Posts tagged Sambalpur

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ସମ୍ବଲପୁର ଅଂଚଳ – ଯାହାକୁ ସାଧାରଣତଃ ପଶ୍ଚିମ ଓଡ଼ିଶା କୁହାହେଉଛି – ଇଂରାଜୀ କବଳରେ ପଡ଼ି ମଧ୍ୟପ୍ରଦେଶ ଅନ୍ତର୍ଗତ ହୋଇଗଲା ଏବଂ ଓଡ଼ିଆ ପରିବର୍ତ୍ତେ ସେଠାରେ ୧୮୯୬ ଜାନୁଆରୀ ପହିଲାରୁ ହିନ୍ଦୀ ହିଁ ରାଜଭାଷା ହେବ ବୋଲି ଆଦେଶ ହେଲା ।

ଏହା ବିରୁଦ୍ଧରେ ଯେଉଁ ଅତୁଳନୀୟ ଜନ ଆନ୍ଦୋଳନ ହେଲା ତାହା ମୁଁ ଅନ୍ୟତ୍ର ଲେଖିଛି । ଏହି ପ୍ରତିବେଦନରେ ମୁଁ କେବଳ ଏହି ଆନ୍ଦୋଳନ ପ୍ରତି ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ଅବଦାନ ଉଲ୍ଲେଖ କରିବି; କାରଣ ଆଜି ତାଙ୍କର ଶୁଭ ଜନ୍ମଦିନ ।

ବିଲାତି ସରକାରଙ୍କ ପ୍ରିୟପାତ୍ର ହୋଇ ରହିବାକୁ ବ୍ୟାକୁଳ ଥିବା ସେ ଅଂଚଳର ବାମଣ୍ଡା,ବଲାଙ୍ଗୀର,କଳାହାଣ୍ଡି,ସୁବର୍ଣ୍ଣପୁର,ବରପଲ୍ଲୀ ଆଦି ରାଜ୍ୟର ରାଜା ଜମିଦାରମାନେ ଓଡ଼ିଆ ଜାତିର ଏହି ଚରମ ଦୁର୍ଦ୍ଦିନରେ ପ୍ରତିବାଦ କରିବା ପରିବର୍ତ୍ତେ ମଉଜ ମଜଲିସରେ ମାତିଥିଲେ ଓ ସବୁ ଦେଖି କିଛି ନଦେଖିଲା ପରି ରହିଥିଲେ ।
ଉତ୍କଳଭାରତୀଙ୍କ ନିବେଦନ ଶୀର୍ଷକ ଏକ କବିତା ମାଧ୍ୟମରେ ଗଙ୍ଗାଧର ଜଣାଇଥିଲେ ତହିଁର ତୀବ୍ର ପ୍ରତିବାଦ ।

ବଲାଙ୍ଗୀର ରାଜାଙ୍କୁ ଭର୍ତ୍ସନା କରି ସେ ଲେଖିଥିଲେ :

“ରାମଚନ୍ଦ୍ର ଦେବ ପାଟଣା ମହୀମଣ୍ଡଳେ ଶୂର
ବାଘ ମାରିବାକୁ ବୁଲଉଛ ବଣେ ନିଶି ବାସର ।
ଗୁହାଳରେ ପଶି ଶୃଗାଳ ଖାଇ ଯାଉଛି ଗାଈ
ଏ ଆଡ଼କୁ କିମ୍ପା ତୁମର କିଛି ନଜର ନାଇଁ ?
ଏ ଗାଈଟି ମଲେ ମିଳିବ ନାହିଁ ମଧୁର କ୍ଷୀର
ଶୃଗାଳ ନ ପଶୁ ଗୁହାଳେ ଆହେ ଚୌହାନ ବୀର ।”

ସେହିପରି କଳାହାଣ୍ଡି ରାଜାଙ୍କୁ ଭର୍ତ୍ସନା କରି ସେ ଲେଖିଥିଲେ,

“ଦେଖା କି ନା ରଘୁକିଶୋର କଳାହାଣ୍ଡି ଭୂପତି
ଘର ଭାତ ହାଣ୍ଡି ନୁହେଁ କି ମୁଁ ଉତ୍କଳ ଭାରତୀ ?
ସେହି ଭାତ ହାଣ୍ଡି ଆଗରେ ତୁମ୍ଭେ ଯାଉଛ ଫୁଟି
ଖାଇବାକୁ ଏବେ ପଡ଼ିବ ଶୁଖା କର୍କଶ ରୁଟି ।”

ମେହେରଙ୍କ ଭର୍ତ୍ସନାରୁ ରକ୍ଷା ପାଇପାରିନଥିଲେ ସୁବର୍ଣପୁରର ରାଜା । ସେ ତାଙ୍କୁ ତାଙ୍କ ସଂସ୍କୃତପ୍ରୀତି କଥା ଚେତେଇ ଦେଇ ମାତୃଭାଷା ପ୍ରତି ଅବହେଳା ପାଇଁ ଆକ୍ଷେପ କରି କହିଥିଲେ,

“ସୁବର୍ଣ୍ଣପୁରପତି ବସିଛ ସ୍ଵର୍ଣ୍ଣମୟ ଆସନେ
ସଂସ୍କୃତେ ମାତିଛ ମୋ କଥା କାହିଁ ପଡିବ ମନେ?”

ଏପରିକି ତାଙ୍କ ନିଜ ରାଜ୍ୟ ବରପାଲିର ଜମିଦାରଙ୍କୁ ଓଡ଼ିଆ ଭାଷା ପ୍ରତି ଅବହେଳା ସକାଶେ କଠୋର ସମାଲୋଚନା କରିବାକୁ କୁଣ୍ଠିତ ହୋଇନଥିଲେ ସ୍ଵଭାଵ କବି । ଓଡ଼ିଆ ଭାଷା ସପକ୍ଷରେ କଥା କହିଲେ କାଳେ ବିଲାତି ସରକାର ଉପାଧି ଛଡାଇନେବେ ସେହି ଭୟରେ ସେ ନୀରବ ଥିବାର ଆକ୍ଷେପ ଉତ୍କଳ ଭାରତୀଙ୍କ ରୋଦନ ଆଳରେ ପ୍ରକଟିଉଠିଥିଲା କବି କଲମରୁ :

“ବରପଲ୍ଲୀପତି ଜଣାଇ ମୁହିଁ ତୁମ୍ଭର ମନ ।
ମୋହ ଲାଗି କହି ପାରିବ ପଡେ ଅଧେ ବଚନ ?
ହରିହର ସିଂହ ତୁମ୍ଭେ ତ କିଛି କହିବା ନାହିଁ
କହିଲେ ଅବା ଉପାଧିଟି ରାଜେ ନେବେ ଛଡ଼ାଇ !”

ମାତୃଭାଷା ଓଡ଼ିଆର ବିକାଶ, ବିସ୍ତାର ଓ ସୁରକ୍ଷା ପାଇଁ ନିଜ ନିଜକୁ ଉତ୍ସର୍ଗ କରିଥିବା ପ୍ରଜାବର୍ଗଙ୍କୁ ଏହି କବିତାରେ ହାର୍ଦ୍ଦିକ ପ୍ରଶଂସା କରି ଉପରୋକ୍ତ ରାଜାମାନଙ୍କୁ ସେମାନଙ୍କ ବିଦେଶୀ ଭାଷା ପ୍ରୀତି ପାଇଁ ସ୍ଵଭାଵ କବି ଯେଉଁ କାଟୁ ଭର୍ସନା କରିଥିଲେ ତାହା କେବଳ ଅନନ୍ୟ ଥିଲା ତା ନୁହେଁ, ସମ୍ବଲପୁର ଅଂଚଳରେ ଭାରତର ପ୍ରଥମ ଭାଷା-ଜାତୀୟତାର ଯେଉଁ ଉନ୍ମେଷ ଓ ବିକାଶ ଘଟିଥିଲା , ଯାହା ସହଜ କରିଦେଇଥିଲା ଓଡିଶା ପ୍ରଦେଶ ଗଠନ ପ୍ରକ୍ରିୟାକୁ, ତାହା ମୂଳରେ ବି ଥିଲା ଗଙ୍ଗାଧରଙ୍କ ଏହି ଅକୁତୋଭୟ ସାରସ୍ବତ ବିପ୍ଳବ ।

ଭାଷା ଆନ୍ଦୋଳନକୁ ନେଇ ସମ୍ଵାଦ-ବିତର୍କ : ଡ଼. ଦ୍ଵାରିକନାଥ ନାୟକଙ୍କ ଦ୍ଵାରା ବୈଷ୍ଣବ ପରିଡାଙ୍କ ଅଭିସନ୍ଧି ଅନାବୃତ
ସୁଭାଷ ଚନ୍ଦ୍ର ପଟ୍ଟନାୟକ

ମୁଖ୍ୟମନ୍ତ୍ରୀଙ୍କ ପାଖଲୋକ ବୈଷ୍ଣବ ଚରଣ ପରିଡା ମୁଖ୍ୟମନ୍ତ୍ରୀଙ୍କୁ ସବୁଠୁ ଅଡୁଆରେ ପକାଇଥିବା ଭାଷା ଆନ୍ଦୋଳନର ଗାରିମା ହାନି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପ୍ରଚୋଦିତ ହୋଇ ଭାଷା ଆନ୍ଦୋଳନର ନିଜସ୍ଵ ଦାବି ସପକ୍ଷରେ ଆଇନ ଅମାନ୍ୟ ପରି ପ୍ରହସନ ଆରମ୍ଭ କରିଛନ୍ତି ∣ ଏ ଜଣେ ଛଦ୍ମ ଘାତକ ଯେ କି ଭାଷା ଆନ୍ଦୋଳନକାରୀମାନଙ୍କ ମନରେ ପ୍ରତ୍ୟୟ ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ କଥା ବି କହନ୍ତି ∣ ଏଥିପୂର୍ବରୁ ପ୍ରକାଶିତ ଗଜାନନ ମିଶ୍ରଙ୍କ ନିବନ୍ଧରେ ଦେଖାଯାଏ , ସେ ଯେତେବେଳେ ଓଡ଼ିଆରେ ଓଡ଼ିଶାର ଶାସନ ପାଇଁ ଅନଶନ ନୋଟିସ ଦେଇଥିଲେ, ବୈଷ୍ଣବ ବାବୁ ଟିଟିଲାଗଡ଼ରେ ପହଂଚି ତାଙ୍କୁ ସେପରି ନକରିବାକୁ ଧମକ ଚମକ ଦେଇଥିଲେ ; ମାତ୍ର ତହିଁକି ଖାତିର ନକରି ସେ ଯେତେବେଳେ 1.4.2015ରେ ରାଜଭବନ ଆଗରେ ଅନଶନ କଲେ, ସେଠାରେ ପହଂଚି ସେ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଭାଷଣ ବି ଦେଲେ ∣ ତାଙ୍କର ଏପରି ଆଚରଣ ହେତୁ ଗଜାନନବାବୁ ତାଙ୍କୁ ଠାରେ “ଦୋମୁଣ୍ଡିଆ ସାପ” ବୋଲି ବର୍ଣନା ବି କରିଥିଲେ ∣

ଏହି ବୈଷ୍ଣବ ପରିଡା ଆମ ଭାଷା ଆନ୍ଦୋଳନକୁ ଭଣ୍ଡୁର କରିବାପାଇଁ ଏବେ ଦିନେ ପହଂଚିଥିଲେ ସମ୍ବଲପୁରରେ ∣ ସେଠାରେ ଭାଷା ଆନ୍ଦୋଳନ ଏକ ଆଦର୍ଶ ଆନ୍ଦୋଳନର ରୂପ ନେଇଛି ∣ ସାରା ଭାରତରେ ଭାଷା ଭିତ୍ତିକ ଜାତୀୟତାର ପ୍ରଥମ ପୀଠସ୍ଥଳ ହେଉଛି ସମ୍ବଲପୁର ଓ ଓଡିଶା ଭୂଖଣ୍ଡ ସୃଷ୍ଟିରେ ସମ୍ବଲପୁରର ଅବଦାନ ଅନନ୍ୟ ∣ ସମ୍ବଲପୁର ନିବାସୀ ପଣ୍ଡିତ ଲକ୍ଷ୍ମୀ ନାରାୟଣ ମିଶ୍ର ହିଁ ଓଡିଶା ସରକାରୀ ଭାଷା ଆଇନ ପ୍ରଣୟନର ପ୍ରଥମ ପ୍ରସ୍ତାବକ ଏବଂ ଓଡିଶା ଭୂଖଣ୍ଡର ସମସ୍ତ ଶବ୍ଦଭଣ୍ଡାରକୁ ଓଡିଶା ପ୍ରଶାସନର ଶବ୍ଦକୋଷ ଅନ୍ତର୍ଗତ କରିବାକୁ ଭାଷା ଆନ୍ଦୋଳନ ଦାବି କରୁଛି ∣ ଏଥିପାଇଁ ଆମ ପ୍ରେରଣାର ଆଧାର ମଧ୍ୟ ସମ୍ବଲପୁରର ସେହି ପୁଣ୍ୟଶ୍ଳୋକ ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର , ସ୍ଵଭାଵ କବି ଗଙ୍ଗାଧର ମେହେର, ଖଡ଼ିଆଳ ରାଜା ବୀର ବିକ୍ରମ ସିଂହ ∣ ତେଣୁ ସମ୍ବଲପୁରର ଯେଉଁ ସାଥୀମାନେ ଭାଷା ଆନ୍ଦୋଳନ କରୁଛନ୍ତି ସେମାନେ ସମଗ୍ର ଓଡ଼ିଶାର ସାମଗ୍ରିକ-ଶବ୍ଦମାଳିନୀ-ଭାଷା-ଜନନୀର ପ୍ରଶାସନିକ ସାର୍ବଭୌମତ୍ୱ ପାଇଁ ଆନ୍ଦୋଳନ କରୁଛନ୍ତି, ଆମ ନିଜସ୍ଵ ନୀତି ଆଦର୍ଶର ଭିତ୍ତିରେ ∣ ଏହାକୁ ଲକ୍ଷ୍ୟଭ୍ରଷ୍ଟ କରିବା ଅଭିସନ୍ଧି ରଖି ମୁଖ୍ୟମନ୍ତ୍ରୀଙ୍କ ଗୁପ୍ତ ଭେଦିଆ (agent provocateur) ବୈଷ୍ଣବ ପରିଡା ସମ୍ବଲପୁରରେ ପହଂଚି ନିରବ ଓ ଶାନ୍ତିପୂର୍ଣ କଳାପତାକା ଅଭିଯାନ ଛାଡି ଆଇନ ଅମାନ୍ୟ ଆନ୍ଦୋଳନ ପାଇଁ ଆମ ସାଥୀମାନଙ୍କୁ ଉସୁକାଉଥିଲେ ଗୋଟେ ଶୀତତାପ ନିୟନ୍ତ୍ରିତ ହୋଟେଲ ପ୍ରକୋଷ୍ଠରେ ∣ ପ୍ରତ୍ୟାଖ୍ୟାତ ହେଲେ ∣

ଭାଷା ଆନ୍ଦୋଳନ ଉପରେ ଅନୁଷ୍ଠିତ ସମ୍ବାଦ ବିତର୍କରେ ଡ଼. ଦ୍ଵାରିକାନାଥ ନାୟକଙ୍କ ପ୍ରତିବେଦନ “ଭାଷା ଆନ୍ଦୋଳନର ପାର୍ଶ୍ବ-ପ୍ରଭାବ” ଏହି ଦୃଷ୍ଟିରୁ ପ୍ରଣିଧାନଯୋଗ୍ୟ ∣

ସମ୍ବଲପୁରରେ ଭାଷା ଆନ୍ଦୋଳନର 32ତମ କଳାପତାକା ଅଭିଯାନ

 

 

 

 

 

 

 

 

 

 

 

 

 

 

 

ଆଜିର ମୁକ୍ତିଯୋଦ୍ଧା : କଳାରତ୍ନ ବଂଶୀଧର କର (ସଭାପତି), ଆଶୁତୋଷ ହୋତା, ଦେବେନ୍ଦ୍ର କୁମାର ଦାସ (ଆବାହକ) , ଅମରେନ୍ଦ୍ର ଦାଶ (ଯୁଗ୍ମ ଆବାହକ), ସୁଶୀଲ କୁମାର ବେହେରା (ସଂଯୋଜକ), ଦେବାଶିଷ ସାହୁ (ସହ-ସଂଯୋଜକ), ପ୍ରଦ୍ୟୋତ କୁମାର ମିଶ୍ର, ତ୍ରିନାଥ ପ୍ରସାଦ ପଣ୍ଡା, ରବିନାରାୟଣ ପଣ୍ଡା, ଗିରିଶଚନ୍ଦ୍ର ତ୍ରିପାଠୀ, ଜୟକୃଷ୍ଣ ପ୍ରଧାନ, ସୁଶାନ୍ତ କୁମାର ମହାପାତ୍ର, ସ୍ବର୍ଣ୍ଣରେଖା ସାମନ୍ତରାୟ, ବିକ୍ରମ ପ୍ରଧାନ, ଗୋପାଳ ରାଉତ, ସରାଜକୁମାର ସାମନ୍ତରାୟ, ସୁରେନ୍ଦ୍ର କୁମାର ସାହୁ, ବସନ୍ତକୁମାର ସାହୁ, ନିରଞ୍ଜନ ସ୍ବାଇଁ, ତପନ କୁମାର ଖୁଣ୍ଟିଆ, ସୁଭାଷ ଚନ୍ଦ୍ର ଦାଶ , ଅସିତ କୁମାର ସାମନ୍ତରାୟ, ରଂଜିତା ପଣ୍ଡା, ସୂର୍ଯ୍ୟମଣି ପଣ୍ଡା, ଅର୍ଜୁନ ବେଉରା, ସୁଭାଷ ଶର୍ମା, ହରିକିଶନ ଦଧୀଚି, ସୁରଜମଲଲ ଦଧୀଚି , ସଚ୍ଚିଦାନନ୍ଦ ପ୍ରଧାନ, ଭକ୍ତ ପ୍ରସାଦ ପଣ୍ଡା, ଜଗଦାନନ୍ଦ ତ୍ରିପାଠୀ, ରବିନାରାୟଣ ମିଶ୍ର, ରାଧେକୃଷ୍ଣ ପଣ୍ଡା, ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ସୁଧାଂଶୁ ଶେଖର ପ୍ରଧାନ, କୁଞ୍ଜବନ ତାଣ୍ଡିଆ , ଅମିନ ବେହେରା ପ୍ରମୁଖ ∣