Posts tagged Bhavanipatna

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଭବାନୀପାଟଣାରୁ ପ୍ରାପ୍ତ ସମ୍ବାଦ ସହ ଅଦାଲତ ପରିସରରେ ଥିବା କୁଳଗୌରବ ମଧୁସୂଦନ ଦାସଙ୍କ ପବିତ୍ର ପ୍ରତିମୂର୍ତ୍ତି ସମ୍ମୁଖରୁ ପ୍ରେରିତ ଚିତ୍ର ସ୍ପଷ୍ଟ କରିଦେଇଛି କି, ଇଂରାଜୀ ଭାଷାଧିପତ୍ୟ କବଳରୁ ନିଜ ମାତୃଭୂମିକୁ ଉଦ୍ଧାର କରିବାପାଇଁ ଭାଷା ଆନ୍ଦୋଳନ, ଓଡିଶା ଯେଉଁ ଅଭିଯାନ ଚଳାଇଛି ଓଡ଼ିଶାର ସେହି ଯୁଗାନ୍ତକାରୀ ମୁକ୍ତି ଆନ୍ଦୋଳନରେ ଯୋଗ ଦେଇ ଓଡ଼ିଆରେ ଓଡ଼ିଶାର ସମସ୍ତ ଦାପ୍ତରିକ କର୍ମ ସମ୍ପାଦନା ପାଇଁ କଳାହାଣ୍ଡି ଯେଉଁ ଐତିହାସିକ ଅବଦାନ ଦେଇଥିଲା ତାହାକୁ ତାର ନୀତିନିଷ୍ଠ ବୀର ସନ୍ତାନମାନେ ଅଧିକ ସୁଦୃଢ଼ କରିବାକୁ ଚାହାନ୍ତି ।

ଆଜି ଭବାନୀପାଟଣାର ଓକିଲ ବନ୍ଧୁମାନଙ୍କ ଏହି ମହାନ ନିଷ୍ପତ୍ତି ହେତୁ ମୋର ଛାତି ଗର୍ବରେ ଫୁଲିଉଠୁଛି । ଏକଦା କଳାହାଣ୍ଡିର ଶେଷ ମହାରାଜା ପୁଣ୍ୟଶ୍ଳୋକ ପ୍ରତାପ କେଶରୀ ଦେଓଙ୍କର ଜଣେ ସହକର୍ମୀ ଭାବେ ମୁଁ ଗର୍ବ ଅନୁଭବ କରୁଥିଲି ; କାରଣ, ଓଡ଼ିଆ ଭାଷାରେ ଓଡ଼ିଶାର ପରିଚାଳନାପାଇଁ ତାଙ୍କର ବଜ୍ରନିର୍ଘୋଷ ତୁଲ୍ୟ ଉଦ୍ଘୋଷଣ ହିଁ ‘ଓଡିଶା ସରକାରୀ ଭାଷା ବିଧେୟକ’ର ବିରୋଧୀମାନଙ୍କ ମୁହଁ ବନ୍ଦ କରିଦେଇଥିଲା ଓ ତାହା ବିନାବାଧାରେ ପାରିତ ହୋଇଥିଲା ।

ସେଦିନ ଥିଲା 7 ସେପ୍ଟେମ୍ବର 1954 । ବିତର୍କ ଚାଲିଥିଲା ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଆଗତ କରିଥିବା ‘ଓଡିଶା ସରକାରୀ ଭାଷା ବିଧେୟକ’ ଉପରେ । 1 ଏପ୍ରିଲ 1948ରେ ସମ୍ବଲପୁରର ପ୍ରାତଃସ୍ମରଣୀୟ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର ଓଡ଼ିଆ ଭାଷାକୁ ଓଡ଼ିଶାର ସରକାରୀ ଭାଷା କରିବାପାଇଁ ଆଇନ ପ୍ରଣୟନ ସକାଶେ ଆଣିଥିବା ‘ସଂକଳ୍ପ’କୁ ଯେଉଁମାନେ ବିରୋଧ କରିଥିଲେ, ସେହିମାନଙ୍କ ସମାନ ଷଡ଼ଯନ୍ତ୍ରର ପଦଧ୍ଵନୀ ବାରିହୋଇପଡୁଥିଲା ବିତର୍କରେ ।

ଜୁନାଗଡ଼ର ପ୍ରତିନିଧିତ୍ବ କରୁଥିବା ପ୍ରତାପ କେଶରୀ ଗର୍ଜି ଉଠିଥିଲେ , “ଯେଉଁମାନେ ଓଡ଼ିଶାରେ ବାସ କରିବାକୁ ଚାହାନ୍ତି ସେମାନଙ୍କୁ ଓଡ଼ିଆ ନିଶ୍ଚୟ ଶିଖିବାକୁ ପଡ଼ିବ । ସେ ଆମର ଜଣେ ଆନ୍ଧ୍ର ଭାଇ ହୁଅନ୍ତୁ କିମ୍ବା ସେ ଆମର ଚିଫ ସେକ୍ରେଟାରୀ ହୁଅନ୍ତୁ ଅଥବା ଯେ କେହି ହୁଅନ୍ତୁ, ସମସ୍ତଙ୍କୁ ଓଡ଼ିଆ ଶିଖିବାକୁ ହେବ । They must learn Oriya or else they will have to clear out” – ଏହା କହି ପ୍ରତାପ କେଶରୀ ଯେତେବେଳେ ତାଙ୍କ ଭାଷଣ ଶେଷ କଲେ, ଚୁପ ହୋଇଯାଇଥିଲେ ଓଡ଼ିଆଵିରୋଧୀଏ ଏବଂ ତାଙ୍କ ଉତ୍ତରରେ ମୁଖ୍ୟମନ୍ତ୍ରୀ କହିବାକୁ ବାଧ୍ୟ ହୋଇଥିଲେ ଯେ, ଅଣଓଡ଼ିଆମାନଙ୍କୁ ଓଡ଼ିଆ ଭାଷାରେ ଧୂରୀଣ ହେବାପାଇଁ ତିନିବର୍ଷ କରୁଣା କାଳ ଦିଆଯିବ ଓ ଯେଉଁମାନେ ତିନିବର୍ଷ ଭିତରେ ଓଡ଼ିଆରେ କାମ କରିବା ନ ଶିଖିବା ସେମାନଙ୍କୁ ଦଣ୍ଡବିଧାନ ହେବ । ପ୍ରତାପ କେଶରୀ ଯଦି “ଓଡ଼ିଆ ନ ଶିଖିବା ଲୋକେ ଓଡିଶା ଛାଡି ପଳାଇବାକୁ ବାଧ୍ୟ” ବୋଲି ଯଦି ନ କହିଥାନ୍ତେ ସେଦିନ , ତେବେ ଓଡ଼ିଆ ଭାଷାରେ କାମ ନକରିବା ଦଣ୍ଡନୀୟ ହେବ ବୋଲି ବିଧାୟକକୀୟ ଉଦ୍ଦେଶ୍ୟ (legislative intention) ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରେ ଆଦୌ ଉଚ୍ଚାରିତ ହୋଇନଥାନ୍ତା । ତେଣୁ ସମଗ୍ର ଓଡ଼ିଆଜାତି କଳାହାଣ୍ଡିର ଶେଷ ମହାରାଜାଙ୍କ ଏହି ସମ୍ପୂର୍ଣ ଓଡିଆଜାତିପ୍ରାଣତା ନିକଟରେ ମୁଁ ସଦାକାଳେ ନତମସ୍ତକ ହୋଇରହିଛି ।

ଯେଉଁ ପବିତ୍ରମାଟିର ସନ୍ତାନ ଓ ଶେଷ ସ୍ଵାଧୀନ ନରେଶ ଥିଲେ ଏହି ପ୍ରଚଣ୍ଡ ଓଡିଆଜାତିପ୍ରାଣ ପ୍ରତାପ କେଶରୀ, ସେହି ପବିତ୍ରମାଟିରେ ହିଁ ଓଡ଼ିଆ ଜାତିକୁ ତାର ଭୌଗୋଳିକ ପରିଚୟ-ପ୍ରଦାତା କୁଳଗୌରବ ମଧୁସୂଦନଙ୍କ ସୁଯୋଗ୍ୟ ବୃତ୍ତି-ଦାୟାଦମାନେ ଓଡ଼ିଆ ଭାଷାରେ ସେବାଦାନ ପ୍ରତ୍ୟାଖ୍ୟାନ କରୁଥିବା କର୍ମଚାରୀଙ୍କୁ ଦଣ୍ଡବିଧାନ ପାଇଁ ଭାଷା ଆନ୍ଦୋଳନରେ ଝାସ ଦେବା ଖବର ଓଡ଼ିଆ ଭାଷା ଜନନୀର ସମଗ୍ର ସତ୍ତାକୁ ଆଜି ଗର୍ଵମଞ୍ଜୁଳ କରୁଥିବ – ଏହା ନିଃସନ୍ଦେହ ।

ସାଥୀ ସନ୍ତୋଷ ମିଶ୍ର ଏଠାରେ ପ୍ରଦତ୍ତ ଫଟୋଚିତ୍ରଗୁଡ଼ିକ ଦେଇ ଜଣାଇଛନ୍ତି କି, ଯେଉଁମାନେ କଳାହାଣ୍ଡି ଜିଲ୍ଲାରେ ଓଡ଼ିଶାର ଏହି ଅଭିନବ ମୁକ୍ତି ଆନ୍ଦୋଳନର ଭିତ୍ତି ସ୍ଥାପନ କରିଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ତାଙ୍କ ସମେତ ସର୍ବଶ୍ରୀ ଅଶୋକ ସାହୁ, ସୌମେନ୍ଦ୍ର ଚାନ୍ଦ, ନିହାର ମିଶ୍ର, ଭୁପେନ୍ଦ୍ର ପଣ୍ଡା, ଅନୁପ ଜେନା, ରାଜେଶ ନାୟକ, ଲୋକନାଥ ନାୟକ, ପ୍ରଶାନ୍ତ ଭୋଇ, ସନ୍ତୋଷ ସାହୁ, ପରମାନନ୍ଦ ପଣ୍ଡା, ଅନୱର ଭାରତୀ, ରାଜକୁମାର ଛାତିଆ, ପ୍ରତାପ ପ୍ରଧାନ, ପ୍ରଦୀପ ପତ୍ର, ବିରଂଚି ସେଠି, ଲୋକନାଥ ନାୟକ, ସନ୍ତୋଷ ମିଶ୍ର, ପ୍ରକାଶ ହରପାଲ, ରାମଚନ୍ଦ୍ର ଦାସ, ଧର୍ମେନ୍ଦ୍ର ପାତ୍ର ପ୍ରମୁଖ । ଦାବିଫଳକ ସହ ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରୁ ଅଭିଯାତ୍ରାରେ ଆସି ଦେୱାନୀ ଅଦାଲତ ପରିସରରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଦାବି ହାସଲ ଯାଏଁ ସଂଗ୍ରାମ ଅତୁଟ ରହିବ ବୋଲି ସେମାନେ ପ୍ରତିଜ୍ଞା ପ୍ରକଟ କରିଥିଲେ  ।

ଭବାନୀପାଟଣାର ଏହି ମାତୃଭକ୍ତ ବୀର ଓଡିଆମାନଙ୍କୁ ମୁଁ ଏବଂ ଭାଷା ଆନ୍ଦୋଳନ, ଓଡ଼ିଶାର ସବୁ ସଂଗ୍ରାମୀ ଜଣାଉଛୁ କୋଟି କୋଟି ସଶ୍ରଦ୍ଧ ପ୍ରଣାମ ।