ମୋଦି, ନବୀନ ରାଜନୀତି ଖେଳରେ ; ଓଡ଼ିଆ ଜାତି କାରୋନା କବଳରେ

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଲୌହ ପରଦା ଉହାଡ଼ରେ ଥିବା ମୁଖ୍ୟମନ୍ତ୍ରୀ ମହାମାରୀ କାରୋନା ବିଷୟରେ ଆମକୁ ଏକ ଭିଡ଼ିଓ  ବାର୍ତ୍ତାରେ ଏବେ ଆପାତତଃ ଏହା ହିଁ କହିଲେ ଯେ, ସରକାର ଜାରି କରିଥିବା ନିୟମ ପାଳନ କରନ୍ତୁ, ନିରାପଦରେ ରହନ୍ତୁ । ସରକାରୀ ନିୟମ ଇଂରାଜୀରେ। ମୁଖ୍ୟତଃ ଯେଉଁମାନଙ୍କ ଉଦ୍ଦେଶ୍ୟରେ ଏହି ବାର୍ତ୍ତା, ସେମାନେ ଇଂରାଜୀ ଜାଣନ୍ତି ନାହିଁ । ଏ ପ୍ରହସନ ବିରୁଦ୍ଧରେ ଆମେ ଆଗରୁ ଆଲୋଚନା କରିଛୁ । ସରକାର ସୁଧୁରିନାହାନ୍ତି । ସେ ଆଉ ଏକ ମାରାତ୍ମକ କଥା କହିଲେ । ପଶ୍ଚିମ ବଙ୍ଗ ସମେତ ବାହାର ରାଜ୍ୟରୁ ଆସୁଥିବା ଓଡ଼ିଆମାନଙ୍କ ହେତୁ ଓଡ଼ିଶା ପ୍ରତି କରୋନା ଆଶଙ୍କା ଅଧିକ । ଯେତେବେଳେ ଆମ ଲୋକେ ସଂପୂର୍ଣ୍ଣ ସୁସ୍ଥ ଥିଲେ ସେମାନଙ୍କୁ ଘରକୁ ଫେରିବାକୁ ନ ଦେଇ ଅସୁସ୍ଥ କରାଇଲା କିଏ? ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ ସିନା ଆମେ ତାଙ୍କୁ ପଚାରିଥାନ୍ତୁ । ସେ ତ ଭିଡ଼ିଓ ମାଧ୍ୟମରେ ଲୌହ ପରଦା ଆରପଟୁ ଏ କଥା କହିଲେ, ଆମ କଥା କହିବାକୁ ତ ସେ ଆମକୁ ସୁଯୋଗ ଦେଲେନାହିଁ । ଆଲୋଚନା କରିଥିଲେ ଆମେ ତାଙ୍କୁ କହିଥାନ୍ତୁ କି, ଘର ଫେରନ୍ତା ଓଡ଼ିଆମାନେ ନୁହନ୍ତି, ଅଣଓଡିଆ ଅଧ୍ୟୁଷିତ ଅମଲାମାନଙ୍କ ପାଲରେ ପଡ଼ି ସେ ହିଁ ଆମ ଜାତିକୁ କରୋନା କବଳରେ ପକାଇଛନ୍ତି ଓ ଯେଉଁ ଯାଏଁ ତାଙ୍କ ଇଂରାଜୀ ପ୍ରୀତି ନ ସରିଛି  ସେଯାଏଁ ଏ ବିପତ୍ତି କବଳରେ ଆମେ ଅଧିକରୁ ଅଧିକ ସଂଖ୍ୟାରେ  ପଡ଼ିବା ସୁନିଶ୍ଚିତ ।

କରୋନା ସମ୍ପର୍କରେ ନବୀନବାବୁ ହିଁ ଆମକୁ ଅନ୍ଧକାରରେ ରଖିଛନ୍ତି । କାରଣ, ବାରମ୍ବାର କହିବା ସତ୍ତ୍ୱେ ଏହି ଭୂତାଣୁ ସମ୍ପର୍କୀୟ କୌଣସି ତଥ୍ୟ ଆମକୁ ଆମ ଭାଷା ଓଡ଼ିଆରେ ଦିଆଯାଇନାହିଁ / ଦିଆଯାଉନାହିଁ । ଆମ୍ଭେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛୁ ଅଧ୍ୟାଦେଶ ବଳରେ ସବୁ ପ୍ରଦେଶକୁ ବାଧ୍ୟ କରିବା ପାଇଁ ପ୍ରାଦେଶିକ ଭାଷାରେ କରୋନା ସମ୍ପର୍କୀୟ ସବୁ ତଥ୍ୟ ପ୍ରକାଶ କରିବାକୁ । ସେ ଭ୍ରୂକ୍ଷେପ କରିନାହାନ୍ତି । ଲୋକଙ୍କ ବିପତ୍ତି ଅପସାରଣ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଗୁରୁତ୍ୱପୂର୍ଣ୍ଣ ହେଉଛି ରାଜନୀତି । ଲୋକଙ୍କ ବିପତ୍ତିକୁ ରାଜନୀତି ଆଧାର ନ କରିବାକୁ ଆମ୍ଭେ ପ୍ରଥମରୁ କହିଥିଲୁ (Corona quagmire//No politics please) । ଏହି ଭୁତାଣୁର ଚିକିତ୍ସା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ସହ ଏହା ଦାୟିତ୍ଵରେ ରହୁଥିବା ଡାକ୍ତର ଓ ନର୍ସ ଇତ୍ୟାଦିଙ୍କୁ ଅଧିକ ବେତନ ସହ ସ୍ଵତନ୍ତ୍ର ବର୍ଗଭୁକ୍ତ କରିବା ପାଇଁ ଆମ୍ଭର ଯୁକ୍ତି ଅବଶ୍ୟ ଏକପ୍ରକାର କାର୍ଯ୍ୟକାରୀ ହୋଇଛି ବୋଲି କୁହାଯାଇପାରେ ; ମାତ୍ର ବାହାର ରାଜ୍ୟରୁ ନିଜ ଘରକୁ ସବୁ ଲୋକ ଫେରିଯିବା ପର୍ଯ୍ୟନ୍ତ ପଥଋଦ୍ଧିକରଣ ବନ୍ଦ ରଖିବା ପାଇଁ ଆମ୍ଭେ ରଖିଥିବା ନିବେଦନକୁ ଅବଜ୍ଞା ପ୍ରଦର୍ଶନ କରି ମୋଦି ଏହି ବିପତ୍ତିର ରାଜନୈତିକ ଫାଇଦା ପାଇଁ ଚେଷ୍ଟା କରିଥିଲେ । ଅବସ୍ଥା ଯେତେବେଳେ ଅଣାୟତ ହେବାକୁ ଯାଉଛି ବୋଲି ଆମ୍ଭେ ସ୍ପଷ୍ଟ ଅନ୍ଦାଜ କରିପାରିଲୁ, ସେତେବେଳେ ମୋଦିଙ୍କୁ ଅନୁରୋଧ କରିଥିଲୁ କି, ଅନ୍ୟୁନ୍ୟ ସପ୍ତାହକ ପାଇଁ ପଥଋଦ୍ଧିକରଣ ବନ୍ଦ ରଖି ବାହାର ରାଜ୍ୟମାନଙ୍କରେ ଅଟକି ରହିଥିବା ବ୍ୟକ୍ତିମାନଙ୍କୁ ସେମାନଙ୍କ ନିଜ ନିଜ ଘରେ ପହଞ୍ଚିବାର ସୁଯୋଗ ଦିଆଯାଉ ଓ ସମତାଳରେ ସେମାନଙ୍କ ଭାଷାରେ ଏହି ମହାମାରୀ ସମ୍ପର୍କୀୟ ସମସ୍ତ ସରକାରୀ ଜ୍ଞାତବ୍ୟ ଆଚରଣବିଧି, ଆଇନ କାନୁନ , ନିୟମ ବିନିୟମ ଇତ୍ୟାଦି ଦିଆଯାଇ ସେମାନଙ୍କୁ ସେମାନଙ୍କ ଦୟିତ୍ଵ ତୁଲାଇବା ପାଇଁ ପ୍ରସ୍ତୁତ କରାଯାଉ । (Suspend lockdown for a week: Stop making India a Lab of Death) । ତହିଁପ୍ରତି ତତ୍କାଳ ଦୃଷ୍ଟି ନଦେଇ, ଅଯଥା ବିଳମ୍ବ କରି ଭାରତକୁ ଏକ ମରଣଯନ୍ତାରେ ପରିଣତ କରାହୋଇଛି । ଘଟଣାପ୍ରବାହ ପ୍ରତି ଦୃଷ୍ଟି ଦିଆଯାଉ :

ଜନନେତାମାନେ ହୋରିରେ ରଙ୍ଗ ଖେଳିବାକୁ ଏକ ସୁବର୍ଣ୍ଣ ସୁଯୋଗ ଭାବେ ଗ୍ରହଣ କରିଆସିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଦିନ ରଙ୍ଗ ନଖେଳିବାକୁ ଘୋଷଣା କରିଥିଲେ, ସେଦିନ ପୂର୍ବରୁ ସେମାନେ ଜାଣିଥିଲେ ଯେ, ମହାମାରୀ କରୋନା ମୁଖବ୍ୟାଦାନକରି ଝପଟି ଆସୁଛି ଅମଆଡ଼େ, ସେହି ଦିନ ହିଁ ସେମାନେ ଜାଣିଥିଲେ ଏହି ପ୍ରାଣଘାତୀ ଭୂତାଣୁଠାରୁ ନିରାପଦ ରହିବାକୁ ହେଲେ ସଙ୍ଗରୋଧ ବା ସାମାଜିକ ଦୂରତା ଏକମାତ୍ର ପାଳନୀୟ ଉପାୟ । ସେହି ଦିନ ସେମାନେ ବାହାରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ଓ ରୋଜଗାରଲିପ୍ତ ଶ୍ରମଜୀବୀ ମଣିଷମାନଙ୍କୁ ତୁରନ୍ତ ନିଜ ନିଜ ରାଜ୍ୟକୁ ଫେରିଯିବାପାଇଁ ସରକାରୀ ନିର୍ଦ୍ଦେଶ ଦେବା ଆବଶ୍ୟକ ଥିଲା । ସେହିଦିନ ଆବଶ୍ୟକ ଥିଲା ଇଂରାଜୀରେ ଲିଖିତ ଥିବା ଓ ବହୁ ଦଶନ୍ଧି ଧରି ବ୍ୟବହୃତ ହୋଇନଥିବା ସଂକ୍ରାମକ ରୋଗ ଆଇନ, ୧୮୯୭ (Epidemic Diseases Act, 1897) ପ୍ରାନ୍ତୀୟ ଭାଷାମାନଙ୍କରେ ଅନୁବାଦ କରି ସରକାରୀ ୱେବସାଇଟ୍ ମାଧ୍ୟମରେ ସବୁ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ହାଜତି-ଆଦେଶ (lockdown) ଜାରି ହେବାକୁ ଦିନ ଧାର୍ଯ୍ୟ କରି ତା ପୂର୍ବରୁ ସମସ୍ତେ ନିଜ ନିଜ ଘରକୁ ଫେରିଯିବାକୁ ନିର୍ଦ୍ଦେଶ ଦେବା । ସେମାନେ ତାହା କଲେନାହିଁ । ଯଦି କରିଥାନ୍ତେ, ମାର୍ଚ୍ଚ ୨୨ରେ ଜନତା କର୍ଫ୍ୟୁ ଜାରିକରିବାର ଆବଶ୍ୟକତା ପଡ଼ିନଥାନ୍ତା, କାରଣ ନିଜ ନିଜ ଭାଷାରେ ଏହି ମହାମାରୀ ସମ୍ପର୍କରେ ସବୁକଥା ଅବଗତ ହୋଇ ଲୋକେ ନିଜ ନିଜ ଘରକୁ ଚାଲିଆସିଥାନ୍ତେ ଓ ସୁସ୍ଥ ହୋଇ ରହିବାର ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିପାରିଥାନ୍ତେ । ମୋଦି ତାହା କଲେ ନାହିଁ, କାରଣ ତାଳି, ଥାଳି, ଘଣ୍ଟ, ଘଣ୍ଟି ବଜେଇ କରୋନା ହଟାଇବା ପରି ହିନ୍ଦୁ ଧର୍ମାନ୍ଧ ପଦ୍ଧତିକୁ ଘରେ ଘରେ ପହଞ୍ଚାଇବା ତାଙ୍କ ଅଭିସନ୍ଧି ଥିଲା । ତାଙ୍କ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମୋଦିଙ୍କ  ସାମାଜିକ ଦୂରତା ଶିଖାଇବା ପାଇଁ ଜାରି କରିଥିବା ଜନତାକର୍ଫ୍ୟୁର ଯେଉଁ ପ୍ରହସନ କରାଇଲେ ତାହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ନଥିଲା, ତାହା ନୁହେଁ । ମୋଦୀ ଓ ତାଙ୍କ ମନ୍ତ୍ରୀମାନେ କିପରି ବେବୈଜ୍ଞାନିକ ଶୈଳୀରେ ଲୋକଙ୍କୁ ସଞ୍ଚାଳିତ କରିଥିଲେ ତାହା ପ୍ରାୟ ସବୁ ଟିଭି ଚ୍ୟାନେଲ୍ ମୁଖ୍ୟସମ୍ବାଦ ପର୍ଯ୍ୟାୟରେ ପରିବେଷଣ କରିଥିଲେ । ତହିଁରୁ ଗୋଟିଏ

ଜନତା କର୍ଫ୍ୟୁକୁ ତାଳି-ଥାଳି-ଘଣ୍ଟ ବାଡ଼ିଆ ସମାବେଶ ଦ୍ଵାରା ପ୍ରହସନରେ ପରିଣତ କରାଯିବା ବିରୁଦ୍ଧରେ ପ୍ରଧାନମନ୍ତ୍ରୀ ମୋଦି ପାଟି ନଫିଟାଇ,  ଏପ୍ରିଲ ୫ ତାରିଖ ରାତି ୯ଟାରେ ୯ ମିନିଟ ପାଇଁ ଦୀପ ଜଳାଇବା ନାଟକ କରି ଲୋକଙ୍କୁ ବିପତ୍ତି କବଳକୁ ଠେଲି ଦେଇ ନିଜର ରାଜନୈତିକ ଫାଇଦା ପଛରେ ଗୋଡ଼ାଇଥିଲେ । ସେଦିନ ହାଇଦ୍ରାବାଦର ବିଜେପି ବିଧାୟକ ସଡକ ଉପରେ ଦିହୁଡ଼ି ଜାଳି ଯେପରି କରୋନା ଭୂତାଣୁକୁ “ଚାଇନା ଭୂତାଣୁ” କହି ତଡୁଥିଲେ ତାହା ସେପରି ଅଗଣନ ଘଟଣାରୁ ଗୋଟିଏ

ତାଳି-ଥାଳି ମାଡ଼ ଓ ବିଜୁଳି ଲିଭାଇ ଦୀପ ପ୍ରଜ୍ଵଳନ ବଡ଼ ଚତୁର ପରୀକ୍ଷଣ ଥିଲା ଲୋକଙ୍କ ବୋକାମିର ଏବଂ ସେ କେତେଦୂର ସାଧାରଣ ଲୋକଙ୍କୁ ବିଭ୍ରାନ୍ତ କରିପାରୁଛନ୍ତି ତାହା ଜାଣିବାର । ଜାଣିଗଲା ବାସିଦିନ, ଏପ୍ରିଲ ୬ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତି ଭୋଟକେନ୍ଦ୍ର (ବୁଥ)ରେ ଦଳୀୟ କର୍ମୀ ଓ ନେତାମାନେ ପହଞ୍ଚି କରୋନା ବିଭୀଷିକା କାଳରେ ତାଙ୍କ ସରକାର କିପରି ଲୋକଙ୍କୁ ପ୍ରଭୂତ ସରକାରୀ ସାହାଯ୍ୟ ଦେଉଛି ସେ ସମ୍ପର୍କରେ ପ୍ରଚାର କରିବା ପାଇଁ ଆହ୍ଵାନ ଦେବା ମହାମାରୀରୁ ମହା ରାଜନୈତିକ ଲାଭ ଉଠାଇବା ଅଭିସନ୍ଧିପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରେ । ବିଜେପି ସମତାଳରେ ବିଜେଡି ମଧ୍ୟ କରୋନାଜନିତ ବିପତ୍ତିର ଦଳୀୟ ଉପଯୋଗ କରିବାକୁ ଚେଷ୍ଟା ଚଳାଇଛି । ଅତଏବ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ଏ ମହା ବିପତ୍ତି କାଳରେ ନିଜ ନିଜ ରାଜନୈତିକ ଜମି କିପରି ଭଲ ଫସଲ ଦେବ ସେଥିନେଇ ବ୍ୟସ୍ତ । ଲୋକେ ଯେତେ ଅସୁବିଧାରେ ପଡ଼ିବେ, ସେମାନଙ୍କୁ ଦିଆଯାଉଥିବା ସରକାରୀ ସାହାଯ୍ୟକୁ ସେମାନଙ୍କ ପାଇଁ ନିଜ ନିଜ ଦଳୀୟ ଅନୁକମ୍ପା ଦର୍ଶାଇ ରାଜନୈତିକ ଫାଇଦା ଉଠାଇବାକୁ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବ୍ୟଗ୍ର ଥିବାବେଳେ, ଆମ ଓଡ଼ିଆ ଲୋକେ ଓଡ଼ିଆତ୍ଵବିରୋଧୀ ଅପଶାସନ ହେତୁ କରୋନା କବଳରେ ଭୀଷଣ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଅଛି ।
ପ୍ରାଣୀ ମଲେ ଶାଗୁଣାର ଯେମିତି ମଉଜକାଳ ଆରମ୍ଭ ହୁଏ ସେମିତି କରୋନା ବିପତ୍ତି ସତେ ଅବା ମୋଦି, ନବୀନଙ୍କ ପାଇଁ କଚେପୁଅବାର୍ !