ନିଉଜ ସିଣ୍ଡିକେଟ

ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ବିଭିନ୍ନ ପ୍ରାମାଣିକ ତଥ୍ୟ ଦେଇ ଓଡ଼ିଆ ଭାଷାଦ୍ରୋହୀ ବିଜେଡି ସରକାର ଓ ଭାଷା ଆନ୍ଦୋଳନକୁ ଛୁରି ମରିଥିବା ତାଙ୍କ ପୋଷାମନା ଦଲାଲମାନଙ୍କ ମୁଖା ଖୋଲିଦେଇଛନ୍ତି ଭୁବନେଶ୍ଵରରେ ଅନୁଷ୍ଠିତ ପ୍ରଥମ ମାତୃଭାଷାପ୍ରେମୀ ସମ୍ମିଳନୀରେ ଜୁଲାଇ ୧୭ ତାରିଖରେ ସେ ରଖିଥିବା ଭିତ୍ତି-ଭାଷଣରେ ।

ଭାଷା ଆନ୍ଦୋଳନର ସଭାପତିମଣ୍ଡଳୀ ଦ୍ଵାରା ଆହୁତ ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ ବିଶିଷ୍ଟ ବୈଜ୍ଞାନିକ ଡ॰ ଅଶୋକ ମିଶ୍ର । ପରିବେଶସୁରକ୍ଷା ଓ ମାନବାଧିକାର କ୍ଷେତ୍ରରେ ପୃଥିବୀର ଅନ୍ୟତମ ନିରୋଳା ଚିନ୍ତାନୟକ ଓ ଅଭିଯାତ୍ରୀ ପ୍ରଫୁଲ୍ଲ ସମନ୍ତରା ମୁଖ୍ୟଅତିଥି ଓ ପ୍ରଫେସର କମଳାପ୍ରସାଦ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ଏହି ଐତିହାସିକ ଗୁରୁତ୍ବସମ୍ପନ୍ନ ସମ୍ମିଳନୀକୁ ପରିଚାଳିତ କରିଥିଲେ ସୁବିଖ୍ୟାତ ବାଗ୍ମୀ ଓ ଲେଖକ, ଅଧ୍ୟାପକ ବିଶ୍ବରଞ୍ଜନ ।

ଓଡ଼ିଶା ସରକାରୀ ଭାଷା ଆଇନ,୧୯୫୪ର କାର୍ଯ୍ୟକାରୀତା ପାଇଁ ୨୦୧୫ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିର ସଦସ୍ୟ ଭାବେ ଶ୍ରୀ ପଟ୍ଟନାୟକ ଦୁଇଟି ନିର୍ଦ୍ଦିଷ୍ଟ ପ୍ରସ୍ତାବ ରଖିଥିଲେ । ଆଇନଟିର ଉଲ୍ଲଂଘନକାରୀକୁ ଦଣ୍ଡବିଧାନ ବ୍ୟବସ୍ଥା ନଥିବାରୁ ଇଂରାଜିମନସ୍କ କର୍ମଚାରୀମାନେ ଓଡ଼ିଆରେ କାମ କରୁନାହାନ୍ତି ଓ ଏହି ବ୍ୟବସ୍ଥା ନ ହେଲା ଯାଏଁ ଏହି ସମସ୍ୟାର ଅନ୍ତ ଘଟିବ ନାହିଁ ବୋଲି ନିରୂପଣ କରି ସେ ଏହି ବ୍ୟବସ୍ଥା ସହ ଆଇନଟିର ସମ୍ପୂର୍ଣ କାର୍ଯ୍ୟକାରୀତା ପାଇଁ ୧୧ଟି ନିୟମ ସମ୍ବଳିତ ଏକ ନିଯମାବଳୀ ଦେଇଥିଲେ ଓ ମୂଳ ଆଇନରେ ନିଯମାବଳୀ ପ୍ରଣୟନର କ୍ଷମତା ସରକାରଙ୍କକୁ ପ୍ରଦତ୍ତ ହୋଇନଥିବାରୁ ଆଇନ ସଂଶୋଧନ ଦ୍ଵାରା ଏହି ତ୍ରୁଟି ସୁଧାରିବାକୁ ତହିଁର ଚିଠା ମଧ୍ୟ ଦେଇଥିଲେ । ଏହି ପରାମର୍ଶ ଅନୁସାରେ ୨୦୧୬ରେ ଆଇନ ସଂଶୋଧନ କରି ନିଯମାବଳୀ ପ୍ରଣୟନର କ୍ଷମତା ସରକାର ପ୍ରାପ୍ତ ହୋଇଛନ୍ତି । କିନ୍ତୁ ନିଯମାବଳୀ ପ୍ରଣଯନ କ୍ଷେତ୍ରରେ ସୁଭାଷବାବୁଙ୍କ ପ୍ରଦତ୍ତ ପରାମର୍ଶ ଓ ଚିଠା ସରକାରଙ୍କୁ ଅଡୁଆରେ ପକାଇଛି । ଭାଷା ପାଇଁ ଗଠିତ ସ୍ଵତନ୍ତ୍ର ୱେବ ସାଇଟରେ ସ୍ଥାନିତ ହୋଇଥିବା ଶ୍ରୀ ପଟ୍ଟନାୟକଙ୍କ ପ୍ରସ୍ତାବିତ ବିଧାନକୁ ସରକାର ଲୁଚେଇ ଦେବା ମତଲବରେ ୱେବ ସାଇଟଟିକୁ ସର୍ବସାଧାରଣଙ୍କ ପାଇଁ ନିଷିଦ୍ଧ କରିଥିବା ବେଳେ ଶ୍ରୀ ପଟ୍ଟନାୟକଙ୍କ ଦୁଇଜଣ ମୂଳ ସହଯୋଗୀ ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥାଙ୍କୁ ସେମାନଙ୍କ ଆର୍ଥିକ ଅସାଧୁତାର ଉପଯୋଗ କରି ପୋଷାମନେଇଛନ୍ତି ଓ ୨୦୧୮ରେ ଆଇନଟିର ଅନାବଶ୍ୟକ ସଂଶୋଧନ କରି ସୁଭାଷବାବୁ ଦେଇଥିବା ବିଧାନକୁ ବିଧିଭୁକ୍ତ ନକରିବା ପାଇଁ ପଦକ୍ଷେପ ନେଇଛନ୍ତି । ଉପରୋକ୍ତ ଦୁଇ ସରକାରୀ ପୋଷାମନା ଖଳନାୟକ ଆଇନଟି ଠିକ ଭାବେ ସଂଶୋଧନ ହୋଇସାରିଛି ବୋଲି ଲୋକଙ୍କୁ ମିଛ କହି ଓଡ଼ିଆଦ୍ରୋହୀ ସରକାରଙ୍କୁ ଘଣ୍ଟାଘୋଡାଉଛନ୍ତି ଓ ସେମାନେ ସୁଭାଷବାବୁଙ୍କ ଘନିଷ୍ଠ ସହକର୍ମୀ ଭାବେ ସାଧାରଣରେ ପରିଚିତ ହୋଇଥିବା ହେତୁ ଲୋକେ ବିଭ୍ରାନ୍ତିରେ ପଡ଼ୁଛନ୍ତି । ତେଣୁ ଲୋକଙ୍କ ସମ୍ମୁଖରେ ସମସ୍ତ ତଥ୍ୟ ରଖିବା ପାଇଁ ଓ ଏପରି ବିଷମ ସ୍ଥିତିରେ କର୍ତ୍ତବ୍ୟ ନିରୂପଣ ପାଇଁ ଏ ପର୍ଯ୍ୟନ୍ତ କଳାପତାକା ଅଭିଯାନରେ ଅଂଶ ଗ୍ରହଣ କରିଥିବା ମାତୃଭାଷାପ୍ରେମୀଙ୍କୁ ସାମାଜିକ ଗଣମାଧ୍ୟମରେ ଖୋଲା ନିମନ୍ତ୍ରଣ ଦେଇ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ତହିଁରେ ଶ୍ରୀ ପଟ୍ଟନାୟକ ରଖିଥିବା ଭିତ୍ତି-ଭାଷଣ ଓଡ଼ିଆ ଭାଷା ଇତିହାସର ସଠିକ ଅବଲୋକନ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ ହୋଇଥିବା ହେତୁ ତାହା ତଳେ ଅବିକଳ ପ୍ରଦତ୍ତ ହେଲା ।

ଅଧୁନାତନକରଣ

ଶ୍ରୀ ପଟ୍ଟନାୟକଙ୍କ ଭାଷଣଟି ଦୀର୍ଘ ହୋଇଥିବା ହେତୁ ତାହାକୁ ଅଗଷ୍ଟ ୧୧ରେ ଅଧୁନାତନକରଣ କରାଯାଇ ଦୁଇ ଭାଗରେ ବିଭକ୍ତ କରାଯାଇଛି ଓ ୟୁ ଟ୍ୟୁବରେ ପ୍ରକାଶିତ କରି ଏଠାରେ ତାହାକୁ ପୁନଃ ସଂସ୍ଥିତ କରାଯାଇଛି ।

Comments

No comments yet.

Leave a Reply

Basic HTML is allowed. Your email address will not be published.

Subscribe to this comment feed via RSS