Posts tagged Debi Prasanna Pattanayak

ମିଛ କହିଲେ କ’ଣ ସତ ଲୁଚିବ?

ସୁଭାଷ ଚନ୍ଦ୍ର ପଟ୍ଟନାୟକ,

“ଭାଷା ଆନ୍ଦୋଳନ ସମ୍ପର୍କରେ” ସମ୍ବାଦର 14.10.2017 ସଂସ୍କରଣରେ ଲେଖି ଡ଼. ଦେବୀ ପ୍ରସନ୍ନ ପଟ୍ଟନାୟକ ଜଣାଇଛନ୍ତି ଯେ, ସେହି କାଗଜଟିରେ ନଭେମ୍ବର 4 ତାରିଖରେ ପ୍ରକାଶିତ ସମ୍ପାଦକୀୟ ପଢି ସେ “ବାଉଳା” ହୋଇଗଲେ ∣ ସେ ଯଦି ସତରେ ବାଉଳା ହୋଇ ଯାଇନଥାନ୍ତେ, ଏଥିରେ ଯେପରି ମିଛ ଲେଖିଛନ୍ତି ସେପରି ଲେଖିବାକୁ ତାଙ୍କୁ ସଂକୋଚ ଲାଗିଥାନ୍ତା ∣ ସମ୍ବାଦ ସମ୍ପାଦକ ତାଙ୍କ ସମ୍ପାଦକୀୟଟିକୁ ଡ଼. ପଟ୍ଟନାୟକଙ୍କ ନିବନ୍ଧ ସହ ଏକତ୍ର ରଖି ଏକ ସ୍ଵାଗତଯୋଗ୍ୟ “ବିତର୍କ’ ଉଭା କରାଇଛନ୍ତି 19.10.2017ରେ ∣ ଏଥିରେ ଅଂଶ ଗ୍ରହଣ କରି ବରିଷ୍ଠ ସାମ୍ବାଦିକ ଅସିତ ମହାନ୍ତି ଓ କବି ଗଜାନନ ମିଶ୍ର ଡ଼.ପଟ୍ଟନାୟକଙ୍କ ମିଛକଥାଗୁଡ଼ିକୁ ପ୍ରାୟତଃ ପଦାରେ ପକାଇ ଦେଇଛନ୍ତି ∣ ମୁଁ କେବଳ ମୋ ଉପରେ ସେ ଯେଉଁ ମିଛ କହିଛନ୍ତି, ସେତିକି ସ୍ପଷ୍ଟ କରିବି ∣

ପ୍ରଥମ ମିଛ : ସେ କହିଛନ୍ତି ,”ମୋର କଳାପତାକାଧାରୀଙ୍କ ସହିତ ବିରୋଧ ନାହିଁ ∣ ତାଙ୍କ ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ 3/4ଟି ବହିରେ ମୁଁ ମୁଖବନ୍ଧ ଲେଖିଛି ∣” ଏହା ଉପରେ ମୋର ଉତ୍ତର ହେଲା, “ଏହା ମିଛ କଥା ∣” ବସ୍ତୁତଃ ମୋ ବହିଗୁଡ଼ିକ ଭିତରୁ କେବଳ ଖଣ୍ଡିଏ ବହିର ମୁଖବନ୍ଧ ସେ ଲେଖିଛନ୍ତି ∣ ବହିଟି ହେଲା Nabakalebara : Legends and Reality, ଯହିଁରେ ଶ୍ରୀ ଜଗନ୍ନାଥଙ୍କୁ କିମ୍ବଦନ୍ତୀର କୁହେଳିକା କବଳରୁ ମୁକ୍ତକରି ଓଡ଼ିଶାର ଭୂମିପୁତ୍ର ବୁଦ୍ଧଙ୍କର ଭୌମିକ ତତ୍ତ୍ଵର ରୁପକଳ୍ପ ଭାବେ ହିଁ ମୁଁ ଉପସ୍ଥାପିତ କରିଛି ∣ ଏହି ଭୌମିକ ତତ୍ତ୍ଵର ବୈଶିଷ୍ଟ୍ୟ ଦୃଷ୍ଟିରୁ , ମୋ ଜନ୍ମଭୁମିରେ ଜନ୍ମିତ ଓ ସମ୍ପର୍କରେ ମୋର ପୂଜ୍ୟ ବରିଷ୍ଠ ଡ଼. ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ଏହି ବହିଟିର ମୁଖବନ୍ଧ ଲେଖିବାକୁ ମୁଁ ଅନୁରୋଧ କରିଥିଲି ∣ ଡ଼. ପଟ୍ଟନାୟକ ବ୍ୟକ୍ତିଗତ ଜୀବନରେ ମୋର ସମ୍ପର୍କୀୟ ବଡ ଭାଇ ∣ ପିଲାଦିନୁ ତାଙ୍କ ପାଦତଳେ ମୁଁ ପ୍ରଣାମ କରିଆସିଛି ଓ ବଂଚିଥିବା ଯାଏଁ କରିବି ∣ ଆମେ ଦିହେଁ ତିଗିରିଆର ସନ୍ତାନ ∣ ମୋ ବହିର ମୁଖବନ୍ଧ ଲେଖିବାକୁ ମୋ ଜନ୍ମମାଟିରେ ଜନ୍ମିତ ଲୋକମାନଙ୍କ ମଧ୍ୟରେ ତାଙ୍କଠାରୁ ଅଧିକ ଵିଦ୍ଵାନ କିଏ ବା ଅଛନ୍ତି ? ତେଣୁ, ମୋର ବହିଟି ପାଇଁ ମୁଖବନ୍ଧ ଲେଖିବାକୁ ସେ ହିଁ ଥିଲେ ମୋର ପ୍ରଥମ ପସନ୍ଦ ∣ ତାହା ତ ମୋର ବ୍ୟକ୍ତିସତ୍ତାର କଥା ∣ ତହିଁ ସହ ଭାଷା ଆନ୍ଦୋଳନର ଅଧ୍ୟକ୍ଷଙ୍କ ଗୋଷ୍ଠୀସତ୍ତାର କୌଣସି ସମ୍ପର୍କ ନାହିଁ ∣ ଡ଼. ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ସମ୍ପର୍କୀୟ ଅନୁଜ ସୁଭାଷ ଚନ୍ଦ୍ର ପଟ୍ଟନାୟକ ଓ ଭାଷା ଆନ୍ଦୋଳନର ଅଧକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକ ଜୀବନଚର୍ଯ୍ୟା ବିଚାରରେ ଦୁଇ ଭିନ୍ନ ଭିନ୍ନ ସତ୍ତାର ଅନ୍ତର୍ଗତ ∣ ଗୋଟିକୁ ଅନ୍ୟଟି ସହ ଫେଣ୍ଟିବା ହିଁ ଭୁଲ , ଯେଉଁ ଭୁଲ ଡ଼. ପଟ୍ଟନାୟକ କରିଛନ୍ତି ∣

ଦ୍ବିତୀୟ ମିଛ : ଡ଼. ପଟ୍ଟନାୟକ ଲେଖିଛନ୍ତି, “ମୋ ସୁପାରିଶ ହେତୁ ସୁଭାଷ ପଟ୍ଟନାୟକ ମନ୍ତ୍ରୀସ୍ତରୀୟ କମିଟିର ସଭ୍ୟ ହେଲେ ∣” ଏହା କିପରି ସମ୍ପୂର୍ଣ ମିଛ ତାହା ଅସିତ ବାବୁଙ୍କ ଅଧିକନ୍ତୁ ଗଜାନନ ବାବୁ ବି ସ୍ପଷ୍ଟ କରିଦେଇଛନ୍ତି ଉପରୋକ୍ତ ବିତର୍କରେ ∣ କିନ୍ତୁ ଲୋକ ସ୍ଵାର୍ଥରେ ମୁଁ ପଚାରିବାକୁ ଚାହେଁ, ମୋତେ ମନ୍ତ୍ରୀସ୍ତରୀୟ କମିଟିରେ ନେବାକୁ ଦେବୀ ବାବୁ କାହାକୁ ସୁପାରିଶ କରିଥିଲେ ? କିପରି ଓ କେଉଁ କ୍ଷମତା ବଳରେ ? ମନ୍ତ୍ରୀସ୍ତରୀୟ କମିଟି ପାଇଁ ମୁଁ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିଥିବାବେଳେ ଯେଉଁଠି ଏହା ସଂଘଟିତ ହୋଇଥିଲା ସେଠାରେ ତାଙ୍କର ପ୍ରବେଶ ହିଁ ନଥିଲା ∣ odia.odisha.gov.in ୱେବସାଇଟର http://odia.odisha.gov.in/upload_files/pdf/notification/Order%20CM.pdf ପୃଷ୍ଠାରେ ଏହି ନିର୍ଣ୍ଣାୟକ ଭୂମିକା ନିର୍ବାହ କରିଥିବା 13 ଜଣଙ୍କ ନାମ ଅଛି ∣ ଏଥିରେ ଡ଼. ପଟ୍ଟନାୟକଙ୍କ ଚିହ୍ନବର୍ଣ୍ଣ ନାହିଁ ∣ ସେ ପୁଣି ମୋ ନାମ ସୁପାରିଶ କରିଥିଲେ ?

ସଂଗ୍ରାମର ମୈଦାନରୁ ମୁଁ ମନ୍ତ୍ରୀସ୍ତରୀୟ କମିଟିକୁ ପ୍ରବେଶ କରିଥିଲି ∣

 

ଡ଼. ଦେବୀ ପ୍ରସନ୍ନ ପଟ୍ଟନାୟକ ବହୁ ବିଳମ୍ବରେ ପଛ ଦ୍ଵାର ଦେଇ ଆସିଥିଲେ ଓ ଆମ ସହ ନ ବସି ସରକାରୀ କର୍ମଚାରୀମାନଙ୍କ ଗହଣରେ ବସୁଥିଲେ ∣

 

ଏହା ହିଁ ତହିଁର ପ୍ରମାଣ ∣ ଏବଂ ସେ କଣ କରୁଥିଲେ ? ଆମ ସଂଗ୍ରାମର ଉଦ୍ଦେଶ୍ୟ ପଣ୍ଡ କରି ନିଜ ଭାଷା ବେପାର ପାଇଁ ବାଟ ସଫା କରିବାରେ ଲାଗିଥିଲେ ∣

ତୃତୀୟ ମିଛ : ଡ଼. ପଟ୍ଟନାୟକ ଲେଖିଛନ୍ତି , “ମୁଁ ମନ୍ତ୍ରୀସ୍ତରୀୟ କମିଟି ଆଗରେ ପ୍ରସ୍ତୁତ କରିଥିବା ପ୍ରତିବେଦନରେ ଦଣ୍ଡବିଧାନ ଦ୍ବିତୀୟ ସ୍ଥାନ ଲାଭ କରିଥିଲା ∣ ……….. ଏଥିରେ ଦଣ୍ଡ ଭୟ ବ୍ୟତୀତ ପ୍ରୋତ୍ସାହନ ଲୋଭ ସ୍ଥାନ ପାଇଥିଲା ∣ ……….. ସେଥିରୁ କେବଳ ଦଣ୍ଡ ନେଇ ଭାଷା ଆନ୍ଦୋଳନ ମୁଣ୍ଡ ଟେକିଲା ∣” ସେ ଦାବିକରିଥିବା ଲେଖାଟି ପ୍ରକୃତରେ କଣ ଥିଲା ତାହା ଦେଖାଯାଉ ∣ ସେ ଲେଖିଥିଲେ , “ଯେଉଁମାନେ ଓଡ଼ିଆରେ ସରକାରୀ କାର୍ଯ୍ୟ ନକରିବେ, ସେମାନେ ସରକାରୀ ନିଷ୍ପତ୍ତି ଅବହେଳା କରୁଛନ୍ତି ବୋଲି ପରିଗଣିତ ହେବେ ଓ ଏହି ଅନୁସାରେ ଦଣ୍ଡବିଧାନ କରାଯିବ ∣ ଯେଉଁମାନେ ଓଡ଼ିଆରେ ସଫଳତାର ସହ କାମ କରିବେ ସେମାନଙ୍କୁ ପ୍ରୋତ୍ସାହନ ଦିଆଯିବ ∣”

ଏଠି ବି ଅନ୍ୟର ପରିକଳ୍ପନା ଚୋରି

ମାତ୍ର ଏକ୍ଷେତ୍ରରେ ବି ଅନ୍ୟର ଚିନ୍ତା ଓ ପରିକଳ୍ପନାକୁ ସେ ଚୋରି କରିଥିଲେ , ଯେମିତି ଓଡ଼ିଆ ଭାଷା ପ୍ରତିଷ୍ଠାନର ଶାସ୍ତ୍ରୀୟ-ମାନ୍ୟତା ଦାବିପତ୍ର ଚୋରି କରିଛନ୍ତି ∣ ସ୍ପଷ୍ଟତଃ କହିଲେ , ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପରିକଳ୍ପନା ଚୋରିକରି ସେ ଏହା ଲେଖିଥିଲେ ∣ ଆମ ଲୋକଙ୍କର ଯେହେତୁ ସତ୍ୟ ଜାଣିବାର ଅଧିକାର ଅଛି , ସେହେତୁ ଏହା ଆଲୋଚିତ ହେବା ଉଚ୍ଚିତ ∣ Institute of Language, Literature and Culture ପକ୍ଷରୁ 1995 ଜୁନ 21 ତାରିଖରେ ଭୁବନେଶ୍ୱରର ସୂଚନା ଭବନ ଠାରେ “ଓଡ଼ିଆ ସରକାରୀ ଭାଷା : ତା’ର ସମସ୍ୟା ଓ ସମାଧାନ” ବିଷୟରେ ଆଲୋଚନା ହୋଇଥିଲା ∣ ତହିଁରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାନକୀ ବାବୁ କହିଥିଲେ କି, “ଯେଉଁମାନେ ତାଙ୍କ ମନ୍ତବ୍ୟ ଓଡ଼ିଆରେ ନଲେଖି ଇଂରାଜୀରେ ଲେଖିଦେଉଛନ୍ତି” ତାଗିଦ କରାଯିବା ସତ୍ତ୍ବେ ସେମାନେ ଯଦି “ଏପରି ଭୁଲ ବାରମ୍ବାର କରିବେ” ତେବେ ତାହା ସେମାନଙ୍କ ଚରିତ୍ରଲିପିରେ ଲେଖା ହେବ ଓ “ସେଥିରେ ତାଙ୍କୁ ଦୋଷାବହ ବୋଲି ଗଣ୍ୟ କରାଯିବ ଏବଂ ଉଚ୍ଚିତ ଦଣ୍ଡବିଧାନ କରାଯିବ ∣” ସେ ପୁନଶ୍ଚ କହିଥିଲେ କି, ଯେଉଁମାନେ ଓଡ଼ିଆରେ ନଥି କାମ କରୁଛନ୍ତି ଓ କରିବେ “ସେଥିପାଇଁ କଣ ପୁରସ୍କାର ଦିଆଯିବ” ତାହା “ଆମେ ଚିନ୍ତା କରୁଛୁ ∣” ଦେବୀ ବାବୁ ସେଠାରେ ଉପସ୍ଥିତ ଥିଲେ ଓ ଜାନକୀ ବାବୁଙ୍କ ଭାଷଣ ବି ଶୁଣିଥିଲେ ∣ ଦୁଃଖର କଥା ନକଲ-ପ୍ରତ୍ୟାରୋପଣରେ ଧୂରୀଣ କୌଣସି ନିକୃଷ୍ଟ ଗବେଷକଙ୍କ ପରି ସେ ଜାନକୀ ବାବୁଙ୍କ କଥାକୁ ନିଜ କଥା ଭାବେ ଉପସ୍ଥାପିତ କରିଛନ୍ତି ∣ ଏହା ଜଣେ ପ୍ରକୃତ ଭାଷାପ୍ରେମୀ ଦିବଂଗତ ନେତାଙ୍କ ସ୍ମୃତି ପ୍ରତି ଘୋର ବିଶ୍ଵାସଘାତକତା ∣ ମଥା ନଖେଳେଇ ଅନ୍ୟର କଥାକୁ ଚୋରି କରି ନିଜର କଥା ଭାବେ ଉପସ୍ଥାପିତ କରିବା ପରି ଏକ ଦୁଷ୍କର୍ମ ପାଇଁ ଦେବୀ ବାବୁ ଯେ ଅନୁତପ୍ତ ନୁହନ୍ତି ତାହା ତାଙ୍କର 14 ତାରିଖ ନିବନ୍ଧରୁ ସ୍ପଷ୍ଟ ଜଣା ପଡୁଛି ∣

ଅପରପକ୍ଷେ, ସେପ୍ଟେମ୍ବର 3, 2015ରେ ଓଡିଶା ସରକାରୀ ଭାଷା ଆଇନ 1954ର ସଂଶୋଧନ ପାଇଁ ମୁଁ ଯେତେବେଳେ ମନ୍ତ୍ରୀସ୍ତରୀୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ରଙ୍କୁ ଦୁଇଟି ପୂର୍ଣ୍ଣାଙ୍ଗ ଚିଠା ପ୍ରଦାନ କଲି ସେତେବେଳେ ଡ଼. ପଟ୍ଟନାୟକ ଆଇନଟି କଣ ଓ ତାହା କାହିଁକି ସଂଶୋଧନ ହେବା ଦରକାର ତାହା ଜାଣି ବି ନଥିଲେ ∣ ମୁଁ ମୋର ଚିଠା ପ୍ରସ୍ତାବ ଦେବାର ପ୍ରାୟ ଅଢେଇ ମାସ ପରେ ଦେବୀ ବାବୁ ଦେବାକୁ ଥିବା ‘ଭାଷା ନୀତି’ର ଏକ “ପ୍ରାଥମିକ” ଚିଠା ଦେଇଥିଲେ ଯାହାକୁ ୱେବସାଇଟରେ ସପ୍ତାହକ ଭିତରେ ସ୍ଥାନିତ କରିବାକୁ 21.11.2015ର ମନ୍ତ୍ରୀ ସ୍ତରୀୟ କମିଟିରେ କୁହା ହୋଇଥିବାବେଳେ ତହିଁର ପ୍ରସ୍ତାବ 3ରେ ମୁଁ ଦେଇଥିବା ଚିଠା ନିୟମ ଅନୁଯାୟୀ “ଓଡ଼ିଆ ଭାଷା ନିୟମ ପ୍ରଣୟନ କରିବା ପାଇଁ ବିଧି ବିଭାଗକୁ ଦାୟିତ୍ବ” ଅର୍ପିତ ହୋଇଥିଲା ∣ ଏହି ସଂଶୋଧନ ପ୍ରସ୍ତାବ ଥିଲା ମୌଳିକ, ସୁସ୍ପଷ୍ଟ ଓ ସାମଗ୍ରିକ ∣ ଏହାକୁ ସ୍ବୀକୃତି ଦେବାକୁ ନିର୍ମିତ ନଥିରେ ସାଧାରଣ ପ୍ରଶାସନ ବିଭାଗର ଅନୁ-ଶାସନ-ସଚିବ 19.11.2015ରେ ଲେଖିଲେ ,

“ଗତ ତା 5.10.2015ରିଖ ଅନୁଷ୍ଠିତ ହୋଇଥିବା ମନ୍ତ୍ରୀସ୍ତରୀୟ କମିଟିର ସୁପାରିଶ କ୍ରମେ ଓଡିଶା ସରକାରୀ ଭାଷା ଅଧିନିୟମ, 1954 ପରିପ୍ରେକ୍ଷୀରେ ଓଡିଶା ସରକାରୀ ଭାଷା ନିୟମ, 2015 ପ୍ରଣୟନ ପାଇଁ ଚିଠା ପ୍ରସ୍ତାବ ଆଇନ ବିଭାଗର ସ୍ବୀକୃତି ପାଇଁ ପ୍ରେରଣ କରାଯାଉ ∣”

ସମ୍ପୃକ୍ତ ଫାଇଲର 10 ପୃଷ୍ଠାରେ ଏହା ରହିଛି ∣

ଏହାର 4ର୍ଥ ନିୟମରେ ମୁଁ ଲେଖିଥିଲି ସର୍ବସାଧାରଣଙ୍କ ପଠନ, ଜ୍ଞାନ, ଅବଗତି ପାଇଁ ସମସ୍ତ  ପ୍ରଜ୍ଞାପକ ସାଧନ ଓଡ଼ିଆ ଭାଷାରେ ରହିବ ∣  ଯଥା –

“4. All signboards, hoardings, advertisements,posters, pamphlets and nameplates in Odisha meant for public reading, public knowledge or public information shall be only in Odia, or in any language along with Odia.”

ନିୟମ-10ରେ ଲେଖିଥିଲି, ଓଡିଶା ସରକାରୀ ଭାଷା ଆଇନର ଉଲ୍ଲଙ୍ଘନ ହେଲେ, ଉଲ୍ଲଙ୍ଘନକାରୀ ବ୍ୟକ୍ତି ଓ ଅନୁଷ୍ଠାନକୁ ପ୍ରଥମ ପ୍ରମାଦ ପାଇଁ ଯଥାକ୍ରମେ 2,000 ଓ 10,000 ଟଙ୍କା ଜୋରିମାନା କରାଯିବ, ଯାହା ପୁନର୍ପ୍ରମାଦ ପାଇଁ ଦ୍ବିଗୁଣିତ ହେବ ∣ ଯଥା –

10. For the violation of any provision of the Act or these Rules, the person responsible for it in his personal capacity shall be punished with a fine of Rs.2,000/- and a person responsible in his official capacity shall be punished with a fine of Rs.10,000/-.

Provided that for each subsequent violation, the amount of the fine shall be double of that for the first violation.”

ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ଅଣଓଡ଼ିଆ ଭି.ଭି.ଜି.ଶର୍ମା ଏଥିରେ ରୋକ ଲଗାଇଲେ ∣ ସେ ଲେଖିଲେ , “ଚିଠା ନିୟମରେ ଦିଆଯାଇଥିବା କେତୋଟି ପ୍ରସ୍ତାବ , ଯଥା ନିୟମ -4 ଓ 10 ଅସାଧ୍ୟ ମନେହୁଏ ∣ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି ଜଣେ ଓଡ଼ିଆ ହେଲେ ବି ତାଙ୍କ ସହ ଆଂଶିକ ଏକମତ ହୋଇ କହିଲେ , “ଆଇନ ବିଭାଗର ମତାମତ ନିଆଯାଉ ∣ ନିୟମ 10ରେ ଦଣ୍ଡବିଧାନ ହୋଇପାରିବ କି ନାହିଁ ଆଇନ ବିଭାଗ ମତ ଦିଅନ୍ତୁ ∣ ଏହି ହେଉଛି ସମ୍ପୃକ୍ତ ନଥି-ପୃଷ୍ଠାର ଫଟୋଚିତ୍ର ∣

ତେଣୁ, ଡ଼.ଦେବୀ ପ୍ରସନ୍ନ ପଟ୍ଟନାୟକ ଯେ ଅତ୍ୟନ୍ତ ନିର୍ଲଜ ଭାବେ ତୃତୀୟ ମିଛଟି କହିଛନ୍ତି ତାହା ଅଧିକ ପ୍ରମାଣର ଆବଶ୍ୟକତା ରଖେନି ∣  ଏହା ବି ରେକର୍ଡଭୁକ୍ତ ହେବା ଆବଶ୍ୟକ ଯେ, ଏହି ଭି.ଭି.ଜି.ଶର୍ମାଙ୍କୁ ଧରି ଡ଼. ପଟ୍ଟନାୟକ ଓ ତାଙ୍କ ଭାଷା ବେପାରୀ ‘ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା’ ସଦ୍ୟ ପାରିତ ଓଡ଼ିଆ ବିଶ୍ଵବିଦ୍ୟାଳୟ ଆଇନରେ ଆମର ପ୍ରବଳ ପ୍ରତିରୋଧ ସତ୍ତ୍ବେ Institute ପରି ଏପରି ଏକ ଶବ୍ଦ ରଖିଛନ୍ତି, ଯାହା, ଓଡ଼ିଆ ଜାତି ସତର୍କ ନ ହେଲେ, ବିଶ୍ଵବିଦ୍ୟାଳୟଟିକୁ ନଥିଚୋରମାନଙ୍କ ଚାରଣଭୂମୀ ବନାଇଦେବ ∣

ଏପରି ନିୟମର ଚିଠା ମୁଁ କାହିଁକି ଦେଇଥିଲି ? 

ଜାନକୀ ବାବୁ 29.3.1985 ତାରିଖରେ 7152 ସଂଖ୍ୟକ ଅଧିସୂଚନା ଜାରି କରି ସେ ବର୍ଷ ଏପ୍ରିଲ ପହିଲାରୁ ସମସ୍ତ ସରକାରୀ ଦପ୍ତରରେ ଓଡ଼ିଆରେ କାମ ଚାଲିବ ବାଧ୍ୟତାମୂଳକ କରିଥିଲେ ∣ ଅଧିସୂଚନା (Notification)ଟି ଘୋଷଣା କରିଥିଲା ” From the 1st day of April, 1985, Oriya shall be used in all offices of the State Government” ଓ ଏହି ଅଧିସୂଚନା ଓଡିଶା ସରକାରୀ ଭାଷା ଆଇନର ଦ୍ବିତୀୟ ଧାରାର ସମସ୍ତ ଆବଶ୍ୟକତା ପୁରାଣ କରିଥିଲା ∣ କାରଣ, ଏହି ଧାରାରେ ଥିଲା, “The State Government may, by Notification, direct that in any specified area and with effect from any specified date Oriya shall be used in respect of such official purposes as may be specified in the Notification.” ସୁତରାଂ 29.3.1985ର ନୋଟିଫିକେସନ ପରେ ଓଡ଼ିଆରେ ଓଡ଼ିଶାର କାମ ନ ହେବାର ପ୍ରଶ୍ନ ହିଁ ନଥିଲା ∣

ତେବେ ହେଉ ନଥିଲା କାହିଁକି ? ଏହି ପ୍ରଶ୍ନ ଉପରେ ଗଭୀର ମନୋନିବେଶ କରି ମୁଁ ଏହି ସିଦ୍ଧାନ୍ତରେ ପହଂଚିଥିଲି କି , ଆଇନଟିର ଉଲ୍ଲଙ୍ଘନ ବିରୁଦ୍ଧରେ କୌଣସି ଦଣ୍ଡବିଧାନ ବ୍ୟବସ୍ଥା ନଥିବାରୁ କେହି ତାକୁ ମାନୁନାହାନ୍ତି ∣ ତେଣୁ ନିୟମାବଳୀ ପ୍ରବର୍ତ୍ତନ କରି ତହିଁରେ ଦଣ୍ଡ ବିଧାନ ବ୍ୟବସ୍ଥା କରିବା ପାଇଁ ମନ୍ତ୍ରୀସ୍ତରୀୟ କମିଟିରେ ମୁଁ ପ୍ରସ୍ତାବ ଦେବାକୁ ଭାବିଲି ∣ ମୁଁ ଦେଖିଲି ଯେ ଏପରି ନିୟମାବଳୀ ପ୍ରଣୟନ ପାଇଁ 1954ର ଭାଷା ଆଇନରେ ସରକାରଙ୍କୁ କୌଣସି ଅଧିକାର ଦିଆଯାଇନି ∣ ସୁତରାଂ ଚାହିଁଲେ ମଧ୍ୟ ସରକାର ଏପରି ନିୟମାବଳୀ ପ୍ରଣୟନ କରି ପାରିବେ ନାହିଁ ∣ ତେଣୁ ଆଇନଟିକୁ ସଂଶୋଧନ କରି ନିୟମାବଳୀ ପ୍ରଣୟନ କରିବାକୁ ସରକାର ପ୍ରଥମେ ସକ୍ଷମ ହୁଅନ୍ତୁ ବୋଲି ମୁଁ ଗୁରୁତ୍ବ ଦେଲି ∣ ଏଣୁ ମୋତେ ଦୁଇଟି ଚିଠା କରିବାକୁ ହେଲା ∣ ପ୍ରଥମଟି , ଆଇନରେ ଏକ ନୂଆ ଧାରାର ସଂଯୋଗ, ଯାହା ନିୟମାବଳୀ ପ୍ରଣୟନର କ୍ଷମତା ସରକାରଙ୍କୁ ଦେବ ଓ ଦ୍ବିତୀୟଟି ନିୟମାବଳୀ, ଯାହା ଓଡ଼ିଶାର ସରକାରୀ – ଘରୋଇ ନିର୍ବିଶେଷରେ ସମସ୍ତ ଦପ୍ତରରେ ଓଡ଼ିଆରେ କାମ ନହେବାକୁ ଦଣ୍ଡନୀୟ କରିବ ∣ ଏହି ଉଭୟ ଚିଠା କିପରି ହେବା ଉଚ୍ଚିତ ତାହା ଉପରେ ମୁଁ ଅନେକ ଆଇନ ବିଶାରଦଙ୍କ ସହ କଥା ହେଲି ∣ ବରିଷ୍ଠ ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ ମୋତେ ଏଥିରେ ସାହାଯ୍ୟ କରିବାକୁ କଟକସ୍ଥିତ ଜାତୀୟ ଆଇନ ବିଶ୍ଵବିଦ୍ୟାଳୟର କୁଳପତି ଡ଼.ଶ୍ରୀକୃଷ୍ଣ ଦେବ ରାଓଙ୍କୁ ଅନୁରୋଧ କରି , ସେ ରାଜି ହେବାରୁ ତାଙ୍କ ସହ ସମୟ ଧାର୍ଯ୍ୟ କରି, ତାଙ୍କ ପାଖକୁ ମୋତେ ପଠାଇଲେ ∣ 21. 7. 2015ରେ ତାଙ୍କ ସହ କଥା ହେବା ପରେ ବରିଷ୍ଠ ଆଇନଜୀବୀ ଶରତ କୁମାର ପଣ୍ଡାଙ୍କ ସହ ସେ ସମସ୍ତ କଥା ଆଲୋଚନା କଲି ଓ 26.7.2015 (ରବିବାର) ତାଙ୍କରି ଘରେ ମୁଁ ଦେବାକୁଥିବା ଆଇନ ସଂଶୋଧନ ଓ ନିୟମାବଳୀର ଚିଠା ପ୍ରସ୍ତୁତ ହେଲା ∣ ଶରତ ବାବୁ ‘ସରକାରୀ ଭାଷା’ (Official Language) ସ୍ଥାନରେ ‘ସାର୍ବଜନୀନ ଭାଷା ‘ (Public Language) ରଖାଯିବା ଉଚ୍ଚିତ ହେବ ବୋଲି କହିଲେ ଓ ବହୁ ବିଚାରବିମର୍ଶ ପରେ ତାହା ଗୃହୀତ ହେଲା ∣ ସେତେବେଳେ ଦୈନିକ ଧରିତ୍ରୀରେ କାମ କରୁଥିବା ଶ୍ରୀମତୀ ତୃପ୍ତିମୟୀ ଜେନାଙ୍କ ଦ୍ଵାରା ତହିଁର ନିର୍ଭୁଲ ଅନୁଚ୍ଛେଦସମ୍ବଳିତ ଅଙ୍ଗସଜ୍ଜା ପାଇଁ ମୁଁ ସେହି ଚିଠା ଅଗଷ୍ଟ ଦ୍ବିତୀୟ ସପ୍ତାହରେ ଦେଇଥିଲି ∣ ସେ ମୋତେ ସେପ୍ଟେମ୍ବର 3, 2015ରେ ତାହା ଦେଲେ ଓ ସେହି ଦିନ ହିଁ ସେହି ଚିଠାକୁ ମୁଁ ମନ୍ତ୍ରୀସ୍ତରୀୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ରଙ୍କୁ ଦେଲି ∣

ଉଲ୍ଲେଖନୀୟ ଯେ, ଶ୍ରୀମତୀ ଜେନାଙ୍କଠାରୁ ଅନୁଚ୍ଛେଦ ଚିହ୍ନିତ ଚିଥାଟି ପାଇବା ପୂର୍ବରୁ 1.8.2015ରେ ମନ୍ତ୍ରୀସ୍ତରୀୟ କମିଟିର ପ୍ରଥମ ବୈଠକ ହୋଇଥିଲା ∣ ଏହି ବୈଠକ ଟେବୁଲରେ ହିଁ ଆମକୁ ଦିଆଯାଇଥିଲା କମିଟି ଗଠନ ସଂକ୍ରାନ୍ତୀୟ ସଂକଳ୍ପର ନକଲ ∣ ତହିଁରେ ଭାଷା ସଂଗ୍ରାମ ସମିତିର ନାମୋଲ୍ଲେଖ ଆମ ଯୌଥ ପରିଚିତି ଲୋପ କରାଯାଇଥିବା ହେତୁ ମୁଁ ହିଁ ତାହାର ଘୋର ପ୍ରତିବାଦ କରିଥିଲି ∣ ବୈଷ୍ଣବ ପରିଡା ମନ୍ତ୍ରୀମାନଙ୍କ ସହ ବସିଥିବା ବେଳେ ଡ଼.ଦେବୀ ପ୍ରସନ୍ନ ପଟ୍ଟନାୟକ ସରକାରୀ କର୍ମଚାରୀମାନଙ୍କ ସହ ବସିଥିଲେ ∣ ଅନ୍ୟମାନେ ମୁଁ ଉଠାଇଥିବା ପ୍ରତିବାଦକୁ ଗୁରୁତ୍ବ ନଦେଇ , ମନ୍ତ୍ରୀସ୍ତରୀୟ କମିଟିର ସଭ୍ୟ ହୋଇଥିବା ହେତୁ ମନ୍ତ୍ରୀଙ୍କ ସହ ସମାନ ବୋଲି ଭାବି ଝଲସୁଥିଲେ ∣ ପରେ ଜାଣିଲି ଯେ ଗଜାନନ ମିଶ୍ରଙ୍କୁ ଛାଡ଼ିଦେଇ ସେ ସଭିଏଁ ଥିଲେ ଡ଼. ପଟ୍ଟନାୟକଙ୍କ ଗ୍ୟାଙ୍ଗର ଲୋକ ଯେଉଁମାନେ ତାଙ୍କ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ଭାଷା ବେପାର ପାଇଁ ପଥ ସୁଗମ କରିବାକୁ ଅଧିକ ବ୍ୟଗ୍ର ଥିଲେ ∣ ସେ ଯାହାହେଉ , ଡ଼. ପଟ୍ଟନାୟକ ଓ ମୋ ବ୍ୟତୀତ ସେହି ବୈଠକରେ କେହି କିଛି ପ୍ରସ୍ତାବ ରଖିନଥିଲେ ∣ ଡ଼. ପଟ୍ଟନାୟକ କିପରି କର୍ଣ୍ଣାଟକୀ ଅମଲାମାନଙ୍କୁ ଅଳ୍ପଦିନ ଭିତରେ ତାଙ୍କ ଭାଷାରେ ନଥିକାମ କରିବାକୁ ତାଲିମ ଦେଇଥିଲେ ତାହା ବଖାଣି ଓଡିଶା ସରକାରଙ୍କ ଅମଲାମାନଙ୍କୁ ସେ ସେହିପରି ତାଲିମ ଦେଇପାରିବେ ବୋଲି କହି ସେଥିପାଇଁ ଏକ ‘ଭାଷାନିତି’ ପ୍ରଣୟନ ଉପରେ ଗୁରୁତ୍ବ ଦେଇଥିଲେ ଓ ମୁଁ ଭାଷା ଆଇନ ସଂଶୋଧନ ଉପରେ ଗୁରୁତ୍ବ ଦେଇଥିଲି ∣ ବୈଷ୍ଣବ ପରିଡା ଏପରି ପାଟିତୁଣ୍ଡ କରିଥିଲେ ଯେ ଜଣେ ମନ୍ତ୍ରୀ (ପ୍ରଣବ ପ୍ରକାଶ ଦାସ ) ଉଠିଯାଇ ସମ୍ମିଳନୀ କକ୍ଷର କବାଟ ଭିତରପଟୁ ବନ୍ଦ କରିଦେଇଥିଲେ ଓ ବୈଠକଟି ଦରପନ୍ତରିଆରେ ଶେଷ ହୋଇଥିଲା ∣ ଆଇନ ସଂଶୋଧନ ଉପରେ ମୁଁ ଯେଉଁ ଗୁରୁତ୍ବ ଦେଇଥିଲି ତାହାକୁ ମଥାକୁ ନେବାପାଇଁ କମିଟି ଅଧ୍ୟକ୍ଷ, ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ଉପସ୍ଥିତ ପଦାଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ଓ ମୁଁ ପ୍ରସ୍ତାବ ଦେଇଥିବା ସଂଶୋଧନର ପ୍ରାରୁପ ପ୍ରଦାନ ପାଇଁ ମୋତେ କହିଥିଲେ, ଯାହା ଫଳରେ ମୁଁ ପ୍ରସ୍ତୁତ କରିଥିବା ଚିଠାକୁ 3.9.2015ରେ ତାଙ୍କୁ ମୁଁ ଦେଇଥିଲି ∣ ଏହି ଚିଠା ପ୍ରସ୍ତୁତିର ପ୍ରତି ସ୍ତରରେ ମୋ ସହ ପବିତ୍ର ମୋହନ ମହାରଥା ଜଡିତ ଥିଲେ ∣ 5.10.2015ରେ ମନ୍ତ୍ରୀସ୍ତରୀୟ କମିଟି ମୋ ପ୍ରଦତ୍ତ ଚିଠାକୁ ଗ୍ରହଣ କରି ତଦନୁଯାୟୀ ଆଇନ ସଂଶୋଧନ ଓ ନିୟମାବଳୀ ପ୍ରଣୟନ ପାଇଁ ନିଷ୍ପତ୍ତି ନେଲରୁ ବିଧି ବିଭାଗକୁ ତାହା ପଠାଇବାକୁ ସାଧାରଣ ପ୍ରଶାସନ ବିଭାଗକୁ କୁହାହେଲା ∣  ଏହାର ମାସକ ପରେ, ନଭେମ୍ବର 5 ତାରିଖରେ ଦେବୀ ବାବୁ ତାଙ୍କ ତଥାକଥିତ ଭାଷାନିତିର “ପ୍ରାଥମିକ ପ୍ରସ୍ତାବ” ଦେଇଥିଲେ, ଯହିଁର ଦ୍ବିତୀୟ ପ୍ରସ୍ତାବଟି କିପରି ଜାନକୀ ବାବୁଙ୍କ ଚିନ୍ତାକୁ ଚୋରି କରି ନିଜ ନାମରେ ଦିଆ ହୋଇଥିଲା ତାହା ମୁଁ ଉପରେ ସ୍ପଷ୍ଟ କରିଛି ∣ ନକଲ ପ୍ରତ୍ୟାରୋପଣ ହେତୁ ତାହା ବି ଥିଲା ଅସ୍ପଷ୍ଟ ଓ ଅକୁଳାନ ∣ ଅତଏବ ତାଙ୍କ ମତରୁ ଫାଳେ ନେଇ “ଭାଷା ଆନ୍ଦୋଳନ ମୁଣ୍ଡ ଟେକିଲା” ବୋଲି ସେ ଯାହା ଲେଖିଛନ୍ତି ତାହା ଯେ ସମ୍ପୂର୍ଣ ନିରାଧାର ଓ ମିଥ୍ୟା ତାହା ପାଇଁ ଅଧିକ ପ୍ରମାଣର ଆବଶ୍ୟକତା ନାହିଁ ∣

ମିଛ କହିଲେ କ’ଣ ସତ ଲୁଚିବ ?

ମୁଁ ସମ୍ବାଦ ସମ୍ପାଦକଙ୍କ ନିକଟରେ କୃତଞ୍ଜ ଯେ, ନିଜ ମହାନ ସମ୍ପାଦକୀୟଟି ସହ ଭାଷା ନାଁରେ ଓଡିଶାକୁ ଭୁଆଁ ବୁଲାଉଥିବା ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ କୁତ୍ସିତ ଲେଖାଟିକୁ ବି ଆଜିର ସମ୍ବାଦରେ ସେ ଛାପିଛନ୍ତି ∣ ଏହି କୁତ୍ସିତ ଲେଖାରେ ଧୂର୍ତ୍ତ ଦେବୀ ପ୍ରସନ୍ନ ମୋ ବିରୁଦ୍ଧରେ କିଛି ମିଛ କଥା କହିଛନ୍ତି ∣ ମନ୍ତ୍ରୀସ୍ତରୀୟ କମିଟି ଓ ଶାସ୍ତ୍ରୀୟ ମାନ୍ୟତା ସମ୍ପର୍କରେ କିଛି ଵିଦ୍ଵାନ ତ କିଛି କଥା ଜାଣନ୍ତି ∣ ଏହା ଛଡ଼ା , ଏହି ଉଭୟ ଲେଖାକୁ ଏକତ୍ର ଦେଇ ସମ୍ବାଦ ସମ୍ପାଦକ ତ ନିଶ୍ଚୟ ଏକ ବିତର୍କ ଆରମ୍ଭ କରାଇବାକୁ ଚାହିଁଥିବେ ∣ ତେଣୁ, କୌଣସି ମତ ନ ରଖି, ଆଜିର ସମ୍ବାଦ ପ୍ରତିବେଦନକୁ ଭାଷା ଆନ୍ଦୋଳନର ସାଥୀ ସୈନିକମାନଂକ ଅବଗତି ପାଇଁ ଏଠାରେ ଉପସ୍ଥାପିତ କରାଗଲା ∣ ଯଦି ସମ୍ବାଦରେ କିଛି ବିତର୍କ ହୁଏ ବା ନହୁଏ, ତାକୁ ବିଚାରକୁ ନେଇ, ଏହା ଉପରେ ମୁଁ ମୋ ବୟାନ ଦେବି ∣(ସୁଭାଷ ଚନ୍ଦ୍ର ପଟ୍ଟନାୟକ)