ଭାଷା ଆନ୍ଦୋଳନ ପ୍ରତି ‘ସମ୍ପର୍କ ମିଡ଼ିଆ’ର ସୁଦୃଢ଼ ସମର୍ଥନ : ଅଧ୍ୟକ୍ଷଙ୍କୁ “କୁଳ ତିଳକ” ଉପାଧି

 

 

 

‘ସମ୍ପର୍କ ମିଡ଼ିଆ’ ପକ୍ଷରୁ ଜୟ ଦେବ ଭବନ (ସୂଚନା ଭବନ) ସମ୍ମିଳନୀ କକ୍ଷରେ ଗତ ରବିବାର ଭାଷା ଆନ୍ଦୋଳନ, ଓଡ଼ିଶାର ଅଧ୍ୟକ୍ଷ ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କୁ “କୁଳ ତିଳକ” ଉପାଧିରେ ଭୂଷିତ କରାଯାଇଛି ∣

ଏହି ଉପାଧିର ମାନପତ୍ରରେ ଲେଖା ଅଛି :

ମହାଶୟ, ଆପଣ ସାମ୍ବାଦିକତାକୁ ଜୀବନର ବ୍ରତ କରି, କଲମ ମୁନରେ ବିଂଦୁଏ ସତ୍ୟର ଠିକଣା ଅଙ୍କିବାରେ ବାରମ୍ବାର ଯେଉଁ ଦୁଃସାହାସୀକତାର ପରିଚୟ ଦେଇଛନ୍ତି, ତା’ର ପଟାନ୍ତର ନାହିଁ ∣ ସତ୍ୟ, ନ୍ୟାୟ , ସାହସ , ପରୋପକାର, ସମାଜ ସେବା ଓ ଓଡ଼ିଆ ଭାଷାର ସୁରକ୍ଷା ଦିଗରେ ଆପଣ ନିଷ୍ଠାପରତାର ସହ ଉଦ୍ୟମ କରି ଆମ ମାତୃଭାଷାକୁ ସୁରକ୍ଷା କରିବାରେ ଆମ ପାଇଁ ଯେଉଁ ସଫଳତା ଆଣି ଦେଇଛନ୍ତି , ତାହା ନିଶ୍ଚିତ ଏ ଜାତିର କପାଳରେ ଭାଗ୍ୟରେଖାଟିଏ ହୋଇରହିବ ∣ ସର୍ବ ଗୁଣର ସମାହାର , ସର୍ବ ଜ୍ଞାନର ସଂଯୋଗ , ସବୁ ପ୍ରତିଭା ସମଷ୍ଟିର ଅନନ୍ୟ ଉଦାହରଣ ଆପଣ ∣ ଆପଣ ତ୍ୟାଗପୂତ ଜୀବନ ଯାପନ ପୂର୍ବକ ମାନବ ଜାତିର ମଙ୍ଗଳ କାମନା କରିବାରେ ସାମାନ୍ୟତମ ଅବହେଳା ମଧ୍ୟ କରିନାହାନ୍ତି ∣ ଜଣେ ସୁସଂଗଠକ, ପରୋପକାରୀ, ସଂସ୍କୃତିପ୍ରେମୀ, ସମାଜସେବୀ ଓ ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନର ବିନ୍ଧାଣୀ ଭାବେ ଦୀର୍ଘଦିନ ଧରି ଅନେକ ଘାତ-ପ୍ରତିଘାତକୁ ସାମ୍ନା କରି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ସୁରକ୍ଷା କବଚଟିଏ ହୋଇ ରହିଛନ୍ତି ସୌର୍ଯ୍ୟ ,ତିତିକ୍ଷା ଓ ଆର୍ଯ୍ୟବକୁ ବ୍ରତ କରି ∣
ସାମ୍ପ୍ରତିକ ସମାଜରେ କାଳଜୟୀ ବୈପ୍ଲବିକ ପରିବର୍ତ୍ତନ ଆଣିବାର ଯେଉଁ ନିଷ୍ଠା ଏବଂ ପ୍ରତିବଦ୍ଧତା ସହିତ ଆପଣଙ୍କର ସେହି ପ୍ରଭାବମୟ ପ୍ରତିଭାର ପ୍ରତିଶ୍ରୁତି ଓ ସ୍ମରଣୀୟ ସେବା ଓ ସାଧନାକୁ ସମ୍ମାନ ଜଣାଇ ‘କୁଳ ତିଳକ’ ଉପାଧିରେ ଭୂଷିତ କରି ‘ସମ୍ପର୍କ ମିଡ଼ିଆ’ ପରିବାର ନିଜକୁ ଗୌରବାନ୍ବିତ ମନେକରୁଛି ∣”

ପ୍ରତିକ୍ରିୟାରେ ଶ୍ରୀ ପଟ୍ଟନାୟକ କହିଛନ୍ତି , “ମୋ ନିଜସ୍ଵ ନୀତି ଦୃଷ୍ଟିରୁ କୌଣସି ସମ୍ବାଦ ସଂସ୍ଥା ପ୍ରଦାନ କରୁଥିବା ସମ୍ମାନ ଓ / ବା କୌଣସି ସାମ୍ବାଦିକଙ୍କ ନାମରେ ନାମିତ ସମ୍ମାନ ଭିନ୍ନ ମୁଁ କୌଣସି ସମ୍ମାନ ଗ୍ରହଣ କରେ ନାହିଁ ∣ ତେଣୁ ଓଡ଼ିଆମାନଙ୍କ ଭିତରେ ପ୍ରଥମ କର୍ମଜୀଵୀ ସମ୍ପାଦକ ନୀଳମଣି ବିଦ୍ୟାରତ୍ନଙ୍କ ନାମରେ ନାମିତ ସମ୍ମାନକୁ ମୁଁ ସମ୍ମାନର ସହ ଗ୍ରହଣକରିଥିଲି ଓ ସାଇତି ରଖିଛି ∣ ସେହିପରି ‘ଗଡ଼ଜାତ ପରିକ୍ରମା’ ଦ୍ଵାରା ପ୍ରବର୍ତ୍ତିତ ‘ଗଡଜାତ ସମ୍ମାନ’ ମୁଁ ଗ୍ରହଣ କରିଛି ଓ ସାଇତି ରଖିଛି ∣ ଏକମାତ୍ର ବ୍ୟତିକ୍ରମ ମୋ ଜନ୍ମମାଟିର ‘ଚମ୍ପକ ଦ୍ଵାଦଶୀ ସମ୍ମାନ’କୁ ଛାଡିଦେଲେ , ଅନ୍ୟ ଯେଉଁ ସମ୍ମାନଗୁଡିକୁ ମୁଁ ଶ୍ରଦ୍ଧା ଓ ସମ୍ମାନ ସହ ଗ୍ରହଣକରି ସାଇତି ରଖିଛି , ସେ ସମସ୍ତ କେବଳ ଗଣମାଧ୍ୟମ ସମ୍ପର୍କିତ, ଯାହା ଭିତରେ ଉଲ୍ଲେଖନୀୟ ହେଲେ : ‘ଜାନକୀବଲ୍ଲଭ ସାମ୍ବାଦିକ ସମ୍ମାନ’ , ‘ସୁବାର୍ତ୍ତା ସମ୍ମାନ’ ଓ ‘ଜନତନ୍ତ୍ର ସମ୍ମାନ’ ଏବଂ ଏହି କ୍ରମରେ ‘ସମ୍ପର୍କ ମିଡିଆ’ ପ୍ରଦତ୍ତ “କୁଳ ତିଳକ” ଉପାଧି ∣”

ସେ ପୁନଶ୍ଚ କହିଛନ୍ତି , “ଏଥିର ଅଳଂକାରଗୁଡ଼ିକ ପାଇଁ ମୁଁ ପ୍ରକୃତରେ ଯୋଗ୍ୟ କି ନୁହେଁ ଜାଣେନି ∣ ମାତ୍ର ସାମ୍ବାଦିକତା ଯେ ମୋ ପାଇଁ ଏକ “ବ୍ରତ” ଏହି ମିଡ଼ିଆ ସ୍ବୀକୃତି ଏଥିରେ ପ୍ରତିଫଳିତ ହୋଇଥିବାରୁ ଓ ଆମେ ଚଳାଇଥିବା ଭାଷା ଆନ୍ଦୋଳନ ପ୍ରତି ଦୃଢ଼ ସମର୍ଥନ ଓ ସ୍ବୀକୃତି ବିଘୋଷିତ ହୋଇଥିବାରୁ ମୁଁ ‘ସମ୍ପର୍କ ମିଡ଼ିଆ’ ପରିବାରକୁ କୃତଜ୍ଞତା ଜଣାଉଛି ∣”

ଏହି ଅବସରରେ ଭାଷା ଆନ୍ଦୋଳନର ସଭାପତି , ବରିଷ୍ଠ ସାମ୍ବାଦିକ ଓ ବାଗ୍ମୀ ପ୍ରଦ୍ୟୁମ୍ନ ଶତପଥୀଙ୍କୁ ଅଧ୍ୟକ୍ଷତା କରିବାକୁ ଓ ଆନ୍ଦୋଳନର ଅନ୍ୟତମ ଶ୍ରେଷ୍ଠ କଳାପତାକା ଅଭିଯାତ୍ରୀ ତଥା ପୂର୍ବତନ ମନ୍ତ୍ରୀ , ସ୍ଵାଧୀନତା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନଙ୍କୁ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ  ନିବେଦନ କରି ସଂସ୍ଥାର ଅଧ୍ୟକ୍ଷ କବି ସନ୍ତୋଷ କୁମାର ସାହୁ ଭାଷା ଆନ୍ଦୋଳନ ପ୍ରତି ସୁଦୃଢ ସମର୍ଥନ ଜ୍ଞାପନ କରିଥିଲେ ∣

ଭାଷା ଆନ୍ଦୋଳନର ଆବାହକ ପବିତ୍ର ମୋହନ ମହାରଥାଙ୍କ ସମେତ ଡ଼. ଅସିତ ଦାସ, ଡମ୍ବରୁଧର ହରଣସିଂହ, ନବକିଶୋର ପ୍ରଧାନ, ନାରାୟଣ ଖୁଣ୍ଟିଆ, ଉମାଚରଣ ମହାନ୍ତି , ମଦନମୋହନ ହରିଚନ୍ଦନ ମହାପାତ୍ର, ଦାଶରଥି ଗୁମାନସିଂହ, ଉପେନ୍ଦ୍ରନାଥ ସାମନ୍ତ ସିଂହାର, ଲକ୍ଷ୍ମଣ ଦାଶ, ଇଂ.ସୁବୋଧ ଧଳ ଚିତ୍ତରଞ୍ଜନ ମିଶ୍ର , ଇଂ.ଚକ୍ରଧର ମହାନ୍ତ, ସାରଦା ପ୍ରସାଦ ମହାପାତ୍ର, ଜାନକୀଶ ବଡ଼ପଣ୍ଡା , ପ୍ରଣବ କିଶୋର ନନ୍ଦୀ ପ୍ରମୁଖ ଏକନିଷ୍ଠ ଭାଷା-ମୁକ୍ତି-ଯୋଦ୍ଧାମାନଙ୍କୁ ନିମନ୍ତ୍ରଣ କରି ଉପସ୍ଥିତ ସର୍ଜନଶୀଳ ଓ ଶାଣୀତ କାବ୍ୟରସ ପ୍ରଦାତା ସାହିତ୍ୟସାଧକମାନଙ୍କ ସମ୍ମୁଖରେ ଭାଷା ଆନ୍ଦୋଳନର ଗାରିମା ଓ ଗୁରୁତ୍ବ ପ୍ରତି ଅର୍ପିତ ହୋଇଥିଲା ସଚେତନ ସମ୍ମାନ ∣

ଉପାଧି ଗ୍ରହଣ କରି ଶ୍ରୀ ପଟ୍ଟନାୟକ ଭାଷା ଆନ୍ଦୋଳନ ପ୍ରତି ଏହି ସାଂସ୍କୃତିକ, ସାହିତ୍ୟିକ ଓ ସାମ୍ବାଦିକୀୟ ସମର୍ଥନପାଇଁ ସମ୍ପର୍କ ମିଡ଼ିଆର ସାମାଜିକ ପ୍ରତିବଦ୍ଧତାର ଭୁୟସୀ ପ୍ରସଂଶା କରିଥିଲେ ∣

 

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

1 thought on “ଭାଷା ଆନ୍ଦୋଳନ ପ୍ରତି ‘ସମ୍ପର୍କ ମିଡ଼ିଆ’ର ସୁଦୃଢ଼ ସମର୍ଥନ : ଅଧ୍ୟକ୍ଷଙ୍କୁ “କୁଳ ତିଳକ” ଉପାଧି”

  1. ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ପଟ୍ଟନାୟକ

    ଥିଲ ତୁମେ ଭାଷା ତିଳକ !
    ଏବେ ହେଲ ତୁମେ କୁଳ ତିଳକ !!

Leave a Reply to Chakradhar Mohanta Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.