ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଯଦି ବିରୋଧୀ ଦଳର ନେତା ହୋଇ ନଥାନ୍ତେ, ତେବେ ବି ବିଧାନସଭାରେ ଜଣେ ତର୍କକୁଶଳୀ ବ୍ୟକ୍ତି ଭାବେ ଶ୍ରୀ ନରସିଂହ ମିଶ୍ର ଜାଜୁଲ୍ୟମାନ ହୋଇ ରହିବାର ଯୋଗ୍ୟତାରେ ଥିଲେ ସୁମଣ୍ଡିତ । ଯେହେତୁ ମୁଁ ଆଇନ ସଂଶୋଧନର ଆବଶ୍ୟକତା ଉପରେ ପ୍ରଥମେ ପ୍ରସ୍ତାବ ଓ ଚିଠା ଦେଇଥିଲି ଓ ଯେହେତୁ ମୋ ପ୍ରସ୍ତାବ ଅନୁସାରେ ୨୦୧୬ରେ ଆଇନ ସଂଶୋଧନ କରି ତହିଁରେ ଧାରା ୫ ଖଞ୍ଜି ଓଡ଼ିଶା ରାଜ୍ୟ ସରକାର ପ୍ରଥମଥର ପାଇଁ ନିଯମାବଳୀ ପ୍ରଣଯନ ପାଇଁ କ୍ଷମତା ଆହରଣ କରିଥିଲେ ଓ ଯେହେତୁ ମୋର ଅବଶିଷ୍ଟ ପ୍ରସ୍ତାବଗୁଡ଼ିକ ୨୦୧୮ର ଏହି ସଂଶୋଧନରେ ବିଧିଭୁକ୍ତ ହେବାର ସମ୍ଭାବନା ଥିଲା, ସେହେତୁ ଏ ସମ୍ପର୍କରେ ସରକାର କି ପଦକ୍ଷେପ ନେଉଛନ୍ତି ତହିଁ ଉପରେ ମୁଁ ଦୃଷ୍ଟି ରଖିଥିଲି । ମୁଁ ଦେଖିଲି ଯେ, ମୁଖ୍ୟମନ୍ତ୍ରୀଙ୍କ ଗୋପନ ଇସାରାରେ ବା ତାଙ୍କୁ ପ୍ରଭାବିତ କରି ଅଣଓଡ଼ିଆ ଅଧ୍ୟୁଷିତ ଇଂରାଜିମନସ୍କ ଅମଲାତନ୍ତ୍ର ଆମ ଭାଷା ଆଇନକୁ ଚିରଦିନ ପାଇଁ ନିରର୍ଥକ କରିଦେବାକୁ ଚେଷ୍ଟାରତ । ମୁଁ ଏହା ୧୦.୪.୨୦୧୮ରେ ମୋ ନଭନିବାସରେ ରଖିଲି ଓ ଆଗଧାଡ଼ିଆ ବିଧାୟକମାନଙ୍କୁ ଅବଗତ କରାଇଲି ।

ଏହି ଲେଖାରେ ଭାଷା ଆଇନରେ ଯେଉଁ ସଂଶୋଧନ ହେବାକୁ ଯାଉଛି ତାହା କିପରି ଓଡ଼ିଆ ଭାଷା ପ୍ରତି ବିପଦ ତାହା ବୁଝାଇ, ଆମ ବିଧାୟକମାନେ କଣ କରିବା ଭଲ ହେବ ତାହା ବି ମୁଁ କହିଥିଲି ଓ ଏହି ଲେଖାର ନକଲ ଅଧିକାଂଶ ବିଧାୟକଙ୍କୁ ଦେଇଥିଲି, ଦିଆଇଥିଲି । ଦୁଃଖ ଓ ପରିତାପର କଥା, ଏହା ସତ୍ତ୍ୱେ, ମୁଖ୍ୟମନ୍ତ୍ରୀ ଓ ତାଙ୍କ ବିଶ୍ଵସ୍ତ ଅମଲାମାନଙ୍କ ଏହି ଦୁରଭିସନ୍ଧି ବିଧାନସଭାରେ ଆଲୋଚିତ ହେଲା ନାହିଁ ଓ ୪କ ପରି ଏକ ସମ୍ପୂର୍ଣତଃ ଓଡ଼ିଆ ବିରୋଧୀ ଧାରା ବିଧିଭୁକ୍ତ ହୋଇଗଲା ।

ଡଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ

ଏକଦା ବିଧାନସଭା ଆଦର୍ଶ କମିଟିର ଅଧ୍ୟକ୍ଷ ଥିବା ଡଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଜଣେ ଅଭିଜ୍ଞ ବିଧାୟକ । ଶ୍ରୀ ମିଶ୍ରଙ୍କ ପରେ ବିତର୍କରେ ଅଂଶଗ୍ରହଣ କରି ସେ ବିଧେୟକଟି ଯେଉଁ ରୂପରେ ଆସିଥିଲା ସେହି ରୂପକୁ ସ୍ଵାଗତ ଜଣାଇଲେ ।

କଳାପତାକା ଅଭିଯାନ (ଭାଷା ଆନ୍ଦୋଳନ) ଚାପରେ କିପରି ମୁଖ୍ୟମନ୍ତ୍ରୀ ପୁରୀଠାରେ ଭାଷା ଆଇନ ସଂଶୋଧନ ପାଇଁ “ଘୋଷଣା କଲେ” ତାହାର ଉଲ୍ଲେଖ ଆମେ ଡଃ ଚ୍ୟାଉପଟ୍ଟନାୟକଙ୍କ ଭାଷଣରେ ଦେଖୁଁ । କିନ୍ତୁ ପୁରୀ ପରେ ଭୁବନେଶ୍ଵରସ୍ଥ ସଚିବାଳୟରେ ଯେ ୧୪.୩.୨୦୧୮ ତାରିଖରେ ମନ୍ତ୍ରୀମଣ୍ଡଳ ବୈଠକ ବସି ଭାଷା ଆଇନ ସଂଶୋଧନ ପାଇଁ ସମ୍ପୂର୍ଣ ଭିନ୍ନ ପ୍ରସ୍ତାବ ଯେ ଗୃହୀତ ହୋଇଥିଲା ତାହା ସେ ଉଲ୍ଲେଖ କଲେନାହିଁ ! କାହିଁକି ସେ ଜାଣିବାକୁ ଚାହିଁଲେ ନାହିଁ ଯେ, ଯଦି ବିଧେୟକଟି ୨୬.୧୨.୨୦୧୭ ତାରିଖର ପ୍ରସ୍ତାବ ଅନୁସାରେ ପ୍ରଣୀତ, ତେବେ ୧୪.୩.୨୦୧୮ ତାରିଖର ମନ୍ତ୍ରୀମଣ୍ଡଳ ପ୍ରସ୍ତାବଟି କୁଆଡ଼େ ଗଲା?

ଯେତେବେଳେ ବିଧେୟକଟିର ‘ଉଦ୍ଦେଶ୍ୟ ଓ କାରଣ କଥନ’ରେ ଗୋଟିଏ ନିର୍ଦ୍ଦିଷ୍ଟ ମନ୍ତ୍ରୀମଣ୍ଡଳ ବୈଠକରେ ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ଗୃହୀତ ପ୍ରସ୍ତାବକୁ ଆଧାରଶୀଳା କରାଯାଇଛି , ସେତେବେଳେ ସେହି ପ୍ରସ୍ତାବଟି ତହିଁରେ ସଂଯୁକ୍ତ କରା ନଯାଇ ବିଧାନସଭାକୁ ସେ ସମ୍ପର୍କରେ ଅନ୍ଧାରରେ ରଖାଯିବାର କାରଣ କ’ଣ ତାହା ସେ ଜାଣିବାକୁ ଚାହିଁବା ଉଚିତ ଥିଲା । ବିଧାନସଭା ଜାଣିଥିଲେ ହିଁ ଲୋକେ ଜାଣିଥାନ୍ତେ । କିନ୍ତୁ ସେ ତାହା କଲେ ନାହିଁ ।

ଯେହେତୁ ସେ ତାଙ୍କ ଭାଷଣରେ ଭାଷା ଆନ୍ଦୋଳନର ଚାପ କଥା କହିଛନ୍ତି, ଉପରସୂଚିତ ଲେଖାରେ ଭାଷା ଆନ୍ଦୋଳନର ଯେଉଁ ପତିକ୍ରିୟା ଖୋଦିତ, ତାହା ତ ସେ ନିଶ୍ଚୟ ବିଚାରକୁ ନେଇଥିବା କଥା । ବିଧେୟକଟି କିପରି ପ୍ରମାଦପୂର୍ଣ ଓ ତଦ୍ଦ୍ଵାରା ଓଡ଼ିଶା କିପରି କ୍ଷତିଗ୍ରସ୍ତ ହେବ, ତାହା ସବିଶେଷ ଆଲୋଚିତ ହୋଇ ତହିଁ ଉପରେ ବିଧାୟକମାନେ କି ପଦକ୍ଷେପ ନେବା ଉଚିତ ତାହା ତ ଏହି ଲେଖାରେ ସ୍ପଷ୍ଟ କରାହୋଇଥିଲା ।

ଦୁଃଖର ସହ କହିବାକୁ ପଡ଼ୁଛି ଯେ, ଦୂଷିତ ଅଭିସନ୍ଧି ରଖି ମୁଖ୍ୟମନ୍ତ୍ରୀ ତାଙ୍କ ଆଖିଆଗରେ ଏକ କ୍ୟାବିନେଟ୍ ସ୍କାମ୍ ଘଟାଉଥିଲେ ମଧ୍ୟ ଓ ତଦ୍ଦ୍ଵାରା ଓଡ଼ିଆ ଜାତିର ଭାଷା ସ୍ଵାର୍ଥ ଉଜୁଡ଼ିଯିବା ସୁନିଶ୍ଚିତ ଥିଲେ ମଧ୍ୟ, ଜଣେ ବରିଷ୍ଠ ସଦସ୍ୟ ଭାବେ ଡଃ ଚ୍ୟାଉପଟ୍ଟନାୟକ ସରିଯାଇଥିବା ବିଧାନସଭାକୁ ସେ ସମ୍ପର୍କରେ ସତ ଜାଣିବାରେ କୌଣସି ସାହାଯ୍ୟ କରିନଥିଲେ । (କ୍ରମଶଃ)
୫.୬.୨୦୧୯

Comments

No comments yet.

Leave a Reply

Basic HTML is allowed. Your email address will not be published.

Subscribe to this comment feed via RSS