ଭଲକରି ଚିହ୍ନିରଖ ପ୍ରଦ୍ୟୁମ୍ନ ବଦନ । ଭିତର ଅଙ୍ଗାର ଯା’ର ବାହାର ମହିମ୍ନ (୩)

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଇଂରାଜୀ ଭାଷାଧିପତ୍ୟ କବଳରେ ଆମ ଭାଷାଗାରିମା ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ବେଳେ ଆମ ଶୋଇପଡ଼ିଥିବା ଜାତିକୁ ନିଦରୁ ଉଠାଇବା ପାଇଁ ମୁଁ ମୋର ପୂର୍ବ ପରୀକ୍ଷିତ ନିରବ କଳାପତାକା ପଦ୍ଧତି ପ୍ରୟୋଗ କରି ଏକ ନୂଆ ଆନ୍ଦୋଳନର ଯୋଯନା ପ୍ରସ୍ତୁତ କରିଥିଲି ଓ ବିଧାନସଭା ସମ୍ମୁଖସ୍ଥ ଅବିସ୍ମରଣୀୟ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ଆଗରୁ ପ୍ରତିଦିନ କଳାପତାକା ସହ ବାହାରି ରାଜଭବନ ସମ୍ମୁଖରେ ଥିବା କୁଳଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଯାଇ ସରକାର ତଥା ଇଂରାଜୀମନସ୍କ ରାଜଧାନୀବାସୀଙ୍କୁ ନିୟମିତ ଝଟକା ଦେବି ବୋଲି ଠିକ୍ କଲି ।

ସେତେବେଳେ ମୋର ଏକାନ୍ତ ଅନୁଗତ ଥିବା ପବିତ୍ର ମହାରଥା ମୋ ସହ ରହିବାକୁ ତତ୍କାଳ ରାଜି ହୋଇଗଲେ ଓ ପ୍ରଦ୍ଯୁମ୍ନ ଶତପଥୀଙ୍କୁ ହଳେଇଲେ ।

ଏକାଧିକ ବାର ଆଲୋଚନାରେ ମୁଁ ତାଙ୍କୁ ବୁଝାଇଲି କି, ମୋ ପଦ୍ଧତି ଓ ସ୍ଥାନ ନିରୁପଣ ସମ୍ପୂର୍ଣ୍ଣ ଆଇନାନୁବର୍ତ୍ତୀ ଓ ନିରାପଦ ।

ତା ପରେ ସେ ରାଜି ହେଲେ ଓ କଳାପତାକା ଧରିବାକୁ ପ୍ରତିଦିନ ଚାରିଜଣ ସାଥୀ ଯୋଗାଡ଼ କରିଦେବେ ବୋଲି ଦୃଢ଼ତା ପ୍ରକାଶ କଲେ , ଯାହା ସେ କରିଚାଲିଲେ ମଧ୍ୟ । ଫଳରେ ସରକାରଙ୍କ ସହ ବୌଦ୍ଧିକ ଲଢ଼େଇ ମୋ ପାଇଁ ସହଜ ହୋଇଥିଲା ଓ ଆମେ ସଫଳତା ଦିଗକୁ ଚାଲିଥିଲୁ ।

ଅସୁବିଧା ଆରମ୍ଭ ହେଲା ଯେଉଁ ଦିନ ପବିତ୍ର ମହାରଥା ଭାଷା ଆନ୍ଦୋଳନର ପାଣ୍ଠି ତୋଷରପାତ କରିଥିବା ମୁଁ ଜାଣିଲି ଓ ତାଙ୍କୁ ହିସାବ ମାଗିଲି । ତେଲି ଓ ତେଲ ଏକ୍ ହେଲା ପରି ଏ ଦୁହେଁ ଏକ୍ ହୋଇଗଲେ ଓ ପ୍ରଦ୍ୟୁମ୍ନ ଶତପଥୀଙ୍କ ସମ୍ପର୍କୀୟ ଜଣେ ଓକିଲଙ୍କ ମାଧ୍ୟମରେ ପ୍ରସ୍ତାବ ଦେଲେ କି ପବିତ୍ରଙ୍କ ଅପରାଧ ଉପରେ ଘାଣ୍ଟଚକଟ ନ ହେଉ । ପବିତ୍ର ହିସାବ ଦେବା ପରେ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଚିନ୍ତା କରାଯାଇପାରେ ବୋଲି ମୁଁ କହିଥିଲି । ଓକିଲ ମହାଶୟ ତହିଁ ପରଦିନ ସକାଳେ ମୋ ପାଖକୁ ଆସି ଏ ସମ୍ପର୍କରେ ଅଧିକ ଆଲୋଚନା କରିବେ ବୋଲି ମୋତେ କହିଥିଲେ । ଆସିଲେ ନାହିଁ; କିନ୍ତୁ ଭାଷା ଆନ୍ଦୋଳନରେ ଏପରି ସଙ୍କଟ ସୃଷ୍ଟି କରାଗଲା, ଯେପରି ତାର ପାଣ୍ଠି ତୋଷରପାତ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ମୋର ଅଧିକାର କ୍ଷୁର୍ଣ୍ଣ ହୁଏ ।

ଭାଷା ଆନ୍ଦୋଳନର ଲକ୍ଷ୍ୟ ନଷ୍ଟ କରିବାକୁ ଏ ଦୁହେଁ ସରକାରଙ୍କ ସହ ଗୋପନ ବୁଝାମଣା କରିବା ବି ଏହି ଆର୍ଥିକ ଦୁରାଚାରରୁ ସମ୍ଭୂତ । ସେଥିପାଇଁ ଆହୂତ ହୋଇ ମଧ୍ୟ ଏମାନେ କହିପାରୁନାହାନ୍ତି କେଉଁ କାରଣ ହେତୁ ଏମାନେ ଆମ ଭାଷା ଆଇନରେ ଯୋଗ ହୋଇଥିବା ତହିଁର ହାନିକାରକ 4-କ ଧାରାକୁ ସ୍ଵାଗତ ଜଣାଇଛନ୍ତି ।

ଓଡ଼ିଆ ଭାଷା ପ୍ରତି ଏପରି ଜଘନ୍ୟ ବିଶ୍ଵାସଘାତକତା ଏହା ପୂର୍ବରୁ କେହି ବି କେବେ କରିନଥିଲେ ।

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.