ସୁଭାଷ ଚନ୍ଦ୍ର ପଟ୍ଟନାୟକ

ଯେଉଁ କ୍ୟାବିନେଟ୍ ପ୍ରସ୍ତାବକୁ ଜାଲିଆତି ବଳରେ ଏହି ସଂଶୋଧନ-ବିଧେୟକ ସହ ଯୋଡ଼ା ଯାଇଛି ସେହି ପ୍ରସ୍ତାବଟି ସହ ପ୍ରଣୀତ ସଂଶୋଧନର ଭାଷା ମିଳାଇ ଦେଖିଲେ ଏହି ଜାଲିଆତିର ଉତ୍କଟତା କେତେ ଉତ୍କଟ ଓ କିପରି ଇଚ୍ଛାକୃତ ତାହା ଜାଣି ହେବ । ଏଥିପାଇଁ, ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ବିଧେୟକଟିକୁ ବିଚାର ପାଇଁ ଉପସ୍ଥାପିତ କରି ସାଂସଦୀୟ ବ୍ୟାପାର ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କଣ କହିଥିଲେ,ତାହା ପ୍ରଥମେ ଦେଖାଯାଉ ।

ନଗ୍ନ ଜାଲିଆତି

ଶ୍ରୀ ଆରୁଖ କହିଥିଲେ,

“ସାର୍ , ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବହୁଳ ବ୍ୟବହାର କରୁଥିବା କର୍ମଚାରୀ ଏବଂ ବିଭାଗକୁ ପ୍ରୋତ୍ସାହିତ କରିବା ଏବଂ ଓଡ଼ିଆ ଭାଷା ବ୍ୟବହାରରେ ଖିଲାପକାରୀ କର୍ମଚାରୀ ଏବଂ ବିଭାଗକୁ ଦଣ୍ଡିତ କରିବା ଉଦ୍ଦେଶ୍ୟରେ ଆମ ରାଜ୍ୟ କ୍ୟାବିନେଟ୍ ତାଙ୍କର ତା୨୬.୧୨.୨୦୧୭ରିଖ ଦିନ ଅନୁଷ୍ଠିତ ୫୧ତମ ବୈଠକରେ ଓଡ଼ିଶା ସରକାରୀ ଭାଷା ଅଧିନିୟମ, ୧୯୫୪ରେ ଆବଶ୍ୟକୀୟ ସଂଶୋଧନ ଆଣିବାପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ । ତଦନୁଯାୟୀ ଏହି ଓଡ଼ିଶା ସରକାରୀ ଭାଷା ସଂଶୋଧନ ବିଧେୟକ, ୨୦୧୮ ଅଣାଯାଇଛି । ଏବଂ ଏହି ବିଧେୟକ ଆଇନରେ ପରିଣତ ହେଲେ ଉପରୋକ୍ତ ଉଦ୍ଦେଶ୍ୟ ସାଧିତ ହୋଇପାରିବ ।”

ସେ ଏହି ଯେଉଁ କଥା କହିଲେ, ତାହା ବିଧେୟକଟିରେ ଥିଲା କି ? ବିଧେୟକଟି ଓଡ଼ିଶା ସରକାରୀ ଭାଷା ଆଇନ, ୧୯୫୪ରେ କେବଳ ଗୋଟିଏମାତ୍ର ଧାରା ଯୋଡ଼ିବା ପାଇଁ ଉଦ୍ଦିଷ୍ଟ ଥିଲା । ସେହି ଧାରାଟି ହେଲା ଧାରା -୪କ । ମନ୍ତ୍ରୀଙ୍କ କଥା ସହ ଏହି ଧାରା ‘୪କ’ଟିକୁ ମିଳାଇଲେ ଏହି ଉତ୍କଟ ଜାଲିଆତି ଆଖିଆଗରେ ସ୍ପଷ୍ଟ ହୋଇଯାଏ । ଧାରାଟି ହେଲା:

“୪କ – ସରକାର, ସରକାରୀ ଭାଷାର ବ୍ୟାପକ ବ୍ୟବହାର ନିମନ୍ତେ ସରକାରୀ କର୍ମଚାରୀ ବା ବିଭାଗମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ତଥା ସେଥିରେ ଖିଲାପ କରୁଥିବା ସରକାରୀ କର୍ମଚାରୀ ବା ବିଭାଗମାନଙ୍କୁ ଦଣ୍ଡବିଧାନ କରିବା ସକାଶେ ନିୟମାବଳୀରେ ଉପଯୁକ୍ତ ବ୍ୟବସ୍ଥାମାନ ବିହିତ କରିପାରିବେ ।“

ଏହି ବିଧେୟକର ଭିତ୍ତି ଭାବେ ବ୍ୟବହାର କରାଯାଇଥିବା ପ୍ରସ୍ତାବଟିରେ “ବିଭାଗ ତଥା କର୍ମଚାରୀ” ଲେଖା ହୋଇଥିବା ବେଳେ, ମନ୍ତ୍ରୀ ଆରୁଖ ବି ସେହି ଏକା କଥା କହିଥିଲେ, କର୍ମଚାରୀ ଏବଂ ବିଭାଗକୁ ପ୍ରୋତ୍ସାହନ ବା ଦଣ୍ଡବିଧାନ କରାଯିବ ବୋଲି । କାରଣ ‘ତଥା’ ଯାହା ‘ଏବଂ’ ବି ତାହା । କିନ୍ତୁ ଯେଉଁ ୪କ ଧାରା ବିଧେୟକଟିରେ ସ୍ଥାନିତ ହୋଇଥିଲା ତହିଁରେ “କର୍ମଚାରୀ ଏବଂ ବିଭାଗ“ ଲେଖା ନ ହୋଇ ଲେଖା ହୋଇଥିଲା “କର୍ମଚାରୀ ବା ବିଭାଗ”“କର୍ମଚାରୀ ଏବଂ ବିଭାଗ“ କହିଲେ ଯାହା “କର୍ମଚାରୀ ବା ବିଭାଗ” କହିଲେ କଣ ତାହା ? ‘ତଥା’ ଶବ୍ଦଟିର ଅର୍ଥ ଯାହା, ‘ଏବଂ’ ଶବ୍ଦଟିର ଅର୍ଥ ସିନା ସେଇଆ , କିନ୍ତୁ ‘ବା’ ଶବ୍ଦଟିର ଅର୍ଥ କଣ ତାହା? ମନ୍ତ୍ରୀ ଆରୁଖ ତାଙ୍କ ଉପୋଦ୍ଘାତୀ ଭାଷଣ ଦେଲାବେଳେ ସେ ଗୃହୀତ ହେବାକୁ ଚାହୁଁଥିବା ୪କ ଧାରାର ସ୍ୱରୂପ ଦେଖିନଥିଲେ କି ବିଧାନସଭାକୁ ଅନ୍ଧକାରରେ ରଖିବା ମତଲବରେ ଏପରି ସମ୍ପୂର୍ଣ ବିଭ୍ରାନ୍ତିକରକ ମିଥ୍ୟା କଥା କହିଥିଲେ? ମନ୍ତ୍ରୀଙ୍କ ବଚନ ଓ ବିଧେୟକର ବଚନ ଦି ପ୍ରକାର କିପରି ହେଲା ? ଯଦି କୁହାଯାଏ ମୁଖ୍ୟମନ୍ତ୍ରୀ ଏ ବିଧେୟକ ପ୍ରସ୍ତୁତ କରିଥିଲେ, ମନ୍ତ୍ରୀ ଆରୁଖ କେବଳ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ତାକୁ ରୋବଟ ପରି ଥୋଇଥିଲେ ଓ ତେଣୁ ୪କରେ କଣ ଲେଖଥିଲା ଜାଣି ନଥିଲେ, ତେବେ ତାହା ସେ ସ୍ଵୀକାର କରନ୍ତୁ, ଆମେ ମୁଖ୍ୟମନ୍ତ୍ରୀଙ୍କୁ ପଚାରିବୁ, ଏହି ଜାଲିଆତି ସେ କରିଥିଲେ କାହିଁକି ତାହା ବିଳମ୍ବରେ ହେଲେ ମଧ୍ୟ ରାଜ୍ୟବାସୀଙ୍କୁ କହିବାକୁ ।

ମାତ୍ର ଏପରି ଦାୟିତ୍ଵ ଖସାଇବାକୁ ଚେଷ୍ଟା କଲେ ମଧ୍ୟ ଇତିହାସ ପାଖରେ ଆରୁଖ ଉତ୍ତରଦାୟୀ ହୋଇ ରହିବାକୁ ବାଧ୍ୟ । କାରଣ, ବିଧେୟକଟିରେ ୨୬.୧୨.୨୦୧୭ ପ୍ରସ୍ତାବର ବିପରୀତ ଶବ୍ଦ ବ୍ୟବହୃତ ହୋଇଥିଲା ବେଳେ, ସେ ସେହି କ୍ୟାବିନେଟ୍ ବ୍ୟବହାର କରିଥିବା “କର୍ମଚାରୀ ତଥା ବିଭାଗ” ଶବ୍ଦପୁଞ୍ଜକୁ ସମ୍ପୂର୍ଣତଃ ମନେ ପକାଇ “କର୍ମଚାରୀ ଏବଂ ବିଭାଗ” ବୋଲି ତାଙ୍କ ଭାଷଣରେ କହିଛନ୍ତି । ଯଦି ତାଙ୍କ ସ୍ମରଣ ଶକ୍ତି ଏପରିଭାବେ ଠିକ୍ ଥିଲା, ତେବେ ସେହି କ୍ୟାବିନେଟ୍ ପ୍ରସ୍ତାବକୁ ଅତିକ୍ରମ କରି ଭାଷା ଆଇନ ସଂଶୋଧନ ପାଇଁ ୧୪.୩.୨୦୧୮ ତାରିଖରେ ଯେଉଁ ନୂଆ ପ୍ରସ୍ତାବ ହୋଇଥିଲା, ସେହି ପ୍ରସ୍ତାବଟି ତାଙ୍କର ନିଶ୍ଚୟ ସ୍ମରଣ ଥିବା କଥା । ସୁତରାଂ ସେ ସେହି ପ୍ରସ୍ତାବ ଭିତ୍ତିରେ ବିଧେୟକଟି ନ ଆସି ଅତିକ୍ରାନ୍ତ କରାହୋଇସାରିଥିବା ୨୬.୧୨.୨୦୧୭ ତାରିଖର ପ୍ରସ୍ତାବ ଉପରେ କିପରି ଆଗତ ହୋଇଛି ବୋଲି ପ୍ରଥମେ ପ୍ରଶ୍ନ କରିଥାନ୍ତେ ଓ ୪କ ଧାରାର ତତ୍କାଳ ସଂଶୋଧନ କରାଇ, ସଂଶୋଧିତ ବିଧେୟକକୁ ବିଧାନସଭାରେ ପୁନଃ ସ୍ଥାପିତ କରାଇପାରିଥାନ୍ତେ । ସେ ତାହା କରିନଥିଲେ ଓ ଜାଣିଶୁଣି ବିଧାନସଭାକୁ ପ୍ରତାରିତ କରିଥିଲେ ।

ଏତଦ୍ଦୃଷ୍ଟିରୁ ଦେଖିଲେ ୧.୫.୨୦୧୮ ତାରିଖରେ ଭାଷା ଆଇନ ସଂଶୋଧନ ଆଳରେ ଯେଉଁ ନଗ୍ନ ଜାଲିଆତିର ଜାଲରେ ବିଧାନସଭାକୁ ଛନ୍ଦି ଦିଆଯାଇଥିଲା ତାର ଖଳନାୟକ ଯଦି ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତାଙ୍କ ତରଫରୁ ବିଧାନସଭାକୁ ଭୁଆଁ ବୁଲାଇବାର ଦାୟିତ୍ଵ ନେଇ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉପଖଳନାୟକର ଭୂମିକା ନିର୍ବାହ କରିଥିଲେ । (କ୍ରମଶଃ)
(୨୮.୫.୨୦୧୮)

Comments

No comments yet.

Leave a Reply

Basic HTML is allowed. Your email address will not be published.

Subscribe to this comment feed via RSS