ଭାଷା ଆଇନ ସଂଶୋଧନରେ ବ୍ୟବହୃତ ଜାଲିଆତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମେତ ଏମ୍ଏଲ୍ଏମାନଙ୍କୁ ଭାଷା ଆନ୍ଦୋଳନ ପ୍ରତିଷ୍ଠାତାଙ୍କ ପତ୍ର

ଆମ ପ୍ରିୟ ବିଧାନସଭାର ମାନ୍ୟବର ସଦସ୍ୟବୃନ୍ଦ,
ଓଡ଼ିଶା ସରକାରୀ ଭାଷା ଆଇନକୁ ଅକର୍ମଣ୍ୟ କରିଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ବିଧାନସଭାରେ ତହିଁରେ ଯେଉଁ ତିନୋଟି ହାନୀକାରକ ସଂଶୋଧନ କରିଛନ୍ତି ସେଗୁଡିକୁ ବିଲୁପ୍ତ କରି ଶୁଦ୍ଧ ସଂଶୋଧନ ଦ୍ଵାରା ଆମ ଭାଷା ଆଇନକୁ ଶକ୍ତିଶାଳୀ କରିବା ପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ।

ସବୁଠୁ ଦୁଃଖ ଓ ଲଜ୍ଜାର କଥା , ଏହି ଭୁଲ ସଂଶୋଧନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଭୂତପୂର୍ବ ଜାଲିଆତିରେ ଜଡିତ ଓ ଉପଯୁକ୍ତ ବିଚାର ବିନା ସେହି ଅବୈଧ ଚିଠା ବିଧେୟକଗୁଡ଼ିକୁ ଗ୍ରହଣ କରି ତଦ୍ଦୃପ ଆଇନ ସଂଶୋଧନ କରିଥିବା ହେତୁ ଇତିହାସ ଚକ୍ଷୁରେ ପଞ୍ଚଦଶ ବିଧାନସଭା ନିନ୍ଦିତ ହୋଇରହିବାକୁ ବାଧ୍ୟ । ସେହେତୁ ସେଗୁଡିକର ବିଲୋପନ କରି ଆମ ବିଧାନସଭାର ସମ୍ମାନ ରକ୍ଷା କରିବା ପାଇଁ ମୁଁ ଆପଣମାନଙ୍କୁ ନିବେଦନ କରୁଛି ।

ନ୍ୟାୟାଳୟରେ ଓଡ଼ିଆ ଭାଷା ପ୍ରଚଳନ ପାଇଁ ୨୦୧୫ରେ ଯେଉଁ ଅନଶନ ଧର୍ମଘଟ ହୋଇଥିଲା ତାହାର ପରିସମାପ୍ତି ଘଟିଥିଲା ଭାଷା ଆଇନର କାର୍ଯ୍ୟକାରୀତା ଉପରେ ମୁଖ୍ୟମନ୍ତ୍ରୀ ୩୧.୭.୨୦୧୫ ତାରିଖରେ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିବା ହେତୁ । ଏହି କମିଟିର ଜଣେ ସଦସ୍ୟ ଭାବେ ମୁଁ ଭାଷା ଆଇନର ସଂଶୋଧନ ଓ ନିଯମାବଳୀ ପ୍ରଣୟନ ଦ୍ଵାରା ତହିଁର ଅଲଙ୍ଘ୍ୟ ପ୍ରବର୍ତ୍ତନ ପାଇଁ ନିର୍ଦ୍ଦିଷ୍ଟ ପ୍ରସ୍ତାବ ଓ ପ୍ରସ୍ତାବିତ ବିଧାନର ଚିଠା ପ୍ରଦାନ କରିଥିଲି ୩.୯.୨୦୧୫ ତାରିଖରେ, ଯହିଁର ସମାର୍ଜନ କରି ବିଧି ବିଭାଗ ଭାଷା ଆଇନରେ ଧାରା ୪ ଖଞ୍ଜିବାକୁ ସ୍ମାରକ ଅନୁମୋଦନ କରିଥିଲା । ଏହି ଆଇନ ସମ୍ମତ ଅନୁମୋଦନ ୨୦.୫.୨୦୧୬ ତାରିଖରେ ଆଇନ ବିଭାଗରୁ ଆସିଯିବା ପରେ ବିଧାନସଭା ଅଧିବେଶନକୁ ଆକସ୍ମିକ ଭାବେ ବନ୍ଦ କରିଦିଆଗଲା ଓ ୨୧.୫.୨୦୧୬ ତାରିଖରେ ଅଧ୍ୟାଦେଶ ଜାରିକରାଯାଇ ମୋ ପ୍ରଦତ୍ତ ପ୍ରସ୍ତାବ ଅନୁରୂପେ ପ୍ରସ୍ତୁତ ଧାରା ୪କୁ ଧାରା ୫ରେ ପରିଣତ କରି ଧାରା ୪ ଭାବେ ଏକ ଅନଧିକୃତ ବ୍ୟବସ୍ଥା ଖଞ୍ଜିଦିଆଗଲା ସେହି ଅଧ୍ୟାଦେଶରେ, ଯହିଁରେ ଅତି ଧୂର୍ତ୍ତତାର ସହ ଆମ ଭାଷା ଆଇନକୁ ଅକର୍ମଣ୍ୟ କରିବାର ବୀଜ ବପନ ହୋଇଥିଲା ।

ଯେତେବେଳେ ମୋ ପ୍ରସ୍ତାବ ଆଇନ ବିଭାଗର ସମାର୍ଜନ ପାଇଁ ପ୍ରେରିତ ହୋଇଥିଲା, ସେହି ସମୟରେ ତଦାନୀନ୍ତନ ସଦସ୍ୟ ନବକୁମାର ଦାସଙ୍କ ଏକ ପ୍ରଶ୍ନର ଉତ୍ତର ଛଳରେ ୧୪.୧୨.୨୦୧୫ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଆଇନ ସଂଶୋଧନ ପ୍ରସ୍ତାବ ବିଧିବିଭାଗରେ ଅନୁମୋଦନ ପାଇଁ ଥିବା ସୁଚାଇଥିଲେ ; କିନ୍ତୁ ମାତ୍ର ୩ ଦିନ ପରେ ଏପରି ଏକ ଭିନ୍ନ ଆଭିମୁଖ୍ୟ ଗ୍ରହଣ କଲେ ଯେ, ୧.୪.୨୦୧୬ରେ ମୋତେ ଭାଷା ଆନ୍ଦୋଳନ ପ୍ରତିଷ୍ଠା କରିବାକୁ ପଡିଲା ଓ ମୋ ପ୍ରଦତ୍ତ ପ୍ରସ୍ତାବର କାର୍ଯ୍ୟକାରୀତା ଦାବିରେ ୧୩.୪.୨୦୧୬ରୁ ବିଧାନସଭା ସମ୍ମୁଖସ୍ଥ ଭାଷା ଆଇନ ପ୍ରଦାତା ନବବାବୁଙ୍କ ପ୍ରତିମୂର୍ତ୍ତି ପଦଦେଶରୁ ରାଜଭବନ ସମ୍ମୁଖସ୍ଥ ମଧୁବାବୁଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ପ୍ରତ୍ୟହ ନୀରବ କଳାପତାକା ଅଭିଯାନ ଚଳାଇବାକୁ ହେଲା । ଏହି ଅଭିଯାନ ଚାଲିରହିଲା ଅଧ୍ୟାଦେଶରେ ଜାଲିଆତି ବଳରେ ଭର୍ତ୍ତି କରାହୋଇଥିବା ଧାରା ୪ର ଦୁରଭିସନ୍ଧି ଧରାପଡ଼ିଯିବା ହେତୁ । ମୁଖ୍ୟମନ୍ତ୍ରୀ ମୋତେ ୧୯.୫.୨୦୧୭ରେ ଆଲୋଚନା ପାଇଁ ଡ଼ାକିଥିଲେ ଓ ମୁଁ ତାଙ୍କୁ ଧାରା-୪ର ବିଲୋପନ ପାଇଁ ପରାମର୍ଶ ଦେଇ ତାର ବିକଳ୍ପ ବିଧାନର ଚିଠା ବି ଦେଇଥିଲି । ଆପଣମାନଙ୍କ ଭିତରୁ ସର୍ବଶ୍ରୀ ଦେବୀ ପ୍ରସାଦ ମିଶ୍ର, ପ୍ରତାପ କେଶରୀ ଦେବ ଓ ପ୍ରଫୁଲ୍ଲ ସାମଲ ତହିଁର ସାକ୍ଷୀ ।

ଦୁର୍ଭାଗ୍ୟ , ଏହା ଉପରେ ଆରମ୍ଭ ହେଲା ଜାଲିଆତି ଦ୍ଵାରା ଭାଷା ଆଇନର ଉଦ୍ଦେଶ୍ୟ ପଣ୍ଡ କରିବାର ପର୍ବ ।

୧                       କାର୍ଯ୍ୟ ନିୟମାବଳୀର ସମ୍ପୂର୍ଣ୍ଣ ଉଲଂଘନ କରାଯାଇ , ରାଜ୍ୟପାଳଙ୍କୁ ଅନ୍ଧକାରରେ ରଖି, ବିଧି ବିଭାଗ ଓ ଅର୍ଥ ବିଭାଗର କୌଣସି ଅନୁମୋଦନ ନଥାଇ ୨୬.୧୨.୨୦୧୭ ତାରିଖରେ ପୁରୀରେ ଏକ ସ୍ଵତନ୍ତ୍ର କ୍ୟାବିନେଟ ବୈଠକ କରି ବହୁବିଭାଗକୈନ୍ଦ୍ରିକ ୨୦ଟି ପ୍ରସ୍ତାବ ଗ୍ରହଣ କରଯାଇଥିଲା ଯେଉଁଥିରୁ ପ୍ରସ୍ତାବ ୩ ଥିଲା ଭାଷା ଆଇନ ସଂଶୋଧନ ସମ୍ପର୍କରେ । ତାହା ହେଲା-
“ସରକାରୀ ଭାଷା ଆଇନ ୧୯୫୪ରେ ସଂଶୋଧନ ଅଣାଯାଇ ବିହିତ ଦଣ୍ଡବିଧାନ ବ୍ୟବସ୍ଥା ସହିତ ଓଡ଼ିଆ ଭାଷାର ବହୁଳ ବ୍ୟବହାର କରୁଥିବା ବିଭାଗ ତଥା କର୍ମଚାରୀଙ୍କୁ ପ୍ରୋତ୍ସାହିତ କରାଯିବ । ଏଥିପାଇଁ ବିଭାଗ ଗୁଡିକ ନିର୍ଦ୍ଦିଷ୍ଟ ମାନଦଣ୍ଡ ଏବଂ କ୍ଷେତ୍ର ନିର୍ଦ୍ଧାରଣ କରିବେ । ଜିଲ୍ଲା, ରାଜସ୍ୱ ଡିଭିଜନ ଏବଂ ରାଜ୍ୟ ସ୍ତରରେ ଏଥିନିମନ୍ତେ ପ୍ରଶାସନିକ ବ୍ୟବସ୍ଥା ତା ୦୧.୦୪.୨୦୧୮ ଠାରୁ କାର୍ଯ୍ୟକାରୀ କରାଯିବ ।”

ମୁଁ ଏହାର ଘୋର ପ୍ରତିବାଦ କରିଥିଲି, କାରଣ ଏହା ଭାଷା ଆଇନର ପ୍ରତିଷ୍ଠିତ ବ୍ୟବସ୍ଥା ତଥା ପରିସୀମା ହ୍ରାସ ପାଇଁ ଉଦ୍ଦିଷ୍ଟ ଥିଲା ଓ କର୍ମଚାରୀଙ୍କ ଭୁଲ ପାଇଁ ଓଡ଼ିଶାର ଜନସାଧାରଣଙ୍କୁ ଦଣ୍ଡିତ କରିବା ଉପାଦାନ ବହନ କରୁଥିଲା । ମୋର ସବୁ ସାଥୀ ଏହି ପ୍ରତିବାଦରେ ସାମିଲ ଥିଲେ । 

ଆପଣମାନଙ୍କ ମଧ୍ୟରେ ଥିବା ବହୁ ମନ୍ତ୍ରୀ ଓ ସଦସ୍ୟଙ୍କୁ ଘର ଘର ବୁଲି ମୁଁ ଏହା ବୁଝାଇଥିଲି ଓ ଗଣମାଧ୍ୟମରେ ଚର୍ଚ୍ଚା କରିଥିଲି । ଫଳରେ ଏହାକୁ କାର୍ଯ୍ୟକାରୀ କରାହୋଇନଥିଲା ଓ ଏହାର ସମୟସୀମା ସରିଯାଇଥିଲା ।

୨                               ମୋ ଯୁକ୍ତି ଦୃଷ୍ଟିରୁ ସରକାର ନିୟମସିଦ୍ଧ ଭାବେ ପୁନଶ୍ଚ ଏକ ସ୍ମାରକ ପ୍ରସ୍ତୁତ କରିଥିଲେ, ଯାହାକୁ ବିଧି ବିଭାଗ ଅନୁମୋଦନ ଦେଲା ପରେ ୧୪.୩.୨୦୧୮ ତାରିଖରେ କ୍ୟାବିନେଟ ବସି ସେହି ସ୍ମାରକ ଅନୁମୋଦନ କରି ତଦନୁଯାୟୀ ତୁରନ୍ତ ଆଇନ ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଧିକାର ପ୍ରଦାନ କରିଥିଲେ । ତାହା ବିଧିସମ୍ମତ ଓ ଓଡ଼ିଆ ଭାଷା ପାଇଁ ହିତକାରକ ଥିଲା । ତଦନୁଯାୟୀ ପ୍ରସ୍ତୁତ ବିଧେୟକକୁ ବିଧାନସଭାରେ ଏକ ପ୍ରଚ୍ଛଦ ପତ୍ର ସହ ମୁଖ୍ୟମନ୍ତ୍ରୀ ପଇଠ କରିଥିଲେ ୩୧.୩.୨୦୧୮ତାରିଖରେ । ମାତ୍ର ସଦସ୍ୟମାନଙ୍କ ମଧ୍ୟରେ ତାହା ପରିବଣ୍ଟିତ ହେବା ଓ ବିଧାନସଭାରେ ଆଲୋଚନା ପାଇଁ ଗୃହିତ ହେବା ବେଳକୁ ତାହା ବଦଳିଯାଇଥିଲା ଓ ୧୪.୩.୨୦୧୮ କ୍ୟାବିନେଟ ପ୍ରସ୍ତାବ ପରିବର୍ତ୍ତେ ସମୟ ଅତିକ୍ରାନ୍ତ ତଥା ଆଇନ ବହିର୍ଭୂତ ଶୈଳୀରେ ଗୃହିତ ପୁରୀ କ୍ୟାବିନେଟ ବୈଠକର ପ୍ରସ୍ତାବକୁ ସେହି ବିଧେୟକର ଆଧାର କରା ହୋଇଥିଲା ।

ବିଧାନସଭା ବିରୁଦ୍ଧରେ ଏହି ଜାଲିଆତି ଏକ ଜଘନ୍ୟ ଅପରାଧ ।

୩                                     ମୁଁ ପଞ୍ଚଦଶ ବିଧାନସଭା ସଭ୍ୟମାନଙ୍କୁ ଏହା ଅବଗତ କରାଇଥିଲି । ଏହି ଜାଲିଆତି କରିଥିବା ବ୍ୟକ୍ତି ଏତେ ବିଚଳିତ ଓ ଉଗ୍ର ଥିଲେ ଯେ, ସେହି ବିଧେୟକ (ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ବିଧେୟକ, ୨୦୧୮ର ଆଧାର ଭାବେ ଜାଲିଆତି ଦ୍ଵାରା ନିଆହୋଇଥିବା ପ୍ରସ୍ତାବକୁ ବି ମନଇଚ୍ଛା ବଦଳାଇଥିଲେ । ଏହିପରି ଦୋଷପୂର୍ଣ୍ଣ ଭାଷାରେ, ସଂପୂର୍ଣ୍ଣ ଜାଲିଆତି ଦ୍ଵାରା ଭାଷା ଆଇନରେ ଯୋଡା ହେଲା ଧାରା-୪କ , ଯାହା ପୂର୍ବ ଆଲୋଚିତ ଧାରା ୪ର ଅବୈଧତାକୁ ବୈଧ ବି କଲା ।

୪                                       ଅତି ଅବୈଧ ଭାବେ ମୋ ସହକର୍ମୀମାନଙ୍କ ଅର୍ଥତୃଷ୍ଣା ପରିପୂର୍ଣ୍ଣ କରି ସରକାର ଭାଷା ଆନ୍ଦୋଳନକୁ ଚପାଇ ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହି ଆନ୍ଦୋଳନ ଦୃଢ ରହିବାରୁ ୪କ ଧାରାର ପୁନଃ ସଂଶୋଧନ କରି ପୂର୍ବ ପ୍ରମାଦକୁ କାଏମ ରଖିଛନ୍ତି ଓ ଭାଷା ଆଇନକୁ ଏପରି ଅକର୍ମଣ୍ୟ କରିଦେଇଛନ୍ତି ଯେ, ଏହି ଉଭୟ ଧାରା – ଧାରା ୪ ଓ ଧାରା ୪କ – ବିଲୁପ୍ତ ନ ହେଲେ ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା କେବେ ବି ସମ୍ଭବ ହେବ ନାହିଁ ।

ଏହା କହି, ମୁଁ ଆପଣମାନଙ୍କ ଓଡ଼ିଆପଣକୁ ପ୍ରାର୍ଥନା କରୁଛି କି , ଆମ ଭାଷା ବିରୁଦ୍ଧରେ ଅଣଓଡ଼ିଆ ଏବଂ ଓଡ଼ିଆବିଦ୍ଵେଷୀ ଗୋଷ୍ଠୀର ଚକ୍ରାନ୍ତରୁ ଆପଣମାନେ ମାଆ ଓଡ଼ିଶା ଏବଂ ଓଡ଼ିଆ ଭାଷାଜନନୀଙ୍କୁ ରକ୍ଷା କରନ୍ତୁ ।

ମୁଁ ସୁଚାଇଥିବା ଜାଲିଆତିର ତଦନ୍ତ କରିବାକୁ ନିଷ୍ପତ୍ତି ନିଅନ୍ତୁ ଏବଂ ଭାଷା ଆଇନରୁ ଧାରା ୪ ତଥା ଧାରା ୪କ ବିଲୋପ କରି, ସେହି ଦୁଇ ଧାରାକୁ ବିଧିଭୁକ୍ତ କରିବା ପାଇଁ ଯେଉଁ ପଦାଧିକାରୀ ଜାଲିଆତିର ପ୍ରୟୋଗ କରିଛନ୍ତି ସେ ବା ସେମାନେ ବିଧାନସଭା ବିରୁଦ୍ଧରେ ଘୋର ଅପରାଧ କରିଥିବା ହେତୁ ତହିଁ ବିରୁଦ୍ଧରେ ଦଣ୍ଡବିଧାନ ପାଇଁ ଉପଯୁକ୍ତ ନିଷ୍ପତ୍ତି ଗ୍ରହଣ କରନ୍ତୁ । ଭାଷା ଆଇନର ପୁନଃ ସଂଶୋଧନ ଦ୍ଵାରା ତାହାକୁ ନିର୍ଭୁଲ କରିବାକୁ ସରକାର ରାଜି ନ ହେଲେ, ଆପଣମାନେ ନିଜ ନିଜ ସ୍ତରରେ ଘରୋଇ ବିଲ୍ ପ୍ରସ୍ତୁତ କରି ବିଧାନସଭାର ଆଗାମୀ ଅଧିବେଶନରେ ଆଇନ ସୁଧାର ପାଇଁ ବିଧିକ ପଦକ୍ଷେପ ନିଅନ୍ତୁ ।
ଓଡ଼ିଆ ଜାତି ଆପଣମାନଙ୍କଠାରୁ ସର୍ବନିମ୍ନ ଏତିକି ଆଶା କରେ ।
। ଇତି ।
ସୁଭାଷ ଚନ୍ଦ୍ର ପଟ୍ଟନାୟକ ,
ପ୍ରତିଷ୍ଠାତା, ଭାଷା ଆନ୍ଦୋଳନ, ଓଡ଼ିଶା
୩.୨.୨୦୨୧

ସରିଯାଇଥିବା ବିଧାନସଭା ଓ ଆମ ଭାଷା -୧୬

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ବିଧାନସଭାକୁ ପ୍ରତାରିତ ଓ ବିଭ୍ରାନ୍ତ କରିଥିବା ହେତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ସଂସଦୀୟ ବ୍ୟାପାର ବିଭାଗ ମନ୍ତ୍ରୀ ବିକ୍ରମ ଆରୁଖ ବିଧାନସଭାର ସ୍ବାଧୀକାର ଭଙ୍ଗ କରିଛନ୍ତି ବୋଲି ଦର୍ଶାଇ ବିଧାନସଭା ନିଜ ମର୍ଯ୍ୟାଦା ରକ୍ଷା କରିବା ପାଇଁ ଏ ଉଭୟଙ୍କ ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ କରୁ ବୋଲି ୪. ୯. ୨୦୧୮ ତାରିଖ ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଁ ଦାବି ରଖିଥିଲି । ସେହି ସମ୍ମିଳନୀରେ ଡଃ କୁଳମଣି ନାୟକ,କମଳଲୋଚନ ନାୟକ,ପ୍ରମୋଦ କୁମାର ଦେବ,ଭବାନୀ ଶଙ୍କର ପରିଜା ଓ ସଂଜୀବ ପତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।
ନିମ୍ନରେ ଉପସ୍ଥାପିତ ହେଲା ମୁଁ ଜାରିକରିଥିବା ପ୍ରେସ ବିବୃତ୍ତିର ନକଲ:

ଭୁବନେଶ୍ୱର , ୪. ୯. ୨୦୧୮
ଚଳିତ ବିଧାନସଭା ଅଧିବେଶନ ପାଇଁ ସରକାର ଯେଉଁ ସମସ୍ତ ଆଇନ ପ୍ରଣୟନ / ସଂଶୋଧନର ପ୍ରସ୍ତାବ ରଖିଛନ୍ତି ତହିଁରେ ଓଡିଶା ସରକାରୀ ଭାଷା ଆଇନ ସଂଶୋଧନପାଇଁ କୌଣସି ପ୍ରସ୍ତାବ ନାହିଁ । ଏହା ସାବ୍ୟସ୍ତ କରୁଛି କି, ସରକାରୀ ଭାଷା ଆଇନର ଉଦ୍ଦେଶ୍ୟ ପଣ୍ଡ କରିବା ପାଇଁ ତହିଁରେ ସଂଶୋଧନ ଘଟାଇବା ଓ ତାହା ବିରୁଦ୍ଧରେ ଭାଷା ଆନ୍ଦୋଳନର କଣ୍ଠରୋଧ କରିବାକୁ ତହିଁର ଦୁଇଜଣ କର୍ମକର୍ତ୍ତାଙ୍କୁ ପୋଷା ମନାଇ କଳାପତାକା ଅଭିଯାନ ସ୍ଥଗିତ ହୋଇଗଲା ବୋଲି ସେମାନଙ୍କ ମୁହଁରେ ମିଥ୍ୟା ପ୍ରଚାର କରି ଓଡ଼ିଶାର ଜନସାଧାରଣଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା ହୋଇଛି । ଏହା ସରକାରଙ୍କ ଘୋର ଓଡ଼ିଆ ବିରୋଧୀ ମାନସିକତାର ପରିଚାୟକ ।

ଏହି ପ୍ରେକ୍ଷାପଟରେ ଚଳିତ ବିଧାନସଭା ଅଧିବେଶନ ନିଜ ଆଡୁ ଓଡିଶା ସରକାରୀ ଭାଷା (ସଂଶୋଧନ) ବିଧେୟକ, ୨୦୧୮ ପ୍ରତି ଦୃଷ୍ଟି ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତଥା ତାଙ୍କ ତରଫରୁ ସେହି ବିଧେୟକକୁ ବିଧାନସଭାରେ ଉପସ୍ଥାପିତ ଓ ପାରିତ କରାଇଥିବା ମନ୍ତ୍ରୀ ବିକ୍ରମ ଆରୁଖଙ୍କ ବିରୁଦ୍ଧରେ ସ୍ବାଧୀକାର ଭଙ୍ଗ ସକାଶେ ବିହିତ କାର୍ଯ୍ୟାନୁଷ୍ଠାନ କରିବା ଆବଶ୍ୟକ । କାରଣ ତଦ୍ଦ୍ଵାରା ହିଁ ଓଡିଶା ବିଧାନସଭା ନିଜ ସମ୍ମାନ ନିଜେ ରକ୍ଷା କରିପାରିବ ।

ଏହି ବିବାଦୀୟ ବିଧେୟକର ‘ଉଦ୍ଦେଶ୍ୟ ଓ କାରଣ କଥନ’ରେ ସରକାର ଏହା ୨୬. ୧୨.୨୦୧୭ର କ୍ୟାବିନେଟ ପ୍ରସ୍ତାବ ଉପରେ ଆଧାରିତ ବୋଲି କହିଛନ୍ତି । ଏତଦ୍ଦ୍ଵାରା ସରକାର ଜାଣିଶୁଣି ବିଧାନସଭାକୁ ୧୪. ୩ . ୨୦୧୮ରେ ଗୃହୀତ ହୋଇଥିବା କ୍ୟାବିନେଟ ପ୍ରସ୍ତାବ ସମ୍ପର୍କରେ ଅନ୍ଧକାରରେ ରଖିଛନ୍ତି । ୨୬. ୧ ୨. ୨୦୧୭ର କ୍ୟାବିନେଟ ପ୍ରସ୍ତାବରେ ଓଡ଼ିଶା ସରକାରୀ ଭାଷା ଆଇନର ପରିସର ସଂକୁଚିତ କରି ଆଇନଟିର ମୂଳ ଉଦ୍ଦେଶ୍ୟକୁ ପଣ୍ଡ କରିବା କୌଶଳ ଖଞ୍ଜା ହୋଇଥିଲା । ବ୍ୟାପକଭାବେ ଓଡ଼ିଆରେ କାମ ନକଲେ କର୍ମଚାରୀ ତଥା ବିଭାଗକୁ ଦଣ୍ଡିତ କରାଯିବ ବୋଲି କୁହା ହୋଇଥିଲା । କର୍ମଚାରୀଙ୍କ ଭୁଲ ହେତୁ ବିଭାଗକୁ ଦଣ୍ଡିତ କରାଗଲେ ତାହା ଟିକସଦାତା ଜନସାଧାରଣଙ୍କୁ ଦଣ୍ଡିତ କରିବା ସହ ସମାନ ବୋଲି ଆମ ପକ୍ଷରୁ ପ୍ରତିବାଦ କରାଗଲା ପରେ ୧୪. ୩ . ୨୦୧୮ରେ ପୁନର୍ବାର କ୍ୟାବିନେଟ ବସି ପ୍ରସ୍ତାବ କରିଥିଲେ କି, ଭାଷା ଆଇନର ଉଲ୍ଲଙ୍ଘନ ପାଇଁ କୌଣସି ବିଭାଗକୁ ଦଣ୍ଡିତ କରାଯିବ ନାହିଁ ; କେବଳ କର୍ମଚାରୀ ଓ ପଦାଧିକାରୀଙ୍କ ଦଣ୍ଡିତ କରାଯିବ ଏବଂ ଏଥିପାଇଁ ତୁରନ୍ତ ଭାଷା ଆଇନ ସଂଶୋଧିତ ହେବ ।

ଉଲ୍ଲେଖନୀୟ ଯେ, ଏହି ପ୍ରସ୍ତାବିତ ସଂଶୋଧନର ଉଦ୍ଦେଶ୍ୟ ଓ କାରଣ ମଧ୍ୟ ଏହି ୧୪. ୩ . ୨୦୧୮ କ୍ୟାବିନେଟ ବୈଠକରେ ଧାର୍ଯ୍ୟ କରାହୋଇ ଯେହେତୁ ଆଇନଟିର ଉଲ୍ଲଙ୍ଘନ ପାଇଁ ଦଣ୍ଡବିଧାନର ବ୍ୟବସ୍ଥା ନାହିଁ, ସେହେତୁ ଏହାକୁ କେହି ମାନୁନାହାନ୍ତି ବୋଲି କୁହା ହୋଇଥିଲା । ଅଥଚ ଗତ ବିଧାନସଭାର ଶେଷ ଦିନରେ ଆଗତ ଓ ପାରିତ ହୋଇଥିବା ଭାଷା ଆଇନ ସଂଶୋଧନରେ ଏହି ଗୁରୁତ୍ବପୂର୍ଣ କ୍ୟାବିନେଟ ନିଷ୍ପତ୍ତିକୁ ସମ୍ପୂର୍ଣ ଅନଧିକୃତ ଭାବେ କବର ଦିଆଯାଇ ୨୬.୧୨. ୨୦୧୭ର କ୍ୟାବିନେଟ ପ୍ରସ୍ତାବକୁ ସଂଶୋଧନର ‘ଉଦ୍ଦେଶ୍ୟ ଓ କାରଣ କଥନ’ର ଭିତ୍ତି କରାଯାଇଛି ଓ ତାହାକୁ ମଧ୍ୟ ବିକୃତ କରାଯାଇଛି । ଉଦାହରଣତଃ , ଏହି କ୍ୟାବିନେଟ୍ ପ୍ରସ୍ତାବରେ ଓଡ଼ିଆରେ କାମ ନକରିବା କର୍ମଚାରୀ ଓ ବିଭାଗକୁ ଦଣ୍ଡିତ କରାଯିବ ବୋଲି କୁହା ହୋଇଥିଲା ବେଳେ, ଉପସ୍ଥାପିତ ଓ ପାରିତ ହୋଇଥିବା ବିଧେୟକରେ କର୍ମଚାରୀ କିମ୍ବା ବିଭାଗକୁ ଦଣ୍ଡିତ କରାଯିବ ବୋଲି ଉଲ୍ଲେଖ ଅଛି । କ୍ୟାବିନେଟ ପ୍ରସ୍ତାବର ଏପରି ବିକୃତିକରଣକରିବା ଓ ସବୁଠୁ ଗୁରୁତ୍ବପୂର୍ଣ ତଥ୍ୟ ଗୋପନ ରଖି ବିଧାନସଭାକୁ ବିଧାନ ପ୍ରଣୟନ କ୍ଷେତ୍ରରେ ବିଭ୍ରାନ୍ତ କରିବା ଯଦି ଓଡିଶା ବିଧାନସଭାର ସ୍ବାଧୀକାର ଭଙ୍ଗ ଭାବେ ବିବେଚିତ ନ ହୁଏ, ବୁଝିବାକୁ ହେବ ଯେ, ପ୍ରଶାସନିକ କଳ ପାଖରେ ଆମ ରାଜନୈତିକ ଵିଜ୍ଞତା ବାମନ ହୋଇଗଲାଣି।

ଆମେ ଦାବି କରୁଛୁ କି,

(କ) ରାଜ୍ୟ କ୍ୟାବିନେଟ୍ ଗ୍ରହଣ କରିଥିବା ପ୍ରସ୍ତାବକୁ ଆଇନ ସଂଶୋଧନର ଚିଠା ପ୍ରସ୍ତୁତିରେ ଏପରି ସ୍ଵେଚ୍ଛାଚାରର ଶରବ୍ୟ କରିଥିବା ସମ୍ପୃକ୍ତ ପଦାଧିକାରୀଙ୍କୁ କଠିନ ଦଣ୍ଡ ଦିଆଯାଉ;
(ଖ) ନିଜେ କ୍ୟାବିନେଟ ବୈଠକରେ ଉପସ୍ଥିତ ଥାଇ ଗୃହୀତ କ୍ୟାବିନେଟ ପ୍ରସ୍ତାବକୁ କବର ଦିଆଯାଇଥିବା ଓ ବିକୃତ କରାଯାଇଥିବା ଜାଣି ମଧ୍ୟ ତାହାକୁ ସରକାରୀ ଭାଷା ଆଇନର ସଂଶୋଧନର ଭିତ୍ତି କରାଇ ବିଧାନସଭାକୁ ପ୍ରତାରିତ ଓ ବିଭ୍ରାନ୍ତ କରିଥିବା ମୁଖ୍ୟମନ୍ତ୍ରୀ ଓ ସାଂସଦୀୟ ବିଭାଗ ମନ୍ତ୍ରୀଙ୍କୁ ସ୍ବାଧୀକାର ଭଙ୍ଗ ଅଭିଯୋଗର ସମ୍ମୁଖୀନ କରାଯାଉ ଓ
(ଗ) ଓଡିଶା ସରକାରୀ ଭାଷା (ସଂଶୋଧନ)ଆଇନ, ୨୦୧୮କୁ ବିଲୋପ କରି, ଭାଷା ଆନ୍ଦୋଳନର ଅଧ୍ୟକ୍ଷ ଦେଇଥିବା ପ୍ରସ୍ତାବ ଅନୁସାରେ ସାନି ସଂଶୋଧନ କରାଯାଉ ।

http://bhashaandolan.com/assembly-misled-by-chief-minister/ ସରଣୀରେ ଏହା ଉପଲଭ୍ୟ ।

ଏହି ସାମ୍ବାଦିକ ସମ୍ମିଳନୀରେ ମୁଁ ରଖିଥିବା ବିବୃତ୍ତି NNS Odia Live ନାମକ ଏକ ୱେବ ଚ୍ଯାନେଲ ୟୁ ଟ୍ୟୁବ ମାଧ୍ୟମରେ ସିଧା ପ୍ରସାରଣ କରିଥିଲା । ସରକାରୀ ଚାପରେ ଏହାକୁ ସମ୍ପୃକ୍ତ ଚ୍ୟାନେଲଟି ବିଲୁପ୍ତ କରିବାକୁ ଯାଉଛି ବୋଲି ଖବର ପାଇ ମୁଁ ତାକୁ ନକଲ କରି ରଖିଦେଇଥିଲି । ଏହି ନକଲକୁ ମୁଁ ଏଠାରେ ଉପସ୍ଥାପିତ କରୁଛି –

ଏତଦ୍ଦୃଷ୍ଟିରୁ ଏହାହିଁ କୁହାଯାଇପାରେ ଯେ, ଭାଷା ଆଇନକୁ ନେଇ ସରକାରଙ୍କ ବେଆଇନ ଆଚରଣ ବିଧାନସଭା ସଦସ୍ୟମାନଙ୍କ ଅବଗତିରେ ଥିଲା । ଅଥଚ ସେମାନେ ଏ ସମ୍ପର୍କରେ ପାଟି ଫିଟାଇଲେ ନାହିଁ । (କ୍ରମଶଃ)

୫.୮.୨୦୧୯

ସରିଯାଇଥିବା ବିଧାନସଭା ଓ ଆମ ଭାଷା -୧୫

ଯଦି ବିଧାନସଭାର ମାନ୍ୟବର ସଦସ୍ୟମାନେ କହନ୍ତି ଯେ, ଭାଷା ଆନ୍ଦୋଳନକୁ ନେଇ ଅର୍ଥମନ୍ତ୍ରୀଙ୍କ ଭୂମିକା ସନ୍ଦେହଘେରରେ ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ସେମାନେ ଜାଣନ୍ତି ନାହିଁ ତେବେ ଧରିନେବାକୁ ପଡ଼ିବ ଯେ ରାଜ୍ୟରେ ରାଜନୈତିକ ପ୍ରାସଙ୍ଗିକତା ଥିବା ବିଷୟ ପ୍ରତି ସେମାନେ ସ୍ପୃହା ରଖନ୍ତିନାହିଁ । କିନ୍ତୁ ବସ୍ତୁତଃ ସରିଯାଇଥିବା ବିଧାନସଭାର ସବୁ ସଦସ୍ୟ ଭାଷା ଆନ୍ଦୋଳନ ପ୍ରତି ନିଘା ରଖିଥିଲେ ଓ ବିଧାନସଭା ବିତର୍କରେ ବହୁବାର ଏହାର ଝଲକ ଦେଖିବାକୁ ମିଳୁଥିଲା । ତେଣୁ ଅର୍ଥମନ୍ତ୍ରୀଙ୍କ ଆଚରଣ ପ୍ରତି ସନ୍ଦେହ ଆରୋପ କରି “ଭାଷା ଆନ୍ଦୋଳନ: ଅର୍ଥମନ୍ତ୍ରୀଙ୍କ ଭୂମିକା ସନ୍ଦେହଘେରରେ” ଶୀର୍ଷକରେ ୨୮ ଅଗଷ୍ଟ ୨୦୧୮ ରେ ପ୍ରକାଶିତ ରିପୋର୍ଟ ସେମାନେ ଅବଗତ ଥିବା ସ୍ଵାଭାବିକ ଥିଲା ।

ପ୍ରାସଙ୍ଗିକତା ଦୃଷ୍ଟିରୁ ତାହାକୁ ଉଦ୍ଧୃତ୍ତି ରୂପେ ସ୍ଥାନିତ କରାଗଲା-
“ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ଅପରିହାର୍ଯ୍ୟ କରିବା ପାଇଁ ଓଡିଶା ସରକାରୀ ଭାଷା ଆଇନର ଉପଯୁକ୍ତ ସଂଶୋଧନ ସକାଶେ ଚାଲିଥିବା କଳାପତାକା ଅଭିଯାନ ଯେତେବେଳେ ଆହୁରି ସଘନ ହେବା ଆବଶ୍ୟକ ଥିଲା, ସେତେବେଳେ ଏହି ଅଭିଯାନ ସହ ଜଡ଼ିତ ଦୁଇଜଣ ବ୍ୟକ୍ତି – ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥା – ଅଭିଯାନ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ ରହିଲା ବୋଲି ୧୬. ୭. ୨୦୧୮ ସନ୍ଧ୍ୟାରେ ଏକ ପ୍ରେସ ବିବୃତ୍ତିରେ ଘୋଷଣା କଲେ । ସେମାନଙ୍କ କାମ ଥିଲା ପତାକା ଧରିବାକୁ ପ୍ରତିଦିନ ଚାରିଜଣ ସାଥୀ ଯୋଗେଇବା ଓ ଗଣମାଧ୍ୟମରେ ତଥା ସରକାରୀ ସ୍ତରରେ ପ୍ରସଙ୍ଗ ଉପସ୍ଥାପନା ତଥା ଆଲୋଚନା କାଳରେ ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କୁ ସହଯୋଗ କରିବା, ଯାହା ସେମାନେ ନିଷ୍ଠାର ସହ କରିଆସିଥିଲେ । ଅଭିଯାନ ବନ୍ଦ ରହିଲା ବୋଲି ଘୋଷଣା କରିବା ପାଇଁ ସେମାନେ ଅଧିକୃତ ନ ଥିଲେ । ଫଳରେ ମାତୃଭାଷାଭକ୍ତ ଓଡ଼ିଆ ଜାତି ସେମାନଙ୍କ ଏହି ଅନଧିକୃତ ଘୋଷଣାକୁ ପ୍ରତ୍ୟାଖ୍ୟାନ କରିଛି ଓ କଳାପତାକା ଅଭିଯାନ ଅଧିକ ଶାଣିତ ଆବେଗରେ ଯଥାରୀତି ଚାଲିଛି ।

କିନ୍ତୁ ଶତପଥୀ ଓ ମହାରଥା ଜାରିକରିଥିବା ପ୍ରେସ ବିବୃତ୍ତି ଜନସାଧାରଣଙ୍କ ଦ୍ଵାରା ପ୍ରତ୍ୟାଖ୍ୟାତ ହୋଇଯାଇଥିବା ହେତୁ ଓ କଳାପତାକା ଅଭିଯାନ ବନ୍ଦ ରଖିବାକୁ ସେମାନେ ଅବକାରୀ ଓ ଅର୍ଥ ବିଭାଗଦ୍ଵୟର ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ଦେଇଥିବା ପ୍ରତିଶ୍ରୁତି ଅକାମି ହୋଇଯାଇଥିବା ହେତୁ ତାଙ୍କ ସ୍ତ୍ରୀ ଓ ଝିଅଙ୍କ ଜୀବନ ବିପଦାପନ୍ନ ବୋଲି ସାମାଜିକ ଗଣମାଧ୍ୟମ ଫେସ ବୁକ ପୃଷ୍ଠାରେ ଉଲ୍ଲେଖ କରି ପବିତ୍ର ମହାରଥା ମନ୍ତ୍ରୀ ଶ୍ରୀ ବେହେରାଙ୍କ ଭୂମିକାକୁ ସନ୍ଦେହ ଘେରକୁ ଟାଣି ଆଣିଛନ୍ତି ।

ଏହି ପ୍ରେକ୍ଷାପଟରେ ମନ୍ତ୍ରୀ ଶ୍ରୀ ବେହେରା ନିଜ ସ୍ଥିତି ସ୍ପଷ୍ଟ କରିବାକୁ ଭାଷା ଆନ୍ଦୋଳନର ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକ ତାଙ୍କୁ ଏକ ପତ୍ର ପ୍ରେରଣ କରିଛନ୍ତି ।

ତହିଁରେ ସେ ଲେଖିଛନ୍ତି, “ଉପରୋକ୍ତ ଦୁଇଜଣ ବ୍ୟକ୍ତି ଏହାକୁ (କଳାପତାକା ଅଭିଯାନକୁ) ସ୍ଥଗିତ ରଖିବା ପାଇଁ ଯେହେତୁ ଆପଣଙ୍କ ନାମ ବ୍ୟବହାର କରିଥିଲେ , ଅଥଚ ଗତ କ୍ୟାବିନେଟ ବୈଠକରେ ଆପଣ ସେମାନଙ୍କୁ ଦେଇଥିବା ପ୍ରତିଶ୍ରୁତିର କୌଣସି ଝଲକ ବି ଦେଖିହେଲାନାହିଁ, ସେ ହେତୁ ଆପଣଙ୍କ ନାମ ସେମାନେ ଅଧିକୃତ ଭାବେ ବ୍ୟବହାର କରିଥିଲେ କି ଅନଧିକୃତ ଭାବେ ତାହା ଜାଣିବା ପାଇଁ ସେମାନେ ଜାରିକରିଥିବା ପ୍ରେସ ବିବୃତ୍ତିର ନକଲ ମୁଁ ଏଥି ସହ ସଂଯୁକ୍ତ କଲି । ମୁଁ ଆଶା କରୁଛି ଆପଣ ଏହା ଅନୁଧ୍ୟାନ କରିବେ ଓ ନିଜ ଭୂମିକା ସ୍ପଷ୍ଟ କରି ମୋତେ ଆପଣଙ୍କ ଉତ୍ତର ଦେବେ । ଆପଣ ଯେଉଁ ଉତ୍ତର ଦେବେ ତାହା ମୁଁ ଓଡ଼ିଶାର ଜନସାଧାରଣଙ୍କ ସମ୍ମୁଖରେ ରଖିବି ଓ ଯଦି କୌଣସି ଉତ୍ତର ନ ଦିଅନ୍ତି ତାହା ବି ମୁଁ ଜନସାଧାରଣଙ୍କୁ ଜଣାଇବି । କାରଣ ପରୋକ୍ଷରେ ପବିତ୍ର ମହାରଥା ଏପରି ଏକ ଧାରଣା ସୃଷ୍ଟି କରିଛନ୍ତି ଯହିଁରୁ ଜଣା ପଡୁଛି ସତେ ଯେମିତି କଳାପତାକା ଅଭିଯାନ ବନ୍ଦ କରିବା ପାଇଁ ମୋଟା ଧରଣର ଆର୍ଥିକ ପ୍ରଲୋଭନ ଦ୍ଵାରା ତାଙ୍କୁ ପ୍ରଲୋଭିତ କରାଯାଇଥିଲା । ଏହା ଏକ ଅତ୍ୟନ୍ତ ଦୁଃଖଦାୟକ ବିଭାବନା । ଆମ ରାଜ୍ୟର କୌଣସି ମାନ୍ୟବର ମନ୍ତ୍ରୀ ଏପରି ଏକ ବିଭାବନାର ନାଭିକେନ୍ଦ୍ରରେ ସଂସ୍ଥିତ ହେବା – ତାଙ୍କ ଜ୍ଞାତସାରରେ ହେଉ ବା ଅଜ୍ଞାତରେ – ଆଦୌ କାମ୍ୟ ନୁହେଁ ।”

ପ୍ରେସ ବିବୃତ୍ତିଟିକୁ ଅନୁଧ୍ୟାନ କରିବାକୁ ଶ୍ରୀ ବେହେରାଙ୍କୁ ଅନୁରୋଧ କରି ଶ୍ରୀ ପଟ୍ଟନାୟକ ତାଙ୍କଠାରୁ ତିନି ଗୋଟି ପ୍ରଶ୍ନର ଉତ୍ତର ଚାହିଁଛନ୍ତି । ସେଗୁଡିକ ହେଲା :
(୧) ଏଥିରେ କୁହାହୋଇଥିବା ପରି ବିଧାନସଭାରେ ଭାଷା ଆଇନର ନିର୍ଭୁଲ ସଂଶୋଧନ ପାଇଁ ପ୍ରତିଶ୍ରୁତି ଆପଣ ଦେଇଥିଲେ କି ?
(୨) ଏପରି ପ୍ରତିଶ୍ରୁତି ଦେବାକୁ ଆପଣଙ୍କୁ ଭାଷା ଆଇନର ଦାୟିତ୍ବରେ ଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ କି ?
(୩) ଯଦି ଦେଇଥିଲେ, ଗତ କ୍ୟାବିନେଟ୍ ବୈଠକରେ ତାହା ପ୍ରସ୍ତାବିତ ନ ହେବାର କାରଣ କଣ?

ଅର୍ଥ ମନ୍ତ୍ରୀଙ୍କ ଉତ୍ତର ଯେତେ ଶୀଘ୍ର ମିଳେ ସେତେ ଭଲ ।”

ଲେଖାଟିର ସାରଣୀ: http://bhashaandolan.com/finance-minister-asked-to-clarify/

ଅର୍ଥମନ୍ତ୍ରୀଙ୍କ ବିରୁଦ୍ଧରେ ଏହି ଆହ୍ଵାନକାରୀ ଅଭିଯୋଗ ଯଥେଷ୍ଟ ଥିଲା ଆମ ବିଧାନସଭାର ସଦସ୍ୟମାନଙ୍କୁ ବିଷୟଟି ଉପରେ ବିତର୍କ କରିବା ପାଇଁ । କାରଣ, ପ୍ରସଙ୍ଗ ଥିଲା ଆମ ଜାତିର ଭାଷା, ଯେଉଁ ଭାଷା ଓଡ଼ିଶା ପ୍ରଦେଶକୁ ଜନ୍ମ ଦେଇଛି । ଦୁଃଖର କଥା ସେମାନେ ତାହା କଲେ ନାହିଁ (କ୍ରମଶଃ)

୪.୭.୨୦୧୮

ରାଜ୍ୟପାଳଙ୍କ ଇଂରାଜୀ ଭାଷଣ ଓଡ଼ିଆ ଅସ୍ମିତାର ବିରୁଦ୍ଧାଚରଣ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ନବ ନିର୍ବାଚିତ ଷୋଡ଼ଶ ବିଧାନସଭାର ପ୍ରଥମ ଦିନରେ ମାନ୍ୟବର ଓଡ଼ିଶା ରାଜ୍ୟପାଳ ଯେଉଁ ଭାଷଣ ରଖିଲେ ତାହା ଓଡ଼ିଆ ଅସ୍ମିତାର ଘୋର ବିରୁଦ୍ଧାଚରଣ ବୋଲି କୁହାଯାଇପାରେ । ତାଙ୍କ ମୁହଁରେ ଇଂରାଜୀ ଭାଷାରେ ଭାଷଣ ଦିଆଇ ନବୀନ ପଟ୍ଟନାୟକଙ୍କ ସରକାର ଓଡ଼ିଆ ଜାତିକୁ ଅପମାନିତ କରିଛନ୍ତି ।

ଆମ ପୂର୍ବ ପୁରୁଷେ କେବଳ ଗୋଟିଏ ଉଦ୍ଦେଶ୍ୟରେ ଓଡ଼ିଶା ପ୍ରଦେଶ ସୃଷ୍ଟି କରିଥିଲେ । ତାହା ହେଲା, ଆମର ସମସ୍ତ ଦାପ୍ତରୀକ କର୍ମ ସମ୍ପାଦନ ହେବ ଓଡ଼ିଆ ଭାଷାରେ । ଏହି କାରଣରୁ ଓଡ଼ିଶା ସରକାରୀ ଭାଷା ଆଇନ, ୧୯୫୪ ସ୍ପଷ୍ଟ କହିଛି କି, ଓଡ଼ିଶାର ସର୍ବତ୍ର ସମସ୍ତ ଓ ଯେକୌଣସି କାମ ପାଇଁ ସରକାରୀ ଭାଷା ଅଟେ ଓଡ଼ିଆ ।

ଏହି ଆଇନକୁ ପ୍ରଥମ ସଂଶୋଧନର ଶିକାର କରି ୧୯୬୩ରେ ବିଜୁ ପଟ୍ଟନାୟକ ଭାରତୀୟ ସମ୍ବିଧାନ ପ୍ରତି ପଦାଘାତ କରି କିପରି ଇଂରାଜୀ ଭାଷାକୁ ଆମ ଉପରେ ନଦିଦେଲେ ତାହାର ସବିଶେଷ ଆଲୋଚନା ମୁଁ ରଖିଛି ‘ବିଜୁଙ୍କ ଛୁରା’ ଶୀର୍ଷକ ମୋ ପୁସ୍ତକରେ । ତଥାପି ସେ ଖଞ୍ଜିଥିବା ଧାରା ୩-କ ଇଂରାଜୀ ଭାଷାକୁ ଆମ ବିଧାନସଭା ବ୍ୟାପାରରେ ଏକ ଅତିରିକ୍ତ ଭୂମିକା ଦେଇଛି, ମୂଳ ଭୂମିକା ନୁହେଁ । ଏଥିରେ କୁହା ହୋଇଛି, ବିଧାନସଭାର କାର୍ଯ୍ୟ ସମ୍ପାଦନରେ ଇଂରାଜୀ ଭାଷା ଓଡ଼ିଆ ଭାଷା ଅଧିକନ୍ତୁ ବ୍ୟବହାର ହୋଇପାରେ । ଅତଏବ, ଇଂରାଜୀ ବ୍ୟବହାର ବାଧ୍ୟତାମୂଳକ ନୁହେଁ । ବାଧ୍ୟତାମୂଳକ ହେଲା ଓଡ଼ିଆ ଭାଷାର ବ୍ୟବହାର । ଇଂରାଜୀ ଅଧିକନ୍ତୁ ଓଡ଼ିଆ ନୁହେଁ, ଓଡ଼ିଆ ଅଧିକନ୍ତୁ ଇଂରାଜୀ ଚାଲିପାରେ, ନ ଚାଲିପାରେ । ଏହା ହିଁ ହେଲା ଆଇନର ସ୍ପଷ୍ଟ ନିର୍ଦ୍ଦେଶ । ଏହି ନିର୍ଦ୍ଦେଶକୁ ଅବଜ୍ଞା କରି ରାଜ୍ୟ ସରକାର ରାଜ୍ୟପାଳଙ୍କ ମୁହଁରେ ଇଂରାଜୀରେ ଅଭିଭାଷଣ ରଖାଇବା ଓଡ଼ିଆ ଅସ୍ମିତା ଉପରେ ପଦାଘାତ ।

ରାଜ୍ୟପାଳ ତାଙ୍କ ଭାଷଣର ପ୍ରତୀକାତ୍ମକ ଆରମ୍ଭ କଲାପରେ ତାଙ୍କ ତରଫରୁ କେହି ବି ଅଧିକୃତ ପଦାଧିକାରୀ ଓଡ଼ିଆ ଭାଷାରେ ସମଗ୍ର ଭାଷଣଟି ପାଠ କରିପାରିଥାନ୍ତେ । କୌଣସି ଆଇନଗତ ଅସୁବିଧା ଏଥିରେ ନ ଥିଲା ; ଅସୁବିଧା ଥିଲା ମାନସିକତାରେ ।

ଏହି ଓଡ଼ିଆ ବିରୋଧୀ ମାନସିକତା ଯେତେ ଶୀଘ୍ର ବଦଳେ, ସେତେ ଭଲ ।

ସରିଯାଇଥିବା ବିଧାନସଭା ଓ ଆମ ଭାଷା -୫

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ବାସ୍ତବତା ହେଲା ଏହାହିଁ ଯେ, ୧୯୫୪ରେ ଭାଷା ଆଇନଟି ପ୍ରଣୀତ ଓ ପ୍ରବର୍ତ୍ତିତ ହୋଇଥିଲେ ମଧ୍ୟ ୨୦୧୫ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରୁନଥିବାରୁ ତାହାକୁ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଆ ଭାଷା ସୁରକ୍ଷା ସମିତି ଓ ଓଡ଼ିଆ ଭାଷା ସଂଗ୍ରାମ ସମିତି ଆନ୍ଦୋଳନ କରୁଥିଲେ । ଅଫିସମାନଙ୍କରେ ଓଡ଼ିଆରେ କାମ ହେଉ ବୋଲି ସରକାରଙ୍କ ପକ୍ଷରୁ ବାରମ୍ବାର ନିର୍ଦ୍ଦେଶନାମା ଯାଉଥିଲା । କେହି ତହିଁପ୍ରତି କର୍ଣପାତ କରୁନଥିଲେ । କଣ କରିବାକୁ ହେବ ବୁଝି ନ ପାରି ମୁଖ୍ୟମନ୍ତ୍ରୀ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କଲେ ୩୧.୭.୨୦୧୫ ତାରିଖରେ ଯହିଁରେ ଆଉ ୬ ଜଣ ବେସରକାରୀ ସଦସ୍ୟଙ୍କ ସହ ମୁଁ ବି ଜଣେ ମନୋନୀତ ସଦସ୍ୟ ଥିଲି । କମିଟି ସମ୍ମୁଖରେ ଏକମାତ୍ର ପ୍ରସଙ୍ଗ ଥିଲା ଓଡିଶା ସରକାରୀ ଭାଷା ଆଇନ, ୧୯୫୪ର କାର୍ଯ୍ୟକାରୀତା ।

କେଉଁ କାରଣ ହେତୁ ଆଇନଟି କାର୍ଯ୍ୟକାରୀ ହୋଇ ପାରୁନାହିଁ ତହିଁ ଉପରେ ସବିଶେଷ ଗବେଷଣା କରି ମୁଁ ସରକାରଙ୍କୁ ପାର୍ଶ୍ଵସ୍ଥ ପରାମର୍ଶ ଓ ଚିଠା ଦେଇଥିଲି ।

ଆଇନଟି ଯେହେତୁ ଇଂରାଜୀରେ ଥିଲା, ସେହେତୁ ମୋର ଉପରୋକ୍ତ ପରାମର୍ଶ ସହ ସଂଯୁକ୍ତ ହୋଇ ରହିଥିଲା ଇଂରାଜୀରେ ଲିଖିତ ମୋର ଚିଠା । ଓଡ଼ିଶା ସରକାର ତାର ଏକ ଓଡ଼ିଆ ଅନୁବାଦ କରାଇଥିଲେ । bhasha॰odisha॰gov॰inରେ ତାହାକୁ ପ୍ରକାଶ ବି କରିଥିଲେ ।

ଭାଷା ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଷଡ଼ଯନ୍ତ୍ର କାରଣରୁ ତାହାକୁ ଅନୁପଲଭ୍ୟ କରାଇଦେଇଛନ୍ତି । ତେଣୁ ସବୁ ଓଡ଼ିଆଙ୍କ ଅବଗତି ପାଇଁ ମୁଁ ତାର ଏକ ଓଡ଼ିଆ ଅନୁବାଦ କରି scribd॰comରେ ସ୍ଥାନିତ କରିଛି । ତାହାକୁ ଏଠାରେ ରଖୁଛି ଆଲୋଚନାର ସୁବିଧା ପାଇଁ ।

Legislation Proposed by Sub… by on Scribd

(କ୍ରମଶଃ)
୩୧.୫.୨୦୧୯