ସରିଯାଇଥିବା ବିଧାନସଭା ଓ ଆମ ଭାଷା -୧୩

ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଏପରି ଭାବେ କଳାପତାକା ଅଭିଯାନ ସ୍ଥଗିତ କରିବାର କୌଣସି ଅଧିକାର ଏମାନଙ୍କର ନଥିଲା । କାରଣ ଏ ଆନ୍ଦୋଳନ ମୁଁ ପ୍ରତିଷ୍ଠା କରିଥିଲି ଭାଷା ଆଇନକୁ ନିର୍ଭୁଲ ଓ କାର୍ଯ୍ୟକ୍ଷମ କରିବାକୁ ସରକାରଙ୍କୁ ଦେଇଥିବା ପ୍ରସ୍ତାବ ସପକ୍ଷରେ । ପ୍ରଦ୍ୟୁମ୍ନ ଶତପଥୀଙ୍କ ଭାଷାରେ ଏମାନେ ଥିଲେ ମୋର ସମର୍ଥକ ଓ ମୋ “ପ୍ରଜ୍ଞାଜ” (ବୁଦ୍ଧିରୁ ବାହାରିଥିବା) ଏହି ଆଂଦୋଳନର “ସଞ୍ଚାଳକ” । ଅତଏବ ଏ ଆନ୍ଦୋଳନ ସ୍ଥଗିତ ରଖିବା / ବନ୍ଦ କରିବାର ଅଧିକାର ଏମାନଙ୍କର ନଥିଲା । ମୋ ଡ୍ରାଇଭର ମୋ ମୋଟର ଯାନର ମାଲିକ ବୋଲି ନିଜକୁ କହିବା ପରି ଏହା ଥିଲା ଏମାନଙ୍କ ଅମୂଳକ ଓ ଅନଧିକୃତ ଆସ୍ଫାଳନ ।

ମୁଁ ଏମାନଙ୍କ ଏହି ଅନଧିକୃତ ଆସ୍ଫାଳନକୁ ପ୍ରତ୍ୟାଖ୍ୟାନ କରିଥିଲି ଓ ସମଗ୍ର ଓଡ଼ିଆ ଜାତି ମଧ୍ୟ ଏମାନଙ୍କୁ ପ୍ରତ୍ୟାଖ୍ୟାନ କଲା ।

ମାତୃଭାଷା ଓଡ଼ିଆର ଅନୁରକ୍ତ ସନ୍ତାନମାନେ ଯେଉଁମାନଙ୍କ ସମ୍ପର୍କରେ bhashaandolan॰com ପ୍ରକାଶିତ ଆମ ଇ-ପୁସ୍ତକ “ଆମ ଭାଷା ପାଇଁ ଆମ ଲଢ଼େଇ“ରେ ସବିଶେଷ ବିବରଣୀ ରହିଛି, ୧୭.୭.୨୦୧୮ ତାରିଖରୁ କଳାପତାକା ଅଭିଯାନ ବୀରତ୍ଵର ସହ ଚଳାଇ ଚାଲିଲେ ।

ଶତପଥୀ ଓ ପବିତ୍ର ମହାରଥାଙ୍କ ଅତର୍ଛ ବୟାନବାଜିରୁ ଜଣାପଡ଼ିଗଲା ଯେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ମାଧ୍ୟମରେ ଏମାନେ ସୁପାରି ଖାଇଛନ୍ତି ଭାଷା ଆନ୍ଦୋଳନକୁ ଭାଙ୍ଗିଦେବା ପାଇଁ ।

ପବିତ୍ର କହି ଚାଲିଥିଲେ ଯେ, କଳା ପତାକା ଅଭିଯାନ ଚାଲିବା ଅର୍ଥ ତାଙ୍କ ସ୍ତ୍ରୀ ଓ ଛୋଟ ଛୁଆର ବେକରେ ଖୋଜ ପକାଇ ଚାଲିବା ।

ଯେଉଁମାନେ କଳା ପତାକା ଧରୁଥିଲେ ସେମାନଙ୍କୁ ସେ ଏହି ଏକା କଥା କହି ଗାଳିଗୁଲଜ କରୁଥିଲେ । ଏପରିକି ଗଜାନନ ମିଶ୍ର ବି ତାଙ୍କ ଏହି ଗାଳିଗୁଲଜରୁ ନିସ୍ତାର ନ ପାଇ ସାମାଜିକ ଗଣମାଧ୍ୟମ ଫେସବୁକରେ ତହିଁର ଏକ ବିବରଣୀ ରଖି ଓଡ଼ିଶାର ଜନସାଧାରଣଙ୍କ ସମ୍ମୁଖରେ ତଦାନୀନ୍ତନ ଦୃଶ୍ୟପଟ ଉପସ୍ଥାପନ କରିଥିଲେ ।

ଭାଷା ଆନ୍ଦୋଳନର ନାମ ଅନଧିକୃତ ଭାବେ ବ୍ୟବହାର କରି ସେମାନେ ତ କଳାପତାକା ଅଭିଯାନରୁ ଓହରି ଯାଇଥିଲେ, ଯେଉଁମାନେ ସେମାନଙ୍କ ପାଲରେ ନ ପଡ଼ି କଳାପତାକା ଧରିଲେ ସେମାନଙ୍କୁ ସେ ଏପରି ଧମକାଉଥିଲେ କାହିଁକି ଓ କଳାପତାକା ଚାଲିଲେ ତାଙ୍କ ସ୍ତ୍ରୀ ପିଲା ମରିଯିବେ ବୋଲି କହୁଥିଲେ କାହିଁକି ?

ସନ୍ଦେହ ଉପୁଜିବା ସ୍ଵାଭାବିକ ଯେ, ଭାଷା ଆନ୍ଦୋଳନ ଭାଙ୍ଗିଦେବାକୁ ତାଙ୍କୁ ଯେଉଁ ସୁପାରି ଯାଚିଥିଲେ ଅର୍ଥମନ୍ତ୍ରୀ ସମ୍ଭବତଃ ତହିଁରୁ ଏକ ଛୋଟିଆ ଅଂଶ ତାଙ୍କୁ ଅଗ୍ରୀମ ଭାବେ ଦିଆ ହୋଇଥିଲା ଓ କଳା ପତାକା ସମ୍ପୂର୍ଣ ବନ୍ଦ ହୋଇଯାଇଥିଲେ ସୁପରିର ଅବଶିଷ୍ଟ ବିପୂଳ ଅଂଶ ସେ ପାଇଥାନ୍ତେ । କଳା ପତାକା ବନ୍ଦ ନ ହେବାରୁ ସୁପରିର ସେହି ବିପୂଳ ଅବଶିଷ୍ଟ ସେ ପାଇବା ସମ୍ଭାବନା ନ ଥିବା ହେତୁ ତାହାକୁ ତାଙ୍କ ସ୍ତ୍ରୀ ପିଲାଙ୍କ ବେକରେ ଖୋଜ ପକାଇବା ସହ ସେ ସମାନ ଜ୍ଞାନ କରୁଥିଲେ ।

ଓଡ଼ିଶା ପ୍ରଦେଶ ସୃଷ୍ଟିର ଉଦ୍ଦେଶ୍ୟ ଚରିତାର୍ଥ କରିବାକୁ, ଭାଷା ଆଇନର ନିର୍ଭୁଲ ସଂଶୋଧନ ଓ କାର୍ଯ୍ୟକାରୀତା ପାଇଁ ଚାଲିଥିବା ଏକ ଅଦର୍ଶଭିତ୍ତିକ ସାମାଜିକ ଆନ୍ଦୋଳନକୁ ଭାଙ୍ଗିଦେବା ପାଇଁ ରାଜ୍ୟ ସରକାର କିଛି ଆନ୍ଦୋଳନକାରୀଙ୍କୁ ସୁପାରି ଦେବାର ସନ୍ଦେହ ହିଁ ଆମ ପାଇଁ ବ୍ୟଥାଦାୟକ ଥିଲା ଓ ଆମେ ପ୍ରକୃତ ଆନ୍ଦୋଳନକାରୀମାନେ ଅର୍ଥମନ୍ତ୍ରୀଙ୍କଠାରୁ ସତକଥାଟି ଜାଣିବାକୁ ଚାହୁଁଥିଲୁ । ବସ୍ତୁତଃ ୧୬.୭.୨୦୧୮ ପୂର୍ବରୁ ଭାଷା ଆନ୍ଦୋଳନକୁ ଛୁରି ମାରିବା ପାଇଁ ପ୍ରଦ୍ୟୁମ୍ନ ଶତପଥୀ ଜଣେ ଅଣଓଡ଼ିଆ ଅଫିସରଙ୍କ ସହ ହାତ ମିଳାଇଥିବା ସୂଚନା ମଧ୍ୟ ମୋତେ ମିଳିଥିଲା । ସେହି ଅଫିସର ସେତେବେଳକୁ ଅନ୍ୟ ସ୍ଥାନକୁ ବଦଳି ହୋଇଯାଇଥିଲେ । ତେଣୁ, କେଉଁ ନିର୍ଦ୍ଦିଷ୍ଟ ଚାପରେ ଏହି ଉଭୟ ବ୍ୟକ୍ତି ସେଦିନ ସରକାରଙ୍କ ସହ ହାତ ମିଳାଇଲେ ଓ “କୁଳ ଗଉରବ ବାରି ନ ପାରନ୍ତି ଆରତେ ଶଫରୀନୟନା” ଶୈଳୀରେ ଏପରି ଅତର୍ଛରେ ଓ ଏପରି ଅନଧିକୃତ ଭାବେ କଳାପତାକା ବନ୍ଦ ରଖାଯାଇଥିବାର ମିଛ ପ୍ରଚାର ଚଳାଇଲେ, ତାହା ଜାଣିବାକୁ , ତାଙ୍କ ନାମ ବ୍ୟବହାର କରି ସୃଷ୍ଟି କରାହୋଇଥିବା ଦୃଶ୍ୟପଟ ସହ ଅର୍ଥମନ୍ତ୍ରୀଙ୍କୁ ସାମ୍ନାସାମ୍ନୀ କରାଇବାର ଆବଶ୍ୟକତା ଅନୁଭୂତ ହେଲା । ମୁଁ ତାଙ୍କ ସରକାରୀ ଇ-ମେଲ ଠିକଣାରେ ନିମ୍ନ ପତ୍ର ପଠାଇଲି, ଯାହା ପାଠ କରି ସେ କିଂ କର୍ତ୍ତବ୍ୟ ବିମୂଢ ହୋଇଗଲେ ।

ମୁଁ ଅର୍ଥମନ୍ତ୍ରୀଙ୍କୁ ଦେଇଥିବା ପତ୍ରର ନକଲ

Subhas Chandra Pattanayak
Sun, Aug 26, 2018, 8:07 AM

to finmin.od, excisemin.od

ବିଷୟ – ଓଡ଼ିଶା ସରକାରୀ ଭାଷା ଆଇନରେ ବ୍ୟାପାରରେ ଆପଣଙ୍କ ଭୂମିକା

ମାନ୍ୟବର ଅବକାରୀ ଓ ଅର୍ଥ ମନ୍ତ୍ରୀ ଶ୍ରୀ ଶଶୀ ଭୂଷଣ ବେହେରା ,
ଓଡ଼ିଆ ଭାଷାରେ ଓଡ଼ିଶାର ଶାସନ ପାଇଁ ମୁଁ ପ୍ରତିଷ୍ଠା କରିଥିବା ଭାଷା ଆନ୍ଦୋଳନ ଓ କଳାପତାକା ଅଭିଯାନ ସମ୍ପର୍କରେ ଆପଣ ବ୍ୟକ୍ତିଗତ ଭାବେ ଅବଗତ ଓ ଟେଲିଭିଜନ ଚାନେଲମାନଙ୍କରେ ଏକାଧିକବାର ଆଲୋଚନା କରି ଏହାକୁ ଆପଣଙ୍କ ନୈତିକ ସମର୍ଥନ ବି ଦେଇଛନ୍ତି । ଏହି ଅଭିଯାନକୁ ପ୍ରତିଦିନ ଚାରିଜଣ କଳାପତାକାଧାରୀ ଯୋଗାଇବା ଦାୟିତ୍ବରେ ଥିବା ଦୁଇଜଣ ବ୍ୟକ୍ତି – ପ୍ରଦ୍ୟୁମ୍ନ ଶତପଥୀ ଓ ପବିତ୍ର ମହାରଥା – ଯେଉଁମାନେ ଭାଷା ଆନ୍ଦୋଳନର ଯଥାକ୍ରମେ ସଭାପତି ଓ ଆବାହକ ଭାବେ ପରିଚିତ , ଗତ ୧୬. ୭. ୨୦୧୮ ତାରିଖ ସନ୍ଧ୍ୟାରେ ଏକ ପ୍ରେସ ବିବୃତ୍ତି ଜାରି କରି କଳାପତାକା ଅଭିଯାନ ସେହିଦିନଠାରୁ ସ୍ଥଗିତ ରହିଲା ବୋଲି ଘୋଷଣା କଲେ । ସେମାନଙ୍କ ସେହି ଆଚରଣ ଅନଧିକୃତ ଥିବା ହେତୁ ଓଡ଼ିଆ ଜାତି ତାହାକୁ ପ୍ରତ୍ୟାଖ୍ୟାନ କଲା ଓ କଳାପତାକା ଅଭିଯାନ ଘୋଷିତ କାର୍ଯ୍ୟସୂଚୀ ଅନୁସାରେ ଯଥାରୀତି ଚାଲିଛି । ଯେଉଁ ପର୍ଯ୍ୟନ୍ତ ସରକାରୀ ଭାଷା ଆଇନକୁ ଆଇନତଃ ନ ହେଲେ ବି କାର୍ଯ୍ୟତଃ ନିର୍ଜୀଵ କରିଦେବାକୁ ହୋଇଥିବା ସରକାରୀ ଷଡଯନ୍ତ୍ର ପ୍ରତ୍ୟାହୃତ ନ ହୋଇଛି ଓ ଏକ ନିର୍ଭୁଲ ସଂଶୋଧନ ଦ୍ଵାରା ତାକୁ ସଶକ୍ତିକୃତ କରା ନ ଯାଇଛି ସେ ପର୍ଯ୍ୟନ୍ତ ଏହା ଚାଲିବ । ମାତ୍ର ଉପରୋକ୍ତ ଦୁଇଜଣ ବ୍ୟକ୍ତି ଏହାକୁ ସ୍ଥଗିତ ରଖିବା ପାଇଁ ଯେହେତୁ ଆପଣଙ୍କ ନାମ ବ୍ୟବହାର କରିଥିଲେ , ଅଥଚ ଗତ କ୍ୟାବିନେଟ ବୈଠକରେ ଆପଣ ସେମାନଙ୍କୁ ଦେଇଥିବା ପ୍ରତିଶ୍ରୁତିର କୌଣସି ଝଲକ ବି ତହିଁରେ ଦେଖିହେଲାନାହିଁ, ସେ ହେତୁ ଆପଣଙ୍କ ନାମ ସେମାନେ ଅଧିକୃତ ଭାବେ ବ୍ୟବହାର କରିଥିଲେ କି ଅନଧିକୃତ ଭାବେ ତାହା ଜାଣିବା ପାଇଁ ସେମାନେ ଜାରିକରିଥିବା ପ୍ରେସ ବିବୃତ୍ତିର ନକଲ ମୁଁ ଏଥି ସହ ସଂଯୁକ୍ତ କଲି । ମୁଁ ଆଶା କରୁଛି ଆପଣ ଏହା ଅନୁଧ୍ୟାନ କରିବେ ଓ ନିଜ ଭୂମିକା ସ୍ପଷ୍ଟ କରି ମୋତେ ଆପଣଙ୍କ ଉତ୍ତର ଦେବେ । ଆପଣ ଯେଉଁ ଉତ୍ତର ଦେବେ ତାହା ମୁଁ ଓଡ଼ିଶାର ଜନସାଧାରଣଙ୍କ ସମ୍ମୁଖରେ ରଖିବି ଓ ଯଦି କୌଣସି ଉତ୍ତର ନ ଦିଅନ୍ତି ତାହା ବି ମୁଁ ଜନସାଧାରଣଙ୍କୁ ଜଣାଇବି । କାରଣ ପରୋକ୍ଷରେ ପବିତ୍ର ମହାରଥା ଏପରି ଏକ ଧାରଣା ସୃଷ୍ଟି କରିଛନ୍ତି ଯହିଁରୁ ଜଣା ପଡୁଛି ସତେ ଯେମିତି କଳାପତାକା ଅଭିଯାନ ବନ୍ଦ କରିବା ପାଇଁ ମୋଟା ଧରଣର ଆର୍ଥିକ ପ୍ରଲୋଭନ ଦ୍ଵାରା ତାଙ୍କୁ ପ୍ରଲୋଭିତ କରାଯାଇଥିଲା । ଏହା ଏକ ଅତ୍ୟନ୍ତ ଦୁଃଖଦାୟକ ବିଭାବନା । ଆମ ରାଜ୍ୟର କୌଣସି ମାନ୍ୟବର ମନ୍ତ୍ରୀ ଏପରି ଏକ ବିଭାବନାର ନାଭିକେନ୍ଦ୍ରରେ ସଂସ୍ଥିତା ହେବା – ତାଙ୍କ ଜ୍ଞାତସାରରେ ହେଉ ବା ଅଜ୍ଞାତରେ – ଆଦୌ କାମ୍ୟ ନୁହେଁ । ତେଣୁ, ମୋର ଅନୁରୋଧ, ଏଥି ସହ ସଂଯୁକ୍ତ ପ୍ରେସ ବିବୃତ୍ତିଟି ଅନୁଧ୍ୟାନ କରିବେ ଓ ଦୟାକରି ସ୍ପଷ୍ଟ କରିବେ କି,
(୧ ) ଏଥିରେ କୁହାହୋଇଥିବା ପରି ପ୍ରତିଶ୍ରୁତି ଆପଣ ଦେଇଥିଲେ କି ?
(୨) ଏପରି ପ୍ରତିଶ୍ରୁତି ଦେବାକୁ ଆପଣଙ୍କୁ ସମ୍ପୃକ୍ତ ଆଇନର ଦାୟିତ୍ବରେ ଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ କି ?
(୩) ଯଦି ଦେଇଥିଲେ, ଗତ କ୍ୟାବିନେଟ୍ ବୈଠକରେ ତାହା ପ୍ରସ୍ତାବିତ ନ ହେବାର କାରଣ କଣ ?
ଇତି ,
ଆପଣଙ୍କର
ସୁଭାଷ ଚନ୍ଦ୍ର ପଟ୍ଟନାୟକ ,
ଅଧ୍ୟକ୍ଷ , ଭାଷା ଆନ୍ଦୋଳନ , ଓଡ଼ିଶା

ଲଜ୍ଜ୍ୟାର କଥା, ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଉପର ଲିଖିତ ଅଭିଯୋଗକୁ ଖଣ୍ଡନ କରିବାକୁ ସାହସ କଲେନାହିଁ । (କ୍ରମଶଃ)
୨୧.୬.୨୦୧୯

Author: admin

ଓଡ଼ିଶା ପ୍ରଦେଶ ସୃଷ୍ଟିର ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ଭାଷାରେ ଏହାର ପରିଚାଳନା । ଏଥିପାଇଁ ୧୯୫୪ ରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭା ପ୍ରଣୟନ ଓ ପ୍ରବର୍ତ୍ତନ କରିଥିଲା ଓଡ଼ିଶା ଦାପ୍ତରିକ ଭାଷା ଆଇନ (Odisha Official Language Act) । ଏହି ଆଇନ କାର୍ଯ୍ୟକାରୀ ହୋଇପାରୁନଥିବାରୁ ୨୦୧୫ ରେ ଗଠିତ ମନ୍ତ୍ରୀସ୍ତରୀୟ କମିଟିରେ ସଦସ୍ୟ ଥିବା ସୁଭାଷ ଚନ୍ଦ୍ର ପଟ୍ଟନାୟକ ଆଇନ ସଂଶୋଧନ ମାଧ୍ୟମରେ ଏହି ଆଇନର ସଶକ୍ତିକରଣ ପାଇଁ ନିଜର ପ୍ରସ୍ତାବ ସହ ଏକ ଚିଠାବିଧାନ ପ୍ରଦାନ କରିଥିଲେ । ତାହାକୁ ସମ୍ପୂର୍ଣତଃ କାର୍ଯ୍ୟକାରୀ କରାଯାଇଥିଲେ ଓଡ଼ିଆରେ ଓଡ଼ିଶା ଚାଲିଥାନ୍ତା ଓ ଓଡ଼ିଆ ଜାତି ତା'ର ଭାଷା ଅଧିକାର ପାଇଥାନ୍ତା । ତାହା କରାଗଲା ନାହିଁ । ଓଲଟି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାକୁ ବିଭ୍ରାନ୍ତ କରି ପ୍ରମାଦପୂର୍ଣ ସଂଶୋଧନ ଦ୍ଵାରା ଆଇନଟିକୁ ଅକର୍ମଣ୍ୟ କରିଦେଇଛନ୍ତି । ଏହାର ପ୍ରତିକାର ପାଇଁ ପ୍ରତିଷ୍ଠା ହୋଇଛି ଭାଷା ଆନ୍ଦୋଳନ, ଓଡ଼ିଶା । ଏହି ୱେବସାଇଟ ସେହି ଆନ୍ଦୋଳନର ନଭମଞ୍ଚ ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.