ଭଲକରି ଚିହ୍ନିରଖ ପ୍ରଦ୍ୟୁମ୍ନ ବଦନ । ଭିତର ଅଙ୍ଗାର ଯା’ର ବାହାର ମହିମ୍ନ (୧)

ଭଲକରି ଚିହ୍ନିରଖ
ପ୍ରଦ୍ୟୁମ୍ନ ବଦନ ;
ମହାକାଳଫଳସମ
ଭିତର ଅଙ୍ଗାର ଯା’ର
ବାହାର ମହିମ୍ନ !

ଭାଷା ଆନ୍ଦୋଳନରେ ଏକଦା ମୋର ଘନିଷ୍ଠ ସହକର୍ମୀ ଥିବା ପ୍ରଦ୍ୟୁମ୍ନ ଶତପଥୀଙ୍କ ଉପରେ କ୍ରମାଗତ ଚର୍ଚ୍ଚାର ଆବଶ୍ୟକତା ଅଛି ।

ଭାଷା ଆନ୍ଦୋଳନ ମୁଁ ପ୍ରତିଷ୍ଠା କରିଥିଲି । ପ୍ରଦ୍ୟୁମ୍ନ ଶତପଥୀ ତାକୁ ସମର୍ଥନ କରିଥିଲେ ଓ କଳାପତାକା ଧରିବାକୁ ପ୍ରତିଦିନ ଚାରିଜଣ ସାଥୀ ଯୋଗାଇବାକୁ କହିଥିଲେ । ସେ ଗୋଟେ ପଦବୀ ଚାହିଁଲେ, ମୁଁ କହିଲି , “ହେଉ, ସଭାପତି ହୁଅ ।” ଏହି ବ୍ୟକ୍ତି ଏହି ପଦବୀର ଅତି ନିନ୍ଦନୀୟ ଦୁରୁପଯୋଗ କରିଛନ୍ତି ଓ ଓଡ଼ିଆଵିଦ୍ଵେଷୀ ସରକାରର ଅର୍ଥମନ୍ତ୍ରୀଙ୍କ ବୋଲ ମାନି ଭାଷା ଆନ୍ଦୋଳନର ଗାରିମାହାନୀ କରିଛନ୍ତି ଏବଂ ଯେଉଁ ଭାଷା ଆଇନର ନିର୍ଭୁଲ କାର୍ଯ୍ୟକାରୀତା ପାଇଁ ଏ ଆନ୍ଦୋଳନ, ସେହି ଆଇନଟିକୁ ବାସ୍ତବରେ ମାରିଦେବା ପାଇଁ ଏହି ବ୍ୟକ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାହାଯ୍ୟ କରିଛନ୍ତି ।

ଭାଷା ଆନ୍ଦୋଳନର ସ୍ମରଣିକା ବହି ମାଧ୍ୟମରେ ଆନ୍ଦୋଳନର ସମ୍ପ୍ରସାରଣ ପାଇଁ ପାଣ୍ଠି ସଂଗ୍ରହ କରିବା ଉଦ୍ଦେଶ୍ୟରେ ଯେଉଁ ସମସ୍ତ ବିଜ୍ଞାପନ ସଂଗୃହିତ ହୋଇଥିଲା ତାର ସମଗ୍ର ଆୟକୁ ଜାଲିଆତି କରି ପବିତ୍ର ମହାରଥା ଖାଇଗଲା ପରେ ମୁଁ ଯେତେବେଳେ ତାହା ଅବଗତ ହୋଇ ପଵିତ୍ରଙ୍କଠାରୁ ହିସାବ ମାଗିଲି, ଏହି ବ୍ୟକ୍ତି ପତ୍ରଲେଖି ମୋତେ ଅନୁରୋଧ କରିଥିଲେ ଯେ, ଏହି ହିସାବ ଦେବାକୁ ତାକୁ ଆଉ କିଛିଦିନ ସମୟ ଦିଆଯାଉ ଏବଂ ସେଇ ସମୟରେ ଏହି ଉଭୟେ ମିଶି ସରକାରଙ୍କ ସହ ହାତ ମିଳାଇଲେ ଓ ଏହି ଆନ୍ଦୋଳନରେ ଏପରି ସଙ୍କଟ ଭିଆଇଲେ ଯେ, ସେହି ଅପହୃତ ପାଣ୍ଠିର ହିସାବ ତନଖିବାର ବାତାବରଣ ନଷ୍ଟ ହୋଇଗଲା ।

ଏହି ନିନ୍ଦନୀୟ ଆର୍ଥିକ ଅପରାଧକୁ ଫାଙ୍କି ମାରିବା ପାଇଁ ଏହି ବ୍ୟକ୍ତି କହିବୁଲୁଛନ୍ତି ଯେ, ଏପରି କୌଣସି ବହି କେବେ ବି ଛାପା ହୋଇନାହିଁ ।

ଏହି ଧାର୍ତ୍ତବ୍ୟ ଅପରାଧର ପ୍ରମାଣ ଲୁଚାଇବା ପାଇଁ ଯେଉଁ ବହିଟି ଛାପା ହୋଇନଥିଲା ବୋଲି ପ୍ରଦ୍ୟୁମ୍ନ ଶତପଥୀ କହିଛନ୍ତି ସେହି ବହିରେ ସେ ମୋ ସମ୍ପର୍କରେ ଓ ଭାଷା ଆନ୍ଦୋଳନର ଭିତ୍ତି ଉପରେ ଯାହା କହିଛନ୍ତି ତାହା ଦେଖାଯାଉ ।

ପାରିବେ ଯଦି ପ୍ରଦ୍ୟୁମ୍ନ ଶତପଥୀ ଏହାକୁ ଖଣ୍ଡନ କରନ୍ତୁ ଓ ଆଲୋଚନା ଆଗକୁ ବଢ଼ୁ ; କାରଣ ଓଡ଼ିଆ ଜାତି ସବୁକଥା ଜାଣିବା ଆବଶ୍ୟକ ।
ସୁଭାଷ ଚନ୍ଦ୍ର ପଟ୍ଟନାୟକ

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.