ସଂଶୋଧନର ପୁନଃ ସଂଶୋଧନ ପାଇଁ ଭାଷା ଆନ୍ଦୋଳନ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର

ଓଡ଼ିଆରେ ସେବା ପ୍ରଦାନ ନକରିବା ଦଣ୍ଡନୀୟ ହେବା ଦାବିରେ ଦୁଇ ବର୍ଷରୁ ଅଧିକ କାଳ ଧରି କଳାପତାକା ଅଭିଯାନ ଚଳାଇଥିବା ଭାଷା ଆନ୍ଦୋଳନ ମଇ ୨୪ରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ଦେଇ ଦାବି କରିଛି କି, ଦଣ୍ଡବିଧାନ ପାଇଁ ଗୃହୀତ ହୋଇଥିବା ସଂଶୋଧନ ବିଧେୟକ ଓଡିଶା ସରକାରୀ ଭାଷା ଆଇନର ଉଦ୍ଦେଶ୍ୟ ପଣ୍ଡ କରିବାକୁ ଉଦ୍ଦିଷ୍ଟ ହୋଇଥିବା ହେତୁ ସେ ତାହାକୁ ସ୍ବୀକୃତି ନ ଦେଇ ପୁନଃ ସଂଶୋଧନ ପାଇଁ ବିଧାନସଭାକୁ ଫେରାଇ ଦିଅନ୍ତୁ ।

ଆନ୍ଦୋଳନର ଅଧ୍ୟକ୍ଷ ଶ୍ରୀ ସୁଭାଷ ଚନ୍ଦ୍ର ପଟ୍ଟନାୟକ ରାଜ୍ୟପାଳଙ୍କୁ ଜଣାଇଛନ୍ତି କି, ଓଡିଶା ପ୍ରଦେଶରେ ସମସ୍ତ ଓ ପ୍ରତ୍ୟେକ ସରକାରୀ କାମର ଭାଷା ଓଡ଼ିଆ ହିଁ ହେବ ବୋଲି ମୂଳ ଆଇନରେ ଧାର୍ଯ୍ୟ କରାଯାଇଛି । ଏହାର ଉଲ୍ଲଙ୍ଘନ ବିରୁଦ୍ଧରେ ଦଣ୍ଡବିଧାନ ପାଇଁ ଭାଷା ଆନ୍ଦୋଳନର ଦାବି ସପକ୍ଷରେ ସାରା ଓଡିଶାରେ ସମର୍ଥନ ପ୍ରକାଶ ପାଇଛି ଓ ଗତ ମାର୍ଚ୍ଚ ୧୪ ତାରିଖରେ ମନ୍ତ୍ରୀମଣ୍ଡଳ ବୈଠକରେ ମଧ୍ୟ ଅନୁରୂପ ପ୍ରସ୍ତାବ ଗୃହୀତ ହୋଇଛି । ଅଥଚ ବିଧାନସଭାରେ ଗୃହୀତ ପ୍ରସ୍ତାବରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର କଥା କୁହା ହୋଇ ମୂଳ ଆଇନର “ସମସ୍ତ ଓ ପ୍ରତ୍ୟେକ” ସରକାରୀ କାମରେ ଓଡ଼ିଆ ଭାଷାର ବ୍ୟବହାର ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରାଯାଇଛି । ସୁତରାଂ ଏହି ସଂଶୋଧନ ଏକ ବେଆଇନ ସଂଶୋଧନ ବୋଲି ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି।

ଅପରପକ୍ଷେ ଓଡ଼ିଆରେ କାମ ନ କରିବା କର୍ମଚାରୀ କିମ୍ବା ବିଭାଗକୁ ଦଣ୍ଡିତ କରାଯିବ ବୋଲି ବିଧେୟକଟିରେ ଅଛି । କୌଣସି ସରକାରୀ ବିଭାଗକୁ ଦଣ୍ଡିତ କରିବା ଅର୍ଥ, ଓଡ଼ିଶାର ଜନସାଧାରଣଙ୍କୁ ଦଣ୍ଡିତ କରିବା; କାରଣ, ସରକାରୀ ବିଭାଗଗୁଡ଼ିକ ଜନସାଧାରଣଙ୍କ ଅର୍ଥବଳରେ ଚାଲେ । କର୍ମଚାରୀଙ୍କ ଦୋଷ ହେତୁ ଜନସାଧାରଣଙ୍କୁ ଦଣ୍ଡିତ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ସେ ଦର୍ଶାଇଛନ୍ତି କି, ୨୬.୧୨.୨୦୧୭ ତାରିଖରେ ମନ୍ତ୍ରିମଣ୍ଡଳର ବୈଠକରେ ଭାଷା ଆଇନ ଉଲ୍ଲଙ୍ଘନକାରୀ କର୍ମଚାରୀ ଓ ବିଭାଗକୁ ବିହିତ ଦଣ୍ଡବିଧାନ ପାଇଁ ପ୍ରସ୍ତାବ ହୋଇଥିଲା । ଭାଷା ଆନ୍ଦୋଳନ ସେହି ପ୍ରସ୍ତାବର ତ୍ରୁଟି ଦର୍ଶାଇବା ପରେ ୧୪.୦୩.୨୦୧୮ ତାରିଖରେ ମନ୍ତ୍ରୀମଣ୍ଡଳ ଦାୟୀତ୍ଵନିର୍ଦ୍ଧାରଣ ସମ୍ପର୍କୀୟ ତ୍ରୁଟି ସଂଶୋଧନ କରି ସ୍ପଷ୍ଟ କରିଥିଲେ କି, ଓଡ଼ିଆରେ କାମ ନକଲେ କେବଳ କର୍ମଚାରୀଙ୍କୁ ହିଁ ଦଣ୍ଡବିଧାନ ହେବ । ଅତ୍ୟନ୍ତ ଅନଧିକୃତ ଭାବେ ଏହି ୧୪.୦୩.୨୦୧୮ ତାରିଖର ପ୍ରସ୍ତାବକୁ କବର ଦିଆଯାଇ ୨୬.୧୨.୨୦୧୭ ତାରିଖର ଅକାମି କରାହୋଇଥିବା ପ୍ରସ୍ତାବ ଉପରେ ବିଧେୟକଟିକୁ ଆଧାରିତ କରାଯାଇଛି । ରାଜ୍ୟପାଳ ଯଦି ଏହି ବିଧେୟକଙ୍କୁ ସ୍ବୀକୃତି ଦିଅନ୍ତି ତେବେ ଏହି ଅନଧିକୃତ ଆଚରଣକୁ ବୈଧ କରିବା ସହ ତାହା ସମାନ ହୋଇଯିବ ।

ଏତଦ୍ଦୃଷ୍ଟିରୁ ଏହି ତ୍ରୁଟିପୂର୍ଣ୍ଣ ବିଧେୟକଙ୍କୁ ସ୍ବୀକୃତି ନ ଦେଇ ପୁନଃ ସଂଶୋଧନ ପାଇଁ ବିଧାନସଭାକୁ ଫେରସ୍ତ କରିଦେବାକୁ ଭାଷା ଆନ୍ଦୋଳନ ରାଜ୍ୟପାଳଙ୍କୁ ଅନୁରୋଧ କରିଛି ।

ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ଠାରୁ ଅପରାଧିକ ଅଭିଯୋଜନ ସହ ସରକାରୀ ପାଉଣା ଆଦାୟ ହେଉ : ଭାଷା ଆନ୍ଦୋଳନ, ଓଡ଼ିଶା

ଆବଶ୍ୟକୀୟ ଆଇନଗତ ଯୋଗ୍ୟତା ନ ଥାଇ ରାଜ୍ୟ ସରକାରଙ୍କ ନିର୍ଦ୍ଦିଷ୍ଟ ପଦାଧିକାରୀଙ୍କୁ ବିମୋହିତ କରି ଡ଼. ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ତାଙ୍କ ସହକର୍ମୀ ସୁବ୍ରତ ପୃଷ୍ଟି ତଥା ତାଙ୍କ ନ୍ୟାସ ଓଡିଶା ରାଜକୋଷରୁ ବହୁ ଲକ୍ଷ ଟଙ୍କା ନେଇଯାଇଥିବା ହେତୁ ତାହା ତାଙ୍କଠରୁ ଆଦାୟ କରିବା ପାଇଁ ଭାଷା ଆନ୍ଦୋଳନ , ଓଡିଶା ଦାବି କରିଛି । ଶାସ୍ତ୍ରୀୟ ମାନ୍ୟତା ସମ୍ପର୍କିତ ସରକାରୀ ସନ୍ଦର୍ଭ ଚୋରି କରି ରାଜ୍ୟବାସୀଙ୍କ ପ୍ରତି ବିଶ୍ଵାସଘାତକତା କରିଥିବା କାରଣରୁ ଡ଼. ପଟ୍ଟନାୟକଙ୍କୁ କଳାତାଲିକା ଭୁକ୍ତ କରିବାକୁ ଆନ୍ଦୋଳନର ଦାବି ଉପରେ ସରକାର ଶୋଇରହିଥିବା ବେଳେ ତାଙ୍କର ଏକ ଅନଧିକୃତ ପ୍ରକାଶନ ପାଇଁ ରାଜକୋଷରୁ ଦେଢ଼ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ପ୍ରତିପୁରଣ ସକାଶେ ଗୋଟି ଚାଳନ ଚାଲିଛି । ଏହା ବନ୍ଦ କରିବାକୁ ଓ ତାଙ୍କ ବିରୁଦ୍ଧରେ ଅପରାଧିକ ଅଭିଯୋଜନ ଆରମ୍ଭ କରିବାକୁ ଭାଷା ଆନ୍ଦୋଳନର ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏକ ପତ୍ର ଦେଇ ତହିଁର ନକଲ ସଂସ୍କୃତି ସଚିବ ଓ ଭାଷା ପ୍ରତିଷ୍ଠାନକୁ ପ୍ରଦାନ କରିଛନ୍ତି । ତାହା ନିମ୍ନରେ ସ୍ଥାନିତ ହେଲା ।

ମହାଶୟ ,
ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ପାଇଁ ରାଜ୍ୟ ସରକାର ଓଡ଼ିଆ ଭାଷା ପ୍ରତିଷ୍ଠାନ ମାଧ୍ୟ୍ୟମରେ ରାଜକୋଷରୁ ଅର୍ଥ ବ୍ୟୟ କରି ଯେଉଁ ପ୍ରାମାଣିକ ଯୁକ୍ତି ସନ୍ଦର୍ଭ ପ୍ରସ୍ତୁତ କରିଥିଲେ ତାହାକୁ ଡ଼. ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ସୁବ୍ରତ ପୃଷ୍ଟି ଓ ସେମାନଙ୍କ ନ୍ୟାସ ‘ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା’ ଚୋରି କରିନେଇ, ସରକାରୀ ନିଷେଧାଦେଶ ଉଲ୍ଲଙ୍ଘନ କରି, କିପରି ସରକାରୀ ସତ୍ଵାଧିକାରର ଏକ ସମାନ୍ତରାଳ ସତ୍ଵାଧିକାର ତିଆରି କରିଛନ୍ତି ଓ ତହିଁର ଘରୋଇ ବ୍ୟବସାୟିକ ଉପଯୋଗ କରୁଛନ୍ତି ତାହାର ସପ୍ରମାଣ ପ୍ରତିବେଦନ ରଖି ମୁଁ ଭାଷା ଆନ୍ଦୋଳନ ଓଡ଼ିଶାର ଅଧ୍ୟକ୍ଷ ଭାବେ ମାନ୍ୟବର ମୁଖ୍ୟ ଶାସନ ସଚିବଙ୍କୁ ଅନୁରୋଧ କରିଥିଲି କି , ଆମ ମାତୃଭାଷା କ୍ଷେତ୍ରକୁ ଭାଷା ମାଫିଆଙ୍କ ଚାରଣ ଭୂମି ହେବାରୁ ରକ୍ଷା କରିବା ପାଇଁ ଏହି ବ୍ୟକ୍ତି ଓ ସଂସ୍ଥାମାନଙ୍କ ବିରୁଦ୍ଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ହେଉ ଓ ରାଜ୍ୟ ପ୍ରତି ବିଶ୍ଵାସଘାତକତା କାରଣରୁ ତାଙ୍କୁ କଳାତାଲିକାଭୂକ୍ତ କରାଯାଉ । ମୋ ପାଖରେ ଥିବା ତଥ୍ୟ ଅନୁଯାୟୀ ମୁଖ୍ୟ ଶାସନ ସଚିବ ତହିଁ ଉପରେ ଅନୁସନ୍ଧାନ ଓ କାର୍ଯ୍ୟାନୁଷ୍ଠାନ ପାଇଁ ସଂସ୍କୃତି ସଚିବଙ୍କୁ ଆଦେଶ ଦେଇଥିଲେ । ଗତ ଡିସେମ୍ବର ମାସରୁ ତାହା ସେହିପରି ପଡିଛି ।

ଏପରି ସରକାରୀ ଉଦାସୀନତାର ସୁଯୋଗ ନେଇ ଜାତୀୟ ଭାଷା ସମ୍ମିଳନୀ ନାମରେ ପ୍ରୋକ୍ତ ବ୍ୟକ୍ତି ଓ ସଂସ୍ଥାମାନେ ସଂସ୍କୃତି ବିଭାଗରୁ ବହୁ ଲକ୍ଷ ଟଙ୍କାର ସହାୟତା ନେଇଛନ୍ତି ଯାହାର କିୟଦଂଶ ମୁଁ ଗଣମାଧ୍ୟମରେ ପ୍ରକାଶ କରିଛି । ଏଥି ସହ ସଂଯୁକ୍ତ ହୋଇଥିବା ନିବନ୍ଧ ଏଥିପାଇଁ ତଥ୍ୟ ଦେବାକୁ ସକ୍ଷମ । ସଂସ୍କୃତି ସଚିବାଳୟରୁ ଏକ ସଂଗୃହିତ ସୂଚନା ଅନୁସାରେ 2ୟ ଭାଷା ସମ୍ମିଳନୀ ଅବସରରେ ଉପରୋକ୍ତ ବ୍ୟକ୍ତି ଓ ସଂସ୍ଥା ପ୍ରକାଶ କରିଥିବା ଏକ ସଂକଳନ ପାଇଁ 1.60 ଲକ୍ଷ ଟଙ୍କା ପ୍ରତିପୁରଣ ପ୍ରଣାଳୀରେ ନେବାକୁ ସଂସ୍କୃତି ବିଭାଗ ଉପରେ ପ୍ରଭାବ ପକାଇଛନ୍ତି ଓ ତାହା ପ୍ରଦାନ କରିବାକୁ ସଜବାଜ ଚାଲିଛି । ସଂସ୍କୃତି ବିଭାଗର ଆର୍ଥିକ ସହାୟତା ନିୟମାବଳୀ 1986 ଏପରି ପାଣ୍ଠି ପ୍ରଦାନକୁ ବିରୋଧ କରେ; କାରଣ , ଏପରି ସହାୟତା ପାଇଁ କୌଣସି ନିୟମ ନାହିଁ ଓ ଉପରୋକ୍ତ ବ୍ୟକ୍ତି ଓ ସଂସ୍ଥାର ଯୋଗ୍ୟତା ବି ନାହିଁ ।

ଉଲ୍ଲେଖ ନିଷ୍ପ୍ରୟୋଜନ ଯେ, ଓଡିଶା ସରକାରଙ୍କ ଭାଷା ପ୍ରତିଷ୍ଠାନ ଗଭୀର ଗବେଷଣାଲବ୍ଧ ତଥ୍ୟ ଉପରେ ଶାସ୍ତ୍ରୀୟ ମାନ୍ୟତା ପାଇଁ ଯେଉଁ ଯୁକ୍ତି ସନ୍ଦର୍ଭ ପ୍ରସ୍ତୁତ କରିଥିଲେ , ଅର୍ଥ ଅଭାବରୁ ତାହା ଜନସାଧାରଣଙ୍କ ପାଇଁ ମୁଦ୍ରିତ ହୋଇପାରିଲା ନାହିଁ । ତହିଁର ମୁଦ୍ରଣ ଏକାନ୍ତ ଆବଶ୍ୟକ । ସେଥିରେ ଅର୍ଥ ଲଗାଣ ନ କରି , ଉପରୋକ୍ତ ବ୍ୟକ୍ତି ଓ ସଂସ୍ଥାମାନଙ୍କର ଅନଧିକୃତ ପୁସ୍ତକ ପ୍ରକାଶନର ଖର୍ଚ୍ଚ ପ୍ରତିପୁରଣ କରିବା କେବଳ ଅଯୌକ୍ତିକ ନୁହଁ , ବେଆଇନ ମଧ୍ୟ ।

ଏହି ପ୍ରେକ୍ଷାପଟରେ ପ୍ରସ୍ତାବିତ ପ୍ରତିପୁରଣ ନିଷିଦ୍ଧ କରିବାକୁ ଓ ଉପର ନାମିତ ଲୋକେ ଓ ସଂସ୍ଥା 1986 ନିୟମାବଳୀ ଅନୁସାରେ ସରକାରୀ ସହାୟକ ପାଣ୍ଠି ପାଇଁ ଆଦୌ ଯୋଗ୍ୟ ନ ହୋଇଥିଲେ ମଧ୍ୟ ସଂଯୁକ୍ତ ଥିବା ଦଲିଲ ଅନୁଯାୟୀ ଅବୈଧ ଭାବେ ବହୁ ଲକ୍ଷ ଟଙ୍କା ରାଜକୋଷରୁ ନେଇସାରିଥିବା ହେତୁ ସେ ସମସ୍ତ ଟଙ୍କା ସେମାନଙ୍କ ଠାରୁ ଓ ସେହି ସଂସ୍ଥା ଠାରୁ ଆଦାୟ କରାଯାଉ ଏବଂ ଓଡିଶା ସରକାରଙ୍କ ପ୍ରତି ଶାସ୍ତ୍ରୀୟ ମାନ୍ୟତା କ୍ଷେତ୍ରରେ ବିଶ୍ଵାସ ଭଙ୍ଗ କରିଥିବା ହେତୁ ସେମାନଙ୍କୁ ଓ ତାଙ୍କ ଉପର ନାମିତ ସଂସ୍ଥାକୁ ଅପରାଧିକ ଦଣ୍ଡବିଧାନର ସମ୍ମୁଖୀନ କରାଯିବା ସଂଗେ ସଂଗେ ସେମାନଙ୍କୁ କଳାତାଲିକା ଭୁକ୍ତ କରାଯାଉ । ଇତି ।
ଆପଣଙ୍କର

ସୁଭାଷ ଚନ୍ଦ୍ର ପଟ୍ଟନାୟକ ,
ଅଧ୍ୟକ୍ଷ , ଭାଷା ଆନ୍ଦୋଳନ, ଓଡିଶା