ଆପଣଙ୍କ ସ୍ବୀକାରୋକ୍ତି ଅନୁସାରେ ମୁଁ “ପ୍ରଚଣ୍ଡ ସ୍ମୃତିଶକ୍ତି”ର ଅଧିକାରୀ ଏବଂ ତାହା ସତ୍ୟ ∣ ବାପା ବୋଉଙ୍କ ଦୟାରୁ ବୟସ ଭାର ସତ୍ତ୍ବେ ମୋର ସ୍ମୃତିଶକ୍ତି ଠିକ ଅଛି ∣ ତେଣୁ “ବିସ୍ମିତ ବିସ୍ମରଣ” ଏଠି ଏକ ଅବୋଧ୍ୟ ବିଭାବନା ∣ ଆପଣ ବ୍ୟବହାର କରିଥିବା ଅନ୍ୟ ଦୁଇଟି ଦୃଷ୍ଟିଆକର୍ଷଣକାରୀ ଶବ୍ଦ ହେଲା – “ଅହଂକାର” ଓ “ଦମ୍ଭୋକ୍ତି” ∣ ଆତ୍ମଭିମାନ ନଥିବା ଲୋକର ଅହଂକାର ନଥାଏ ଏବଂ ମୋର ପରିଚୟ ହେଲା , ମୁଁ ଜଣେ ଆତ୍ମଭିମାନୀ ବ୍ୟକ୍ତି ∣ ମୁଁ ଖୁସି ଯେ ମୋର ଜଣେ ବନ୍ଧୁଭାବେ ଆପଣ ଏହା ଜାଣିଛନ୍ତି ∣ ଆତ୍ମଭିମାନୀ ବ୍ୟକ୍ତି ନିଜ ବୟାନରେ ଦୃଢ଼ତାସମ୍ପନ୍ନ ହେବା ସ୍ବଭାବିକ ∣ ଏହି ଦୃଢ଼ବାଦିତାକୁ ଦମ୍ଭୋକ୍ତି ବୋଲି କୁହାଯାଏ ∣ ଅଥଚ ଆପଣ ଏହାର “ପ୍ରତିବାଦ” କରିବାକୁ ଏପରି ଏକ “ପ୍ରତିବେଦନପାଇଁ” ଏତେ କଷ୍ଟ କରିଛନ୍ତି କାହିଁକି ? ଆପଣ ଲେଖିଛନ୍ତି, “ଓଡିଆ ଭାଷା ସଂଗ୍ରାମ ସମିତି ଓ ଓଡିଶା ସରକାରଙ୍କ ସମ୍ପାଦିତ ଚୁକ୍ତି ଅନୁଯାୟୀ ଗଠିତ ମନ୍ତ୍ରୀସ୍ତରୀୟ କମିଟି ଓ ଭାଷା ସଂଗ୍ରାମ ସମିତିର ସଦସ୍ୟ ଭାବରେ ଆପଣଙ୍କ (ମୋର) ସଦସ୍ୟତାର ଦସ୍ତାବିଜ ଆପଣଙ୍କ (ମୋ) ସମେତ ଗଣ ଓ ଗଣମାଧ୍ୟମର ଅବଗତି ନିମନ୍ତେ” ଆପଣ “ଉପସ୍ଥାପନା” କରିଛନ୍ତି ∣ ଏହି ଦସ୍ତାବିଜଗୁଡିକ ଭିତରେ ଆପଣ ସେହି ଦସ୍ତାବିଜଟିକୁ ଉଦ୍ଦେଶ୍ୟମୂଳକ ଭାବେ ଛାଡ଼ିଯାଇଛନ୍ତି ଯାହା ବଳରେ ମନ୍ତ୍ରୀସ୍ତରୀୟ କମିଟି ଗଢା ହୋଇଥିଲା ଓ ସେହି କମିଟି କଣ କରିବ ତାହା ଚିହ୍ନିତ ହୋଇଥିଲା ∣

ଆପଣ ଏହି ଦସ୍ତାବିଜଟିର ଅବତାରଣା ନକରିବା ସ୍ବଭାବିକ ∣ କାରଣ ଏଥିରେ ଭାଷା ସଂଗ୍ରାମ ସମିତିର ସତ୍ତା ଲୋପ କରାଯାଇଥିଲା ଓ ଯେଉଁ term of reference ଥିଲା ତାହା କେବଳ ଭାଷା ଆଇନର କାର୍ଯ୍ୟକାରିତା ଉପରେ ସୀମିତ ଥିଲା ∣ ଆପଣଙ୍କ ସହାୟତାରେ ସେ କମିଟିକୁ ପ୍ରବେଶ କରିଥିବା ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ତାଙ୍କ ଭାଷା ମାଫିଆ ଗୋଷ୍ଟି ନିଜ ଭାଷା ବେପାର ପାଇଁ ସେ କମିଟିକୁ ବ୍ୟବହାର କରିବାକୁ ଚାହୁଁଥିଲେ ; ତେଣୁ ଏଥିରେ ଭାଷା ସଂଗ୍ରାମ ସମିତିର ଅସ୍ତିତ୍ବ ବିଲୋପନ ବିରୁଦ୍ଧରେ ମୁଁ ଯେତେବେଳେ ପ୍ରତିବାଦ କଲି, ଆପଣମାନେ କେହି ମୋ ସହ ସହଯୋଗ କଲେନାହିଁ, ମୁଁ ଏକଘରିଆ ହୋଇଗଲି ∣ ମୁଁ ସେହି ପ୍ରବଞ୍ଚନାପୂର୍ଣ୍ଣ କମିଟି ପରିତ୍ୟାଗ କରିବା ପର୍ଯ୍ୟନ୍ତ ଅବସ୍ଥା ପରିବର୍ତ୍ତିତ ହୋଇନଥିଲା ∣ ସେହି ମନ୍ତ୍ରୀସ୍ତରୀୟ କମିଟିର ପ୍ରଥମ ବୈଠକରୁ ମୁଁ ତାକୁ ବର୍ଜନ କରିବା ପର୍ଯ୍ୟନ୍ତ ଯେତେଥର ତହିଁକି ନିମନ୍ତ୍ରିତ ହୋଇଥିଲି, କେବଳ ସୁଭାଷ ଚନ୍ଦ୍ର ପଟ୍ଟନାୟକ ଭାବେ, ଭାଷା ସଂଗ୍ରାମ ସମିତିର ସଭ୍ୟ ଭାବେ ନୁହେଁ, କାରଣ, ସରକାର ସେହି କମିଟିରେ ଭାଷା ସଂଗ୍ରାମ ସମିତିକୁ ସ୍ଥାନିତ କରିନଥିଲେ, ତାକୁ ତିଆରି କରିଥିବା ଏହି ବିଧିକ ସାଧନ (legal instrument) ରେ ∣ ଇତିହାସ ପ୍ରତି ଯଦି ସାମାନ୍ୟ ସମ୍ମାନ ଥାନ୍ତା, ତେବେ ଆପଣ ଏହି ସର୍ବଥା ପ୍ରାସଙ୍ଗିକ ଦସ୍ତାବିଜଟିକୁ ଲୁଚାଇ ରଖି ନଥାନ୍ତେ ∣

ମୁଁ ଏହି ଦସ୍ତାବିଜକୁ ଉପସ୍ଥାପିତ କରିଛି ; କାରଣ ଏହାରି ଉପରେ ଠିଆ ହୋଇଥିଲା ମନ୍ତ୍ରୀସ୍ତରୀୟ କମିଟି ∣ ଏବଂ, କମିଟିର ଉଦ୍ଦେଶ୍ୟ (term of reference) ଏଥିରେ ସ୍ପଷ୍ଟ କରା ହୋଇଥିଲା ∣ ଏହା ବଳରେ 1954 ଓଡିଶା ସରକାରୀ ଭାଷା ଆଇନର ଆଇନଗତ ପରିବର୍ତ୍ତନ ,  ତାକୁ ଛୁରା ମାରି ଅଚଳ କରିଦେବା ଅଭିସନ୍ଧି ରଖି 1963ରେ ତହିଁରେ ବିଜୁ ପଟ୍ଟନାୟକ ଘଟାଇଥିବା ସଂଶୋଧନର ବିଲୋପନ , ନୂଆ ସଂଶୋଧନ ମାଧ୍ୟମରେ ଓଡ଼ିଆରେ କାମ କରିବାକୁ ଅମଙ୍ଗ ହେଉଥିବା ବା ଭାଷା ଆଇନର ଖିଲାପ କରୁଥିବା ଲୋକକୁ ଦଣ୍ଡବିଧାନ ଇତ୍ୟାଦି ସମ୍ଭବ ହୋଇଥାନ୍ତା ; କାରଣ ତାହା ହିଁ ଥିଲା ସଂକଳ୍ପଟିର ଏକମାତ୍ର ଉଦ୍ଦେଶ୍ୟ (term of reference) ଏବଂ ଏହା ହୋଇଥିଲେ , ଭାଷା ମାଫିଆମାନେ ମନ୍ତ୍ରୀସ୍ତରୀୟ କମିଟିକୁ ନିଜ ବେପାର ପାଇଁ ହରଣଚାଳ (hijack) କରିପାରିନଥାନ୍ତେ କି ତାହା ଏକ ବନ୍ଧ୍ୟା ମରୀଚିକା ହୋଇ ନିଶ୍ଚିହ୍ନ ହୋଇଯାଇନଥାନ୍ତା ∣ ଏବେ ଏହି ଏକମାତ୍ର ପ୍ରାସଙ୍ଗିକ ଦସ୍ତାବିଜଟି ଅନୁଧ୍ୟାନ କରନ୍ତୁ ଓ ଅବୋଧ୍ୟ ଶବ୍ଦର ଇନ୍ଦ୍ରଜାଲ ସୃଷ୍ଟି କରିବା ଛାଡି ଓଡ଼ିଆ ଜାତିକୁ ସତକଥା କହନ୍ତୁ ∣
ଆପଣଙ୍କର
ସୁଭାଷ ଚନ୍ଦ୍ର ପଟ୍ଟନାୟକ

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.