ପ୍ରେମକୁଞ୍ଜରେ ପୋଲିସ : ଅନ୍ଧକାରରେ ଓଡ଼ିଆ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ବୁଧବାର ଆମକୁ ମିଳିଥିଲା କଟକ-ଭୁବନେଶ୍ଵର ଦ୍ଵୈତନଗରୀରେ ପୋଲିସ-ପ୍ରେମକୁଞ୍ଜର ଏକ ଲୋମହର୍ଷଣକାରୀ ବିବରଣୀ ସ୍ଵୟଂ ପୋଲିସ କମିସନରଙ୍କ ସୌଜନ୍ୟରୁ । ଭାଷା ଆଇନ ଅକାମି ହୋଇ ଓଡ଼ିଆ ଜାତି ଅନ୍ଧକାରରେ ପଡ଼ିଥିବା ବେଳେ ଇଂରାଜୀ ଭାଷାରେ ନିର୍ଯ୍ୟାତନା ଚଳାଇଥିବା ପୋଲିସର ଏହି ତୁଙ୍ଗ ଅଧିକାରୀ ଶ୍ରୀ ସୁଧାଂଶୁ ଷଡ଼ଙ୍ଗୀ ବଡ଼ ଗର୍ବର ସହ କହିଥିଲେ, ମାତ୍ର ବର୍ଷକ ଭିତରେ ୨୫ କୋଟି ଟଙ୍କା ଆଦାୟ ହୋଇଛି ଟ୍ରାଫିକ ନିୟମ ଉଲଂଘନକାରୀମାନଙ୍କଠାରୁ ଏବଂ ପୋଲିସକୁ ଆଖିମିଟିକା ମାରି ଯିଏ ଖସି ଯାଉଛି ତା ଘରେ ପହଞ୍ଚୁଛି “ପ୍ରେମପତ୍ର” ପୋଲିସ ମଞ୍ଜୁଷାକୁ ମଞ୍ଜୁଳତର କରିବା ପାଇଁ । ପ୍ରତ୍ୟହ ଏପରି ପ୍ରାୟ ୩୫୦ ପ୍ରେମପତ୍ର ଓଡ଼ିଆମାନଙ୍କ ଘରେ ପହଞ୍ଚୁଛି ବୋଲି ସେ କହିଥିଲେ । ସିସିଟିଭି ଜଗିଛି, ଖସିଯିବାର ଉପାୟ ନାହିଁ ।

କମିଶନର ଜାଣିଶୁଣି ହୁଏତ କହିନାହାନ୍ତି ବା କହିବାକୁ ଭୁଲି ଯାଇଛନ୍ତି ଯେ, ଗତ ବର୍ଷ – ଫେବୃଆରୀ ୨୦ରେ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ପରିବହନମନ୍ତ୍ରୀ ବିଧାନସଭାରେ କହିଥିଲେ, ୨୦୧୯ ସେପ୍ଟେମ୍ବରରୁ ୨୦୨୦ ଜାନୁଆରୀ ମଧ୍ୟରେ ଆଦାୟ ହୋଇଥିବା ଏହି “ପ୍ରେମ” ବଟିର ପରିମାଣ ଥିଲା ୩୮.୬୭ କୋଟି ଟଙ୍କା ।

ଅତଏବ ୨୦୧୯ ସେପ୍ଟେମ୍ବର ଓ ୨୦୨୧ ଜାନୁଆରୀ – ଏହି ୨୫ ମାସ ଭିତରେ ଟ୍ରାଫିକ ନିୟମ ଲଙ୍ଘନ କରିଥିବା କାରଣରୁ ଓଡ଼ିଆ ଲୋକଙ୍କଠାରୁ ପୋଲିସ ଆଦାୟ କରିଛି ୬୩.୬୭ କୋଟି ଟଙ୍କା ।

ଓଡ଼ିଆ ଲୋକଙ୍କ ଘରକୁ ପଠାଯାଉଥିବା ଜୋରିମାନା ଆଦେଶକୁ “ପ୍ରେମପତ୍ର” ବୋଲି କହି ସେମାନଙ୍କ ମଜା ଉଡ଼ାଉଥିବା ପୋଲିସ ଏଯାଏଁ କହିନି କେଉଁ ବର୍ଗର ଲୋକେ ଟ୍ରାଫିକ ନିୟମ ଅବଗତ ଥାଇ ବି ଉଲ୍ଲଂଘନ କରୁଛନ୍ତି । ଜଣେ ଅଶିକ୍ଷିତ ଅଟୋ ରିକ୍ସା ଚାଳକଙ୍କୁ ୨୦୧୯ ସେପ୍ଟେମ୍ବର ୪ ତାରିଖରେ ୫୨ ହଜାର ଟଙ୍କା ଜୋରିମାନା କରାହୋଇଥିଲା, ଯେତେବେଳେ ମାତ୍ର ୩ ଦିନ ପୂର୍ବରୁ ସେ ମାସ ପହିଲା ତାରିଖରେ ଏ ନିୟମ ପ୍ରବର୍ତ୍ତିତ ହୋଇଥିଲା ଓ ଖୁବ ଶିକ୍ଷିତ ଲୋକେ ବି ଏହା କଣ, ତାହା ଜାଣି ନଥିଲେ । ଅଜସ୍ର ଘଟଣାରୁ ଏହା ମାତ୍ର ଗୋଟିଏ ।

ଆମ୍ଭେ ସେତେବେଳେ ଲେଖିଥିଲୁ, ଟ୍ରାଫିକ ନିୟମାବଳୀ ତୁରନ୍ତ ସାଧାରଣ ବୋଧଗମ୍ୟ ଓଡ଼ିଆରେ ଅନୁବାଦ କରି ସର୍ବତ୍ର ବଣ୍ଟନ କରାଯାଉ ଓ ଲୋକେ ତାହା ହୃଦୟଙ୍ଗମ କଲା ପରେ ଆଶା କରାଯାଉ ଯେ, ସେମାନେ ତାହା ପାଳନ କରିବେ । ଆଜି ଯାଏଁ ତାହା ହୋଇନି । ଅଥଚ ନିୟମ ଉଲ୍ଲଂଘନ ହେଲା ବୋଲି ପୋଲିସ ଜୁଲୁମ ଚାଲିଛି ଓ ଯଦୃଚ୍ଛା ଜୋରିମାନା ଜାରିକୁ “ପ୍ରେମପତ୍ର” କହି ଓଡ଼ିଆ ଜାତିର ଅସ୍ମିତା ପ୍ରତି ତାତ୍ସଲ୍ୟ ପ୍ରଦର୍ଶନ କରୁଛନ୍ତି ପୋଲିସ ।

ଏହି ଜୁଲୁମ ଜାରି “ପ୍ରେମପତ୍ର” ?

ଦେଶୀ-ଇଂରାଜିଆ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଚାଟୁକାରମାନେ ଓଡ଼ିଆ ଜାତିକୁ ଆଉ କେତେ ଅପମାନ ଦେବେ ?

ଭାଷା ଆଇନ ସଂଶୋଧନରେ ବ୍ୟବହୃତ ଜାଲିଆତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମେତ ଏମ୍ଏଲ୍ଏମାନଙ୍କୁ ଭାଷା ଆନ୍ଦୋଳନ ପ୍ରତିଷ୍ଠାତାଙ୍କ ପତ୍ର

ଆମ ପ୍ରିୟ ବିଧାନସଭାର ମାନ୍ୟବର ସଦସ୍ୟବୃନ୍ଦ,
ଓଡ଼ିଶା ସରକାରୀ ଭାଷା ଆଇନକୁ ଅକର୍ମଣ୍ୟ କରିଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ବିଧାନସଭାରେ ତହିଁରେ ଯେଉଁ ତିନୋଟି ହାନୀକାରକ ସଂଶୋଧନ କରିଛନ୍ତି ସେଗୁଡିକୁ ବିଲୁପ୍ତ କରି ଶୁଦ୍ଧ ସଂଶୋଧନ ଦ୍ଵାରା ଆମ ଭାଷା ଆଇନକୁ ଶକ୍ତିଶାଳୀ କରିବା ପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ।

ସବୁଠୁ ଦୁଃଖ ଓ ଲଜ୍ଜାର କଥା , ଏହି ଭୁଲ ସଂଶୋଧନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଭୂତପୂର୍ବ ଜାଲିଆତିରେ ଜଡିତ ଓ ଉପଯୁକ୍ତ ବିଚାର ବିନା ସେହି ଅବୈଧ ଚିଠା ବିଧେୟକଗୁଡ଼ିକୁ ଗ୍ରହଣ କରି ତଦ୍ଦୃପ ଆଇନ ସଂଶୋଧନ କରିଥିବା ହେତୁ ଇତିହାସ ଚକ୍ଷୁରେ ପଞ୍ଚଦଶ ବିଧାନସଭା ନିନ୍ଦିତ ହୋଇରହିବାକୁ ବାଧ୍ୟ । ସେହେତୁ ସେଗୁଡିକର ବିଲୋପନ କରି ଆମ ବିଧାନସଭାର ସମ୍ମାନ ରକ୍ଷା କରିବା ପାଇଁ ମୁଁ ଆପଣମାନଙ୍କୁ ନିବେଦନ କରୁଛି ।

ନ୍ୟାୟାଳୟରେ ଓଡ଼ିଆ ଭାଷା ପ୍ରଚଳନ ପାଇଁ ୨୦୧୫ରେ ଯେଉଁ ଅନଶନ ଧର୍ମଘଟ ହୋଇଥିଲା ତାହାର ପରିସମାପ୍ତି ଘଟିଥିଲା ଭାଷା ଆଇନର କାର୍ଯ୍ୟକାରୀତା ଉପରେ ମୁଖ୍ୟମନ୍ତ୍ରୀ ୩୧.୭.୨୦୧୫ ତାରିଖରେ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିବା ହେତୁ । ଏହି କମିଟିର ଜଣେ ସଦସ୍ୟ ଭାବେ ମୁଁ ଭାଷା ଆଇନର ସଂଶୋଧନ ଓ ନିଯମାବଳୀ ପ୍ରଣୟନ ଦ୍ଵାରା ତହିଁର ଅଲଙ୍ଘ୍ୟ ପ୍ରବର୍ତ୍ତନ ପାଇଁ ନିର୍ଦ୍ଦିଷ୍ଟ ପ୍ରସ୍ତାବ ଓ ପ୍ରସ୍ତାବିତ ବିଧାନର ଚିଠା ପ୍ରଦାନ କରିଥିଲି ୩.୯.୨୦୧୫ ତାରିଖରେ, ଯହିଁର ସମାର୍ଜନ କରି ବିଧି ବିଭାଗ ଭାଷା ଆଇନରେ ଧାରା ୪ ଖଞ୍ଜିବାକୁ ସ୍ମାରକ ଅନୁମୋଦନ କରିଥିଲା । ଏହି ଆଇନ ସମ୍ମତ ଅନୁମୋଦନ ୨୦.୫.୨୦୧୬ ତାରିଖରେ ଆଇନ ବିଭାଗରୁ ଆସିଯିବା ପରେ ବିଧାନସଭା ଅଧିବେଶନକୁ ଆକସ୍ମିକ ଭାବେ ବନ୍ଦ କରିଦିଆଗଲା ଓ ୨୧.୫.୨୦୧୬ ତାରିଖରେ ଅଧ୍ୟାଦେଶ ଜାରିକରାଯାଇ ମୋ ପ୍ରଦତ୍ତ ପ୍ରସ୍ତାବ ଅନୁରୂପେ ପ୍ରସ୍ତୁତ ଧାରା ୪କୁ ଧାରା ୫ରେ ପରିଣତ କରି ଧାରା ୪ ଭାବେ ଏକ ଅନଧିକୃତ ବ୍ୟବସ୍ଥା ଖଞ୍ଜିଦିଆଗଲା ସେହି ଅଧ୍ୟାଦେଶରେ, ଯହିଁରେ ଅତି ଧୂର୍ତ୍ତତାର ସହ ଆମ ଭାଷା ଆଇନକୁ ଅକର୍ମଣ୍ୟ କରିବାର ବୀଜ ବପନ ହୋଇଥିଲା ।

ଯେତେବେଳେ ମୋ ପ୍ରସ୍ତାବ ଆଇନ ବିଭାଗର ସମାର୍ଜନ ପାଇଁ ପ୍ରେରିତ ହୋଇଥିଲା, ସେହି ସମୟରେ ତଦାନୀନ୍ତନ ସଦସ୍ୟ ନବକୁମାର ଦାସଙ୍କ ଏକ ପ୍ରଶ୍ନର ଉତ୍ତର ଛଳରେ ୧୪.୧୨.୨୦୧୫ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଆଇନ ସଂଶୋଧନ ପ୍ରସ୍ତାବ ବିଧିବିଭାଗରେ ଅନୁମୋଦନ ପାଇଁ ଥିବା ସୁଚାଇଥିଲେ ; କିନ୍ତୁ ମାତ୍ର ୩ ଦିନ ପରେ ଏପରି ଏକ ଭିନ୍ନ ଆଭିମୁଖ୍ୟ ଗ୍ରହଣ କଲେ ଯେ, ୧.୪.୨୦୧୬ରେ ମୋତେ ଭାଷା ଆନ୍ଦୋଳନ ପ୍ରତିଷ୍ଠା କରିବାକୁ ପଡିଲା ଓ ମୋ ପ୍ରଦତ୍ତ ପ୍ରସ୍ତାବର କାର୍ଯ୍ୟକାରୀତା ଦାବିରେ ୧୩.୪.୨୦୧୬ରୁ ବିଧାନସଭା ସମ୍ମୁଖସ୍ଥ ଭାଷା ଆଇନ ପ୍ରଦାତା ନବବାବୁଙ୍କ ପ୍ରତିମୂର୍ତ୍ତି ପଦଦେଶରୁ ରାଜଭବନ ସମ୍ମୁଖସ୍ଥ ମଧୁବାବୁଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ପ୍ରତ୍ୟହ ନୀରବ କଳାପତାକା ଅଭିଯାନ ଚଳାଇବାକୁ ହେଲା । ଏହି ଅଭିଯାନ ଚାଲିରହିଲା ଅଧ୍ୟାଦେଶରେ ଜାଲିଆତି ବଳରେ ଭର୍ତ୍ତି କରାହୋଇଥିବା ଧାରା ୪ର ଦୁରଭିସନ୍ଧି ଧରାପଡ଼ିଯିବା ହେତୁ । ମୁଖ୍ୟମନ୍ତ୍ରୀ ମୋତେ ୧୯.୫.୨୦୧୭ରେ ଆଲୋଚନା ପାଇଁ ଡ଼ାକିଥିଲେ ଓ ମୁଁ ତାଙ୍କୁ ଧାରା-୪ର ବିଲୋପନ ପାଇଁ ପରାମର୍ଶ ଦେଇ ତାର ବିକଳ୍ପ ବିଧାନର ଚିଠା ବି ଦେଇଥିଲି । ଆପଣମାନଙ୍କ ଭିତରୁ ସର୍ବଶ୍ରୀ ଦେବୀ ପ୍ରସାଦ ମିଶ୍ର, ପ୍ରତାପ କେଶରୀ ଦେବ ଓ ପ୍ରଫୁଲ୍ଲ ସାମଲ ତହିଁର ସାକ୍ଷୀ ।

ଦୁର୍ଭାଗ୍ୟ , ଏହା ଉପରେ ଆରମ୍ଭ ହେଲା ଜାଲିଆତି ଦ୍ଵାରା ଭାଷା ଆଇନର ଉଦ୍ଦେଶ୍ୟ ପଣ୍ଡ କରିବାର ପର୍ବ ।

୧                       କାର୍ଯ୍ୟ ନିୟମାବଳୀର ସମ୍ପୂର୍ଣ୍ଣ ଉଲଂଘନ କରାଯାଇ , ରାଜ୍ୟପାଳଙ୍କୁ ଅନ୍ଧକାରରେ ରଖି, ବିଧି ବିଭାଗ ଓ ଅର୍ଥ ବିଭାଗର କୌଣସି ଅନୁମୋଦନ ନଥାଇ ୨୬.୧୨.୨୦୧୭ ତାରିଖରେ ପୁରୀରେ ଏକ ସ୍ଵତନ୍ତ୍ର କ୍ୟାବିନେଟ ବୈଠକ କରି ବହୁବିଭାଗକୈନ୍ଦ୍ରିକ ୨୦ଟି ପ୍ରସ୍ତାବ ଗ୍ରହଣ କରଯାଇଥିଲା ଯେଉଁଥିରୁ ପ୍ରସ୍ତାବ ୩ ଥିଲା ଭାଷା ଆଇନ ସଂଶୋଧନ ସମ୍ପର୍କରେ । ତାହା ହେଲା-
“ସରକାରୀ ଭାଷା ଆଇନ ୧୯୫୪ରେ ସଂଶୋଧନ ଅଣାଯାଇ ବିହିତ ଦଣ୍ଡବିଧାନ ବ୍ୟବସ୍ଥା ସହିତ ଓଡ଼ିଆ ଭାଷାର ବହୁଳ ବ୍ୟବହାର କରୁଥିବା ବିଭାଗ ତଥା କର୍ମଚାରୀଙ୍କୁ ପ୍ରୋତ୍ସାହିତ କରାଯିବ । ଏଥିପାଇଁ ବିଭାଗ ଗୁଡିକ ନିର୍ଦ୍ଦିଷ୍ଟ ମାନଦଣ୍ଡ ଏବଂ କ୍ଷେତ୍ର ନିର୍ଦ୍ଧାରଣ କରିବେ । ଜିଲ୍ଲା, ରାଜସ୍ୱ ଡିଭିଜନ ଏବଂ ରାଜ୍ୟ ସ୍ତରରେ ଏଥିନିମନ୍ତେ ପ୍ରଶାସନିକ ବ୍ୟବସ୍ଥା ତା ୦୧.୦୪.୨୦୧୮ ଠାରୁ କାର୍ଯ୍ୟକାରୀ କରାଯିବ ।”

ମୁଁ ଏହାର ଘୋର ପ୍ରତିବାଦ କରିଥିଲି, କାରଣ ଏହା ଭାଷା ଆଇନର ପ୍ରତିଷ୍ଠିତ ବ୍ୟବସ୍ଥା ତଥା ପରିସୀମା ହ୍ରାସ ପାଇଁ ଉଦ୍ଦିଷ୍ଟ ଥିଲା ଓ କର୍ମଚାରୀଙ୍କ ଭୁଲ ପାଇଁ ଓଡ଼ିଶାର ଜନସାଧାରଣଙ୍କୁ ଦଣ୍ଡିତ କରିବା ଉପାଦାନ ବହନ କରୁଥିଲା । ମୋର ସବୁ ସାଥୀ ଏହି ପ୍ରତିବାଦରେ ସାମିଲ ଥିଲେ । 

ଆପଣମାନଙ୍କ ମଧ୍ୟରେ ଥିବା ବହୁ ମନ୍ତ୍ରୀ ଓ ସଦସ୍ୟଙ୍କୁ ଘର ଘର ବୁଲି ମୁଁ ଏହା ବୁଝାଇଥିଲି ଓ ଗଣମାଧ୍ୟମରେ ଚର୍ଚ୍ଚା କରିଥିଲି । ଫଳରେ ଏହାକୁ କାର୍ଯ୍ୟକାରୀ କରାହୋଇନଥିଲା ଓ ଏହାର ସମୟସୀମା ସରିଯାଇଥିଲା ।

୨                               ମୋ ଯୁକ୍ତି ଦୃଷ୍ଟିରୁ ସରକାର ନିୟମସିଦ୍ଧ ଭାବେ ପୁନଶ୍ଚ ଏକ ସ୍ମାରକ ପ୍ରସ୍ତୁତ କରିଥିଲେ, ଯାହାକୁ ବିଧି ବିଭାଗ ଅନୁମୋଦନ ଦେଲା ପରେ ୧୪.୩.୨୦୧୮ ତାରିଖରେ କ୍ୟାବିନେଟ ବସି ସେହି ସ୍ମାରକ ଅନୁମୋଦନ କରି ତଦନୁଯାୟୀ ତୁରନ୍ତ ଆଇନ ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଧିକାର ପ୍ରଦାନ କରିଥିଲେ । ତାହା ବିଧିସମ୍ମତ ଓ ଓଡ଼ିଆ ଭାଷା ପାଇଁ ହିତକାରକ ଥିଲା । ତଦନୁଯାୟୀ ପ୍ରସ୍ତୁତ ବିଧେୟକକୁ ବିଧାନସଭାରେ ଏକ ପ୍ରଚ୍ଛଦ ପତ୍ର ସହ ମୁଖ୍ୟମନ୍ତ୍ରୀ ପଇଠ କରିଥିଲେ ୩୧.୩.୨୦୧୮ତାରିଖରେ । ମାତ୍ର ସଦସ୍ୟମାନଙ୍କ ମଧ୍ୟରେ ତାହା ପରିବଣ୍ଟିତ ହେବା ଓ ବିଧାନସଭାରେ ଆଲୋଚନା ପାଇଁ ଗୃହିତ ହେବା ବେଳକୁ ତାହା ବଦଳିଯାଇଥିଲା ଓ ୧୪.୩.୨୦୧୮ କ୍ୟାବିନେଟ ପ୍ରସ୍ତାବ ପରିବର୍ତ୍ତେ ସମୟ ଅତିକ୍ରାନ୍ତ ତଥା ଆଇନ ବହିର୍ଭୂତ ଶୈଳୀରେ ଗୃହିତ ପୁରୀ କ୍ୟାବିନେଟ ବୈଠକର ପ୍ରସ୍ତାବକୁ ସେହି ବିଧେୟକର ଆଧାର କରା ହୋଇଥିଲା ।

ବିଧାନସଭା ବିରୁଦ୍ଧରେ ଏହି ଜାଲିଆତି ଏକ ଜଘନ୍ୟ ଅପରାଧ ।

୩                                     ମୁଁ ପଞ୍ଚଦଶ ବିଧାନସଭା ସଭ୍ୟମାନଙ୍କୁ ଏହା ଅବଗତ କରାଇଥିଲି । ଏହି ଜାଲିଆତି କରିଥିବା ବ୍ୟକ୍ତି ଏତେ ବିଚଳିତ ଓ ଉଗ୍ର ଥିଲେ ଯେ, ସେହି ବିଧେୟକ (ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ବିଧେୟକ, ୨୦୧୮ର ଆଧାର ଭାବେ ଜାଲିଆତି ଦ୍ଵାରା ନିଆହୋଇଥିବା ପ୍ରସ୍ତାବକୁ ବି ମନଇଚ୍ଛା ବଦଳାଇଥିଲେ । ଏହିପରି ଦୋଷପୂର୍ଣ୍ଣ ଭାଷାରେ, ସଂପୂର୍ଣ୍ଣ ଜାଲିଆତି ଦ୍ଵାରା ଭାଷା ଆଇନରେ ଯୋଡା ହେଲା ଧାରା-୪କ , ଯାହା ପୂର୍ବ ଆଲୋଚିତ ଧାରା ୪ର ଅବୈଧତାକୁ ବୈଧ ବି କଲା ।

୪                                       ଅତି ଅବୈଧ ଭାବେ ମୋ ସହକର୍ମୀମାନଙ୍କ ଅର୍ଥତୃଷ୍ଣା ପରିପୂର୍ଣ୍ଣ କରି ସରକାର ଭାଷା ଆନ୍ଦୋଳନକୁ ଚପାଇ ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ଏହି ଆନ୍ଦୋଳନ ଦୃଢ ରହିବାରୁ ୪କ ଧାରାର ପୁନଃ ସଂଶୋଧନ କରି ପୂର୍ବ ପ୍ରମାଦକୁ କାଏମ ରଖିଛନ୍ତି ଓ ଭାଷା ଆଇନକୁ ଏପରି ଅକର୍ମଣ୍ୟ କରିଦେଇଛନ୍ତି ଯେ, ଏହି ଉଭୟ ଧାରା – ଧାରା ୪ ଓ ଧାରା ୪କ – ବିଲୁପ୍ତ ନ ହେଲେ ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା କେବେ ବି ସମ୍ଭବ ହେବ ନାହିଁ ।

ଏହା କହି, ମୁଁ ଆପଣମାନଙ୍କ ଓଡ଼ିଆପଣକୁ ପ୍ରାର୍ଥନା କରୁଛି କି , ଆମ ଭାଷା ବିରୁଦ୍ଧରେ ଅଣଓଡ଼ିଆ ଏବଂ ଓଡ଼ିଆବିଦ୍ଵେଷୀ ଗୋଷ୍ଠୀର ଚକ୍ରାନ୍ତରୁ ଆପଣମାନେ ମାଆ ଓଡ଼ିଶା ଏବଂ ଓଡ଼ିଆ ଭାଷାଜନନୀଙ୍କୁ ରକ୍ଷା କରନ୍ତୁ ।

ମୁଁ ସୁଚାଇଥିବା ଜାଲିଆତିର ତଦନ୍ତ କରିବାକୁ ନିଷ୍ପତ୍ତି ନିଅନ୍ତୁ ଏବଂ ଭାଷା ଆଇନରୁ ଧାରା ୪ ତଥା ଧାରା ୪କ ବିଲୋପ କରି, ସେହି ଦୁଇ ଧାରାକୁ ବିଧିଭୁକ୍ତ କରିବା ପାଇଁ ଯେଉଁ ପଦାଧିକାରୀ ଜାଲିଆତିର ପ୍ରୟୋଗ କରିଛନ୍ତି ସେ ବା ସେମାନେ ବିଧାନସଭା ବିରୁଦ୍ଧରେ ଘୋର ଅପରାଧ କରିଥିବା ହେତୁ ତହିଁ ବିରୁଦ୍ଧରେ ଦଣ୍ଡବିଧାନ ପାଇଁ ଉପଯୁକ୍ତ ନିଷ୍ପତ୍ତି ଗ୍ରହଣ କରନ୍ତୁ । ଭାଷା ଆଇନର ପୁନଃ ସଂଶୋଧନ ଦ୍ଵାରା ତାହାକୁ ନିର୍ଭୁଲ କରିବାକୁ ସରକାର ରାଜି ନ ହେଲେ, ଆପଣମାନେ ନିଜ ନିଜ ସ୍ତରରେ ଘରୋଇ ବିଲ୍ ପ୍ରସ୍ତୁତ କରି ବିଧାନସଭାର ଆଗାମୀ ଅଧିବେଶନରେ ଆଇନ ସୁଧାର ପାଇଁ ବିଧିକ ପଦକ୍ଷେପ ନିଅନ୍ତୁ ।
ଓଡ଼ିଆ ଜାତି ଆପଣମାନଙ୍କଠାରୁ ସର୍ବନିମ୍ନ ଏତିକି ଆଶା କରେ ।
। ଇତି ।
ସୁଭାଷ ଚନ୍ଦ୍ର ପଟ୍ଟନାୟକ ,
ପ୍ରତିଷ୍ଠାତା, ଭାଷା ଆନ୍ଦୋଳନ, ଓଡ଼ିଶା
୩.୨.୨୦୨୧

ଗୋଡ଼ାଣିଆ ନହୋଇ ଓଡ଼ିଆ ହୁଅ ; ରାଜଭାଷା ପ୍ରେକ୍ଷାପଟରେ ବିଜେଡିସଭ୍ୟଙ୍କୁ ପରାମର୍ଶ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ଜାତି ବିରୁଦ୍ଧରେ ଦୁଇଟି ଅପରାଧ କରିଛନ୍ତି । ଆମ ଜାତିକୁ ଭାଷା ଅଧିକାରରୁ ବଞ୍ଚିତ କରିବା ପାଇଁ ସେ ଗୋଟିଏ ଦିନର ମନ୍ତ୍ରୀମଣ୍ଡଳ ପ୍ରସ୍ତାବ ଉପରେ ସ୍କାମ୍ ସଂଘଟିତ କରିଥିବା ବେଳେ, ଆଉ ଗୋଟିଏ ଦିନର ମନ୍ତ୍ରୀମଣ୍ଡଳ ପ୍ରସ୍ତାବ ଉପରେ ଜାଲିଆତି କରିଛନ୍ତି ।

କ୍ଷମତାସୀନ ଦଳ ତା ଜନ୍ମଦିନ ପାଳୁଥିବା ବେଳେ ମୁଁ ସେମାନଙ୍କୁ ଗୋଡ଼ାଣିଆ ନହୋଇ ଓଡ଼ିଆ ହେବାକୁ ପରାମର୍ଶ ଦେଇଛି ଓ ଉପରୋକ୍ତ ଅଭିଯୋଗର ସତ୍ୟାସତ୍ୟ ସେମାନଙ୍କ ମାଲିକ (supremo)ଙ୍କ ଠାରୁ ବୁଝନ୍ତୁ ଓ ୨୬.୧୨.୨୦୨୦ରେ ସେମାନେ ପାଳିଥିବା ଦଳୀୟ ଜନ୍ମଦିନରେ ଓଡ଼ିଆରେ ଓଡ଼ିଶାର ପରିଚାଳନା ପାଇଁ ହୋଇଥିବା ଘୋଷଣା କୁଆଡ଼େ ଗଲା ବୋଲି ପଚାରନ୍ତୁ ।

 

ଜହ୍ନଲୋ! କହ

ଉମାକାନ୍ତ ରାଉତ 
(ମାଆ ଓ ଭାଷାମାଆକୁ ସମର୍ପିତ)

[ଯେଉଁଦିନ ଓଡ଼ିଆ କବିମାନେ ଭାଷାଜୀବୀ ନ ହୋଇ ଭାଷାପ୍ରାଣ ହେବେ ସେଦିନ ଫେରିଆସିବ ଆମ ଭାଷା ଜନନୀର ପ୍ରାଣସତ୍ତା । ଆମ କବିକୁଳ ପୁରସ୍କାର ପଛରେ ନ ଗୋଡ଼ାଇ ଉମାକାନ୍ତ ରାଉତଙ୍କ ପଦାଙ୍କ ଅନୁସରଣ କରନ୍ତୁ , ଆମ ଭାଷାରେ ଆମ ରାଜ୍ୟ ପରିଚାଳନା ପାଇଁ ସରକାର ବାଧ୍ୟ ହେବେ ।]


ଜହ୍ନକୁ ସେଦିନ ପଚାରିଲି ପ୍ରଶ୍ନ
ନିରୋଳା ସଂଜ ଲଗନରେ
ଜ୍ୟୋସ୍ନାଧାର ଗୋ !
ଜ୍ୟୋଚ୍ଛନା କାହିଁକି ଊଣା କରୁ ତୁହି
ପ୍ରିୟମାଟି ମୋର ଓଡ଼ିଶାରେ ?
ଭାଷା ହତ୍ୟାକାରୀ ବିଯୁକ୍ତ ଚିନ୍ତାରେ
ଭରୁନାହୁଁ କିଆଁ ଯୁକ୍ତ କିରଣ ବାରିଧାର
ଭ୍ରଷ୍ଟ ଶାସକ ବିବେକ ପେଡ଼ିରୁ ତାଲା ଖୋଲିଯା`ନ୍ତା
ଶାନ୍ତଓଡ଼ିଶା ମୋ` ହୁଆନ୍ତାନି ଆଉ ଥରହର
ଅକୁହା ଭାଷାରେ ଜହ୍ନ କହିଲା
କେମିତି କହିବି –
କୁଆଁରୀ ମାଆର ପ୍ରସବ ବେଦନା
ଅନୁଭବୀଟିଏ ବୁଝେ ସିନା;
ପୁଞ୍ଜି ମଞ୍ଜି ଦେହ ଭୋଗରୁ ଉଦ୍ଭବ
ନରପିଶାଚ ସେ କେମିତି ବୁଝିବ?

ଯେତେ ଯାହା ତାକୁ କାଲେ ମନା
ମାଆର ରାହାକୁ ଖିନଭିନ କରି
ଚାଷୀକୁ ସଜାଇ ଦାଣ୍ଡର ଭିକାରି
ନିଶାରେ ମାତାଲ ଦେହର ବେପାରୀ
ନଷ୍ଟଭ୍ରଷ୍ଟ ବୁଦ୍ଧି ଭୋଟର ଶିକାରୀ
ମାଟି-ପ୍ରେମ ଶୂନ୍ୟ ଜାରଜ ବୁଦ୍ଧିର ପରାକାଷ୍ଠା,
ଯେତେ ବୁଝେଇଲେ ବୁଝି କି ପାରିବ
ଭାଷା-ବେପାରୀଙ୍କ ମଧୁର ଚନ୍ଦ୍ରିକା
ତେଣୁ,ଏ ଶାସକ ଭାଗ୍ୟେ ବିଷ୍ଠା ।.

ଚନ୍ଦ୍ରମା ପିୟୁଷେ ତିନ୍ତି ଭିଜିଗଲି
ଜନନୀ ପ୍ରେମରେ ହଜି ମଜ୍ଜିଗଲି
ଆଖି ମାନିଲାନି ବନ୍ଧବାଡ଼,
ଭୀଷ୍ମ ପ୍ରତିଜ୍ଞାରେ ମେରୁ ସାଜିଗଲି
“ମଧୁ”ର ସ୍ଵପ୍ନକୁ ସାକାର କରିବି
ମୋ` ମାଟି ମାଆର ରୁଣ ମୁଁ ସୁଝିବି
ମାଂସ ନ ଥିଲେ ତ ଥିବ ହାଡ଼ ?

ସେହିଦିନଠାରୁ ଜିଜ୍ଞାସୁ ସାଜି ଆକାଶେ ଚାହିଁଛି
ବର୍ଷିବ କୋମଳ ସୁଧାଧାର
ଧବଳ ଜୋସ୍ନାର ଚାମରେ ପୋଛିବି
ଭାଷା-ନିଶା-ଚଷା ଗୀତ ଗାଇ ତାଲା
ଖୋଲିଦେବି ତାଙ୍କ ବିବେକର
କାଳିଆ ଜୈତ୍ରୀ ଉଡ଼ୁଥିବ ହୋଇ ଫରଫର ।

ଜହ୍ନଲୋ ତୁ` କହ…?
ତୋତେ ମିଛ ଆଉ ମୋତେ ସତ
ବିଯୁକ୍ତ ନିରାଶା ନଷ୍ଟଭାଷା ସବୁ କରି ପଛ
ସେଇଟା ନୁହେଁ କି ଜିତାପଟ ଆମ ହୃଦୟର ?
ଖୋଲି କହ ମୋତେ କେଉଁଦିନ ?
(ସରକାରୀ ନଥି)ଭାଷା ବର୍ଷାରେ ଶୀତଳ ଲଭିବ
ସନ୍ତାପିତ ଏହି ପ୍ରାଣ ମୋର…..

ଓଡ଼ିଆଭାଷାକୁ ନଷ୍ଟ କରା ହେଉଛି, ତାକୁ ରକ୍ଷା କରିବାକୁ ହେବ : ବୈଷ୍ଣବ ଚରଣ ମହାନ୍ତି

ଓଡ଼ିଶା ଦାପ୍ତରିକ ଭାଷା ଆଇନକୁ କାର୍ଯ୍ୟକାରୀ କରାଯାଉନଥିବା ଫଳରେ ଓଡ଼ିଆ ଭାଷା ତାର ବ୍ୟବହାରିକ ଅପରିହାର୍ଯ୍ୟତା ହରାଇ ନଷ୍ଟ ହେବାକୁ ବସିଲାଣି; ତାକୁ ରକ୍ଷା କରିବାକୁ ହେବ ।

ଆଜି ସକାଳ ୧୦ ବେଳେ ଭାଷା ଆନ୍ଦୋଳନର ଡିଜିଟାଲ କଳା ପତାକା ଅଭିଯାନ ମଞ୍ଚ – ଭାଷା ମାଆ ପାଇଁ ପଦେ – ପୃଷ୍ଠାରୁ ଫେସ୍ ବୁକ୍ ମାଧ୍ୟମରେ ସିଧା ପ୍ରସାରିତ ଭାଷଣରେ ଏହା କହିଛନ୍ତି ସ୍ଵନାମଧାନ୍ୟ ପ୍ରାବନ୍ଧିକ ଓ ଚିନ୍ତକ ବୈଷ୍ଣବ ଚରଣ ମହାନ୍ତି ।

ଯାନ୍ତ୍ରିକ ଉପଯୋଗ ପାଇଁ ଆବଶ୍ୟକୀୟ ଲିପି ସଂସ୍କାର ଠାରୁ ଆରମ୍ଭ କରି ପ୍ରଶାସନିକ ଶବ୍ଦକୋଷ ସୃଷ୍ଟି ଆଳରେ ଓଡ଼ିଆ ଭାଷାର ଦାପ୍ତରିକ  ବ୍ୟବହାର ବାଧା ପାଇ ଆସିଥିବା ବେଳେ କମ୍ପୁଟର ଯୁଗରେ ମଧ୍ୟ ତତ୍ତୁଲ୍ୟ ବାଧା ଆମ ଭାଷାର ପ୍ରାଥମିକତା ନଷ୍ଟ କରିବାକୁ ବସିଛି ବୋଲି ସେ କହିଥିଲେ ଓ ଏହି ଦୃଶ୍ୟପଟର ପରିବର୍ତ୍ତନ ପାଇଁ ଐକ୍ୟବଦ୍ଧ ଉଦ୍ୟମ ପାଇଁ ଆହ୍ଵାନ ଦେଇଛନ୍ତି  ।