ଭାଷା ଆନ୍ଦୋଳନ: ସୌମ୍ୟ ନାୟକଙ୍କ ସିଧା ପ୍ରସାରଣ ଏବେ ୟୁ ଟ୍ୟୁବରେ

ସାମ୍ବାଦିକତାର ଉଦୀୟମାନ ପ୍ରତିଭା ଶ୍ରୀ ସୌମ୍ୟରଂଜନ ନାୟକ ସୋମବାର ସ୍ଵୟଂ ଶ୍ରୀକ୍ଷେତ୍ର ପୁରୀରେ ଭାଷା ଆନ୍ଦୋଳନର ଯେଉଁ କଳାପତାକା ଅଭିଯାନକୁ ସାମାଜିକ ଗଣମାଧ୍ୟମ ଫେସ ବୁକ ମାଧ୍ୟମରେ ସିଧା ପ୍ରସାରିତ କରିଥିଲେ, ତାହା ଏବେ oissamatters.com ‘ୟୁ ଟ୍ୟୁବ’ରେ ସ୍ଥାପିତ କରିଛି ।

ଆନ୍ଦୋଳନ ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ସମେତ ଏହାର ସଭାପତିମଣ୍ଡଲୀର ତିନିଜଣ ସଦସ୍ୟ , ଯଥା ଶ୍ରୀ କମଳଲୋଚନ ନାୟକ,ଶ୍ରୀ ଗିରିଜାକାନ୍ତ ମିଶ୍ର,ଶ୍ରୀ ସୁଭାଷ ଚନ୍ଦ୍ର ପ୍ରଧାନ ଏବଂ ଅବିଭକ୍ତ ପୁରୀ ଜିଲ୍ଲାର ସଂଯୋଜକ ଶ୍ରୀ ବିବୁଧେନ୍ଦ୍ର ବିଦ୍ୟାଧର ଓ ଅଗ୍ରଣୀ ନେତା ଶ୍ରୀ ମୃତ୍ୟୁଞ୍ଜୟ ତ୍ରିପାଠୀ ଏହି ସିଧା ପ୍ରସାରଣରେ ଶ୍ରୀ ନାୟକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଭାଷା ଆନ୍ଦୋଳନର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।

ସାରା ଭାରତରେ ପ୍ରଥମେ ମାତୃଭାଷାକୁ ସରକାରୀ ଭାଷା ଭାବେ ବ୍ୟବହାର କରିବାକୁ ଆଇନ ପ୍ରଣୟନ ପାଇଁ ଉଦ୍ୟମ ହୋଇ ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ପୁଣ୍ୟଶ୍ଳୋକ ନବକୃଷ୍ଣ ଚୌଧୁରୀ ପ୍ରଥମ ନିର୍ବାଚିତ ବିଧାନସଭାରେ ଓଡିଶା ସରକାରୀ ଭାଷା ଆଇନ ପାରିତ ଓ ପ୍ରବର୍ତ୍ତିତ କରିଥିଲେ । ତାକୁ ଅକ୍ଷୁର୍ଣ୍ଣ ରଖି ତହିଁର ଉଲ୍ଲଙ୍ଘନ ବିରୁଦ୍ଧରେ ଦଣ୍ଡବିଧାନ ବ୍ୟବସ୍ଥା ପାଇଁ ଆଇନ ସଂଶୋଧନ କରିବାକୁ ପ୍ରାୟ ତିନି ବର୍ଷ ଧରି ଭାଷା ଆନ୍ଦୋଳନ ଚାଲିଥିବା ବେଳେ ବର୍ତ୍ତମାନର ଓଡ଼ିଆଵିଦ୍ଵେଷୀ ସରକାର ସଂଶୋଧନ ଅଳରେ ସେହି ଆଇନଟିକୁ ଅତି ବେଆଇନ ଶୈଳୀରେ ଖର୍ବ କରିଛନ୍ତି ଓ ତାର ପ୍ରତିକାର ପାଇଁ ଜଣେ ବିରୋଧୀ ଦଳ ସଭ୍ୟ. ସିପିଆଇ (ଏମ)ର ଶ୍ରୀ ଲକ୍ଷ୍ମଣ ମୁଣ୍ଡା ଏକ ଘରୋଇ ବିଧେୟକ ଆଣିବାକୁ ଚିଠା ସହ ନୋଟିସ ଦେବା ପରେ ମୁଖ୍ୟମନ୍ତ୍ରୀଙ୍କ ଚାପରେ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି । ଏହି ଦୃଶ୍ୟପଟର ଅନ୍ତ ପାଇଁ ଭାଷା ଆନ୍ଦୋଳନର ପୁରୀ (ଅବିଭକ୍ତ ଜିଲ୍ଲା) ଶାଖା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ଯେଉଁ ସ୍ମାରକପତ୍ର ଦେଇଛନ୍ତି ତାର ବିବରଣୀ ଏହି ୱେବ ସାଇଟରେ ସେହି ଦିନ ହିଁ ପ୍ରକାଶ ପାଇଛି ।

ଏବେ ଶ୍ରୀ ନାୟକଙ୍କ ସିଧା ପ୍ରସାରଣର ୟୁ ଟ୍ୟୁବ ସଂକଳନ :

ସିଂହଦ୍ଵାରରେ କଳାପତାକା ଅଭିଯାନର ଅୟମାରମ୍ଭ ଦୃଶ୍ୟ –

ବିଶ୍ଵବିଖ୍ୟାତ ବଡ଼ଦାଣ୍ଡରେ କଳାପତାକା ଅଭିଯାନ ଆଗେଇଚାଲିଥିବାର ଦୃଶ୍ୟ –

ସରକାରଙ୍କ ଓଡ଼ିଆ ଭାଷାଵିଦ୍ଵେଷୀ ଆଚରଣ ବନ୍ଦ ନ ହେଲେ ଓଡ଼ିଶାର ପୁରପଲ୍ଲୀରେ କଳାପତାକା ଅଭିଯାନ
ଚାଲିବ ବୋଲି ଭାଷା ଆନ୍ଦୋଳନ ନେତୃତ୍ବ ଘୋଷଣା କରିଛି ।

ଚିତ୍ରେ ସମ୍ବାଦ: ଭାଷା ଆନ୍ଦୋଳନ, ପୁରୀ

ଓଡ଼ିଆରେ ଓଡ଼ିଶାର ସରକାରୀ କାମ ପାଇଁ ଓଡ଼ିଶା ସରକାରୀ ଭାଷା ଆଇନ,୧୯୫୪କୁ ଅକ୍ଷୁର୍ଣ୍ଣ ରଖି ତାର ଉଲ୍ଲଙ୍ଘନ ବିରୁଦ୍ଧରେ କଠିନ ଦଣ୍ଡବିଧାନ ସକାଶେ ଆଇନ ପ୍ରଣୟନ ହେବା ଦାବିରେ ଭାଷା ଆନ୍ଦୋଳନ, ଓଡିଶା ଗତ ୧୩. ୪. ୨୦୧୬ ତାରିଖରୁ ଭୁବନେଶ୍ୱରରେ ଶାନ୍ତିପୂର୍ଣ କଳାପତାକା ପଦଯାତ୍ରା ଚଳାଇଛି ଓ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଏକା ଶୃଙ୍ଖଳାରେ ମଧ୍ୟ ଏହିପରି ସାମୟିକ ପଦଯାତ୍ରା ହେଉଛି । ଏହିକ୍ରମରେ ଆଜି ଦିବା ୧୧ଟାରେ ଶ୍ରୀମନ୍ଦିରର ସିଂହଦ୍ଵାର ସମ୍ମୁଖରୁ ଶ୍ରୀଜଗନ୍ନାଥଙ୍କ ଷୋଳକଳାର ପ୍ରତୀକ ଭାବେ ୧୬ଟି କଳାପତାକା ଓ ଦାବିଫଳକ ସହ ଭାଷାପ୍ରେମୀମାନଙ୍କର ଶାନ୍ତିପୂର୍ଣ୍ଣ ନିରବ ପଦଯାତ୍ରା ବାହାରି ପୁରୀ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ ତରଫରୁ ପ୍ରଧାନ ଅତିରିକ୍ତ ଜିଲ୍ଲାପାଳ ଏହା ଗ୍ରହଣ କରିଛନ୍ତି । ଭାଷା ଆନ୍ଦୋଳନର ଛତ୍ରପୁର ମୁଖ୍ୟ ସୌମ୍ୟ ନାୟକ ସାମାଜିକ ଗଣମାଧ୍ୟମ ଫେସ ବୁକ ଜରିଆରେ ଏହାର ସିଧା ପ୍ରସାରଣ କରିଥିବା ବେଳେ ଆମ ଫଟୋଗ୍ରାଫର ଆଶିଷ ଆଶିଷ କୁମାର ଉଠାଇଥିବା ଫଟୋଚିତ୍ରରୁ କେତେକ ନିମ୍ନରେ ଦିଆଗଲା :

ସ୍ଵତନ୍ତ୍ର ବିଧାନସଭା ଡାକ ଓ ଭାଷା ଆଇନର ୪-କ ବିଲୋପନ ତଥା ସାନି ସଂଶୋଧନ କର : ଭାଷା ଆନ୍ଦୋଳନ

ସି.ପି.ଆଇ (ମାର୍କ୍ସବାଦୀ)ବିଧାୟକ ଲକ୍ଷ୍ମଣ ମୁଣ୍ଡା ଓଡିଶା ସରକାରୀ ଭାଷା ଆଇନ (ତୃତୀୟ ସଂଶୋଧନ) ବିଧେୟକ,୨୦୧୮ ଆଗତ କରିବାକୁ ଚିଠା ସହ ନୋଟିସ ଦେବାପରେ ଅତି ପ୍ରଚଣ୍ଡ ବେଗରେ ବିଧାନସଭା ବନ୍ଦ କରାଯାଇ ଯେପରି ଭାଷା ଆଇନର ନିର୍ଭୁଲ ସଂଶୋଧନ ପଥ ଅବରୁଦ୍ଧ କରାଯାଇଛି, ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ର ପଟ୍ଟନାୟକ ତାର ତୀବ୍ର ନିନ୍ଦାକରି, ବିଧାନସଭାର ଏକ ସ୍ବତନ୍ତ୍ର ଅଧିବେଶନ ଡକାଯାଇ ଶ୍ରୀ ମୁଣ୍ଡାଙ୍କ ବିଧେୟକ ଗ୍ରହଣ କରି ଭାଷା ଆଇନରୁ ଧାରା ୪-କର ବିଲୋପନ କରିବାକୁ ଓ ମୂଳ ଆଇନକୁ ଅକ୍ଷୁର୍ଣ ରଖି ତାର ଉଲ୍ଲଙ୍ଘନ ବିରୁଦ୍ଧରେ କଠିନ ଦଣ୍ଡ ବିଧାନ ବ୍ୟବସ୍ତା କରିବାକୁ ସରକାରଙ୍କୁ ଆହ୍ବାନ ଦେଇଛନ୍ତି ।

ଭାଷା ଆନ୍ଦୋଳନର ପୁରୀ ଜିଲ୍ଲା ଶାଖା ଅନୁକୁଲ୍ୟରେ ଆଜି ଅନୁଷ୍ଠିତ ଅଭୂତପୂର୍ବ କଳାପତାକା ଅଭିଯାନରେ ଅଂଶଗ୍ରହଣ କରି ଶ୍ରୀ ପଟ୍ଟନାୟକ ଏହି ଆହ୍ବାନ ଦେଇଛନ୍ତି ।

ଆନ୍ଦୋଳନର ସଭାପତି ମଣ୍ଡଳୀର ସଦସ୍ୟ ସର୍ବଶ୍ରୀ ସୁଭାଷ ଚନ୍ଦ୍ର ପ୍ରଧାନ, କମଳଲୋଚନା ନାୟକ ଓ ଗିରିଜକାନ୍ତ ମିଶ୍ର ତଥା ଜିଲ୍ଲା ଶାଖାର ନେତୃତ୍ବ ସର୍ବଶ୍ରୀ ମୃତ୍ୟୁଞ୍ଜୟ ତ୍ରିପାଠୀ,ଗୋବିନ୍ଦ ଚନ୍ଦ୍ର ମହାନ୍ତି,ନୀଳକଣ୍ଠ ବେହେରା, ବିବୁଧେନ୍ଦ୍ର ବିଦ୍ୟାଧର,ନରେନ୍ଦ୍ର ସାହୁ,ଶୁଭାଶିଷ ପଟ୍ଟନାୟକ,ସଞ୍ଜୟ କୁମାର ସାହୁ,ଜିତେନ୍ କୁମାର ରାଉତ,ଆଶିଷ କୁମାର ବେହେରା,ଶିଶିର କୁମାର ସାହୁ,ଆଶିଷ କୁମାର ସାହୁ,ରବିନାରାୟଣ ମିଶ୍ର,ପ୍ରବୀର ଦେଓ,କୁନିମଣି ଦେଓ,ଅଚ୍ୟୁତାନନ୍ଦ ପଟେଲ ପ୍ରମୁଖ କଳାପତାକା ଅଭିଯାନର ନେତୃତ୍ବ ନେଇ ଓଡ଼ିଆ ଭାଷା ବିରୁଦ୍ଧରେ ସରକାରୀ ଷଡଯନ୍ତ୍ର ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ଦେଇଛନ୍ତି । ଜିଲ୍ଲାପାଳଙ୍କ ପକ୍ଷରୁ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳ ଏହି ସ୍ମାରକପତ୍ର ଗ୍ରହଣ କରିଥିଲେ ।