ସରକାରୀ ଅମର୍ଯ୍ୟାଦା କବଳରେ ଓଡ଼ିଆ ଜାତିର କୁଳଗୌରବ

ବିଶେଷ ପ୍ରତିନିଧି

ଓଡ଼ିଆଵିଦ୍ଵେଷୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁଳଗୌରବ ମଧୁସୂଦନଙ୍କୁ ବି ନିଜ ପ୍ରଚାର-ବେଦିକା ଭାବେ ବ୍ୟବହାର କରିଛନ୍ତି ଓ ପ୍ରଚାରକ ଟିଭି କ୍ରିୟୁ ଫେରିଗଲା ପରେ ଓଡ଼ିଆ ଜାତିର ଏହି ଚିରବନ୍ଦ୍ୟ ମନୀଷୀଙ୍କ ପବିତ୍ର ପ୍ରତିମୂର୍ତ୍ତିକୁ ସରକାରୀ ଅମର୍ଯ୍ୟାଦାର କବଳକୁ ଫିଙ୍ଗି ଦେଇଛନ୍ତି •

କୁଳଗୌରବଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ମଧୁପ୍ରୀତି ଦେଖାଇବାକୁ ତାଙ୍କ ପ୍ରତିମୂର୍ତ୍ତିରେ ଠିକାଦାର ଦ୍ଵାରା ଫୁଲମାଳ ଚଢା ଯାଇଥିଲା ; ମୁଖ୍ୟମନ୍ତ୍ରୀ ଆସିଲେ, କ୍ୟାମେରା ଆଗରେ ମଧୁପ୍ରୀତି ଦେଖାଇଲେ •

ସେ ଚାଲିଗଲା ପରେ ଲୋକସମ୍ପର୍କ ବିଭାଗ ଭୁଲିଗଲା ଯେ ଏହି ପବିତ୍ର ପୀଠଟିର ମର୍ଯ୍ୟାଦା ରକ୍ଷା ହେବା ଉଚିତ •

“ବାହା ପରେ ବେଦି ମୁହଁ ପୋଡ଼ା” ପରି କୁଳଗୌରବଙ୍କ ପବିତ୍ର ପ୍ରତିମୂର୍ତ୍ତି ଅସନା ଓ ପଚା ସରକାରୀ ଫୁଲମାଳ କବଳରେ ପଡିଛି •

ସମ୍ପୃକ୍ତ ବିଭାଗକୁ ବାରମ୍ବାର ଜଣାଇବା ସତ୍ତ୍ଵେ ଏ ଆବର୍ଜନା ସଫା ନ ହେବାରୁ ଏପ୍ରିଲ ୩୦ରେ ଭାଷା ଆନ୍ଦୋଳନର ଏକୋଇଶି ଜଣ କଳାପତାକା ଅଭିଯାତ୍ରୀ ଏହି ଆବର୍ଜନା ସୃଷ୍ଟିକରିଥିବା ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକଙ୍କୁ ତାଙ୍କ ସରକାରୀ ପ୍ରକୋଷ୍ଠରେ ଭେଟି ଓଡ଼ିଆ ଜାତିର ପରମପୂଜ୍ୟ କୁଳବୃଦ୍ଧଙ୍କ ପ୍ରତି ଏପରି ସରକାରୀ ଅମର୍ଯ୍ୟାଦା ପ୍ରଦର୍ଶନ ବନ୍ଦ କରିବାକୁ ଅନୁରୋଧ କରିଥିଲେ ଓ ସମ୍ପୃକ୍ତ ଠିକାଦାର ଦ୍ଵାରା କୁଳଗୌରବଙ୍କ ପବିତ୍ର ପ୍ରତିମୂର୍ତ୍ତିରୁ ସରକାରୀ ଆବର୍ଜନା ତୁରନ୍ତ ଅପସାରଣ ପାଇଁ ଅନୁରୋଧ କରିଥିଲେ •

ସେମାନେ ନିଜେ ଏହି ଆବର୍ଜନା ସଫା କରିପାରିଥାନ୍ତେ , କିନ୍ତୁ ତାହା କରିବାକୁ ହେଲେ ଏହି ପବିତ୍ର ପ୍ରତିମୂର୍ତ୍ତି ଦେହରେ ପାଦ ଦେଇ ସେମାନଙ୍କୁ ଉପରକୁ ଚଢ଼ିବାକୁ ପଡିଥାନ୍ତା , ଯାହା ସେମାନଙ୍କ ପାଇଁ ସହ୍ୟ ହୋଇନଥାନ୍ତା ; କାରଣ ସେମାନେ ପ୍ରତିଦିନ ସେହି ପ୍ରତିମୂର୍ତ୍ତି ପାଦ ତଳେ ପ୍ରଣତି ଜଣାଇଥାନ୍ତି •

ଓଡ଼ିଆ ଜାତିର ପ୍ରକୃତ ନମସ୍ୟମାନଙ୍କ ପ୍ରତି ଓଡିଶା ସରକାର ଏପରି ଅବଜ୍ଞା ଓ ଅପମାନ ପ୍ରଦର୍ଶନ ନ କରିବା ଉଚିତ •