ଭାଷା ଆଇନରୁ ଧାରା ୪କ ଲୋପ ହେଉ ଓ ଭାଷା ଆନ୍ଦୋଳନ ପ୍ରତିଷ୍ଠାତା ଦେଇଥିବା ନିୟମାବଳୀ ବିଧିଭୁକ୍ତ ହେଉ

ନିଊଜ ସିଣ୍ଡିକେଟ

ଭାଷା ଆଂଦୋଳନର ସଭାପତିମଣ୍ଡଳୀ ଦ୍ଵାରା ଆହୁତ ରାଜ୍ୟ ପ୍ରଥମ ମାତୃଭାଷାପ୍ରେମୀ ସମ୍ମିଳନୀ ଜୁଲାଇ ୧୭ରେ ଭୁବନେଶ୍ବରର ଲୋହିଆ ଏକାଡ଼େମୀ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଓଡ଼ିଶାର ସରକାରୀ ଭାଷା ଆଇନ, ୧୯୫୪ ଦ୍ଵାରା ଓଡ଼ିଶାର ପରିଚାଳନା ପାଇଁ ୪ ଗୋଟି ଗୁରୁତ୍ବପୂର୍ଣ ପ୍ରସ୍ତାବ ଗ୍ରହଣ କରାଯାଇଛି । ଭାଷା ଆନ୍ଦୋଳନ ପକ୍ଷରୁ ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତି ନିମ୍ନରେ ସ୍ଥାନିତ ହେଲା ।

ମାତୃଭାଷାପ୍ରେମୀ ସମ୍ମିଳନୀ , ଭାଷା ଆନ୍ଦୋଳନ, ଓଡ଼ିଶା
ଲୋହିଆ ଏକାଡେମୀ, ଭୁବନେଶ୍ବର , ୧୭.୭.୨୦୧୯
ଭାଷା ଆଂଦୋଳନର ସଭାପତିମଣ୍ଡଳୀର ସଭ୍ୟ ବିଶିଷ୍ଟ ବୈଜ୍ଞାନିକ ଡଃ ଅଶୋକ ମିଶ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ପ୍ରଥମ ମାତୃଭାଷା ପ୍ରେମୀ ସମ୍ମିଳନୀ ଏହି ଆଂଦୋଳନର ପ୍ରତିଷ୍ଠାତା ସାଥୀ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ପ୍ରଦତ୍ତ ଭିତ୍ତିପତ୍ର ଉପରେ ସବିଶେଷ ଆଲୋଚନା କରି ଏହି ସିଦ୍ଧାନ୍ତରେ ଉପନୀତ ହୋଇଛି କି,, ରାଜ୍ୟ ସରକାର ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ଅଧିନିୟ,ମ 2018 ସହାୟତାରେ ଓଡ଼ିଶା ସରକାରୀ ଭାଷା ଆଇନରେ ଖଞ୍ଜିଥିବା ଧାରା 4କ ଭାଷା ଆଇନର ତଥା ଓଡିଶା ପ୍ରଦେଶ ସୃଷ୍ଟିର ଉଦ୍ଦେଶ୍ୟ ପଣ୍ଡ କରିବାକୁ ଉଦ୍ଦିଷ୍ଟ। ଏତଦ୍ଦ୍ବାରା ଭାଷା ଆଇନରେ ବଳବତ୍ତର ଥିବା ଧାରା ୧ର ଉପଧାରା (୨) ଓ ଧାରା ୨ର ଉପଧାରା (୧)କୁ ଦୁର୍ବଳ କରିବାର ଅପଚେଷ୍ଟା ହୋଇଛି ଓ ମୂଳ ଭାଷା ଆଇନର ସୀମା ସଂକୋଚନ କରାଯାଇ ଆଇନଟିର କାର୍ଯ୍ୟକାରୀତାକୁ ଅମଲାତନ୍ତ୍ରର ମର୍ଜି ଉପରେ ଛାଡିଦିଆଯାଇଛି । ଅପରପକ୍ଷେ ସମ୍ପୂର୍ଣ ଅନଧିକୃତ ଭାବେ ଖଞ୍ଜା ହୋଇଥିବା ଧାରା ୪ ପ୍ରୟୋଗ କରି ଭାଷା ବିଧାନକୁ ନିଷ୍ଫଳ କରାଇବାର ଅପଚେଷ୍ଟା ହୋଇଛି ଓ ମନ୍ତ୍ରୀସ୍ତରୀୟ କମିଟି ଅନୁମୋଦନ କରିଥିବା ଶ୍ରୀ ପଟ୍ଟନାୟକଙ୍କ ପ୍ରଦତ୍ତ ନିୟମାବଳୀକୁ ଅନ୍ତର୍ହିତ କରାଯାଇ ଓଡ଼ିଆ ଜାତିର ଭାଷା ଅଧିକାରକୁ କ୍ଷୁର୍ଣ କରାଯାଇଛି । ତେଣୁ ଏହି ସମ୍ମିଳନୀ ପ୍ରସ୍ତାବ କରୁଛି କି,
୧। ଓଡ଼ିଶା ସରକାରୀ ଭାଷା ଆଇନରେ ଅନଧିକୃତ ଭାବେ ଖଞ୍ଜା ଯାଇଥିବା ଧାରା ୪ କୁ ରଦ୍ଦ କରାଯାଉ ;
୨। ରାଜ୍ୟ ମନ୍ତ୍ରୀମଣ୍ଡଳର ୧୪.୩.୨୦୧୮ ତାରିଖର ନିଷ୍ପତ୍ତିକୁ ଲୁଚାଇ ରଖି ୨୬.୧୨.୨୦୧୭ ତାରିଖର ଅତିକ୍ରାନ୍ତ ପ୍ରସ୍ତାବ ସହ ଯୋଡ଼ାଯାଇ ଯେଉଁ ୪କ ଧାରା ତିଆରି କରାଯାଇଛି ତଦ୍ଦ୍ଵାରା ମୂଳ ଭାଷା ଆଇନର ସୀମା ସଂକୋଚନ ହୋଇଥିବା ହେତୁ ଓ ତାହା ଓଡ଼ିଶା ପ୍ରଦେଶ ସୃଷ୍ଟିର ଉଦ୍ଦେଶ୍ୟ ପଣ୍ଡ କରିବା ପାଇଁ ଉଦ୍ଦିଷ୍ଟ ଥିବା ହେତୁ ତାହାକୁ ବିଲୋପ କରାଯାଇ ମୂଳ ଭାଷା ଆଇନର ଧାରା ୧ର ଉପଧାରା (୨) ଓ ଧାରା ୨ର ଉପଧାରା (୧)କୁ ଶକ୍ତିଶାଳୀ ଓ ଅଲଙ୍ଘ୍ୟା କରିବା ପାଇଁ ନୂତନ ଧାରା ପ୍ରଣୀତ ହେଉ;
୩। ଓଡ଼ିଶା ସରକାରୀ ଭାଷା ଆଇନର ନିଖୁଣ କାର୍ଯ୍ୟକାରୀତା ପାଇଁ ଭାଷା ଆଂଦୋଳନର ପ୍ରତିଷ୍ଠାତା ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକ ମନ୍ତ୍ରୀସ୍ତରୀୟ କମିଟିରେ ଦେଇଥିବା ନିୟମାବଳୀକୁ ବିଧିକ ରୂପ ଦିଆଯାଉ ଓ ତଦନୁଯାୟୀ, ଓଡ଼ିଆ ଭାଷାରେ ସେବା ନ ଦେବା କର୍ମଚାରୀ ଓ କର୍ତ୍ତୃପକ୍ଷଙ୍କୁ ଦଣ୍ଡବିଧାନ ପାଇଁ ଆପତ୍ତି ଉଠାଇବାର ଓ ମକଦ୍ଦମା କରିବାର ଅଧିକାର ଓଡ଼ିଆ ଜାତିର ପ୍ରତ୍ୟେକ ସଦସ୍ୟଙ୍କୁ ପ୍ରଦତ୍ତ ହେଉ;
୪। ଓଡ଼ିଶା ସରକାରୀ ଭାଷା ଆଇନର କାର୍ଯ୍ୟକାରୀତା ତନଖିବା ଓ ନିଜର ଅଭିମତ ଓ/ବା ଆପତ୍ତି ଅଭିଯୋଗ ରଖିବା ପାଇଁ ଏକ ମଞ୍ଚ ଭାବେ ଯେଉଁ ସ୍ଵତନ୍ତ୍ର ୱେବ୍ ସାଇଟ୍ ନିର୍ମିତ ହୋଇଥିଲା ତାହାକୁ ନିଷିଦ୍ଧ ରଖାନଯାଇ ସାର୍ବଜନୀନ କରାଯାଉ ।

ସ୍ଵା। କମଳ ଲୋଚନ ନାୟକ
ପ୍ରସ୍ତାବକ
ସ୍ଵା। ଗିରିଜାକାନ୍ତ ମିଶ୍ର
ସ୍ଵା। ଅଶୋକ ପରିଡ଼ା
ସମର୍ଥକ

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.