ନିର୍ବାଚନରେ ପ୍ରସଙ୍ଗ ହେଉ ଭାଷା : ସୂର୍ଯ୍ୟପ୍ରଭା ପଥ ଦେଖାଇଛି , ଅନ୍ୟମାନେ ଚାଲନ୍ତୁ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଭାଷା ଆନ୍ଦୋଳନର ସଭାପତି ମଣ୍ଡଳୀ ଓଡ଼ିଶାରେ ନିର୍ବାଚନ ଲଢ଼ୁଥିବା ସମସ୍ତ ରାଜନୈତିକ ଦଳଙ୍କୁ ଗତ ମାସ ୬ ତାରିଖରେ ପତ୍ର ଲେଖି ଓ ସାକ୍ଷାତ କରି ସେମାନଙ୍କ ନିର୍ବାଚନ ଇସ୍ତାହାରରେ “ଓଡିଶା ସରକାରୀ ଭାଷା ଆଇନ,୧୯୫୪କୁ ଅକ୍ଷୁର୍ଣ୍ଣ ରଖି ତହିଁର ଉଲ୍ଲଙ୍ଘନ ବିରୁଦ୍ଧରେ କଠିନ ଦଣ୍ଡ ବିଧାନ ବ୍ୟବସ୍ଥା ପାଇଁ” ପ୍ରତିଶ୍ରୁତି ଦେବାକୁ ଅନୁରୋଧ କରିଥିଲେ । ଏ ପର୍ଯ୍ୟନ୍ତ କେବଳ ଭାରତୀୟ ଜନତା ପାର୍ଟି ନେତୃତ୍ବ ସାର୍ବଜନୀନ ସଭାରେ ଏହି ପ୍ରତିଶୃତି ଦେଇଥିଲେ ମଧ୍ୟ ନିର୍ବାଚନ ଇସ୍ତାହାର ପ୍ରକାଶ ପାଇଲେ ହିଁ ଏହାର ପ୍ରକୃତ ଆଭିମୁଖ୍ୟ ଜଣାଯିବ ।

ଉତ୍କଳ ସମ୍ମିଳନୀ, ପ୍ରଗତି ଉତ୍କଳ ସଂଘ ଓ ଓଡ଼ିଆ ଭାଷା ବିକାଶ ମଞ୍ଚ ମିଳିତ ଭାବେ ରାଉରକେଲାରୁ ଓଡ଼ିଶାବାସୀଙ୍କୁ ଆହ୍ବାନ ଦେଇଛନ୍ତି କି, ଓଡ଼ିଆ ଭାଷା ସ୍ଵାର୍ଥକୁ ନିର୍ବାଚନ ଇସ୍ତାହାରରେ ନ ରଖିବା ଦଳକୁ ଭୋଟ ଦିଆ ନ ଯାଉ ।

ସୁଖର କଥା, ସୂର୍ଯ୍ୟପ୍ରଭାର ସମ୍ପାଦକ, ସୁଲେଖକ ଓ ଚିନ୍ତକ ରବି କାନୁନଗୋ “ଓଡ଼ିଆ ଭାଷା ନିର୍ବାଚନୀ ପ୍ରସଙ୍ଗ ହେବ କି?” ବୋଲି ଆଜିର ସମ୍ପାଦକୀୟରେ ଉତ୍ଥାପିତ କରିଛନ୍ତି ଏହି ପ୍ରସଙ୍ଗ ।

ସରକାରୀ ବିଜ୍ଞାପନପୁଷ୍ଟ ଓଡ଼ିଶାର ଖବରକାଗଜଗୁଡ଼ିକ ମୁଖ୍ୟମନ୍ତ୍ରୀଙ୍କ ରୋଷ ଭୟରେ ଭାଷା ଆନ୍ଦୋଳନର ଅନାହଟ ଥିବା କଳାପତାକା ଅଭିଯାନକୁ ଲୋକଚକ୍ଷୁରୁ ଲୁଚାଇରଖିବା ପରି ସାମ୍ବାଦିକୀୟ କୃଷ୍ଟି ବିରୋଧୀ କୁତ୍ସିତ ଆଚରଣ ପ୍ରଦର୍ଶନ କରିବାକୁ ଲଜ୍ଜ୍ୟାବୋଧ କରୁନଥିଲେ ମଧ୍ୟ ମାତୃଭାଷା ଓଡ଼ିଆର ସ୍ଵାର୍ଥ ରକ୍ଷା ପାଇଁ ରବିବାବୁ ଦେଖାଇଥିବା ମାର୍ଗରେ ଚାଲିପାରିବେ ବୋଲି ଆଶା କରିବା ଦୁରାଶା ହୋଇନପାରେ ।