ଭାଷା ଆନ୍ଦୋଳନ : ଅର୍ଥମନ୍ତ୍ରୀଙ୍କ ଭୂମିକା ସନ୍ଦେହଘେରରେ

ସ୍ୱତନ୍ତ୍ର ପ୍ରତିନିଧି

ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନା ଅପରିହାର୍ଯ୍ୟ କରିବା ପାଇଁ ଓଡିଶା ସରକାରୀ ଭାଷା ଆଇନର ଉପଯୁକ୍ତ ସଂଶୋଧନ ସକାଶେ ଚାଲିଥିବା କଳାପତାକା ଅଭିଯାନ ଯେତେବେଳେ ଆହୁରି ସଘନ ହେବା ଆବଶ୍ୟକ ଥିଲା, ସେତେବେଳେ ଏହି ଅଭିଯାନ ସହ ଜଡ଼ିତ ଦୁଇଜଣ ବ୍ୟକ୍ତି – ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥା – ଅଭିଯାନ ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ ରହିଲା ବୋଲି ୧୬. ୭. ୨୦୧୮ ସନ୍ଧ୍ୟାରେ ଏକ ପ୍ରେସ ବିବୃତ୍ତିରେ ଘୋଷଣା କଲେ । ସେମାନଙ୍କ କାମ ଥିଲା ପତାକା ଧରିବାକୁ ପ୍ରତିଦିନ ଚାରିଜଣ ସାଥୀ ଯୋଗେଇବା ଓ ଗଣମାଧ୍ୟମରେ ତଥା ସରକାରୀ ସ୍ତରରେ ପ୍ରସଙ୍ଗ ଉପସ୍ଥାପନା ତଥା ଆଲୋଚନା କାଳରେ ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କୁ ସହଯୋଗ କରିବା, ଯାହା ସେମାନେ ନିଷ୍ଠାର ସହ କରିଆସିଥିଲେ । ଅଭିଯାନ ବନ୍ଦ ରହିଲା ବୋଲି ଘୋଷଣା କରିବା ପାଇଁ ସେମାନେ ଅଧିକୃତ ନ ଥିଲେ । ଫଳରେ ମାତୃଭାଷାଭକ୍ତ ଓଡ଼ିଆ ଜାତି ସେମାନଙ୍କ ଏହି ଅନଧିକୃତ ଘୋଷଣାକୁ ପ୍ରତ୍ୟାଖ୍ୟାନ କରିଛି ଓ କଳାପତାକା ଅଭିଯାନ ଅଧିକ ଶାଣିତ ଆବେଗରେ ଯଥାରୀତି ଚାଲିଛି ।

କିନ୍ତୁ ଶତପଥୀ ଓ ମହାରଥା ଜାରିକରିଥିବା ପ୍ରେସ ବିବୃତ୍ତି ଜନସାଧାରଣଙ୍କ ଦ୍ଵାରା ପ୍ରତ୍ୟାଖ୍ୟାତ ହୋଇଯାଇଥିବା ହେତୁ ଓ କଳାପତାକା ଅଭିଯାନ ବନ୍ଦ ରଖିବାକୁ ସେମାନେ ଅବକାରୀ ଓ ଅର୍ଥ ବିଭାଗଦ୍ଵୟର ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ଦେଇଥିବା ପ୍ରତିଶ୍ରୁତି ଅକାମି ହୋଇଯାଇଥିବା ହେତୁ ତାଙ୍କ ସ୍ତ୍ରୀ ଓ ଝିଅଙ୍କ ଜୀବନ ବିପଦାପନ୍ନ ବୋଲି ସାମାଜିକ ଗଣମାଧ୍ୟମ ଫେସ ବୁକ ପୃଷ୍ଠାରେ ଉଲ୍ଲେଖ କରି ପବିତ୍ର ମହାରଥା ମନ୍ତ୍ରୀ ଶ୍ରୀ ବେହେରାଙ୍କ ଭୂମିକାକୁ ସନ୍ଦେହ ଘେରକୁ ଟାଣି ଆଣିଛନ୍ତି ।

ଏହି ପ୍ରେକ୍ଷାପଟରେ ମନ୍ତ୍ରୀ ଶ୍ରୀ ବେହେରା ନିଜ ସ୍ଥିତି ସ୍ପଷ୍ଟ କରିବାକୁ ଭାଷା ଆନ୍ଦୋଳନର ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକ ତାଙ୍କୁ ଏକ ପତ୍ର ପ୍ରେରଣ କରିଛନ୍ତି ।

ତହିଁରେ ସେ ଲେଖିଛନ୍ତି,

“ଉପରୋକ୍ତ ଦୁଇଜଣ ବ୍ୟକ୍ତି ଏହାକୁ (କଳାପତାକା ଅଭିଯାନକୁ) ସ୍ଥଗିତ ରଖିବା ପାଇଁ ଯେହେତୁ ଆପଣଙ୍କ ନାମ ବ୍ୟବହାର କରିଥିଲେ , ଅଥଚ ଗତ କ୍ୟାବିନେଟ ବୈଠକରେ ଆପଣ ସେମାନଙ୍କୁ ଦେଇଥିବା ପ୍ରତିଶ୍ରୁତିର କୌଣସି ଝଲକ ବି ଦେଖିହେଲାନାହିଁ, ସେ ହେତୁ ଆପଣଙ୍କ ନାମ ସେମାନେ ଅଧିକୃତ ଭାବେ ବ୍ୟବହାର କରିଥିଲେ କି ଅନଧିକୃତ ଭାବେ ତାହା ଜାଣିବା ପାଇଁ ସେମାନେ ଜାରିକରିଥିବା ପ୍ରେସ ବିବୃତ୍ତିର ନକଲ ମୁଁ ଏଥି ସହ ସଂଯୁକ୍ତ କଲି । ମୁଁ ଆଶା କରୁଛି ଆପଣ ଏହା ଅନୁଧ୍ୟାନ କରିବେ ଓ ନିଜ ଭୂମିକା ସ୍ପଷ୍ଟ କରି ମୋତେ ଆପଣଙ୍କ ଉତ୍ତର ଦେବେ । ଆପଣ ଯେଉଁ ଉତ୍ତର ଦେବେ ତାହା ମୁଁ ଓଡ଼ିଶାର ଜନସାଧାରଣଙ୍କ ସମ୍ମୁଖରେ ରଖିବି ଓ ଯଦି କୌଣସି ଉତ୍ତର ନ ଦିଅନ୍ତି ତାହା ବି ମୁଁ ଜନସାଧାରଣଙ୍କୁ ଜଣାଇବି । କାରଣ ପରୋକ୍ଷରେ ପବିତ୍ର ମହାରଥା ଏପରି ଏକ ଧାରଣା ସୃଷ୍ଟି କରିଛନ୍ତି ଯହିଁରୁ ଜଣା ପଡୁଛି ସତେ ଯେମିତି କଳାପତାକା ଅଭିଯାନ ବନ୍ଦ କରିବା ପାଇଁ ମୋଟା ଧରଣର ଆର୍ଥିକ ପ୍ରଲୋଭନ ଦ୍ଵାରା ତାଙ୍କୁ ପ୍ରଲୋଭିତ କରାଯାଇଥିଲା । ଏହା ଏକ ଅତ୍ୟନ୍ତ ଦୁଃଖଦାୟକ ବିଭାବନା । ଆମ ରାଜ୍ୟର କୌଣସି ମାନ୍ୟବର ମନ୍ତ୍ରୀ ଏପରି ଏକ ବିଭାବନାର ନାଭିକେନ୍ଦ୍ରରେ ସଂସ୍ଥିତ ହେବା – ତାଙ୍କ ଜ୍ଞାତସାରରେ ହେଉ ବା ଅଜ୍ଞାତରେ – ଆଦୌ କାମ୍ୟ ନୁହେଁ ।”

ପ୍ରେସ ବିବୃତ୍ତିଟିକୁ ଅନୁଧ୍ୟାନ କରିବାକୁ ଶ୍ରୀ ବେହେରାଙ୍କୁ ଅନୁରୋଧ କରି ଶ୍ରୀ ପଟ୍ଟନାୟକ ତାଙ୍କଠାରୁ ତିନି ଗୋଟି ପ୍ରଶ୍ନର ଉତ୍ତର ଚାହିଁଛନ୍ତି । ସେଗୁଡିକ ହେଲା :

(୧) ଏଥିରେ କୁହାହୋଇଥିବା ପରି ବିଧାନସଭାରେ ଭାଷା ଆଇନର ନିର୍ଭୁଲ ସଂଶୋଧନ ପାଇଁ ପ୍ରତିଶ୍ରୁତି ଆପଣ ଦେଇଥିଲେ କି ?
(୨) ଏପରି ପ୍ରତିଶ୍ରୁତି ଦେବାକୁ ଆପଣଙ୍କୁ ଭାଷା ଆଇନର ଦାୟିତ୍ବରେ ଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ କି ?
(୩) ଯଦି ଦେଇଥିଲେ, ଗତ କ୍ୟାବିନେଟ୍ ବୈଠକରେ ତାହା ପ୍ରସ୍ତାବିତ ନ ହେବାର କାରଣ କଣ ?

ଅର୍ଥ ମନ୍ତ୍ରୀଙ୍କ ଉତ୍ତର ଯେତେ ଶୀଘ୍ର ମିଳେ ସେତେ ଭଲ ।

ପ୍ରତିଜ୍ଞା ଟିଭିରେ ଭାଷା ପାଇଁ ଓଡ଼ିଆର ଲଢ଼େଇ: ଭାଙ୍ଗିଯିବ ବଇରୀଙ୍କ ବଡ଼େଇ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ସଂଶୋଧନ ଆଳରେ ଓଡ଼ିଶା କାର୍ଯ୍ୟାଳୟ ଭାଷା ଆଇନ, ୧୯୫୪କୁ ସବୁଦିନପାଇଁ ଅକର୍ମଣ୍ୟ କରିଦେବାକୁ ତହିଁରେ ଧାରା ୩କକୁ କାଏମ ରଖି ଧାରା  ୪ ଓ ଧାରା ୪କ ପରି ଯେଉଁ କ୍ଷତିକାରକ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ ଖଞ୍ଜିଛନ୍ତି ତାହା ଓଡ଼ିଆ ଜାତିର ଆଜନ୍ମ ବଇରୀ ହିଁ କେବଳ କରିପାରେ ।  ସେ ତାହା କରିଛନ୍ତି । କାରଣ ବାବୁ ନବୀନ ପଟ୍ଟନାୟକ ଜଣେ ଆଜନ୍ମ ଓଡ଼ିଆ ବିରୋଧୀ ବ୍ୟକ୍ତି । ତାଙ୍କ ବାପା ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ଓଡିଶା ସରକାରୀ ଭାଷା ଆଇନକୁ ଅତି ଅନଧିକୃତ ଭାବେ ୧୯୬୩ରେ ସଂଶୋଧିତ କରି ଇଂରାଜୀ ଭାଷାକୁ ବିଧାନସଭାରେ ସରକାରୀ ଭାଷା କରାଇଦେଇଥିଲେ, ଯାହା ଓଡ଼ିଆ ଭାଷାକୁ ପ୍ରଶାସନିକ କ୍ଷେତ୍ରରେ ବସ୍ତୁତଃ ଅଚଳ କରିଦେଇଛି । ପିତାଙ୍କ ପଥ ଅନୁସରଣ କରି ନବୀନ ବାବୁ ବି ଓଡ଼ିଆ ଭାଷାକୁ ମୁମୂର୍ଷୁତର କରାଇଛନ୍ତି । ଏପରିକି, ଗତ ବିଧାନସଭାରେ ପୁନଶ୍ଚ ଏକ ସଂଶୋଧନ ଆଣି ମୂଳ ଭାଷା ଆଇନକୁ ମଧ୍ୟ ଅକାମି କରିଦେଇଛନ୍ତି । ଏହା ବିରୁଦ୍ଧରେ ମୁଁ ତାଙ୍କୁ ପତ୍ର ଲେଖି ପ୍ରତିକାର ଦାବି କଲାପରେ, ଭାଷା ଆନ୍ଦୋଳନକୁ ଗଳା ମୋଡ଼ି ମାରିଦେବା ପାଇଁ , ଆନ୍ଦୋଳନର କଳାପତାକା ଧରିବାକୁ ଯେଉଁ ଦୁଇଜଣ ବ୍ୟକ୍ତି ସହଯୋଗୀ ଯୋଗାଡ଼ କରୁଥିଲେ ସେହି ଦୁଇଜଣଙ୍କୁ କାବୁ କରି ନେଇଛନ୍ତି । ସାରା ଓଡିଶା ଏହି ହୀନ ଚକ୍ରାନ୍ତ ବିରୁଦ୍ଧରେ ଜାଗି ଉଠିଛି ।

ଏହି ଚକ୍ରାନ୍ତକୁ ଅତ୍ୟନ୍ତ ଦୃପ୍ତତାର ସହ ବ୍ୟର୍ଥ କରିଦେଇଛନ୍ତି କେନ୍ଦ୍ରାପଡ଼ାର ଶ୍ରୀ ରଞ୍ଜନ କୁମାର ଦାସ ଓ ତାଙ୍କ ସହଯୋଗୀ ସର୍ବଶ୍ରୀ ଆଳୟ ସାମନ୍ତରାୟ, ଜିତେନ୍ଦ୍ର କୁମାର ସାହୁ , ନରେଶ ବେଉରା, ନବକିଶୋର ଦାସ, ଆଶିଷ ଖଟୁଆ, ସୂର୍ଯ୍ୟପ୍ରକାଶ ପାଣି ଓ ପ୍ରତାପ ମହାନ୍ତି । ସେମାନେ କୁଳଗୌରବ ମଧୁସୂଦନଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରୁ ଆନ୍ଦୋଳନର କଳାପତାକା ସହ ପାଦରେ ଚାଲି ଚାଲି ଭୁବନେଶ୍ଵରରେ ପହଞ୍ଚି ଓଡ଼ିଶାର ଏହି ନବଜାଗୃତିର ସ୍ଵାକ୍ଷର ରଖିଛନ୍ତି ଏବଂ ଛନକା ସୃଷ୍ଟିକରିଛନ୍ତି ଭାଷା ବିଦ୍ଵେଷୀ ନବୀନ ସରକାରଙ୍କ ଛାତିରେ ।  ସରକାରୀ ଚାପରେ ଓଡ଼ିଶାର ସମସ୍ତ ଗଣମାଧ୍ୟମ ଓଡ଼ିଆ ଜାତିର ଏହି ଶ୍ରେଷ୍ଠ ଲଢ଼େଇର ଦୃଶ୍ୟପଟକୁ ଲୋକଲୋଚନରୁ ଦୂରେଇ ରଖିଥିବା ବେଳେ ଭାଷା ଆନ୍ଦୋଳନର ଛତ୍ରପୁର ଶାଖା ସଂଚାଳକ ତଥା ଯୁବସାମ୍ବାଦିକ ସୌମ୍ୟରଂଜନ ନାୟକ ସାମାଜିକ ଗଣମାଧ୍ୟମ ଫେସ ବୁକରେ ଏହାର ସିଧା ପ୍ରସାରଣ କରିଥିଲେ । ଅତ୍ୟନ୍ତ ସୁଖର କଥା, ସାଧାରଣ ଲୋକର ନିଶଙ୍କ ସ୍ଵର ଭାବେ ସୁଖ୍ୟାତି ଅର୍ଜନ କରିଥିବା ପ୍ରତିଜ୍ଞା ଟିଭି ସୌମ୍ୟଙ୍କ ବିବରଣୀକୁ ଓଡ଼ିଆ ଜାତି ସ୍ଵାର୍ଥରେ ବିଶ୍ଵାର୍ପିତ କରିଛି । ଆମେ ଆଶା କରୁଛୁ, ଓଡ଼ିଆ ଜାତିର ବଇରୀଙ୍କ ବଡ଼େଇ ଭାଙ୍ଗିବାରେ ଏହା ସହାୟକ ହେବ ।

ମଧୁବାବୁଙ୍କ ଜନ୍ମପୀଠରୁ ରାଜଧାନୀ ଯାଏଁ ମାଡ଼ିଆସିଲା କଳାପତାକା : ଫସରଫାଟିଗଲା ମୁଖ୍ୟମନ୍ତ୍ରୀଙ୍କ ଫନ୍ଦି

ଭୁବନେଶ୍ୱର, ୧୭-୮-୨୦୧୮
(ବିଶେଷ ସଂବାଦଦାତା)

Posted by Ranjan Kumar Das on Thursday, August 16, 2018

“ମା” ପାଇଁ ଲଢ଼େଇରେ ସନ୍ତାନ କେବେ ହାରିବ ନାହିଁ ! ଏହା ଆଜି ଜଣାଇ ଦେଇଛନ୍ତି କେନ୍ଦ୍ରାପଡ଼ାର ସୂଚନା ଅଧିକାର କର୍ମୀ ଭାଷାପ୍ରାଣ ରଂଜନ କୁମାର ଦାସ ଓ ତାଙ୍କ ସାଥୀ ସର୍ବଶ୍ରୀ ଆଳୟ ସାମନ୍ତରାୟ, ଜିତେନ୍ଦ୍ର କୁମାର ସାହୁ , ନରେଶ ବେଉରା, ନବକିଶୋର ଦାସ, ଆଶିଷ ଖଟୁଆ, ସୂର୍ଯ୍ୟପ୍ରକାଶ ପାଣି ଓ ପ୍ରତାପ ମହାନ୍ତି । ଭାଷା ଆନ୍ଦୋଳନକୁ ଭାଙ୍ଗି ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ  ଷଡ଼ଯନ୍ତ୍ର ଫସରଫାଟିଯାଇଛି ।

ଏହି ଷଡ଼ଯନ୍ତ୍ର କବଳରୁ ଭାଷା ଜନନୀଙ୍କୁ ରକ୍ଷା କରିବା ପାଇଁ ଭୂବନେଶ୍ୱରରେ ଚାଲିଥିବା ଭାଷା ଆନ୍ଦୋଳନର “କଳା ପତକା ଅଭିଯାନ” ରେ ଯୋଗ ଦେବାପାଇଁ, କାଲିଠୁ (୧୬. ୮. ୨୦୧୮) ରଂଜନଙ୍କ ନେତୃତ୍ୱରେ ଭାଷାମଗ୍ନ ଏକ ୬ ଜଣିଆ (ପରେ କଟକରୁ ୨ଜଣ ସାମିଲ ହୋଇଛନ୍ତି, ମୋଟ ୮ ଜଣ) ଭାଷାପ୍ରାଣ ଦଳ କୁଳଗୌରବ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରୁ ଓଡ଼ିଆ ଭାଷାଜନନୀଙ୍କ ବିଜୟ ପତାକା “କଳାପତାକା” ଓ ଦାବୀ ଫଳକ ହାତରେ ଧରି ଚାଲି ଚାଲି ଆସି ଆଜି (ତା.୧୭/୮/୨୦୧୮) ଅପରାହ୍ନ ୫ଟାରେ ଭୂବନେଶ୍ୱରରେ ବିଧାନସଭା ସମ୍ମୁଖସ୍ଥ ପୁଣ୍ୟଶ୍ଳୋକ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ସାମ୍ମୁକରେ ପହଁଚିଥିଲେ ।

ସେଠାରେ ଭାଷା ଆନ୍ଦୋଳନ ପକ୍ଷରୁ ପ୍ରତିଷ୍ଠାତା ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ପଟ୍ଟନାୟକ, ତାଙ୍କର ଘନିଷ୍ଠ ସହଯୋଗୀ ପ୍ରଫେସର ଡ଼. କୁଳମଣି ନାୟକ, ବୈଞ୍ଜାନିକ ଡ଼ ଅଶୋକ ମିଶ୍ର, ସଂଜୀବ ପତ୍ରୀ, ପ୍ରମୋଦ ଦେବ, କମଳ ଲୋଚନ ନାୟକ, ଆନନ୍ଦ ମହାପାତ୍ର, ବିପ୍ଲବୀ ତପନ ପାଢ଼ୀ, ଆଡ଼ଭୋକେଟ ଧ୍ରୁବ ଚରଣ ମହାନ୍ତି, ନନ୍ଦିନୀ ଶତପଥୀ ,ପ୍ରଦ୍ୟୋତ କୁମାର ବିଶୋୟୀ ଓ ବୀରକିଶୋର ବେହେରା ପ୍ରମୁଖ ପଦଯାତ୍ରୀ ଭାଷାଯୋଦ୍ଧାମାନଙ୍କୁ ଫୁଲମାଳ ପିନ୍ଧାଇ ସ୍ୱାଗତ କରିଥିଲେ ।

ଅଭିଯାତ୍ରୀମାନେ ବରିଷ୍ଠ ସଂଚାଳକମାନଙ୍କଠାରୁ କଳାପତାକା ଓ ଦାବିଫଳକ ପୁନଃ ଧାରଣ କରି ଆଗେଇଥିଲେ ରାଜଭବନ ସମ୍ମୁଖସ୍ଥ ମଧୁବାବୁଙ୍କ ବିଜେସ୍ଥଳୀ ପର୍ଯ୍ୟନ୍ତ ପ୍ରଚଳିତ ଧାରାରେ । ଏହାର ଅଗ୍ରଭାଗରେ ଥିଲେ ସଂଘମିତ୍ରା ଜେନା ।

ମଧୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଅଭିଯାତ୍ରୀ ମାନକୁ ସ୍ୱାଗତ ଓ ସହଯୋଗ କରିଥିଲେ-ସୂଚନା ଅଧିକାର ଅଭିଯାନର ମୁଖ୍ୟ  ପ୍ରଦୀପ ପ୍ରଧାନ, ସମାଜସେବୀ ଅଶୋକ କୁମାର ଦାସ, ଛତ୍ରପୁର ଭାଷା ଆନ୍ଦୋଳନର କର୍ଣ୍ଣଧାର ସୌମ୍ୟ ରଞ୍ଜନ ନାୟକ, ମାନସ ପଟ୍ଟନାୟକ, ସରୋଜ କୁମାର ମହାପାତ୍ର, ଆଶିଷ କୁମାର ଦାଶ, ରିଂକନ୍ ନାରାୟଣନ୍, ଅମିତ ଅଭିଜିତ ସାମଲ, ଅଭିଷେକ ଦାଶ, ଦିବ୍ୟଜ୍ୟୋତି ଜେନା, ବିଶ୍ୱରଂଜନ ସାହୁ, ହୃଷିକେଶ ଷଡ଼ଙ୍ଗୀ, ପ୍ରସନ୍ନ କୁମାର ପ୍ରଧାନ ଓ ଶିଶିର କୁମାର ସାହୁ ପ୍ରମୁଖ ।


ଯେଉଁଯାଏଁ ଓଡ଼ିଆ ଭାଷାରେ ସେବା ନ ଦେବା କର୍ମଚାରୀଙ୍କୁ ଦଣ୍ଡବିଧାନ ପାଇଁ ଓଡିଶା ସରକାରୀ ଭାଷା ଆଇନର ନିର୍ଭୁଲ ସଂଶୋଧନ ନ ହୋଇଛି ସେ ଯାଏଁ ଏ ଅଭିଯାନ ଚାଲିବ ବୋଲି ସେମାନେ ଶପଥ ନବୀକୃତ କରିଥିଲେ ।

ଭାଷା ଆନ୍ଦୋଳନର ଛତ୍ରପୁର ଶାଖାର ଆବାହକ ଓ ଯୁବବାଗ୍ମୀ ସୌମ୍ୟରଂଜନ ନାୟକ ସାମାଜିକ ଗଣମାଧ୍ୟମରେ ସମଗ୍ର ପଦଯାତ୍ରାର ଜୀବନ୍ତ ପରିବେଷଣ କରିଥିଲେ ।

Posted by Soumya Ranjan Nayak Iimc on Friday, August 17, 2018

Bhasha Andolan on Day 600

ଛଶହ ଦିନରେ ଭାଷା ଆନ୍ଦୋଳନ

 

 

ଆଜିର କଳାପତାକା ଅଭିଯାତ୍ରୀ : ମଧୁମିତା ସାମଲ, ଅନ୍ନପୂର୍ଣ୍ଣା ଭଟ୍ଟ, ଚିନ୍ମୟୀ ମଙ୍ଗରାଜ, ସଞ୍ଜୁଲତା ମହାନ୍ତି ପଟ୍ଟନାୟକ ∣

 

 

 

 

ଓଡ଼ିଆରେ ଓଡ଼ିଶାର ଶାସନ : ଖିଲାପକାରୀକୁ ଦଣ୍ଡବିଧାନ ପାଇଁ ସବୁଦିନ ପରି କୁଳଗୌରବ ମଧୁସୂଦନଙ୍କ ପାଦ ତଳେ ଶପଥ ନବୀକରଣ ∣

Bhasha Andolan on Day 593

ପାଞ୍ଚଶହ ତେୟାନବେ ଦିନରେ ଭାଷା ଆନ୍ଦୋଳନ

 

 

ଆଜିର କଳାପତାକା ଅଭିଯାତ୍ରୀ : ଲିଙ୍ଗରାଜ ପରିଡା, ପ୍ରଭାତ କୁମାର ରାଉତ, କମଳ ପ୍ରସାଦ ପତି, ଆଶୀଷ କୁମାର ବେବର୍ତା ∣

 

 

 

 

ଓଡ଼ିଆରେ ଓଡ଼ିଶାର ଶାସନ : ଖିଲାପକାରୀକୁ ଦଣ୍ଡବିଧାନ ପାଇଁ ସବୁଦିନ ପରି କୁଳଗୌରବ ମଧୁସୂଦନଙ୍କ ପାଦ ତଳେ ଶପଥ ନବୀକରଣ ∣