Posts tagged Cabinet decisions

    କଳାପତାକା ଅଭିଯାନର ୩ୟ ବାର୍ଷିକୀ ପୂର୍ତ୍ତୀ ଉପଲକ୍ଷେ

ସୁଭାଷ ଚନ୍ଦ୍ର ପଟ୍ଟନାୟକ,
ପ୍ରତିଷ୍ଠାତା, ଭାଷା ଆନ୍ଦୋଳନ, ଓଡ଼ିଶା

ରାଜ୍ୟପାଳଙ୍କ ଅନୁମୋଦନ ପାଇବା ପରେ ଓଡ଼ିଶା ସରକାରୀ ଭାଷା ନିଯମାବଳୀ, ୨୦୧୬ ସଂଶୋଧିତ ହୋଇ ତହିଁରେ ୫କ ଧାରା ଯୋଡ଼ାଯିବ । ତାହା ଏହିପରି :

“୫କ – ପୁରସ୍କାର ବ ଦଣ୍ଡବିଧାନ – (୧) ସରକାରୀ କାର୍ଯ୍ୟରେ ଓଡ଼ିଆଭାଷାର ବ୍ୟାପକ ବ୍ୟବହାର କରୁଥିବା କର୍ମଚାରୀ ତଥା ବିଭାଗମାନଙ୍କୁ ପୁରସ୍କୃତ କରାଯିବ । (୨) ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ପର୍ଯ୍ୟାପ୍ତ ବ୍ୟବହାରରେ ବାରମ୍ବାର ଖିଲାପ କଲେ, ଖିଲାପକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଓଡ଼ିଶା ବେସାମରିକ ସେବା ଅଧିନିୟମ, ୧୯୬୨ ଅନୁଯାୟୀ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । (୩) ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ସର୍ବଭାରତୀୟ ସେବା ବର୍ଗର ଅଧିକାରୀ ଏବଂ କେନ୍ଦ୍ରୀୟ ବେସାମରିକ ସେବା ବର୍ଗର ଅଧିକାରୀମାନଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ଆନୁଶାସନିକ କାର୍ଯ୍ୟବିଧି ଅଧିନିୟମ ଅନ୍ତର୍ଗତ ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।“

ଏହି ନିଯମାବଳୀ ପ୍ରଣଯନର ବ୍ୟାୟମ ଆରମ୍ଭ ହୋଇଥିଲା ଭାଷା ଆଇନ ସମ୍ପର୍କିତ ମନ୍ତ୍ରୀସ୍ତରୀୟ କମିଟିର ସଦସ୍ୟ ଭାବେ ୩।୯।୨୦୧୫ ତାରିଖରେ ମୁଁ ଦେଇଥିବା ପ୍ରସ୍ତାବ ଓ ଚିଠାକୁ ଭିତ୍ତି କରି ।

ଓଡିଶା ସରକାରୀ ଭାଷା ଆଇନର ଉଲ୍ଲଂଘନ ବିରୁଦ୍ଧରେ ଦଣ୍ଡବିଧାନ ବ୍ୟବସ୍ଥା ସହ ସେଥିପାଇଁ ନିଯମାବଳୀ ପ୍ରବର୍ତ୍ତନ କରିବାକୁ ଓ ନିଯମାବଳୀ ପ୍ରଣୟନର କ୍ଷମତା ହାସଲ କରିବାକୁ ସରକାର ଆଇନଟିରେ ଆବଶ୍ୟକୀୟ ସଂଶୋଧନ କରିବାକୁ ମୁଁ ପରାମର୍ଶ ଓ ଚିଠା ପ୍ରଦାନ କରିଥିଲି । ତଦନୁଯାୟୀ ଭାଷା ଆଇନର ଖିଲାପ ବିରୁଦ୍ଧରେ ଯେ କୌଣସି ଓଡ଼ିଆ ମକଦ୍ଦମା ଆଗତ କରିପାରିବେ ଓ ତାହା ଭାଷା ପ୍ରବର୍ତ୍ତନ କମିଟି ନାମକ ଏକ ଅଦାଲତୀୟ କ୍ଷମତା ସମ୍ପନ୍ନ କମିଟି ବିଚାର କରି ଦଣ୍ଡବିଧାନ କରିବେ ବୋଲି ମୋ ପ୍ରଦତ୍ତ ଚିଠାରେ ଥିଲା । ଇଂରାଜୀ ଭାଷାରେ ପ୍ରଦତ୍ତ ଏହି ଚିଠାର ଓଡ଼ିଆ ଅନୁବାଦ କରି ମୁଁ ଦେଇଥିବା ମୂଳ ଚିଠା ସମେତ ଏହି ଚିତ୍ରରେ ପ୍ରଦର୍ଶିତ ସରକାରୀ ୱେବ ସାଇଟରେ ରାଜ୍ୟ ସରକାର ସ୍ଥାନିତ କରିଛନ୍ତି । ତାହା ଏହିପରି :

“ଏହି କମିଟି କୌଣସି ବ୍ୟକ୍ତି ବା ଅନୁଷ୍ଠାନ ତରଫରୁ ଅଭିଯୋଗ ପାଇଲେ କିମ୍ବା ସ୍ଵତଃ ପ୍ରବୃତ୍ତ ଭାବେ ଏହି ଆଇନର କୌଣସି ଧାରା , ଉପଧାରା ଓ ନିୟମର ଉଲ୍ଲଂଘନ ବିଷୟରେ ଜାଣିବାକୁ ପାଇଲେ ତହିଁର ବିଚାର କରିବେ ଓ କମିଟି ସଦସ୍ୟଙ୍କ ସଂଖ୍ୟାଧିକ ମତ ଅନୁସାରେ ଦଣ୍ଡବିଧାନ କରିବେ ।“

କିନ୍ତୁ, ସରକାର ସମ୍ପ୍ରତି ପ୍ରସ୍ତୁତ କରିଥିବା ଉପର ଉଦ୍ଧୃତ୍ତ ନିୟମାବଳୀ –ସଂଶୋଧନ ପ୍ରସ୍ତାବରେ ନିଜ ଭାଷାର ସୁରକ୍ଷା ପାଇଁ ବିଧିକ ଅଧିକାର ଜନସାଧାରଣଙ୍କୁ ନ ଦେଇ , କେବଳ ବେସାମରିକ ସେବା ଅଧିନିୟମ ଅନୁସାରେ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ “ଓଡ଼ିଆ ଭାଷାର ପର୍ଯ୍ୟାପ୍ତ ବ୍ୟବହାରରେ ବାରମ୍ବାର ଖିଲାପ କଲେ” କାର୍ଯ୍ୟାନୁଷ୍ଠାନ ହେବ ବୋଲି ରାଜ୍ୟପାଳଙ୍କୁ ପ୍ରସ୍ତାବ ଦେଇଛନ୍ତି । ଏଥିର ଅନ୍ତର୍ନିହିତ ଦୁର୍ବଳତା ଅତ୍ୟନ୍ତ ଆତ୍ମଘାତୀ । “ପର୍ଯ୍ୟାପ୍ତ ବ୍ୟବହାରରେ ବାରମ୍ବାର ଖିଲାପ” ଏକ ବନ୍ଧ୍ୟା ବିଭାବନା , କାରଣ “ପର୍ଯ୍ୟାପ୍ତ” ଏକ ନିର୍ଦ୍ଦିଷ୍ଟ ପରିମାଣସୂଚକ ଶବ୍ଦ ନୁହେଁ । “ବାରମ୍ବାର ଖିଲାପ” ମଧ୍ୟ ବିଭ୍ରାନ୍ତିକର,କେତେଥର ଖିଲାପି ବାରମ୍ବାର ଖିଲାପି ବୋଲି ବିବେଚିତ ହେବ ତାହା ନିର୍ଣାୟିତ ନୁହେଁ । ଦଣ୍ଡବିଧାନ ଯେହେତୁ ଏକ ନ୍ୟାୟିକ ବ୍ୟବସ୍ତା, ସେହେତୁ ଏପରି ଅସ୍ପଷ୍ଟ ବିଭାବନା ଉପରେ ଆଧାରିତ ଶାସ୍ତି ବିଧାନ ନିୟମ କସ୍ମିନକାଳେ କାର୍ଯ୍ୟକ୍ଷମ ହେବ ନାହିଁ । ଅପରପକ୍ଷେ ପ୍ରସ୍ତାବିତ ସରକାରୀ ନିୟମାବଳୀର ଉପରୋକ୍ତ ଧାରାର ଉପଧାରା (୧) ଓଡ଼ିଆ ଭାଷା ସ୍ଵାର୍ଥ ଦୃଷ୍ଟିରୁ ଆଦୌ ଗ୍ରହଣୀୟ ନୁହେଁ । ଏହା କହେ,

“ସରକାରୀ କାର୍ଯ୍ୟରେ ଓଡ଼ିଆଭାଷାର ବ୍ୟାପକ ବ୍ୟବହାର କରୁଥିବା କର୍ମଚାରୀ ତଥା ବିଭାଗମାନଙ୍କୁ ପୁରସ୍କୃତ କରାଯିବ ।“

ଏହାର ଅର୍ଥ ହେଲା, ଯେଉଁ ସରକାରୀ କର୍ମଚାରୀ ବିଭାଗୀୟ ସେବା ଦେବା ବେଳେ ସମ୍ପୂର୍ଣତଃ ଓଡ଼ିଆ ଭାଷା ବ୍ୟବହାର କରିବେନାହିଁ , ତାଙ୍କୁ ପୁରସ୍କୃତ କରାଯିବ ।

ଏପରି ଏକ ଆତ୍ମଘାତୀ ବ୍ୟବସ୍ଥା ନିୟମାବଳୀରେ ପ୍ରସ୍ତାବିତ କରିବାକୁ ପ୍ରଶାସନିକ କଳ ସାହସ କରିନଥାନ୍ତା , ଯଦି ସରକାରୀ ଭାଷା ଆଇନରେ ଖଞ୍ଜା ହୋଇଥିବା ଧାରା ୪-କ ଅନୁସାରେ ଏହି ନିଯମାବଳୀ ପ୍ରସ୍ତାବିତ ହୋଇନଥାନ୍ତା । ବସ୍ତୁତଃ ଓଡିଶା ସରକାରୀ ଭାଷା (ସଂଶୋଧନ) ଆଇନ ୨୦୧୮ର ଧାରା ୪-କ ଏହା ହିଁ କହିଛି । ତାର ଭାଷା ହେଲା ଏହିପରି –

“ସରକାର, ସରକାରୀ ଭାଷାର ବ୍ୟାପକ ବ୍ୟବହାର ନିମନ୍ତେ ସରକାରୀ କର୍ମଚାରୀ ବା ବିଭାଗମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ତଥା ସେଥିରେ ଖିଲାପ କରୁଥିବା ସରକାରୀ କର୍ମଚାରୀ ବା ବିଭାଗମାନଙ୍କୁ ଦଣ୍ଡବିଧାନ କରିବା ସକାଶେ ନିୟମାବଳୀରେ ଉପଯୁକ୍ତ ବ୍ୟବସ୍ଥାମାନ ବିହିତ କରିପାରିବେ ।”

ମୂଳ ପ୍ରସ୍ତାବଦାତା ଭାବେ ମୁଁ ଏହାର ଘୋର ପ୍ରତିବାଦ କରି ଏହାର ବିଲୋପନ ପାଇଁ ଦାବି କରିଥିଲି , କାରଣ “ବ୍ୟାପକ ବ୍ୟବହାର” ଅର୍ଥ ସମ୍ପୂର୍ଣ ବ୍ୟବହାର ନୁହେଁ । ମୂଳ ଭାଷା ଆଇନ ସମଗ୍ର ଓଡିଶାରେ ସମସ୍ତ ଓ ଯେକୌଣସି ସରକାରୀ କାମ ଓଡ଼ିଆ ଭାଷାରେ ହିଁ ହେବ ବୋଲି ଧାର୍ଯ୍ୟ କରିଛି । ସୁତରାଂ ୪-କ ଧାରା ମୂଳ ଭାଷା ଆଇନର ସମ୍ପୂର୍ଣ ପରିପନ୍ଥୀ ।

ଅଧିକନ୍ତୁ ଏହି ଧାରାକୁ ୨୬।୧୨।୨୦୧୭ ତାରିଖର କ୍ୟାବିନେଟ ବୈଠକର ପ୍ରସ୍ତାବ ସହ ଯୋଡି ଏହାର “ଉଦ୍ଦେଶ୍ୟ ଓ କାରଣ କଥନ” ପକ୍କା କରାଯାଇଥିବା ହେତୁ ଭାଷା ଆଇନ ଉଲ୍ଲଂଘନ ବିରୁଦ୍ଧରେ ଯଦି କେତେବେଳେ ନିୟମାବଳୀର ପ୍ରସ୍ତାବିତ ୫-କ ଅନୁସାରେ କୌଣସି କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯାଏ , ତେବେ ଏହି “ଉଦ୍ଦେଶ୍ୟ ଓ କାରଣ କଥନ” ତାର ଅନ୍ତରାୟ ହେବ , ଯେହେତୁ “ବ୍ୟାପକ ବ୍ୟବହାର” ସମ୍ପୂର୍ଣ ବ୍ୟବହାର ନୁହେଁ ଓ ଯେଉଁ କ୍ୟାବିନେଟ ପ୍ରସ୍ତାବ ଉପରେ ଏହା ଆଧାରିତ ତାହା ସରକାରୀ ସେବା ପ୍ରଦାନ କ୍ଷେତ୍ରରେ ଓଡ଼ିଆ ଭାଷା ବ୍ୟବହାର ପାଇଁ “ବିଭାଗଗୁଡିକ ନିର୍ଦ୍ଦିଷ୍ଟ ମାନଦଣ୍ଡ ଏବଂ କ୍ଷେତ୍ର ନିର୍ଦ୍ଧାରଣ କରିବେ” ବୋଲି କହି ଓଡ଼ିଶା ସରକାର ଆମ ଭାଷା ଆଇନଟିକୁ ଅମଲାତନ୍ତ୍ରର ଇଚ୍ଛାଧୀନ କରାଇଛନ୍ତି ।

ଏହି ଦୃଶ୍ୟପଟକୁ ପ୍ରବେଶ କଲାବେଳେ ଇତିହାସ ଅନ୍ୟ ଏକ ଲଜ୍ଜ୍ୟାଦାୟକ ସତ୍ୟର ସମ୍ମୁଖୀନ ହେବ । ତାହା ହେଲା, ୨୬।୧୨।୨୦୧୭ ତାରିଖର କ୍ୟାବିନେଟ ପ୍ରସ୍ତାବରେ ପରିଲକ୍ଷିତ ପ୍ରମାଦକୁ ରାଜ୍ୟ ମନ୍ତ୍ରୀମଣ୍ଡଳ ୧୪।୩।୨୦୧୮ ତାରିଖରେ ଅପସାରିତ କରି ୩।୯।୨୦୧୫ ତାରିଖରେ ମୁଁ ଦେଇଥିବା ପରାମର୍ଶ ଅନୁରୂପ ଏକ ନୂଆ ପ୍ରସ୍ତାବ ଗ୍ରହଣ କରିଥିଲେ । କିନ୍ତୁ, ଏହି ପ୍ରସ୍ତାବକୁ ମନ୍ତ୍ରୀମଣ୍ଡଳର ସମ୍ପୂର୍ଣ ଅଜ୍ଞାତରେ ଅଳିଆ ଗଦାକୁ ଫିଙ୍ଗିଦିଆଯାଇ ନୂଆ ଧାରା ୪-କ ପ୍ରଣୀତ ହେଲା ସେହି ୨୬।୧୨।୨୦୧୭ର ପ୍ରମାଦପୂର୍ଣ ପ୍ରସ୍ତାବ ଉପରେ । ଏବଂ ଏପରି କଲାବେଳେ, ଚିଠା ପ୍ରସ୍ତୁତକାରୀମାନେ ସେହି ପ୍ରମାଦପୂର୍ଣ ପ୍ରସ୍ତାବକୁ ବି ମନ୍ତ୍ରୀମଣ୍ଡଳରେ ସମ୍ପୂର୍ଣ ଅଜ୍ଞାତରେ ବିକୃତ କରିଥିଲେ ଓ ୧।୫।୨୦୧୮ ତାରିଖରେ ରାଜ୍ୟ ବିଧାନସଭାକୁ ମନ୍ତ୍ରୀମଣ୍ଡଳର ପ୍ରସ୍ତାବ ସମ୍ପର୍କରେ ସମ୍ପୂର୍ଣ ମିଥ୍ୟାକଥା କହି ୨୦୧୮ର ପ୍ରଥମ ସଂଶୋଧନ ପାରିତ କରା ହୋଇ ୪-କ ଖଞ୍ଜା ହୋଇଥିଲା । ସରକାର ବୁଝିଲେ ଯେ, ଭୁଲ ହୋଇଗଲା । ମାତ୍ର ଏହି ଭୁଲକୁ ଏକ ସାନି ଭୁଲ ଦ୍ଵାରା ସଶକ୍ତିକୃତ କରାଗଲା ୧୯।୯।୨୦୧୮ ତାରିଖରେ ୨୦୧୮ର ୨ୟ ସଂଶୋଧନ ଦ୍ଵାରା !

ପ୍ରସ୍ତାବିତ ଭାଷା ନିଯମାବଳୀ ସଂଶୋଧନରେ ଯେଉଁ ନିୟମ ୫-କ ଯୋଡିବାକୁ ରାଜ୍ୟପାଳଙ୍କ ଅନୁମୋଦନ ଲୋଡ଼ାଯାଇଛି ତାହା ଭାଷା ଆଇନର ଏହି ଆଜନ୍ମ ଅଶୁଦ୍ଧ ୪-କ ଧାରା ଉପରେ ହିଁ ଆଧାରିତ । ଏହି ସଙ୍କଟାବର୍ତ୍ତରୁ ଓଡିଶା ସରକାରୀ ଭାଷା ଆଇନ କିପରି ଉଦ୍ଧାର ହେବ ତାହା ହିଁ ଆଜିର ଆହ୍ଵାନ ।