ଭାଷା ଆନ୍ଦୋଳନ ବିରୁଦ୍ଧରେ ନବୀନ ପଟ୍ଟନାୟକଙ୍କ ନୂଆ ଚାଲ୍ : ଭାଷା ଆଇନର ଉଦ୍ଦେଶ୍ୟ ପଣ୍ଡ କରି ଉତ୍ସବ ଆୟୋଜନ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ସାମାଜିକ ଗଣମାଧ୍ୟମ ଫେସ ବୁକରେ ଏକ ବିଜ୍ଞାପନ ପ୍ରକଶ ପାଇଛି ଭାଷା ଆନ୍ଦୋଳନ ନାମରେ । ତାହା ଏହିପରି :

ଓଡ଼ିଆରେ ଓଡିଶା ଶାସନ ପାଇଁ ଚାଲିଥିବା ଭାଷା ଆନ୍ଦୋଳନ ଓ କଳାପତାକା ଅଭିଯାନ ଫଳରେ 878 ଦିନରେ ବିଧାନ ସଭାରେ ଭାଷା ଆଇନ ସଂଶୋଧନ ହୋଇଥିବାରୁ କଳାପତାକା ଓ ଭାଷା ଆନ୍ଦୋଳନରେ ଯୋଗଦେଇଥିବା ସମସ୍ତ ଭାଷା ଯୋଦ୍ଧା ଙ୍କୁ 29/01/2019 , ମଙ୍ଗଳବାର ଦିନ ସକାଳ 10.30 , ଭୁବନେଶ୍ୱର ଜୟଦେବ ଭବନ ଠାରେ ସମ୍ବର୍ଦ୍ଧିତ କରାଯିବ | ସମସ୍ତ ଭାଷା ଯୋଦ୍ଧା ମାନଙ୍କୁ ଅନୁରୋଧ ଏହି ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ରହିବାକୁ ଅନୁରୋଧ – ଭାଷା ଆନ୍ଦୋଳନ , ଓଡିଶା .ଯୋଗାଯୋଗ – ଅଧ୍ୟକ୍ଷ , ଚକ୍ରଧର ମହାନ୍ତ ,ସଭାପତି , ପ୍ରଦ୍ୟୁମ୍ନ ଶତପଥୀ -7978671274 , ଆବାହକ ,ପବିତ୍ର ମହାରଥା -9437028874 , ନବକିଶୋର ପ୍ରଧାନ -7606063673,

ଏଥିରୁ ଏହାହିଁ ସ୍ପଷ୍ଟ ଯେ, ପ୍ରଦ୍ୟୁମ୍ନ ଶତପଥୀ, ପବିତ୍ର ମହାରଥା, ନବକିଶୋର ପ୍ରଧାନ ଓ ଚକ୍ରଧର ମହାନ୍ତ – ଏହି ଚାରିଜଣଯାକ ଲୋକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ସରକାରୀ ଭାଷା ଆଇନକୁ ସଂଶୋଧନ ଆଳରେ ଯେପରି ହତ୍ୟା କରିଛନ୍ତି ତାହାର ଉତ୍ସବ ପାଳନ କରୁଛନ୍ତି ! ଏବଂ ଏହି କର୍ମରେ ଭାଷା ଆନ୍ଦୋଳନର ନାମ ଅନଧିକୃତ ଭାବେ ବ୍ୟବହାର କରିଛନ୍ତି ।

ଭାଷା ଆନ୍ଦୋଳନ ମୁଁ ପ୍ରତିଷ୍ଠା କରିଛି , ସରକାରୀ ଭାଷା ଆଇନର ତ୍ରୁଟି ସୁଧାରିବା ପାଇଁ ମନ୍ତ୍ରୀସ୍ତରୀୟ କମିଟିର ସଦସ୍ୟ ଭାବେ ମୁଁ ସରକାରଙ୍କୁ ଦେଇଥିବା ପରାମର୍ଶ ସପକ୍ଷରେ ଜନମତ ସୃଷ୍ଟିକରିବା ଉଦ୍ଦେଶ୍ୟରେ । ଏହା ଏକ ସମ୍ପୂର୍ଣ ଅନପୌଚାରୀକ ଆନ୍ଦୋଳନ । କୌଣସି ଆଇନ ବା ନିୟମାବଳୀ ମୁଁ ଏଥିପାଇଁ ପ୍ରଣୟନ କରିନଥିଲି କି କରିନାହିଁ । ଚକ୍ରଧର ମହାନ୍ତ ଯାହାଙ୍କ ଟେଲିଫୋନ ନମ୍ବର ଏମାନେ ଦେଇନାହାନ୍ତି , ଜଣେ ଆର୍ଥନୀତିକ ଅପରାଧୀ ଓ ତାଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବାକୁ ଭିଜିଲାନ୍ସ ଅଦାଲତରେ ମକଦ୍ଦମା ଚାଲିଛି । ସେ କେଉଁ ଆଇନ ବଳରେ ମୁଁ ପ୍ରତିଷ୍ଠା କରିଥିବା ଭାଷା ଆନ୍ଦୋଳନର ଅଧ୍ୟକ୍ଷ ହୋଇଗଲେ ତାହା ବିଚାର ସାପେକ୍ଷ ।

ଶତପଥୀ ଓ ମହାରଥାଙ୍କୁ ମୁଁ ଏହି ଅନପୌଚାରୀକ ସଂଗଠନର ସଭାପତି ଓ ଆବାହକ ପଦବୀ ଦେଇଥିଲି । ଏମାନେ କେହି ଯଦି ମୋତେ ସାହାଯ୍ୟ କରିନଥାନ୍ତେ ଏକା ଏକା କଳାପତାକା ଧରି ମୁଁ ଚାଲିଥାନ୍ତି , କାରଣ ତାହା ହିଁ ଥିଲା ମୋର ଯୋଜନା । ଏମାନେ ମୋ ପ୍ରତି ସହଯୋଗର ହାତ ବଢାଇଥିଲେ ଓ ମୋତେ ଦେଇଥିବା କଥା ଅନୁସାରେ ଶତପଥୀ ପ୍ରତିଦିନ କଳାପତାକା ଧରିବାକୁ ସାଥୀ ଯୋଗାଡ଼ କରୁଥିଲେ ଏବଂ ଖବରକାଗଜକୁ ପ୍ରତିଦିନର ଖବର ପଠାଉଥିଲେ ମହାରଥା ।

ଯେଉଁମାନେ ପ୍ରତିଦିନ କଳାପତାକା ଧରୁଥିଲେ, ସେମାନେ ଓଡ଼ିଆ ଜାତିର ନିଶ୍ଚୟ ନମସ୍ୟ । ମାତ୍ର ସେମାନଙ୍କ ପ୍ରତି ବିଶ୍ଵାସଘାତକତା କରି ଏ ଦୁହେଁ ନିଜ ସ୍ଵାର୍ଥ ପାଇଁ ସରକାରଙ୍କ ସହ ହାତ ମିଳାଇ ଗତ ବର୍ଷ ଜୁଲାଇ ୧୬ ତାରିଖରେ ଭାଷା ଆନ୍ଦୋଳନ ନିଷ୍ପତ୍ତି କ୍ରମେ କଳାପତାକା ଅଭିଯାନ ବନ୍ଦ ରହିଲା ବୋଲି ପ୍ରେସକୁ ବିବୃତି ଦେଲେ । ଏମାନଙ୍କ ଅବୈଧ ଆଚରଣ ଉପରେ ମୁଁ ତହିଁପରଦିନ ଆଲୋକପାତ କରିଛି ।

ସେହିଦିନ ପର୍ଯ୍ୟନ୍ତ ମୋର ଚାଟୁକାର ଥିବା ଏହି ଦୁଇ ବ୍ୟକ୍ତି ସେହି ଦିନଠାରୁ ହଠାତ ମୋର ନିନ୍ଦୁକ ହୋଇଗଲେ । ଭାଷା ଆନ୍ଦୋଳନର ସ୍ମରଣିକା ପାଇଁ ସଂଗୃହିତ ବିଜ୍ଞାପନ-ପ୍ରସୂତ ବହୁ ଲକ୍ଷ ଟଙ୍କା ତୋଷରପାତ କରି ମହାରଥା ଧରାପଡ଼ିଲା ପରେ ମୁଁ ଯେତେବେଳେ ତାଙ୍କୁ ହିସାବ ମାଗିଲି, ସେ ଶତପଥୀଙ୍କୁ ଧରାଧରି କରି ଭାଷା ଆନ୍ଦୋଳନକୁ ଭାଙ୍ଗି ଦେବାର ଷଡଯନ୍ତ୍ର କଲେ ଓ ଏକଥା ଗୋଇନ୍ଦାଙ୍କ ମାଧ୍ୟମରେ ଅବଗତ ହେଲେ ପରେ ନବୀନ ବାବୁ ତାଙ୍କ ଅର୍ଥମନ୍ତ୍ରୀଙ୍କ ମାଧ୍ୟମରେ ଏ ଦୁହିଁଙ୍କୁ କରାୟତ୍ତ କରିବାରେ ସଫଳ ହେଲେ ।

ଉଡ଼ା ଖବର ହେଲା, ଏ ଦୁହିଁଙ୍କୁ ବିପୁଳ ପରିମାଣର ସୁପାରୀ ଦିଆଯାଇ ତହିଁର ଅଗ୍ରିମ ଦିଆଯାଇଥିଲା ଜୁଲାଇ ୧୫ରେ ଓ କଳାପତାକା ଅଭିଯାନ ବନ୍ଦ କରିବାକୁ କଥା ପକ୍କା କରିସାରି ଏ ଦୁହେଁ ନବକିଶୋର ପ୍ରଧାନ ଓ ଜାନକୀଶ ବଡ଼ପଣ୍ଡା ନାମକ ଦୁଇଜଣ ବ୍ୟକ୍ତିଙ୍କୁ ଧରି ଜୁଲାଇ ୧୬ ତାରିଖ ଅପରାହ୍ନରେ ଅର୍ଥମନ୍ତ୍ରୀଙ୍କ ପ୍ରକୋଷ୍ଠକୁ ଯାଇ ଆଲୋଚନାର ନାଟକ କରିଥିଲେ ।

ମୋତେ ଯେତେବେଳେ ଏକଥା ଏମାନେ ରିପୋର୍ଟ କରିଥିଲେ ମୁଁ ପଚାରିଥିଲି ,”ମୋତେ ନ ଜଣାଇ ମନ୍ତ୍ରୀଙ୍କ ସହ ଆଲୋଚନ କଲେ କାହିଁକି ଓ କି ଆଲୋଚନା ହେଲା?” ପ୍ରଦ୍ୟୁମ୍ନ ଶତପଥୀ କହିଥିଲେ, “ସାର, ଆଜିଯାଏଁ ଆପଣଙ୍କ ସବୁ କଥା ଆମେ ମାନିଆସିଛୁ , ଆଜି ଆପଣ ଆମର ଏଇ ଗୋଟିକ କଥା ମାନନ୍ତୁ” । ମୁଁ କହିଥିଲି – “ମନ୍ତ୍ରୀଙ୍କୁ କୁହାଯାଉ ଏହା ପ୍ରେସ ବିଜ୍ଞପ୍ତି ଜାରି କରିବା ପାଇଁ ,ଯାହା ଅନୁଧ୍ୟାନ କଲା ପରେ ଉପଯୁକ୍ତ ନିଷ୍ପତ୍ତି ନେଇହେବ ।” କିନ୍ତୁ ଏମାନେ ସତେ ଯେମିତି ସୁପାରୀ ଲୋଭରେ “କୁଳଗଉରବ ବାରି ନ ପାରନ୍ତି ଆରତେ ସଫରୀନୟନା” ପରି ଚଟାପଟ ଘୋଷଣା କରିଦେଲେ କି, ଭାଷା ଆନ୍ଦୋଳନର ନିଷ୍ପତ୍ତିକ୍ରମେ କଳାପତାକା ଅଭିଯାନ ବନ୍ଦ ହେଲା !

ଭାଷା ଆନ୍ଦୋଳନ ଏପରି କୌଣସି ନିଷ୍ପତ୍ତି ନେଇନଥିଲା । କାରଣ ମୁଁ ତାର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ । ଏପରି କୌଣସି ନିଷ୍ପତ୍ତି ମୋ ଜ୍ଞାତସାରରେ ହୋଇନଥିଲା । ରାଜ୍ୟର ବିଭିନ୍ନ ସ୍ଥାନରେ ଅଭିଯାନ ଯଥାପୂର୍ବ ଚାଲିଥିଲା ଓ ଭୁବନେଶ୍ୱରରେ ଏଯାଏଁ ଚାଲିଛି । ଏମାନଙ୍କୁ ପୋଷା ମନାଇ ନବୀନବାବୁ ଆମ ସରକାରୀ ଭାଷା ଆଇନ ଯେପରି ସବୁଦିନ ପାଇଁ ଅକାମୀ ହୋଇଯାଏ ସେହିପରି ବ୍ୟବସ୍ଥା ଖଂଜିଛନ୍ତି ଆଇନଟିର ସଂଶୋଧନ ମାଧ୍ୟମରେ । ଅଥଚ ଓଡ଼ିଆ ଜାତିକୁ ପ୍ରତାରିତ କରିବା ପାଇଁ ଏହିମାନଙ୍କୁ ଧରି ସଂଶୋଧନ ସପକ୍ଷରେ ପ୍ରଚାର ଚଳାଇଛନ୍ତି ।

ମୋତେ ମିଳିଥିବା ସୂଚନା ହେଲା, ଭାଷା ଆଇନ ପ୍ରେକ୍ଷାପଟରେ ନବୀନବାବୁଙ୍କ ସପକ୍ଷରେ ପ୍ରଚାର ପାଇଁ ଏମାନଙ୍କୁ ୩୫ ଲକ୍ଷ ଟଙ୍କା ଦିଆଯାଇଛି । ଏହି ଟଙ୍କା ବ୍ୟବହାର କରି ଏମାନେ ଓଡିଶା ତମାମ ବୁଲି ବୁଲି ପ୍ରଚାର କରିବେ ଯେ, ନବୀନବାବୁ ଭାଷା ଆଇନକୁ ସଜାଡି ଦେଇଛନ୍ତି ଏବଂ ବର୍ତ୍ତମାନ ଯେଉଁ ଭାଷା ଆନ୍ଦୋଳନ ଚାଲିଛି ତାହା ନବୀନବାବୁଙ୍କ ବିରୁଦ୍ଧରେ ଏକ ରାଜନୈତିକ ଷଡଯନ୍ତ୍ର । ଏହି ଯୋଜନାର ପ୍ରଥମ ଚରଣ ଆସନ୍ତାକାଲି ଏମାନଙ୍କ ଉତ୍ସବ ପାଳନରୁ ଆରମ୍ଭ ହେବ । ଉପରୋକ୍ତ ଭୁଲ ତଥ୍ୟ ଦେଇ, କଳାପତାକାଧାରୀମାନଙ୍କୁ ଦାମୀ ଉପହାର ସହ ସମ୍ବର୍ଦ୍ଧିତ କରାଯିବ ଓ ଭାଷା ଆଇନ ସଠିକ ଭାବେ ସଂଶୋଧିତ ହୋଇଛି ବୋଲି ପ୍ରଚାର କରିବାକୁ ସେମାନଙ୍କୁ ପ୍ରବର୍ତ୍ତା ଯିବ । କିନ୍ତୁ ବସ୍ତୁତଃ ଏହା ହେବ, ଭାଷା ଆଇନକୁ ନବୀନବାବୁ ଯେମିତି ହତ୍ୟା କରିଛନ୍ତି ତହିଁର ଉତ୍ସବ ପାଳନ ।

ଓଡ଼ିଶାର କବି ଓ ଲେଖକ ସମୁଦାୟ ଏତେ ପରିମାଣରେ ସରକାରୀ କୃପାପୁଷ୍ଟ ଓ ସରକାରୀ କରୁଣା ପାଇଁ ଲାଳାୟିତ ଯେ, ଏ ସମସ୍ତ କଥା ଜାଣି ମଧ୍ୟ ସେମାନେ ପାଟି ଫିଟାଇବାକୁ ସାହସ କରିପାରୁନାହାନ୍ତି । ଫଳରେ ସାଧାରଣ ଓଡ଼ିଆଟିଏ ଜାଣିପାରୁନି , ସରକାରୀ ଷଡଯନ୍ତ୍ର ହେତୁ କିପରି ତା ଭାଷାଜନନୀ ତା ରାଜ୍ୟରେ ତାର ପ୍ରାଥମିକତା ହରାଇଛି ଏବଂ ତଦ୍ଦ୍ଵାରା କିପରି ଓଡ଼ିଶା ପ୍ରଦେଶ ସୃଷ୍ଟିର ଉଦ୍ଦେଶ୍ୟ ପଣ୍ଡ ହୋଇଚାଲିଛି ।