Posts tagged Gandhiji on Mother Tongue

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ନିଜ ଭାଷାରେ ସରକାରୀ ସେବା ପାଇବାପାଇଁ ଓଡ଼ିଆ ଭାଷାଭାଷୀ ଅଂଚଳକୁ ନେଇ ଏକ ସ୍ବତନ୍ତ୍ର ପ୍ରଦେଶ ଗଠନ ହେଉ ବୋଲି ଗଂଜାମ ଜିଲ୍ଲାର ଘୁମୁସରରୁ ୧୧.୯.୧୮୭୦ରେ ଯେଉଁ ଦାବି ଉଠିଥିଲା ତାହା କୁଳଗୌରବ ମଧୁସୂଦନଙ୍କ ହେତୁ ସମଗ୍ର ଓଡ଼ିଆ ଜାତିର ଐକାନ୍ତିକ ଦାବିରେ ପରିଣତ ହୋଇସାରିଥିଲେ ମଧ୍ୟ ତାକୁ ଭଣ୍ଡୁର କରିବା ପାଇଁ ପଡ଼ୋଶୀ ପ୍ରଦେଶଗୁଡ଼ିକର ଅଣଓଡ଼ିଆମାନେ ଯାବତୀୟ ଚକ୍ରାନ୍ତ ଚଳାଇଥିଲେ । ଓଡ଼ିଆ ଭାଷାର ଗାରିମାକୁ ସେମାନେ ଉଜାଡ଼ିଦେବାକୁ ଷଡଯନ୍ତ୍ର ବି କରୁଥିଲେ , ଯେହେତୁ ଏହି ଭାଷାର ଭିତ୍ତି ଉପରେ ହିଁ ଓଡ଼ିଶା ପ୍ରଦେଶ ସୃଷ୍ଟି ହେଲେ ସେମାନଙ୍କର ଶୋଷଣ ଏହି ସ୍ବର୍ଣପ୍ରସୁ ଭୁଖଣ୍ଡରୁ ଲୋପ ହେବା ଥିଲା ସୁନିଶ୍ଚିତ । ତେଲୁଗୁ,ବଙ୍ଗାଳି ଏବଂ ହିନ୍ଦୀଭାଷୀ ବ୍ୟକ୍ତିମାନେ ଓଡ଼ିଆ ଭାଷା ସେମାନଙ୍କ ନିଜ ନିଜ ଭାଷାର ଦୁର୍ବଳ ରୂପ ବୋଲି ବି ପ୍ରଚାର କରିବାକୁ ପଛାଇ ନଥିଲେ । ଅତ୍ୟନ୍ତ ନିର୍ଲଜ ଆସ୍ଫାଳନ କରିଥିଲା ବଂଗାଳୀ ସମ୍ପ୍ରଦାୟ । କିନ୍ତୁ ସତ୍ୟ ସାମ୍ନାରେ ଏ ଆସ୍ଫାଳନ ତିଷ୍ଠିପାରିନଥିଲା । ଜନ୍ .ବିମ୍ସ ଭାରତୀୟ ଆର୍ଯ୍ୟ ଭାଷାଗୁଡିକର ବ୍ୟାକରଣ ବିଶ୍ଳେଷଣ ଆଧାରରେ କହିଲେ, ଓଡ଼ିଆ ଭାଷା ଏକ ସୁଦୃଢ଼ ଓ ସୁବ୍ୟବସ୍ଥିତ ଭାଷା ଭାବେ ଅଧିଷ୍ଠିତ ହେଲାବେଳକୁ ବଙ୍ଗଳା ଭାଷା ଏକ ଭାଷା ଭାବେ ଉଦିତ ବି ହୋଇନଥିଲା (“At a period when Oriya was already a fixed and settled language, Bengali did not exist.”(Beams Comparative Grammar of four languages Vol.I.p.119) । ଭାରତର ଭାଷାତାତ୍ତ୍ଵିକ ସର୍ବେକ୍ଷଣରେ ସାର୍ ଜର୍ଜ ଗ୍ରୀୟରସନ୍ କହିଲେ, ଓଡ଼ିଆ ଭାଷା ଏତେ ଉନ୍ନତ ଓ ଗାରିମାମୟ ଯେ, ତେଲୁଗୁ ବା ବଙ୍ଗଳା ବା ହିନ୍ଦୀ ତା ସମକକ୍ଷ ହେବାକୁ ସାହସ କରିପାରିବେ ନାହିଁ (The Oriya language can boast of a vocabulary in which respect neither Bengali nor Hindi nor Telugu can vie with it (Linguistic Survey of India, Vol.V) ।

ତଥାପି ଏହି ତିନି ଭାଷାଭାଷୀ ନେତାମାନେ ସେତେବେଳର ଭାରତର ଭାଗ୍ୟନିୟନ୍ତା ସ୍ଥିତିରେ ଥିବା ଜାତୀୟ କଂଗ୍ରେସର ଏତେ ଉଚ୍ଚ ମର୍ଯାଦାରେ ଥିଲେ ଯେ, ସେମାନଙ୍କୁ ଖୁସାମନ୍ତ କରି ନିଜକୁ ନେତା ବନାଇବାକୁ ଲାଳାୟିତ କେତେକ ଓଡ଼ିଆ ଆମ ପ୍ରଦେଶ ସୃଷ୍ଟି ଆନ୍ଦୋଳନକୁ ସହଯୋଗ କରୁନଥିଲେ । ସେମାନଙ୍କ ଉଦ୍ଦେଶ୍ୟରେ କୁଳଗୌରବ ମଧୁସୂଦନ ଲେଖିଥିଲେ, “ତୁ ମାନେ ଭାବିଛୁ ତୋଷାମଦ କରି ବଢ଼ାଇବୁ ଜାତିମାନ / ତୋଷାମଦିଆର କୁକୁର ପ୍ରକୃତି ଅଇଁଠା ପଟରେ ଧ୍ୟାନ //” ମଧୁବାବୁଙ୍କୁ ନିଜର ପ୍ରେରଣାଦାତା ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିବା ମହାତ୍ମା ଗାନ୍ଧୀ ସ୍ବତନ୍ତ୍ର ଓଡିଶା ସୃଷ୍ଟିପାଇଁ ତାଙ୍କ ଏକନିଷ୍ଠ ଉଦ୍ୟମର ଦୃଢ଼ ସମର୍ଥକ ଥିଲେ । Young Indiaର ୧୯୨୦ ଫେବୃଆରୀ ୧୮ ସଂସ୍କରଣରେ ସେ ଲେଖିଥିଲେ, ଓଡ଼ିଆ ଭାଷାଭାଷୀ ଅଂଚଳକୁ ମିଶାଇ ଏକ ସ୍ବତନ୍ତ୍ର ପ୍ରଦେଶ କରିଯିବା ନିହାତି ଆବଶ୍ୟକ । କାରଣ ବିନା କାରଣରେ ଏମିତି ଚାରି ଚି଼ଉଡ଼ ହୋଇ ରହିଲେ , ଏହି ମହିମାମଣ୍ଡିତ ଜାତି ସ୍ବଭାବିକ ଶୈଳୀରେ ତାର ହକ୍ ଭାବେ ଯେଉଁ ବିକାଶ ହାସଲ କରିବା କଥା ତାହା ସମ୍ଭବ ହେବନାହିଁ (This fine race cannot possibly make the natural advance which is its due, if it is split up into four divisions for no sound reason.”) । ବସ୍ତୁତଃ ତାଙ୍କରି ହେତୁ, ସ୍ବତନ୍ତ୍ର ଓଡିଶା ପ୍ରଦେଶ ସୃଷ୍ଟିର ବହୁ ପୂର୍ବରୁ, କଂଗ୍ରେସରେ ଥିବା ଉପରୋକ୍ତ ତିନି ଭାଷାଭାଷୀ ନେତାମାନଙ୍କ ପ୍ରତିକୂଳତା ସତ୍ତ୍ବେ ‘ଉତ୍କଳ ପ୍ରଦେଶ କଂଗ୍ରେସ କମିଟି’ ଗଠନ ସମ୍ଭବ ହୋଇଥିଲା । କାରଣ ମାତୃଭାଷାର ଗୁରୁତ୍ବ ଉପରେ ଗାନ୍ଧିଜୀ ସର୍ବଦା ହିଁ ଅଗ୍ରାଧିକାର ପ୍ରଦାନ କରୁଥିଲେ । ମାତୃଭାଷାର ଭିତ୍ତି ଉପରେ ସ୍ବତନ୍ତ୍ର ଓଡ଼ିଶା ସୃଷ୍ଟିକୁ ସେ ଦେଇଥିବା ସମର୍ଥନ ତାଙ୍କ ସାମାଜିକ ଦର୍ଶନର ଅନୁରୂପ ଥିଲା । ସେ କହିଥିଲେ, ଏକ ସ୍ବତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶା ଗଠନ ହେବାର ଦାବି ଓଡ଼ିଆ ଜାତିର ଉନ୍ନତି ସହ କେବଳ ଜଡ଼ିତ ନୁହେଁ , ଏହା ମଧ୍ୟ ଭାଷା ଭିତ୍ତିରେ ପ୍ରଦେଶ ଗଠନର ଦର୍ଶନତତ୍ତ୍ବ ପ୍ରଦାନ କରୁଛି (It raises the large question of redistribution on linguistic basis [ଏଜନ]) ।

ମାତୃଭାଷାର ଭିତ୍ତି ଉପରେ ଲୋକ ସମୁଦାୟଙ୍କ ଶୈକ୍ଷିକ, ସାମାଜିକ ଓ ରାଜନୈତିକ ପରିଚାଳନା ଥିଲା ଗାନ୍ଧିଜୀଙ୍କ ମୌଳିକ ଅଗ୍ରାଧିକାର । ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟରେ ୬.୨.୧୯୧୬ ତାରିଖରେ ଭାଷଣ ଦେଇ ସେ କହିଥିଲେ, “କେତେକ କହୁଛନ୍ତି ଇଂରାଜୀ ଭାଷାରେ ଶିକ୍ଷା ଲାଭ କରିଥିବା ଲୋକେ ହିଁ ଦେଶ ପାଇଁ ନେତୃତ୍ବ ଦେଉଛନ୍ତି ଓ ଦେଶକୁ ଚଳାଉଛନ୍ତି ; ଅନ୍ୟଥା ସବୁ ଗୋଳମାଳ ହୋଇଯାନ୍ତା । ଆମେ ତ ଯେଉଁ ଶିକ୍ଷା ପାଉଛୁ ତାହା ଇଂରାଜୀ ଶିକ୍ଷା । ତା ସପକ୍ଷରେ ତ ଆମକୁ କିଛି କିଛିନା କିଛି ଦେଖାଇବାକୁ ପଡ଼ିବ । କିନ୍ତୁ, ଧରାଯାଉ, ଗତ ପଚାଶ ବର୍ଷ ଭିତରେ ଆମେ ଆମ ମାତୃଭାଷାରେ ହିଁ ଶିକ୍ଷା ଲାଭ କରିଥାନ୍ତେ , ଆଜି ଆମେ କି ଲାଭ ପାଇଥାନ୍ତେ ? ଆଜି ଆମେ ସ୍ଵାଧୀନ ଭାରତ ପାଇଥାନ୍ତେ,ଆମେ ଆମ ନିଜର ଶିକ୍ଷିତ ସମ୍ପ୍ରଦାୟ ପାଇଥାନ୍ତେ – ଯେଉଁମାନେ ନିଜ ଦେଶରେ ମନେହେଉନଥାନ୍ତେ ସତେ ଯେମିତି ବିଦେଶୀ; କିନ୍ତୁ ଏମିତି ହୋଇଥାନ୍ତେ ଯେଉଁମାନେ କି ଆମ ଜାତିର ହୃଦୟ ସହ କଥା ହୋଇପାରିଥାନ୍ତେ, ଦରିଦ୍ରଙ୍କ ଭିତରୁ ଦରିଦ୍ରତମ ସହ ଏକାଠି କାମ କରି ଆମ ଜାତିର ଅମୁଲ୍ୟ ସମ୍ପଦ ସୃଷ୍ଟି କରିପାରିଥାନ୍ତେ” (I have heard it said that after all it is English-educated India which is leading and which is doing all the things for the nation. It would be monstrous if it was otherwise. The only education we receive is English education. Surely we must show something for it. But suppose that we had been receiving during the past fifty years education through our vernaculars, what should we have had today? We should have today a free India, we should have our educated men, not as if they were foreigners in their own land but speaking to the heart of our nation;they would be working amongst the poorest of the poor, and whatever they would have gained during the past 50 years would be a heritage for the nation. [Collected works, 13, p.211-12]) ।

ଏହାର ବର୍ଷକ ପରେ ୧୯୧୭ ଫେବୃଆରୀ ପହିଲାରେ P.J.Mehtaଙ୍କ ଯୁକ୍ତିସମୃଦ୍ଧ ପୁସ୍ତକ “Vernaculars as media of education in Indian Schools and Colleges”ର ମୁଖବନ୍ଧ ଲେଖି ଗାନ୍ଧିଜୀ କହିଥିଲେ, ମାତୃଭାଷାକୁ ଅବହେଳା ପ୍ରଦର୍ଶନ କରିବା ଜାତି ପକ୍ଷେ ଆତ୍ମହତ୍ୟା ସହ ସମାନ (neglect of the vernacular means national suicide) ।

ଆମ ସରକାର ତ ଇଂରାଜୀ ଭାଷାର ଆଧିପତ୍ୟ ଅକ୍ଷୁର୍ଣ ରଖିବାକୁ ଓଡିଶା ସରକାରୀ ଭାଷା ଆଇନକୁ ଖର୍ବ କରିଦେଇଛନ୍ତି; କିନ୍ତୁ ଗାନ୍ଧିଜୀ ୨୪. ୩.୧୯୧୭ ତାରିଖରେ ସ୍ପଷ୍ଟତଃ ଲେଖିଥିଲେ, “ମୁଁ ନିଃସନ୍ଦେହ ଯେ, ଯେଉଁ ଯାଏଁ ଆମ ଇଂରାଜୀ ପ୍ରେମ ନ ସରିଛି, ଆମେ ପ୍ରକୃତ ସ୍ଵରାଜ ପାଇଁ ପାରିବ ନାହିଁ । ……..ଏବଂ ଆମର ନିୟୁତ ନିୟୁତ ଦେଶବାସୀ ଭାଇଭଉଣୀ ଯେଉଁମାନେ କେବେ ବି ଇଂରାଜୀ ପାଠୁଆ ହୋଇପାରିବେ ନାହିଁ, ସେମାନେ ଦାସ ଦାସୀ ହୋଇ ରହିବେ ଏବଂ ଇଂରାଜୀ ପାଠୁଆ ଓ ସେମାନଙ୍କ ଭିତରେ ବ୍ୟବଧାନ ଆଉ କମିବା ନାହିଁ “I am convinced that, as long as we are not free of our fondness for English, we cannot achieve real Swaraj. ……………..And, millions of our brethren who are never likely to learn English will be reduced to slaves and an unbridgeable gulf will form between them and the English educated. [ସ୍ବଧର୍ମ ପ୍ରଚାରକ, ଗୁରୁକୁଳ ବିଶେଷଙ୍କ) ।

ଏବେ ବି ହେଲେ ଗାନ୍ଧିଜୀଙ୍କ ଏହି ପରାମର୍ଶକୁ ଆମ ଜାତି ଓ ଆମ ସରକାର କର୍ଣପାତ କରନ୍ତେ ! ତା ନ କରି , ଇଂରାଜୀରେ ଶାସନ କରି, ଗାନ୍ଧିଜୀଙ୍କ ଜୟନ୍ତୀ ସମାରୋହର ମାନେ କଣ?

* ଏହି ନିବନ୍ଧଟି ଆଜି ଦୈନିକ ସର୍ବସାଧାରଣର ଜୟନ୍ତୀ ବିଶେଷାଙ୍କରେ ପ୍ରକାଶ ପାଇଛି ।