ସରିଯାଇଥିବା ବିଧାନସଭା ଓ ଆମ ଭାଷା -୪

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ବିଧାନସଭାର ସମସ୍ତ ସଭ୍ୟଙ୍କ ସମ୍ମୁଖରେ ଥିଲା ମନ୍ତ୍ରୀଙ୍କ ପୂର୍ବୋଦ୍ଧୃତ୍ତ ଉପୋଦ୍ଘାତୀ ଭାଷଣ ଏବଂ ବିଧେୟକଟିର ମଞ୍ଜ-ଭିନ୍ନତାର ନଗ୍ନ ରୂପ । କିନ୍ତୁ ଏହି ନଗ୍ନ ଭିନ୍ନତା କୌଣସି ଜଣେ ବି ବିଧାୟକଙ୍କୁ ବିଚଳିତ କରିନଥିଲା ।

ଆମ ବିଧାୟକମାନେ , ଯେଉଁମାନେ ବି ବିତର୍କରେ ଅଂଶ ଗ୍ରହଣ କରିଥିଲେ, ମନ୍ତ୍ରୀଙ୍କ ବୟାନ ସହ ବିଧେୟକର ଦୃଶ୍ୟମାନ ଭିନ୍ନତା ଦେଖି ସୁଦ୍ଧା ସେ ବିଷୟରେ ପାଟି ଫିଟାଇ ନଥିଲେ ।

ବିଧାୟକମାନେ କଣ କଲେ?

ଏହା ପ୍ରତ୍ୟକ୍ଷ କରିବା ପାଇଁ ସେଦିନ ବିଧାନସଭାରେ ଯେଉଁ ବିତର୍କ ହୋଇଥିଲା ତାହାର ପ୍ରାସଙ୍ଗିକ ଅଂଶ ସମସ୍ତଙ୍କ ଅବଗତିକୁ ଆସିବା ଆବଶ୍ୟକ ।

ଅମର ପ୍ରସାଦ ଶତପଥୀ ଥିଲେ ସରକାରୀ ମୁଖ୍ୟ ଛାଟିଆ । ଭାଷା ଆନ୍ଦୋଳନ ପ୍ରତି ତାଙ୍କର ନୈତିକ ସମର୍ଥନ ସନ୍ଦେହାତୀତ । ଆମ ଆନ୍ଦୋଳନ ସମ୍ପର୍କରେ ଦି ପଦ ସ୍ଵୀକୃତିସୂଚକ କଥା କହିଥିଲେ ମଧ୍ୟ ବିଧେୟକଟିରେ ବିଧିସ୍ଵୀକୃତ ହେବାକୁ ଥିବା ଜାଲିଆତି ଉପରେ ସେ ପଡେ ବି ପାଟି ଫିଟାଇ ନଥିଲେ । ମୁଖ୍ୟମନ୍ତ୍ରୀ ୨୭.୪.୨୦୧୮ରେ ବିଧେୟକଟିକୁ ଗୃହରେ ରଖିଥିଲେ । ତହିଁର ଅନୁଧ୍ୟାନ କଲା ପରେ ଏହି ନଭମଞ୍ଚରେ ତାର ଅନ୍ତର୍ନିହିତ ତ୍ରୁଟି ଓ ତଦ୍ଦ୍ଵାରା ହେବାକୁ ଯାଉଥିବା କ୍ୟାବିନେଟ୍ ସ୍କାମ୍ ସମ୍ପର୍କରେ ଏହି ନଭମଞ୍ଚରେ ଲେଖିଥିଲି ଓ ତାର ନକଲ ଶ୍ରୀ ଶତପଥିଙ୍କ ସମେତ ବହୁ ବିଧାୟକଙ୍କୁ ଦେଇଥିଲି ।

ମୁଁ ଲେଖିଥିଲି, ସଂଶୋଧନ ବିଧେୟକଟି ମୂଳ ଅଧିନିୟମରେ ‘୪କ’ ନାମକ ଏକ ନୂଆ ଧାରା ଯୋଡ଼ିବ, ଯହିଁରେ ଲେଖାଥିବ:

“ସରକାର, ସରକାରୀ ଭାଷାର ବ୍ୟାପକ ବ୍ୟବହାର ନିମନ୍ତେ ସରକାରୀ କର୍ମଚାରୀ ବା ବିଭାଗମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ତଥା ସେଥିରେ ଖିଲାପ କରୁଥିବା ସରକାରୀ କର୍ମଚାରୀ ବା ବିଭାଗମାନଙ୍କୁ ଦଣ୍ଡବିଧାନ କରିବା ସକାଶେ ନିୟମାବଳୀରେ ଉପଯୁକ୍ତ ବ୍ୟବସ୍ଥାମାନ ବିହିତ କରିପାରିବେ ।”

“ଏହି ପ୍ରସ୍ତାବିତ ଧାରା ଓଡ଼ିଆ ଭାଷାର ଭୟଙ୍କର କ୍ଷତି ଘଟାଇବ; କାରଣ ମୂଳ ଆଇନଟିରେ ଓଡ଼ିଆ ଜାତିକୁ ଦିଆଯାଇଥିବା ଭାଷା ଅଧିକାରକୁ ଏହା ଅକଳ୍ପନୀୟ ଭାବେ ସଂକୁଚିତ କରିବ । ମୂଳ ଆଇନଟିରେ ସମଗ୍ର ଓଡ଼ିଶାରେ ଏବଂ ସମସ୍ତ ଓ ପ୍ରତ୍ୟେକ ଦପ୍ତରରେ ସରକାରୀ ଭାଷା ହେବ ଓଡ଼ିଆ ବୋଲି କୁହାଯାଇଛି । ଏହି ପ୍ରସ୍ତାବିତ ଧାରା ତାକୁ ଖର୍ବ କରି “ବ୍ୟାପକ ବ୍ୟବହାର” ପରି ଏକ ଆତ୍ମଘାତୀ ବ୍ୟବସ୍ଥା ସୃଷ୍ଟି କରିବ । କହିବା ନିଷ୍ପ୍ରୟୋଜନ ଯେ, “ବ୍ୟାପକ ବ୍ୟବହାର” ସମ୍ପୂର୍ଣ ବ୍ୟବହାର ନୁହେଁ । ଏହା ଗୃହୀତ ହେଲେ, ୧୯୬୩ ସଂଶୋଧନ ଦ୍ଵାରା ଇଂରାଜୀ ଭାଷାକୁ ବିଜୁ ପଟ୍ଟନାୟକ ସରକାରୀ ଭାଷାର ଯେଉଁ ମର୍ଯ୍ୟାଦା ଦିଆଇଛନ୍ତି ତାହା ବି କାଏମ ରହିବ ଓ “ସରକାରୀ ଭାଷାର ବ୍ୟାପକ ବ୍ୟବହାର” ଯେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର – ତାହା ସାବ୍ୟସ୍ତ ବି ହେବ ନାହିଁ । ଅଧିକନ୍ତୁ , ଏହା ପାରିତ ହେଲେ, ଭାଷା ଆଇନର ଉଲ୍ଲଙ୍ଘନ ପାଇଁ ସମ୍ପୃକ୍ତ କର୍ମଚାରୀଙ୍କୁ ଦଣ୍ଡବିଧାନ ହୋଇପାରେ ବା ତାଙ୍କ ବଦଳରେ ସମ୍ପୃକ୍ତ ବିଭାଗକୁ ଦଣ୍ଡବିଧାନ ହୋଇପାରେ । ଯେହେତୁ କର୍ମଚାରୀମାନେ ଆଇନ ଖିଲାପ କରିବେ ସେହେତୁ ସ୍ବଭାବିକ ଭାବେ ସେମାନେ ନିଜକୁ ନିଜେ ଦଣ୍ଡିତ ନ କରି ଦଣ୍ଡ ନଦିବେ ବିଭାଗ ମୁଣ୍ଡରେ । କାରଣ, ଏହି ସୁଯୋଗ ଏହି ଆଇନ ସଂଶୋଧନ ହିଁ ସେମାନଙ୍କୁ ଯୋଗାଇଦେବ । ବିଭାଗଟିଏ ଦଣ୍ଡିତ ହେବାର ଅର୍ଥ ଓଡ଼ିଶାର ଜନସାଧାରଣ ଦଣ୍ଡିତ ହେବା , କାରଣ ବିଭାଗଗୁଡ଼ିକର ସମସ୍ତ ଖର୍ଚ୍ଚ ଲୋକେ ବହନ କରିଥାନ୍ତି, ।“

ଏହି ବିଧେୟକର ‘ଉଦ୍ଦେଶ୍ୟ ଓ କାରଣ କଥନ’ର ତର୍ଜମା କରି ମୁଁ ଲେଖିଥିଲି,

“ଏଥିରେ ଥିବା ‘କର୍ମଚାରୀ / ଭିଭାଗ’ ଶବ୍ଦପୁଞ୍ଜକୁ ପ୍ରସ୍ତାବିତ ‘୪କ’ ଧାରାରେ ଥିବା ‘କର୍ମଚାରୀ ବା ବିଭାଗ’ ଶବ୍ଦପୁଞ୍ଜର ମଧ୍ୟବର୍ତ୍ତୀ ‘ବା’ ଶବ୍ଦ ସହାୟତାରେ ଅନୁଧ୍ୟାନ କଲେ ସ୍ପଷ୍ଟ ହୋଇଯାଏ ଯେ, ଭାଷା ଆଇନ ଉଲ୍ଲଙ୍ଘନ କରି, ବିଭାଗ ମୁଣ୍ଡରେ ଅଠା ବୋଳି , ନିରାପଦରେ ଖସିଯିବା ପାଇଁ ହିଁ ଓଡ଼ିଆବିରୋଧୀ ପଦାଧିକାରୀମାନେ ଏହି ପ୍ରପଞ୍ଚକୌଶଳ ପ୍ରୟୋଗ କରିଛନ୍ତି । ଏହି ଚିଠା ବିଧେୟକ ଯଦି ଏହି ରୂପରେ ପାରିତ ଓ ପ୍ରବର୍ତ୍ତିତ ହୁଏ , ତେବେ, ଖିଲାପକାରୀ କର୍ମଚାରୀ ବଦଳରେ ବିଭାଗମାନେ ଦଣ୍ଡିତ ହେବେ । ବିଭାଗମାନେ ଦଣ୍ଡିତ ହେବା ଅର୍ଥ ରାଜ୍ୟବାସୀ ଦଣ୍ଡିତ ହେବା ସୁନିଶ୍ଚିତ ।“

ଓଡ଼ିଆ ବିଦ୍ଵେଷୀମାନଙ୍କ ଚକ୍ରାନ୍ତ ହେତୁ କିପରି ଏହି ବିଧେୟକରେ ଜାଲିଆତିର ଉପଯୋଗ କରାଯାଇଛି ତାହା ମଧ୍ୟ ମୁଁ ଦର୍ଶାଇଥିଲି । ମୁଁ ଲେଖିଥିଲି,

“୧୪. ୩ . ୨୦୧୮ ତାରିଖରେ ଅନୁଷ୍ଠିତ ବୈଠକରେ ଏହି ମନ୍ତ୍ରୀମଣ୍ଡଳ ୨୬. ୧ ୨. ୨୦୧୭ ତାରିଖର “ଦେଖାସୁନ୍ଦରୀ ବଉଳୀଗାଈ” ପ୍ରସ୍ତାବକୁ କେବଳ ନିରସ୍ତ (supersede) କରାଇଥିଲା ତା ନୁହେଁ, ଭାଷା ଆଇନ ଉଲ୍ଲଙ୍ଘନ ଦୋଷରେ କୌଣସି ବିଭାଗ ନୁହେଁ, ପରନ୍ତୁ କେବଳ କର୍ମଚାରୀ ଓ ପଦାଧିକାରୀମାନେ ଦଣ୍ଡିତ ହେବେ ବୋଲି ସ୍ପଷ୍ଟ କରି ଏବଂ “ଆଇନଟିରେ ଦଣ୍ଡବିଧାନ ବ୍ୟବସ୍ଥା ନ ଥିବା ହେତୁ ତାହା କାର୍ଯ୍ୟକାରୀ ହୋଇପାରୁନି” ବୋଲି ସ୍ବୀକାର କରି, ଏହାର ପ୍ରତିକାର ପାଇଁ ଖିଲାପକାରୀ କର୍ମଚାରୀ ଓ ପଦାଧିକାରୀମାନଙ୍କ ବିରୁଦ୍ଧରେ ଦଣ୍ଡବିଧାନ ବ୍ୟବସ୍ଥା ଖଞ୍ଜି ତୁରନ୍ତ ଆଇନ ସଂଶୋଧନ ପାଇଁ ନିର୍ଦ୍ଦେଶ ଦେଇ ସଂଶୋଧନର “ଉଦ୍ଦେଶ୍ୟ ଓ କାରଣ” ମଧ୍ୟ ନିର୍ଦ୍ଦିଷ୍ଟ କରିଥିଲା ।

କ୍ଷୋଭର କଥା, ମୁଖ୍ୟମନ୍ତ୍ରୀ ଆଗତ କରିଥିବା ସଂଶୋଧନ ବିଧେୟକରେ ଓଡିଶା ସରକାରୀ ଭାଷା ଆଇନ ବ୍ୟାପାରରେ ସବୁଠୁ ବଡ଼ ନିର୍ଣ୍ଣାୟକ ନିଷ୍ପତ୍ତି ନେଇଥିବା ୧୪. ୩ . ୨୦୧୮ର ମନ୍ତ୍ରୀମଣ୍ଡଳ ବୈଠକର ନିଷ୍ପତ୍ତିକୁ ଉଦ୍ଦେଶ୍ୟମୂଳକ ଭାବେ ନିଶ୍ଚିହ୍ନ କରି ନିରସ୍ତ ହୋଇସାରିଥିବା ୨୬. ୧ ୨. ୨୦୧୭ ତାରିଖର “ଦେଖାସୁନ୍ଦରୀ ବଉଳୀଗାଈ” ପ୍ରସ୍ତାବକୁ ଭାଷା ଆଇନ ଖିଲାପକାରୀଙ୍କୁ ସୁହାଇଲା ପରି ଟ୍ୟାମ୍ପର କରି ସଂଶୋଧନର ଭିତ୍ତି ଭାବେ ପ୍ରଦର୍ଶିତ କରାଯାଇଛି । କାରଣ ଏତଦ୍ଦ୍ଵାରା ହିଁ କେବଳ ଭାଷା ଆଇନର ତୁରନ୍ତ କାର୍ଯ୍ୟକାରିତା ବନ୍ଦ କରାଯାଇ ପାରିବ ଓ କର୍ମଚାରୀମାନେ “ନିର୍ଦ୍ଦିଷ୍ଟ” କରିବାକୁଥିବା “ମାନଦଣ୍ଡ” ଓ “କ୍ଷେତ୍ର” ଭିତରେ ଓଡ଼ିଆ ଜାତିର ଭାଷା ଜନନୀକୁ କଏଦୀ କରି ରଖାଯାଇପାରିବ ଏବଂ କର୍ମଚାରୀମାନଙ୍କ ଦୋଷ ପାଇଁ ବିଭାଗଗୁଡ଼ିକୁ ଅର୍ଥାତ୍ ଓଡ଼ିଶାର ଜନସାଧାରଣଙ୍କୁ ଦଣ୍ଡିତ କରାଯାଇ ପାରିବ ।

ମନ୍ତ୍ରିମଣ୍ଡଳର ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତିକୁ ଜଣେ ମୁଖ୍ୟମନ୍ତ୍ରୀ ଯେ ନିଶ୍ଚିହ୍ନ କରିଦେଇପାରନ୍ତି ତାହା ଅକଳ୍ପନୀୟ । ସେ ଯଦି ଏହା ନ କରିଥିବେ ଓ ସମ୍ପୃକ୍ତ ଶାସନ ସଚିବଙ୍କୁ ବିଶ୍ଵାସ କରି ତାଙ୍କଦ୍ଵାରା ତିଆରି ଚିଠାକୁ ଅନୁମୋଦନ ଦେଇଥିବେ , ତେବେ ତାଙ୍କର କର୍ତ୍ତବ୍ୟ ହେଉଛି, ଏହି ଚିଠାକୁ ପାରିତ ନ କରାଇ ସ୍ଥଗିତ ରଖିବା ଓ ପରେ ୧୪. ୩ . ୨୦୧୮ର ମନ୍ତ୍ରୀମଣ୍ଡଳ ନିଷ୍ପତ୍ତିକୁ ଆଧାର କରି ପୁନରାୟ ଏହାକୁ ସଠିକ ଭାବେ ଆଗତ କରିବା; କାରଣ ଯେଉଁ ରୂପରେ ଏହି ଚିଠା ବିଧାନସଭା ସମ୍ମୁଖରେ ରଖାଯାଇଛି ସେହି ରୂପରେ ଏହା ଗୃହୀତ ହୋଇଗଲେ ଓଡ଼ିଆ ଜାତି ତା ମାତୃଭାଷା କ୍ଷେତ୍ରରେ ପ୍ରବଞ୍ଚିତ ହୋଇ ରହିବ ।”

ଏହା ଅବଗତ ହୋଇଥିବା ସତ୍ତ୍ୱେ ଶ୍ରୀ ଶତପଥି ତାଙ୍କ ଭାଷଣରେ ଏହି ପ୍ରଚଣ୍ଡ ତଞ୍ଚକତା ସମ୍ପର୍କରେ ପାଟି ଫିଟାଇ ନଥିଲେ । ଦଣ୍ଡବିଧାନ ଶବ୍ଦଟି ଏହି ବିଧାୟକରେ ଥିବାରୁ ସେ ଏହାକୁ ସମର୍ଥନ କରିଥିଲେ ଏହା ହିଁ କହି ଯେ, “ଯେଉଁ ଭାଷା ପ୍ରେମୀ ଆନ୍ଦୋଳନ କରୁଥିଲେ, ତାଙ୍କର ମଧ୍ୟ ଏହି ଦାବି ଥିଲା ।” ବାସ୍ତବତାର ଏହାଠୁ ବଳି ବିକଟାଳ ବୈପରିତ୍ୟ କଣ ଆଉ ଥାଇପାରେ ? (କ୍ରମଶଃ)
୨୯.୫.୨୦୧୯