ଭାଷାତୀର୍ଥରେ କୁଳବୃଦ୍ଧ ମଧୁସୂଦନଙ୍କୁ ଭାଷା ଆନ୍ଦୋଳନର ପ୍ରଣାମ

ତପନ ସାହୁଙ୍କ ଠାରୁ

ଓଡ଼ିଆ ଭାଷାରେ ସର୍ବବିଧ ପ୍ରଶାସନିକ ସେବା ସୁନିଶ୍ଚିତ କରିବା ପାଇଁ କୁଳବୃଦ୍ଧ ମଧୁସୂଦନଙ୍କ ନେତୃତ୍ବରେ ଦୀର୍ଘ ଆନ୍ଦୋଳନ ହୋଇ ଭାରତର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ପ୍ରଦେଶ ସୃଷ୍ଟି ହୋଇଥିଲା । ତାଙ୍କ ତିରୋଧାନ ପରେ ଆଜି ପର୍ଯ୍ୟନ୍ତ ଏହି ଲକ୍ଷ୍ୟ ହାସଲ ହୋଇନାହିଁ । ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଭାଷା ଆନ୍ଦୋଳନର କଳାପତାକା ଅଭିଯାନ ଯେଉଁ ଚେଷ୍ଟା ଚଳାଇଛି ତାହା ଚତୁର୍ଥ ବର୍ଷର ଚତୁର୍ଦଶ ଦିବସ ଅତିକ୍ରମ କରିସରିଛି ।

ଓଡ଼ିଶା ପ୍ରଦେଶ ସୃଷ୍ଟିର ପରମପୂଜ୍ୟ ଭଗୀରଥ, କୁଳଗୌରବ ମଧୁସୂଦନ ଦାସଙ୍କର ଆଜି ଅଟେ ପୂଣ୍ୟ ଜନ୍ମଦିନ । ଏହି ଅବସରରେ ଭାଷା ଆନ୍ଦୋଳନର କଳାପତାକା ଅଭିଯାତ୍ରୀମାନେ ଆଜି ସକାଳେ ଭୁବନେଶ୍ବର ରାଜଭବନ ସମ୍ମୁଖସ୍ଥ ମଧୁବାବୁଙ୍କ ପ୍ରତିମୂର୍ତ୍ତି ପୀଠ(ଭାଷା ତୀର୍ଥ)ରେ ପହଞ୍ଚି ତାଙ୍କୁ କୃତଜ୍ଞ ଓଡ଼ିଆ ଜାତିର ଶ୍ରଦ୍ଧାସୁମନ ଅର୍ଘ୍ୟ ଦେଇଥିଲେ । ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ସମେତ ସଭାପତି ମଣ୍ଡଳୀ ସଦସ୍ୟ ଗିରିଜକାନ୍ତ ମିଶ୍ର, ଧ୍ରୁବଚରଣ ମହାନ୍ତି, ସତୀଶ ମିଶ୍ର, ପ୍ରଫେସର କମଳା ପ୍ରସାଦ ମହାପାତ୍ର, ସୁଶ୍ରୀ ତନୁଜା ରଥ, ଶିଶିର କୁମାର ସାହୁ, ତପନ ସାହୁ, ସାର୍ଥକ କୁମାର ଛୋଟରାୟ, ରଞ୍ଜିତ ସାହୁ, ରଞ୍ଜନ କୁମାର ସାହୁ, ଅଞ୍ଜନ ଭଟ୍ଟ ପ୍ରମୁଖ ସକ୍ରିୟ ଅଭିଯାତ୍ରୀମାନେ ପୁଷ୍ପାର୍ପଣ କରିଥିଲେ ।