ଓଡ଼ିଆଭାଷାକୁ ନବୀନଙ୍କ ମରଣଆଘାତ – ୩

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ବିଲାତି ଶାସନ ସଂକଳିତ ‘କୋରାପୁଟ ଗେଜେଟିଅର’ର ପୃଷ୍ଠା ୮୫ ରେ ଉଲ୍ଲେଖ ଅଛି:
“Sisti Karanas, originally Oriya, adopted Telugu language when Southern areas were lost to Oriyas.”

“କଚେରୀରେ ତେଲେଙ୍ଗା ବିଦ୍ୟା ପ୍ରଚାର ହେବାରୁ କ୍ରମେ କ୍ରମେ ଏ ଦେଶ ଲୋକଙ୍କର ଶ୍ରୀ ଚ୍ୟୁତ ହୋଇ ଯଶଃ ଶ୍ରୀ ବିଦ୍ୟା ବୁଦ୍ଧି ଲୋପ ହେବା ପ୍ରତ୍ୟକ୍ଷେ ସରକାରରୁ ନ୍ୟାୟ ଲଭିବାର ଦୁଷ୍କର ହୋଇଅଛି” ବୋଲି ଦର୍ଶାଇଥିଲା ଘୁମୁସରର ରସଲକୋଣ୍ଡା ଠାରେ ଦୀନବନ୍ଧୁ ପଟ୍ଟନାୟକଙ୍କ ଦ୍ଵାରା ଆୟୋଜିତ ଓଡ଼ିଆମାନଙ୍କର ପ୍ରଥମ ସମ୍ମିଳନୀ ୧୮୭୦ ସେପ୍ଟେମ୍ବର ୧୧ ତାରିଖରେ । ଓଡ଼ିଆ ଭାଷାକୁ ପୁନର୍ବାର ଦାପ୍ତରିକ ଭାଷା କରାଯାଉ, ନଚେତ ସବୁ ଓଡ଼ିଆ ଭାଷାଭାଷୀ ଅଂଚଳକୁ ଏକତ୍ର କରି ଗୋଟିଏ ଶାସନରେ ରଖାଯାଇ ସେଠାରେ ଓଡ଼ିଆକୁ ରାଜଭାଷା କରାଯାଉ ବୋଲି ଏହି ସମ୍ମିଳନୀରେ ଦାବି କରାଯାଇ ଏଥିରେ ସହଯୋଗ କରିବାକୁ “କଟକଜିଲ୍ଲା ଉତ୍କଳଦେଶୀୟ ମହାଶୟମାନଙ୍କୁ” ନିବେଦନ କରାହୋଇଥିଲା । ସେମାନଙ୍କୁ ଆହ୍ୱାନ ଦେଇ କୁହାହୋଇଥିଲା , “ଶାସ୍ତ୍ରାନୁସାରେ (ଅର୍ଥାତ୍ ସେମାନଙ୍କ ଭାଷା ସାହିତ୍ୟର ଭିତ୍ତି ଉପରେ) ଉତ୍କଳଦେଶ ସମଗ୍ର ଏକତ୍ର ହୋଇ ଓଡ଼ିଶା ଜିଲ୍ଲାରେ ରହିବା ଓ ସର୍ବତ୍ର ଉତ୍କଳ ଦେଶ ଅଦାଲତରେ ଉତ୍କଳ ବିଦ୍ୟା ପ୍ରଚଳ ହେବା ନିମିତ୍ତ ଭାରତବର୍ଷର ଶ୍ରୀଯୁକ୍ତ ରାଇଟ୍ ଅନରେବ୍ଲ ଗଭର୍ଣ୍ଣର ଜେନେରାଲ୍ ବାହାଦୁରଙ୍କ ହଜୁରରୁ ହୁକୁମ ହେବା କାରଣ କଟକ ଜିଲ୍ଲା ଉତ୍କଳ ଦେଶୀୟ ମହାଶୟମାନେ ଯଥୋଚିତ ତଦ୍ବିର କରି ଚିରସ୍ଥାୟୀ କୀର୍ତ୍ତି ରଖିବାର ଯଶଃ ପ୍ରକାଶ କରନ୍ତୁ ।”

ଅତଏବ ଓଡ଼ିଆ ଭାଷାରେ ଦପ୍ତର ଓ ଅଦାଲତଗୁଡ଼ିକ ନ ଚାଲି ଦକ୍ଷିଣ ଓଡ଼ିଶାରେ ତେଲୁଗୁ ଭାଷା ରାଜଭାଷା ହୋଇଯିବାରୁ ତଦ୍ଦ୍ଵାରା ଓଡ଼ିଆମାନଙ୍କର “ଯଶଃ ଶ୍ରୀ ବିଦ୍ୟା ବୁଦ୍ଧି ଲୋପ ହେବା” ଫଳରେ ନିଜ ମାତୃଭାଷା ଓଡ଼ିଆ ଯେପରି ଅଫିସ ଓ ଅଦାଲତମାନଙ୍କରେ ପୁନଃ ପ୍ରବର୍ତ୍ତିତ ହୁଏ ତା ପାଇଁ ଏକ ସ୍ୱତନ୍ତ ଓଡିଶା ପ୍ରଦେଶ ଗଠନ ପାଇଁ ଘୁମୁସର ସମ୍ମିଳନୀ ଆହ୍ୱାନ ଦେଇଥିଲା । ଏହା ଯଥୋଚିତ ବୋଲି ମତ ଦେଇ ଉତ୍କଳ ଦୀପିକା ସମ୍ପାଦକ ଲେଖିଥିଲେ:
“ବଙ୍ଗଳା ଓ ମଧ୍ୟପ୍ରଦେଶ ଅଧୀନରେ ଥିବା ଓଡ଼ିଆ ଭାଷାଭାଷୀ ଅଂଚଳରେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷା ପ୍ରଚାର ଅଛି ……ଯେବେ ବଙ୍ଗଳା ଓ ମଧ୍ୟପ୍ରଦେଶରେ ଏପରି ହେଲା ତେବେ ମାନ୍ଦ୍ରାଜ ଗଭର୍ଣ୍ଣମେଣ୍ଟ ଅନ୍ତର୍ଗତ ଓଡ଼ିଶାରେ କାହିଁକି ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟାଳୟମାନଙ୍କରେ କାର୍ଯ୍ୟ ନ ଚଳିବ?” (ଉତ୍କଳଦୀପିକା, ୨୨ । ୧୦ । ୧୮୭୦) । (କ୍ରମଶଃ)

ଓଡ଼ିଆଭାଷାକୁ ନବୀନଙ୍କ ମରଣଆଘାତ -୧

ଓଡ଼ିଶାର ଆବିର୍ଭାବ

ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକୁ ଯଦି ଏକତ୍ର କରି ଗୋଟିଏ ପ୍ରଦେଶ ସୃଷ୍ଟି କରାନଯାଏ, ତେବେ କୌଣସି ଯଥାର୍ଥତା ନଥାଇ ଏପରି ଚାରି ଭାଗରେ ଭାଗ ଭାଗ ହୋଇରହିଥିଲେ ଏହି ସୂକ୍ଷ୍ମ ବୁଦ୍ଧିସମ୍ପନ୍ନ ଉତ୍କୃଷ୍ଟ ଜାତି ଯେଉଁ ସ୍ଵାଭାବିକ ଅଗ୍ରଗତି ପାଇଁ ହକଦାର, ହୁଏତ ତାହା ସମ୍ଭବ ହେବନାହିଁ ବୋଲି କହିଥିଲେ ମହାତ୍ମା ଗାନ୍ଧୀ ୧୯୨୦ ଫେବୃଆରୀ ୧୮ ତାରିଖରେ ୟଙ୍ଗ ଇଣ୍ଡିଆରେ (“This fine race cannot possibly make the natural advance which is its due, if it is split up into four divisions for no sound reason.” – Young India, 18 Feb.1920) । ସେ କହିଥିଲେ, ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ଆନ୍ଦୋଳନ ଏକ ସାଧାରଣ ଆନ୍ଦୋଳନ ନୁହେଁ, ଭାରତରେ ଭାଷାଭିତ୍ତିକ ରାଜ୍ୟ ଗଠନର ବୃହତ୍ତର ପ୍ରସଙ୍ଗରେ ଏହା ଏକ ଯୁଗାନ୍ତକାରୀ ବିଭାବନା । (ଏଯନ) ।
କେଉଁ କାରଣ ହେତୁ ଓଡ଼ିଆ ଭାଷାଭାଷୀ ଭୂଖଣ୍ଡ ଏପରି ଚାରିଭାଗ ହୋଇଯାଇଥିଲା ? ‘ଓଡ଼ିଶା ପ୍ରଦେଶ ସୃଷ୍ଟିରେ ଗଣମାଧ୍ୟମ’ ବହିରେ ମୁଁ ଏହାର କାରଣ ଦର୍ଶାଇଛି । ଏହି କାରଣ ଥିଲା: ଭାରତକୁ ଦଖଲ କରିଥିବା ବ୍ରିଟିଶ ଅନୁପ୍ରବେଶକାରୀମାନଙ୍କ ମନରେ ଓଡ଼ିଆ ଲୋକଙ୍କ ମିଜାଜ ପ୍ରତି ଥିବା ଭୟଙ୍କର ଭୟ ।
ସେମାନେ କୂଟକୌଶଳ ଦ୍ଵାରା ଆମ ମାଟିରେ ଦଖଲଦାରୀ ଜାରି କଲାବେଳେ ଯେଉଁ ଭୟଙ୍କର ପ୍ରତିଘାତର ସମ୍ମୁଖୀନ ହେଲେ, ତାହାକୁ ଏକ ପ୍ରାଣାନ୍ତକ ଝଡ଼ ବୋଲି ବର୍ଣ୍ଣନା କରିଥିଲେ ସେମାନଙ୍କ ପ୍ରତ୍ୟକ୍ଷଦର୍ଶୀ ବିବରଣୀଲେଖକ ଜି. ଟୟନବୀ (“It was not long, however, before we had to encounter a storm which burst with so sudden fury as to threaten our expulsion, if not from the whole of Orissa, at least from the territory of Khurda.” – A sketch of the history of Orissa, G.Toynbee) । ଓଡ଼ିଶା ମାଟି ଏତେ ବୀରତ୍ୱବ୍ୟଞ୍ଜକ ଓ ଓଡ଼ିଆ ଲୋକଙ୍କ ମିଜାଜ ଏତେ କଡ଼ା ଯେ, ମିଲିଟାରୀ ବା ପୋଲିସ ବଳରେ ତାଙ୍କୁ ଆୟତ୍ତ କରି ହେବନି ଓ ବ୍ରିଟିଶ ବିରୁଦ୍ଧରେ ସେମାନଙ୍କ ସଂଘର୍ଷ ସବୁବେଳେ ଲାଗିରହିବ ବୋଲି ବିଚାରପତି ଡବ୍ଲ୍ୟୁ. ଫରେଷ୍ଟର ରିପୋର୍ଟ କରିଥିଲେ (“…..it is to be feared that, the nature of the country and the disposition of the inhabitants will always present formidable obstacles to the suppression of these disturbances either by military or police.” (Para 18 of W. Forrester’s Report to Commissioner Robert Ker, dt. 9.9.1818) । ଏହା ବ୍ରିଟିଶ ମନସ୍ତତ୍ତ୍ଵକୁ ଏପରି ଭୟାଛନ୍ନ କରି ରଖିଥିଲା ଯେ, କଳେ ବଳେ କୌଶଳେ ଓଡ଼ିଶା ଦଖଲ କଲା ପରେ, ଓଡ଼ିଆ ଜାତିର ଐକ୍ୟ ଉଜାଡ଼ି ଦେବାକୁ ଓଡ଼ିଆ ଭାଷାଭାଷୀ ଭୂଖଣ୍ଡକୁ ଭାଗଭାଗ କରିଦେଲେ କେବଳ ନୁହେଁ, ସେହି ବିଖଣ୍ଡିତ ଭାଗଗୁଡ଼ିକୁ ପଡ଼ୋଶୀ ପ୍ରଦେଶମାନଙ୍କରେ ମିଶାଇ ସେମାନଙ୍କ ଭାଷାର ଆଧିପତ୍ୟ ତଳେ ସଂଖ୍ୟାଲଘୁ ହୋଇପଡ଼ିଥିବା ଓଡ଼ିଆଙ୍କୁ ତଳିତଳାନ୍ତ କରିଦେଲେ । (କ୍ରମଶଃ)

ଭାଷା ଆନ୍ଦୋଳନର ନୂଆ ଲହର : ଧର୍ମଶାଳାରୁ ସର୍ପେଶ୍ଵର

ଭାଷା ଆନ୍ଦୋଳନର ନୂଆ ରଣନୀତି ଅନୁସାରେ କଳାପତାକା ଅଭିଯାନ ଗାଁରୁ ଗାଁକୁ ଅଗ୍ରଗତି କରିବ । ଆମ ମାତୃଭାଷାକୁ ମାରିଦେବାଲୁ ରାଜ୍ୟ ସରକାର ଷଡ଼ଯନ୍ତ୍ର ଚଳାଇଛନ୍ତି । ଆମେ ତାହା ହେବାକୁ ଦେବା ନାହିଁ । ଆମ ମାଟିରେ ଯେଉଁ ଦିନ ଆମେ ଭୂମିଷ୍ଠ ହେଲେ ସେହି ଦିନ ସେହି ମୁହୂର୍ତ୍ତରେ ଆମକୁ କୋଳେଇ ନେଇଥିଲା ଆମ ଭାଷା ମାଆ । ତେଣୁ ଆମ ଜନ୍ମ ମାଟିରେ ଆମ ଭାଷା ମା ପାଇଁ ଆମେ ଠିଆ ହେବା ।

ଭାଇ ସୌଭାଗ୍ୟ ରାଉତଙ୍କ ମତରେ, ଶାସନର ଭାଷା ହୋଇ ନରହିବାରୁ ବିଶାଳ ସାହିତ୍ୟ ସତ୍ତ୍ୱେ ସଂସ୍କୃତ ଭାଷା ମରିଗଲା । ଶାସନର ଭାଷା ନ ହେଲେ, ବିଶାଳ ସାହିତ୍ୟ ସତ୍ତ୍ୱେ ଓଡ଼ିଶାରେ ଓଡ଼ିଆ ଭାଷା ମରିଯିବ । ତେଣୁ ସରକାରୀ ଭାଷା ଭାବେ ଓଡ଼ିଆ ଅଲଙ୍ଘ୍ୟ ହେବା ଆବଶ୍ୟକ ।

 

ଏହି ଲକ୍ଷ୍ୟ ନେଇ ଜାନୁଆରୀ ୮ ତାରିଖ ସକାଳେ ଧର୍ମଶାଲା ନିର୍ବାଚନ ମଣ୍ଡଳୀର ଜରକା ଠାରେ କଳାପତାକା ତୋଳିଥିଲେ ଭାଷାପ୍ରାଣ ଭାଇ ହରିହର ମଲ୍ଲିକ ଓ ଭାଇ ସତ୍ୟ ସୁନ୍ଦର ରାଉତ । ବୁଲୁ ଭାଇ ସେମାନଙ୍କୁ ସାହାଯ୍ୟ କରିଥିଲେ ।

ଅପରାହ୍ନରେ ଆଠଗଡ଼ର ଧୁରୁକୁଡିଆ ଠାରେ କଳା ପତାକା ତୋଳିଥିଲେ ଭାଇ ନିର୍ମଳ କୁମାର, ପ୍ରତାପ ପତ୍ରୀ ଓ ଅରୂପନନ୍ଦ ମଲ୍ଲିକ ।

 

ଏବଂ ଉତ୍ତର ଅପରାହ୍ନରେ ଆଠଗଡ଼ର ଅନ୍ଯତମ ଗୁରୁତ୍ବପୂର୍ଣ ସ୍ନାୟୁକେନ୍ଦ୍ର ସର୍ପେଶ୍ଵର କ୍ଷେତ୍ରରେ ଭାଷା ଜନନୀଙ୍କ ବିଜୟଯାତ୍ରାକୁ ଆଗେଇନେଇଥିଲେ ବିଶିଷ୍ଟ ସମାଜସେବୀ ଶିବ ପଟ୍ଟନାୟକ, ଯେ କି ସ୍ଵେଚ୍ଛାସେବୀ ସଂଗଠନ ଏଇ ତ ଜୀବନ ପ୍ରତିଷ୍ଠା କରି ମଣିଷ ଓ ପଶୁସମ୍ପଦର ମଙ୍ଗଲ ପାଇଁ ନିଜକୁ ଉତ୍ସର୍ଗ କରିଛନ୍ତି ।

 

ଚିତ୍ରେ ସମ୍ବାଦ: ଭାଷା ଆନ୍ଦୋଳନ, ପୁରୀ

ଓଡ଼ିଆରେ ଓଡ଼ିଶାର ସରକାରୀ କାମ ପାଇଁ ଓଡ଼ିଶା ସରକାରୀ ଭାଷା ଆଇନ,୧୯୫୪କୁ ଅକ୍ଷୁର୍ଣ୍ଣ ରଖି ତାର ଉଲ୍ଲଙ୍ଘନ ବିରୁଦ୍ଧରେ କଠିନ ଦଣ୍ଡବିଧାନ ସକାଶେ ଆଇନ ପ୍ରଣୟନ ହେବା ଦାବିରେ ଭାଷା ଆନ୍ଦୋଳନ, ଓଡିଶା ଗତ ୧୩. ୪. ୨୦୧୬ ତାରିଖରୁ ଭୁବନେଶ୍ୱରରେ ଶାନ୍ତିପୂର୍ଣ କଳାପତାକା ପଦଯାତ୍ରା ଚଳାଇଛି ଓ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଏକା ଶୃଙ୍ଖଳାରେ ମଧ୍ୟ ଏହିପରି ସାମୟିକ ପଦଯାତ୍ରା ହେଉଛି । ଏହିକ୍ରମରେ ଆଜି ଦିବା ୧୧ଟାରେ ଶ୍ରୀମନ୍ଦିରର ସିଂହଦ୍ଵାର ସମ୍ମୁଖରୁ ଶ୍ରୀଜଗନ୍ନାଥଙ୍କ ଷୋଳକଳାର ପ୍ରତୀକ ଭାବେ ୧୬ଟି କଳାପତାକା ଓ ଦାବିଫଳକ ସହ ଭାଷାପ୍ରେମୀମାନଙ୍କର ଶାନ୍ତିପୂର୍ଣ୍ଣ ନିରବ ପଦଯାତ୍ରା ବାହାରି ପୁରୀ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ ତରଫରୁ ପ୍ରଧାନ ଅତିରିକ୍ତ ଜିଲ୍ଲାପାଳ ଏହା ଗ୍ରହଣ କରିଛନ୍ତି । ଭାଷା ଆନ୍ଦୋଳନର ଛତ୍ରପୁର ମୁଖ୍ୟ ସୌମ୍ୟ ନାୟକ ସାମାଜିକ ଗଣମାଧ୍ୟମ ଫେସ ବୁକ ଜରିଆରେ ଏହାର ସିଧା ପ୍ରସାରଣ କରିଥିବା ବେଳେ ଆମ ଫଟୋଗ୍ରାଫର ଆଶିଷ ଆଶିଷ କୁମାର ଉଠାଇଥିବା ଫଟୋଚିତ୍ରରୁ କେତେକ ନିମ୍ନରେ ଦିଆଗଲା :

କଳା ପତାକା ଧରିବା ଆମେ, ଧରିବା ଆମେ, ଧରିବା ଆମେ

ଭାଷା ତପସ୍ବୀ ଗଜାନନ ମିଶ୍ରଙ୍କ ଏହି କବିତା ସବୁ ଓଡ଼ିଆଙ୍କର ହୃଦୟରେ ସ୍ଥାନିତ ହେଉ ।


ମରିବା ପଛେ ଛାଡିବା ନାହିଁ,
ଗାଲୁ କଥାକୁ ବିଶ୍ୱାସ ନାହିଁ।
ଭାଷା ଆମର ଜୀବନ ଏଠି,
ଭାଷା ପାଇଁକି ଆମେ ଏକାଠି।
ମାଆର କଥା ମାଆର ଭାଷା,
ଛାଡିଲେ ହେବା ଲୋଓକ ହସା।
ମରିବା ପଛେ ଛାଡିବା ନାହିଁ,
ସରକାରଠି ଭରସା ନାହିଁ।

ଭରସା ନାଇଁ ଭରସା ନାଇଁ,
ଗୁଲାମ ବିବି ଖେଳିବା ନାଇଁ।
ଗାଳିଗୁଲଜ କରିବା ନାଇଁ,
ଭାଷାକୁ କିନ୍ତୁ ଛାଡିବା ନାଇଁ।
ଭାଷାରେ ଆମର ପରିଚୟ,
ଭାଷା ନ ହେଲେ ଆମେ ଅଥୟ।
ଆମରି ଭାଷା ଆମକୁ ଦିଅ,
ନ ହେଲେ ରାଜ୍ଯ ଛାଡିକି ଯାଅ।

ଭାଷାରେ ଆମର ଅଧିକାର,
ଭାଷା ନ ହେଲେ ସବୁ ଅନ୍ଧାର।
ମାଆର ମାଟି ମାଆର ଭାଷା
ପୂରିବ ଆଶା ଖଣ୍ଡ ଖିରିସା।
ଛାଡିବା ନାହିଁ ଛାଡିବା ନାହିଁ
କାହାରି ଫାଶେ ପଡିବା ନାହିଁ।
ପଡିବା ନାହିଁ ପଡିବା ନାହିଁ,
ଚାତୁରୀ କଥା ଶୁଣିବା ନାହିଁ।

କଳା ପତାକା ଧରିବା ଆମେ,
ଧରିବା ଆମେ, ଧରିବା ଆମେ।
ଏକ ସ୍ୱରରେ କହିବା ଆସ,
ଏକାଠି ଛାଡି ଖର ନିଶ୍ୱାସ।
ଛାଡ ଗାଦି, ସରକାର ତୁମେ,
ବେଇମାନ, ସରକାର ତୁମେ।
ଭାଷାରେ ଦେଖ ଆମର ପ୍ରାଣ,
ଆମର ମନ ଆମର ଦିନ।

ଭାଷା ନାଇଁ ତ ତୁମେ କିଏ ହୋ?
ରହ ରହ ଭୋଟ ପାଇବ ଢୋ।
ଭାଷା ନାଇ ତ କିଛି ଇ ନାଇଁ,
ଶବ ଉପରେ ନାଚୁଛ କାଇଁ!
ଅଛି ଜୀବନ ଅଛି ଜୀବନ,
ବଇଦ ହୋଇ ନେଉଛ ଧନ।
ଠକ ସର୍ଦାର ମଠ ମହନ୍ତ
ଗଲାଣି ସବୁ ଲାଜ ମହତ।

ଭାଷାରେ ଭାଷା ଆମରି ଭାଷା,
ଆମରି ମାଟି ଆମରି ଆଶା।
ଆମରି ଭାଷା ଆମରି ମାଟି
ଏଥିପାଇଁ ଏ ମଣିଷ ଜାତି।
ନିଜର ଭାଷା ନିଜର ଇଷ୍ଟ,
ଇଷ୍ଟ ନ ଥିଲେ ସବୁ ଇ କଷ୍ଟ।
ମରିବୁ ପଛେ ଛାଡିବୁ ନାଇଁ,
ଭାଷାକୁ ଛାଡି ଜିଇଁବୁ ନାଇଁ।