ସୁଭାଷ ଚନ୍ଦ୍ର ପଟ୍ଟନାୟକ

ବିଶ୍ଵବିଦ୍ୟାଳୟଗୁଡ଼ିକରେ ଥରେ ଚାକିରୀ ହୋଇଗଲେ ବଦଳୀର ଆଶଙ୍କା ନଥବା ହେତୁ ଅଧ୍ୟାପନା ଓ ଅଫିସ ପରିଚାଳନା କ୍ଷେତ୍ରରେ ମନମୋଟିଆମୀ ଏତେ ବ୍ୟାପକ ଯେ, ଯେଉଁ ଉଦ୍ଦେଶ୍ୟରେ ସେଗୁଡିକର ସୃଷ୍ଟି ତାହା ବ୍ୟାହତ ହୋଇଚାଲିଛି ବୋଲି କହିବା କିଛି ଭୁଲ ହେବନାହିଁ ∣

ଏହି ମହାନ ଅନୁଷ୍ଠାନଗୁଡ଼ିକୁ ବାହ୍ୟ ହସ୍ତକ୍ଷେପରୁ ମୁକ୍ତ ରଖିବା ପାଇଁ ଜାତିର ନିଷ୍ପତ୍ତି ଶିକ୍ଷାୟତନୀୟ ବାତାବରଣକୁ କଳୁଷମୁକ୍ତ ରଖିବାର ଆବଶ୍ୟକତା ଉପରେ ଆଧାରିତ ∣ ମାତ୍ର ଏହା ଏଗୁଡ଼ିକରେ ସଂସ୍ଥିତ ଅଧ୍ୟାପକ ଓ ଅନ୍ୟ କର୍ମଚାରୀମାନଙ୍କୁ କର୍ମସ୍ଥଳୀର ସ୍ଥିରତା ଦେଇ ଏପରି ବେପରୁଆ କରିଦେଉଛି ଯେ ପୁଞ୍ଜିବାଦ ପରିସୃଷ୍ଟ ନିଜସ୍ଵ ଲାଭ ଲିପ୍ସା ଏହି ଶିକ୍ଷାଙ୍ଗନଗୁଡ଼ିକ ଦୁର୍ନୀତି , ରାଜନୈତିକ ଦୂରଭିସନ୍ଧି , ପ୍ରଶାସନିକ ଅସଙ୍ଗତି  ଏବଂ ପ୍ରିୟାପ୍ରୀତି ତୋଷଣ ଇତ୍ୟାଦି ଅପକର୍ମର କ୍ରୀଡ଼ାସ୍ଥଳୀ ପରି ଏବେ ପରିଦୃଶ୍ୟମାନ ∣ ଏପରିକି ଯୋଗ୍ୟତା ଭିତ୍ତିରେ ନୁହେଁ , ବିଶ୍ଵବିଦ୍ୟାଳୟରେ କର୍ମରତ ପିତାମାତାଙ୍କ ପରିଚୟ ଭିତ୍ତିରେ ପରୀକ୍ଷାରେ ଶିଖର ସ୍ଥାନ ହାସଲ କରିବା ହୋଇରହିନାହିଁ ବିରଳ ∣

ଉତ୍କଳ ବିଶ୍ଵବିଦ୍ୟାଳୟ ଓ ଦେବୀ ପ୍ରସନ୍ନ ପଟ୍ଟନାୟକ: ଏକ ଦୃଷ୍ଟାନ୍ତ 

ଗତବର୍ଷ ଉତ୍କଳ ବିଶ୍ଵବିଦ୍ୟାଳୟର ଓଡ଼ିଆ ବିଭାଗରେ ଅଧ୍ୟାପକ ନିଜୁକ୍ତିପାଇଁ ହୋଇଥିବା ସାକ୍ଷାତ୍କାରରେ ଯାହା ଘଟିଲା ତାହା ଉପରୋକ୍ତ ଦୃଶ୍ୟପଟକୁ ସ୍ପଷ୍ଟକରେ ∣ ଏହି ସାକ୍ଷାତ୍କାର ନେଇଥିବା ଜଣେ ଅଧ୍ୟାପକ ଅନ୍ୟ ଜଣେ ଅଧ୍ୟାପକଙ୍କ ସହ କରିଥିବା ଆଳାପ ଆଲୋଚନା  ଆମର ହସ୍ତଗତ ହୋଇଛି ∣ ଜଣେ ଯୋଗ୍ୟତମ ଛାତ୍ରଙ୍କୁ ପ୍ରଥମ ଶ୍ରେଣୀରେ ପ୍ରଥମ ହେବାରୁ ବଂଚିତ କରାଯାଇ ଜଣେ ଅଧ୍ୟାପକଙ୍କ ସନ୍ତାନକୁ କିପରି ପ୍ରଥମ ସ୍ଥାନ ଦିଆଯାଇଥିଲା ତହିଁର ଏକ ଅସତର୍କ ବର୍ଣ୍ଣନା ଏଥିରେ ଅଛି ∣ ମାତ୍ର ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ପାଇଁ  ଓଡିଶା ସରକାର ତିଆରି କରିଥିବା ସନ୍ଦର୍ଭକୁ ଚୋରିକରି ବେପରରେ ଲଗାଇଥିବା ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ତାଙ୍କ ପାଖଲୋକ ତଥା ଉପରୋକ୍ତ ଚୋରିରେ ତାଙ୍କ ସହଯୋଗୀ ଥିବା ସୁବ୍ରତ ପୃଷ୍ଟିଙ୍କୁ ଉପରୋକ୍ତ ପାଦରେ ନିଯୁକ୍ତି ଦିଆଇବାପାଇଁ କିପରି କାରସାଦି କରିଥିଲେ ତାହାର ବର୍ଣନା ବି ମିଳୁଛି ∣

ସୁବ୍ରତ ପୃଷ୍ଟିଙ୍କୁ ସାହାଯ୍ୟ କରିବାକୁ ଦେବୀ ବାବୁ ଏତେ ବ୍ୟଗ୍ର ଥିଲେ ଯେ , ସାକ୍ଷାତ୍କାର ପାଇଁ ଗଠିତ କମିଟିରେ ରହିବା ସକାଶେ କାନ୍ଧରେ ଖଣ୍ଡେ ଝୁଲାମୁଣି ପକାଇ, ଜଣେ ପ୍ରଭାବଶାଳୀ ଅଧ୍ୟାପକଙ୍କୁ ଧରି, କୁଳପତିଙ୍କୁ ପ୍ରଭାବିତ କରିବାକୁ ପ୍ରାୟ ପନ୍ଦର ଦିନ ଦୌଡ଼ି ଦୌଡ଼ି ସେ କମିଟିରେ  ପଶିଥିଲେ ଓ ସୁବ୍ରତଙ୍କ ପ୍ରତିଦ୍ବନ୍ଦୀମାନଙ୍କୁ ଭୁଲ ପ୍ରଶ୍ନ ପଚାରି ବିଭ୍ରାନ୍ତ କରିବାକୁ ଉଦ୍ୟମ କରିଥିବାବେଳେ ସୁବ୍ରତଙ୍କୁ କେବଳ ଗୋଟିଏ ମାତ୍ର ପ୍ରଶ୍ନ କରିଥିଲେ ; ଯଥା – “ଅନୁବାଦର ଅର୍ଥ କ’ଣ ?”

ଏହି ହୀନ ଷଡ଼ଯନ୍ତ୍ରରେ ଦେବୀବାବୁଙ୍କ କାରସାଦି ଅବଶ୍ୟ କାମ କଲାନାହିଁ ଓ ସୁବ୍ରତ ପୃଷ୍ଟି ଅଧ୍ୟାପକ ପାଦ ପାଇଁ ଯୋଗ୍ୟ ବିବେଚିତ ହେଲେ ନାହିଁ ∣ କିନ୍ତୁ କାରସାଦି କରି ଯେ ଦେବୀ ବାବୁ କମିଟିକୁ ଆସିଥିଲେ ତାହା ତ ସୁନିଶ୍ଚିତ ∣ ଏବଂ ଏହା ବି ସୁନିଶ୍ଚିତ ଯେ , କମିଟିକୁ ଆସିବାପାଇଁ ତାଙ୍କୁ ସାହାଯ୍ୟ କରିଥିଲେ କୁଳପତିଙ୍କୁ ମନେଇ ପାରୁଥିବା ଜଣେ ଅଧ୍ୟାପକ ଓ “ଶାସ୍ତ୍ରୀୟ ମାନ୍ୟତା” ବ୍ୟାପାରରେ ସେ ଓ ସୁବ୍ରତ ପୃଷ୍ଟିଙ୍କ ଯୋଡ଼ା ପରସ୍ପରର ଘନିଷ୍ଠ ସହଯୋଗୀ ଥିବା ଜାଣି ମଧ୍ୟ ତହିଁରେ ବାଧା ଦେଇ ନଥିବା  ବିଶ୍ଵବିଦ୍ୟାଳୟର ସମ୍ପୃକ୍ତ କର୍ମଚାରୀ  ∣

ଚାରଣଭୂମୀ 

ଦୁଃଖ ଓ କ୍ଷୋଭର କଥା , ସୁବ୍ରତ ପୃଷ୍ଟିଙ୍କୁ ଅଧ୍ୟାପକ କରାଇବାରେ ଦେବୀ ବାବୁ ବ୍ୟର୍ଥ ହେବା ପରେ ଭିନ୍ନ ଅଙ୍ଗନରେ ତାଙ୍କୁ ସାହାଯ୍ୟ କରିଛନ୍ତି ବିଶ୍ଵବିଦ୍ୟାଳୟର ସ୍ଵାୟତ୍ତତାର ଦୁରୁପଯୋଗ କରୁଥିବା କର୍ମଚାରୀମାନେ ∣ ଭାରତର ବହୁ ଅଭିଜ୍ଞ ଓ ଆଗ୍ରହୀ ଅନୁଷ୍ଠାନକୁ ରହସ୍ୟଜନକ ଭାବେ ଅବଜ୍ଞା କରାଯାଇ ଦେବୀ-ସୁବ୍ରତ ଯୋଡ଼ିଙ୍କ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ସହ ଏପରି ଏକ ପ୍ରକଳ୍ପରେ ଉତ୍କଳ ବିଶ୍ଵବିଦ୍ୟାଳୟ ସହଯୋଗୀତାର ଚୁକ୍ତି ସମ୍ପାଦନ କରିଛି ଯାହାକୁ ଦେଖାଇ ଏମାନେ କେନ୍ଦ୍ର ସରକାରଙ୍କୁ ବିଭ୍ରାନ୍ତ କରିଛନ୍ତି ଓ ଜାତୀୟ ଭାଷା ସମ୍ମିଳନୀ ଆଳରେ ଏକାଧିକ କେନ୍ଦ୍ରୀୟ ଉଦ୍ୟୋଗରୁ ବହୁ ଲକ୍ଷ ଟଙ୍କାର ସାହାଯ୍ୟ ଝଡ଼େଇଛନ୍ତି ∣ ଏହା କେବଳ ଏକ ଉଦାହରଣ ∣ ଏପରି ବହୁ ପ୍ରକଳ୍ପ ବିଶ୍ଵବିଦ୍ୟାଳୟମାନଙ୍କରେ ହୁଏ ଯାହା ସେଗୁଡ଼ିକୁ ଅର୍ଥଲୋଲୁପମାନଙ୍କ ଚରଣଭୂମୀରେ ରୂପାନ୍ତରିତ କରିଥାଏ  ∣କର୍ମରତ କର୍ମଚାରୀ ଓ/ବା ଅଧ୍ୟାପକମାନେ ଯଦି ସେଗୁଡିକର ସ୍ଵାୟତ୍ତତା ସନ୍ନିହିତ କର୍ମସ୍ଥଳୀ ଅପରିବର୍ତ୍ତନୀୟତା ଦ୍ଵାରା ସୁରକ୍ଷିତ ନଥାନ୍ତେ ଏପରି ଦୁରାଚାର ଅସମ୍ଭବ ହୁଅନ୍ତା ∣

ଆମ ବିଚାରରେ ଏହାର ନିରାକରଣ ପାଇଁ ଜଣେ କୁଳାଧିପତିଙ୍କ ଅଧୀନରେ ଥିବା ବିଶ୍ଵବିଦ୍ୟାଳୟଗୁଡ଼ିକରେ ବିଭାଗରୁ ବିଭାଗକୁ , ପଦବୀରୁ ପଦବୀକୁ ଆନ୍ତର୍ବିଶ୍ଵଦ୍ୟାଳୟ ବଦଳି ହିଁ ଏକମାତ୍ର ପନ୍ଥା ∣ ଏହି ଭାବନା ମୌଳିକତଃ  ଆଇନ ଶିକ୍ଷାର ଜଣେ ବରିଷ୍ଠ ଅଧ୍ୟାପକଙ୍କ ଠାରୁ ଉଦ୍ଗତ ∣ ସୁଧୀବର୍ଗ ଏହାକୁ ଗୁରୁତ୍ବର ସହ ଘେନା କରିବା ଆବଶ୍ୟକ ∣

 

Comments

No comments yet.

Leave a Reply

Basic HTML is allowed. Your email address will not be published.

Subscribe to this comment feed via RSS