ଭଲକରି ଚିହ୍ନିରଖ ପ୍ରଦ୍ୟୁମ୍ନ ବଦନ । ଭିତର ଅଙ୍ଗାର ଯା’ର ବାହାର ମହିମ୍ନ (୪)

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଓଡିଶା ସରକାରୀ ଭାଷା ଆଇନ ଭିତରେ ଅତି ଅବୈଧ ଭାବେ ଧାରା ୪-କ ଭରିକରାଗଲା ୧.୫.୨୦୧୮ ତାରିଖରେ ।

ସେହିଦିନ ହିଁ ଭାଷା ଆନ୍ଦୋଳନକୁ ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥା ଯୋଡି ଅତି ଚତୁରତାର ସହ ପ୍ରତ୍ୟକ୍ଷ ଛୁରୀ ମାରିଥିଲେ ।

ମୁଁ ବିଧାନସଭାରେ ଏହି ଧାରା ବିରୁଦ୍ଧରେ ଯତ୍ପରୋନାସ୍ତି ମତ ସୃଷ୍ଟି ପାଇଁ ଚେଷ୍ଟା କରୁଥିବାବେଳେ ଏମାନେ ମଧୁବାବୁଙ୍କ ପ୍ରତିମୂର୍ତ୍ତୀ ପାଖରେ ଏହି ଅବୈଧ ସଂଶୋଧନ ବିଲ୍ ପାରିତ ହେଉ ବୋଲି ଅଖଣ୍ଡ ଦୀପ ଲଗାଇଥିଲେ ।

ଏହି ବିଲ୍ ପାରିତ ହେବାରୁ ଏହାର ବିରୋଧ କରି କଳାପତାକା ଅଭିଯାନକୁ ଜୋରଦାର କରିବାକୁ ମୁଁ ମତ ଦେଲାବେଳେ ଏ ଉଭୟେ ତହିଁରେ ରାଜି ନ ହୋଇ ,ଦଣ୍ଡବିଧାନ କଥା ଏଥିରେ ଥିବା ହେତୁ ଦଣ୍ଡ ବିଧାନ ପାଇଁ ନିୟମାବଳୀ ପ୍ରଣୟନ ସକାଶେ ସରକାରଙ୍କୁ ଦୁଇ ମାସ ସମୟ ଦେବା “ସକାରାତ୍ମକ” ହେବ ବୋଲି କହିଲେ । ମୋତେ ଏମାନଙ୍କ ସହ ଅଗତ୍ୟା ରାଜି ହେବାକୁ ପଡ଼ିଲା , କାରଣ କଳାପତାକା ପାଇଁ କେବଳ ଏହି ଦୁଇ ଜଣଙ୍କ ଉପରେ ମୁଁ ନିର୍ଭରଶୀଳ ଥିଲି ।

ଭାଷା ଆନ୍ଦୋଳନର କାର୍ଯ୍ୟ ପରିଚାଳନା ପାଇଁ ଆମେ ଏକ ତିନିଜଣିଆ ଅନୌପଚାରିକ କମିଟି ଗଠନ କରିଥିଲୁ । ଆନ୍ଦୋଳନର ପ୍ରତିଷ୍ଠାତା ଭାବେ ମୁଁ ତହିଁର ଅଧ୍ୟକ୍ଷ ଥିଲି ଓ ପବିତ୍ର ଏବଂ ପ୍ରଦ୍ୟୁମ୍ନ ବାବୁ ଯଥାକ୍ରମେ ଆବାହକ ଓ ସଭାପତି ଥିଲେ । ତିନିଜଣଙ୍କ ଭିତରୁ ଦୁଇ ଜଣ ଯେହେତୁ ଜୁଲାଇ ପହିଲା ଯାଏଁ କଳାପତାକା ଅଭିଯାନ ସ୍ଥଗିତ ରଖିବାକୁ ଜିଦ୍ କଲେ , ତହିଁରେ ରାଜି ହେବା ଛଡ଼ା ମୋର ଅନ୍ୟ ଗତି ନ ଥିଲା । ଏହା ସତ୍ତ୍ବେ ମୁଁ ଏହି ସଂଶୋଧନକୁ ମୋ ନିଜ ସ୍ତରରେ ବିରୋଧ କରି ଚାଲିଲି ଓ ଧାରା ୪-କ କାହିଁକି ଓଡ଼ିଆ ଭାଷାର ଅଧିକ କ୍ଷତି ଘଟାଇବ ତାହା ଖବରକାଗଜମାନଙ୍କୁ ପଠାଇଲି ।

କେବଳ ଜଣେ ସମ୍ପାଦକ – ଶ୍ରୀ ସମ୍ପଦ ମହାପାତ୍ର – ତାଙ୍କ ସମ୍ପାଦିତ ‘ ନିତିଦିନ ‘ ରେ ୧୧.୫.୨୦୧୮ ତାରିଖରେ ତାହାକୁ ପ୍ରକାଶ କଲେ । ଏହାର ଶୀର୍ଷକ ଥିଲା ଭାଷା ଆଇନ ସଂଶୋଧନ ପୁନଶ୍ଚ ସଂଶୋଧିତ ହେବା ଦରକାର

କହିବାକୁ ଲାଜ ,କିନ୍ତୁ ଏହା ହିଁ ସତ୍ୟ ଯେ, ଓଡ଼ିଶାର ଗଣମାଧ୍ୟମଗୁଡ଼ିକର ମାଲିକମାନେ ଏବେ ସରକାରଙ୍କ କ୍ରୀତଦାସ ପାଲଟିଯାଇଛନ୍ତି ଓ କଳାପତାକା ଅଭିଯାନକୁ blackout (ସମ୍ପୁର୍ଣ୍ଣ ଅପ୍ରକାଶିତ ରଖିବା) ସେମାନଙ୍କ ଧର୍ମ ହୋଇ ଉଠିଛି ।

ଏହି ଦୁଷଣୀୟ ଧର୍ମକୁ ନ ମାନି ବିଚକ୍ଷଣ ସମ୍ପାଦକ ସମ୍ପଦ ମହାପାତ୍ର ଧାରା ୪-କ ବିରୁଦ୍ଧରେ ଲିଖିତ ମୋ ଲେଖାଟିକୁ ନିତିଦିନରେ ପ୍ରକାଶ ତ କରିଦେଲେ ,ମାତ୍ର ପରିସ୍ଥିତି ଏପରି ହେଲା ଯେ, ତାଙ୍କୁ ଅଚିରେ ଇସ୍ତଫା ଦେବାକୁ ହେଲା । ମୁଁ ଏହି ଐତିହାସିକ ଲେଖାଟିକୁ ମୋ ଫେସ ବୁକ ପୃଷ୍ଠାରେ ରଖିବା ସଂଗେ ସଂଗେ bhashaandolan.com ରେ ସମ୍ପ୍ରସାରିତ କରି ଆନ୍ଦୋଳନ ସହ ଜଡିତ ସମସ୍ତଙ୍କ ଦୃଷ୍ଟିକୁ ଆଣିବାକୁ ଚେଷ୍ଟା କରିଥିଲି ।

ଧାରା ୪-କ ଯୋଡ଼ା ହେଲା ପରେ ପ୍ରଦ୍ୟୁମ୍ନ ଶତପଥୀ ଓ ତାଙ୍କ ଯୋଡ଼ିଦାର ପବିତ୍ର ସେଇ ଯେ ମଇ ପହିଲାରୁ କଳାପତାକା ଅଭିଯାନକୁ ଅଟକାଇ ଦେଇଥିଲେ ତା ସହ ସେମାନେ ଆଉ କେବେ ବି ସାମିଲ ହେଲେନାହିଁ । ଦୁଇ ମାସ ପରେ ଜୁଲାଇ ୨ ତାରିଖରୁ କଳାପତାକା ଅଭିଯାନ ପୁନଶ୍ଚ ଚାଲିବ ପାଇଁ ଆମେ ଯେତେବେଳେ ପହିଲା ତାରିଖରେ ଏକାଠି ହେଲୁ, ପ୍ରଦ୍ୟୁମ୍ନ ବାବୁ ମୋ ହାତଧରି ଆଉ ଏକ ସପ୍ତାହ ଘୁଞ୍ଚାଇଦେବାକୁ ନେହୁରା ହେଲେ ଏବଂ ତତ୍କାଳ ପବିତ୍ରଙ୍କୁ ଠାରୁ ପ୍ରସ୍ତାବ ଆସିଲା କି, ରଥଯାତ୍ରାକୁ ଆଖିଆଗରେ ରଖି ଦୁଇ ସପ୍ତାହ ପାଇଁ ଘୁଞ୍ଚାଇ ଦିଆଯାଉ । ଏମାନଙ୍କ ଉପରେ ମୁଁ ନିର୍ଭରଶୀଳ ଥିବା ହେତୁ ଅଗତ୍ୟା ରାଜିହେଲି ଓ ଜୁଲାଇ ୧୬ଦିନ କଳାପତାକା ଅଭିଯାନର ପୁନରାରମ୍ଭ ହେବା ଧାର୍ଯ୍ୟ ହେଲା । ଏବଂ ଏହି ଦିନ କଳାପତାକା ଆରମ୍ଭ ସ୍ଥଳକୁ ଏମାନେ ନ ଆସି , ଅତି ଚଞ୍ଚକତାପୁର୍ଣ ଭାବେ ପ୍ରେସକୁ ଜଣାଇଲେ କି , ଭାଷା ଆନ୍ଦୋଳନର ନିଷ୍ପତ୍ତିକ୍ରମେ ସେହି ଦିନ ଠାରୁ କଳାପତାକା ଅଭିଯାନ ବିଧାନ ସଭାର ଆଗାମୀ ଅଧିବେଶନ ଅବଧି ସ୍ଥଗିତ ରହିଲା ।

ଓଡ଼ିଆ ଭାଷା ପ୍ରତି ଏପରି ବିଶ୍ଵାସଘାତକତା କେହି ବି କେବେ କରିନାହିଁ । ଧୀରେ ଧୀରେ ସବୁକଥା ଆଲୋଚିତ ହେବ ।

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.